ମୂଳ ବଙ୍ଗଳା ରଚନା – ବିମଳ ମିତ୍ର
ସେଦିନ ମୁଁ ବସିଥିଲି ଜବଲପୁରର ଗୋଟାଏ ଡାକ ବଙ୍ଗଳାରେ! ପ୍ରକୃତରେ ସେ ସ୍ଥାନଟା ଅସଲ ଜବଲପୁର ନଥିଲା । ବରଂ ଥିଲା ହାଓବାଗ-ଜବଲପୁରରେ ଏବେ ସେ ଡାକ ବଙ୍ଗଳାର ଚେହେରା କେମିତି ଦେଖାଯାଉଥିବା କେଜାଣି?
କିନ୍ତୁ ମୁଁ ଯେତେବେଳେ ସେଠାକାର ଡାକ ବଙ୍ଗଳାକୁ ଯାଉଥିଲି, ତା’ର କମ୍ପାଉଣ୍ଡ୍ ଭିତରେ ପଚିଶ-ତିରିଶଟି ଆମ୍ବଗଛ ଥିଲା, ଥିଲା ତିନୋଟି ମେହେଗାନି ଗଛ ଏବଂ ଥିଲା ସାତୋଟି ଅଶ୍ବସ୍ଥ ଗଛ! ଦିନରେ ମଧ୍ୟ ସ୍ଥାନଟି ଅନ୍ଧକାରରେ ଆଚ୍ଛାଦିତ ହୋଇ ରହୁଥିଲା ।
ଡାକବଙ୍ଗଳାଟି ଥିଲା ଗୋଟାଏ ବିରାଟ ହତା ଭିତରେ। ଏହି ବଡ଼ ବଡ଼ ଗଛଗୁଡ଼ିକ ଛଡ଼ା ଆଉ କିଛି ଫୁଲର କିଆରୀ ମଧ୍ୟ ସେଠି ଥିଲା। ଥିଲା କେତୋଟି ଗୋଲାପ ଫୁଲର ଏବଂ କିଛି ସିଜନ୍ ଫ୍ଲାୱାରର ବେଢ଼ା। ତେବେ ଆବଶ୍ୟକ ଲୋକବାକ ଅଭାବରୁ ଫୁଲଗୁଡ଼ିକର କେହି ଯତ୍ନ ନେଉ ନଥିଲେ ଭଲ ଭାବରେ।
ପ୍ରତି ମାସରେ ପ୍ରାୟ ଥରେ ଦୁଇଥର ମତେ ଏଇ ଡାକ ବଙ୍ଗଳାକୁ ସରକାରୀ କାର୍ଯ୍ୟରେ ଯିବାକୁ ପଡ଼ୁଥିଲା। ଭୋର ଭୋରରୁ ନ୍ୟାରୋଗଜ୍ ଟ୍ରେନ୍ଟା ମତେ ନେଇ ସେଠାରେ ପହଞ୍ଚାଇ ଦେଉଥିଲା! ଡାକ ବଙ୍ଗଳାରେ ଜିନିଷପତ୍ରଗୁଡ଼ିକ ଫୋପାଡ଼ି ଦେଇ ମୁଁ ଟାଉନ୍ ଭିତରେ ଥିବା ମୋ ଅଫିସ୍କୁ ଚାଲି ଯାଉଥିଲି। ପୁଣି ଦୁଇଘଣ୍ଟା ପରେ ଅଫିସ୍ କାମ ସାରି ଫେରିଆସି ବସୁଥିଲି ବଙ୍ଗଳ ବାରଣ୍ଡାରେ ଏବଂ ଫୁଲଗଛଗୁଡ଼ିକୁ ଅନାଇ ରହୁଥିଲି। ସେହି ଡାକ ବଙ୍ଗଳାଟିରେ ଦୁଇଟି ବଡ଼ ବଡ଼ କୋଠରୀ ଥିଲା, ସାମନାରେ ଥିଲା ଖପରୁଲି ଛାଉଣି ଦିଆ ଲମ୍ବା ବାରଣ୍ଡା। ମୁଁ ଆରାମ ଚେୟାରଟା ଟାଣି ଆଣି ସେଠାରେ ବସିଯାଉଥିଲି।
ଅଫିସ୍ କାମ ବ୍ୟତୀତ ମୋର ଆଉ ସେଠି ବିଶେଷ କାର୍ଯ୍ୟ ନଥିଲା। ମୁଁ ସେମିତି ଭାବରେ ବସୁଥିଲି ଅନେକ ରାତି ପର୍ଯ୍ୟନ୍ତ! ଦୁନିଚାନ୍ଦ ଆସି ନୈଶ ଭୋଜନ ଦେଇଯାଉଥିଲା ଏବଂ ମୁଁ ଖାଇପିଇ ଶୋଇ ପଡ଼ୁଥିଲି! ପ୍ରାୟ ପ୍ରତିମାସ ଏଇ ଅଫିସ୍ରେ ମତେ ଦିନେ ଦୁଇଦିନ ରହି କାମ କରିବାକୁ ପଡ଼ୁଥିଲା ଏବଂ ତା’ପରେ ମୁଁ ଫେରି ଆସୁଥିଲି ମୋର ପ୍ରିୟ ସହର ବିଳାସପୁରକୁ।
ମୁଁ ସେଦିନ ମଧ୍ୟ ସେମିତି ଆନମନା ଭାବରେ ସେହି ବଙ୍ଗଳା ବାରଣ୍ଡାରେ ବସିଥିଲି। ବାହାରେ ସମ୍ପୂର୍ଣ୍ଣ ନହେଲେ ମଧ୍ୟ ଅନ୍ଧକାରର ରାଜତ୍ବ। ହତା ମଧ୍ୟରେ ଦୁଇ ତିନୋଟି ବତୀଖୁଣ୍ଟ ଥିଲେ ମଧ୍ୟ ଶୀତଦିନର ପ୍ରବଳ କୁହୁଡ଼ି ପାଇଁ ଆଲୋକଗୁଡ଼ିକ ଖୁବ୍ ନିଷ୍ପ୍ରଭ ଦିଶୁଥିଲେ।
ଦରକାର ମୁତାବକ କିଛି ମାଛ ଆଉ ଅଣ୍ଡା ଆଣିବା ପାଇଁ ଦୁନିଚାନ୍ଦକୁ ମୁଁ କିଛି ଟଙ୍କା ଦେଇ ବଜାରକୁ ପଠାଇଥିଲି। ସେଗୁଡ଼ିକ ଆଣିବା ପରେ ସେ ରୋଷେଇ କରିବା ଏବଂ ଯଥାରୀତି ରାତ୍ରିଭୋଜନ ପରଷିବା-ଏହାହିଁ ଥିଲା ସେ ରାତିର କାର୍ଯ୍ୟକ୍ରମ।
ମୁଁ ସେମିତି ସେହି ବାରଣ୍ଡାରେ ବସି ବସି କେତେ ଆକାଶ ପାତାଳ ଚିନ୍ତା କରୁଥିଲି। ହଠାତ୍ ଭୟରେ ଚମକିପଡ଼ି ଦଶହାତ ପଛେଇଯାଇ ବିକଳରେ ଚିତ୍କାର କରି ଡାକିଲି ଦୁନିଚାନ୍ଦ … ଦୁନିଚାନ୍ଦ!
ଆଖି ସାମନାରେ ଏକ ବିରାଟକାୟ ସାପ ନିଃଶବ୍ଦରେ ଫୁଲ ବଗିଚା ପାରିହୋଇ ମୋ ଆଡ଼କୁ ଲକ୍ଷ୍ୟକରି ଆଗେଇ ଆସୁଥିଲା।
ଦୁନିଚାନ୍ଦ ରହିବା ଆଉଟ୍ ହାଉସ୍ଟା ମୁଁ ରହୁଥିବା ବଙ୍ଗଳାଠାରୁ ଦୂରରେ ବିପରୀତ ଦିଗରେ। ସେଠାରେ ରହୁଥାନ୍ତି ଦୁନିଚାନ୍ଦ ଆଉ ତା’ର ସ୍ତ୍ରୀ! ଆଉ ସେଠାରେ ରହନ୍ତି ବଙ୍ଗଳାର ମେହେନ୍ତର! ତେବେ ସବୁବେଳେ ଆସି ଏଠାରେ ରହୁଥିଲେ ମଧ୍ୟ ମୁଁ ସେପଟକୁ କେବେ ଯାଇନି। ମୋ ପରି ଭଦ୍ରଲୋକକୁ ସେଠାକୁ ଯିବାର ଆବଶ୍ୟକତା ମଧ୍ୟ ପଡ଼ିନି! ଏ ଭିତରେ ମୁଁ ଚିତ୍କାର କରି ଲୋକ ଡାକିଲାବେଳକୁ ସାପଟି ମୋ ଶୋଇବା ଘର ଭିତରକୁ ପଶିଯାଇଥିଲା। ଆଉ ତା’ପରର କଥା ଭାବି ମୁଁ ଭିତରେ ଭିତରେ ଥରି ଉଠୁଥିଲି!
ସାପଟା ସେତେବେଳେ ତା’ର ଫାଳିକିଆ ଜିଭକୁ ହଲାଇ ମୋ ଆଡ଼କୁ ମାଡ଼ି ମାଡ଼ି ଆସୁଥିଲା ଏବଂ ମୁଁ ଆହୁରି ଜୋରରେ ଜୋରରେ ଚିତ୍କାର କରି ଡାକୁଥିଲି ଦୁନିଚାନ୍ଦ…. ଦୁନିଚାନ୍ଦ! କିନ୍ତୁ ସୌଭାଗ୍ୟକ୍ରମେ ଦୁନିଚାନ୍ଦ ମୋ ଡାକ ଶୁଣି ନଥିଲା ସିନା, ଭଗବାନ ମୋ ଡାକ ଶୁଣି ପାରିଥିଲେ। ଦୁନିଚାନ୍ଦ ଏତେ ଶୀଘ୍ର ଫେରିଆସିବା କଥା ନଥିଲେ ମଧ୍ୟ କାହିଁକି କେଜାଣି ଦୌଡ଼ି ଦୌଡ଼ି ଆସି ମୋ ନିକଟରେ ପହଞ୍ଚି ଯାଇଥିଲା।
ମୁଁ ବିକଳରେ କହିଥିଲି- ମୋ ଶୋଇବା ଘରେ ଗୋଟାଏ ବଡ଼ ସାପ ପଶିଯାଇଛି ଦୁନିଚାନ୍ଦ, ତମେ ଶୀଘ୍ର ଯାଇ ଗୋଟାଏ ବଡ଼ ଠେଙ୍ଗା ନେଇଆସ!
ଦୁନିଚାନ୍ଦ କୁଆଡ଼ୁ ଗୋଟାଏ ବଡ଼ ଠେଙ୍ଗା ଧରି ଆସି ଘର ଭିତରକୁ ଟିକିଏ ଉଙ୍କିମାରି ଦେଖିଲା ଏବଂ ଥମିଗଲା। ମୋ ପାଖକୁ ଆସି କହିଲା, ଆରେ ଏ ତ ଏଜରା ମେମ୍ସାହେବଙ୍କ ସାପ! ତା’ପରେ ସେ ଠେଙ୍ଗାଟିକୁ କାନ୍ଥରେ ଆଉଜାଇ ଦେଇ ବାରଣ୍ଡାରେ ଆସି ନିଶ୍ଚିନ୍ତରେ ଛିଡ଼ା ହେଲା। ସାପଟି ଘର ଭିତରେ ପଶିଯାଇଥିବା କଥା ଯେମିତି ସେ ସମ୍ପୂର୍ଣ୍ଣ ଭାବେ ପାଶୋରି ପକାଇଥିଲା।
ମୁଁ ଆଶ୍ଚର୍ଯ୍ୟରେ ତାକୁ ଚାହିଁ ରହିଥିଲି। ଏଜରା ମେମ୍ସାହେବଙ୍କ ସାପର କ’ଣ ବିଷ ନାହିଁ? ସେ କ’ଣ ମଣିଷଙ୍କୁ କାମୁଡ଼େ ନାହିଁ? ତାକୁ ନେଇ ଭାବିବାର କ’ଣ କିଛି କାରଣ ନାହିଁ? ତା’ଛଡ଼ା ଏଇ ଏଜରା ମେମ୍ସାହେବ ଟି ବା କିଏ?
ଦୁନିଚାନ୍ଦ ମୋ ପାଖକୁ ଆସି କହିଲା-ଆପଣ ଟିକିଏ ଅପେକ୍ଷା କରନ୍ତୁ! ମୁଁ ଯାଇ ତାଙ୍କୁ ଡାକି ଆଣୁଚି!
ଦୁନିଚାନ୍ଦ ବଗିଚା ଆଡ଼କୁ ଆଗେଇ ଯାଉଥିଲା । ମୁଁ ପୁଣିଥରେ ଦୁନିଚାନ୍ଦକୁ ଡାକିଲି…. କହିଲି-ଆରେ ତମେ କୁଆଡ଼େ ଯାଉଚ? ତମର ଏ ମେମ୍ସାହେବଙ୍କ ଘର କୋଉଁଠି?
ଦୁନିଚାନ୍ଦ ଯାଉ ଯାଉ ଉତ୍ତର ଦେଲା- ଆରେ ହଜୁର, ଏଇ ପାଖ ଘର…. ଏଇ ସତର ନମ୍ବର କୋଠିଟା ତାଙ୍କର! ମୁଁ ଖାଲି ଯିବି ଆଉ ଆସିବି!
ଏତେ ବର୍ଷ ହେଲା ମୁଁ ଜବଲପୁର ଆସୁଛି…. ଏଇ ରେଷ୍ଟ ହାଉସ୍ରେ ରହୁଛି। ବହୁତ ସମୟ ଏଇ ବାରଣ୍ଡାରେ ମଧ୍ୟ ବସୁଛି…. ଅଥଚ କୌଣସି ଦିନ ଏଇ ବିରାଟ ସାପର ସାମନା ସାମନି ହୋଇନି। ଆଉ ଏଇ ବିରାଟ ସାପକୁ ପୋଷିଥିବା ସତର ନମ୍ବର କୋଠିର ଏଜରା ମେମ୍ସାହେବଙ୍କ କଥା ମଧ୍ୟ ତ ଶୁଣିନି! ନାରୀମାନେ ଯେ ସାପକୁ ମଧ୍ୟ ପୋଷିପାରନ୍ତି- ଏ କଥା ଆଜି ନୂଆ କରି ଜାଣିଲି।
ଦୁନିଚାନ୍ଦଙ୍କ ସହ ଏଜରା ମେମସାହେବ ମଧ୍ୟ ଆସୁଥିଲେ। ମେଦବହୁଳ ପୃଥୁଳାକାୟା ନାରୀ। ବୋଧହୁଏ ବୟସ ସତୁରୀ ପାଖାପାଖି ହେବ! ଦେହରେ ଢିଲା ଗାଉନ। ଘରେ ଯେମିତି ଅବସ୍ଥାରେ ଥିଲେ ସେମିତି ହିଁ ଚାଲି ଆସିଛନ୍ତି! ଜୋତା କି ଟୋପି ମଧ୍ୟ ପିନ୍ଧିନାହାନ୍ତି।
ସତେ ଯେମିତି ତାଙ୍କର କୁନି ପୁଅଟି ହଜିଯାଇଛି- ଏମିତି ଅସ୍ତବ୍ୟସ୍ତ ଭାବରେ ସେ ମୋର ଶୋଇବା ଘରେ ପ୍ରବେଶ କଲେ! ଆଉ ବଡ଼ ନରମ ଗଳାରେ ଡାକିଲେ- ସିସି… ସିସି… ମାଇଁ ଡାର୍ଲିଂ।
ମେମ୍ସାହେବଙ୍କ ସହିତ ତାଙ୍କର ଚାକର-ବାକର ଏବଂ ଆୟା ମଧ୍ୟ ଚାଲି ଆସିଥିଲେ! ସେ ମତେ ଦେଖୁଦେଖୁ ପାଗଳ ପରି ପଚାରି ଉଠିଲେ-ସିସି କାଇଁ? ସେ କେଉଁଠି ଅଛି ବାବା?
ଦୁନିଚାନ୍ଦ ତାଙ୍କୁ ଘର ଭିତରକୁ ନିର୍ଦ୍ଦେଶ କରି ଦେଖାଇଦେଲେ। ମେମ୍ସାହେବ ନିର୍ଭୟରେ ଘର ଭିତରକୁ ପଶିଗଲେ ଏବଂ ଛୁଆକୁ ଡାକିଲା ପରି ଡାକିଲେ ସିସି… ସିସି ମାଇଁ ଡାର୍ଲିଂ।
ସବୁଠାରୁ ଆଶ୍ଚର୍ଯ୍ୟର କଥା, ମିସେସ୍ ଏଜରାଙ୍କ ସହିତ ଆସିଥିବା ତାଙ୍କ ପରିଚାରକମାନେ ମଧ୍ୟ ମୋର କୋଠରୀ ଭିତରକୁ ପଶିଗଲେ ଏବଂ ସମସ୍ତେ ମିଶି ସେହି ସାପକୁ ଧରିବାରେ ସକ୍ଷମ ହେଲେ। ଗୋଟାଏ ଲୋକ ସାପଟିକୁ କାନ୍ଧ ଉପରକୁ ଉଠାଇ ନେଲା ଏବଂ ସାପଟି ମଧ୍ୟ ବେଶ୍ ଆରାମରେ ଲୋକଟିର କାନ୍ଧରେ ମୁହଁଟିକୁ ଉଠାଇ ବସି ରହିଲା।
ତା’ପରେ ଆରମ୍ଭ ହେଲା ତାଙ୍କର ଫେରିବାର ପର୍ବ! ସାପ ଧରିଥିବା ସେହି ଲୋକଟିର ପଛେ ପଛେ ପ୍ରଥମେ ଏଜରା ମେମ୍ସାହେବ ଏବଂ ଅନ୍ୟମାନେ ଶୋଭାଯାତ୍ରା କଲାପରି ଚାଲୁଚାଲୁ ସାପଟିକୁ ଡାକୁଥିଲେ …. ସିସି…. ମାଇଁ…. ଡାର୍ଲିଂ!
ଯାଉ ଯାଉ ତାଙ୍କର ବୋଧେ ମୋ କଥା ମନେ ପଡ଼ିଯାଇଥିଲା-ଅଧାରାସ୍ତାରୁ ସେ ପୁଣି ମୋ ନିକଟକୁ ଫେରିଆସି କହିଲେ-ଆପଣଙ୍କୁ ବହୁତ ଧନ୍ୟବାଦ ବାବା, ସେ ଅନ୍ୟ କେଉଁଠିକୁ ଚାଲିଯାଇଥିଲେ, ମୁଁ ତାକୁ ଖୋଜି ଖୋଜି ପାଇ ନଥାନ୍ତି। ହି ଇଜ୍ ସୋ ନଟି- କହୁ କହୁ ସେ ସାପଟି ନିକଟକୁ ମୁହଁନେଇ ଚୁମା ଖାଇଲେ।
ମୁଁ ପରମ ଆଶ୍ଚର୍ଯ୍ୟରେ ଏହି ଅଦ୍ଭୁତପୂର୍ବ ଦୃଶ୍ୟ ଦେଖିବାରେ ଲାଗିଥିଲି। ମିସେସ୍ ଏଜରା ପୁଣି ମୋ ପାଖକୁ ଫେରି ଆସିଲେ। ତାଙ୍କର ବୋଧହୁଏ ମନେହେଲା ମତେ ସେ ଯଥେଷ୍ଟ କୃତଜ୍ଞତା ଜ୍ଞାପନ କରିନାହାନ୍ତି। କହିଲେ-ହ୍ବାଟ୍ କେନ୍ ଆଇ ଡୁ ଫର ୟୁ, ବାବା। ମୁଁ ଆପଣଙ୍କ ପାଇଁ କ’ଣ କରିପାରିବି? ମୁଁ ଉତ୍ତର ଦେଲି- ନା ନା ମୋ ପାଇଁ ଆପଣଙ୍କୁ କିଛି ବି କରିବାକୁ ପଡ଼ିବ ନାହିଁ।
ସେ ପୁଣି ମତେ ପଚାରିଲେ-ଆର୍ ୟୁ ଏ ରେଲୱେ ଏମ୍ପ୍ଲୋୟୀ। ତୁମି କି ରେଲୱେ…! ମିସେସ୍ ଏଜ୍ରାଙ୍କର ବୋଧହୁଏ ଧାରଣା ଥିଲା କେବଳ ରେଲୱେ ଏମ୍ପ୍ଲୋୟୀମାନେ ଏହି ଡାକବଙ୍ଗଳାରେ ରହନ୍ତି।
ସେ ଅନୁରୋଧ କଲା ଭଙ୍ଗୀରେ କହିଲେ-ଆପଣ କାଲି ଦୟାକରି ମୋ ସହିତ ଲଞ୍ଚ ଖାଇବାକୁ ଆମ ଘରକୁ ଆସିବେ? ଅବଶ୍ୟ ସେଥିପାଇଁ ଯଦି ଆପଣଙ୍କର କୌଣସି ଆପତ୍ତି ନଥାଏ- କହୁକହୁ ସେ ପୁଣି ସିସି… ସିସି ମାଇଁ ଡାର୍ଲିଂ ଡାକି ଚାଲିଗଲେ।
ମୋର ସମ୍ପୂର୍ଣ୍ଣ ମନେ ଅଛି ସେଦିନ ରାତିରେ ଡାକବଙ୍ଗଳାର ସେହି କୋଠରୀରେ ମୁଁ ଭଲଭାବେ ଶୋଇ ପାରି ନଥିଲି।
ଦୁନିଚାନ୍ଦ ମତେ ସାନ୍ତ୍ବନା ଦେବା ସ୍ବରରେ କହିଥିଲା, ସେଇଟା ପୋଷା ସାପ ହଜୁର! ସେ ମାରିବ ନାହିଁ, ଆପଣ ମିଛଟାରେ ଖାଲି ଡରିଯାଉଛନ୍ତି।
ତଥାପି ମୁଁ କହିଥିଲି-ନା ଏହାପରେ ମୁଁ ଆଉ ତମର ଏ ଡାକବଙ୍ଗଳାରେ ରହିବି ନାହିଁ। କିନ୍ତୁ ମୁଁ ଏଠାରେ ନ ରହିଲେ ଦୁନିଚାନ୍ଦର ହିଁ କ୍ଷତି! ମୋ ପାଇଁ ଜିନିଷ ଆଣିଲାବେଳେ ବଜାରରୁ ତାକୁ ଯେଉଁ ଉପୁରି ଦି ପଇସା ମିଳୁଥିଲା ତାହା ଆଉ ମିଳିବ ନାହିଁ। ଦୁନିଚାନ୍ଦ ଯେତେ ପୋଷାସାପ ବୋଲି କହିଲେ ମଧ୍ୟ ମୋ ମନରୁ ଭୟ ମୋଟେ ଯାଉ ନଥିଲା। ସାପ କ’ଣ କେବେ ପୋଷାମାନେ? ସାପକୁ କ’ଣ କେହି ଘରେ ପୋଷିପାରେ?
ସେଦିନ ଖାଇବା ବେଳକୁ ଅନେକ ରାତି ହୋଇଯାଇଥିଲା। ସେଥିପାଇଁ କଥାବାର୍ତ୍ତା ଆଉ ବେଶି ଆଗେଇଲା ନାହିଁ। ଦୁନିଚାନ୍ଦ ମଧ୍ୟ ମୋ ସହିତ ଆଉ କଥା ନହୋଇ ଅଇଁଠା ବାସନତକ ଉଠାଇ ନେଇ ଭିତରକୁ ଚାଲିଯାଇଥିଲା।
ତା’ପରଦିନ ଭୋରରୁ ଲୋକଟିଏ ଚିଠିଟିଏ ଧରି ଆସି ମୋ ନିକଟରେ ପହଞ୍ଚିଲା। ଚିଠିଟିକୁ ଲେଖିଥିଲେ ନିଜେ ଏଜ୍ରା ମେମ୍ସାହେବ। ଲେଖିଥିଲେ-କାଲି ଆପଣଙ୍କୁ ଭଲଭାବେ ଥ୍ୟାଙ୍କସ୍ ଦେଇପାରିନାହିଁ। ମୁଁ ସେତେବେଳେ ଖୁବ୍ ଏଜିଟେଟେଡ଼ ଥିଲି। ସିସିକୁ ଯେ ଆପଣ ବଞ୍ଚାଇ ଦେଇଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି ପୁଣିଥରେ। ହି ଇଜ୍ ମାଇଁ ସୋ ନାଇସ ଡାର୍ଲିଂ। ଆଜି ଯଦି ଆପଣ ଲଞ୍ଚ ଖାଇବାକୁ ମୋ ଘରକୁ ଆସନ୍ତି ତେବେ ମୁଁ ଖୁବ୍ ଖୁସି ହେବି;-ୟୁୟୋର୍ସ ଟ୍ରୁଲି- ମିସେସ୍ ଏଜ୍ରା!
ଚିଠିର ଉତ୍ତରରେ ମୁଁ ପତ୍ର ବାହକକୁ ଜଣାଇ ଦେଇଥିଲି ମୁଁ ତାଙ୍କ ସହିତ ଆଜି ଲଞ୍ଚ ଖାଇବି। ସେଥିପାଇଁ ଦୁନିଚାନ୍ଦକୁ ଦ୍ବିପହର ପାଇଁ ଭୋଜନ ବ୍ୟବସ୍ଥା କରିବାକୁ ମନା ମଧ୍ୟ କରି ଦେଇଥିଲେ । ଅଫିସ୍ କାମସାରି ମୁଁ ସିଧାଯାଇ ପହଞ୍ଚିଲି ଏଜ୍ରା ମେମ୍ସାହେବଙ୍କ ଘରେ! ଘରଟା ଖୋଜିବା ପାଇଁ ମତେ ବିଶେଷ କଷ୍ଟ ହୋଇ ନଥିଲା। ତାଙ୍କ ଘରଟି ଡାକବଙ୍ଗଳାକୁ ଲାଗି ରହିଥିଲା ।
ଏଜ୍ରା ମେମ୍ସାହେବଙ୍କ ଘରଟି ମଧ୍ୟ ଡାକବଙ୍ଗଳା-ପରି ବିରାଟ ଥିଲା। ବିରାଟ କମ୍ପାଉଣ୍ଡ। ମିସେସ୍ ଏଜ୍ରା ସତୁରୀ ବର୍ଷର ବୃଦ୍ଧା ହେଲେ କ’ଣ ହେଲା, ତାଙ୍କୁ ପରିବେଷ୍ଟନ କରି ବହୁ ଚାକର ଖାନସମା ରହୁଥିଲେ। ମିସେସ୍ ଏଜ୍ରା ତାଙ୍କର ପ୍ରକାଣ୍ଡକାୟ ଦେହକୁ ବୋହି ବୋହି ମୋ ପାଖକୁ ଆସି କହିଲେ-ଗୁଡ଼୍ ମର୍ଣ୍ଣିଂ ତା’ପରେ ପୁଣି କହିଲେ- କ’ଣ ତ ଆପଣଙ୍କର ନା?
ଆଳାପ ପରିଚୟ ହେବା ପରେ ଗୋଟାଏ ସୋଫାରେ ମତେ ବସାଇ ଆଉ ଗୋଟାଏ ପାଖରେ ସେ ବସିଲେ। ଖାଇବା ପିଇବା ଆୟୋଜନ ଖୁବ୍ ବଡ଼ ଭାବେ କରାଯାଇଥିଲା। ଖାଉ ଖାଉ ସେ ଅନେକ କଥା କହୁଥିଲେ। ସେ ସବୁ କଥା ଥିଲା ତାଙ୍କ ନିଜ ଜୀବନର କଥା! ତାଙ୍କର ସ୍ବାମୀଙ୍କର କଥା! ଏକଦା ମିଷ୍ଟର ଏଜ୍ରା ଥିଲେ ଜଣେ ଦକ୍ଷ ଶିକାରୀ! ସେ ସାରା ଭାରତ ବୁଲି ବୁଲି ବାଘ-ଭାଲୁ କୁମ୍ଭୀର, ହରିଣ ଶିକାର କରୁଥିଲେ ଏବଂ ତାର ପ୍ରମାଣ ମଧ୍ୟ ଦିଆଲରେ ଚମଡ଼ା ହୋଇ ଟଙ୍ଗା ଯାଇଥିଲା।
-ନିଅନ୍ତୁ ଏଇ ରୋଷ୍ଟ୍ ଟା ଭଲଲାଗିବ…. ଖାଇନିଅନ୍ତୁ…. ମିଷ୍ଟର
-ମିଷ୍ଟର ମିତ୍ର ମୁଁ ଉତ୍ତର ଦେଇଥିଲି।
ବୋଧେ ବୟସାଧିକ୍ୟ ପାଇଁ ବୃଦ୍ଧା ମଝିରେ ମଝିରେ ମୋ ନାଁ ଟିକୁ ଭୁଲି ଯାଉଥିଲେ। ଏପରିକି ଗପଗୁଡ଼ିକ କହୁକହୁ ବହୁ ନାମ ସ୍ଥାନ ଓ ବର୍ଷ ମଧ୍ୟ ଭୁଲି ଯାଉଥିଲେ!
-ଆପଣ କାଲି ମୋର ଯେଉଁ ଉପକାର କରିଛନ୍ତି….ତା’ ପାଇଁ ମୁଁ ସତରେ ଆପଣଙ୍କ ନିକଟରେ ଋଣୀ। ଆପଣ ଜାଣନ୍ତି ନାହିଁ, ଏଇ ସିସି ଆଗରୁ ବଡ଼ ଦୁଷ୍ଟ ଥିଲା। ଆଗରୁ ସେ ଖାଲି ମିଲ୍କ(ଦୁଧ) ଖାଇ ରହୁଥିଲା, ସ୍ୟାଟିସ୍ଫାୟେଡ଼ ବି ହେଉଥିଲା। କିନ୍ତୁ ଏବେ ଦେଖୁଛି ସେ ଆଉ ଦୁଧ ଖାଇବାକୁ ଚାହୁଁନାହିଁ। ଏଠି ଏହି ରେଷ୍ଟହାଉସ୍ ହତାରେ ଅନେକ ଫ୍ରଗ୍ ଅଛନ୍ତି… ସେମାନେ ବେଳେ ବେଳେ ଡାକ ପକାନ୍ତି ଏବଂ ଇଏ ଯାଏ ସେମାନଙ୍କୁ! ମୁଁ କିନ୍ତୁ ୟେକୁ କେବଳ ମିଲ୍କ ଖୁଆଇ ରଖିବାକୁ ଚାହେଁ।
ଡ୍ରଇଂରୁମ୍ ସାମନା ଦିଆଲରେ ମିଷ୍ଟର ଏଜ୍ରାଙ୍କର ଏକ ବିରାଟ ଅୟେଲ ପେଣ୍ଟିଂ ଟଙ୍ଗା ହୋଇଥିଲା। ଦାଢ଼ି ନିଶ ଭର୍ତ୍ତି ସୁନ୍ଦର ମୁହଁ। ପୁରୁଷ ପୁରୁଷ ଚେହେରା। ଏକଦା ଇହୁଦୀମାନଙ୍କ ସମାଜରେ ତାଙ୍କର ପ୍ରତିପତ୍ତି ଓ ସମ୍ମାନ ଥିଲା। ସେ ବ୍ୟବସାୟ କରି ପ୍ରଚୁର ଟଙ୍କା ଉପାର୍ଜନ କରୁଥିଲେ। ସେ ବ୍ୟବସାୟ ଥିଲା ପୁଣି ମଦ ବ୍ୟବସାୟ। ଅନାୟାସରେ ଲାଇସେନସ୍ ପାଇ ସେ ଅନେକଗୁଡ଼ିଏ ମଦ ଦୋକାନ ଖୋଲିଥିଲେ! ମଦ ଦୋକାନ ଚଳାଇବା ପାଇଁ ସାଧାରଣତଃ ବେଶୀ ଲୋକ ଦରକାର ହୁଅନ୍ତି ନାହିଁ। ଫଳରେ ତାଙ୍କୁ ପ୍ରଚୁର ସମୟ ମିଳୁଥିଲା ଏବଂ ଏହି ଅବସର ସମୟ କାଟିବା ପାଇଁ ସେ ବେଳେବେଳେ ଜଙ୍ଗଲକୁ ଯାଉଥିଲେ, ମୁଁ ମଧ୍ୟ ତାଙ୍କ ସହିତ ଶିକାର କରିବାକୁ ଯାଉଥିଲି। କ୍ୟାମ୍ପ କରି ଆମେ ରାତିରେ ବି ଜଙ୍ଗଲ ଭିତରେ ରହୁଥିଲୁ। ଦେଖନ୍ତୁ ନା କି ଚମତ୍କାର ଚେହେରା ଥିଲା ମିଷ୍ଟର ଏଜ୍ରାଙ୍କର। ଏଡ଼େ ସୁନ୍ଦର ଚେହେରା ଆପଣ କେଉଁଠି ବି ପାଇବେ ନାହିଁ ଆମ ଇହୁଦୀ କମ୍ୟୁନିଟିରେ। ମୁଁ କ’ଣ ଠିକ୍ କଥା କହୁନାହିଁ?
ମୁଁ ଉତ୍ତର ଦେଲି-ହଁ ଆପଣ ଠିକ୍ କଥା କହୁଛନ୍ତି!
ମତେ ସେ ଖୁବ୍ ଭଲ ପାଉଥିଲେ! ଉଇ ୱେର ଏ ହାପି କପଲ! ଜାଣନ୍ତି ଏଠିକାର ସମସ୍ତେ ଆମକୁ ଇର୍ଷା କରୁଥିଲେ… ହିଂସା କରୁଥିଲେ!
ଏଇ ଦେଖନ୍ତୁ ଏଇ ଛବିଟି ତାଙ୍କର ୟଙ୍ଗ ଏଜ୍ର! ଦେଖୁଛନ୍ତି କେମିତି ଚମତ୍କାର ଚେହେରା। ଏମିତି ହଜ୍ବ୍ୟାଣ୍ଡ୍ ସବୁବେଳେ ସବୁ ନାରୀଙ୍କୁ ମିଳେନାହିଁ ମିଷ୍ଟର ମିତ୍ର!
ଖାଇବା ପିଇବା ସରି ଆସୁଥିଲା, ଆଉ ଏ ସମସ୍ତ ସମୟ ବୁଢ଼ୀ କେବଳ ଅନବରତ ବକ୍ ବକ୍ କରି ଚାଲିଥିଲେ। ତା’ପରେ ସେ ମତେ ନେଇଯାଇଥିଲେ ତାଙ୍କର ଐଶ୍ବର୍ଯ୍ୟ ଦେଖାଇବା ପାଇଁ। ସଜା ଯାଇଥିବା ଧାଡ଼ି ଧାଡ଼ି କୋଠରୀ ଗୁଡ଼ିକରେ କେବଳ ମିଷ୍ଟର ଓ ମିସେସ୍ ଏଜ୍ରାଙ୍କର ଯଗ୍ମ ଫଟୋ ବହୁ ଭଙ୍ଗୀରେ ରଖାଯାଇଥିଲା। ତାଙ୍କର ଦାମ୍ପତ୍ୟଜୀବନ ହୁଏତ ଥିଲା ଖୁବ୍ ରୋମାଣ୍ଟିକ୍।
ଶେଷରେ ଆମେ ଆଉ ଗୋଟିଏ କୋଠରୀ ପହଞ୍ଚିଲୁ ସେଇଟା ଥିଲା ସିସି… ଡାର୍ଲିଂ କୋଠରୀ! ସେଠି ସିସି ଗୋଟାଏ ଡବଲ ବେଡ଼ରେ ଶୁଏ! ଘରସାରା ବୁଲୁଥାଏ। ତା’ ପାଇଁ ବିଛଣା ଚାଦର ସୋଫା ବ୍ୟତୀତ ଗୋଟାଏ ବଡ଼ କାଚର କେସ୍ଟିଏ ମଧ୍ୟ ଥିଲା। ସେତେବେଳେ ସିସି ବୋଧହୁଏ ଶୋଇଥିଲା। ତା’ ଦେହର ଅର୍ଦ୍ଧେକ ଅଂଶ ଥିଲା କାଚକେସ୍ରେ, ଆଉ ଅର୍ଦ୍ଧେକ ଥିଲା ବିଛଣା ଉପରେ!
-ଏ ଘର ଭିତରକୁ ଆସନ୍ତୁ…. ଡରନ୍ତୁ ନାହିଁ! ସେ କାହାକୁ କାମୁଡ଼େ ନାହିଁ! ବଡ଼ ଭଲ ମୋର ଏଇ ସିସି ଡାର୍ଲିଂ।
ମିସେସ୍ ଏଜ୍ରା ସାପଟି ନିକଟକୁ ଗଲେ, ସିସି ଆଡ଼କୁ ହାତ ବଢ଼ାଇ ଆଦର କଲେ ଏବଂ ତା’ ମୁହଁରେ ମୁହଁ ଲଗାଇ ପୁଣିଥରେ ଚୁମା ଦେଲେ!
ସେତେବେଳେକୁ ଭୟରେ… ଘୃଣାରେ ମୋ ଦେହ ଶିହରି ଉଠୁଥିଲା।
ମୁଁ କହିଲି- ମୁଁ ଏଥର ତାହାହେଲେ ଆସେ ମିସେସ୍ ଏଜ୍ରା!
ବୁଢ଼ୀ ବଡ଼ ଉତ୍ସୁକତାର ସହ କହିଲେ-କିନ୍ତୁ ଆପଣତ ଏ ପର୍ଯ୍ୟନ୍ତ ମୋର ଆଲ୍ବମ ଦେଖି ନାହାନ୍ତି । ଆସନ୍ତୁ…. ଆସନ୍ତୁ ମୁଁ ଆପଣଙ୍କୁ ମୋର ଆଲ୍ବମ ଦେଖାଇବି!
ସେଦିନ ବାଧ୍ୟହୋଇ ଶେଷ ପର୍ଯ୍ୟନ୍ତ ମୁଁ ତାଙ୍କର ଆଲ୍ବମ ଦେଖିଲି! ଆଲ୍ବମ ଭିତରେ ମଧ୍ୟ ସିସିର ଫଟୋ ଥିଲା। ତା’ର ନାନା ଭଙ୍ଗୀରେ ଫଟୋ ମଧ୍ୟ ଉଠାଯାଇଥିଲା। ବୁଢ଼ୀ ଫଟୋ ଦେଖୁ ଦେଖୁ ସିସି ସମ୍ପର୍କରେ ଅନେକ ପ୍ରଶଂସାସୂଚକ ଶବ୍ଦ ପ୍ରୟୋଗ କରୁଥିଲେ। ହେଲେ ମୋ କାନରେ ମୁଣ୍ଡରେ ଆଉ କିଛି କଥା ପଶୁ ନଥିଲା। ହଠାତ୍ ବୁଢ଼ୀ ପଚାରିଲେ-କହନ୍ତୁ ତ? ମୁଁ ଏହାର ନାମ ସିସି ରଖିଛି କାହିଁକି? ତା’ପରେ ସେ ନିଜ ତରଫରୁ ହିଁ ଉତ୍ତର ଦେଲେ-ଆପଣ ସିସିଫସ୍ର ନାମ ଶୁଣିଛନ୍ତି? ଗ୍ରୀକ୍ ମାଇଥୋଲୋଜିର ସିସିଫସ୍! ସିସିଫସ୍ ମର୍ତ୍ତ୍ୟକୁ ଆସିଥିଲେ ଦେବତାମାନଙ୍କ ଅଭିଶାପରେ ଶାସ୍ତି ଭୋଗ କରିବା ପାଇଁ! ତାଙ୍କର ପାପର ଶାସ୍ତି….. ଅନ୍ୟାୟ ଶାସ୍ତି!
ସେ ଶାସ୍ତିଥିଲା- ସେ ଗୋଟାଏ ପ୍ରକାଣ୍ଡ ପଥରକୁ ସେ ପାହାଡ଼ର ଶୀର୍ଷ ଦେଶରେ ରଖିବାକୁ ଚେଷ୍ଟା କରିବେ, ଏବଂ ସେ ପଥରଟା….ବାରମ୍ବାର ତଳକୁ ଖସି ପଡ଼ୁଥିବ। ଏହା ହିଁ ଶାସ୍ତି- ଏ କାହାଣୀଟିକୁ ମୁଁ ଛୋଟବେଳେ ପଢ଼ିଥିଲି।
-ତେବେ ମୋର କ’ଣ ମନେହୁଏ ଜାଣନ୍ତି ମିଷ୍ଟର ମିତ୍ର- ଏ ହେଉଛି ସେଇ ସିସିଫସ୍!
-ଆପଣ କାହିଁକି ଏମିତି ଭାବୁଛନ୍ତି?
-ପୂର୍ବ ଜନ୍ମରେ ଇଏ କେବେବି ସାପହୋଇ ଜନ୍ମି ନଥିଲା। ନିଶ୍ଚୟ କାହାର ଅଭିଶାପରେ ସାପ ହୋଇ ଏବେ ଜନ୍ମ ହୋଇଛି! ଜାଣନ୍ତି ଇଏ ମୋ କଥା କେତେ ବୁଝେ। ମୁଁ ଶୋଇବାକୁ କହିଲେ ସେ ଶୋଇପଡ଼େ, ଖାଇବାକୁ କହିଲେ ଖାଇ ପକାଏ। ଗାଳି ଦେଲେ ମଧ୍ୟ ମୁଣ୍ଡ ତଳକୁ କରି ଶୁଣେ! – ଆଉ ଦିନେ ଆପଣ ଆସିଲେ- ମୁଁ ଏହାର ସବୁ କଥା ଆପଣଙ୍କୁ କହିବି!
-ତେବେ ଆପଣ କେଉଁଠାରୁ ପାଇଲେ ଏ ସିସିଫସ୍କୁ?
-ସେ ଏକ ମଜାର ହିଷ୍ଟ୍ରି, ମିଷ୍ଟର ମିତ୍ର! ଲର୍ଡ଼ ଜେହୋବାଇ ୟାକୁ ପଠାଇ ଦେଇଥିଲେ, କିନ୍ତୁ ସେସବୁ କଥା ମୁଁ ଆଉ ଦିନେ ଆପଣଙ୍କୁ କହିବି!
ବୋଧହୁଏ ଆକଣ୍ଠ ଭୋଜନ ପରେ ସେଦିନ ସେ କ୍ଲାନ୍ତ ହୋଇ ପଡ଼ିଥିଲେ। ମୁଁ ମଧ୍ୟ ସେଦିନ ସେଠାରେ ଆଉ ବେଶୀ ସମୟ ରହିବା ପାଇଁ ଚାହୁଁ ନଥିଲି! ଆସିବା ବେଳେ ମିସେସ୍ ଏଜରା କହିଥିଲେ- ଆପଣ ଆଉଦିନେ ନିଶ୍ଚୟ ଆସିବେ ମିଷ୍ଟର ମିତ୍ର! ମୁଁ ବହୁ କାହାଣୀ ଆପଣଙ୍କୁ କହିବି!
ତା’ପରେ ମୁଁ ଡାକବଙ୍ଗଳାକୁ ଫେରି ଦୀର୍ଘ ସମୟ ପାଇଁ ବିଶ୍ରାମ ନେଇଥିଲି। ସେତେବେଳେ ମୁଁ କିନ୍ତୁ ଜାଣି ନଥିଲି ଏହି ନାରୀ ଦିନେ ମୋ ଗପର ବଡ଼ ଚରିତ୍ରଟିଏ ହୋଇ ଲେଖାହେବ ବୋଲି।
ଉପରବେଳା ଦୁନିଚାନ୍ଦ ମତେ ମୋର କୋଠରୀରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ କେତେବେଳେ ଆସିଲେ? ରାତିରେ ଏଠି ଖାଇବେ ତ? ନା ପୁଣି ଡିନର ଖାଇବାକୁ ତାଙ୍କୁ ଘରକୁ ଯିବେ!
-ନା ମୁଁ ଏଠି ଖାଇବି।
-ତାଙ୍କ ଘରେ ପୁଣି ଥରେ ସାପକୁ ଦେଖିଲେ ନା!
-ହଁ ଦେଖିଲି ତ…ତେବେ ସେ କଥା ପଚାରୁଛ କାହିଁକି?
-ନା ସେ ସାପକୁ ସମସ୍ତଙ୍କୁ ମେମ୍ସାହେବ ଦେଖାନ୍ତି ତ! ଆପଣ ଜାଣନ୍ତି ତ ଏଇ ସାପଟା ତାଙ୍କ ସ୍ବାମୀ ଏଜ୍ରା ସାହେବଙ୍କୁ ଗିଳି ଖାଇଦେଇଥିଲା।
କଥାଟାକୁ ଶୁଣି ମୁଁ ଯେମିତି ସ୍ତବ୍ଧ ହୋଇ ଯାଇଥିଲି!
ଦୁନିଚାନ୍ଦ ପୁଣି କହିଲେ, ହଁ ସେ ଜଙ୍ଗଲକୁ ଶିକାର କରିବା ପାଇଁ ଯାଇଥିଲେ ଏବଂ ସେଠାରେ ହିଁ ଏହି ସାପଟି ତାଙ୍କୁ ଗିଳି ଖାଇଦେଇଥିଲା। ତା’ପରେ ସମସ୍ତେ ମିସେସ୍ ଏଜ୍ରାଙ୍କୁ ଅନେକ ପ୍ରକାର ବୁଝାଇଥିଲେ ସାପଟିକୁ ମାରି ଫୋପାଡ଼ିଦେବା ପାଇଁ। କିନ୍ତୁ ମେମ୍ ସାହେବ କାହା କଥା ଶୁଣି ନଥିଲେ। କାହିଁକି କେଜାଣି ସାପଟିକୁ ଏବେ ନିଜେ ପୋଷିଛନ୍ତି। ଖୁଆଇ ପିଆଇ ରଖିଛନ୍ତି। ତା’ ପାଇଁ ମାସକୁ ମାସ ମୁଠା ମୁଠା ଟଙ୍କା ଖର୍ଚ୍ଚ କରୁଛନ୍ତି! ଆଉ …………।