ଭଲପାଏ ମୁହିଁ କଅଁଳ ଫୁଲେ
କାକର ଟୋପି ଟୋପି
ପତର ଆଖି ପତାର ଲୁହ
ବରଷା ଥୋପି ଥୋପି।
ଝରଇ ଯେବେ ଫଗୁ ଫଗୁଆ
କିରଣ ବାଟବଣା
ସଞ୍ଜୁଆଳୀ ସୁନେଲି ମେଘ
ଘୋଡ଼ଣି କରି କଣା।
ଭଲପାଏ ମୁହିଁ ଚଉଦିଗର
ବଉଦ ଆଢ଼ୁଆଳେ
ଗୋଟିଏ ତରା ନୀରବେ ବସି
ଆଲୁଅ ଯେବେ ଢାଳେ।
ଭଲପାଏ ମୁଁ ଘୁରିଘୁରିକା
ପତର ଯେବେ ଖସେ
ପରଜାପତି ପାଖୁଡ଼ା ପରେ
ଅଳସେ ଯେବେ ବସେ।
ଭଲପାଏ ମୁଁ ସବୁଜ ବିଲେ
ଲାଜୁଆ ନେଳି କଇଁ
ଚୋରା ଆଲୁଅ ଟିପି ଉଡ଼ିଲେ
ଜୁଜୁଜୁଳିଆ ଛାଇ।
ଭଲପାଏ ମୁଁ ଜାତିଜାତିକା
ହାତିଆ ପରବତେ
ସଞ୍ଜ ବୋହୂ ନାଲିଆ ଚିତା
ଲେଖିଲେ ମନମତେ।
ଭଲପାଏ ମୁଁ ବାଦଲୁ ଆସି
ଗୋଲାପୀ ଏକ ପରୀ
ବିଜୁଳି ଗୁଣ ବଢ଼ାଇ ଦେଲେ
ଇନ୍ଦ୍ରଧନୁ ପରି।
ଭଲପାଏ ମୁଁ ଦରିଆ କୂଳେ
ଲଢ଼ୁଆ ଢେଉ ଖେଳା
ମେଘୁଆ ଦିନେ ଶାଗୁଆ କ୍ଷେତେ
ଧୋବଲା ବଗ ମେଳା।
ଦୁଇଟି ଆଖି କେତେ କି ଶୋଭା
ଦେଖିବି ଦିନରାତି
ପୂରିଉଠେ ମୋ ହସୁରା ମନ
ନାଚିଉଠେ ମୋ ଛାତି।