ବଡ଼ ବଡ଼ ପଣ୍ଡିତମାନେ କହିଯାଇଛନ୍ତି ନ ମିଥ୍ୟାତ୍‌……. ପରମ୍‌। ବଡ ପଣ୍ଡିତଙ୍କର ବଡ଼ କଥା, ଅତଏବ ମାନିବାକୁ ପଡ଼ିବ। କିନ୍ତୁ ଧରି ବାନ୍ଧି ଢିଙ୍କି ଗିଳେଇଲେ ତ ଆଉ ଢିଙ୍କି ଗିଳି ହେବ ନାହିଁ। ଯେବେ ବା କେହି ଡର ଭୟରେ ବା ବାହାପିଆ ପଣରେ କହେ ଯେ, ମୁଁ ଗିଳିଚି, ତା’ହେଲେ ଆମେ କହିବୁ-ସେ ଗୋଟାଏ ନିଆଁଗିଳା, ଅସତିଆ। ମିଛକୁ ବାଦ୍‌ଦେଲେ ସଂସାର ଅସମ୍ଭବ। କାରଣ ମିଛରେ ଏକା ମିଠା। ସତ, ଖାଣ୍ଟି ସତ, ଗ୍ରୀଷ୍ମ ଦିନରେ ମରୁଭୂମିର ନିରାଟ ଖରାପରି ଶୁଖିଲା, ହତାଶିଆ। ପଦେ ଅଧେ ମିଛ ସେହି ମରୁଭୂମିରେ ଟୋପାଏ ପାଣି ଭଳି।

ଏଇ ଖଣ୍ଡିଆ ଦଦରା ସଂସାରଟା ଦିନେ ଅମାପ ମାପ ପାଣି ଭିତରୁ ବାହାରି ମୁଣ୍ଡ ଟେକିଲା। ସେହି ଦିନଠାରୁ ଆଜିଯାଏ ମିଛଟା ହିଁ ବଳବତ୍ତର ହୋଇ ଆସନ ପାତି ବସିଛି। ଆମର ସତିଆ ଆର୍ଯ୍ୟ ଋଷିମାନେ ଲେଖିଗଲେ-ଆଦିମକାଳରେ ଚାରିଆଡ଼େ ଥିଲା ଖାଲି ପାଣି; ମହାପ୍ରଭୁ ଗୋଟିଏ ବଡ଼ ପତ୍ରରେ ଢଳ ଢଳ ହୋଇ ସେହି ପାଣି ଉପରେ ଭାସୁଥିଲେ। ଦିନେ ଇଚ୍ଛା ହେଲା ଖେଳିବେ। ସେହି ହେତୁରୁ, ସେ ଏ ସଂସାରଟାକୁ ଗଢ଼ି ପକାଇଲେ। ଆମେ ପାଠ ଶାଠ ପଢ଼ିବୁ, ଆମେ ଏଇଲାଗେ ବୁଝୁଚୁ, ଏ କଥାଗୁଡ଼ାକୁ କଞ୍ଚା ମିଛ। ବାଇବେଲ କହିଲେ ପ୍ରାୟ ଏକା କଥା। ପ୍ରଥମରେ ଖାଲି ଥିଲା ପାଣି, ଚାରିଆଡ଼େ ଅନ୍ଧାର। ସେଇ ଅନ୍ଧାର ଭିତରେ ଭଗବାନ୍ ବସିଥିଲେ। ବସି ବସି ଚିଡ଼ା ଲାଗିଲା ବୋଧହୁଏ, ଭାବିଲେ ଗୋଟେ କିଛି କରାଯାଉ। ତାପରେ ଚିଂବିଙ୍ଗ୍‌ ଫାଟ୍‌। ଭଗବାନ୍‌ କହିଲେ-ଆଲୁଅ ହୋଇଯାଉ, ଆଲୁଅ ହୋଇଗଲା। ପବନ ବହି ଆସୁ, ପବନ ବହିଆସିଲା। ଆମେ ଯେ ସବୁ ବିଜ୍ଞାନ ପଢ଼ିଚୁ, ସେଥିରୁ ବୁଝିଚୁ ଏ ସବୁ ମିଛ। ତେବେ ଆମେ ଦେଖିଲୁ, ଆମ ଧର୍ମର ଯେ ମୂଳକଥା, ସେଇଟା ଗୋଟାଏ ମିଛ ହାଉଆ ଉପରେ ତିଆରି ହୋଇଛି। ଲୋକେ କହନ୍ତି, ସତ୍ୟ ଯୁଗରେ ଯେଉଁମାନେ ଥିଲେ- ସେମାନେ କୁଆଡ଼େ ଆଦୌ ମିଛ କହୁ ନ’ଥିଲେ। ମିଛଟା କୁଆଡ଼େ ଏଇ କଳିଯୁଗର ସ୍ବପାର୍ଜିତ ସମ୍ପତ୍ତି। ଏଇଟା ବି ଅସତ। ରାମଚନ୍ଦ୍ର କୁଆଡ଼େ ଭାରି ସତ୍ୟପରାୟଣ। ଅଗ୍ନିପରୀକ୍ଷା କରି ସେ ଦେଖିଲେ ସୀତା ସତୀ। ରାଜ୍ୟକୁ ଅଇଲେ; କିଏ କଣ ପଦେ କହିଦେଲା ତ, ସେ ସୀତାଙ୍କୁ ଅସତୀ ବୋଲି ବଣରେ ଛାଡ଼ିଦେଇ ଆସିଲେ। ଏଉଟା କୋଉ ସତ କଥାରେ ଯାଏ? ଶ୍ରୀକୃଷ୍ଣ କୁଆଡ଼େ ମହାପ୍ରଭୁ ନିଜେ। ଏତେ ବଡ଼ ମହାଭାରତ ଯୁଦ୍ଧରେ ଜୀଅନ୍ତା ଅଶ୍ବତ୍‌ଥାମାଟାକୁ ମରିଗଲାଣି ବୋଲି ହୁରି କରିଦେଲେ। କେତେ ବା ଲେଖିବି? ଏ ତ କମଳଯାକର ବାଳ- ଗୋଟି ଗୋଟି କରି ଗଣିବାକୁ ବେଳ କାଇଁ?
ଅସଲ କଥାଟା କ’ଣ କି, ମିଛ କଥା କହିବାରେ ହିଁ ମନୁଷ୍ୟର ବାହାଦୁରୀ। ଗଲି ଅଇଲି, ଯାହା ଦେଖିଥିଲି ତା କହିଲି-ସେତ ସମସ୍ତେ କହିବେ। ପାଠପଢ଼ି ମୁଣ୍ଡରେ ଗୁଡ଼ାଏ ଥଲଥଲିଆ ମାଲ ବହି, ତୁମେ ଆଉ ଅଧିକାଟା କଲ କଣ? ଏଇ ମିଛ କହିବାରେ ହିଁ ପାଠର ପାରୀକ୍ଷା। ବୁଦ୍ଧିର ଚିହ୍ନଟା ମିଛ କଥାଟାକୁ ସଜେଇ ବୁଝେଇ ଯେତେ ସତ ଭଳି ଥୋଇ ପାରିବ ତୁମର ବାହାଦୂରୀ ସେତିକି। ଆମର ଏ ଆର୍ଯ୍ୟଭୂମି ଭାରତବର୍ଷରେ ବଡ଼ ମିଛୁଆ ହେଲେ ବାଲ୍ଲୀକୀ ଋଷି। ତାଙ୍କ ପିଛାପିଛା ଧରି ଦୌଡ଼ିଲେ ବ୍ୟାସକବି। ତା’ପରେ ଯେତେକ ଆସିଛନ୍ତି, କାଳିଦାସ, ଭବଭୂତି, ଭାରବୀ, ଶ୍ରୀହର୍ଷ- ଏ ସମସ୍ତେ ତାଙ୍କ ପଛରେ ଉଣିଶ-ବିଶ୍‌ ହୋଇ ଦୌଡ଼ିଛନ୍ତି।

କଥା ହେଲା- ଏତେ ବଡ଼ ବଡ଼ ଋଷି ପଣ୍ଠିତ ଗୁଡ଼ାକ ହୋଇ ମିଛ କହିବା ପାଇଁ ଏତେ ଧାଁ ଧପଡ଼ କିଆଁ? କଥାଟା କଣ କି, ମନୁଷ୍ୟର ବୁଦ୍ଧିଟା ମଜାମଜି ହୋଇ ଯେତିକି ଦାଉ ଦାଉ କରି ଉଠେ, ତା’ର କଳ୍ପନା ସେତିକି ସେତିକି ନାଚିକୁଦି ହୁଏ। ମନୁଷ୍ୟ ଜୀବନରେ ଯାହା କିଛି ସୁନ୍ଦର, ଯାହା କିଛି ମଧୁର, ସମସ୍ତେ ଏହି କଳ୍ପନା ଉପରେ ଭରା ହୋଇ ରହନ୍ତି। ପଇସା ରୋଜଗାର କରିବାରେ ସୁଖ ନ ଥାଏ। ପଇସା ରୋଜଗାର କଲେ ମୁଁ କଣ କଣ କରିବି, ତାହାର କଳ୍ପନା ରୋଜଗାର କରିସାରି ସେହି କଳ୍ପନାର ପୂରଣ, ଏଇଥିରେ ହିଁ ଆମୋଦ, ଏଥିରେ ହିଁ ଆନନ୍ଦ। ପ୍ରିୟାର ଓଠ ଚୁମ୍ବନ କରିବାରେ ଯେତିକି ଆନନ୍ଦ ନ’ଥାଏ, ପ୍ରିୟାଠାରୁ ଦୂରରେ ରହି ତା’ର ଓଠ ଚୁମ୍ବନ କରିବାର କଳ୍ପନାରେ ହିଁ ବେଶୀ ସୁଖ। ମୋର ତ ଯେପରି ମନେହୁଏ, କାର୍ଯ୍ୟ କରି ଫଳ ପାଇବାରେ କିଛି ମାତ୍ର ସୁଖ ନାହିଁ। ପ୍ରକୃତ ସୁଖ କାର୍ଯ୍ୟ କରିବା ଆଗରୁ ସେ ସମ୍ବନ୍ଧରେ ଯାହା କଳ୍ପନା ଜଳ୍ପନା କରାଯାଇଥାଏ, ତହିଁରେ। ତା’ମାନେ କାର୍ଯ୍ୟର ଫଳ ଆମ୍ଭେମାନେ କାର୍ଯ୍ୟ କରିବା ଆଗରୁ ପାଇଯାଇଥାଉ। ଚାଷୀ ବାପୁଡ଼ା ଯେତେବେଳେ ବିଲକୁ ହଳ ନିଏ, ସେତେବେଳେ କେତେପ୍ରକାର କଳ୍ପନା ନ କରେ? ତା’ ବିଲରେ ଏମିତି ଧାନ ହେବ, ସେ ତା’କୁ କେତେ ପଇସାରେ ବିକିବ, ସେ ପଇସା ପାଇଲେ କେତେ କଣ କରିବ, ଏଇସବୁ କଳ୍ପନାରେ ସେ ଜୀବନର କେତେ ବିଧା ଗୋଇଠା, କେତେ ଛି-ଛାକର ପିଠିକି ପକାଇ ନ ଦିଏ। ଯେତେବେଳେ ଧାନ ମୁଠାକ ଅମଳ କରି ଘରକୁ ନିଏ। ସେତେବେଳେ ତା’ମୁଣ୍ଡରେ ଯେପରି ପର୍ବତ ମାଡ଼ିଆସେ। ମାଲ ତ ଏତିକି ମହାଜନକୁ ଶୁଝିବି କେତେ, ଖଜଣା ଦେବି କେବେ, ହାତ ଉଧାରି ଶୁଝିବି କେତେ, ଆଉ ଖାଇବି କଣ? ଫସଲ ପାଇ ତା’ର ସୁଖ ନାହିଁ। ଯାହା କିଛି ସୁଖ ମାରିନେଇଥାଏ ସେ ଫସଲ ପାଇବା ଆଗରୁ, କିନ୍ତୁ ତା’ର ସେ ସୁଖ ମିଛ। ଖାଲି କଳ୍ପନାର କୁହୁକ, କେଳାର କାଉଁରୀ ଅନ୍ଧାର। କିନ୍ତୁ ଏଇ ମିଛଟା ଅର୍ଥାତ୍‌ କଳ୍ପନାର ଏଇ ଖେଳଟା ତା ଜୀବନର ଏକମାତ୍ର ଭରସା। ଏଇ ମିଛଟାକୁ ବାଦ୍‌ ଦିଅ, ତାକୁ କହ ଯେ, ବାପା! ତୁ ବର୍ଷ ସାରା ମାଟି ସାଙ୍ଗରେ ମାଟି ହୋଇ ମିଶିବୁ। ଯାହା ପାଇବୁ ସବୁ ଯିବ ପରର କୋଠି ପୁରେଇବାକୁ। ତୋ ପେଟରେ ଆଜି ଯେଉଁ ଓଦାକନା, ସେଦିନ ମଧ୍ୟ ସେଇ ଓଦାକନା। ଏଇଟା ହେଲା ନିରାଟ ସତ। ଏଇ ନିରାଟ ସତଟା ତମେ ଯଦି କହ, ତାହାହେଲେ ଚାଷୀ ମୁଣ୍ଡରେ ହାତଦେଇ ଘର କଣରେ ବସିବ। କହିବ – ଯା ହୋ, ଏମିତି ମରିବି ସେମିତି ମରିବି, କାମ କରିବି କାହିଁକି?