ନୂଆ ବର୍ଷ
ଶୁଭ ସକାଳର ଶୁଭ ଅଭିନନ୍ଦନ ଘେନିବୁ ବୋଲି ମୋ ଆଶା
ଫୁଲ ଫୁଟୁଥାଉ ତୋ ଚଲାବାଟେ ପୂରଣ ହେଉ ତୋ ଆଶା।

ତୋ ବାଟରୁ କଣ୍ଟା ତୋଳି ନେବାକୁ ରହିଛି ରହିବ ଜଣେ
ମନ୍ଦିରରେ ଜାଳେ ଦୀପ ତୋ ପାଇଁ ମନାସୁଛି ଶୁଭ ମନେ

ଦୁଃଖ ନେଇ ଯିଏ ସୁଖ ଦେଇପାରେ ସେଇ ତ ମଣିଷ ଜଣେ
ଛୋଟ କଥା ଏଇ ସବୁବେଳେ ଟିକେ ରଖୁଥିବୁ ତୋର ମନେ।

ହଁ…. ନା
ଲେଖିଦେଲି ସାଥୀ ଏ ଜୀବନ ତୋ ନାଆଁରେ
ଯୋଡ଼ିଦେଲି ଭାଗ୍ୟ ମୋର ତୋହରି ସାଥିରେ

ତୋ ଓଠରୁ ସବୁଦିନ ହସ ଝରୁଥାଉ
ନିଜ ପାଇଁ ସପନ ମୁଁ ଦେଖୁନାହିଁ ଆଉ,

ଛୋଟ ଏକ ‘ହଁ’ ତୋର ମୋ ପାଇଁ ଚାନ୍ଦିନୀ ରାତି
‘ନା’ ତୋର ମୋ ପାଇଁ ସ୍ମୃତିର ଅଲିଭା ଗୀତି।

ନିଦ
ଆସେନା ସେ ଯେବେ ଆଖିକୁ
ମନ ବି ବୁଝେଇ ପାରେନା
ନିଜେ ଜଦି ସିଏ ଜଳାଏ ମନକୁ
ନିଜ କଥା କେବେ ଭାବେନା।

କୁହୁକ ଛୁଆଁରେ କାହାର
ନିଦ ଆସିଯାଏ ଆଖିରେ
ନିଦରେ ଆସିଲେ ସପନ
ବସା ବାନ୍ଧିନିଏ ମନରେ,

ଆଖି ଆଉ ନିଦ-ନିଦ ଆଉ ଆଖି
ଦୁହିଁଙ୍କ ପୀରତି ନିଆରା
ମନ ଯାହା ଖାଲି ଆବେଗର ସେତୁ
ଖୋଜୁଥାଏ ଟିକେ ସାହାରା।