
ନାନୀ କହିଛି କାଲି ଗାଧୁଆବେଳେ ଭୋଜି-ସେ ନାନୀ ସାଙ୍ଗରେ ଇସ୍କୁଲୁକୁ ଯିବ।
ରାତିଯାକ ବିନ ଆଖିରେ ନିଦ ନାହିଁ। ଥରକୁ ଥର ମା’କୁ ନିଦରୁ ଉଠେଇ ପଚାରୁଛି ସକାଳ ହେଲାଣି କି ନାହିଁ। ନାନୀ କହିଛି ଆଜି ତାକୁ ଇସ୍କୁଲୁକୁ ନେଇଯିବ। କେତେ ପିଲାଙ୍କ ସାଙ୍ଗରେ ଚିହ୍ନା କରେଇ ଦେବ। ବିଛଣାରେ ପଡ଼ି ପଡ଼ି ବିନ ଭାବୁଛି ସେଇ କଥା। ହଠାତ୍ ଧଡ୍ପଡ଼ ହୋଇ ଉଠିବସି ମା’କୁ ହଲାଇ ଦେଲା “ମା’ ମା’, ଉଠ୍…. ସକାଳ ହେଲାଣି, କାଉ ରାବିଲାଣି ପରା।”
ନିଦ ମଳମଳ ଆଖିରେ ଖିଡ଼ିକି ଆଡ଼େ ଚାହିଁ ମା’ ଜବାବ ଦେଲା “ ଓଃ, ଏ ଛୁଆଟା ମଣିଷକୁ ଟିକେ ଶୋଇଦବ ନାହିଁ… ଏଡ଼େ ଅନ୍ଧାର ଅଛି, ସକାଳ କୋଉଠି ହେଲା… ହଇରେ? ”
– “ହଁ ଗୋଟାଏ କାଉ ବୋବେଇଛି-ମୁଁ ସଫା ଶୁଣିଛି।” ମା’ ଅଳସ ଭାଙ୍ଗୁ ଭାଙ୍ଗୁ ବିନ ରମାକୁ ଡାକିଲା “ ନାନୀ, ନାନୀ, ସକାଳ ହେଲାଣି….ଉଠିବୁ ନାଇଁ କିଲୋ? ଏ ନାନୀ -’’
କବାଟ ଖୋଲି ତିନିହେଁ ଯାକ ପଦାକୁ ଆସିଲେ। ମା’କୁ ବିନର ବରାବର ତାଗିଦା, ଆଗେ ତା’ କାମ ସାରି, ତା ପରେ ଯାଇଁ ଯୋଉ କଥା ହେବ।
ପୋଖରୀର ପଥର ଉପରେ ବସି, ହାତରେ ଖଣ୍ଡେ ଝାମା ଧରି, ବିନ ନିଜ ଦେହକୁ ରଗଡ଼ଉଛି, ଆଉ ମଝିରେ ମଝିରେ ପ୍ରଶ୍ନ କରୁଛି-ମା’ ଏଥର ମୁଁ ଗୋରା ଦୁଶିଲି? ମା’ ଯେତେ କହିଲେ ବି ବିନର ମନ ମାନୁନାହିଁ। ସେ ଆହୁରି ବେଶୀ ରଗଡ଼ି ହେଉଛି। ଶେଷରେ ବିନ ଜିଦ୍ ଧରି ବସିଲା ପାଖକୁ ଆସି ଦେଖିଯିବାକୁ। ବାସନମଜା ଛାଡ଼ି ମା ଆସି ଦେଖିଲା ଝାମା ଇଟାରେ ଦେହର ନରମ ଚମ ଆଞ୍ଚୁଡ଼ି ହୋଇ ଲାଲ ପଡ଼ିଗଲାଣି। ପୁଅ ହାତରୁ ଝାମା ଖଣ୍ଡକ ଟାଣି ନେଇ ମା’ କହିଲା, “ହଇରେ ଝାମାରେ କିଏ ଘଷି ହୁଏ?”
– ଅଳତା ନାଇଲାବେଳେ ଝାମା ଘଷି ତୁ କେମିତି ଗୋଡ଼ର ମଳି ବାହାର କରିଦଉ?
ଗାଧୁଆ ସେତିକିରେ ବନ୍ଦ। ଦେହସାରା ପୋଡ଼ିଲାଣି। ପୋଛିପାଛି ହୋଇ ବିନ ଫେରିଆସିଲା। ଘର ମାଟି କାନ୍ଥରେ ଖଣ୍ଡେ ଦର୍ପଣ ପୋତା ହୋଇଛି। ସେଇଠି ଆସି ଠିଆ ହେଲା ବିନ-ହାତରେ ପାନିଆ। ପାନିଆ ମଝିରେ ଦାନ୍ତଗୁଡ଼ିକ ଭଙ୍ଗା। ଦୁଇ ମୁଣ୍ଡରେ ଯାହା ଦି’ଚାରି ଖଣ୍ଡ ଦାନ୍ତ ଅଛି, ସେତିକି। ସେଇ ପାନିଆରେ ବିନ ନିଜର ତେଲ ଜର ଜର ଟାଆଁସା ବାଳଗୁଡ଼ାକ ଚିକ୍କଣ କରି ପାରିବାକୁ ଚେଷ୍ଟାରେ ଲାଗିଗଲା। ମନରେ ଆନନ୍ଦ, ସବୁ ଆଜି ତାର ସଫା, ସୁତୁରା, ଚିକ୍କଣ।
x x x x x x x x
ସ୍କୁଲ୍ ଫାଟକ ପାଖରେ ପହଞ୍ଚି ବିନ କହିଲା, “ନାନୀ, ମତେ ସବୁ ଜିନିଷ ଦେଖେଇ ଦବୁଟି? ଆଉ ସବୁ ପିଲାଙ୍କ ସାଙ୍ଗରେ ଚିହ୍ନା କରେଇଦବୁ … ଏଁ?”
“ହଉ! ହେଇ ଦେଖ। ଏଠି କେମିତି ଦୁବଘାସ ହୋଇଛି, ଆଉ ଏଠି ମୁଥା ଘାସ।”
“ଆରେ ହଁ ତ” କହି ଜୀବନରେ କେବେ ଘାସ ନ ଦେଖିଲା ପରି ବିନ ନଇଁପଡ଼ି ନିଜ ହାତରେ ଥରେ ଘାସଗୁଡ଼ାକ ପରଖି ନେଲା। ତା’ପରେ ସେମାନେ ଆଗକୁ ଚାଲିଲେ।
ଗୋଟିକ ପରେ ଗୋଟିଏ ଗଛ ରମା ଦେଖେଇ ଚାଲିଛି….ମନ୍ଦାର, ପଳାଶ, କୃଷ୍ଣଚୂଡ଼ା, ରଜନୀଗନ୍ଧା, ଆମ୍ବ, ବେଲ-କିଏ ଫୁଲ ଫଳରେ ଲଦି ହୋଇଛି, ଆଉ କିଏ ବା ସେମିତି ଥୁଣ୍ଟା ଛିଡ଼ା ହୋଇଛି; କିନ୍ତୁ ବିନ ଆଖିରେ ଆଜି ସବୁ ସୁନ୍ଦର। ଆଖିରେ ଇନ୍ଦ୍ରଧନୁର ରଙ୍ଗ ବୋଳି ସେ ଚାରିଆଡ଼କୁ ଚାହୁଁଛି, ପୁଣି ଆଗକୁ ମାଡ଼ି ଚାଲିଛି।
ଗଛ ପତ୍ର ଦେଖା ସରିଛି। ବାକି ରହିଛି ସ୍କୁଲଘର, ଯେଉଁଠି ପିଲାମାନେ ଆରାମରେ ବସି ପାଠ ପଢ଼ନ୍ତି। ରମା ଦେଖିଲା ତାଙ୍କ କ୍ଲାସ୍ ଖୋଲା ହୋଇନାହିଁ। ଭଙ୍ଗା ଖିଡ଼ିକିବାଟେ ଉପରକୁ ଉଠି, ଭାଇର ହାତ ଧରି ଭିତରକୁ ଟାଣି ନେଲା। କବାଟ ଖିଡ଼ିକି ବନ୍ଦ, ସବୁଆଡ଼ ଅନ୍ଧାର ଦିଶୁଛି। ଚାଲିଲାବେଳେ ବେଞ୍ଚ ଦେହରେ ଧକ୍କା ଲାଗି ଯାଉଛି, ଆଉ ତାଆରି ସାଙ୍ଗେ ସାଙ୍ଗେ ବିନ ପାଟିରୁ ନିଜ ଅଜାଣତରେ ବାହାରି ଆସୁଛି ‘ବାପଲୋ’ , ‘ମାଆଲୋ’ ଚିତ୍କାର। ଶେଷକୁ ରମାର ଜାମା ଟାଣି ଧରି କହିଲା, “ନାଇଁ ଲୋ ନାନୀ, ଭୂତ ଥିବ ….. ଚାଲ ଫେରିଯିବା” ତୁଣ୍ଡରୁ କଥା ସରିନାହିଁ ବିଜୁଳିବତି ଜଳି ଉଠିଲା, ଆଉ ସେଇ ଆଲୁଅ ତଳେ ଦେଖାଗଲା ରମା ମୁହଁରେ ସର୍ବଜ୍ଞର ଛପିଲା ହସ। ବିନ କାବା ହୋଇ ଚାହିଁଛି- ନାନୀ ତାର କେତେ କଥା ଜାଣିଲାଣି। ସେ କହିଲେ ବିଜୁଳିବତି ବି ଜଳୁଛି।
ଆନନ୍ଦରେ ଗୋଡ଼ ତଳେ ଲାଗୁନାହିଁ- ଏ ଯାଗାରୁ ସେ ଯାଗାକୁ ଯାଉଛନ୍ତି, ପୁଣି ଆସୁଛନ୍ତି। ଉପରେ ନେଳିଆ ଆକାଶ ନାହିଁ କି ତଳେ ଶାଗୁଆ ଘାସର ଗାଲିଚା ନାହିଁ ; ତଥାପି ସେଇ ରୁନ୍ଧିଲା ଘରେ ଦିଓଟି ମଣିଷଛୁଆ ବସନ୍ତ କାଳର କୀଟ-ପତଙ୍ଗ ପରି ଆନନ୍ଦରେ ନିଜକୁ ଭୁଲିଯାଇଛନ୍ତି।
x x x x x x x x
ପଡ଼ିଆରେ ଦଳ ଦଳ ହୋଇ ପିଲା ବୁଲୁଛନ୍ତି। ଚିହ୍ନା ପିଲାଙ୍କୁ ଦେଖି ଭାଇର ହାତଧରି ରମା ତାଙ୍କ ପାଖକୁ ଗଲା। ଦଳକଯାକ ବିନକୁ ଚାହିଁଛନ୍ତି-ସମସ୍ତଙ୍କ ଓଠରେ ମୁରୁକି ହସ।
-ଏ କିଏ ରମା ?
-ମୋ ଭାଇ।
-ଠିକ୍ ଅନାର୍ଯ୍ୟଙ୍କ ଭଳି ଦିଶୁଛି। ଜଣେ ଟିପ୍ପଣୀ କାଟିଲା।
ରମାର ମୁହଁ ଶୁଖିଗଲା। ସନ୍ଦେହ ଭରା ଆଖିରେ ଭାଇକି ଆଉ ଥରେ ଭଲ କରି ଦେଖି ନେଲା। ବିନର ଚେପ୍ଟା ନାକ, ମୋଟା ଓଠ, ପୁଚୁକା ଗାଲ ଓ ପାଚିଲା ତାଳ ପରି ଦେହର ରଙ୍ଗ। କୌଣସିଟିରେ ରମା ଦୋଷ ଖୋଜି ପାଇଲା ନାହିଁ। ଭାଇର କାନ୍ଧ ଉପରେ ହାତ ରଖି କହିଲା, “ତତେ ମିଛରେ କହିଛନ୍ତିରେ, ତୁ ଡର ନା” । ବିନ ଯେ ଡରି ନାହିଁ ଏ କଥା ଦେଖେଇବାକୁ ହସିଲା। ମୋଟା ଓଠର ଦି’ଫାଳ ଭିତରୁ ସରୁ ଜିଭଟିଏ ପଦାକୁ ବାହାରି ଆସି ଲହ ଲହ ହୋଇ ପୁଣି ପଶିଗଲା-ଠିକ୍ ସାପ ପରି।
-ହେ ପିଲା, ଆଉ ଟିକିଏ ହସିଲୁ ହସିଲୁ …..
-ନାଇଁ। ବିନ ମୁହଁ ଶୁଖେଇ ଛିଡ଼ାହେଲା।
-ଆରେ! ନିହାତି ଅବାଧ୍ୟ ଛୁଆଟାଏ ତ !! ହସ୍ !
-ନାନୀ, ଚାଲ ଖେଳିବା।
ବିନ, ନାନୀର ହାତ ଧରି ଖେଳିବାକୁ ଚାଲିଗଲା।
ଖେଳି ଖେଳି ଦେହରୁ ଝାଳ ନିଗିଡ଼ି ପଡ଼ୁଛି। ସୂର୍ଯ୍ୟ ମୁଣ୍ଡ ଉପରୁ ତଳକୁ ଖସିଲେଣି। ତଥାପି ରନ୍ଧା ସରୁନାହିଁ।
x x x x x x x x
ଧାଡ଼ି ଧାଡ଼ି ପିଲା ଚାଲିଛନ୍ତି- ଗୋଟାଏ ହାତରେ ଚଟେଇ, ଆର ହାତରେ ଖଲିପତ୍ର। ଗୋଟିଏ ଧାଡ଼ିର ଶେଷ ମୁଣ୍ଡରେ ବସିଛନ୍ତି ବିନ ଆଉ ରମା। ବିନର ଲୋଭିଲା ଆଖି ଦୁଇଟା ରହିଛି ପତ୍ର ଉପରେ। ମଝିରେ ମଝିରେ ନାନୀକୁ ଚୁମୁଟି ଦେଉଚି, ନାନୀ ଆରମ୍ଭ କଲେ ସେ ଆରମ୍ଭ କରିବ। ଖେଳିଳାବେଳେ ନାନୀ ତାକୁ ବାର ବାର କହିଛି, ନାନୀ ଆରମ୍ଭ ନ କରିବାଯାଏ ସେ ଯେମିତି ଆରମ୍ଭ ନ କରେ।
ସ୍କୁଲ୍ର ବଡ଼ମୁଣ୍ଡିଆମାନେ ଘୂରି ଘୂରି ଦେଖୁଛନ୍ତି, ସମସ୍ତଙ୍କୁ ଠିକ୍ ଦିଆହୋଇଚି କି ନାହିଁ। ହଠାତ୍ ଜଣକ ଆଖି ପଡ଼ିଗଲା ରମାର ଗୋଡ଼ ଉପରେ-ମନ୍ଦା ମନ୍ଦା କାଛୁ। ରମାକୁ ଚାହିଁ ସେ ଚିତ୍କାର କରି ଉଠିଲେ,- “ତମର କାଛୁ ହେଇଚି-ଅନ୍ୟମାନଙ୍କୁ ଡେଇଁବ। ତମେ ଯାଅ ଖେଳୁଥିବ। ଏମାନେ ଖାଇସାରିଲେ ତମକୁ ଡାକି ଆଣିବା।” ରମା ଉଠିପଡ଼ିଲା।
ବିନ ବିକଳ ହୋଇ ଚାହିଁଛି ନାନୀ ମୁହଁକୁ ।
-ଏ ପିଲା କିଏ?
-ମୋ ଭାଇ।
-ଆଛା, ତାକୁ ବି ସାଥିରେ ନେଇଯାଅ। ତମେ ଖାଇଲାବେଳେ ସେ ଖାଇବ। ଭାଇଭଉଣୀ ଦୁହେଁ ଉଠି ଚାଲିଗଲେ ଖାଇବା ଜିନିଷକୁ ଲୋଭିଲ ଆଖିରେ ଚାହିଁ ଚାହିଁ।
-ବୁଝିଲୁ ବିନ, ସେମାନେ ଖାଇସାରନ୍ତୁ ଆମେ ଖାଇବା।
-ନାଇଁ ନାନୀ, ମତେ ଭାରି ଭୋକ କଲାଣି….ବାନ୍ତି ମାଡ଼ୁଚି। ସକାଳେ ମା’ ଖାଇବାକୁ ଦେଲାବେଳେ ତୁ ମନାକଲୁ।
-ହଉ ରଇଥା, ଆଉ ଟିକିଏ ବେଳ ତ। ଦେଖିଲୁ ତ, କେଡ଼େ ବଢ଼ିଆ ଜିନିଷ ସବୁ ରନ୍ଧା ହେଇଚି। ସକାଳେ ତ ମା’ ପଖାଳ ଖାଇବାକୁ ଦେଉଥିଲା……ତାକୁ ଖାଇଥିଲେ ତୁ କଣ ଭଲ ଜିନିଷରୁ ବେଶି ଖାଇପାରିଥାନ୍ତୁ?
-ମତେ ବାନ୍ତି ମାଡ଼ୁଚି।
-ହଉ ତେବେ ଚାଲ, ଦି’ଟା ବେଲପତ୍ର ଶୁଙ୍ଘିଦେଲେ ବାନ୍ତି ଭଲ ହୋଇଯିବ। ବେଲପତ୍ର ଶୁଙ୍ଘିଲା ବଦଳରେ, ଦୁଇମୁଠା ବେଲପତ୍ର ଚୋବାଇ ଖାଇଦେଇ ବିନ କହିଲା, “ନାନୀ ଭାରି ଭୋକ…..
-ହେଇ ଦେଖ, କଣ ସବୁ ରନ୍ଧା ହେଇଚି ତତେ ମୁଁ ଏଇଠି ଦେଖେଇ ଦଉଚି, କହି ରମା କାଠିକୁଟା ସାଉଁଟି ଆଣି ମାଛ ମାଂସର ଠା’ ସୁମାରି କଲା। ଇଟା ଗୋଡ଼ି ମିଠେଇ ଭାବରେ ଓ ଘାସ ପତ୍ର ତରକାରୀ ଭାବରେ ଜଣାଗଲା। ବିନର ଭୋକିଲା ଆଖିକି ଚାହିଁ ରମା ଭୂତ ଗପ ଆରମ୍ଭ କଲା, ଏଇଠି ଏଇ ପାଚେରୀ ଆରପଟେ ଯେଉଁ ଅନ୍ଧାରିଆ ଘରଟା ଦେଖୁଚୁ-ସେଇଠି ଭୂତ ଥିଲା।
x x x x x x x x
ଭୂତ ଗପରେ କେତେବେଳେ ଯାଇଛି ଜଣାନାହିଁ। ବୁଡ଼ନ୍ତା ସୂର୍ଯ୍ୟର ଲାଲଚିଆ କିରଣ ବିଞ୍ଚିହେଇ ପଡ଼ିଛି। ପିଲା ଦିହେଁ ଆଲିଜା ହେଇ ବସିଛନ୍ତି ସେଇ ଘାସ ଉପରେ। ହଠାତ୍ କାହାର ପାଟିରେ ଚମକି ପଛକୁ ଚାହିଁ ଦେଖିଲେ ଚପରାଶି ଡାକୁଚି। ଖୁସି ହେଇ ରମା ଭାଇର ହାତ ଧରି ଉଠିଲା, ଚାଲ ଏଥର ଖାଇବା, ଦେଖୁନୁ ଚପରାଶି ଡାକି ଆଇଚି?
-ହଁ , ସଭିଏଁ ଖାଇସାରି ଘରକୁ ଗଲେଣି … ତମେ ଆସି ଏଇଠି ବଇଚ; ଘରକୁ ଯିବ ନାଇଁ କି?
ନିଜର ଅଜାଣତରେ ମୁଠା ଭିତରୁ ଭାଇର ହାତ ଖସି ପଡ଼ିଲା। ରମା ଆଖିରେ ପାଣି।
ଦୟା ଦେଖେଇ ଚପରାଶି କହିଲା, “ଚାଲ, ମୁଁ ଘରେ ଛାଡ଼ି ଦେଇଯିବି।”
…… ନା ଥାଉ। ଆମେ ଏକା ଚାଲିଯିବା ଯେ।
x x x x x x x x
ଭୋଜି ଯାଗା। ଅଇଁଠା ପତ୍ର ଉପରେ କାଉ କୁକୁରଙ୍କ ଯୁଦ୍ଧ। ସେଇଠି ଚାରୋଟି ଧୂଳି ଧୂସରିଆ ଛୋଟ ଛୋଟ ପାଦ ମୁହୂର୍ତ୍ତକ ପାଇଁ ଅଟକି ପୁଣି ଆଗକୁ ଚାଲିଗଲା।
ସକାଳେ ଯେଉଁ ପାଦ ଚାରୋଟି ପାଦ ହାଲୁକାରେ ତଳେ ଲାଗୁ ନଥିଲା – ସଞ୍ଜବେଳକୁ ତାର ଯେମିତି ମାଟି ଉପରୁ ଉଠିବାକୁ ଆଉ ବଳ ନାହିଁ !!!