ଆଜି ଗାଇବି, ଆଜି ଗାଇବି,
କଳିଙ୍ଗ ମାତାର ଜୟ।
ଆଜି ଉଠିବି, ଆଜି ଉଠିବି
ତେଜି ମୋ’ ଜଡ଼ତା ଭୟ।
ନୁହେଁ ମୁହିଁ ହୀନ ନୁହେଁ ମୁହିଁ ଦୀନ
ନୁହେଁ ଆଧୁନିକ, ନୁହେଁ ଅର୍ବାଚୀନ,
ଶୋଣିତେ ବୀରତ୍ୱ ବହେ ଯୁଗେ ଯୁଗେ,
ପାଇ ନାହିଁ ତାହା ଲୟ।
ଗିରି ଗୁହା ମାନ ମୁକ ସାକ୍ଷୀ ମୋର,
ମୁଁ ଆର୍ଯ୍ୟ ସନ୍ତାନ ନୁହେଁ ମୁଁ ବର୍ବର
ଯାଉ ଅବସାଦ ଯାଉ ମୋ’ ବିଷାଦ,
ଉଠିବି ଗାଇ ମୁଁ ଜୟ
ମାତା କଳିଙ୍ଗର ଜୟ।
ଐର ଖାରବେଳ, ସିଂହ ଗଜପତି
ନବକୋଟି ବର୍ଗେଶ୍ୱର ଯା’ ଭୂପତି,
ସେ ତ ମୋର ଜାତି ମୁଁ କି ହୀନ ଅତି
ମୁଁ ଯେ ଶୁର ତେଜୋମୟ
ଉଠିବି ଗାଇ ମୁଁ ଜୟ।
ମାତା କଳିଙ୍ଗର ଜୟ। ମାତା କଳିଙ୍ଗର ଜୟ।
-x- -x- -x-
ବି.ଦ୍ର: ଉକ୍ତ କବିତାଟି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କଦ୍ୱାରା ୧୯୨୭ ମସିହାରେ ଲିଖିତ ଓ ପ୍ରକାଶିତ ପୁସ୍ତକ “ଅର୍ଚ୍ଚନା”ରୁ ଆନୀତ।