ରବିବାର ଦିନ କେମିତି ସକାଳୁ
ହେବାକୁ ଡେରି ଡେରି ହୁଏ।
ଡେରିରେ ବି ଘଣ୍ଟାବାଜେ
ଚା’ ଶୋଷ ଖୁବ୍ ବଢ଼ିଯାଏ॥
ସକାଳଟା ବଡ଼ ମିଠା,
ବଡ଼ ମିଠା ଚାହିଁ ଚାହିଁ
ଶୋଇ ରହିଥିବା।
ଦୁଃସ୍ୱପ୍ନ ପରି ହାକିମ,
ଫାଇଲ୍ ସବୁ କିଛି ଭୁଲିଯିବା।
ବଡ଼ ମିଠା ଶୋଇ ଶୋଇ
ଖାଲି ଅନାଇ ରହିବା॥
ରବିବାର। ଘରେ ଗାଳିଟା ବି ମିଠା।
ଗାଳି ଖାଇ ବିଛଣା ଛାଡ଼ିବା,
ଗାଳି ଖାଇ ଗାଧୋଇବା,
ଭାତ ଥାଳି ପାଖକୁ ଆସିବା ପୁଣି
ଗାଳି ଖାଇ ବଳାଇ ବଳାଇ
ସବୁ ଭାତକୁ ଖାଇବା॥
ରବିବାର। ସମୟରେ
ଜଙ୍କ୍ ଧରେ ଅତୀତ ପୁଣି
ଭବିଷ୍ୟତ। ସବୁ ବାଜେ କଥା।
ଜୀବନବୀମା, ପାଶ୍ବୁକ୍, ନୂଆଘର,
ଲୋନ୍ ଆଦି ସବୁ ବାଜେ କଥା।
ସତ ରବିବାର ଖାଲି।
ଖାଲି ରବିବାର॥
ସବୁତ ବିଳମ୍ବ ତଥାପି
କେମିତି କେଜାଣି
ତାସ୍ ମୁଠାରୁ ଖୁବ୍ ତରତର
ଦିନ ଖସିଯାଏ।
ତରତର ହୋଇ ରବିବାର ପୁଣି
ଶୋଇବା ଘରେ ତା’ ଆଲୁଅ ନିଭାଏ।
ଅଳସୁଆ ମନ ନେଇ ରବିବାରର
ଅଧରରୁ ସବୁ ମିଠା ଶୋଷି
ନେଲାବେଳେ କାଲି ପୁଣି
ସୋମବାର ଚଡ଼କ ପରି।
ହଠାତ୍ ମନେ ପଡ଼ିଯାଏ॥