ଏ ବାମନ ରାଜ୍ୟରେ ଜହ୍ନ ଏକ ଅପହଞ୍ଚ ସ୍ବପ୍ନ। ବାଇଗଣ ଗଛକୁ ଆଙ୍କୁଡ଼ି ଲଗାଉଥିବା ଖର୍ବ ମଣିଷଙ୍କ ପାଇଁ ଉଞ୍ଚ ଉଞ୍ଚ ଆକାଶର ସମ୍ଭାବନା ନାହିଁ। ଛୋଟ ମନ, ଛୋଟ ଛୋଟ ହାତଗୋଡ଼ ନେଇ ସେମାନେ ଗୋଟିଏ ଅପ୍ରସାରିତ ଜଗତରେ ବଞ୍ଚିଥାନ୍ତି। ସେମାନଙ୍କର ସୁଖ ଦୁଃଖ ସଂଘର୍ଷରେ ମଧ୍ୟ କୌଣସି ବିସ୍ତାର ନାହିଁ। ଏପରିକି ଦୁର୍ଦ୍ଧଷ କାମକ୍ରୋଧମାନେ ମଧ୍ୟ ସେମାନଙ୍କର କୃପଣ ଜୀବନରେ ଅତି ଦୀନହୀନ ଭାବରେ ପ୍ରକଟିତ ହୁଅନ୍ତି। କୁଣ୍ଠିତ, ସଙ୍କୁଚିତ, ଦରିଦ୍ର, ଭୟାର୍ତ୍ତ ଜୀବଗୁଡ଼ିଏ ଏମାନେ। ସ୍ପର୍ଦ୍ଧା ନାହିଁ, ବିଭବ, ବିଭୂତି କିମ୍ବା ଐଶ୍ବର୍ଯ୍ୟ କିଛି ନାହିଁ। ପାଣି କେଞ୍ଚୁଆ ସାମାନ୍ୟ ବାଧା ପାଖରୁ ସାଙ୍କୁଡ଼ି ଯାଇ କୌଣସି ପ୍ରକାରେ ବଞ୍ଚିରହିବା ହିଁ ଜୀବନ। ଯଦି ହିମାଳୟକୁ ଲଙ୍ଘିଯିବାର ଅଭିପ୍‌ସା ମୋ ଭିତରୁ ଲିଭିଯାଇଛି, ଯଦି ଗଧଖୁରାରେ ଲାତଖାଇ ମୁଁ ଅବିଚଳିତ ରହିପାରୁଛି, ତେବେ ମୋ ଭିତରେ ଦୟାକରି ସେ ଅହିରାଜକୁ ଖୋଜନ୍ତୁ ନାହିଁ, ଯା’ ଲାଙ୍ଗୁଳରେ ପବନ ବାଜିଗଲେ ସେ ମଣିମଣ୍ଡିତ ଫଣା ତୋଳି ଯୁଦ୍ଧ ଘୋଷଣା କରେ। ମୁଁ ଏକ ଚିରପରାସ୍ତ, ଅତି ଦୁର୍ବଳ, ବେଲଜ୍ଜ, ଅମେରୁଦଣ୍ଡୀ ପ୍ରାଣୀ, ଯେ ମୁକାବିଲା କରି ଶିଖି ନାଇଁ, ସାମ୍ନାସାମ୍ନି ଦେଖିନାହିଁ ସମସ୍ୟାକୁ, ସଙ୍କଟକୁ ବା ଶତ୍ରୁକୁ। ବଞ୍ଚିବାକୁ ଜାବୁଡ଼ି ଧରି ସକଳ ସମ୍ମାନ ଏବଂ ସଂଭ୍ରମ ମୁଁ ହରେଇ ସାରିଛି। ସଂକୀର୍ଣ୍ଣ, କୃପଣ, ମ୍ରିୟମାଣ ଏ ବାମନ ରାଜ୍ୟରେ ମୁଁ ଏକ ବାମନ ପ୍ରତିନିଧି, ମୋର ଇତିବୃତ୍ତ କ୍ଷୁଦ୍ର।

ଏକୁଟିଆ ବଞ୍ଚିବାକୁ ସାମର୍ଥ୍ୟ ନ ଥିବାରୁ ମୁଁ ଏକାଠି ବଞ୍ଚେ। ଏକାଠି ବଞ୍ଚିଲେ ପ୍ରେମ କରିବାକୁ ପଡ଼େ, ଘୃଣା କରିବାକୁ ପଡ଼େ କିନ୍ତୁ ମୋର ଉଦାରତା ନାହିଁ। ମୁଁ ତ୍ୟାଗ କରିପାରେ ନାହିଁ, ଉତ୍ସର୍ଗ କରିବା ମୋର ସ୍ବଭାବ ନୁହେଁ। ମୋତେ ହିଁ ଜାବୁଡ଼ି ଧରି ମୁଁ ଗଣ୍ଠି ବାନ୍ଧିଯାଇଛି। ଏଣୁ ପାଖ ପଡ଼ୋଶୀକୁ ମୁଁ କେବଳ ସହିଯାଏ। ସହଯାତ୍ରୀଟିକୁ ଅଗତ୍ୟା ସ୍ବୀକାର କରେ, ପ୍ରେମ କରିପାରେ ନା, ମୁଁ ପ୍ରେମକୁ ଚୋରିକରେ। ପ୍ରେମକୁ ପାପଜଡ଼ିତ କରେ। ପ୍ରେମ ପାଇଁ ଲଜ୍ଜିତ ହୁଏ। ବାପ କାକା’ଙ୍କୁ ଭଲପାଏନା, ସେମାନଙ୍କର ମୃତ୍ୟୁ କାମନା କରେ। ମୁଁ କୃତଜ୍ଞ ନୁହେଁ। ମୋର ପତ୍ନୀ କୌଣସି ସ୍ବାଦିଷ୍ଟ ଫଳ ପରି-ମୁଁ ତାକୁ ଖାଏ। ସେ ଗାଈ ପରି-ମୁଁ ତାକୁ ଦୋହନ କରେ। ମୋର ପୁତ୍ର କନ୍ୟା ମୋର ଦାୟିତ୍ବ। ତାଙ୍କର ପ୍ରତିପୋଷଣ ମୋର ସାମାଜିକ କର୍ତ୍ତବ୍ୟ। ସେଥିରେ ଅବହେଳା କଲେ ମୁଁ ଦୁଃଖିତ ନୁହେଁ। ମୋର ଉପାର୍ଜନ ମୁଁ ମୋ ପରିବାର ପାଇଁ ବାଣ୍ଟି ଦିଏ। ଶୋଇବା ପାଇଁ ମୋ ଘରର ପ୍ରକୋଷ୍ଠ ବାଣ୍ଟିଦିଏ। ମୁଁ ଏମାନଙ୍କୁ ଭୟକରେ, ଅନ୍ୟମାନଙ୍କୁ ଭୟ କରେ, ପ୍ରେମ କରିପାରେ ନା। ପ୍ରେମ ଏକ ଅବାଧ କନ୍ୟା। ତାର ପ୍ଳାବନ ପାଇଁ ମୋ ଗର୍ଭରେ ବିସ୍ତାର ନାହିଁ। ଘୃଣା ପାଇଁ ମଧ୍ୟ ମୁଁ ସମର୍ଥ ନୁହେଁ। ମୁଁ କେବଳ ଲୁଚି ଲୁଚି ନିଭୃତରେ ଘୃଣା କରିପାରେ। ଅନ୍ୟକୁ ଘୃଣା କଲେ ମୁଁ ନିଜକୁ ଭଲପାଏ-ସେଥିପାଇଁ ମୁଁ ଘୃଣାକରେ। ଘୃଣା ଏକ ଦହନ, ଏକ ତରଳ ଅଗ୍ନି। ପରିପୂର୍ଣ୍ଣ ଘୃଣା କ୍ରୋଧରେ ଫାଟିପଡ଼େ। କ୍ରୋଧ ଏକ ସାହସିକ ସାମର୍ଥ୍ୟ-ମୋର ସାହସ ନାହିଁ। ମୋର ପୌରୁଷ ନାହିଁ। ମୁଁ ବାମନ। ମୁଁ କ୍ଷୁଦ୍ର ପୁରୁଷ।

ନିରାପତ୍ତାକୁ ମୁଁ ସବୁଠାରୁ ବେଶି ମୂଲ୍ୟ ଦିଏ। ଏଣୁ ଗୋଡ଼ ଫରକଟେଇ ମୋ ସାମ୍ନାରେ ଠିଆ ହୋଇଥିବା ରେରେକାରକୁ ମୁଁ ଆଡ଼େଇ ହୋଇ ଖସିଯାଏ। ତା ପୁଡ଼ାତଳେ ଗଳିଯାଏ। ସଦର ଦର୍ଜା ଉପରେ ଅନେକ ଦୃଷ୍ଟି, ଅନେକ ଆଲୋକ। ମୁଁ ତେଣୁ ପଛବାଟେ ପଶିଯାଏ। ମୋ ମାଖୁନା ମୁହଁରେ ମୁଁ ନିଶ ଗଜୁରିବାକୁ ଦିଏନାହିଁ। ଠିଆନିଶର ଦାୟିତ୍ବ ତୁଲାଇବାକୁ ମୁଁ ଅକ୍ଷମ। ନେଇଆଣି ଥୋଇ ଜାଣିବା ବିଦ୍ୟା ମୋତେ ଖୁବ୍‌ ପୋଷାଏ। ମୋତେ ବିଶ୍ବାସ କଲେ ମୁଁ ସେଇ ବିଶ୍ବାସର ସୁଯୋଗ ନିଏ। ଠକି ପାରିବା ମୋର ଯୋଗ୍ୟତା। ବାଲି, ରୁଗୁଡ଼ିକୁ ରାସ୍ତାରେ ନ ପକାଇ ମୋ କୋଠାରେ ନେଇ ଲଗେଇଦିଏ। ଦଶ ଦେଲି ବୋଲି କହି ପାଞ୍ଚ ଖାଇଯାଏ। ମୋ ରାଜ୍ୟରେ ସମସ୍ତେ ମିଛ କହନ୍ତି। ମିଛ କହିପାରିବା ଚତୁରତା। ସମସ୍ତେ ଚୋରିକରନ୍ତି। ଚୋରିକରିବା ସାମର୍ଥ୍ୟ। ଖଡ଼ାବଡ଼ି ଥୋଡ଼’ ଯଦି ଅଛି ମୁଁ ତାକୁ ଥୋଡ଼ବଡ଼ି ଖଡ଼ା କରିଦିଏ। ମୋତେ ଆପଣ ଡି.ଲିଟ୍‌ ଉପାଧି ଦିଅନ୍ତି। ଆପଣ ସେଇଆ କରିଛନ୍ତି। ମୋ ଦେଶର ପାଞ୍ଚଲକ୍ଷ ଗବେଷଣାର ଚଷୁ ପର୍ବତ ଭିତରେ ଗୋଟିଏ ଦାନା ବହୁ କଷ୍ଟରେ ଦେଖାଦିଏ। ସି.ଭି. ରମଣ ଏକ ବ୍ୟକ୍ତିକ୍ରମ। କାହିଁକି ସେ ଉଞ୍ଚ ମଣିଷଟି ଏ ଖର୍ବ ରାଜ୍ୟରେ ଜନ୍ମୁଥିଲା?

ମୋ ଦେଶର ସବୁଠୁ ବୃହତ୍ତମ ଲେଖକଗୋଷ୍ଠୀ ଦପ୍ତର କିରାଣୀ। ଶଠତା ଆମ ବୃତ୍ତି। ଆମେ ପରସ୍ପରକୁ ଚୋରିକରୁ। ପରସ୍ପରକୁ ଈର୍ଷାକରୁ, ନିନ୍ଦାକରୁ, ହୁଏତ ସଂହାର କରୁ। ଆମେ ରକ୍ତରେ ଖେଳିବାକୁ ଘୋଷଣା କରୁ ଖେଳୁ କାଦୁଅରେ- ରକ୍ତପାଇଁ ସାହସ ନାହିଁ। ଆମେ ବଞ୍ଚୁ ଆଂଶିକ ଭାବରେ, ଏଣୁ ପ୍ରାଣ ଦେଇ ଦେଖି ପାରୁନା, ପ୍ରାଣ ଦେଇ ଲେଖିପାରୁନା। ମୁଁ ବି ଲେଖିପାରେନା। ମୋ ଭାଷାରେ ରାଣ

ନାହିଁ। ବାକ୍‌ରେ ମୁଁ ପ୍ରାଣକୁ ହବନ କରିପାରେ ନାହିଁ। ମୋ ଚେତନା ଅବରୁଦ୍ଧ। ମୋର ଅନୁଭବ ସଂକୀର୍ଣ୍ଣ। ମୋର ଆବେଗ କୁଣ୍ଠିତ। ମୋର ଅବୟବ ଅପ୍ରସାରିତ। ମୋର ବେଦନା ନାହିଁ; ରକ୍ତ କ୍ଷରଣ ନାହିଁ। ଏ ସବୁର ଚିହ୍ନମାତ୍ର ମୋ ପାଇଁ ଯଥେଷ୍ଟ। ମୁଁ କ୍ଳୀବ, ମୁଁ ଅର୍ଦ୍ଧମଣିଷ।

ମୋର କାମନାଗୁଡ଼ିକ ପଙ୍ଗୁ। ମୋ କ୍ଷୁଧା ପାଖରେ ମୁଁ ପ୍ରଥମେ ବଳି ପଡ଼ି ଯାଏ। ତା’ର ଶିକ୍ଷା ଚହଟିବାକୁ ଦିଏନାହିଁ। ମହାର୍ଘ ଆହାର ଦେଖି ଲାଳାୟିତ ହୁଏ। ଭୋଜନକୁ ଜିହ୍ବାଲାଳସା କହି ଉପେକ୍ଷା କରେ। ମନୋରମା ନାରୀକୁ ଲୁଚି ଲୁଚି ଦେଖେ। ମନରେ ସମ୍ଭୋଗ କରେ, ସ୍ପର୍ଶ କରେନା, ରମ୍ଭା, ଉର୍ବଶୀ ମୋର କାମ୍ୟ ନୁହଁନ୍ତି। କାଶ୍ମୀର ଘୋଟକୀ ପରି ସୁରମ୍ୟା ରମଣୀ ମୋର ସଙ୍ଗ କାମନା କଲେ ମୁଁ ମୂର୍ଚ୍ଛିତ ହୋଇଯିବି। ସେହିପରି ବିସ୍ତୃତ ହେମଜଡ଼ିତ ହର୍ମ୍ୟ ମୋର ଆବାସ୍ୟ ନୁହେଁ। ମୁଁ ତା’ର ତ୍ରିସୀମା ସ୍ପର୍ଶ କରେନାହିଁ। ମୋ ଖର୍ବିତ ଅଙ୍ଗ ପରାସ୍ତ ହୁଏ। ଯେ କୌଣସି ଐଶ୍ବର୍ଯ୍ୟ ମୋତେ ତ୍ରାସିତ କରେ। ଅନର୍ଘ ମଣିମୁକୁଟ ପାଇଁ ମୋର ମନଗୋବିନ୍ଦ ମୂର୍ଦ୍ଧା ନାହିଁ। ସମୁଦ୍ରକୁ ଦେଖିଲେ, ମୁଁ ଖର୍ବମଣିଷ, ଆଖି ନୁଆଇଁ ଆଣେ। ଆରପାରିକୁ ଯାଇ ମୁକ୍ତା ଆଣିବାକୁ ମୁଁ ମନ ବଳାଏ ନାହିଁ। ଢେଉ ମୋ ସଙ୍ଗେ ଖେଳିବାକୁ ଗୋଡ଼ାଇ ଆସିଲେ ମୁଁ ସନ୍ତ୍ରସ୍ତ ହୋଇ ଧାଇଁ ପଳାଏ। ବିସ୍ତୃତ ସମୁଦ୍ର ମୋର ବିପରୀତଧର୍ମୀ। ସମୁଦ୍ର ମୋର ଶତ୍ରୁ। ମୁଁ ଗୋଷ୍ପଦର ମଣିଷ। ସମୁଦ୍ର ଲଙ୍ଘନ ମୋ ପାଇଁ ଅବାନ୍ତର। ସେହିପରି ହିମାଳୟ ମୋର ଶତ୍ରୁ। ସେ ମୋତେ ଉପହାସ କରେ। ଗୁଡ଼ାଏ ଉଦ୍ଭଟ ବିଶାଳ ବନସ୍ପତି ମୋର ଭୟ କରନ୍ତି। ମୁଁ ଗୁଳ୍ମ-ରାଜ୍ୟର ମଣିଷ। ମୁଁ ଅଭିମାନ କରେନାହିଁ, କରିପାରେ ନାହିଁ। ନୂତନକୁ ମୁଁ ଡରେ। ତା’ର ସହସା ସଂଘାତ ପାଇଁ ମୁଁ କଦାପି ପ୍ରସ୍ତୁତ ନୁହେଁ। ମୁଁ କାହିଁକି ଚନ୍ଦ୍ରରେ ଅବତରଣ କରିବି? କାହିଁକି ଗ୍ରହ ନକ୍ଷତ୍ରର କଳନା କରିବି? କାହିଁକି ଆପେକ୍ଷିକତତ୍ତ୍ବ ଉଦ୍ଭାବନ କରିବି? ମୋର ଅଭିଳାଷ ସଙ୍କୁଚିତ। ମୁଁ ଶ୍ରମ କାତର ଭୟାର୍ତ୍ତ ମଣିଷ। ମୁଁ ସମ୍ରାଟକୁ ଭୟକରେ। ସାମ୍ରାଜ୍ୟକୁ ଭୟକରେ। ଜ୍ଞାନୀକୁ ଭୟକରେ, ଜ୍ଞାନକୁ ଭୟ କରେ। କର୍ମଫଳର ଆଶଙ୍କା ମୋତେ ବିବ୍ରତ କରେ। କର୍ମ ବିବ୍ରତ କରେ। କର୍ମରୁ ବିରତ ହୋଇ ମୁଁ ଆଳସ୍ୟକୁ ଲେସେଡ଼ିଯାଏ। ମୋର ଆଳସ୍ୟ ନିଦ୍ରାଜଡ଼ିତ। ନିଦ୍ରା ସ୍ବପ୍ନ- ଦୂଷିତ। ମୃତ୍ୟୁ ଭୟ ମୋ ଜୀବନରେ ଏକମାତ୍ର ଆବେଗ, ମୋର ଗରିଷ୍ଠ ଉପାଦାନ, ମୋର ବିଡ଼ମ୍ବନା।

ମୁଁ ହିଂସ୍ର ନୁହେଁ, ଦୁର୍ବଳ। ଦୁର୍ବଳ ନୁହେଁ, ଭୀରୁ। ମୁଁ ହିଂସ୍ର ହେବାପାଇଁ ଯଥେଷ୍ଟ କ୍ରୁଦ୍ଧ ହୋଇପାରେନା। କ୍ରୁଦ୍ଧ ହେବାପାଇଁ ଅପମାନିତ ହୋଇପାରେନା। ମୋର କ୍ରୋଧ, ହିଂସା, ଅପମାନ ସବୁ ଅସଫଳ। ମୁଁ ଶତ୍ରୁକୁ ମୁକାବିଲା କରିପାରେ ନାହିଁ। ତା’ର କୁକୁରକୁ ଆଣି କ୍ରୁଶବିଦ୍ଧ କରେ। ମୁଁ ପରାସ୍ତ କରିବାକୁ ଚାହେଁ, ଜିଣିବାକୁ ଚାହେଁନା-ନିଃସଙ୍କୋଚ ପ୍ରଭୁପଣ ପାଇଁ ମୋର ଯୋଗ୍ୟତା ନାହିଁ, ଏଣୁ ନିଜକୁ ଏବଂ ନିଜର ବାମନ ପରିବାରକୁ ମୁଁ ମର୍ଦିତ କରେ, ହୁଏ ତ ହତ୍ୟାକରେ। ସେ ଦୀର୍ଘ ମଣିଷମାନଙ୍କ ପରି ଆମେ ଧନୀ ହେବାକୁ ଚାହୁଁ କିନ୍ତୁ ଧନପତିର କୁବେର ଭଣ୍ଡାର ଫିଟିଗଲେ ଆମେ ତା’ର ଜ୍ବଳମାନ ଦୀପ୍ତିରେ ଝଲସିଯିବୁ। ଆମେ ବିଳାସ ଚାହୁଁ। ବିଳାସର ସମୁଦ୍ରରେ ଆମେ ବୁଡ଼ିଯିବୁ। ସଂସାର ଭୋଗିବାକୁ କ୍ଷୁଧା ନାହିଁ ସଂସାର ଛାଡ଼ିବାକୁ ବଳ ନାହିଁ। ଖର୍ବ ମଣିଷର ଖର୍ବ ହାତଗୋଡ଼ ଯୋଡ଼ିକ କୌଣସି ସୀମା ଛୁଇଁପାରେ ନାହିଁ। ମୋର ଜୀବନ କାଳ ଭିତରେ ଗୋଟିଏ ହେଲେ ମର୍ଯ୍ୟାଦାବନ୍ତ ତୁଙ୍ଗ ମୂହୁର୍ତ୍ତ ନାହିଁ। ମୋ ଦେଶରେ ସମସ୍ତେ ସେଇଆ। ମୋ ଯୁଗରେ ସମସ୍ତେ ସେଇଆ। ଆମେ ସଂଖ୍ୟାରେ ଅକଳନୀୟ। ଅଥଚ ବ୍ୟକ୍ତିତ୍ବରେ, ବଳ ଏବଂ ବୁଦ୍ଧିରେ କ୍ଳୀବ, ବାମନ। ଆମେ କଳି କରୁ କିନ୍ତୁ ସଙ୍ଗ୍ରାମ କରି ପାରୁନା। ଆମେ ଚୋରିକରୁ, ଲୁଣ୍ଠନ କରିପାରୁନା। ଆମେ ଅତ୍ୟାଚାର କରୁ, ଧର୍ଷଣ କରୁ-ସଂହାର କରିପାରୁନା।

ରାଜ୍ୟ ଶାସନ କରିବାକୁ ମୋ ଦେଶରେ ଭୋଟ ଚୋରି ହୁଏ। ଶାସନରେ ଅର୍ଥ ଚୋରି ହୁଏ। କୋଠାଟିଏ, ଟଙ୍କା ଗଣ୍ଡେ ପାଇଁ ବାମନ ଶାସକ ମିଥ୍ୟା କହେ। ଅଯୋଗ୍ୟ ମଣିଷଙ୍କର ଅଯୋଗ୍ୟ ପ୍ରତିନିଧିମାନେ ନିଜର ଛୋଟ ଛୋଟ ବାମନ ଇଚ୍ଛାଗୁଡ଼ିଏ ପୂରଣ କରିବାକୁ ରମ୍ପାଝମ୍ପା ହୁଅନ୍ତି। ବ୍ୟବସାୟରେ ଲାଭ ପାଇଁ ପ୍ରତିଯୋଗିତା ହୁଏନାହିଁ- ଠକେଇ ହୁଏ- ଭେଜାଲ ହୁଏ। ଚିନିରେ କାଚଗୁଣ୍ଡ, ଔଷଧରେ ମଲା ମୂଷା ମିଶିଯାଏ। ଏଭଳି ମିଶେଇବା ଏଇ କ୍ଷୁଦ୍ର ଅପାରଗ ପୋକମଣିଷଙ୍କ ପ୍ରବୃତ୍ତି। ମୋ ରାଜ୍ୟର ଶିକ୍ଷାଗୁରୁ, ଧର୍ମଗୁରୁ ପଣ୍ଡିତମାନ୍ୟ ଜ୍ଞାନ-କାତର ବୃତି-ଚେତା ଶଠ। ଛାତ୍ର ଦୁର୍ବିନୀତ, ଲକ୍ଷ୍ୟହୀନ, ହତାଶ। ଶିକ୍ଷା ଭ୍ରମସଙ୍କୁଳ। ତଥ୍ୟ ପ୍ରମାଦପୂର୍ଣ୍ଣ। ପାଣ୍ଡିତ୍ୟ ଗୋଦାମ-ଧର୍ମୀ। ସାହିତ୍ୟ ପ୍ରତିଭାଶୂନ୍ୟ। ସଂସ୍କୃତି କୋଳାହଳ ମାତ୍ର। ନ୍ୟାୟବିଚାର ପଣ୍ୟ। ଏ ବାମନ- ରାଜ୍ୟରେ ସବୁ ପଥର ଲୁଣ ପରି ଭାଙ୍ଗିଯାଏ, ଝଡ଼ିଯାଏ। ସେଥିରେ ତୋଳିବା ଯାହା ଭାଙ୍ଗିବା ତାହା। ଏ ମହାଦେଶର ପ୍ରତିନିଧିତ୍ବ କରିବାକୁ ଜ୍ଞାତିମାନେ ନିର୍ବାଚିତ ହୁଅନ୍ତି, ଖେଳାଳୀ ନୁହେଁ। ସର୍ବଜାଣ ମନ୍ତ୍ରୀମାନେ ନିର୍ବାଚନ କରନ୍ତି। ଛୋଟ ଛୋଟ ଦ୍ବୀପର ଉଞ୍ଚ ଉଞ୍ଚ ମଣିଷମାନେ ସେ ହୀନପ୍ରଭ ଅପାରଗ ବାମନମାନଙ୍କୁ ମୁହଁରେ ଲାତମାରି ପରାସ୍ତ କରନ୍ତି। ବାରମ୍ବାର ପ୍ରତିସ୍ପର୍ଦ୍ଧାର ସବୁ ଭୂମିରେ ଏ ଜାତିର ପୁରୁଷର ଅଧିକାର, ଆମର ନୁହେଁ। ଆମେ ଅପମାନକୁ ସହିଯାଉ। ଭୁରୁ ଟେକିଦେଉ। କହୁ, ଆମେ ଦାର୍ଶନିକ।

ମୋ ଦେଶର ଦର୍ଶନକୁ ମୋଠାରୁ ଅନ୍ୟମାନେ ବେଶି ବୁଝନ୍ତି। ସେମାନେ ହିଁ ମୋତେ ଏବଂ ଅନ୍ୟମାନଙ୍କୁ ବୁଝାଇଛନ୍ତି। ସେଥିରେ ମୋର ଗର୍ବ। ମୋ ବିଷୟରେ ସେମାନେ ବେଶି ଜାଣିଛନ୍ତି କହିଲେ ବି ମୁଁ ଗର୍ବିତ ହେବି, ଅପମାନିତ ହେବିନାହିଁ। ମୋ ଦର୍ଶନକୁ ମୁଁ ବୁଝେନା ସତ, କିନ୍ତୁ ତାକୁ ମୁଁ ବଂଶାନୁକ୍ରମରେ ବଞ୍ଚାଇଆସିଛି। ଆତ୍ମା ଅମର-ମୋ ଦେଶରେ ଏଇଟା ସକ୍ରେଟିସ୍‌ ପୂର୍ବରୁ କୁହାଯାଇଚି। (କେବେ, ସେମାନଙ୍କୁ ପଚାରନ୍ତୁ)। ମୁଁ କିନ୍ତୁ ମରିଯିବି ବୋଲି ସବୁବେଳେ ଡରୁଥାଏ। ମୁଁ ଯାହା ପ୍ରଚାର କରେ, ତାକୁ ବିଶ୍ବାସ କରେନା। ଡରୁଆ ମଣିଷ କାମ କରେନାହିଁ। ସେଥି ପାଇଁ ଶାସ୍ତ୍ର ଅଛି। ଜଗତ୍‌ ମିଥ୍ୟା ହେବାରୁ ଭଲପାଇବା, ଭଲ ଖାଇବା, ଭଲ ପିନ୍ଧିବା, ଭଦ୍ର ଭାବରେ ବଞ୍ଚିବା, ପରସ୍ପରକୁ ନିଃସଙ୍କୋଚ ମର୍ଯ୍ୟାଦା ହେବା ଇତ୍ୟାଦି ସବୁ ମିଥ୍ୟା। ଏଣୁ ତା’ର ବିପରୀତଯାକ କୁଆଡ଼େ ସତ୍ୟ। କୃଚ୍ଛ ସାଧିବା, ଦିଗମ୍ବର ହେବା, ସମସ୍ତଙ୍କୁ ହେୟ ମଣିବା, ତା ବି ମୁଁ କରେ- ନାହିଁ। ମୁଁ ଜଗତକୁ ନିଏ ନାହିଁ କି ଛାଡ଼େ ନାହିଁ; କିନ୍ତୁ ସବୁଆଡ଼େ ଶ୍ରମ କାଟି ଦିଏ। ମାଟି ମୁଦାଟିଏ ପରି ଛୋଟ ଖଳାବାଡ଼ିଟିକୁ ସଂସାର ମଣି ସେଇଠି କ୍ଳୀବ ଜନ୍ତୁଟିଏ ପରି ବଞ୍ଚିରହେ। ସାର୍ଥକତା ପାଇଁ ବଂଶ ବୃଦ୍ଧିକରେ। ସମୟର ମୋ ପାଇଁ କିଛି ମୂଲ୍ୟ ନାହିଁ। ମୁଁ ଲୁଗା ବଦଳ କଲାପରି ଅସଂଖ୍ୟ ଥର ଜନ୍ମ ନେଇ ପାରୁଥିବାରୁ ଏବେ ଏମିତି କାଉଳି ହେବାର କୌଣସି ଅର୍ଥ ନାହିଁ। ଅନ୍ୟ ରାଜ୍ୟର ଉଞ୍ଚ ଉଞ୍ଚ ମଣିଷମାନେ ସର୍ବଦା ଧାଉଁଥାନ୍ତି, କାରଣ ସେମାନେ ଆଉ ଥରେ ଏ ପୃଥିବୀକୁ ଆସିବେ ନାହିଁ ବୋଲି ବିଶ୍ବାସ କରନ୍ତି। ମୁଁ କିନ୍ତୁ ଆସିବି ଥରେ ନୁହେଁ ସହସ୍ରଥର ମୋ ଗୋସେଇଁ ବାପାମାନେ କହିଛନ୍ତି; ମୋ ଦେଶର ଦର୍ଶନ କହୁଛି! ଏଣୁ ଏଥର ନ ପାରିଲେ ଆଉଥରକୁ ଦେଖିବା। …ମୁଁ ନ କଲେ ମୋ ଭାଇ କରିବ। ସେ ନ କଲେ ମୋ ଦାଦି କରିବ। କାହିଁ କୋଉ କାଳରୁ ମୋର ବଟରଛିଆ ପରିବାରରେ ରହିଆସିଛି। ଗୋସାଇଁ ବାପ, ବାପ, ପୁଅ, ନାତି, ପଣନାତି, ଅଣନାତିର ବିରାଟ ମନ୍ଦା। ସେଇଠି କୌଣସି ଜଣେ ଦାୟୀ ନୁହେଁ। ସେଠି ପଙ୍ଗୁ ପାଳିତ ହୁଏ, ଶଠ ପାଳିତ ହୁଏ ଅଳସୁଆ ବି ପାଳିତ ହୁଏ। ଏଣୁ ଶହ ଶହ ବର୍ଷ ଧରି ଠକିବା, ଆଉ ଜଣକ ଉପରକୁ ଆଉଜି ରହିବା, ନିଜେ ଲୁଚିବା ଅଭ୍ୟାସ କରି କରି ମୋର ତାହା ସ୍ବଭାବ ହୋଇଗଲା। ମୁଁ ସବୁବେଳେ ଆଉ ଜଣକୁ ମୋ ପାଇଁ ଶ୍ରମ କରିବାକୁ, ଦୋଷ ମୁଣ୍ଡେଇବାକୁ, ଦାୟିତ୍ବ ନେବାକୁ ଏବଂ ଫାଶୀ ପାଇବାକୁ ଖୋଜୁଥାଏ। ମୁଁ ସବୁମନ୍ତେ ବାମନ। ମୋର ହାତ ଗୋଡ଼, ମନ, ପ୍ରାଣ ସବୁ ଛୋଟ।

ମୋର ବୃହତ୍‌ ଭାବନାଗୁଡ଼ିକ ସବୁ ଇତିହାସରେ। ମୁଁ ସେମାନଙ୍କୁ ଦେଖି ନାହିଁ। ଦେଖିବାକୁ ମୋର ଆଗ୍ରହ ନାହିଁ। ମୁଁ ଆଧୁନିକ ହେବାକୁ ଚାହେଁ ପୁରୁଣାକୁ ଉପହାସ କରେ। ଘୃଣାକରେ। ଅପରିଚିତ ହେଲେ ମଧ୍ୟ ବିଦେଶୀ ଢଙ୍ଗଟାକୁ ଆପଣେଇ ନିଏ। ଢଙ୍ଗ ନକଲ କରିବାରେ ଛୋଟ ମଣିଷ ଆନନ୍ଦ ପାଏ। ମୁଁ ଉଞ୍ଚ ମଣିଷକୁ ନକଲ କରି ସେମାନଙ୍କୁ ଶସ୍ତା କରିପକାଏ। ମୁଁ ତାଙ୍କ ଭଳି ଦିଶିବାକୁ ଯାଇ ସେମାନଙ୍କୁ ମୋ ଭଳି ବାମନ କରି ପକାଏ। ମୋ ଦେଶରେ କଦବା କଶ୍ଚିତ୍‌ ସାମାନ୍ୟ ବିସ୍ତୃତ ଦିଗ୍‌ବଳୟ ଦେଖୁଥିବା ମଣିଷଗୁଡ଼ିକୁ ଆମେ ଏହିପରି ବୁଡ଼େଇ ଦେଉ। ମୋ ଇତିହାସକୁ ମୁଁ ଏଇଭଳି ଅବହେଳିତ କରେ, ବେଳେବେଳେ ସଲଜ୍ଜ ସ୍ବୀକାର କରେ ମୋ ଦର୍ଶନ ଧର୍ମ। ମୁଁ ତେଣିକି ପୂଜାକରେ। ମଥୁରା ଅଯୋଧ୍ୟାର ସାହିତ୍ୟକୁ ଖଟୁଳିରେ ଥୋଇ ଅର୍ଚ୍ଚନା କରେ- କାରଣ ପୂଜା କରିଦେଲେ ଦୂରତା ରକ୍ଷା ହୁଏ। ଆକାଶିଆ ହୋଇଯାଏ ଆଦର୍ଶ। ବାମନ କାହିଁକି ତା’ ମାଟି ଛାଡ଼ି ସେ ଯାଏ ଉଠିବାକୁ ଯିବ? ବଶିଷ୍ଠକୁ ନେଇ ଜଗତ୍‌ ବିହ୍ବଳ ହେଉଥାଉ, ସେଥିରେ ମୋର କ’ଣ ଥାଏ? ସେମାନେ ଖୋଜି ଖୋଜି ଆସି ମୋ ପାଖରେ ଅବଶ୍ୟ ପହଞ୍ଚିବେ। ମୁଁ ଛକି ବସିଛି। ଗେରୁଆ-ପିନ୍ଧା, ଦାଢ଼ିଆ ବାମନ ଛକି ବସିଛି, କେମିତି ସେ କୌତୁହଳୀ ଯାତ୍ରୀଦଳକୁ ଭୁଆଁ ବୁଲେଇବି-ଚିତା କାଟି ଛାଡ଼ିବି। ସେମାନେ କିଛି ନ ପାଇ ଫେରିବେ। ଯାଆନ୍ତୁ। ଆମକୁ ନିନ୍ଦା କରିବେ, କରନ୍ତୁ। ଆମର ଚରିତ୍ର ନାହିଁ, ଆମେ ଠକ, ଭଣ୍ଡ, ମୂର୍ଖ, ଅଳସୁଆ, ଚୋର ବୋଲି କହିବେ, କହନ୍ତୁ। ଆମେ ଏମିତି ପ୍ରାୟ ଶୁଣୁ। ଏ ଗୁଡ଼ାକର ଅର୍ଥ ଆମ ପାଇଁ କିଛି ନାହିଁ। ମର୍ଯ୍ୟାଦା ହାରି ସାରିବା ପରେ ଆଉ କାହାକୁ ଘୋଡ଼ାଇବା?

ପୃଥିବୀର ସବୁ ପ୍ରକାର ମୂଲ୍ୟ ଏଠି ଅଛି କିନ୍ତୁ ସବୁଗୁଡ଼ିକ ଖର୍ବ ରୁପ। ମାନବିକ ଅଧିକାର, ବ୍ୟକ୍ତି ସ୍ବାଧୀନତା, ଦେଶପ୍ରୀତି ଏମିତି ନାନା କଥା। ଉପର ଢାଞ୍ଚାଟି ସଯତ୍ନେ ରଖାହୋଇଥାଏ। ତା’ ଭିତରେ କିନ୍ତୁ ମୂଷା ପଶି ସବୁ କତୁରି ଦେଇଥାଏ। ଗଭୀର ଦେଶପ୍ରୀତିର ବକ୍ତୃତା ଆମ ସମସ୍ତଙ୍କର ମୁଖସ୍ଥ। ସଜ ଉଣ୍ଡି ଦେଶଟିକୁ ବିକି ଭାଙ୍ଗି ଆମେ ଖାଇଛୁ। ମୋର ସ୍ବାଧୀନତା ଉପରେ ମୋର ଅଧିକାର। ମୁଁ ଯେତେବେଳେ ଯାହା କହିପାରେ, ଯାହା କରିପାରେ, ମୋ ଇଚ୍ଛା। ମୋ ଦେଶର ସର୍ବୋଚ୍ଚ ସଭାରେ ସେଥିପାଇଁ ଆମେ ମାଡ଼ପିଟ ଲାଗୁ। ଗାଳିଗୁଳଜ ହୁଏ। ମୁଣ୍ଡ ଫଟାଫଟି ହୁଏ। ଏ ସବୁ କେବଳ ଦେଶ-ପ୍ରୀତି ପାଇଁ, କେବଳ ବ୍ୟକ୍ତିର ଅଖଣ୍ଡ ସ୍ବାଧୀନତା ପାଇଁ କ୍ଷୁଦ୍ର ମଣିଷମାନେ ପ୍ରତିସ୍ପର୍ଦ୍ଧା କରନ୍ତିନାହିଁ। କେବଳ ଶୋଧାଶୋଧି ହୁଅନ୍ତି। ଗୋଇ ଖୋଳାଖୋଳି ହୁଅନ୍ତି। ଗୋଛି କଟାକଟି ହୁଅନ୍ତି। ପରସ୍ପରକୁ ତଳକୁ ଭିଡ଼ି ରଖି କେହି ଭୂଇଁ ଛାଡ଼ି ପାରନ୍ତି ନାହିଁ। ଲେସିହୋଇ ଘୁଷୁରୁଥାନ୍ତି, ପୋକପରି।

ହିମାଳୟର ସବୁ ଦେବଦାରୁମାନେ ପଙ୍ଗୁ ଗୁଳ୍ମ। ହିମାଳୟ ସ୍ବୟଂ ଖର୍ବିତା ତା’ ମଥାରେ ବିଭିନ୍ନ ପାଦଚିହ୍ନ। ଏ ଦେଶରେ କୌଣସି ଉଚ୍ଚ ଭୂମି ଆଉ ନାହିଁ ସ୍ମୃତିରେ, ବିଶ୍ବାସରେ, ମର୍ଯ୍ୟାଦାରେ, ଆଶାରେ କିମ୍ବା କଳ୍ପନାରେ। ଏଠି ସମସ୍ତେ ଖର୍ବ, ଅନୁଦାର, ନିଷ୍ପ୍ରଭ। ଦୁର୍ବଳ ମଣିଷ ଭୟରେ ଉପରକୁ ହାତ ବଢ଼ାଏ ନାହିଁ। ଉପରକୁ ଚାହେଁ ନାହିଁ। ସେ ନିଜେ ନିଜକୁ ଦ୍ବେଷ କରେ, ଈର୍ଷା କରେ। ଗୋଠ ଗଢ଼ି ଲୁଚି ଳୁଚି ଅନିଷ୍ଟ କରେ। ଅଶୁଭ ଅମଙ୍ଗଳମୟ ତା’ର ଦୁର୍ଭାବନା। ସେ ବେଲଜ୍ଜା ବୃହନ୍ନଳା। ତା’ର ଅଭିଶାପ ମେଣ୍ଟିବାର ନୁହେଁ। ଏଠି ମହନୀୟ କିଛି ଆଉ ଘଟିବାର ନାହିଁ। ଏକକ ବ୍ୟକ୍ତିତ୍ବ ଏଠି ନାହିଁ। ଦୈବାତ୍‌ ଦେଖାଇଦେଲେ ସେ ମହାତ୍ମାକୁ ଆମେ ଗୁଳି କରିଦେଉ, କାରଣ ସେ ଗୋଟାଏ ବ୍ୟତିକ୍ରମ। ଆମେ ଗଣ-ବ୍ୟକ୍ତିତ୍ବ ଗଢ଼ିବାକୁ ପ୍ରୟାସୀ। ଏଠି କେହି ଉଚ୍ଚ ହୋଇ ପାରିବେନାହିଁ। ଆମେ ଅଭିବୃଦ୍ଧିର ବିରୋଧୀ। ଆମେ କାଦୁଅରେ ପଡ଼ିଥିବୁ। କାଦୁଅରେ ଖେଳୁଥିବୁ। ଆମେ ଅଯୋଗ୍ୟ, ହତ୍ୟା ପାଇଁ ଅଥବା ଆତ୍ମହତ୍ୟା ପାଇଁ ଏ ବାମନଜାତି କେବେ ଜହ୍ନ ପାଇଁ ଅଭିଳାଷ ପାଳିବନାହିଁ। ଏ ରାଜ୍ୟରେ ଜହ୍ନ ଅବାନ୍ତର, ଜହ୍ନ ଏକ ଅପହଞ୍ଚ ସ୍ବପ୍ନ। ଆମେ ଗୁଡ଼ିଏ କ୍ଷୟିଷ୍ଣୁ କ୍ଷୁଦ୍ର ପରୁଷ। ଆମ ଇତିବୃତ୍ତ କ୍ଷୁଦ୍ର।