କୋଦାଳଟା ଥୋଇ ଜଗୁଆ ଅଣ୍ଟା ସଳଖିଲା। କପାଳ ଉପରେ ବିଶି ଆଙ୍ଗୁଠିଟାକୁ ୱାଇପର ଭଳି ବୁଲାଇ ଆଣି ଜମି ଆସୁଥିବା ଝାଳ ପୋଛୁପୋଛୁ ଆକାଶରେ ସୂର୍ଯ୍ୟଙ୍କ ଅବସ୍ଥିତି ଦେଖି ସମୟ ଜାଣିବାପାଇଁ ଚେଷ୍ଟା କଲା–ନା’ ବେଳ ବେଶୀ ହୋଇନି।
ସକାଳେ ପିଲା ତିନିଟାକୁ ଗାଁ ସ୍କୁଲ ପାଖରେ ଛାଡିଦେଇ ଆସିଥିଲା। କାଲି କାମରୁ ଫେରିଲାବେଳେ ସ୍କୁଲ ସାର୍ କହିଥିଲେ, ପିଲାମାନଙ୍କୁ ପରିଷ୍କାର କରି ସ୍କୁଲକୁ ପଠାଇବା ପାଇଁ, କାଲି ଗଣତନ୍ତ୍ର ଦିବସ। ଗଣତନ୍ତ୍ର ଦିବସ କ’ଣ ସେ କହିପାରିବ ନାହିଁ। ଖାଲି ଏତିକି ସେ ଜାଣିଛି ଯେ ପିଲାମାନେ ଗୀତ ଗାଇ, ପତାକା ଧରି ଗାଁ ବୁଲନ୍ତି। ସାଆନ୍ତ ସାହିର ପିଲାମାନେ ସୁନ୍ଦର ସୁନ୍ଦର ପୋଷାକ ପିନ୍ଧି ଧାଡି ଆଗରେ ଥାଆନ୍ତି। ଆମ ସାହିର ପିଲାମାନେ ପଛରେ ଥାଆନ୍ତି ପୁରୁଣା ଲୋଚାକୋଚା ପ୍ୟାଣ୍ଟସାର୍ଟ ପିନ୍ଧି। ଗୋଡ଼ରେ ଜୋତା ନ ଥାଏ। ଆଣ୍ଠୁଏ ବହଳର ଧୂଳି ଲାଗିଯାଇଥାଏ।
ଦୂରରୁ ସ୍ପଷ୍ଟ ବାରିହୋଇପଡେ ସେ ସାଆନ୍ତ ସାହିର ପିଲା ଆଉ ଏ ଅନ୍ୟ ସାଇର ପିଲା। ମଝିରେ ମଝିରେ ମାଷ୍ଟ୍ରେ ସୁସୁରି ବଜାନ୍ତି, ପିଲାମାନେ ଠିଆ ହୋଇଯାଆନ୍ତି। ଧାଡି ଆଗରେ ଥିବା ଜଣେ ପିଲା ବଡ ପାଟିରେ କହେ-ଭାରତ ମାତା କି-ମହାତ୍ମା ଗାନ୍ଧିକି-ଜବାହରଲାଲ ନେହେରୁ କି-; ସବୁ ପିଲାଯାକ ଏକ ସ୍ବରରେ କହନ୍ତି ‘ଜୟ’। ତା ପରେ ସେହି ପିଲା କହେ ‘ବନ୍ଦେ’ ଅନ୍ୟ ପିଲାମାନେ କହନ୍ତି ‘ମାତରଂ’। ତାପରେ ମାଷ୍ଟ୍ରେ ସୁସୁରି ମାରନ୍ତି, ପୁଣି ଗୀତ ବୋଲାହୁଏ। ଧାଡିଟି ଗତିଶୀଳ ହୋଇଉଠେ। ଏଇ ହେଲା ମୋଟାମୋଟି ତା ପାଇଁ ଗଣତନ୍ତ୍ର ଦିବସ।
ସକାଳେ ପିଲାତିନିଙ୍କୁ ସ୍କୁଲରେ ଛାଡିଲାବେଳେ ପିଲାଗୁଡାକ ଶୀତରେ ଥୁରୁଥୁରୁ ହେଉଥିଲେ। ନିଜ କାନ୍ଧରେ ପଡିଥିବା ଖୋର୍ଦ୍ଧା ଗାମୁଛାଟାକୁ ସାନ ପିଲାଟା ଦେହରେ ପକାଇଦେଇ ବଡପୁଅକୁ କହିଲା-ଗାଁ ବୁଲା ସରିଲେ ଘରକୁ ପଳାଇବ।
ତା’ର ମନେ ଅଛି ଦିନାକେତେ ସେ ସ୍କୁଲକୁ ଯାଉଥିଲା। ସ୍କୁଲଘରର ପଛଧାଡିର ଗୋଟିଏ ପାଖକୁ ସେ ବସେ। ମାଷ୍ଟ୍ରେ ପାଠ ପଢାନ୍ତି। ପାଠ ନ କରିଥିଲେ ସାଆନ୍ତ ସାଇର ପିଲାମାନଙ୍କୁ ମାଡ ଦିଅନ୍ତି। କିନ୍ତୁ ତାକୁ ପାଠ ପଚାରିଦେଇ ନୀରବ ରୁହନ୍ତି। ତା’ର ଠିକ୍ ମନେ ଅଛି ତା ସମସାମୟିକ ତାଙ୍କ ସାହିର ଯେତେ ପିଲା ପାଠ ପଢୁଥିଲେ କେହି କେବେ ପାଠପଢା ପାଇଁ ମାଷ୍ଟ୍ରଙ୍କଠାରୁ ମାଡ ଖାଇ ନାହାନ୍ତି। ଗଣେଶ ଚତୁର୍ଥୀ, ସରସ୍ବତୀ ପୂଜାରେ ହରିଜନ ସାହିର ପିଲାମାନଙ୍କର ହଠାତ୍ ଗୁରୁତ୍ବ ବଢିଯାଏ।
ତା’ର ମନେ ଅଛି ଦିନାକେତେ ସେ ସ୍କୁଲକୁ ଯାଉଥିଲା। ସ୍କୁଲଘରର ପଛଧାଡିର ଗୋଟିଏ ପାଖକୁ ସେ ବସେ। ମାଷ୍ଟ୍ରେ ପାଠ ପଢାନ୍ତି। ପାଠ ନ କରିଥିଲେ ସାଆନ୍ତ ସାଇର ପିଲାମାନଙ୍କୁ ମାଡ ଦିଅନ୍ତି। କିନ୍ତୁ ତାକୁ ପାଠ ପଚାରିଦେଇ ନୀରବ ରୁହନ୍ତି। ତା’ର ଠିକ୍ ମନେ ଅଛି ତା ସମସାମୟିକ ତାଙ୍କ ସାହିର ଯେତେ ପିଲା ପାଠ ପଢୁଥିଲେ କେହି କେବେ ପାଠପଢା ପାଇଁ ମାଷ୍ଟ୍ରଙ୍କଠାରୁ ମାଡ ଖାଇ ନାହାନ୍ତି। ଗଣେଶ ଚତୁର୍ଥୀ, ସରସ୍ବତୀ ପୂଜାରେ ହରିଜନ ସାହିର ପିଲାମାନଙ୍କର ହଠାତ୍ ଗୁରୁତ୍ବ ବଢିଯାଏ। ଆମ୍ବଡାଳ ତୋଳିବା, ଭୋଜି ପାଇଁ ଜାଳ ସଂଗ୍ରହ କରିବା, ସାର୍ଙ୍କ ସାଥିରେ ବଜାରରୁ ସଉଦା ବୋହିକରି ଆଣିବା ଆଦି କାମ ସେମାନେ କରନ୍ତି। ବାପା କିନ୍ତୁ ପାଠ ପଢାଇବା ପାଇଁ ରାଜି ହୁଏନା। ସେ କହେ ବାହା ଚଳାଇଲେ ପେଟ ପୋଷିବ, ପାଠ କ’ଣ କରିବ।
ପଞ୍ଚମ ଶ୍ରେଣୀରେ ପଢିଲାବେଳେ ସତକୁସତ ବାପା ଆଉ ସ୍କୁଲକୁ ଛାଡିଲାନି। ତାପରେ ଆରମ୍ଭ ହେଲା ମାଛ ମାରିବା, ଗାଈ ଜଗିବା। ଗାଈ ଜଗିବାକୁ ଯିବାରେ ଡେରି ହେଲେ ବାପା ପାଟି କରେ-“କେତେ ବେଳକୁ ଯିବୁ, ଗାଈଗୁଡାକ କ’ଣ ଖୁଣ୍ଟରେ ପଡିଥିବେ?”
ବାପା ସାଆନ୍ତମାନଙ୍କୁ ଭାରି ଭୟ କରେ। ଚପଲ ତ କେବେ ଲଗାଏନି, ଢୁଢୁ ବର୍ଷାରେ ମଧ୍ୟ ଛତା ପକାଇ ଯାଏନା। ବାପାର ଏ ଗୁଣ ପାଇଁ ଜଗୁଆକୁ ଖୁବ୍ ରାଗ ଲାଗେ। କିନ୍ତୁ ମଲା ପର୍ଯ୍ୟନ୍ତ ବାପାର ଏ ଢଙ୍ଗ ଗଲାନି। ଜଗୁଆ ବେଳେବେଳେ ଭାବେ ସାଆନ୍ତମାନଙ୍କର କାହିଁକି ଆମ ସାହି ପିଲାଙ୍କ ଉପରେ ଏପରି ନଜର? ପିଲାଟିଏ ସ୍କୁଲକୁ ଯାଉଥିବା ବେଳେ ଟିକିଏ ଆଖିକୁ ଦେଖାଗଲା ପରି ହୋଇଗଲେ ଟଙ୍କାର ଲୋଭ ଦେଖାଇ ବୋଲହାକ କରିବାପାଇଁ ହେଉ କି ଗାଈ ଜଗିବା ପାଇଁ ହେଉ ନେଇଯାଆନ୍ତି। ଟିକିଏ ଚିନ୍ତା କରନ୍ତିନାହିଁ ପିଲାଟା ପାଠ ପଢୁଛି ତ ପଢୁ। ତା ସମୟରେ ଯେମିତି ଥିଲା କାହିଁ ଏବେ ସୁଦ୍ଧା ତ କିଛି ବଦଳିନି! ସେ ମନେମନେ ଠିକ୍ କରେ ତା ପୁଅ ପଢା ବନ୍ଦ କରି କାମଧନ୍ଦା କରିବାକୁ ଯିଏ କହିବ ତାକୁ ମୁହେଁମୁହେଁ ବତାଇଦେବ।

ପିଲାବେଳେ ବାପ କହୁଥିଲା-ଗାନ୍ଧୀବୁଢା ବିଦେଶୀ ସରକାରକୁ ହଟାଇଦେଲା। ଆଉ ଏଣିକି ଦୁଃଖ ରହିବନି। ଅସଜଡା ସରକାରୀ କଳଟାକୁ ସଜାଡିବାକୁ ଆଉ କିଛି ଦିନ ଲାଗିବ। ଆଉ ଜିନିଷପତ୍ରର ଦରଦାମ ବଢିବନି, ପେଟ ପୂରାଇ ସମସ୍ତେ ଖାଇବେ। ବାପ ମରିବାର ୪୦ ବର୍ଷ ପରେ ଜଗୁଆ ଚିନ୍ତା କରେ – କାହିଁ ଏତେ ଦିନ ପରେ ସେ ଦିନ ଏବେ ବି ତ ଆସିନି। ବାପା ଥିଲାବେଳେ ଘରେ ସମସ୍ତେ ପେଟ ପୂରାଇ ଖାଉଥିଲେ। ଘର ପାଇଁ ସମସ୍ତେ କିଛି ନା କିଛି ରୋଜଗାର କରୁଥିଲେ। ଭାତ ତରକାରୀ ସାଙ୍ଗକୁ କସ୍ତା ଲୁଗା ଓ ଦୁଇଖଣ୍ଡି ଖୋର୍ଦ୍ଧା ଗାମୁଛା ହୋଇଗଲେ ଚଳିଯାଉଥିଲା। ଏବେ କିନ୍ତୁ ଖାଇବାଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ଧାରା ବଦଳିଯାଇଛି। ଦୈନିକ ମଜୁରୀରେ ଘର ଚଳାଇବା କଷ୍ଟକର। ହୁ ହୁ ହୋଇ ବଢୁଥିବା ଦରଦାମକୁ ଲକ୍ଷ୍ୟ କରି ତାଙ୍କ ସାହିର ପୁରୁଣା କାଳିଆ ଧରମାବୁଢା କହେ–ଫିରିଙ୍ଗି ସରକାରଠାରୁ ଏ ସରକାର କ’ଣ ଭଲ କରିଛି? ଭୋଟ ବେଳକୁ ପଞ୍ଝାପଞ୍ଝା ହୋଇ ଗାଁ ଲୋକଙ୍କ ଭିତରୁ ମୁଖିଆମାନଙ୍କୁ ଧରି ଆସୁଛନ୍ତି, ଭୋଟ ଦେବାକୁ କହୁଛନ୍ତି। ଆମେ ଅମୁକ କରିଦେବୁ, ସମୁକ କରିଦେବୁ । ତାପରେ ପୁଣି କୁଆଡେ ଯାଉଛନ୍ତି ଦେଖା ମିଳୁନି ପରବର୍ତ୍ତୀ ଭୋଟ ଯାକେ।
ଯାହା ହେଲେ ବି ଜଗୁଆ କଲେଜରେ ପଢୁଥିବା ପିଲାମାନଙ୍କୁ ଦେଖିଲେ ଭାବେ ତା’ ପୁଅକୁ କଲେଜରେ ପଢାଇବ। କଲେକ୍ଟର କରାଇବ, ତା’ ପୁଅ କାର୍ ଚଳାଇବ, ଉଡାଜାହାଜରେ ବସିବ, ତା’ ହୁକୁମରେ ସବୁ ଚାଲିବ। ସ୍ବପ୍ନ ଦେଖିଦେଖି ବିଚରା ଜାଣିବାକୁ ଚେଷ୍ଟା କରିପାରେନି ଯେ ଏ ଗାଁ ସ୍କୁଲରେ ପଢିଥିବା କାହିଁ ଗୋଟିଏ ପିଲା ତ କଲେକ୍ଟର ହୋଇନି, ଉଡାଜାହାଜରେ ଚଢିବାକୁ ସୁଯୋଗ ପାଇନି। ଯେଉଁମାନେ କଲେକ୍ଟର ହେବେ, ଉଡାଜାହାଜରେ ବୁଲିବେ ସେମାନଙ୍କ ପାଇଁ ସହରରେ ସୁନ୍ଦର ସୁନ୍ଦର ସ୍କୁଲମାନ ଅଛି, ତାର ମାସକଯାକର ମଜୁରୀଠାରୁ ଗୋଟିଏ ପିଲାର ପଢାରେ ଅଧିକ ଖର୍ଚ୍ଚ ହୁଏ। ତଥାପି ସେ ସ୍ବପ୍ନ ଦେଖେ। ଗାଁକୁ କାର୍ ଚଢି ଆସିଥିବା ବାବୁଭାୟାମାନଙ୍କୁ ଦୂରରୁ ନିରେଖିନିରେଖି ଚାହେଁ। ତାର ମନେ ହୁଏ ସତେ ଅବା ତା ପୁଅ କାର୍ ଚଢି ଆସୁଛି।
ତାର ମନେ ପଡିଲା କାଲି ବଡପୁଅ କହୁଥିଲା- ଖାତା ନାହିଁ, ସାର୍ଟପ୍ୟାଣ୍ଟ ଚିରିଗଲାଣି। ଜଗୁଆ ଠିକ୍ କରିନେଲା, ଆଜି ଆଗୁଆ କିଛି ଟଙ୍କା ଧାର ନେବ, ପରେ କାମ କରି ଶୁଝିଦେବ। ସେଥିରେ ସେ ଖାତା ଆଣିବ, କଲମ ଆଣିବ, କାଳି ଆଣିବ, ପୁଅ ପାଇଁ ସାର୍ଟପ୍ୟାଣ୍ଟ କରିଦେବ। ପୁଅ ତାର ପାଠ ପଢିବ। କଲେକ୍ଟର ହେବ। ଉଡାଜାହାଜରେ ବୁଲିବ, ତା’ ପଢା ପାଇଁ ଯାହା ଦରକାର ସବୁ କରିଦେବ।
ସଂଧ୍ୟାବେଳକୁ ସାଆନ୍ତ କହୁଥିଲେ ପୁଅଟାକୁ ତାଙ୍କଘରେ ରଖିବା ପାଇଁ, ଗାଈ ଜଗିବ, ଗୁହାଳ ପୋଛିବ, ବାଡିବଗିଚାରେ ସକାଳୁ କାମ କରିବ। ବୋଲହାକ ଶୁଣିବ। ଖାଇପିଇ ମାସିକ ଶହେ ଟଙ୍କା ଦେବେ। ଜଗୁଆ ଚାହୁଁଥିଲା ସାଆନ୍ତଙ୍କ ମୁହଁକୁ ବଲବଲ କରି। ସାଆନ୍ତେ କହୁଥିଲେ, ହଇରେ ପାଠ କ’ଣ କରିବ? ପାଠ ତୁମ କୂଳରେ କେତେଜଣ ପଢିଲେଣି?
ଜଗୁଆ ଦିନକ ମଜୁରୀରେ ଗାଁ ଦୋକାନରୁ ଚାଉଳ ଛୋଟ ପୁଟୁଳାଟିଏ ପିଠିରେ ପକାଇ ଫେରିଲା। ପ୍ରତି ପାହୁଣ୍ଡରେ ପିଠି ଉପରେ ଚାଉଳ ବୁଜୁଳା ସାଆନ୍ତଙ୍କ କଥାର ବିଧା ପରି ଆଘାତ କରୁଥିଲା।
ଅତି ସୁନ୍ଦର ବିଷୟବସ୍ତୁ। ସ୍ବାଧୀନତାର ୬୪ ବର୍ଷ ପରେବି ଆମ ସମାଜର ଏମିତି ଏକ ଚିତ୍ର ଅତ୍ୟନ୍ତ ଲଜ୍ଜାଜନକ କିନ୍ତୁ ଏକ ନିରାଟ ସତ। ଦେଖାଯାଉ ଆଉ କେତେ ଦିନ ଲାଗିବ ଆମକୁ ମଣିଷକୁ ମଣିଷ ପରି ଭାବିବା ପାଇଁ।
ଗଲ୍ପଟି ବାସ୍ତବଧର୍ମୀ। ହୁଏତ ଗଲ୍ପଟିରେ ସାଆନ୍ତ ଯୁଗର କଲ୍ପନା କରାଯାଇଛି, କିନ୍ତୁ ଏହା ଆଜି ମଧ୍ୟ ଗ୍ରାମ୍ୟ ପରିବେଶର ଆର୍ଥିକ ସ୍ବଚ୍ଚଳ ଗୋଷ୍ଟିର “ହମ୍ ବଡା” ମନୋଭାବର ସୂଚନା ଦେଇଥାଏ। ସହରାଞ୍ଚଳର ଆଜିର ସମାଜର ବଡପଣ୍ଡାଙ୍କ ମନୋଭାବ ନ କହିବା ଭଲ। ପ୍ରକୃତରେ ଲେଖକଙ୍କ କଲ୍ପନା ବାସ୍ତବଧର୍ମୀ।
ଗଳ୍ପଟି ହୃଦୟସ୍ପର୍ଷି ହୋଇଛି। ଏହାର ଦ୍ୱିତୀୟ ଭାଗ ପାଇଁ ମୁଁ ପ୍ରତିକ୍ଷା କରିବି।
ଭିନ୍ନ ଇଲାକାର ସ୍ୱପ୍ନରେ, ଆଉ ସ୍ୱପ୍ନ ଭାଙ୍ଗିଲା ବେଳକୁ ଚାଉଳ ବୁଜୁଳାର ଓଜନଠୁ ବଳି ତା’ ସାଆନ୍ତର ତାତ୍ସଲ୍ୟ, ସତରେ ଜଗୁଆକୁ ନିମନ୍ତ୍ରଣ କରେ ପୁଣି ସେହି ଅଭିନ୍ନ ଇଲାକାକୁ।