
ଛୋଟ ମୋର ଗାଆଁଟି
ଭୂଗୋଳ ପୋଥି-ପତରେ ପଛେ ନ ଥାଉ ତାର ନାଆଁଟି
ମାଟିର ସେଇ ସରଗ ମୋର,
ସେଇଠି ଅଛି ମୋ ଷଠୀଘର।
ଜଳିବ ପୁଣି ସେଇଠି ଶେଷେ
ମୋହରି ଚିତା ନିଆଁଟି।
ଛୋଟ ମୋର ଗାଆଁଟି।
ଜନମି ତାର ଏନ୍ତୁଡ଼ିଶାଳେ
ବୁଲିଛି କେତେ ତା’ ତୋଟାମାଳେ।
ପାଞ୍ଚଟି ମୋର ପଞ୍ଜରା କାଠି,
(ଶେଷେ) ସେଇଠି ହେବ ଡାହାଟି।
ଛୋଟ ମୋର ଗାଆଁଟି।
ତାହାରି ଜଳ ରକତ ହୋଇ
ଶିରାରେ ବହେ ଯେସନ ନଈ,
ନିଃଶ୍ୱାସେ ମୋର ତାହାରି ବାୟୁ
ଚଲାଏ ପ୍ରାଣ-ନାହାଟି।
ଛୋଟ ମୋର ଗାଆଁଟି।
ତାହାରି ଫୁଲ ଶାଗୁଆ ଲତା
କଣ୍ଠେ ମୋର ଦେଲା ଯେ କଥା,
ଆଖିରେ ଦେଲା ଚାହାଣି ନୂଆ,
(ତା’ର) ଫଗୁଣ ଉଷା ପାହାନ୍ତି।
ଛୋଟ ମୋର ଗାଆଁଟି।
ଝରଣା ତା’ର କଲା ଯେ କବି,
ନୟନେ ଦେଲା ରୂପର ଛବି,
ବୁହାଇଦେଲା ସପନ ଢେଉ
ପଥର ବୁକେ ନିହାତି।
ଛୋଟ ମୋର ଗାଆଁଟି।
ତାହାରି ଲଟା, ତାହାରି ବଣ,
ତା’ ଗାଈଗୋଠ ମୁରଲୀ-ସ୍ୱନ,
ଫସଲ କଟା ମଧୁର ଗାନ
ସକଳ ମୋର ସାହାଟି
ଛୋଟ ମୋର ଗାଆଁଟି।
ଆଲୁଅ ତା’ର କି ମନୋହର!
ଅନ୍ଧକାର ତା’ଠାରୁ ଭଲ,
ଜୀବନ ପଥେ ସକଳ ତା’ର
ଫିଟାଏ ନୂଆ ରାହାଟି।
ଛୋଟ ମୋର ଗାଆଁଟି।
ଦୁନିଆ କଣେ ଚାଖଣ୍ଡେ ଥାନ,
ଅତି ସେ ଛୋଟ, ନିହାତି ସାନ,
ତଥାପି ଭାଳେ ଛବିଟି ଦୂରୁଁ
ଥରେ ମୁଁ ତାର ଚାହାନ୍ତି।
ଛୋଟ ମୋର ଗାଆଁଟି।
ଖୁଦର ତାର ଉଦରତଳେ
କେତେ ଯେ ରଥୀ ଜନମ ନେଲେ
(କେତେ) ନାଉଁଆ ଲୋକେ ଅଇଲେ ଗଲେ
ଆଜି ସେ ସବୁ କାହାନ୍ତି।
ଛୋଟ ମୋର ଗାଆଁଟି।
ପେଟରେ ପେଟେ ମାମଲା ବୁଦ୍ଧି
ଜନମି ଥିଲେ ହରି ସୁବୁଦ୍ଧି,
ସାଥିକୁ ତାଙ୍କ ଗୋଦର ଗୋଡ଼
ମନ୍ତ୍ରୀ ଛଣି ମହାନ୍ତି
ଛୋଟ ମୋର ଗାଆଁଟି।
ଖଣ୍ଡିଆ କାନ୍ଥ ଗାଆଁଟା ହେଲା
ଡିହରେ ନାଚେ ବିଲୁଆ ପିଲା,
ଉଚ୍ଛନ୍ନ ହେଲେ, ଆସାମ ଗଲେ
ଘରେ ତ ଚାଷୀ ନାହାନ୍ତି
ଛୋଟ ମୋର ଗାଆଁଟି।
ପ୍ରତାପଶାଳୀ ସାମନ୍ତରାୟ
ଗାଁରେ କଲେ ଏମନ୍ତ ରାୟ;
ଦେଏଣା ଭାରେ ସକଳେ ହାଏ
ରେଙ୍ଗୁନୁ ଭୂଇଁ ଧାଆନ୍ତି।
ଛୋଟ ମୋର ଗାଆଁଟି।
ଗାଁରେ ଥିଲେ କପିଳ ନନ୍ଦେ
ଚାଲିଲେ ଭୂଇଁ ଲସେ ଯେ ଖନ୍ଦେ
ସବୁ କଥାରେ ମୁରବି ସାଜି
ହଲାଉଥିବେ ବାହାଟି
ଛୋଟ ମୋର ଗାଆଁଟି।
ସରବାକାର ଅଗାଧୁ ଷଣ୍ଢ
ଗାଧୋଇ ସାରି ଦିଅନ୍ତି ଦଣ୍ଡ
ପୋଷିଲେ ଜଣେ, ଶୋଷନ୍ତି ପଣେ
କଲମ-କାଠି ଛୁଆନ୍ତି
ଛୋଟ ମୋର ଗାଆଁଟି।
ଚଉକିଦାର ଗୋବରା ଭୋଇ
ଚିଲମ ଟାଣି ରାତିଟା ଶୋଇ
ସକାଳୁ କହେ ‘‘ ବୁଲାଇଦେଲି
ଚୋରକୁ କାଲି ଭୂଆଁଟି’’।
ଛୋଟ ମୋର ଗାଆଁଟି।
ଆବର ଥିଲା ଜଟିଆ ବୁଢ଼ୀ
ପିଲାଠୁ ବଡ଼ ସବୁରି ଖୁଡ଼ୀ,
କା’ ଘରେ କେତେ ମୂଷାର ଗାଡ଼,
ସବୁ ତା ଜିଭେ ଥୁଆଟି।
ଛୋଟ ମୋର ଗାଆଁଟି।
ମୁହଁଟା ତାର କାତିରୁ ଦାଢ଼,
ପଣତ କାନି ଛୁଆଇଁ ବାଡ଼,
ଲଗାଇ କଳି, ଝୁଣିବ ହାଡ଼,
ଡାକିବ କେତେ କୁହାଟି।
ଛୋଟ ମୋର ଗାଆଁଟି।
ଗାଁର ପୁଣି ବାଗୁଡ଼ି ଖେଳେ
କେଳୁଆ, ନିଛି, ଅଇଁଠା ମେଳେ
କେତେକେ କେ ଜୀଏ, କେତେ କେ ମରେ,
ମରେନା କଖାଲି କାଆଟି।
ଛୋଟ ମୋର ଗାଆଁଟି।
ଗାଁର ଶେଷେ ଏକଣା ଘରେ
ବଉଳ ଫୁଲ ଯେଉଁଠି ଝରେ,
ଥିଲା ଯେ ପୁଣି ବିଧବା ଏକ
ବାଳୁତ ତାର ଛୁଆଟି।
ଛୋଟ ମୋର ଗାଆଁଟି।
ହବିଷ ଖାଇ ଚଉଁରା ମୂଳେ
ନିତି ଆସି ପ୍ରଣତି ଢାଳେ,
ଆକାଶଦୀପ ହୋଇ ଯେ ଜଳେ
ଭୋକିଲା ତାର ‘ସାହା’ଟି।
ଛୋଟ ମୋର ଗାଆଁଟି।
ଏସବୁ କଥା ଛବିଟି ପରି
ପ୍ରବାସେ ମନେ ଉଠଇ ଝଳି।
ଇଚ୍ଛା ହୁଏ ମାଟିରେ ତାର
ଶିରଟି ଥରେ ନୁଆନ୍ତି।
ଛୋଟ ମୋର ଗାଆଁଟି।