ପ୍ରାୟ ଫଗୁଣ ମାସ ଶେଷ ସରିକି, ଉଦୁଉଦିଆ ଖରାବେଳେ ବୁଢ଼ାଟିଏ ଗୋଟିଏ ଗାଁ ମଝିରେ ଯାଉଥିଲା। ଷାଠିଏ ବରଷର ବୁଢ଼ା, ଦାନ୍ତଗୁଡ଼ାକ ସବୁ ପଡ଼ିଗଲାଣି, ମୁଣ୍ଡବାଳ ତେଣିକି ଥାଉ, ଛାତି ବାଳଗୁଡ଼ାକ ପାଚି ଧୋବ ଫରଫର ଦିଶୁଛି। ବୁଢ଼ା ମୁଣ୍ଡରେ ଗୋଟିଏ ଟୋକେଇ, ଧୂଳିରେ ଆଣ୍ଠୁଯାକେ ବୁଡ଼ିଛି, ଅଷ୍ଟାଙ୍ଗ ଶରୀର ଝାଳରେ ବୁଡ଼ି ଗୋଡ଼ ବାଟେ ବହି ଯାଉଛି।

ଗାଁ ମୁଣ୍ଡରେ ଗୋଟିଏ ଘର। ପକ୍କା ପିଣ୍ଡା, ସାତଶେଣିଆ ଛପର, ଯାଉଁଳି କବାଟ। ବୁଢ଼ା ସେହି ପିଣ୍ଡାରେ ବୋଝଟି ଥୋଇ ଦେଇ, ନଥ୍‌ କରି ବସି ପଡ଼ିଲା। କିଛିକ୍ଷଣି ପରେ ସେ ଘରୁ ଗୋଟିଏ ଦାସୀ ବାହାରି ଆସିଲା। ଦାସୀ ବୁଢ଼ାକୁ ଚିହ୍ନେ। ପଚାରିଲା, କିହୋ ଶଙ୍ଖାରି ପୁଅ, ଶଙ୍ଖା ଆଣିଛ କି? ବୁଢ଼ା ଉତ୍ତର କଲା, ହଁ। ପୁଣି କହିଲା, ଝିଅ ଟୋପାଏ ପାଣି ଦିଅନ୍ତୁ, ବୁଢ଼ାମଣିଷ, ଖରାରେ ତଣ୍ଟି ଶୁଖି ଗଲାଣି। ଦାସୀ ପାଣି ଆଣିବାକୁ ଚାଲିଗଲା।

କିଛିକ୍ଷଣ ପରେ ଲୋଟାଏ ପାଣି ଘେନି ଦାସୀ ଫେରି ଆସି ବୁଢ଼ା ପାଖରେ ଥୋଇଦେଲା। ବୁଢ଼ା ଉପରକୁ ଆଁ କରିଦେଇ ଢକ ଢକ କରି ଅଧଲୋଟାଏ ପାଣି ଟେକିଦେଲା। ପାଣି ପିଇ ସାରି ବୁଢ଼ା ଚଉରସ ନିଶ୍ବାସଟିଏ ମୁହଁ ବାଟେ ପକାଇ କହିଲା, ‘ଝିଅ, ତୋର ବଡ଼ ଧରମ ହେଲା।’ ଦାସୀ କହିଲା, ‘ହଉ ହେଲା ତ ହେଲା ପଛକେ, ଚାଲ ବହୁ ସାଆନ୍ତାଣୀ ଡାକୁଛନ୍ତି, କିମିତିକା ଶଙ୍ଖା ଅଛି ଦେଖିବେ।’ ବୁଢ଼ା ଟୋକେଇଟି ନେଇ ଉଠିଲା। ସଦର ଦରଜା ପାରି ହେଲେ ଭିତରେ ପକ୍କା ବାହାର, ସାମନାରେ ଚଉପାଢ଼ି, ବାଆଁ ପାଖକୁ ଭିତର ଆଡ଼ ଦୁଆର। ସେ ଦୁଆର ପାଖରେ ଓଢ଼ଣା ଦେଇ ବୋହୂଟିଏ ଛିଡ଼ା ହୋଇଥିଲା। ବୁଢ଼ା ଯାଇ ଟୋକେଇଟି ଥୋଇ ଛିଡ଼ା ହେଲା। ବୋହୂଟି ଧୀରେ ଧୀରେ ଦାସୀକି କହିଲା, ‘କି ଶଙ୍ଖା ଅଛି ପଚାର ମ।’ ଦାସୀ ଟିକିଏ ମୁଖରା। ସେ କହିଲା, ‘ଛି ମ, ବୁଢ଼ା ମଣିଷଟାକୁ ଏତେ ଲାଜ। ନିଜେ ଟୋକେଇରୁ ଆସି ଦେଖୁନାହଁ?

କଥାଟା ମନକୁ ଆସିଲା। ବୋହୂଟି ଓଢ଼ଣା ଅଧେ ଟେକି ଦେଇ ମୁରୁକି ମୁରୁକି ହସି ହସିକା ବାହାରି ଆସି ଟୋକେଇ ପାଖରେ ଛିଡ଼ା ହେଲା। ବୋହୂଟିର ମୁହଁ ଦିଶିଗଲା। ମୁହଁଟି ଚକି କାଟି ଦେଲା ପରି ଗୋଲ୍‌ ଆଉ ଚମ୍ପାଫୁଲ ପରି ଗୋରା। ଚାରି ଆଙ୍ଗୁଳି ଓସାର, ନାଲି, ତହିଁରେ ମୟୂରକଣ୍ଠିଆ କସ୍ତା ଖଣ୍ଡିକ ଗୋଇଠି ଯାଏ ଲମ୍ବିଛି। ତା’ ଭିତର ଦେଇ ବୋହୂଟିର କଞ୍ଚାସୁନା ପରି ଗୋରା, ଗୋଟିଏ ଚାଉଳରେ ଗଢ଼ା, ଦେହଟି ଫୁଟି ଦିଶୁଛି। ବୁଢ଼ାର ଆଖି ପୂରି ଉଠିଲା। ଏତେ ସୁନ୍ଦର, ଏଡ଼େ ନିଜର ବୋହୂଟିଏ ସେ କେବେ ଦେଖିନାହିଁ। ବୁଢ଼ା ଆଉ ଆଖି ଫେରାଇ ପାରିଲା ନାହିଁ। ଏକା ଧ୍ୟାନରେ ତାକୁ ଚାହିଁ ରହିଲା।

ବୁଢ଼ାର ଇଚ୍ଛା କ’ଣ କହିବ ବୋଲି, କିନ୍ତୁ ପାଟିରୁ କଥା ଫୁଟିଲା ନାହିଁ। କେତେବେଳେକେ ବୁଢ଼ା ମୁହଁ ଫିଟାଇ କହିଲା, ‘ମା’ କି ଶଙ୍ଖା ନବୁ ନେ।’ ମା’ ବୋଲି ଡାକି ଦେଲାକ୍ଷଣି ବୁଢ଼ାର ଛାତି କୁଣ୍ଢେ ମୋଟ ହୋଇଗଲା। ବୋହୂଟି ନାଜ ଛାଡ଼ି ଦେଇ କହିଲା, ‘ଅସ୍‌ମାନ୍‌ତାରା ଶଙ୍ଖା ଅଛି?’ ଓଃ ଏଡ଼େ ମିଠାକଥା। ଏପରି କଥା ତ କେହି କହେ ନାହିଁ। ବୁଢ଼ାର କାନରେ ସେ ସ୍ବରଟା ଥରକୁ ଥର ବାଜିବାକୁ ଲାଗିଲା। ବୁଢ଼ା କହିଲା, ‘ନା, ମା, ରଙ୍ଗଝଲିରି, ବଉଳଫୁଲିଆ, ବିଛାମାଳିଆ, ଚୁନଟିପି ଏହିସବୁ ଅଛି। ଏହିଥିରୁ ଯାହା ନବୁ ମା, ମୁଁ ଆସ୍‌ମାନ୍‌ତାରା ତିଆରି ହେଲେ ଆଣିଦେବି।’

ବୋହୂଟି ଦେଖି ଦେଖି ମୁଠାଏ ଶଙ୍ଖା ପସନ୍ଦ କଲା। ତେବେ ସେ ମୁଠାକ ହାତକୁ ହେବ କି ନାହିଁ କିଏ କହିବ? ଏହି ସମୟରେ ‘ବୁଢ଼ା କହିଲା, ଦେ ମା’, ହାତ ଦେ, ମୁଁ ଶଙ୍ଖା କଛି ଦିଏ।’ ବୋହୂଟି ହଠାତ୍‌ ହାତ ବଢ଼ାଇ ଦେଉଛି ବା କିପରି? ଟିକିଏ ଇତସ୍ତତଃ କଲା। ବୁଢ଼ା କହିଲା, ‘ମା’, ମୋତେ ନାଜ କରୁଛୁ? ମୁଁ ପରା ତୋ ପୁଅ। ପୁଅକୁ ମା’ ନାଜ କରେ ନା?

ଦାସୀ ଏହି ସମୟରେ ଠୋ ଠୋ କରି ହସି ଦେଇ କହିଲା, ‘ବୋହୂ ସାଆନ୍ତାଣୀଏ, ଆଛା ବୁଢ଼ା ପୁଅଟିଏ ପାଇଲ ଏକା, କପାଳ ତ!’ ବୋହୂଟି ପୁଣି ହସି ଦେଇ କହିଲା, ‘ଦୂର୍‌।’

ବୋହୂଟି ହାତ ବଢ଼ାଇଦେଲା। କେଡ଼େ ଟିକିଏ ଟିକି ହାତଟି। କେଡ଼େ ସୁନ୍ଦର ଗୋଲ। ଆଙ୍ଗୁଳିଗୁଡ଼ିକ ଚମ୍ପାକଢ଼ି ପରି। ପାପୁଲିଟି ଟୁଳ୍‌ ଟୁଳ୍‌ ହେଉଛି। ଶଙ୍ଖାଗୁଡ଼ିକ କି ସୁନ୍ଦର ଦିଶୁଛି। ଏ କ’ଣ ମଣିଷର ହାତ? ନା, କେହି କାରିଗର ଠାକୁର ଗଢ଼ିଛି? ସେ ହାତକୁ ବୁଢ଼ା ତା’ର ମଳିଆ, ରୁକ୍ଷ ହାତରେ ଧରିବାକୁ ସାହସ କଲା ନାହିଁ। ତା’ପରେ ବାଁ ହାତରେ ଥିରକରି ହାତଟି ଧରି ପରେ ଶଙ୍ଖା କିଛି କାଢ଼ିଲା। ଏ ହାତ, ଶଙ୍ଖାରେ କାଳେ କଟିଯିବ, ରକତ ବାହାରି ପଡ଼ିବ ଯେ! ପୁଣି ଟିକିଏ ରହିଲା। ପୁଣି ଶଙ୍ଖାପଟିଏ ଆଣି ଧୀରେ ଧୀରେ ଅତି ସନ୍ତର୍ପଣରେ, ଅତି ସାବଧାନତାର ସହିତ ସେ ପଟକ କଛି ନେଲା। ସେ ହାତଟି ଧରିଥିଲା ବେଳେ ବୁଢ଼ାର ଆନନ୍ଦର ସୀମା ରହୁ ନ ଥାଏ। ଯେପରି ତା’ର ଜୀବନର ସମସ୍ତ ସୁଖ, ସମସ୍ତ ଆଶାର ସେହିଠାରେ ତୃପ୍ତି। ସେ ହାତକୁ ପୁଣି ଛାଡ଼ି ଦେବାକୁ ହେଲା। ବୁଢ଼ା ଭାବିଲା, ମୁଁ ପ୍ରତିଦିନ ଏହିପରି ଏ ହାତରେ ଶଙ୍ଖା ପିନ୍ଧାନ୍ତି କି!

ଏହି ସମୟରେ ସେ ଘରର ସାଆନ୍ତାଣୀ ସେଠାରେ ଆସି ପହଞ୍ଚିଲେ। ଶାଶୁଙ୍କୁ ଦେଖି ବୋହୂଟି ଓଢ଼ଣା ଟାଣିଦେଇ ପଳାଇଲା। ଶାଶୁ ଦାସୀକୁ ପଚାରିଲେ, ‘‘କି’ ଲୋ, ଶଙ୍ଖା କିଣୁଥିଲୁ କି?’’

ଦାସୀ କହିଲା, ‘ହଁ, ବୋହୁ ସାଆନ୍ତାଣୀ ଏହି ମୁଠାକ ନେବେ ବୋଲି କହୁଛନ୍ତି।’

ଶାଶୁ କହିଲେ, ‘ଦାମ୍‌ କେତେ?’
ବୁଢ଼ା-ଶଙ୍ଖାମୁଠାକ, କି ଦାମ୍‌?
ଶାଶୁ-ଫେର୍‌, କେତେ ଦେବି?
ବୁଢ଼ା-ମା’ଠଉଁ ମୁଁ କ’ଣ ଦାମ୍‌ ନେବି?

ଦାସୀ ହସି ହସି କହିଲା, ‘ସେଇ ପିଲାଟି ବୋହୂ ସାଆନ୍ତିଣୀଙ୍କ ପୁଅ ହୋଇଛି।’ ଶାଶୁ ବି ହସିଲେ। ଆଛା, ଏଥର ଦାମ୍‌ ନେଇଥାଅ, ଆଉ ଥରକୁ ପଛେ ଖାଲି ଦେଇଯିବ। ତମେ ଗରିବ ଲୋକ।
ବୁଢ଼ା- ନା’, ନା’, ମୋ ମା’କୁ ମୁଁ ତ ଦେଇଛି; ମୁଁ ଆଉ ଦାମ୍‌ ନେବିନାହିଁ। ଶଙ୍ଖାମୁଠାକ ଲାଗି ମୁଁ ଗରିବ ହୋଇଯିବି ନାହିଁ।’

ଏହା କହି ଶଙ୍ଖାରି ଶଙ୍ଖାମୁଠାକ ରଖି ଦେଇ ବୋଝଟି ଧରି ଏକାବେଳକେ ଚାଲିଗଲା! ଆଉ ଡାକିଲେ ଶୁଣିଲା ନାହିଁ। ଦାସୀ ପଛରେ ଗୋଡ଼େଇ ଗୋଡ଼େଇ ଗଲା; କିନ୍ତୁ ସେ ଆଉ ଫେରି ଚାହିଁଲା ନାହିଁ।

ବୁଢ଼ା ଆଉ କହିପାରିଲା ନାହିଁ। ଗାମୁଛାରୁ ତା’ର ବଡ଼ ଯତ୍ନର ବଡ଼ ଶରଧାର ଶଙ୍ଖା ମୁଠିକ ଫିଟାଇ ପକାଇ ବାହାରେ କଚାଡ଼ି ଦେଲା।

ସେହି ଦିନଠଉଁ ସେ ବୁଢ଼ା ଶଙ୍ଖାରି ଦୁଇଦିନେ ତିନିଦିନେ ସେ ଗାଁକୁ ଆସେ। ଶଙ୍ଖାଟା କ’ଣ ଗୋଟାଏ ନିତିଦିନିଆ ଦରବ ଯେ, ଲୋକେ ରୋଜ କିଣିବେ! ଅକାଳେ ସକାଳେ, ପୂନେଇ ପରବରେ ସିନା କିଏ ନୂଆ ଶଙ୍ଖା ଖୋଜେ। ବୁଢ଼ାଟା ଖାଲି ଘର ଘର ବୁଲି ଫେରିଯାଏ; କିନ୍ତୁ ଶଙ୍ଖା ବିକ୍ରୀ ତ ବୁଢ଼ାର ଉଦ୍ଦେଶ୍ୟ ନୁହେଁ। ସିଏ ଆସେ ତା’ର ସେହି ନିଜ ମା’ଟି କୁ ଦେଖିବା ପାଇଁ। ଯେଉଁ ଦିନ ଆସେ, କାହାରିକୁ ନ କହି ଦୁଆରଯାକେ ଚାଲିଆସେ। ବୋଝ ରଖିବାକୁ ହୁଏ ନାହିଁ। ଖାଲି ପାଟିକରି ଡାକିଦିଏ, ‘‘ନୂଆ ଶଙ୍ଖା ନବ?” ତା’ପାଟି ଶୁଣିଲାକ୍ଷଣି ବୋହୂଟି କୁଆଡ଼େ ଥାଏ, ଆସି ଦୁଆର ପାଖରେ ଟିକିଏ ଛିଡ଼ା ହୁଏ। ବୁଢ଼ାଟି ଟିକିଏ ଅନାଏ, ଚାହିଁଦେଲାକ୍ଷଣି ବୁଢ଼ାର ମନ ପୂରିଉଠେ। ପଚାରେ, ‘‘ମା’ ଆଉ ଶଙ୍ଖା ନବୁ?” ବୁଢ଼ାର ଇଛା କାଳେ ନବାକୁ କହିବ, ତାହେଲେ ତା’ ମା’ର ଚମ୍ଫାଫୁଲିଆ ସୁନ୍ଦର ହାତଟିରେ ସେ ଶଙ୍ଖା କିଛି ଦେବ। କିନ୍ତୁ ବୋହୂଟି ମୁଣ୍ଡ ହଲାଇ ଦିଏ। ବୁଢ଼ା ଫେରି ଚାଲିଯାଏ।

ଦିନେ ଦିନେ ଯଦି ବୋହୂଟିର ଆସିବାକୁ ଡେରିହୁଏ, ସେ ଦାସୀଟି ହୁରି କରିଦିଏ, “ବୋହୂ ସାଆନ୍ତାଣୀଏ, ତମ ପୁଅ ଅଇଲାଣି।’’ ବୁଢ଼ା ଦୁଇଥର ‘ନୂଆ ଶଙ୍ଖା ନେବ’ ବୋଲି ଡାକିଲାରୁ ତା’ ମା’ଟି ଆସି ଛିଡ଼ା ହୁଏ। ବୁଢ଼ା ଯେଉଁ ଦିନ ଆସେ, ପ୍ରାୟ ଏହି କଥା ଏହି ଅଭିନୟ ନିତିନିତି। ବୁଢ଼ା ଫେରିଲାବେଳକୁ ଭାବେ, ମା’ର ଆସ୍‌ମାନ୍‌ତାରା ଶଙ୍ଖା ଉପରକୁ ମନ, କେବେ ସେଥିରୁ ମୁଠାଏ ଆଣିଦେବି। ଶେଷରେ ଠିକ୍‌ କଲା ଆସନ୍ତା ରଜସଙ୍କ୍ରାନ୍ତି ବେଳକୁ ଯୁଆଡ଼ୁ ହେଲେ ମା’ ଲାଗି ଆସ୍‌ମାନ୍‌ତାରା ମୁଠାଏ ଆଣିବି, ମା’ ନୂଆ ଶଙ୍ଖା ନାଇବ। ମୋତେ ହାତ ଦେଖାଇବ। ମୁଁ ଶଙ୍ଖା କିଛି ଦେବି। ଏହା ଭାବିଲା କ୍ଷଣି ବୁଢ଼ାର ମନ ଭାରି ଉତ୍‌ଫୁଲ୍ଲ ହୋଇଯାଏ। ବୁଢ଼ା ରଜ ସଂକ୍ରାନ୍ତିକୁ ଚାହିଁ ରହିଥାଏ। ରଜସଙ୍କ୍ରାନ୍ତିଟି ଏଥର ତା’ର ଭାରି ଆନନ୍ଦର ଦିନ, ତା’ ମା’ ଲାଗି ସେ ଆସ୍‌ମାନ୍‌ତାରା ଶଙ୍ଖା ଆଣିବ, ମା’ କେଡ଼େ ଖୁସି ହେବ।

ବୈଶାଖ ମାସ ହେଲା। ବୁଢ଼ା ଲୋକ, ଏଥିରେ ଖରାରେ ରୋଜ ବାଟଚଲା, ପାଣି ପିଆ, ଦେହରେ ସହିଲା ନାହିଁ। ବୁଢ଼ାକୁ ଜ୍ବର ହେଲା। ଦେଖୁଁ ଦେଖୁଁ ଭାରି ଜ୍ବର। ଗୋଡ଼ ହାତ ଫୁଲିଗଲା। ସମସ୍ତେ କହିଲେ, ଆଉ ବଞ୍ଚିବ ନାହିଁ। ବୁଢ଼ାର କିନ୍ତୁ ସେ ଦିଗକୁ ଭାବନା ନାହିଁ। ସେ ସବୁବେଳେ ଭାବି ହେଉଥାଏ ଯେ କେଉଁ ଦିନୁ ସେ ମା’କୁ ଦେଖିବାକୁ ଯାଇନାହିଁ। ସେଥିପାଇଁ ମନଟା ଆଉଟି ପାଉଟି ହେଉଥାଏ।

ଦେଖୁ ଦେଖୁ ରଜ ସଂକ୍ରାନ୍ତି ଆସି ପାଖ ହୋଇଗଲା। ବୁଢ଼ା ଦୁଇମାସ ହେଲା ମା’କୁ ଦେଖିବାକୁ ଯାଇନାହିଁ। ଚାଲି ପାରୁଥିଲେ ଯିମିତି ହେଲେ ଦେଖି ଆସୁଥାଆନ୍ତି। କିନ୍ତୁ ରଜକୁ ତ ଆସ୍‌ମାନ୍‌ତାରା ଶଙ୍ଖା ମୁଠାଏ ନିଶ୍ଚୟ ଦେବାକୁ ହେବ। ବୁଢ଼ା ଅନେକ କଷ୍ଟରେ ଉଠି ବସି ନିଜ ହାତରେ ଶଙ୍ଖା ତିଆରି କଲା। ଆଉ କେହି କରିଦେଲେ କାଳେ ମା’ ମନକୁ ନଆସିବ। ଷାଠିଏ ବର୍ଷ କାଳ ଶଙ୍ଖା ଗଢ଼ି ଗଢ଼ି ସେ ଯେତେ ହାତ ସଫେଇ ହାସଲ କରିଥିଲା, ସବୁ ସେଥିରେ ଲଗାଇଲା। ଦିନର କାମ ଚାରିଦିନ ଲାଗୁ ପଛକେ, କାମଟି କିମିତି ସରସ ହେଉ। ରଜ ଦୁଇଦିନ ଥାଇ କାମ ନିକାଶ ହେଲା। ମନ ଘେନି ଫଳ। ଏପରି ଗଢ଼ଣରେ ଶଙ୍ଖା ତା’ ଜୀବନରେ ତା’ ହାତରେ କେବେ ଉତୁରି ନାହିଁ। ଶଙ୍ଖା ଦେଖି ବୁଢ଼ାର ମନ ଭାରି ଖୁସି, ତା’ ମା’ ହାତକୁ ଏ ଶଙ୍ଖାମୁଠିକ ଖୁବ୍‌ ମାନିବ।

ରଜ ଆଗଦିନ ପହିଲି ରଜ। ଆଜି ଝିଅବୋହୂ ନୂଆ ଶାଢ଼ୀ ପିନ୍ଧନ୍ତି। ରାତିସାରା ବୁଢ଼ାର ନିଦ ନାହିଁ। ସକାଳୁ ଉଠି ବୁଢ଼ା ଭାବିଲା, ମୁଁ ତ ଚାଲିପାରୁନାହିଁ, କ’ଣ କରିବି? ଆଉ କିଏ ନେଇଗଲେ ତ ହେବନାହିଁ। ମା’କୁ ଢେର ଦିନୁ ଦେଖିନାହିଁ, ସତେ କ’ଣ ଏଥିରୁ ବଞ୍ଚିବି ଯେ, – ଥରେ ଦେଖିଆସେ। ଆଉ ମା’ର ସେହି ହାତରେ ଶଙ୍ଖା କଛି ଦେବି। ମା’ର ହାତଟି ମନେ ପଡ଼ିଗଲାକ୍ଷଣି ବୁଢ଼ାର ଗଦାଏ ବଳ ଆସିଲା। ବୁଢ଼ା ସଅଳ ସଅଳ ମୁଠାଏ ଖାଇ ଦେଇ, ଶଙ୍ଖାମୁଠିକ ଗାମୁଛାରେ ବାନ୍ଧି ବାହାରିଲା। ଅତି କଷ୍ଟରେ ଭଡ଼ାଏ ଭଡ଼ାଏ ପାଦ ପକାଇ ଚାଲିଥାଏ। ପାଞ୍ଚକୋଷ ବାଟ ପହୁଞ୍ଚିଲାବେଳକୁ ବେଳ ଗଡ଼ି ଗଲାଣି।

ବୁଢ଼ା ଯାଇ ଯେଉଁଠାରେ ଛିଡ଼ା ହୋଇ ଡାକୁଥିଲା, ସେହିଠାରେ ଛିଡ଼ା ହେଲା। ମନରେ କେତେ ଆନନ୍ଦ, କେତେ ଉତ୍ସାହ। ଡାକିଲା, ‘ଶଙ୍ଖା ନେବ’? କେହି ଶୁଣିଲେ ନାହିଁ। ପୁଣି ଡାକିଲା, ‘ମା’ ଲୋ! ଶଙ୍ଖା ନବୁ ପରା? ତେବେ ବି କେହି ଆସିଲେ ନାହିଁ। ବୁଢ଼ା ଅଧୀର ହୋଇପଡ଼ିଲା। ଦୁଇଥର ଡାକି ସାରିଲାଣି, କେହି ଜବାବ ପଦେ ଦେଉନାହିଁ। ଥରେ ଡାକିଲେ ତ, ମା’ ତାର ଆସି ଦୁଆରବନ୍ଧ ପାଖରେ ଛିଡ଼ା ହୋଇଯାଉଥିଲା। ପୁଣି ଡାକିଲା, ‘‘ମା’ ମୁଁ ଆସିଛି। ଶଙ୍ଖା ଆଣିଛି ତୋ ପାଇଁ। ଏଇଥର ସାଆନ୍ତାଣୀ ନିଜେ ବାହାରି ଆସିଲେ, ତାଙ୍କ ପଛେ ପଛେ ସେହି ଦାସୀ। ସାଆନ୍ତାଣୀଙ୍କୁ ଦେଖି ବୁଢ଼ା କହିଲା, ମୋ ମା’ କାହିଁ? ମୁଁ ତା’ ପାଇଁ ଆସ୍‌ମାନ୍‌ତାରା ଶଙ୍ଖା ଆଣିଛି ରଜରେ ପିନ୍ଧିବ।” ଦାସୀ ତ ଏତେବେଳକୁ ହୁରି କମ୍ପାଇ ଦିଅନ୍ତାଣି, ସେ କିଛି କହିଲା ନାହିଁ। ସାଆନ୍ତାଣୀ ଧୀରେ ଧୀରେ କହିଲେ, “ନା, ଶଙ୍ଖା ଲୋଡ଼ାନାହିଁ।” ବୁଢ଼ା କହିଲା, “ନା, ନା, ମୁଁ ମୋ ମା’ ଲାଗି ବଡ଼ ଶରଧାରେ ଆଣିଛି।”

ସାଆନ୍ତାଣୀ- ଯା, ଶଙ୍ଖା କେହି ନେବେ ନାହିଁ।
ବୁଢ଼ା-ହଉ, ଶଙ୍ଖା ନନେଲେ ନାହିଁ, ମୋ ମା’କୁ ଥରେ ଡାକିଦିଅ, ମୁଁ ଦେଖିବି। କେଉଁ ଦିନରୁ ଦେଖିନାହିଁ।

ସାଆନ୍ତାଣୀ – ‘ଦେଖା ହୋଇପାରିବ ନାହିଁ।’
ବୁଢ଼ା ମୁଣ୍ଡରେ ବଜ୍ର ପଡ଼ିଲା- ‘ଦେଖା ହୋଇ ପାରିବ ନାହିଁ। ମୋ ମା’କୁ ମୁଁ ଥରେ ଦେଖି ପାରିବି ନାହିଁ? ବୁଢ଼ାର ଆଖି ଛଳଛଳ ହୋଇ ଉଠିଲା।’ ସେ କାନ୍ଦ କାନ୍ଦ ହୋଇ କହିଲା, ‘ଥରଟିଏ ଦେଖିବି, ମୁଁ ଆଉ ବଞ୍ଚିବି ନାହିଁ।’

ସାଆନ୍ତାଣୀ ଦାସୀକୁ କହିଲେ, ‘ଯା, ବୋହୂକୁ ଡାକି ଦେ।’ ଦାସୀ ଚାଲିଗଲା। କିଛିକ୍ଷଣ ପରେ ବୋହୁ ଆସି ଦୁଆର ପାଖେ ଛିଡ଼ା ହେଲା। ସେଇଠି ସେ, ସବୁଦିନେ ଛିଡ଼ା ହୁଏ। ଆସିଲା ବେଳକୁ ଝୁମୁରୁଝୁମୁରୁ ହୋଇ ଚାଲିଆସେ। ଛିଡ଼ା ହୋଇ ବୁଢ଼ାକୁ ଚାହିଁଦିଏ। ତା’ର ହସହସ ମୁହଁଟି ଦେଖି ବୁଢ଼ାର ଆନନ୍ଦର ସୀମା ରହେନାହିଁ। ଆଜି ନିଃଶବ୍ଦରେ ଆସି ଛିଡ଼ା ହେଲା। ସେ ଚାରିଅଙ୍ଗୁଳି ଲେଖାଏଁ ନାଲି ଶାଢ଼ି ନାହିଁ କି କୁମ୍ଭ କିନାରୀ ଦକ୍ଷିଣୀ ପାଟ ନାହିଁ। ଗୋଡ଼ ଦୁଇଟା ଲଙ୍ଗଳା, ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା।

ବୁଢ଼ାର ଦେହ ଥରି ଉଠିଲା, ମୁଣ୍ଡ ଘୁରିଗଲା। ବୁଢ଼ା ଆଖି ବୁଜି ପକାଇଲା। ପୁଣି ଚାହିଁ ଦେଲାବେଳକୁ ତା’ର ସେହି ହାତଟି ଦିଶିଲା, ହାତରେ କିଛି ନାହିଁ। ବୁଢ଼ା ଭୋ ଭୋ କରି ରଡ଼ିକରି ଉଠିଲା। ବୋହୂଟି ଫେରି ପଡ଼ି ଚାଲିଗଲା। ବୁଢ଼ା କହିଲା, ମା’ ମା’। ବୁଢ଼ା ଆଉ କହିପାରିଲା ନାହିଁ। ଗାମୁଛାରୁ ତା’ର ବଡ଼ ଯତ୍ନର ବଡ଼ ଶରଧାର ଶଙ୍ଖା ମୁଠିକ ଫିଟାଇ ପକାଇ ବାହାରେ କଚାଡ଼ି ଦେଲା। ଶଙ୍ଖାମୁଠାକ ଯାକ ଚୁନା ହୋଇଗଲା। ତହୁଁ ସେ ଏକାମୁହାଁ ହୋଇ ଫେରିଚାଲିଗଲା । ଦାସୀ ଓ ଶାଶୁ ରଡ଼ି କରି ଉଠିଲେ।