
ରୂପେଲି ପରଦାରେ ଫୁଟି ଉଠିଲା କେତେ ରକମର ଛବି-କେତେ ହସକାନ୍ଦର ଅସରନ୍ତି କଥା। ଭିକାରୁଣୀ ରୂପରେ କେତେ ରୂପସୀ ‘ତାରକା’ଙ୍କ ରକ୍ତିମ ଅଧରରେ ଖେଳିଗଲା ମନ ଭୁଲାଣିଆ ହସ, କଣ୍ଠରୁ ବାହାରିଲା ସ୍ୱରର ଝଙ୍କାର, କଜଳ-କଳା ଆଖିରୁ ଝରି ପଡ଼ିଲା ବୁକୁଫଟା ଲୁହର ଧାର। ଭିକାରୀ ରାଜଦ୍ୱାରରେ ଗାଇଲା ବାଦ୍ୟ ସମ୍ବଳିତ ଭଜନ। ଗରିବ ହୋଇ ମଧ୍ୟ, ତାର ସରଳ ଜୀବନ କିପରି ବିତିଗଲା ସୁନ୍ଦର, ମଧୁର ଭାବରେ, ସଂସାରରେ ଦୁଷ୍ଟ ଲୋକଙ୍କର ଶତ ଯାତନା ଏଡ଼ିଦେଇ-ଶେଷରେ କିପରି ହେଲା ସତ୍ୟର ଜୟ-ଧର୍ମର ଜୟ-ଏ ସବୁର ନିଖୁଣ ଛବି ଫୁଟିଉଠିଥିଲା ସେହି ବଡ଼ ସିନେମା ଘରର ଶୁଭ୍ର ପରଦା ଉପରେ। କରତାଳି ନାଦରେ ପୂରି ଉଠିଲା ପ୍ରେକ୍ଷାଗୃହ। କ୍ରମେ ଆଲୁଅ ଲିଭିଗଲା ଓ ଗୋଟି ଗୋଟି ଦର୍ଶକ ସବୁ ଚାଲି ଆସିଲେ ବାହାରକୁ। ସମସ୍ତଙ୍କ ମୁହଁରେ ଗୋଟାଏ କଥା-‘ଚମତ୍କାର’ Marvellous।
ଚକୋଲେଟ୍ ରଙ୍ଗର ମରିସ କାରରେ ବିଲାତି ପୋଷା କୁକୁରଟିଏ ଅପେକ୍ଷା କରିଥିଲା ନିର୍ମଳ ବାବୁଙ୍କ ପାଇଁ। ନିର୍ମଳବାବୁ ପଦାକୁ ବାହାରି ଆସି କାଶ୍ମିରୀ ଶାଲ୍ଟି ଆଡ଼େଇ ଦେଇ, ତାଙ୍କ ହାତ ମଣିବନ୍ଧରେ ଥିବା ସୁନା ଘଣ୍ଟାଟି ଦେଖି କହି ଉଠିଲେ-‘By God! ସାଢ଼େ ଦଶ ବାଜିଲାଣି।’ ସଙ୍ଗେ ସଙ୍ଗେ ସେ ଯାଇ ବସିଲେ କାରର ମଖମଲ କୁସନ ଉପରେ। ଇଲେକ୍ଟ୍ରିକ୍ ହର୍ଣ୍ଣ୍ ପିଁ ପିଁ ହୋଇ ବାଜି ଉଠିଲା ଓ ଗାଡ଼ି ଚାଲିଲା ବଡ଼ ସହରର ପିଚୁ ଢଳା ରାସ୍ତା ଉପରେ।
ବାହାରେ ପଉଷ ମାସର କଲିଜା ଥରା ଶୀତ। କଳା ରାତି ସାଙ୍ଗରେ କୁହୁଡ଼ି ମିଶିଯାଇ କିଛି ବାରି ହେଉ ନ ଥାଏ। ହେମାଳିଆ ପବନରେ ଥରି ଯାଉଥାଏ ଆକାଶ ଧରଣୀ। ସବୁଜ ପତରରୁ କାକର ଥୋପା ଥୋପା ହୋଇ ଝରି ପଡ଼ୁଥାଏ, ତରୁଣର ନିରାଶ ପ୍ରାଣର କ୍ରନ୍ଦନ ପରି।
କିନ୍ତୁ ସେ ବାହାରର ସଂସାର ସହିତ ନିର୍ମଳ ବାବୁଙ୍କ ସମ୍ପର୍କ କ’ଣ? ରୂପେଲି ପରଦାର ରୂପେଲି ଛବି ଦେଖିଲାବେଳେ ପରଦା ତଳେ କଣ ଅଛି ତା କିଏ କେବେ ଭାବେ କି?
ଗୋଟାଏ ଛକରେ ଗାଡ଼ି ବୁଲାଇଲା ବେଳେ ମଟରର head light ପଡ଼ିଲା ଗୋଟାଏ କଦାକାର ଜୀବ ଉପରେ। ସେ ହେଉଛି ମଣିଷ-କିନ୍ତୁ ଗଛ ତଳର ମଣିଷ-ସଭ୍ୟ, ସୁନ୍ଦର ସମାଜର ରୂପେଲି ପରଦାର ତଳେ କେଉଁ ଅନ୍ଧାରି କୋଣରେ। ଆଖିରେ ତାର ବିଭତ୍ସ ଦୃଶ୍ୟ। ଅପରିଷ୍କାର କୁତ୍ସିତ ମୁହଁରେ ତାର ଯୁଗଯୁଗର ଆବର୍ଜନା ସତେ ଯେପରି ଠୁଳ ହୋଇ ରହିଛି। ସାତ ଜାଗାରେ ଚିରା କୁରୁତା ଉପରୁ ଫୁଟିଉଠୁଛି କଦର୍ଯ୍ୟ କଳା ଚମଡ଼ାର ଅଂଶ, ଯାହାକୁ ଦେଖିଲେ ବିକାର ଜାତ ହେବ। ତାର ସେ ରୂପ ଦେଖି ନିର୍ମଳ ବାବୁ ଭାବିଲେ-‘ସିନେମା ଛବିରେ ତ ଏପରି ଭିକାରୀର ରୂପ ନଥିଲା! ଏହାର ରୂପରେ ତ ନାହିଁ ସରଳ, ଉନ୍ନତ ପ୍ରାଣର ଚିହ୍ନ-ତା’ ବଦଳରେ ହୁଏତ ଅଛି ହତ୍ୟା, ମହାମାରୀର ବିଭୀଷିକା!! ନାଃ-ଏ ଗୋଟାଏ ମଣିଷ ନାମଧାରୀ ଅସ୍ୱାଭାବିକ ଜନ୍ତୁ, ଏହା ମନେ ମନେ କହି ନିର୍ମଳ ବାବୁ ଦ୍ୱିଗୁଣ ବେଗରେ କାର୍ ଚଳାଇବାକୁ ଲାଗିଲେ।
କାର୍ ଆସି ଛିଡ଼ା ହେଲା ‘ନିର୍ମଳ ଭବନ’ର portico ରେ। ପୋଷାକଧାରୀ ଚପରାଶି ସଲାମ କରି ସଙ୍ଗେ ସଙ୍ଗେ ଗାଡ଼ିର କବାଟ ଫିଟାଇ ଦେଲା। ନିର୍ମଳ ବାବୁ ବାହାରି ଆସିଲେ ବିଲାତି କୁକୁରଟି ସାଙ୍ଗରେ ଧରି। ରାତିର କଳା ଅନ୍ଧାର, କୁହୁଡ଼ି ଓ ଶୀତୁଆ ପବନକୁ ପଛରେ ପକେଇ ଦେଇ ସେ ଚାଲିଗଲେ ତାଙ୍କର ବିଜୁଳି ଆଲୁଅ ଦିଆ ଘରକୁ। Spring ଦିଆ ଗଦି ପଡ଼ିଥାଏ ଚିକ୍କଣ କଳା ପଲଙ୍କ ଉପରେ। ତା ଉପରେ ଧୋବ ଫରଫର ଚାଦର। ତା’ ଉପରେ ଫୁଲ କାମକରା ତକିଆ ଦିଓଟି, ଗୋଟିକରେ ନିର୍ମଳବାବୁ ଓ ଅନ୍ୟଟିରେ ତାଙ୍କ ନବ ପରିଣୀତା ପତ୍ନୀ ସରସୀ। ଖିଆପିଆ ସାରି ସେହି କୋମଳ ଶଯ୍ୟାରେ, ସରସୀର ଗଳା ବେଷ୍ଟନ କରି ନିର୍ମଳ ବାବୁ ଭାବିଲେ ‘ସଂସାରଟା କେତେ ମଧୁର କେତେ ସରସ, କେତେ ସ୍ୱପ୍ନମୟ ସତେ !!
ଠିକ୍ ସେହି ସମୟରେ କୃଷ୍ଣ ପକ୍ଷର ଜହ୍ନ ଉଇଁ ଆସିଥିଲା ଦିଗ୍ବଧୂର କୋଳରୁ ଓ ସେହି ଫିକା ଆଲୁଅ ମଝିରେ ରାଜପଥରେ ଛିଡ଼ା ହୋଇଥିଲେ ତିନୋଟି ପ୍ରାଣୀ। କୁହୁଡ଼ି କାକର, ପବନ ପାଣିରେ ଅସ୍ଥି ମଜ୍ଜା ତାଙ୍କର ଥରି ଯାଉଥିଲା-ଶରୀର ପଙ୍ଗୁ ଓ ଅସଜ ହୋଇ ପଡ଼ିଥିଲା, କିନ୍ତୁ ପେଟ ଭିତରେ ଭୋକର ନିଆଁ ଜଳୁଥିଲା ଦୁଇଗୁଣ ବେଗରେ। ତାଙ୍କ ଭିତରୁ ଜଣେ ପୁରୁଷ, ଜଣେ ସ୍ତ୍ରୀ ଓ ଜଣେ ବାଳକ।
ପୁରୁଷ କହିଲା-‘କିଲୋ, ଆଜି ଖାଇବାକୁ ଅଛି ନା? ମୋ କପାଳରେ ଆଉ ଭିକ ଜୁଟିବ ନାହିଁ, ଆଉ ତୁ ଯଦି ନ ଆଣିବୁ-
‘ମୁଁ ମାଇପିଟା କଣ ଆଣିବି-ଯାହା ଦି’ଟା ଆଣିଥିଲି ତା’ତ ଟୋକାଟା ଖାଇ ଦେଲା-ଆଉ ମୋ ପାଖରେ କଣ ଅଛି? ପିଲାଟା ପାଟି କରି ଉଠିଲା-‘ନାଇଁ ମୁଁ ଖାଇନାହିଁ, ମିଛ କହୁଛି- ସେ ନିଜେ’।
ପୁରୁଷ ଗର୍ଜି ଉଠି କହିଲା-ଶାଳୀ ମୋତେ ଏମିତି ଭଣ୍ଡଉଛୁ ସବୁ ଦିନେ। ଆଜିକୁ ତିନିଦିନ ହେଲା ମୁଁ ଓପାସରେ ଅଛି-ଆଉ ତୁ ମଜାରେ ଖାଉଛୁ ନା? ବଦମାସ-ଶାଳୀ-
ମାଇପିଟା ଦୁଇ ହାତ ପଛକୁ ଘୁଞ୍ଚିଯାଇ ପାଟି’ କରି ଉଠିଲା-
‘ନାଇଁ ଲୋ, ମୁଁ ଖାଇନାହିଁ ସତ କହୁଛି, ସତ। ତା’ କଥା ସରିବା ଆଗରୁ ପୁରୁଷର କଦାକାର ହାତ ଥରି ଥରି ବାଜିଲା ସ୍ତ୍ରୀର ଶୁଖିଲା ପାଉଁଶିଆ ମୁହଁ ଉପରେ। ଅବଶ ଦେହରେ ମାଡ଼ ସମ୍ଭାଳି ନ ପାରି ସେ ପଡ଼ିଗଲା ରାସ୍ତା କଡ଼ରେ। ପାଖରେ ଥିବା ପଥରରେ କପାଳଟା ବାଡ଼େଇ ହୋଇ ଗଲା-ଝରି ପଡ଼ିଲା ନାଲି ରକତର ଧାର। ଧଳା ଚାନ୍ଦିନୀର କୋଳରେ ନାଲି ରକତ ଦିଶିଲା ଉଜ୍ଜ୍ୱଳ, ଶୋଭନୀୟ!!
ପିଲାଟା ଚେଁଚେଁଇ ଉଠିଲା ଗଭୀର ନୈଶ୍ୟ ନିସ୍ତବ୍ଧତା ଭେଦ କରି।
x x x
ତା ଆରଦିନ ସକାଳେ ମଧୁର ସ୍ୱପ୍ନର ସଂସାରରୁ ଉଠି ନିର୍ମଳ ବାବୁ ଶୁଣିଲେ ତାଙ୍କର ଚାକରଠାରୁ ଯେ ଗୋଟାଏ ଭିକାରୁଣି ମରି ପଡ଼ିଛି ରାସ୍ତାକଡ଼ରେ। କିଏ ମାରିଛି କିଛି ଜଣା ପଡ଼ିନାହିଁ। ନିର୍ମଳ ବାବୁଙ୍କର ମନେ ପଡ଼ିଗଲା କାଲି ରାତିରେ ଦେଖିଥିବା କଦାକାର ଭିକାରୀର ବିକୃତ ମୁହଁ। ସେ ଭାବିଲେ “ଓଃ କି ଅସଭ୍ୟ, କୁତ୍ସିତ, ବଦମାସ ଲୋକ ଜଣେ ଜଣେ ଥାଆନ୍ତି ପୃଥିବୀରେ।”
ଖାଇପିଇ ସାରିଲା ପରେ, ରେଡିଓର ସଙ୍ଗୀତ ମୂର୍ଚ୍ଛନା ଶୁଣୁ ଶୁଣୁ ତାଙ୍କୁ କିଏ ଜଣେ କହିଲା ଯେ, ଖୁନୀ ଧରା ପଡ଼ିଛି ଓ ସେ ହେଉଛି ଜଣେ ଭିକାରୀ। ତାକୁ ଖୁନୀ ବୋଲି କହିଦେଲା ଗୋଟାଏ ବାର ବରଷର ପିଲା। ନିର୍ମଳ ବାବୁ ଯୁଗପତ୍ ପ୍ରସନ୍ନ ଓ ଆଶ୍ଚର୍ଯ୍ୟ ହୋଇ ‘ହୁଁ’ ଟିଏ ମାରି ପୁଣି ସଙ୍ଗୀତ ଝଙ୍କାରରେ ଢାଳି ଦେଲେ ତାଙ୍କର ମନ।
ସନ୍ଧ୍ୟା ନ ହେଉଣୁ ନିର୍ମଳ ବାବୁ ଦେଖିଲେ ତାଙ୍କ ଦାଣ୍ଡ ଆଡ଼େ ଦୁଇଜଣ ପୁଲିସ ଗୋଟାଏ ଲୋକକୁ ଧରି ନେଉଛନ୍ତି ହାଜତକୁ-ଆଉ ସେ ଲୋକଟା ହେଉଛି ସେହି କାଲି ରାତିର କଦାକାର ମଣିଷ। ପଚାରିଲାରୁ ବୁଝିଲେ ଯେ, ସେ ସେହି ଭିକାରୁଣୀକୁ ମାରିଥିବା ଦୋଷରେ ଧରା ହୋଇ ଯାଉଛି। ସେ ମନେ ମନେ ଭାବିଲେ-ଓଃ କି କୁତ୍ସିତ କଦର୍ଯ୍ୟ ଲୋକ! ବିଶ୍ୱବିଧାତାଙ୍କ ଗୋଟାଏ କିମ୍ବୂତ କିମାକାର ସୃଷ୍ଟି!!
ତାଙ୍କ ଭାବନା ସୁଅରେ ବାଧାଦେଇ ଶଶାଙ୍କ ବାବୁ ପହଞ୍ଚିଗଲେ, କହିଲେ “କିହେ, କାଲି ସିନେମା ଦେଖିବାକୁ ଯାଇଥିଲ ପରା! କିପରି ଲାଗିଲା!”
ଖୁବ୍ ଭଲ-‘ବିଶେଷତଃ ଭିକାରୀ ପାର୍ଟଟା ହୋଇଥିଲା ବଡ଼ artstic ଓ true to life’
“ଚାଲ, ଆଜି ଆଉଥରେ ଯିବ ମୋ ସାଙ୍ଗରେ”
‘ହଉ’
ପାଞ୍ଚ ମିନିଟ ପରେ ସୌଖୀନ କାର୍ରେ ଦୁଇ ଜଣ ଯାକ ଚାଲିଗଲେ ରୂପେଲି ପରଦାରେ କେଉଁ ଭିକାରୀର ଛବି ଦେଖିବାକୁ।
…………
(୧୯୪୨ ମସିହାରେ ସେତେବେଳର ବହୁଳ ପ୍ରସାରିତ ପତ୍ରିକା ‘ନବୀନ’ରେ ପ୍ରକାଶିତ ଏହି ଗଳ୍ପଟି ଲେଖକଙ୍କର ପ୍ରଥମ ପ୍ରକାଶିତ ଗଳ୍ପ। ସେତେବେଳେ ଲେଖକଙ୍କୁ ମାତ୍ର ୧୮ବର୍ଷ ହୋଇଥିଲା।)