ଆଣ ତବ କର ସଖି, ଧରେ ମୁଁ ନିବିଡ଼େ
ଚାଲିବା ସରଣୀ ଖୋଜି, ଏ ସଂସାର ଭିଡ଼େ,
ଜୀବନ-ସଂଗ୍ରାମ କାଟି। ମିଥ୍ୟା, ବ୍ୟଭିଚାର,
ଦାରିଦ୍ର୍ୟ, ଲାଞ୍ଛନା, ଦୁଃଖ, ଦୈନ୍ୟ, ଅବିଚାର
ସମସ୍ତେ ଜିଣିବା, ଆତ୍ମା ଆତ୍ମାରେ ମିଶା
ଦୁର୍ଦ୍ଦିନ କାଟିବା ପରସ୍ପର ମୁଖ ଚାହିଁ।
ଯୁଗଳିତ ପ୍ରେମ ହେଲେ ବର୍ମ ଯୁଗଳର
ନ ଛୁଇଁବ ଦୁହିଙ୍କୁ ଏ ଦୁଃଖ ଜଗତର।
ଦୁହିଙ୍କର ପଦ-କ୍ଷତ ଦୁହିଙ୍କ ଲୋତକେ
ପୋଛିବା ଯଦି ଗୋ, ବ୍ୟଥା ତୁଟିବ କ୍ଷଣକେ,
ପ୍ରେମହୀନ ଏ ସଂସାରେ ବିତରି ପ୍ରଣୟ
ଆଘାତକୁ ଆଶୀର୍ବାଦ ଦେଇ ବିନିମୟ
ବଞ୍ଚିବା ଜୀବନ ଯଦି, ଆମ ଯିବା ପଥେ
ଈଶ୍ୱର ଫୁଟିବେ ପୁଷ୍ପ ସମ ପଛେ ପଛେ।
ମାୟାଧର ମାନସିଂହ
ଓଡ଼ିଆ ସାହିତ୍ୟରେ ପ୍ରେମ ଓ ପ୍ରଣୟର କବି ଭାବେ ପରିଚିତ ମାୟାଧର ମାନସିଂହ(୧୯୦୫-୧୯୭୩) ଜଣେ ବହୁମୁଖୀ ପ୍ରତିଭାଶାଳୀ ବ୍ୟକ୍ତିତ୍ବ। ବିପୁଳ କାବ୍ୟକୃତି ବ୍ୟତୀତ ବହୁ ନାଟକ ନାଟିକା, ମନନଶୀଳ ପ୍ରବନ୍ଧ, ସାହିତ୍ୟ ସମାଲୋଚନା, ଜୀବନୀ, ଆତ୍ମଜୀବନୀ, ଭ୍ରମଣବୃତ୍ତାନ୍ତ ଇତ୍ୟାତି ରଚନା କରି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି।
କବିଙ୍କ ଦ୍ବାରା ରଚିତ ‘ଧୂପ’, ‘ହେମପୁଷ୍ପ’, ‘ହେମଶସ୍ୟ’, ‘କୋଣାର୍କ’ ଆଦି କାବ୍ୟ ଗୋଟିଏ ଗୋଟିଏ ଚର୍ଚ୍ଚିତ ସୃଷ୍ଟି ଓଡ଼ିଶା ବାହାରେ ଓଡ଼ିଆସାହିତ୍ୟ ଓ ସଂସ୍କୃତିକୁ ପରିଚିତ କରିବା ନିମନ୍ତେ କବିଙ୍କ ଇଂରାଜୀ ଭାଷାରେ ଲେଖନୀ ଚାଳନା ଉଦ୍ୟମ ବେଶ୍ ପ୍ରଶଂସନୀୟ ହୋଇପାରିଥିଲା।
କ୍ରମେ ସବିଶେଷ →