ଏକ ରାଇଜରେ ଗୋଟିଏ ବୁଢ଼ୀ ଥାଏ ଯେ, ତା’ର ଦିଓଟି ପୁଅ, ଦିଓଟି ବୋହୂ ଥାଆନ୍ତି। ଝିଅଟିଏ ଯେ, ସେ ଝିଅଟି ଶାଶୂ ଘରକୁ ଯାଇଥାଏ। ବୁଢ଼ୀଟିକି ଚାରି କୋଡ଼ି ବରଷ। ତା’ଦିହ ଲୁଚାକୁଚା ହୋଇ ଗଲାଣି। ଆଖିକି ଜାଲୁଜାଲୁଆ ଦିଶୁଥାଏ। ଦିନକର ବୋଧହୁଏ ରନ୍ଧାବଢ଼ା ସାରି ଖିଆପିଆ ସାରିଲାଣି। ଟିକିଏ ଗଡ଼ପଡ଼ ହେବେ ବୋଲି ଯାଉଛନ୍ତି। ବୁଢ଼ୀ କହିଲା, ଆଲୋ! ଆଜି ସଅଳ ପୋଡ଼ପିଏ କରି ଦିଅନ୍ତ କି, ମୁଁ ପିଠାଟି ଘିନି ମୋଝିଅ ଶାଶୂଘରକୁ ଯାଇ ତାକୁ ଶଙ୍ଖୁଳି ଆସନ୍ତି। ଏକାଳ ବୋହୂ ତ! ଦିହେଁ ଯାକ ଏହା ଶୁଣି ବୁଢ଼ୀ ଉପରେ ବିରକତ ହୋଇ କହି ହଉଥା’ନ୍ତି-ମଲା ମୋର ପଧିବ! ଏ ସତିଆନାଶୀ ବୁଢ଼ୀର ବୋଲ କରିବୁଁ ବୋଲି ଆମର ଧାଆଁ ପଡ଼ିଛି? ୟା’ କହି ଦି’ ଯାଆଯାକ ବିଚାରବିଚରି ହେଲେ-ହଉ ତେବେ ଚାଲ, ଆମ ଘର ଭୂଆଁ ବିରାଡ଼ିଟାକୁ ଶିଳରେ ବାଟି ମାଉଁସ ପିଣ୍ଡୁଳିଟିଏ କରି ଭୁଲିକି ପକେଇ ଦେବା, ସେ ମେଞ୍ଚାଟି ପୋଡ଼ି ଗଲାରୁ ବୁଢ଼ୀ ପାଖରେ ନେଇ ଥୋଇ ଦବା, ସେ ମୁଆଁସଖାଇ ତା’ ଝିଅଟା ଘରକୁ ନଉ କି ନଉ। ୟା’ କହି ଦୁଇ ଯାଆଯାକ ରାଗରେ ତମତମ ହୋଇ ହାଣ୍ଡିଶାଳ ଘରକୁ ପଶିଗଲା ବେଳକୁ, ସେ ବିରାଡ଼ିଟା ଚୁଲି ମୁଣ୍ଡରେ ଶୋଇ ଉଷୁମ ଟାଣୁଛି। ସେହି କ୍ଷଣିକା ତ ଏ ଦି’ ବୋହୂଏ ଚୁଲିରେ ଭାତ ତିଅଣ ରନ୍ଧାବଢ଼ା କରି ଖିଆପିଆ କରିଥାଆନ୍ତି। ଚୁଲିରେ ରଡ଼ ନିଆଁ ଡହଡହ ହୋଇ ଡହକୁଥାଏ। ଏ ପାପିଷ୍ଠା ଦିହେଁ, କ’ଣ କଲେ ନା, ଧଡ଼ପଡ଼ ହୋଇ ଯାଇ ସେ ନିର୍ଦ୍ଦୋଷ ବିରାଡ଼ିଟିର ତଣ୍ଟିକି ଧଇଲେ। ବିରାଡ଼ିଟି ଚୁଲିରେ ଦଣ୍ତେ ଛୁଟୁରୁ ପୁଟୁରୁ ହେଲା, ତା’ର ବା କେତେ ଜୀବନ? ତା’ ଦିହ ରୁମ ଯାକ ଫୁର୍ ଫୁର୍ ହୋଇ ପୋଡ଼ିଗଲା। ବିରାଡ଼ି ବିଚୁରାଟି ଛୁଟ୍ କିନା ମରିଗଲା।

ବଡ଼ବୋହୂ ଗୋଜଣା କାଠରେ ସେ ବିରାଡ଼ି ପୋଡ଼କୁ ଚୁଲି ପଖା ବାଟେ ଗୋଟାସୁଦ୍ଧା କରି କାଢ଼ି ଆଣିଲେ। ବଡ଼ବୋହୂ ବିରାଡ଼ିର ମୁଣ୍ଡ ପାଖରୁ ଧଇଲା, ସାନବୋହୂ ଲାଞ୍ଜ ପାଖ ଧଇଲା। ଇମିତି ଧରାଧରି କରି ଶିଳ ମୁଣ୍ଡାକୁ ନେଇ ବାଟି ବୁଟି ମସୁଣେଇ ଦେଲେ। ତାକୁ ପିଣ୍ଡୁକିଟି କରି ବଳି ଦେଲେ-ପିଣ୍ଡୁଳିଟିକ ଦଣ୍ଡେ ଖଣ୍ଡେ ଚଳଲି ପାଉଁଶରେ ପୋତି ଦେଲାରୁ ଘଡ଼ିକ ବାଦ ସେ ପିଣ୍ଡୁଳି ଉପରେ ଗୋଟାଏ ବୋଳ ବସି ପୋଡ଼ପିଠା ଭଳି ହୋଇଗଲାରୁ ତାକୁ ଆଣି ଶାଶୂ ଆଗରେ ଥୋଇଦେଲେ। ବୁଢ଼ୀ ୟା’ ଦେଖି ମହାଆନନ୍ଦ ହେଲା। ଏଣେ ସାରୁ ଭିତରେ ମାରୁ ଅଛି ବୋଲି ବୁଢ଼ୀ ଅବା କାହୁଁ ଜାଣିବ? ସତକୁ ସତ ତା’ ଆଖିକି ତ ସଫା ହୋଇ କିଛି ଦିଶୁ ନ ଥାଏ, ବୁଢ଼ୀ ତା’ ମନରେ ପାଞ୍ଚିଲା, ଯାଉଛି ଏ ପିଠାଟିକି ଦି’ଫାଳ କରି କାଟିବି ଯେ, ସେ ଫାଳକ ଚିରୁଡ଼ା ଚିରୁଡ଼ା କରି ଦି’ ପୁଅ ଦି’ ବୋହୂ ଖାଇବେ, ଆଉ ଫାଳକ ଝିଅ ପେଇଁ ଘିନି କରି ଯିବି।

ସେ ୟା ବିଚାରି ସେ ପିଣ୍ଡୁଳାଟିକି ଦି’ଫାଳ କରି ବୋଲି ପନିକି ଦରାଣ୍ଡିଲା ବେଳକୁ ସେ ହାଡ଼ଯାକ ପନିକିରେ ରଡ଼ରଡ଼ ଲାଗିଲା। ଦି’ ବୋହୂ ଚାହୁଁ କରି ସେଠେଇ ଠିଆ ହୋଇଥା’ନ୍ତି ତ, ବୁଢ଼ୀ ବଡ଼ବୋହୂକୁ କହିଲା, ହଇ ଲୋ ବଡ଼! ପିଠା ଡାକୁଛି ରଡ଼ରଡ଼, ସାନବୋହୂକୁ କହିଲା ହଇ ଲୋ ସାନ! କାହୁଁ ଅଇଲା ହାଡ଼ଟାମାନ? ଦିହେଁ ଚୋରପଟିଆ ହୋଇଯିବେ କଅଣ? ଅଧିକ ମୁହଁ ଟାଣ କରି ଦିହେଁ ଟାଉଁଟାଉଁ କରି କହିଲେ-ମଲା, ଏ ବୁଢ଼ୀକି କଅଣ ଦିଶିଲାଣି ଆସି? ପିଠାରେ ତ ନଡ଼ିଆ ଖଣ୍ଡମାନ ପଡ଼ିଛି, କାଣୀ ବୁଢ଼ୀ ନଡ଼ିଆକୁ ବାରି ନ ପାରି ହାଡ଼ ବୋଲି କଅଣ କହୁଛ ମଁ? ୟା’ କହି ଦି ଯାଆଯାକ ବାଆଁରା ବାଆଁରି ହୋଇ ବାରି ଆଡ଼କୁ ଦାଣ୍ଡି ମାରି ଚାଲିଗଲେ।

ଏଣେ ସେ ଦିନ ତ ଉଦୁଉଦିଆ ଖରା ହୋଇଥାଏ, ଦି’ ପୁଅଯାକ ଢୋଲେ ଲେଖାଏଁ ପିଇ ଦେଇ ସେ ଦିନ ବିଲବାଡ଼ି ଧନ୍ଦାକୁ ଯାଇ ନ ଥା’ନ୍ତି। ଘରେ ଶୋଇଥାଆନ୍ତି, ବୁଢ଼ୀ କଅଣ କଲା ନା ଦି’ ପୁଅଙ୍କୁ ଲହରେଇ ଲହରେଇ ଡାକ ଉପରେ ଡାକ ପକାଇଥାଏ, ଆରେ! ଦେଖିବ ଆସ, ଦି ବୋହୂଏ ମୋତେ ପିଠା କରି ଦେଇଯାଇ ଅଛନ୍ତି ଯେ, ତା’ ଭିତରେ ଚାରି ଆଙ୍ଗୁଳି ଲମ୍ବର ହାଡ଼ଖଣ୍ଡମାନ! ବୁଢ଼ୀର ଡାକ ଶୁଣି ଦି ପୁଅ ଆସି ଦେଖିଲା ବେଳକୁ ସତକୁ ସତ ବିଲେଇ ହାଡ଼ଗୁଡ଼ାଏ!! ଦି ପୁଅ କହିଲେ, ‘ମାଆ ଲୋ, ମାଆ! ଏ ତ ବିଲେଇଟାଏ।’

ବୁଢ଼ୀ ସେଇଥିରୁ ପୁଅଙ୍କ ଆଗରେ ସବୁ ସମାଚାରଯାକ କହିଲା। ଦି’ ପୁଅ ୟା’ ଶୁଣି ଧାଇଁ ଯାଇ ପଡ଼ିଶାଙ୍କ ଘରେ ଦି ବସିଥିଲେ, ତାଙ୍କୁ ଚୁଟି ଧରି ଘୋଷାଡ଼ି ଆଣି ଟାଙ୍କେ ଲେଖାଏଁ ନିର୍ଧୁମ ଛେଚିଲେ। ବୁଢ଼ୀ ରାଗରେ ତମତମ ହଉଥାଏ। ବୁଢ଼ୀ ସିନା ପିଠାଖଣ୍ଡକ ନେଇ ଝିଅଘରକୁ ଯିବାକୁ ବସିଥିଲା, ପିଠାରେ ତ ଏ ରବେୟା, ସେଇଥିରୁ ବୁଢ଼ୀ କାନ୍ଦୁଣିମାନ୍ଦୁଣି ହୋଇ ଖାଲି ହାତରେ ଝିଅ ଘରକୁ ଗଲା। ଯାଉଁ ଯାଉଁ ବାଟରେ ଏକ ଅଗନାଗ୍ନି ବନସ୍ତ ପଡ଼ିଲା। ସେ ବଣରେ ପଲପଲ ବାଘ, ଭାଲୁ, ଅରଣା ମଇଁଷି ବୁଢ଼ୀକି ବାଟ ଓଗାଳିଲେ। ବାଘ ବୁଢ଼ୀକି ଦେଖି କହିଲା, ମୁଁ ତତେ ଖାଇବି, ଭାଲୁ କହିଲା-ମୁଁ ଖାଇବି, ଗଧିଆ କହିଲା- ମୁଁ ଖାଇବି, ଏହିପରି ସମସ୍ତେ କହିଲେ। ବୁଢ଼ୀ କହିଲା, ଆରେ ପୁଏ! ମୋ ବୋହୂ ଦିହେଁ ତ ମୋତେ ଓପାସ ଭୋକରେ ଖଡ଼ିକା ପରି କରି ସାରିଲେଣି, ମୁଁ ତ ନ ଖାଇ ନ ପିଇ ମୋ ଦିହରେ ପଳେ ହେଲେ ମାଉଁସ ନାହିଁ। ମୁଁ ମୋ ଝିଅ ଘରକୁ ଯାଉଛି ଯେ, ତେଣୁ ଖାଇପିଇ ଟୁମାଟୁମ୍ ମୋଟାମୋଟ ହୋଇ କରି ଏହି ବାଟ ଫେରିବି ଯେ, ମୋ ଦିହରେ ମାଉଁସ ଲାଗିଥିବ। ତୁମେ ସମସ୍ତେ ମତେ ଖାଇବ ଯେ, ଭଲା ତୁମ ପାଟିକି ଖାଇଲା ଭଳିଆ ଜଣାଯିବ। ଇଲାଏ ମତେ ଖାଇଲେ ଜୀବରେ ହତ୍ୟା ଲାଗିବ, ମାଉଁସରେ କାରଣ ନାହିଁ ସିନା ହବ?

ସେ ଲାଉଥାଳକୁ ବାଘ, ଗଧିଆ, ଭାଲୁ ପଚାରିଲେ, ଲଉଧୁଡ଼ୁକି ଲୋ ଲାଉଧୁଡ଼ୁକି, ବୁଢ଼ୀକି ଦେଖିଛୁ କି?’ ସେ ଲାଉଥାଳଟି କହିଲା-ମୁଁ କି ଜାଣେ ବୁଢ଼ୀ ଫୁଢ଼ୀ, ମୁଁ ଯାଉଥାଏ ଗଡ଼ିଗଡ଼ି।

ୟା’ ଶୁଣିଲାରୁ ସବୁ ଜୀବଜନ୍ତୁ ଯାକ ବୋଧବାଧ ହୋଇ ବୁଢ଼ୀକି ବାଟ ଛାଡ଼ିଦେଲେ। ବୁଢ଼ୀ ତା’ ସୁଖରେ ଠୁକୁଠୁକୁ ହୋଇଗଲା। ଯାଇ କରି ମହା ଆନନ୍ଦରେ ତା ଝିଅଘରେ ପହଞ୍ଚିଲା। ଝିଅ ମାଆକୁ ଦେଖି ଭାରି ଆଦର ସାଦର କରି ଘରକୁ ନେଲା। ମାଆ ଝିଅ ଦୁହେଁ ଦୁଃଖସୁଖ ହୋଇ ବସିଲେ। ମା’ ଝିଅ ଆଗରେ ଦି’ ବୋହୂଙ୍କର ବାଦ କହିଲା। ଝିଅ କାଠୁଆଏ ହଳଦୀ ଚିକ୍କଣ କରି ବାଟି ପକେଇଲା। ଗିନାଏ ମାଇପା ଆଣି ବୁଢ଼ୀ ଦିହରେ ସେତକ ହଳଦୀ ସେତକ ମାଲପା ଜୁଡ଼ୁବୁଡ଼ୁ କରି ବୋଳିବାଳି ଦେଲା। ଏଣେ ବୁଢ଼ୀକି ପାଞ୍ଚ ତିଅଣ ସାତ ଭଜା କରି, ଗୋଟେଇ, ଅଟକାଳି, ବେସର, ମହୁର କରି ତିନି ଓଳି ତିନିପେଟ ଲେଖାଏଁ ଗିଳେଇଲା। ଝିଅ ଜୋଇଁ ବୁଢ଼ୀକି ଭାରି ହେପାଦସ୍ତ କଲେ। ଦିନ ସାତୁଟାରେ ଖାଇପିଇ ଅଠିଲ ହୋଇ ବୁଢ଼ୀ ଲୁତୁର ପୁତୁର ହୋଇ ତା’ ଦିହରୁ ପୁଟି ଓହଳି ପଡ଼ିଲା। ବୁଢ଼ୀ ବେଲଟି ଭଳିଆ ଗୋଲଗାଲ ବନିଗଲା।

ଦିନେ ବୁଢ଼ୀ ଝିଅକୁ ଡାକିଲା, ଝିଅ ଲୋ! ଆଜି ମୁଁ ଘରକୁ ଯାଆନ୍ତି। କ’ଣ କରିବି? ସେ ଦିନ ତୋ ଘରକୁ ଆସୁଆସୁ ସେ ବନସ୍ତ ଭିତରୁ ବାଘ, ଭାଲୁ, ଗଧିଆ ଏଡ଼େ ଏଡ଼ୁଟାମାନ ଖାଇ ପିଇ ହୋଇଛନ୍ତି, ପଞ୍ଝାଏ ବାହାରି ପଡ଼ିଲେ, କହିଲେ, ତତେ ଖାଇବୁ। ମୁଁ ତାକୁ କହିଛି-ମୋ ଝିଅଘରୁ ମୁଁ ଗଣ୍ଡି କରି ଏହି ବାଟେ ଆସିବି ଯେ, ତୁମେ ମୋତେ ମନବୋଧ କରି ଖାଇବ। ଇଲାଏ ତ ଗଲେ ମତେ ସେ ଜନ୍ତୁଯାକ ବେଢ଼ିବେ। ମୁଁ କି ବୁଦ୍ଧି କରିବି?ୟା’ ଶୁଣି ଝିଅ ଗୋଟାଏ ମନରୁ ପାଞ୍ଚ କାଢ଼ିଲା। ଆମ ଗୁହାଳ ଚାଳରେ ଗୋଟାଏ ରମ୍ଭା ଲାଉଲଟା ମାଡ଼ିଥିଲା ଯେ ସେଥିରେ ଢିଙ୍କିଆ ଲାଉ ଫଳିଥିଲା। ସେ ଲାଉରୁ ମୁଁ ଚାରିଟା ଲାଉଥାଳ ସାଇତି କରି ରଖିଛି। ସେ ତୁମ୍ବାଟିମାନ କୋଡ଼ମେଇ ଭଳିଆ ହୋଇଛି। ମୁଁ ସେଇଥିରୁ ଗୋଟିଏ ଆଣି ଦଉଛି କି, ତୁ ସେହି ଲାଉତୁମ୍ବୀ ଭିତରେ ପଶ, ପଶି କରି ଗଡ଼ିଗଡ଼ିକା ତୋ ଘରକୁ ଯିବୁ ବାହାରି। ବାଘ ଫାଘ ତତେ କେହି ଆଉ ଚିହ୍ନି ପାରିବେ ନାହିଁ। ଝିଅ ୟା କହି ସବା ବଡ଼ ଲାଉଥାଳଟିକୁ ଆଣି କରି ଦେଲାରୁ ବୁଢ଼ୀ ସେ ଥାଲ ଭିତରେ ପଶିଗଲା। ଝିଅ ସେ ଥାଳ ମୁହଁଟିରେ ଠିପିଟିଏ ମାରି ମୁଦି ଦେଲା। ମୁଦି କରି ବାପଘର ଗାଁ’ ଆଡ଼କୁ ଗଡ଼େଇ ଦେଲା।ଥାଳଟି ଗଡ଼ିଗଡ଼ିକା ଯାଉଥାଏ।

ତେଣେ କଅଣ ହୋଇଛି ନା, ବୁଢ଼ୀ ଝିଅ, ଘରକୁ ଗଲା ଦିନଠଉଁ ବାଘ, ଭାଲୁ, ଗଧିଆ ଏ ସମସ୍ତେ ଚାହିଁ କରି ବୁଢ଼ୀ ଆସିଲେ ତାକୁ ଖାଇବେ ବୋଲି ତ ବସିଥା’ନ୍ତି। ଏହି ସମୟରେ ଏ ଲାଉତୁମ୍ବାଟି ଗଡ଼ିଗଡ଼ିକା ସେହି ବାଟେଗଲା। ବାଘ, ଭାଲୁ,ଗଧିଆ ତ ସହଜରେ ପଶୁଜନ୍ତୁ। ବୁଢ଼ୀ ଏ ଲାଉ ଥାଳରେ ପଶି ଗଡ଼ିଗଡ଼ି କରି ଆସୁଛି ବୋଲି ସେ କାହୁଁ ଅବା ଜାଣିବେ? ସେ ଲାଉଥାଳକୁ ବାଘ, ଗଧିଆ, ଭାଲୁ ପଚାରିଲେ, ଲଉଧୁଡ଼ୁକି ଳୋ ଲାଉଧୁଡ଼ୁକି, ବୁଢ଼ୀକି ଦେଖିଛୁ କି?’ ସେ ଲାଉଥାଳଟି କହିଲା-ମୁଁ କି ଜାଣେ ବୁଢ଼ୀ ଫୁଢ଼ୀ, ମୁଁ ଯାଉଥାଏ ଗଡ଼ିଗଡ଼ି। ବୁଢ଼ୀ ୟା’ କହି ଗଡ଼ିଗଡ଼ିକା ଏକାବାରକେ ଯାଇ ତା’ ଘର ପାଖେ ପହଞ୍ଚିଲା। ବୁଢ଼ୀ ଘର ପାଖ ହେବାରୁ କ’ଣ କଲା ନା, ଖୋଳ ଭିତରୁ ଠିପିଟିକି ମୁଣ୍ଡିଆ ମାରି ଦେଲାରୁ ଟିପିଟି ବାହାରିପଡ଼ିଲା। ସେ ଲାଉ ଖୋଳଟିରୁ ବୁଢ଼ୀ ବାହାରି ପଡ଼ି ଖୋଳଟିକୁ ତେଣିକି ଫୋପାଡ଼ି ଦେଲା। ଧଇଁସଇଁ ହୋଇ ଲଇଁଲଇଁକା ବାଡ଼ି ଖଣ୍ଡିଏ ଧରି ଠୁକୁ ଠୁକୁ ହୋଇ ଚାଲି କରି ଘରେ ଯାଇଁ ପହଞ୍ଚିଗଲା। ଦି’ ପୁଅଙ୍କ ଆଗରେ ତୁଚ୍ଛା ଝିଅ ଜୋଇଁଙ୍କ ପ୍ରଶଂସା ତାଙ୍କ ଆଦର କଥାଯାକ ଲହଳି ପକାଉଥାଏ। ଦି’ ପୁଅଯାକ ମାଆକୁ ଦେଖି ଭାରି ଖୁସିଟାଏ ହେଲେ।

ଏଣେ ଦି ବୋହୂ ତ ବୁଢ଼ୀ ଯୋଗରୁ ଟାଙ୍କେ ଲେଖାଏଁ ଛେଚା ଖାଇଥିଲେ। ତାଙ୍କ ମନରେ ସେ ରାଗ ଥାଏ। ବିଚାରିଲେ, ଏ ଡାଙ୍କେଣୀ ରାଣ୍ଡୀ ଝିଅଘରୁ ଖଣ୍ଡେ ଗଣ୍ଡି କାଢ଼ି କରି ଫେରି ଆସି ଏଠେଇଁ ଝିଅ ଜୋଇଁଙ୍କ ଭାଗ୍ୟ ଦେଖେଇ ହଉଚି। ୟାର କେଡ଼େ ଭାଗ୍ୟ, କେଡ଼େ ବଡ଼େଇ ହେଲାଣି। ମନେମନେ ୟା’ ବିଚାର କରୁଥାଆନ୍ତି। ଏଣେ ଭାତ ତିଅଣ ସନ୍ତୁଳା ଖରଡ଼ା କରି ଗେରସ୍ତମାନଙ୍କୁ ଖାଇବାକୁ ଦେଲେ। ଗେରସ୍ତମାନ ବିଲକୁ ଗଲେ। ବୁଢ଼ୀକି ବି ମାଡ଼ିମୁଡ଼ି କରି କଂସାଏ ବାସି ପଖାଳ ଓ ପୁଳାଏ ଶାଗ ଖରଡ଼ା ବଡ଼ିଫୁଲା କରି ଥୋଇଦେଲେ। ବୁଢ଼ୀ ସେତକ ଖାଇଦେଇ ପିଢ଼ା ଖଣ୍ଡିଏ ମୁଣ୍ଡ ତଳେ ଦେଇ ବାଡ଼ି ଘରେ ଖଣ୍ଡିଏ କତରାରେ ଦୋସଡ଼ି ଖଣ୍ଡେ ପାରି ଟିକିଏ ଗଡ଼ପଡ଼ ହୋଇ ଅଳସ ମେଣ୍ଟାଉ ଥାଏ। ବୁଢ଼ୀ ଢୋଲେ ଖାଇ ତ ତା’ ପେଟ ବେଙ୍ଗ ଭଳିଆ ଫୁଲି ଥାଏ। ଚିତ୍ ହୋଇ ଶୋଇଥାଏ। ଝଟ ତାକୁ ନିଦ ଲାଗିଗଲା। ଘରେ ତ ପୁଅ ଦିହେଁ ନ ଥା’ନ୍ତି। ଦି ବୋହୂ ଯାକ ଭାଡ଼ି ଉପରୁ କାଠଫାଳିଆ ଦି’ ଖଣ୍ଡ ଆଣି ବୁଢ଼ୀ ପେଟକୁ ଦେଖେଇ କରି କାଠେ ଲେଖାଏଁ ପିଟି ଦେଲେ ଯ ବୁଢ଼ୀ ପେଟ ଢୁକିନି ଫାଟିଗଲା। ଏ ଶବଦ ଆମ ଗାଁ’ ମୁଣ୍ଡ ଯାକେ ଶୁଭିଲା। ବୁଢ଼ୀ ଗୋଟାଏ କିଳିକିଳା ରାବ ଦେଇ ମରିଗଲା।

ପୁଅ ବିଲରୁ ଆସି ଦେଖିଲା ବେଳକୁ ବୁଢ଼ୀ ପେଟ ଫାଟି ମରିକରି ପଡ଼ିଛି। ଏ ବୋହୂଏ କହିଲେ, ବାଡ଼ିଘର ଉଘାଡ଼ ଉପରୁ କାଠଫାଳିଆ କିମିତି କେଜାଣି ବୁଢ଼ୀ ଉପରେ ଖସି ପଡ଼ିଲା ଯେ, ପେଟ ଫାଟି ମରିଗଲା। ପୁଅମାନେ ୟା ଶୁଣି କାନ୍ଦିଲେ, ବୋବେଇଲେ। ବୁଢ଼ୀକି ଶୁଦ୍ଧି ହେଲେ, ବ୍ରାହ୍ମଣ ଭୋଜନ କରାଇଲେ। ବ୍ରାହ୍ମଣଙ୍କୁ ଚୁଡ଼ା, ଦହି, ଗୁଡ଼ ପେଟେ ଲେଖାଏଁ ଖୋଇଲେ। ମୁଁ ଗଲାରୁ ମତେ ପାଟି ଫିଟେଇଲେ ନାହିଁ।

ଏହି ଗପଟି ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଲିଖିତ ‘ଉତ୍କଳ କାହାଣୀ’ରୁ ସଂଗୃହୀତ
-୦-