ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ନିତ୍ୟାନନ୍ଦ ମହାପାତ୍ର
ସୁଧାଂଶୁ ଶେଖର ପାତ୍ର
ସ୍ବଭାବ କବି ଗଙ୍ଗାଧର ମେହେର
ସନ୍ଥକବି ଭୀମ ଭୋଇ
ତ୍ରିନାଥ ସିଂହ
ବ୍ରଜନାଥ ରଥ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବଟୁଆ
 |- ଗୋବିନ୍ଦ ତ୍ରିପାଠୀ
 
 
ତା: ଅକ୍ଟୋବର୍ ୧୧, ୨୦୧୧  
 

ଟିକିଏ ବସିଯାଆ୤ ଏ ବଟୁଆ, ଓଡ଼ିଆ ଅକଡ଼ିଆ, ବାଟୁଆ, ଆଖୁଆ, ପରଗତିଆଁ ଆଗଡ଼ିଆଁ ଇତ୍ୟାଦି ଶବ୍ଦଗୁଡ଼ାକ ମୋ ମନରେ ଗୋଟାଏ ବଡ଼ ଗୁରୁତର କଥା ମନେ ପକାଇଦେଇଛି୤ ଥରକୁ ଥର ଦେଖିଥିଲି, ଜଣେ ବଡ଼ ମୁଣ୍ଡିଆ, ବଡ଼ଖିଆ- ଧେତ୍‌ତେରେ- ସେଇ-ଆ, କଣ କରିବି, ମୁଁ ଯେ ସେଇଥିରେ ବଢ଼ିଆସିଚି କହିଥିଲି-ଜଣେ ଖ୍ୟାତନାମା, ପ୍ରସିଦ୍ଧନାମା ସାହିତ୍ୟ ମହାରଥୀ ଲେଖିଥିଲେ ଯେ- ଆମେ ନାଁ ପଛରେ ଏଇ ଯେ ଆକାରଟା ଯୋଡ଼ିଦେଉଁ, ଅର୍ଥାତ୍ ବଳରାମକୁ ବଳିଆ, କଳାରାମକୁ କାଳିଆ, ବାଉରିବନ୍ଧୁକୁ ବାଉରିଆ, ମଧୁସୂଦନକୁ ମଧୁଆ, ହରିଶ୍ଚନ୍ଦ୍ରକୁ ହରିଆ, କାଳିନ୍ଦିକୁ କାଳିଆ, ବୈକୁଣ୍ଠକୁ ବଇଆ, ଇତ୍ୟାଦି ବୋଲି ଡାକୁ, ଏଇଟା ଆମ ଜାତିର ସଭ୍ୟତାର ଚିହ୍ନ୤ ଏଇ “ଆ” ଟାକୁ “ନାଁ” ପରକୁ କା କରିଦେବାକୁ ହେବ୤ ତେବେ ତା ଜାଗାରେ କଣ ବସେଇବ ? ନା ବଦଳି ତ ଫେରେ ଗୋଟାଏ ଡାକ ନା କିଛି ରହିବା ଦରକାର ! ଦେଖ ଦେଖି, ଆଉ ଜାତିମାନେ କଣ ଡ଼ାକ ନାଁ ଦିଅନ୍ତି ? ବିହାରୀମାନେ ମଧ୍ୟ ଏଇ “ଆ” ଟା ଡ଼ାକ ନାଁ ପଛରେ ଲଗାନ୍ତି୤ ଯେପରି ଯମୁନାକୁ ଯମୁନୁଆ, ବାତୋକୁ ବାତୱା, ରାମକୁ ରାମୱା ଇତ୍ୟାଦି୤ ବିହାରୀଗୁଡ଼ାକ, ଅତଏବ ଆମରି ପରି ଅସଭ୍ୟ୤ ତାଙ୍କ ପାଖକୁ ଯାଇ କି ଲାଭ ? ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ, ବାବୁ ଜୟପ୍ରକାଶ ନାରାୟଣ- ଏମାନେ ଆମର ଗୁରୁ, ୟାଙ୍କ ପାଦ ଚାଟିବାରେ ଦୋଷ ନାହିଁ୤ ଏମାନଙ୍କର ଘର ବିହାରରେ ହେଲେ ମଧ୍ୟ ଏମାନେ କଣ ବିହାରୀ କି ? ଏମାନେ ପରା ଭାରତବର୍ଷ ବୋଲି ଯେଉଁ ଅଲଗା ଦେଶଟା ଅଛି ନା, ସେଇ ଦେଶର ଧନୁର୍ଦ୍ଧରା ! ତା ହେଲେ ଉପାୟ ? ଦେଖ ତ ବଙ୍ଗାଳୀମାନେ କଣ କରୁଚନ୍ତି ? ଏଥିରେ ଏଇ ତ ଠିକ୍‌୤ ହରିକି କହିବ ହରେ, ମଧୁକୁ କହିବ ମଧୋ, କାଳିନ୍ଦିକି କହିବେ କାଳିନ୍ଦେ, ବୈକୁଣ୍ଠକୁ କହିବ ବୈକୁଣ୍ଠେ, ଓଡ଼ିଆକୁ କହିବ ଉଡେ୤ ଦେଶ୍ ଏଇ ଠିକ୍‌୤ ବଙ୍ଗାଳୀ ଜାତି ଭାରି ସଭ୍ୟ, ଖୁବ୍ ଉଚ୍ଚଶିକ୍ଷିତ, ଅତଏବ ଆମର ଏ ଅସଭ୍ୟ ପ୍ରଥାଟା ଛାଡ଼ିଦେଇ, ତାଙ୍କର ସେ ସଭ୍ୟ ପ୍ରଥାଟା ନବା ଆମର ଖାଲି ଉଚିତ୍ ନୁହେଁ, ଏକାବେଳକେ ଧର୍ମ୤

ଯାଉ, ଏଇଟା ଖାଲି ଫାଲ୍‌ତୁ୤ କହୁଥିଲି ଆମେ ସବୁ କଥାରେ ଅପ୍ରସ୍ତୁତ୤ ଯାହା କହନ୍ତିନି, ‘ପାଗ ବାନ୍ଧୁ ବାନ୍ଧୁ କଚେରୀ ବରଖାସ୍ତ’- ସେ କଥାଟା ଠିକ୍ ଆମରି ଉପରେ ଫାବେ୤ ଜଣେ ଲାଟ୍‌ସଭାର ସଭ୍ୟ ଆମର ଲାଟ୍‌ସଭାକୁ ଯିବା ଭାରି ଦରକାର୤ ଦଳପତିଙ୍କର କଡ଼ା ହୁକୁମ, ଯିବାକୁ ପଡ଼ିବ୤ ଲାଟ୍‌ସଭାର ସଭ୍ୟମାନେ ସେଥରକ ଗୋଟାଏ କିଛି ସୁନାହାତୀ କି ହୀରାଛଡ଼ି ଅର୍ଜନ କରିବାର ଯୋଗାଡ଼ କରିଥାନ୍ତି୤ ଆମ ଓଡ଼ିଆ ସଭ୍ୟ ଘରଣୀଙ୍କ ସାଙ୍ଗରେ ରାନ୍ଧିବାକୁ ବସିଗଲେ୤ ଘରୁ ଯାଉଚନ୍ତି ଯେତେବେଳେ ମୁଠେ ଭଲକରି ପେଟକୁ ନ ଖାଇ ଯିବେ କିମିତିକା ? ତରବର ହୋଇ ରୋଷେଇ ହେଲା, ତରବର ହୋଇ ଖିଆପିଆ ହେଲା, ତରବର ହୋଇ ରୋଷେଇ ହେଲା, ତରବର ହୋଇ ଖିଆପିଆ ହେଲା, ତରବର ହୋଇ ମଟରରେ ଚଢ଼ି ଷ୍ଟେସନକୁ ଯାଇ ଦେଖନ୍ତି ଯେ ଗାଡ଼ିଟା ବି ତରବର ହୋଇ ପ୍ରାୟ ଘଣ୍ଟାକ ଆଗରୁ ପଳେଇଗଲାଣି୤ ସଭ୍ୟ ଆମର ମୁହଁରେ ମହାବ୍ୟସ୍ତ ଓ ପେଟରେ ମହାଖୁସି ହୋଇ ଫେରିଲେ ଘରକୁ୤ ଓଡ଼ିଆ ପୁଅ ବାହାରକୁ ଯିବେ, ପାନ ଦି, ଖଣ୍ଡ ତ ଦରକାର ! କିନ୍ତୁ ପାନ ଦିଖଣ୍ଡ ଯେ ତିଆରି ନାହିଁ, ଠିକ୍ ଶେଷ ବେଳକୁ ମନେପଡ଼ିଯିବ ସେଇ କଥା୤ ଆଉ ତା’ପରେ ଲାଗିଲା ବାହାବେଳେ ବାଇଗଣ ରୁଆ୤ ଅଥଚ ବଟୁଆ ଖଣ୍ଡକ ଯେବେ ଆମେ ରଖିଥାନ୍ତୁ ତା’ହେଲେ ଆଉ ଦରକାର ଥିଲା କଣ ? ବ ହାରିଲି ନା ବାହାରିଲି୤ ବଟୁଆ ଖଣ୍ଡି ଅଣ୍ଟାରେ ଖୋସି ଚାଲିଲି, ଯୁଠେଇଁ ଦରକାର ହେଲା ଖୋଲିଲି୤ ପାନ ଖାଇଲି, ଫେରେ ଚାଲିଲି୤ ଏ ଆଜିକାଲି ନନ ଆମ ହାତରେ ହେଉନାହିଁ, କୌଣସି କାମରେ ଘରୁ ଗୋଡ଼ କାଢ଼ିଲେଇ ଆମର ଲାଗିଯାଏ ଷାଠିଏ ମହଣ ଘିଅ ଆଉ ରାଧାଙ୍କ ନାଚ୤ ଆଗୁଁସାର ଜାତିର ଏ ଲକ୍ଷଣ ନୁହେଁ୤ ଜାତି ଆଗେ ବଢ଼ିବା ଦରକାର, ତାର ଦିନ ଓ ରାତି ପ୍ରତି ମୁହୂର୍ତ୍ତରେ ତିଆରି ଥିବା ଉଚିତ୍‌୤ ଯେ କୌଣସି ବେଳେ ଦରକାର ପଡ଼ିଲେ, ପାଞ୍ଚ ମିନିଟ୍ ମଧ୍ୟରେ ସେ ବାହାରିଆସିବା ଦରକାର୤ ମୋର ମନେପଡ଼ୁଚି, ଥରେ ଜଣେ କଂଗ୍ରେସ ନେତା ଓ ଲୋକସଭା ମେମ୍ବର ଆଉ ମୁଁ କୌଣସି ମଫସଲ ଜାଗାକୁ ଯିବାର ଠିକ୍ କରିଥିଲୁ୤ କଥା ହୋଇଗଲା ଯେ, ଆମେ ବାହାରିବୁ ଠିକ୍ ସକାଳେ, ଆଉ ଯାଇ ପହଞ୍ଚିବୁ କଥା ହୋଇଗଲା ଯେ, ଆମେ ବାହାରିବୁ ଠିକ୍ ସକାଳ ବେଳେ, ଆଉ ଯାଇ ପହଞ୍ଚିବୁ ଠିକଣା ମୁଣ୍ଡରେ ପ୍ରାୟ ୭ଟା ସମୟରେ; ଯେପରି ଲୋକେ ଆସି ବେଶୀ ବେଳଯାଏ ଅପେକ୍ଷା କରି ନ ବସନ୍ତି୤ ମୁଁ ଠିକ୍ ୪ଟା ବେଳେ ମଟର ନେଇ ମେମ୍ବର ସାହେବଙ୍କ ଦୁଆରେ ପହଞ୍ଚିଲି୤ ମଟର ପେହେଁକାଳି ବଜାଇଲି୤ କିନ୍ତୁ ହୁଲ୍‌ଚୁଲ୍ ନାହିଁ, ଚପରାସି ପଠାଇ ଦୁଆରମୁହଁରେ ବହେ ପାଟିତୁଣ୍ଡ କରିବା ପରେ ମେମ୍ବର ସାହେବ ଆଖି ମଳି ମଳି ନିଦବାଉଳାରେ ଉଠିଆସିଲେ୤ ଅପେକ୍ଷା କରିବାକୁ କହିଲେ୤ ତା’ପରେ ଚାଲିଲା ନିତ୍ୟକର୍ମ, ଖିଅର ବାଆର, ଗାଧୁଆପାଧୁଆ, ମାଙ୍ଗ ଭଙ୍ଗା ଲୁଗା ପିନ୍ଧା୤ ଆମେ ବାହାରିଲାବେଳକୁ ସେଠେଇଁ ହେଲା ଛଅଟା୤ ଠିକଣା ମୁଣ୍ଡରେ ପହଞ୍ଚିଲୁ ପ୍ରାୟ ୯ଟାରେ୤ ଲୋକେ ପାହାନ୍ତିଆରୁ ଆସି ପୋକଜୋକଙ୍କ ପରି ସାଲୁସାଲୁ ହେଉଥାନ୍ତି୤ ଆଉ ଏ ଯେ ଦେଶସେବକ ନେତା, ଏ ହେଲେ ସ୍ବରାଜ୍ୟ ଯୁଦ୍ଧର ସେନାପତି, ଗରିବ ଦୁଃଖୀ ରଙ୍କିଙ୍କର ମା ବାପା୤

କିନ୍ତୁ ବାବୁ, ତୁମେ ଯାହା କହିଲ, ସେଥିରୁ ଜଣାପଡ଼ିଚି, ତୁମେ ଏ ସମୁଦାୟ ଦେଶକୁ ଗୋଟାଏ ଯୁଦ୍ଧ ଛାଉଣୀ ବନାଇବାକୁ ଚାହଁ୤ କିନ୍ତୁ ଆମେ ତ ଆଉ ଦେଶ ଜୟ କରୁନାହୁଁ ଯେ, ଆମେ ଏକାବେଳେକେ ଖଣ୍ଡା ଉଞ୍ଚେଇ ବସି ରହିବୁ୤ ଏ ସଭ୍ୟତାର ଯୁଗ, ଆଲୁଅର ସମୟ୤ ସେ ଅନ୍ଧାରି ଅସଭ୍ୟ ଯୁଗରେ ଯାହା ଦରକାର ଥିଲା, ଇଲେ ସେ ସବୁର କି ଦରକାର ?

ଭୁଲ୍ ବୁଝିଚ ଭାଇ; ଭୁଲ୍ ଭୁଝିଚ୤ ତୁମେ ଦେଶ ଜୟ କରି ନପାର୤ କିନ୍ତୁ ତୁମକୁ ଯୁଦ୍ଧ ଛାଡ଼ିବ ନାହିଁ୤ ଖଣ୍ଡା ତଲୁଆର ଯୁଦ୍ଧ ବନ୍ଦ ହୋଇ ଯାଇପାରେ- ଦରକାର ନ ହୋଇପାରେ; କିନ୍ତୁ ଅଜ୍ଞାନତା, ଅସଭ୍ୟତା, ଜଡ଼ତା ସାଙ୍ଗରେ ତୁମକୁ ଯୁଦ୍ଧ କରିବାକୁ ପଡ଼ିବ୤ ସଭ୍ୟତାର ଯୁଦ୍ଧ ଖାଲି ଖଣ୍ଡା, ତଲୁଆର, ଗୁଳିଗୁଳାରେ ସରିଯାଏ ନାହିଁ୤ ଖାଲି ସେଇତକରେ ସଭ୍ୟତାର ଉଦ୍ଦେଶ୍ୟ ସାଧିତ ହୋଇପାରେ ନାହିଁ୤ ସଭ୍ୟତା କିଛି ଆମ୍ବ ଫଳ ନୁହେଁ କି ସପୁରୀ ଫଳ ନୁହେଁ୤ ସଭ୍ୟତା ହେଉଚି ଅଶରୀରୀ ବାଣୀ, ଶୂନ୍ୟ ବାଣୀ, ଗୋଟାଏ ମତଲବ, ଗୋଟାଏ ଧାରଣା, ଗୋଟାଏ ବିଶ୍ବାସ ମାତ୍ର୤ ଖଣ୍ଡା ତଲୁଆରର ଯୁଦ୍ଧ ଧନ ଜନ ପାଇଁ, କିନ୍ତୁ ସଭ୍ୟତାର ଏହି ଶୂନ୍ୟବାଣୀ ପାଇଁ ଯୁଦ୍ଧ କରିବାକୁ ହେଲେ ଖଣ୍ଡା, ତଲୁଆର, ଗୁଳିଗୁଳା ଯେତେ ଦରକାର ହୁଏ ନାହିଁ, ତା ଅପେକ୍ଷା ବେଶୀ ଦରକାର ପାଟି ତୁଣ୍ଡର ଯୁଦ୍ଧ୤ କାଳି କଲମର ଯୁଦ୍ଧ୤ ଶଙ୍କରଙ୍କର ଭାରତ ବିଜୟ, ଅଶୋକଙ୍କ ଭାରତ ବିଜୟଠାରୁ କୌଣସି ମତେ ହୀନ, ନିକୃଷ୍ଟ ନୁହେଁ୤ ସତରେ କହିବାକୁ ଗଲେ ଅଶୋକ ଖଣ୍ଡା, ତଲୁଆରର ବଳରେ ଯେ ସାମ୍ରାଜ୍ୟ ତିଆରି କରିଥିଲେ, ଶଙ୍କର ତାଳପତ୍ର ଲେଖନ ଓ ପାଟିତୁଣ୍ଡରେ ସେଇ ସାମ୍ରାଜ୍ୟକୁ ଭାଙ୍ଗି ଚୂର୍‌ମାର୍ କରିପାରିଥିଲେ୤ ସିଜାର୍ ଆଣ୍ଟୋନିଓ, ବ୍ରୁଟସ୍, ନେରୋ ଇତ୍ୟାଦି ଖଣ୍ଡା, ତଲୁଆର, ବର୍ଚ୍ଛା ମୁନରେ ଯେ ସାମ୍ରାଜ୍ୟ ତିଆରି କରୁଥିଲେ, ଖ୍ରୀଷ୍ଟ ଓ ତାଙ୍କର ଶିଷ୍ୟମାନେ ଭୁଜପତ୍ର ଓ ଲେଖନ ଏବଂ ପାଟିତୁଣ୍ଡ ବଳରେ ସେଇ ସାମ୍ରାଜ୍ୟକୁ ଧ୍ବଂସ କରିଥିଲେ୤ ହିଟ୍‌ଲର୍ ଆଉ ମୁସୋଲିନ ତୋପ ମୁହଁରେ ଯେ ସାମ୍ରାଜ୍ୟ ତିଆରି କରିଚନ୍ତି ଓ କରୁଚନ୍ତି, ସେ ସାମ୍ରାଜ୍ୟର ଧ୍ବଂସ ସେଇ ଗୋଳାଗୁଳି, ତୋପ ବନ୍ଧୁକରେ ଯେତେ ନ ହେବ, ତା’ଠାରୁ ବେଶୀ ହେବ କାଗଜ କଲମ ଆଉ ପାଟିତୁଣ୍ଡ ଜୋର୍‌ରେ୤ ଆମେ ଇଲେ ପୁରୁଣା ଭାବକୁ ଭାଙ୍ଗି ଦେଶରେ ନୂଆ ଭାବ ଖେଳଉଁଚୁ, ଖେଳାଇବାର ଚେଷ୍ଟା ଚାଲିଛି୤ ଏହାହିଁ ଆମର ସଭ୍ୟତା୤ ଏ ନୂଆ ଭାବ ପୁରୁଣା ଭାବକୁ ମାରି ଦେବ ନାହିଁ, କିନ୍ତୁ ମାଜିମୁଜି ଆହୁରି ଟିକିଏ ବେଶୀ ଚକ୍ ଚକ୍, ଆହୁରି ଟିକିଏ ବେଶୀ ସୁନ୍ଦର, ମନୋହର କରିବ୤ ସଭ୍ୟତା ଏଇଆ୤ ଯେ ସଭ୍ୟତା ଯୁଗ ଯୁଗ ଧରି ତା’ର ପୁରୁଣା ମସିଆ ଖତରାଭାବକୁ ଧରି ବସେ, ସେ ମଲା ସଭ୍ୟତା; କିନ୍ତୁ ଯେ ସଭ୍ୟତାର ଭିତରେ ଏପରି ଶକ୍ତି ଅଛି ଯେ, ସେ ଦରକାର ଅନୁସାରେ ନୂଆଭାବ ନିଜ ଭିତରକୁ ନେଇପାରେ- ସେଇ ସଭ୍ୟତା ଜୀଅନ୍ତା ସଭ୍ୟତା୤ ତେବେ ନୂଆ ରସ, ନୂଆ ରକ୍ତ ନାଁ ରେ ନୂଆ ନାଳ ପାଣି ଯେପରି କେହି ନ ପିଅନ୍ତି୤ ଆମର ବଟୁଆଧାରୀ ଓଡ଼ିଆଙ୍କର ଗୋଟିଏ ସଭ୍ୟତା ଥିଲା, କେହି କେହି କହନ୍ତି, ସେ ଅସଭ୍ୟତା୤ ଏଇ ଯେ କେହି କେହି ନାଳ ପାଣିଖିଆ ସଭ୍ୟ୤ ଏମାନେ ସଭ୍ୟତାର ରକ୍ତ ଓ ରସ ଚାଖିନାହାନ୍ତି୤ ଚାଖିଥିଲେ ସେମାନେ ବୁଝିଥାନ୍ତେ ଜୀବ ଥିଲେ ଯିବା ରହିବା୤ ଯେ ଜାତି ଆଗକୁ ମାଡ଼ି ଚାଲିଚି, ସେ ଜାତି ଅସଭ୍ୟ ହୋଇ ନ ପାରେ୤ ଓଡ଼ିଆ ଜାତିର ଜନ୍ମଠାରୁ ଆଜି ଯାଏ ସେ କୌଣସି ସ୍ଥାନରେ ଗାଦି ମାଡ଼ି ବସିନାହିଁ୤ ସେ ବରାବର ଚାଲିଚି୤ ଅନେକ ଦୂର ଚାଲିଆସିଚି୤ ମହାଭାରତର ଓଡ଼ିଆ ଜାତିଠାରୁ ମହାଭାରତୀୟ ଓଡ଼ିଆ ଜାତି ଅନେକ ଆଗରେ୤ ରାସ୍ତା ବଡ଼ ଦୁର୍ଗମ, ବଡ଼ ଖସଡ଼ିଆ, କେତେବେଳେ ତଳକୁ ଖସିଚି, କେତେବେଳେ ଉପରକୁ ଉଠିଚି୤ କିନ୍ତୁ ଉପରକୁ ଉଠିବାର ଇଚ୍ଛା ଓ ସାହସ ଏ ଜାତି ଭିତରେ ବରାବର ଜୁଆର ଖେଳିଚି୤ ମୁଁ ଓଡ଼ିଆ ଜାତି ସମ୍ବନ୍ଧରେ ଯାହା କହୁଚି, ତାକୁ ଅଦଳ ବଦଳ କରି ସବୁ ଜାତି ସମ୍ବନ୍ଧରେ କୁହାଯାଇପାରେ୤ ଆମେ ଉନ୍ନତ ଜାତି ଅଛୁଁ ବା ହେବୁ କହିଲାବେଳେ, ଆମେ ଯେ ସବୁବେଳେ ଉପରକୁ ଉଠିଚୁଁ ଓ ଉଠିବାର ଚେଷ୍ଟା କରିଚୁଁ…….କଥାଟା ମାନି ନେବାକୁ ପଡ଼େ୤

ତେବେ କଥା ହଉଚି, ଗୋଟାଏ ଉନ୍ନତ ଜାତିକୁ ତୋଟି ଚିପି ମଡ଼ା କରି କାନ୍ଧରେ ପକାଇ ବୁହାଇ ନେବାକୁ ଚେଷ୍ଟା କରାଯାଇପାରେ୤ ମୋର ହିମାଳୟ ପର୍ବତ ଶିଖକୁ ଉଠିବାକୁ ଦରକାର, ମୁଁ ଚେଷ୍ଟା କରି ଠିକି, ଶିଖି, କଷ୍ଟ ସହି, ନିଜ ଗୋଡ଼ରେ, ନିଜ ଉଦ୍ୟମରେ, ନିଜ ଆତ୍ମ ଜୋରର୍ ଉଠିପାରେ ଅଥବା ତୁମେ ଦୁଇଜଣ ମୋତେ ମଲାଭଳିଆ କରି ପକେଇ କୋକେଇରେ ତୁମ କାନ୍ଧରେ ଉଠାଇ ନେଇପାର୤ କିଏ ସେ ଭଲ ? ଲକ୍ଷ୍ୟ ଏକ ହେଲେ ମଧ୍ୟ ସାଧନାର ପ୍ରଭେଦରେ ଲକ୍ଷ୍ୟ ହୀନିମାନ ହୋଇ ଯାଇପାରେ୤ ତା’ର କାରଣ ହେଉଚି, ଧର, ମୋର ଏଇ ହିମାଳୟ ଶିଖକୁ ଯିବା୤ ହିମାଳୟ ଶିଖରେ ବରଫ ଭରା୤ ଭାରି ଶୀତ, ଭାରି କାକର୤ ମୁଁ ଯେବେ ନିଜେ ଚଢିଯାଏ, ତାହାଲେ ଏଇ ଶୀତକାକର ଆସ୍ତେ ଆସ୍ତେ ମୋର ଦିହସହିଆ ହୋଇଯାଇଥିବ୤ ବରଫ ଦିହରେ ଚାଲିଚାଲି ବରଫରେ କିମିତି ଗୋଡ଼ ନ ଖସି ଚାଲିବାକୁ ହୁଏ, ସେ କଥା ମୁଁ ଶିଖିଯାଇଥିବି୤ ଶିଖରେ ପହଞ୍ଚିଲେ ମୋର ଆଉ ଶୀତ କାକର ବା ଗୋଡ଼ ଖସାକୁ ଭୟ ନ ଥିବ; ମୁଁ ନିଶ୍ଚିତ ଭାବରେ ବେପରୱା ଦେବତାମାନଙ୍କ ସଙ୍ଗରେ ଜଣେ ହୋଇ ବସି ଚନ୍ଦ୍ର ମଧୁ ପିଇଚାଲିବି୤ କିନ୍ତୁ ତୁମେ ଯେବେ ମତେ ଉଠାଇ ନେଇଯାଅ, ତା’ହେଲେ ମୁଁ ଶିଖରେ ପହଞ୍ଚି ଠିଆ ହେଲାବେଳକୁ ମୋ ମୁଣ୍ଡ ଘୂରେଇ ଯିବ, ଶୀତ କାକରରେ ଦେହ କୋଲ ମାରିଯିବ, ଖସଡ଼ା ବରଫରେ ଗୋଡ଼ ଖସି ମୁଁ ଯାଇ ପଡ଼ିବି ରସାତଳରେ୤ ମୋର ଗୋଡ଼ ହାତ ଭାଙ୍ଗିଯିବି, ମୁଣ୍ଡ ଦିହ ଛିନିଭିନ୍ନି ହୋଇ କୁଆ କୁକୁରଙ୍କ ପେଟ ପୁରେଇବ୤ ଅଥଚ ଏଣେ ପୁଣି ତମର ମତେ ନେଇ ସେଠାରେ ପହଞ୍ଚିବା କଷ୍ଟକର ଓ ଗୋଡ଼ଖସାକୁ ଭୟ ଥିବ୤ ମୁଁ ନିଶ୍ଚିତ ଭାବରେ ବେପରୁଆ୤ ବଡ଼ ପଡ଼ାଉଠା ରାସ୍ତା, କଣ୍ଟାଝଟାରେ ଦୁର୍ଗମ, ବରଫ କାକରରେ ପିଚ୍ଛିଳ୤ ଏକା ଏକା ଯିବା କଷ୍ଟ୤ ସେଥିରେ ପୁଣି ଭାର ବହିଯିବା ଆହୁରି କଷ୍ଟକର ୤ ତୁମେ ଖୁବ୍ ସମ୍ଭବ କରିପାରିବ ନାହିଁ୤ ଖୁବ୍ ସମ୍ଭବ, ତୁମେ ଆଉ ମୁଁ ସାଙ୍ଗ ହୋଇ ରସାତଳରେ ପଡ଼ି ବୁଡ଼ି ମରିବା ୤

ଯେଉଁମାନେ ଜାତିକୁ ନଚଳେଇ, ତା’କୁ ବାଟ ମଣେଇ ନବାରେ ସନ୍ତୁଷ୍ଟ ନ ହୋଇ, ତାକୁ ଏକାବେଳକେ ସେମାନେ ଅସୁର କାନ୍ଧରେ ଉଠାଇ ନେବା ପାଇଁ ଇଛା କରନ୍ତି, ସେମାନଙ୍କର ଏଇ ଅବସ୍ଥା ହେବ ନିଶ୍ଚୟ୤ ପୃଥିବୀର ଇତିହାସ ଏହାର ପ୍ରମାଣ୤ ଜର୍ମାନୀ ନାଁ ପୃଥିବୀର ଚାରିଆଡ଼େ ଡିବି ଡିବି ବାଜିଥିଲା – କାହିଁକି ? ଜର୍ମାନୀର ବ୍ରିଟିଶ୍‌ ବା ଫ୍ରେଞ୍ଚ୍ ଜାତି ଭଳି ବଡ଼ ସାମ୍ରାଜ୍ୟ କେବେ ନ ଥିଲା୤ ୟୁରୋପ୍ ଭିତରେ କେବଳ ସମ୍ରାଟ୍ ଫ୍ରେଡ଼ରିକ୍‌ଙ୍କ ଛଡ଼ା ବଡ଼ ଯୁଦ୍ଧରେ କୌଣସି ଜର୍ମାନ ରାଜା ପଶିନାହାଁନ୍ତି୤ ତଥାପି ଜର୍ମାନୀ ଥିଲା ବଡ଼- ତା’ର ବିଜ୍ଞାନ, ତା’ର ସଙ୍ଗୀତ, ତା’ର ଦର୍ଶନ ହେତୁରୁ୤ ୱାଗ୍‌ନର୍, ସୋପେନ୍‌ହର୍, ଗେଟେ, ଆଇନ୍‌ଷ୍ଟାଇନ୍ ଇତ୍ୟାଦି ସମସ୍ତେ ଜର୍ମାନୀ ବାସୀ ୤ ଏହିମାନଙ୍କ ହେତୁ ଜର୍ମାନୀ ହୋଇଥିଲା ବଡ଼୤ ଜର୍ମାନୀ ଜାତିର ସାମ୍ରାଜ୍ୟ ନଥିଲା୤

ତଥାପି ଜର୍ମାନୀ ଜାତି ପୂଜା ପାଉଥିଲା ସବୁଆଡ଼େ୤ ଜର୍ମାନ ବ୍ୟବସାୟ କରୁଥିଲେ୤ ଜର୍ମାନୀ ଲୋକଙ୍କର ବିଶ୍ବାସ ଥିଲା, ତାଙ୍କ ଜିନିଷର କାଟ୍‌ତି ହଉଥିଲା୤ ଧନ, ଜନ, ଯଶରେ ଜର୍ମାନୀ ଉଛୁଳି ପଡୁଥିଲା୤ ବିସ୍‌ମାର୍କଙ୍କୁ ଏ ଗୁଣ ଆଉ ଭଲ ଲାଗିଲା ନାହିଁ୤ ତାଙ୍କର ଇଛାହେଲା, ସେ ପୃଥିବୀବ୍ୟାପୀ ଗୋଟାଏ ଜର୍ମାନୀ ସାମ୍ରାଜ୍ୟ ବସେଇବେ୤ ସେ ଭାବିଥିଲେ ଜର୍ମାନୀ ଜାତିର ମତିଗତି ଯାହାହଉ ପଛକେ, ତାକୁ ଭାଙ୍ଗି ତା ସ୍ଥାନରେ ବିଲାତି ଚାଲ ଚଳେଇବାକୁ ପଡ଼ିବ୤ ଏ ଜର୍ମାନୀ ଜାତିଟାକୁ ସଙ୍ଗୀନ୍‌ ଶେଯରେ ବସେଇ ଜର୍ମାନ୍‌ ଯୁଦ୍ଧ ରାକ୍ଷସଙ୍କ କାନ୍ଧରେ ସ୍ବର୍ଗରେ ପହଞ୍ଚେଇ ଦବାକୁ ପଡ଼ିବ୤ ତାର ଫଳ ହେଲା-ଗଲା ଜର୍ମାନ ଯୁଦ୍ଧ୤ ଜର୍ମାନୀର ଯାହା ଥିଲା, ସବୁଗଲା; ତଥାପି ରହିଯାଇଥିଲା ଜର୍ମାନୀର ବ୍ୟବସାୟ ସାଧୁତା୤ ତା’ରି ବଳରେ ଜର୍ମାନୀ ପୁଣି ଉଠି ପାରିଥାନ୍ତା, ଜର୍ମାନ୍‌ ଜାତିର ମନବଳ ଓ ବୁଦ୍ଧିବଳ ପୁଣି ତାର ସାମ୍ରାଜ୍ୟ ଫେରେଇ ଆଣିଥାନ୍ତା୤ କିନ୍ତୁ ହିଟ୍‌ଲର୍‌ଙ୍କ ତର ସହିଲା ନାହିଁ୤ ସେ ବର୍ଷକୁ ବର୍ଷ ଦେଖେଇ ଲାଗିଲେ ଯେ କର୍ମାନୀର କଥାରେ ବିଶ୍ବାସ ନାହିଁ୤ ସେ ଭାବିଲେ ବିଲାତି ପେଞ୍ଚ ଖେଳି ସେ ପୁଣି ଜର୍ମାନକୁ ତାଙ୍କ କାନ୍ଧରେ ଉଠାଇନେବେ୤ ଜର୍ମାନର ମନ, ବୁଦ୍ଧି, ବିବେକ ବିବେଚନା, ସବୁ ହିଟ୍‌ଲର୍‌ଙ୍କ ପାଦତଳେ ବଳିଦିଆଗଲା୤ ତାଙ୍କର ମୁହଁଭୁରୁଡ଼ି ଇଂରେଜ ଲୋକଙ୍କ ମୁହଁ ଭୁରୁଡ଼ିକୁ ବଳିଗଲା୤ ସାହିତ୍ୟ, ବିଜ୍ଞାନ, ଦର୍ଶନ ଓ ସଙ୍ଗୀତର ଜନ୍ମଭୂମି ବୋଲି ଜର୍ମାନୀ ଯେ ପରିମାଣରେ ସ୍ନେହ ଓ ସହାନୁଭୂତି ପୃଥିବୀରୁ ପାଉଥିଲା, ବର୍ତ୍ତମାନ ସେତିକି ପରିମାଣରେ ଭୟ ଓ ଘୃଣା ଜନ୍ମେଇଲା୤ ଜର୍ମାନୀର ଅସଲ ରାଜ୍ୟ-ମନୁଷ୍ୟ ସଭ୍ୟତାରେ ତାର ଉଚ୍ଚସ୍ଥାନ ଯାଇଚି, ନିଆଁଗିଳାଙ୍କ ଭିତରେ ଯେ ସ୍ଥାନ ପାଇଁ ସେ ବଡ଼େଇ କରିଥିଲା, ସେ ମଧ୍ୟ ଯିବା ଉପରେ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୋବିନ୍ଦ ତ୍ରିପାଠୀ
ଗୋବିନ୍ଦ ତ୍ରିପାଠୀ(୧୮୯୯-୧୯୬୨) ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଏକ ଉଲ୍ଲେଖଯୋଗ୍ୟ ବ୍ୟକ୍ତିତ୍ବ୤ କେତୋଟି ଉପନ୍ୟାସ ଏବଂ ନାଟକ ଲେଖିଥିଲେ ସୁଦ୍ଧା ବିଭିନ୍ନ ବିଷୟ ଉପରେ ତାଙ୍କ ଦ୍ବାରା ଲିଖିତ ପ୍ରବନ୍ଧଗୁଡ଼ିକ ପାଇଁ ସେ ପ୍ରତିଷ୍ଠା ଲାଭ କରିଥିଲେ୤ ତାଙ୍କ ପ୍ରବନ୍ଧଗୁଡ଼ିକରେ ଓଡ଼ିଆ ଏବଂ ଓଡ଼ିଶାର ସ୍ବାଭିମାନର ଚିତ୍ର ବେଶ୍‌ ବଳିଷ୍ଠ ରୁପରେ ପର୍ଯ୍ୟବେଶିତ୤ ତାଙ୍କ ରଚିତ ପ୍ରବନ୍ଧଗୁଡ଼ିକରେ ଜୀବନ ଓ ସାହିତ୍ୟ ସମେତ ଜାତୀୟତାର ଭାବନା ପ୍ରତିଫଳିତ ହୋଇଥିଲା୤ ସେ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଇତିହାସରେ ଏକ ଅଭିନବ ରୀତି ପ୍ରବର୍ତ୍ତନ କରି ନିଜପାଇଁ... [ କ୍ରମେ ସବିଶେଷ ]
ଗୋବିନ୍ଦ ତ୍ରିପାଠୀଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା |  ଅକ୍ଟୋବର୍ ୧୬, ୨୦୧୧ - ୪:୧୧ ପୂର୍ବାହ୍ନ

    ଭଲ ଲାଗିଲା, କିନ୍ତୁ ସମୟ ଖୁବ ଆଗେଇ ଯାଇଛି ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤