
ମୂଷାମାନଙ୍କ ସମ୍ପର୍କରେ ଗବେଷଣା କରି ସେମାନଙ୍କ ଜୀବନରେ ସକଳ ରହସ୍ୟ ଉଦ୍ଘାଟନ କରିବା ଏବଂ ତାହା ଜନସମାଜରେ ପ୍ରଚାର କରିବା – ଏହା ହିଁ ଥିଲା ପ୍ରଫେସର ୟାମାଶାରୀ ମୁଷୁଦାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଓ ସାଧନା। ଅତି ଅଳ୍ପବୟସରୁ କେଜାଣି କିପରି ସେ ଆକର୍ଷିତ ହୋଇପଡ଼ିଥିଲେ ମୂଷାମାନଙ୍କ ପ୍ରତି ଏବଂ ମୂଷାମାନଙ୍କୁ ବୁଝିପାରିଲେ ହିଁ ମଣିଷ ସମାଜକୁ ସଠିକ୍ ବୁଝିହେବ – ଏଇ ତଥ୍ୟରେ ଥିଲା ତାଙ୍କର ଅଗାଧ ବିଶ୍ୱାସ।
ଧଳା, କଳା, ପାଉଁଶିଆ, ଈଷତ୍ ଲାଲ ଓ ସବୁଜ – ପ୍ରାୟ ସବୁ ରଙ୍ଗର ବିଭିନ୍ନ ଆକାରର ଅସଂଖ୍ୟ ମୂଷା ଥିଲେ ପ୍ରଫେସର ମୁଷୁଦାଙ୍କ ଗବେଷଣାଗାରରେ। ଦିନର ଅଧିକାଂଶ ସମୟ ସେ କଟାଉଥିଲେ ମୂଷାମାନଙ୍କ ଗହଣରେ-ଏପରିକି ଅଧିକାଂଶ ରାତ୍ରିରେ ସେ ଫେରୁ ନ ଥିଲେ ନିଜ ଫ୍ଲାଟ୍କୁ। ଶ୍ରୀମତୀ ମୁଷୁଦା, ସ୍ୱାମୀଙ୍କ ଏତାଦୃଶ ଆଚରଣ ସହି, ପ୍ରାୟ ଅଭ୍ୟସ୍ତ ହୋଇପଡ଼ିଥିଲେ ବିବାହର ପନ୍ଦର ବର୍ଷ ଭିତରେ। ପ୍ରଫେସର ମୁଷୁଦାଙ୍କର ଯେପରି ନିଜ ପରିବାରର ସାମୟିକ ଅତିଥିପରି କେବେ କିପରି ଆବିର୍ଭାବ ହେଉଥିଲା ନିଜ ଫ୍ଲାଟ୍ରେ! ପୁଣି ଆଶ୍ଚର୍ଯ୍ୟ ଯେ, ନିଜ ପରିବାର ଅର୍ଥାତ୍ ଶ୍ରୀମତୀ ମୁଷୁଦା ଓ ଦୁଇଟି ଶିଶୁପୁତ୍ରଙ୍କ ସହିତ ସମୟ ଅତିବାହିତ କଲାବେଳେ ସୁଦ୍ଧା ସେ, ପ୍ରାୟତଃ ଗପୁଥିଲେ ତାଙ୍କର ପ୍ରିୟ ମୂଷାମାନଙ୍କ ସମ୍ପର୍କରେ। ଗବେଷଣାଗାରର ପ୍ରତ୍ୟେକ ମୂଷାକୁ ସେ ଜାଣିଥିଲେ, ବ୍ୟକ୍ତିଗତ ଭାବରେ ଏବଂ ପ୍ରତ୍ୟେକର ନାମକରଣ ମଧ୍ୟ କରିଥିଲେ। ‘ଫୁକୁନାର ମୁଡ଼୍ଟା କାଲିଠାରୁ ଭଲ ନାହିଁ କିମ୍ବା ସାମିତିଓ ବହୁତ ବୁଢ଼ା ହେଇଗଲାଣି’ ହୁଏତ ଆଉ ବେଶିଦିନ ବଞ୍ଚିବ ନାହିଁ – ଶ୍ରୀମତୀ ମୁଷୁଦାଙ୍କ ପ୍ରତିକ୍ରିୟା ପ୍ରତି ତିଳେ ବି ଗୁରୁତ୍ୱ ନ ଦେଇ ପ୍ରଫେସର ମୁଷୁଦା ଏହିପରି ଗପି ଚାଲୁଥିଲେ ତାଙ୍କ ଡାଏନିଂ ଟେବୁଲ୍ କିମ୍ବା ବେଡ୍ ରୁମ୍ରେ।
ଅଧିକାଂଶ ରାତ୍ରିରେ ଅବଶ୍ୟ ଫ୍ଲାଟ୍କୁ ଫେରୁ ନ ଥିଲେ ମୁଷୁଦା। ଏପରିକି ଶୁଣାଯାଉଥିଲା, ମୂଷାମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟରୁ କିଛି ଉଦରସ୍ଥ କରି ରାତ୍ରି ଯାପନ କରିବାରେ କୌଣସି ଅସୁବିଧା ହେଉ ନଥିଲା ପ୍ରଫେସର ମୁଷୁଦାଙ୍କର!
ଗବେଷଣା ଓ ମୂଷାମାନଙ୍କ ପ୍ରତି ପ୍ରଫେସର ମୁଷୁଦାଙ୍କ ପ୍ରେମ ଓ ନିଷ୍ଠା କେବଳ ଜାପାନ କାହିଁକି ସମଗ୍ର ପୃଥିବୀର ମୂଷା – ବିଶେଷଜ୍ଞମାନଙ୍କ ମଧ୍ୟରେ ହୋଇ ଉଠିଥିଲା ମୁଖ୍ୟ ଆଲୋଚ୍ୟ ବିଷୟ! ପ୍ରଫେସର ମୁଷୁଦା ଯେ, ମୂଷା ତଥା ମନୁଷ୍ୟ ସମାଜର ସକଳ ରହସ୍ୟ ଉଦ୍ଘାଟନ କରିବାର ଦ୍ୱାରଦେଶରେ ଉପନୀତ – ଏଥିରେ ସହମତ ଥିଲେ ବିଶ୍ୱର ବରିଷ୍ଠ ବୈଜ୍ଞାନିକମାନେ।
ହଠାତ୍ ଏପରି ହେଲା, ଆଉ ଫ୍ଲାଟ୍କୁ ଆଦୌ ଆସିଲେ ନାହିଁ ପ୍ରଫେସର ମୁଷୁଦା। ଦିନେ, ଦୁଇଦିନ ସପ୍ତାହେ, ମାସେ – ବିଚଳିତ ହେଲେ ଶ୍ରୀମତୀ ମୁଷୁଦା। ପ୍ରଫେସର ତେବେ କ’ଣ ସମ୍ପୂର୍ଣ୍ଣ ଭୁଲିଗଲେ ତାଙ୍କର ପ୍ରିୟ ପତ୍ନୀଙ୍କୁ? ଦୁଇଟି ଶିଶୁପୁତ୍ର – ତାଙ୍କର ପ୍ରିୟ ସହରକୁ? ଏପରି ହେବ ବୋଲି କେବେ କିପରି ଅବଶ୍ୟ ଆଶଙ୍କା କରୁଥିଲେ ଶ୍ରୀମତୀ ମୁଷୁଦା। ଶେଷରେ କ’ଣ ତେବେ ସେଇଆ ହିଁ ହେଲା? ମୂଷା ଗବେଷଣା ନିଶାରେ ପ୍ରଫେସର ମୁଷୁଦା ବାହାରର ପୃଥିବୀକୁ ସମ୍ପୂର୍ଣ୍ଣ ଭୁଲିଗଲେ, ଯେପରି ନିଜକୁ ନିଜେ ବନ୍ଦୀ କରିଦେଲେ ଗବେଷଣାଗାରର ଚାରିକାନ୍ଥ ଭିତରେ!
ସନ୍ଧ୍ୟାରେ ଦିନେ ଶିଶୁପୁତ୍ର ଦୁଇଟିଙ୍କ ସହ ପ୍ରଫେସର ମୁଷୁଦାଙ୍କ ଗବେଷଣାଗରରେ ଉପସ୍ଥିତ ହେଲେ ଶ୍ରୀମତୀ ମୁଷୁଦା। ଗବେଷଣାଗାରର ଆଲୋକଗୁଡ଼ିକ କଳୁଥିଲା ବେଶ୍ ଉଜ୍ଜ୍ୱଳ; ଅସଂଖ୍ୟ ମୂଷା ଜୁଳୁ ଜୁଳୁ ଅନାଉଥିଲେ କାଚର ପଞ୍ଜୁରୀ ଭିତରୁ; କିନ୍ତୁ କାହାନ୍ତି ପ୍ରଫେସର ମୁଷୁଦା?
‘ୟାମାଶାରୀ, ୟାମାଶାରୀ, କେଉଁଠି ତୁମେ?’- ପ୍ରାୟ କାନ୍ଦ କାନ୍ଦ ସ୍ୱରରେ ଚିତ୍କାର କଲେ ଶ୍ରୀମତୀ ମୁଷୁଦା-ପ୍ରଫେସର ହୁଏତ ଆଉ ଇହଜଗତରେ ନାହାନ୍ତି, କି ଗାଏବ୍ ହୋଇଯାଇଛନ୍ତି କେଉଁ ଅଜ୍ଞାତ ଦେଶରେ-ଏହିପରି ଭୟଙ୍କର କଳ୍ପନାଟିଏ ମଧ୍ୟ ଉଙ୍କିମାରିଲା ଶ୍ରୀମତୀ ମୁଷୁଦାଙ୍କ ମନରେ। ତଥାପି ସେ ଚିତ୍କାର କରୁଥାନ୍ତି, ‘କେଉଁଠି ତୁମେ ୟାମାଶାରୀ?
‘ମୁଁ ଏଇଠି ଡାର୍ଲିଂ, ଏଇଠି’- ନିଜ କାନକୁ ବିଶ୍ୱାସ କରିପାରିଲେ ନାହିଁ ଶ୍ରୀମତୀ ମୁଷୁଦା। ପ୍ରଫେସର ଯେ ଗବେଷଣାଗାରରେ ଅଛନ୍ତି, ଏଇ ଆଶ୍ୱସ୍ତିରେ ତାଙ୍କ ଦେହରେ ଶିହରଣ ଖେଳିଗଲା; ଦୁଇ ନୟନରୁ ଗଡ଼ିପଡ଼ିଲା ଦୁଇଧାର ଉଷ୍ଣ ଅଶ୍ରୁ। ‘ତୁମେ କେଉଁଠି ୟାମାଶାରୀ?’ ଅତି ସ୍ନେହରେ ଗେହ୍ଲେଇ ହୋଇ କହିଲେ ଶ୍ରୀମତୀ ମୁଷୁଦା। ‘ଆମକୁ ଦେଖି କେଉଁଠି ନିଜକୁ ଛପାଇ ରଖିଛି? ତୁମେ କ’ଣ ପୂରାପୂରି ଭୁଲିଗଲ ମୋତେ – ତୁମର ପ୍ରିୟ ପୁଅ ଦୁଇଟିଙ୍କୁ, ୟାମାଶାରୀ? ତୁମେ କ’ଣ ସତରେ ଭୁଲିଗଲ ତୁମର ପ୍ରିୟ ଓସାକା ସହରକୁ?’
‘ମୁଁ ନିଜକୁ କେଉଁଠି ଛପାଇ ରଖିନାହିଁ ଡାର୍ଲିଂ, ମୁଁ ଏଇଠି – ଏଇ ସାତନମ୍ୱର ପଞ୍ଜୁରୀ ଭିତରେ – ଧଳା ମୂଷାମାନଙ୍କ ଗହଣରେ-’
‘କ’ଣ ଯେ କହୁଛ ତୁମେ ମୁଁ ବୁଝିପାରୁ ନାହିଁ ଆଦୌ’- କହିଲେ ଶ୍ରୀମତୀ ମୁଷୁଦା। ‘ସାତନମ୍ବର ପଞ୍ଜୁରୀ ତ ଏଇଠି! ତୁମେ କେଉଁଠି ୟାମାଶାରୀ?’
ମୁଁ ଏଇଠି ଏଇ ପଞ୍ଜୁରୀରେ। ‘ସ୍ୱାମୀଙ୍କ କଣ୍ଠସ୍ୱର ସହିତ ଦୀର୍ଘ ପନ୍ଦରବର୍ଷ ଧରି ପରିଚିତ ଥିଲେ ଶ୍ରୀମତୀ ମୁଷୁଦା – ‘ମୁଁ ଏଇଠି। ତେବେ ୟା’ ଭିତରେ ମୁଁ ନିଜେ ପାଲଟିଯାଇଛି ଗୋଟିଏ ଧିଳାମୂଷା। ଖୁବ୍ ପାଖକୁ ଆସିଲେ ତୁମେ ମୋତେ ଚିହ୍ନିପାରିବ ଡାର୍ଲିଂ। ମୂଷା ହେଲେ ବି ମଣିଷଙ୍କପରି କଥା କହିବାର ଶକ୍ତି ମୁଁ ହରାଇ ନାହିଁ।’
‘ୟାମାଶାରୀ, ୟାମାଶାରୀ’- ଭୋ ଭୋ କାନ୍ଦିଉଠିଲେ ଶ୍ରୀମତୀ ମୁଷୁଦା ଓ ଏ ଯାଏଁ ପ୍ରାୟ ତଟସ୍ଥ ରହିଥିବା ତାଙ୍କର ଦୁଇଟି ଶିଶୁ ପୁତ୍ର।
ଗବେଷଣାଗାରରେ ଭୋ ଭୋ କାନ୍ଦିବା ଯେ, ଜାପାନୀମାନଙ୍କ ପକ୍ଷରେ ନିହାତି ଅଶୋଭନୀୟ ପର ମୁହୂର୍ତ୍ତରେ ପରେ କିନ୍ତୁ ଏହା ସ୍ମରଣ ହେଲା ଶ୍ରୀମତୀ ମୁଷୁଦାଙ୍କର।
‘ତୁମର ଏପରି ଦୂରବସ୍ଥା କାହିଁକି ହେଲା, ପ୍ରଫେସର?’ କୋହକୁ କୌଣସି ମତେ ଚାପିରଖି ପ୍ରଶ୍ନକଲେ ଶ୍ରୀମତୀ ମୁଷୁଦା।
‘ଦୂରବସ୍ଥା ?’- ଠୋ ଠୋ ହସିଉଠିଲା ସାତନମ୍ବର ପଞ୍ଜୁରୀର ଧଳା ମୂଷାଟି – ‘ଦୂରବସ୍ଥା ଶବ୍ଦଟି କାହିଁକି ଉଚ୍ଚାରଣ କଲ ଜାଣେନା। ସ୍ୱଇଚ୍ଛାରେ ହିଁ ମୁଁ ପାଲଟିଯାଇଛି ମୂଷାଟିଏ। କାରଣ ‘ସ୍ୱଇଚ୍ଛାରେ?’ ପୁଣି ଭୋ ଭୋ କାନ୍ଦିଉଠିଲେ ଶ୍ରୀମତୀ ମୁଷୁଦା – ‘ସ୍ୱଇଚ୍ଛାରେ ତୁମେ ମୂଷା ପାଲଟିଗଲ ପ୍ରଫେସର?’
‘ହଁ ଡାର୍ଲିଂ’- କହିଲେ ପ୍ରଫେସର – ‘ସ୍ୱଇଚ୍ଛାରେ। କାରଣ ନିଜେ ମୂଷା ନ ହେଲେ ସୁଦ୍ଧା ଏହା ଉପଲବ୍ଧି କଲି ମୁଁ। ବୈଜ୍ଞାନିକ ଯାହା ସମ୍ପର୍କରେ ଗବେଷଣା କରେ, ସେ ନିଜେ ତାହା ସହିତ ଏକାକାର ହେବା ନିହାତି ପ୍ରୟୋଜନ। ବାହ୍ୟ ଅବସ୍ଥାରୁ ନୁହେଁ, ବସ୍ତୁ ବା ଜୀବର ଅନ୍ତଃକରଣରେ ପ୍ରବେଶ କଲେ ହିଁ ବସ୍ତୁ ବା ଜୀବନର ରହସ୍ୟ ବୁଝିହେବ। ଅନ୍ୟ ସହିତ ଏକାକାର ନ ହୋଇ ଅନ୍ୟକୁ ବୁଝିବାର ପ୍ରୟାସରେ ଅହରହ ସମୟ ଓ ଶକ୍ତିର ଅପଚୟ କରୁଛନ୍ତି ବିଶ୍ୱର ବୈଜ୍ଞାନିକମାନେ…।’
ଆଉ ଧୈର୍ଯ୍ୟ ନ ଥିଲା ଶ୍ରୀମତୀ ମୁଷୁଦାଙ୍କର। ଯେ କୌଣସି ମୁହୂର୍ତ୍ତରେ ଚୈତନ୍ୟ ହରାଇବେ ସେ – ଏଇ ନିର୍ଜନ ଉଜ୍ଜ୍ୱଳ ଗବେଷଣାଗାରରେ- ହିପରି ମନେହେଉଥିଲା ତାଙ୍କର। ଶିଶୁପୁତ୍ର ଦୁଇଟିଙ୍କୁ ଜାବୋଡ଼ିଧରି ଶେଷଥର ପାଇଁ ଚିତ୍କାରକଲେ ସେ ‘ସାୟୋନାରା, ୟାମାଶାରୀ ସାୟୋନାରା।’
‘ମୋ ପାଇଁ ଆଦୌ ମନକଷ୍ଟ କରିବ ନାହିଁ – ସାତନମ୍ବର ପଞ୍ଜୁରୀରୁ ଶୁଭୁଥିଲା ପ୍ରଫେସରଙ୍କ କଣ୍ଠସ୍ୱର – ‘ଜାପାନ ତଥା ପୃଥିବୀର କଲ୍ୟାଣ ପାଇଁ ମୁଁ ବରଣ କରିନେଲି ମୂଷାର ଜୀବନ। ମୂଷାମାନଙ୍କ ଜୀବନର ସକଳ ରହସ୍ୟ ବର୍ତ୍ତମାନ ମୋ ନିକଟରେ ସ୍ପଷ୍ଟ। ଏପରିକି ମୁଁ ପ୍ରାଞ୍ଜଳ କଥାବାର୍ତ୍ତା କରିପାରୁଛି ମୂଷାମାନଙ୍କ ସଙ୍ଗେ। ତୁମେ ବିଶ୍ୱାସ କର, ଡାର୍ଲିଂ, ମଣିଷ ସମାଜରେ ରହିବାଠାରୁ କୌଣସି ଗୁଣରେ ଭିନ୍ନ ନୁହେଁ ମୁଷାମାନଙ୍କ ସହିତ ରହିବା। ସ୍ନେହ, ପ୍ରେମ, ଈର୍ଷା, କ୍ରୋଧ – ସବୁରେ ପରିପୂର୍ଣ୍ଣ ଏଇ ମୂଷାମାନଙ୍କ ସଂସାର। ତା’ ଛଡ଼ା ଶ୍ରୀମତୀ ମୁଷୁଦା, ଯଦି କିଛି ମନେ ନକର, ମୁଁ ଏଠି ଗୋଟିଏ ନୀଳ-ନୟନା ଚପଳାଙ୍ଗୀ ମୂଷାର ପ୍ରେମରେ ପଡ଼ିଛି, ଠିକ୍ ଯେମିତି ତୁମ ପ୍ରେମରେ ପଡ଼ିଥିଲି, ଟୋକିଓ ୟୁନିଭରସିଟିରେ ଛାତ୍ର ଥିଲାବେଳେ, ଅଠର ବର୍ଷ ତଳେ!’
ପ୍ରଫେସରଙ୍କ ବାକ୍ୟଟି ଶେଷହେବା ଆଗରୁ ଗବେଷଣାଗାରରୁ କ୍ଷୀପ୍ର ଗତିରେ ପଳାୟନ କରିଥିଲେ ଶ୍ରୀମତୀ ମୁଷୁଦା ଶିଶୁପୁତ୍ର ଦୁଇଟିଙ୍କୁ ଘୋଷାରି ଘୋଷାରି। ତେବେ ବେଶ୍ କିଛି ସମୟ ଗବେଷଣାଗାରରେ ଖେଳି ବୁଲୁଥିଲା ତାଙ୍କର କରୁଣ ବୁକୁଫଟା ଚିତ୍କାରର ପ୍ରତିଧ୍ୱନି!
ପ୍ରଫେସର ମୁଷୁଦା ମୂଷା ପାଲଟି ଯାଇଥିବାର ସମ୍ବାଦ ପ୍ରଚାରିତ ହୁଅନ୍ତେ ଜାପାନ ଓ ଜାପାନ ବାହାରୁ ବହୁ ସାମ୍ବାଦିକ ଓ ବୈଜ୍ଞାନିକ ଛୁଟିଲେ ତାଙ୍କ ଦର୍ଶନ ତଥା ତାଙ୍କ ସହିତ ସାକ୍ଷାତ୍କାର ପାଇଁ। ତାଙ୍କର ଫଟୋମାନ ପ୍ରକାଶିତ ହେଲା ପତ୍ରପତ୍ରିକାମାନଙ୍କରେ। ଟେଲିଭିଜନରେ ବହୁବାର ପ୍ରଚାରିତ ହେଲା ସାତନମ୍ବର ପଞ୍ଜୁରୀର ସେଇ ଧଳାମୂଷାଟି ସହିତ ବୈଜ୍ଞାନିକମାନଙ୍କ ଆଲୋଚନା। ମୂଷାମାନଙ୍କୁ ବୁଝିବାକୁ ହେଲେ ନିଜେ ମୂଷା ହେବାକୁ ହେବ’ – ଏହିହିଁ ଥିଲା ବିଶ୍ୱର ବୈଜ୍ଞାନିକମଣ୍ଡଳୀ ପାଇଁ ପ୍ରଫେସର ମୁଷୁଦାଙ୍କ ସବୁଠାରୁ ମୂଲ୍ୟବାନ ଶେଷବାର୍ତ୍ତା।
ମୂଷାମାନଙ୍କ ଜୀବନର ସକଳ ରହସ୍ୟ ପୁସ୍ତକାକାରରେ ଲିପିବଦ୍ଧ କରିଯିବେ – ଏହିପରି ଆଶା କରାଯାଉଥିବାବେଳେ ହୃଦ୍ଯନ୍ତ୍ରକ୍ରିୟା ବନ୍ଦ ହୋଇ ଆକସ୍ମିକ ମୃତ୍ୟୁ ହେଲା ପ୍ରଫେସର ମୁଷୁଦାଙ୍କର। ମନୁଷ୍ୟମାନଙ୍କ ଜୀବନର ସକଳ ରହସ୍ୟ-, ମୂଷାମାନଙ୍କ ଜୀବନର ରହସ୍ୟ ଉଦ୍ଘାଟିତ ହୋଇଥିଲେ, ମନୁଷ୍ୟ ଜୀବନର ରହସ୍ୟମାନ ପ୍ରକାଶିତ ହୋଇଥାଆନ୍ତା – ଏହି ସମ୍ଭାବନାଟି ହିଁ ସମ୍ଭାବନାରେ ରହିଗଲା ଚିରକାଳ ପାଇଁ।
ତେବେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କବର ଦିଆଯାଇଥିଲା ପ୍ରଫେସର ମୁଷୁଦାଙ୍କୁ। ତାଙ୍କର ଅନ୍ତିମ ଇଚ୍ଛା ଅନୁସାରେ ସେ ଚିର ବିଶ୍ରାମ ଲଭିଥିଲେ ତାଙ୍କର ପ୍ରିୟ ମୂଷାମାନଙ୍କ ସମାଧିପୀଠରେ !!!