‘ମନ୍ କଲା ବାଈ୤ ଦେହେ ହିଁ ଭରିଗଲା୤ କାଣା ଆଉ କରିଥିଁତି୤ ପିଲାକେ କୁଡ଼ିଏ ହଜାର ଟଙ୍କା, ସୁନାର ମୁଦି, ଘଡ଼ି ଦେଲି୤ ଟୁକେଲ୍ କେ ଭି ଘର କର୍‌ନା ସବୁ ସାମାନ୍ ଦେଲି ଆଉ ପାର୍ କରିଦେଲି୤ ହେଲେ କାଏଁ କରିବି ବାଈ, ପିଲାଟା ନକ୍‌ରି, ଚାକ୍‌ରୀ, କିଛି କର୍‌ବାର୍‌ ନାଇଁ, କୁଲିମଜ୍‌ରୀ ଭି ନାଇଁ କରେ୤ ପାଖେ ଅଛେଁ ବଲି ମତେ ହିଁ ଦେଖ୍‌ବାର ଲାଗି ପଡ଼ୁଛେ୤ ଦେଖ୍‌ତ ବାଈ ମୋର୍ ଜୁଏଁ ଲାଗି କାମ୍‌ଧନ୍ଦା କିଛି ଖୁଜିଦେ୤ ପଲସ୍‌ଟୁ ଫେଲ ଆଏ୤ କଲେଜ୍ ଥି ଦୁଇ ବଛର୍ ପଢ଼ିଛେ୤‘

ମିଶ୍ରବାବୁଙ୍କ ସ୍ତ୍ରୀ ସବୁକିଛି ମନପ୍ରାଣ ଦେଇ ଶୁଣୁଥାନ୍ତି କାରଣ କଥା ଶୁଣିଲେ ଏବଂ କହି ଜାଣିଲେ ହିଁ ଏ ଯୁଗରେ କାମ ହାସଲ କରି ହୁଏ୤ ଏହି ନିଗୁଢ଼ ସତ୍ୟ କଥାଟା ତିରିଶି ବର୍ଷର ବୈବାହିକ ଜୀବନର ଅନୁଭୂତି ମଧ୍ୟରେ ବେଶ୍ ଭଲ ଭାବରେ ହୃଦୟଙ୍ଗମ କରିଛନ୍ତି ମିଶ୍ରାଣୀ୤

ପୁଣି ମାମୁଁ ଯୋଡିଲେ ଏବଂ କହିଲେ-‘ଖୋବ୍ ଦିନ୍ ହେଲା ବାଈ ତତେ ନି ଦେଖିଥିଲି୤ ଏତ୍‌କି ଦିନ୍ ଥି ମୋର ପୁଓ ଗୁଟେ ଭି ହେଲାନ୤ ବଡ୍‌କା ଭାଗିକରି ବିହା ହେଲା ଆଉ ଦୁଇଟା ନନୀ ଭି ଜୁକ୍‌ଜାକ୍ ଦିଶ୍ଲେନ୤ ସେମାନ୍କର୍ କଥା ଭି ଭାବ୍‌ବା ଯେଁ ପଡ଼୍‌ସି୤ ହେଲେ ବେଶି ଭାବିକରି ମୁଁଇ ଦିମାଗ୍‌କେ ଗୋଲ୍‌ମାଲ୍ ନି କରେ ବାଈ୤ ମୁଇଁ ବିନ୍ଦାସ୍ ଲୋକ ଆଏଁ୤ ମୋର୍ ମାଏ ଝି ଭି ଚିନ୍ତା ନି କରେ୤ ଯେଭେ ଯାହା ହେବାର୍ କଥା ହେବା୤ ଭାବି କରି କାଏଁ ଲାଭ୍? ‘ଦେ ପାଏନ୍ ଟିକେ ଦେ୤ ଶୋଷ୍ ଲାଗ୍‌ଲାନ୤’

ମିଶ୍ରାଣୀ ପାଣି ଢାଳେ ଦେଲେ୤ ଢକ୍ ଢକ୍ କରି ମାମୁଁ ପାଣି ପିଇଲେ୤
ପୁଣି ଗପିଲେ୤

‘ଡିସ୍ ଆଣ୍ଟିନା ଲଗେଇ ଦେଇଛେଁ ବାଈ୤ ତୋର୍ ବହରିଆ କାହାରି ଘର୍ ନି ଯାଏ୤ କାମ୍ କରି କରି ଥକିଗଲେ ଘରେ ବସିକରି ଟିଭି ଦେଖ୍ସି୤ ଘରେ ରହେସି୤ ବେଶି ବୁଲାଚଲା ପସନ୍ଦ୍ ନି କରେ୤ ଲନ୍ଦର୍ ଫନ୍ଦର୍ ଭି ଆମ୍‌କେ ଭଲ୍ ନି ଲାଗେ୤ ମୁଁ ଠିକ୍ ତ ମୋର୍ ମାଏଁ ଝି ଠିକ୍ ଆଉ ଆମର୍ ଲାଗି ଦୁନିଆଁ ଠିକ୍‌୤ ଲୋକ୍‌ମାନେ ମୋର୍ ନିଜର୍ ଆନ୍ ଆଉ ମୁଁ ଲୋକ୍‌ମାନ୍‌କର୍ ଆଏଁ୤ ଲୋକ୍‌ମାନେ ମତେ ଭଲ ପାଏସନ୍‌୤ ମୁଁ ଲୋକ୍ ମାନ୍‌କେ ଭଲ୍ ପାଏଁସି୤’

‘ବାଈଗୋ! ଇ ବଛର୍ ଇଲେକ୍‌ସନ୍ ଥି ଖୋବ୍ ପିଇଛେଁ୤ ସବୁ ପାର୍ଟିନୁ ଖାଇଛେଁ୤ ସଭେଁ ତ ମୋର୍ ନିଜର୍‌୤ କାହାକେ ମନା କର୍‌ମିଁ୤ ସଭେଁ ଦେଲେ ସବ୍‌କରନୁଁ ଖାଏଲି୤’

ଜହ୍ନମାମୁଁଙ୍କ ଗୋଟି ଗୋଟି କଥାକୁ ସତେ ଯେମିତି ମିଶ୍ରାଣୀ ପିଇଯାଉଥାନ୍ତି୤ ମୁଣ୍ଡ ଟୁଙ୍ଗାରି ଜଣେ ଗୁରୁଗମ୍ଭୀର ଶ୍ରୋତା ଭଳିଆ ସବୁ କଥାକୁ ସେ ଉଦରସ୍ଥ କରୁଥାନ୍ତି୤

କାରଣ ସେ ଭଲ ଭାବେ ଜାଣନ୍ତି ଏମିତି କାମ ନ କଲେ ତାଙ୍କ କାମ ହେବନି୤

‘ଜହ୍ନମାମୁଁ୤’ ଜହ୍ନମାମୁଁଙ୍କ ନାମ ଜହ୍ନମାମୁଁ କେଉଁ ପରିପ୍ରେକ୍ଷୀରେ କେଉଁ ଘଟଣାକ୍ରମ ଅନୁଯାୟୀ ପଡ଼ିଲା ତାହା ବୋଧେ କେହି ଜାଣି ନାହାଁନ୍ତି୤ ସହରଯାକ ଲୋକମାନଙ୍କର ସେ ହେଉଛନ୍ତି ସମ୍ପର୍କୀୟ୤ ସମସ୍ତେ ମାମୁଁଙ୍କର ନିଜର ଲୋକ୤ ସକାଳ ହେବାମାତ୍ରେ ସମସ୍ତଙ୍କ ଘରେ ସେ ଉପସ୍ଥିତି ଜାହିର୍ କରନ୍ତି୤ ଦିନ ତମାମ୍ ବୁଲିବୁଲି ସେ ଦ୍ବିପ୍ରହରରେ ଘରେ ପହଞ୍ଚନ୍ତି୤ ମ୍ୟୁନିସିପାଲ୍‌ଟିରେ ଦରମାଦିଆ ଚାକ୍‌ରୀ ଖଣ୍ଡେ କରୁଛନ୍ତି୤ ମିଶ୍ରାଣୀ ଭଳି ଅନେକଙ୍କୁ ସେ ବାଈ କହନ୍ତି, ଅର୍ଥାତ୍ ସ୍ଥାନୀୟ ଅର୍ଥରେ ବଡ଼ଭଉଣୀ ବୋଲି ବୁଝାଯାଏ୤ ସମସ୍ତଙ୍କ ସହ ସେ ସୁଖଦୁଃଖ ହୁଅନ୍ତି୤

ମୋର ବୟସର ସମସ୍ତଙ୍କ ସେ ହେଉଛନ୍ତି ମାମୁଁ୤ ସମସ୍ତଙ୍କ ଅତି ଆଦରର ଜହ୍ନମାମୁଁ୤ କମ୍ ବେଶୀ କରି ନିଅନ୍ତି୤ ହେଲେ ସେ କେବେ କାହା କଥା କାଟନ୍ତି ନାହିଁ୤ ସମସ୍ତଙ୍କ ଅସୁବିଧା ସମୟରେ, ବିବାହ ଉତ୍ସବ ଆଦିରେ ଉପଯୁକ୍ତ ଆତିଥ୍ୟତା ଦେଇ ଯୋଗ ଦିଅନ୍ତି୤

ମାମୁଁଙ୍କ ଜୀବନସଙ୍ଗିନୀ ହେଉଛନ୍ତି ମାଇଁ୤ ମାମୁଁ ମାଇଁଙ୍କୁ ପଶ୍ଚାତ୍‌ଭାଗରେ ଲୋକେ କହନ୍ତି ଲୈଲା-ମଜ୍‌ନୁ୤ ଉଭୟେ ଉଭୟଙ୍କ ପାଇଁ୤

‘ମୋର୍ ସମିୟାଁ ଥି ମୁଁ ଖୋବ୍ ବଦ୍‌ମାସ୍ ଲୋକ୍‌ ଥିଲି ବାଈ୤ ମୋର ଝି ଆଉ କେନ୍ତା ହେତା ? ମୁଇଁ ଯାହା କରିଥିଲି ସେ ଭି ତାହା କର୍‌ଲା୤ ମୁଇଁ ଭାଗିଥିଲି-ମୋର୍ ବଡ୍କା ଝି ଭି ଭାଗିକରି ବିହା ହେଲା୤ ଦୁଃଖ୍ ନି କରେଁ ବାଈ୤ ଯେନ୍ତା କର୍‌ନି ହେନ୍ତା ଭର୍‌ନି୤’
ତାଙ୍କ ସମୟରେ ମାମୁଁ ମାଇଁ ମଧ୍ୟ ଭଲପାଇ ବିବାହ କରିଥିଲେ୤ ଉଭୟେ ଉଭୟଙ୍କୁ କ୍ଷଣଟିଏ ନଦେଖିଲେ ରହିପାରନ୍ତି ନାହିଁ୤ ଉଭୟଙ୍କୁ ଦେଖିଲେ ନିଚ୍ଛକ ପ୍ରେମ, ଶାଶ୍ବତ ପ୍ରେମ, ଅନାବିଳ ଭଲପାଇବା, ମୋହ ଆକର୍ଷଣ ଏହି ସବୁ ଶବ୍ଦର ଅର୍ଥ ମୁଁ ମର୍ମେ ମର୍ମେ ଅନୁଭବ କରେ୤ ମାମୁଁ ମେହେନ୍ତର ଜାତିର ଲୋକ୤ ସହରର ନାଳନର୍ଦ୍ଦମା ସଫା କରିବା, ଆବର୍ଜନା ଫିଙ୍ଗିବା, ପାଇଖାନା ସଫା କରିବା ଆଦି କାର୍ଯ୍ୟ କରି ବେଶ୍ ରୋଜଗାର କରନ୍ତି୤ ସାମାଜିକ ବର୍ଗୀକରଣ ଦୃଷ୍ଟିରୁ ମାଇଁ, ମାମୁଁଠାରୁ ଅପେକ୍ଷାକୃତ ଉଚ୍ଚଜାତିର ସ୍ତ୍ରୀ୤ କିନ୍ତୁ ପ୍ରେମ ଯେ ଜାତି, ଧର୍ମ, ବର୍ଣ୍ଣ କିଛି ମାନେନା୤ ଏହା ସମସ୍ତେ ତଥା ଉଭୟେ ମାମୁଁ, ମାଇଁ ବି ବେଶ୍ ଭଲ ଭାବରେ ଜାଣନ୍ତି୤

ସେଦିନ ମିଶ୍ରାଣୀଙ୍କ ଘର ପାଇଖାନା ଟାଙ୍କି ସଫା କରିବାକୁ ଆସିଥିଲେ ମାମୁଁ ମାଇଁ୤

ମିଶ୍ରାଣୀ କହିଲେ-‘ଭାଇରେ! ଏ ଜହ୍ନ! ତୋର୍ ବିନା ମୁଇଁ ଆଉ କାହାକେ କାମ୍ ନି କରାଏଁ୤ ତୁଇ ହିଁ ମୋର୍ ନିଜର୍ ଲୋକ୍ ଆଉ ଭାଇ୤ ତୋର୍ ଦ୍ବାରା ହିଁ ମୋର୍ ଘରର୍ କାମ୍ ହେବା ଭାଇ୤ ସେଥିର୍ ଲାଗି ମୁଇଁ ଦୁସ୍‌ରା କାହାକେ କାମ୍ ଥି ନି ଲଗେଇ୤’

ମିଶ୍ରାଣୀଙ୍କ କଥା ଶୁଣିବାମାତ୍ରେ ମାମୁଁମାଇଁଙ୍କ ନିଷ୍କପଟ ମନଖୋଲା ହସରେ ବାତାବରଣଟା ଖିଲ୍‌ଖିଲ୍ ହୋଇଗଲା୤

ମାମୁଁ ତାଙ୍କ ଚିରାଚରିତ ଢଙ୍ଗରେ ଟିଣ ଡବା, ବାଲ୍‌ଟି ଓ କୋଡ଼ି ଆଣି ସହଜ, ସରଳ, ନିର୍ବିକାର, ଅନାବିଳ ହୃଦୟରେ ପାଇଖାନା ଟାଙ୍କି ସଫା କରିବାରେ ଲାଗିଗଲେ୤ ମାଇଁ ସମସ୍ତ ମଇଳା ବାହାରେ ଗୋଟିଏ ସ୍ଥାନରେ ପକାଇବାରେ ସାହାଯ୍ୟ କଲେ୤ ଜଣେ ଉତ୍ତମ ସହଧର୍ମିଣୀର ପରିଚୟ ଦେଇ ମାଇଁମାମୁଁଙ୍କ ସହ କାମ କରିବାରେ ଏହିଭଳି ନିମଜ୍ଜିତ ହୋଇ ଯାଇଥାନ୍ତି ଯେ, ତାଙ୍କ ଚେହେରାରେ ବିକାରର ଲେସମାତ୍ର ଚିହ୍ନବର୍ଣ୍ଣ ପରିଦୃଷ୍ଟ ହେଉ ନଥାଏ୤ ମାତ୍ର ତିନି ଘଣ୍ଟାର ବ୍ୟବଧାନ ମଧ୍ୟରେ ତିନିଗୋଟି ପାଇଖାନା ଟାଙ୍କି ସଫାକଲେ ମାମୁଁମାଇଁ୤ ଧୋଇମାଜି ହୋଇ ନିଜକୁ ପରିଷ୍କାର ପରିଚ୍ଛନ୍ନ ହେଲେ ଉଭୟେ୤ ମିଶ୍ରାଣୀ ଉଭୟଙ୍କ କାମରେ ଆନ୍ତରିକ ଭାବରେ ଖୁସି ହୋଇ ପ୍ରାପ୍ୟ ସହିତ ମାମୁଁଙ୍କୁ ନୂଆ ଗାମୁଛା, ମାଇଁଙ୍କୁ ନୂଆଶାଢୀ, ସଧବାର ସଜ ନୂଆଚୁଡ଼ି ସିନ୍ଦୂର ଦେଇ ବିଦାକଲେ୤

ଯିବା ସମୟରେ ମାମୁଁ କହିଲେ-
‘ବାଈ ଗୋ! ତୋର୍ ବହରିଆକେ ମୁଁ ସବୁବେଲେ କହେଁସି ଯେ, ଜିଇଁଥିବା ତକର୍, ହାଥେ ତାକତ୍ ଥିବା ଯାକର୍, ଆଉ କାମ୍ କର୍‌ବାର୍ ଭାବ୍‌ନା ଟିକ୍‌କ ମନ୍ ଭିତ୍‌ରେ ଥିବା ତକର୍, ଆମର୍ ପେଟ୍ କେଭେ ଭୁଖେ ନାଇଁ ରହେ୤ ଆମ ଚୁରୀ-ଦାରୀ ନାଇଁ କରୁଁ ବାଈ୤ କାମ୍ ଛୋଟ୍ ହେଲେ ଭି ଇମାନ୍ ଥି କର୍‌ସୁଁ୤ ଆଉ ଠାସେ ଜିଇଁସୁ୤ ଜୀବନ୍‌ଟା କେତେ ଦିନ୍ ବାଈ! ଖୁସିଥି ରହେବାର୍ କଥା୤ ହଏ-ଯାଉଛୁଁ୤ କାମ୍ ପଡ୍‌ଲେ ଫୋନ୍ କର୍‌ବୁ୤ ମୋର୍ ମୋବାଇଲ୍ ନମ୍ବରଟା ରଖ୍‌୤ ମିଶ୍ରାଣୀ ଚମକି ପଡ଼ିଲେ୤ ଜହ୍ନର ପୁଣି ମୋବାଇଲ୍ ନମ୍ବର୤ ଯାହାହେଉ ଜହ୍ନ ବି ଯୁଗସହିତ ସମତାଳରେ ଗତି କଲାଣି ଜାଣି ଖୁସି ହେଲେ୤’

ମାମୁଁ ପଛେପଛେ ମାଇଁ ମିଶ୍ରାଣୀ ଦେଇଥିବା ଜିନିଷପତ୍ର ଟଙ୍କା ଘେନି ଜଣେ ସନ୍ତୁଷ୍ଟ, ଆତ୍ମତୃପ୍ତ କର୍ମଯୋଗୀ ଦାର୍ଶନିକ ଭଳି ନିଜ ବାଟରେ ବାହୁଡ଼ିଗଲେ୤ ଏପଟେ ସୂର୍ଯ୍ୟ ମଧ୍ୟ ମୁଣ୍ଡ ଉପରେ ଆସିଯାଇଥିଲେ୤

(ମାନସୀ କର, ସୁନ୍ଦରଗଡ଼)
ପେସାରେ ଓକିଲାତି କରୁଥିବା ମାନସୀ କର ପ୍ରକୃତି, ପରିବେଶ ଓ ପରିବାରକୁ ନିଜର ପ୍ରେରଣା ରୂପେ ନିଜ ଲେଖାରେ ସାମିଲ କରିଛନ୍ତି୤ ଜଣେ ଯୁବ ଗାଳ୍ପିକା ଭାବେ ମାନସୀ କର ତାଙ୍କର ପ୍ରତ୍ୟେକ ଲେଖାଗୁଡ଼ିକରେ ନିଜର ଅନୁଭବକୁ ହିଁ ପ୍ରାଧାନ୍ୟ ଦେଇଥାନ୍ତି୤ ପ୍ରଚାର ଓ ପ୍ରସାରଠାରୁ ଦୂରରେ ରହି ନିଜର ସାହିତ୍ୟ ସାଧନାରେ ମଗ୍ନ ମାନସୀ କରଙ୍କ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି୤