ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ?
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ । ୧।

ତୋ ପୂର୍ବପୁରୁଷେ ଜୟ କରିଥିଲେ
ଗଙ୍ଗାଠାରୁ ଗୋଦାବରୀ,
ତାଙ୍କରି ଔରସେ ଜନ୍ମ ହୋଇ ତୁହି
କେଉଁ ଗୁଣେ ତାଙ୍କୁ ସରି? ।୨।

ତୁ ମନେ ଭାବୁଚୁ ତୋସାମଦ କରି
ବଢ଼ାଇବୁ ଜାତି ମାନ,
ତୋଷାମଦିଆର କୁକୁର ପ୍ରକୃତି
ଅଇଁଠା ପତରେ ଧ୍ୟାନ ।୩।

ତୋଷାମଦକାରୀ କ୍ଷିପ୍ର ଶ୍ୱାନ ପରି
ସହଜେ ଚିହ୍ନା ନ ଯାଏ,
ଭୃତ୍ୟ ଭାବଧରି ଗୋଡ଼ ଚାଟୁ ଚାଟୁ
ବିଷ ଲେପି ଦେଇଥାଏ ।୪।

ତୋଷାମଦ ଅଟେ ଅନ୍ଧାର ଗୋହିରି
ସ୍ୱାର୍ଥ ତହିଁ ଲୁଚି ବସେ,
ସରଳ ପଥିକ ବାଟରେ ଭେଟିଲେ
ଅଜ୍ଞାତରେ ତାକୁ ନାଶେ ।୫।

ଜାତିର ଉନ୍ନତି ହେବ କିରେ ଭାଇ
ସ୍ୱାର୍ଥକୁ ଜଗତ ମଣି,
ଗୋଦର ଗୋଡ଼ରେ ମାଉଁସ ଲାଗିଲେ
ଦେହର କି ଶୁଭ ଗଣି? ।୬।

ଜାତିର ଉନ୍ନତି ସେ କାହିଁ କରିବ
ସ୍ୱାର୍ଥେ ଯାର ବ୍ୟସ୍ତ ମନ,
ଶାଗୁଣା ବିଲୁଆ ଚିକିତ୍ସକ ହେଲେ
ଶବ କି ପାଇବ ପ୍ରାଣ? ।୭।

ଜାତି-ନଦିଘୋଷ ଚଳିବ କି ଭାଇ
ସ୍ୱାର୍ଥକୁ ସାରଥି କଲେ,
ଟାଣେ କିରେ ଗାଡ଼ି ଦାନାର ତୋବଡ଼ା
ଘୋଡ଼ା ମୁହେଁ ବନ୍ଧା ଥିଲେ? ।୮।

ସ୍ୱାର୍ଥର ବନିତା ଅଟେ ତୋଷାମଦ
ଭୟ ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର ।୯।

ଉଠରେ ଉଠରେ ଉତ୍କଳ ସନ୍ତାନ
ଉଠିବୁ ତୁ କେତେ ଦିନେ,
ପୁରୂବ ଗୌରବ ପୁରୂବ ସାହସ
ପଡ଼ିବ କି କେବେ ମନେ? ।୧୦।

ତୋହର ଜନନୀ ବୀର ପ୍ରସବିନୀ
ଧୂଳିରେ ପଡ଼ିଛି ଦେଖ,
ଜନ-ସମାଜରେ ଏ ମହୀ ମଧ୍ୟରେ
କିପରି ଦେଖାଉ ମୁଖ? ।୧୧।

ତୋ ପୂର୍ବପୁରୁଷ ସ୍ୱର୍ଗଧାମେ ଥାଇ
ଭୋଗୁଛନ୍ତି ମନସ୍ତାପ,
ତାଙ୍କରି ଜୀବନ କରି ବି ସ୍ମରଣ
କରୁଛୁ ତୁ ମହାମାପ ।୧୨।