ଶୁଣ ହୋ ବଇସୁତ ମନୁ ବଦୟନ୍ତି ଅଗସ୍ତି
ବିଦୁର ମଲାର ହୋଇଲା ବରଷକ ସଂଗତି ।୧।
ଜ୍ୟେଷ୍ଠା ନକ୍ଷତ୍ର ଯେ ଅଟଇ ସେ ଦିନର
ନାଗ ନାମରେ କରଣ ଅତିଗଣ୍ଡ ଯୋଗ
ଗଂଗା କୂଳେ ପର୍ବତ ଯା ଅଟେ ମଧ୍ୟସ୍ୱର୍ଗ ।୨।
ସେ ପର୍ବତ ଉପର ବୃକ୍ଷେ ଡାଳେ ଡାଳେ ଘଷି
ଅଗ୍ନି ବାହାର ହୋଇଲା ତେଜ ପରକାଶି ।୩।
ଆକାଶେ ବିକାଶିଲା ବନାନଳ ତେଜ ମୃତ୍ତି
ପୋଡ଼ିଲା ବନସ୍ତ ଯେ ଲାଗିଲା ଗଗନ ତାତି ।୪।
ଦେଖିଣ ସଂଜୟ ଯେ ଧାମଇ ଅତିବେଗେ
ଧାଇଁଯାଇ କହିଲା ସେ ଧୃତରାଷ୍ଟ୍ର ଆଗେ ।୫।
ଭୋ ସ୍ୱାମୀ ଦହିଜ ଯେ ହୋଇଲାକ ବନ
ପିଠିରେ ବସ ମୋହୋର ପଳାଇବା ବହନ ।୬।
ୟେକେ ୟେକେ ତୁମ୍ଭନ୍ତ ଥୋଇବି ନିରୋଳ ବନେ
ନକର ଆଉ ଭରସା ପଳାଇବା ବହନେ ।୭।
ଧୃତରାଷ୍ଟ୍ର ବୋଇଲା ହୋ ବଳ ପ୍ରାଣ ନାହିଁ
ଶ୍ରୀଘ୍ର ଗତି ଯାଇ ଅବା ପାରିବଇଁ କାହିଁ ।୮।
ଅଛି ଚର୍ମପିଣ୍ଡର ଯେ ମହା ଘୋର ଦୁଖ
ଜୀବନ୍ତେ ଆଶା ନାହିଁ ଅଗ୍ନି କୁରୁ ଭକ୍ଷ ।୯।
ଅନୀତି ଶରୀର ୟେ କିମ୍ପାଇ ଘେନିଥିବା
ଅବଶ୍ୟ ଜନ୍ମକଇଁ ବେଳେ ମୃତୁ ଯେ ଲଭିବା ।୧୦।
ଧୃତରାଷ୍ଟ ବୋଇଲେ ଲାଗିଲା ନି ତବତ
କେତେ ଦୂରେ ହୋ ଘେନି ଯିବୁସି ଆମ୍ଭନ୍ତ ।୧୧।
ଶରୀର ଅଶକତ ନୁଆରଇ ଚରଣ କାଢ଼ି
ଯାଅ ଯା ସଂଜୟ ତୁଇ ଆମ୍ଭନ୍ତ ୟେଥେଁ ଛାଡ଼ି ।୧୨।
ଦେଖ ଦେଖ ବହତି ଯେ ପଡ଼ୁ ଅଛି ଧାଇଁ
ଭୟେଣ ସଂଜୟେ ତହୁଁ ଗଲେକ ପଳାଇ ।୧୩।
ଧାତିକାରେ ଆସି ଲାଗିଲା ପର୍ଣ୍ଣକୂଟୀ
ଦହନ ହୋଇଲେ ତହିଁ ଗାନ୍ଧାରୀ ଧୃତରାଷ୍ଟି ।୧୪।
ଦଇବ ଦଇବ ବୋଲି ସୁମରିଣ କୋନ୍ତୀ
ତାହାଙ୍କ ଉପରେ ଅଗ୍ନି ପଡ଼ିଲା ତଡ଼ତି ।୧୫।
ଜ୍ୟେଷ୍ଠ କୃଷ୍ଣ ଅମାବଇ ଗାନ୍ଧାରୀର ଜନ୍ମ
ସେହୁ ଦିବସେଣ ସେହୁ ହୋଇଲେ ଦହନ ।୧୬।
ଏହି କବିତାଟି ସାରଳା ଦାସଙ୍କ ରଚିତ ମହାଭାରତର ଶେଷ ଖଣ୍ଡ ଆଶ୍ରମିକ ପର୍ବର ଏକ ଅଂଶ