Educated ବାବୁମାନଙ୍କର ବ୍ୟବହାର
ଦେଖି ଦେଖି ହେଲିଣି ମୁଁ ନିହାତି ନାଚାର।
Old fool prejudice ପକାଇଛ କାଟି,
କଥାବେଳେ ମେଲିଯାଏ ଦେଢ଼ଫୁଟ ପାଟି।
Science, logic ସବୁ ପକାଇଛ ଖୁଣ୍ଟି,
ବାଟ ଚାଲି ଜାଣୁ ନାହଁ ପଡ଼ୁଅଛ ଝୁଣ୍ଟି।
କୋଅଟ ସିଦ୍ଧାନ୍ତ ଘୋଷିବାରେ ଦେଇ ମନ,
ଫିଟାଇ ଦେଖିଲ ନାହିଁ ଗୌତମ ଦର୍ଶନ।
ଇଂରେଜୀ ନାଟକ କାବ୍ୟ ଘେନିଅଛ ମାତି
ଫିଙ୍ଗି ଦେଇ ଭଟ୍ଟି କାଳିଦାସ ଭବଭୂତି।
କହିବି କାହାକୁ ଦୁହ ନ ବୁଝିଲ ବେଳେ,
ସେ ସବୁ ଯେ ଘର ଧନ ନୁହେଁ କେତେବେଳେ।
ଆଗେ ଥିଲା ଦେଶେ ଗୋଲସ୍ତାନ, ବୋସ୍ତାନ,
ଏତେବେଳେ ଚିହ୍ନ ନାହିଁ ଆଖୁନଜୀ ଅସ୍ଥାନ।
ଇଂରେଜ ଇଂରେଜୀ ବିଦ୍ୟା ରଖିଯିବେ ନାହିଁ,
ତେତେବେଳେ ରହିଯିବ ଜଳଜଳ ଚାହିଁ।
ଯେଉଁ ପାଠ ପଢ଼ିବାରେ ଦେଇଅଛ ମନ,
ନ ବିଚାର ସେ ତ ନୁହେଁ ତୁମ୍ଭ ଗଣ୍ଠିଧନ।
ପଢ଼ ଇଙ୍ଗରେଜୀ, କେହି ମନା କରୁନାହିଁ,
କିନ୍ତୁ ବାପା କାମ କର ଜାତି କୁଳ ଚାହିଁ।
ଘୃଣା କରୁଅଛ ମାତୃଭାଷା ପଢ଼ିବାକୁ,
ହାୟ ହାୟ ଲାଜ କଥା କହିବି କାହାକୁ।
ବୋଲିବ କାଙ୍ଗାଳି ତୁମ୍ଭ ଘରେ ପାଠ ନାହିଁ,
ଆପେ ଲେଖ, ଆପେ ପଢ଼, ରଖ ପୁଅ ପାଇଁ।
ତିନିଶ’ ବରଷ ଆଗେ କି ଥିଲା ଇଂରେଜୀ,
ଦେଖ ତ ବଙ୍ଗଳା ଭାଷା କି ହେଲାଣି ଆଜି।
ଯତ୍ନେ ହେଲା ଅବା ଆପେ ହୋଇଛି ଏପରି,
ତୁମ୍ଭ ମାତୃଭାଷା କିପାଁ ନହେବ ସେପରି?
କେତେ ବାବୁମାନଙ୍କର ଦେଖିଛି ଦୁର୍ଦ୍ଦଶା,
ଲାଜ ମାଡ଼େ କହିବାକୁ ନିଜ ମାତୃଭାଷା।
ନାଚାର ହାଲତେ ଯେବେ ହୁଏ କହିବାକୁ,
ବଡ଼ ହସମାଡ଼େ କିନ୍ତୁ ତାହା ଶୁଣିବାକୁ।
ଓଡ଼ିଆ ଏଗାରପଣି ବାକି ଇଙ୍ଗରେଜୀ,
ଅଦ୍ଭୁତ ଖେଚୁଡ଼ି ଏକ ହୁଏ ମିଶି ସାଜି।
ଭଲ ଗୋତେ ମାତୃଭାଷା କିସ ହେବ ଭାଇ,
ଚଳି ଯାଉଅଛି କାମ ରୁଣ୍ଡାଇ ପୁଣ୍ଡାଇ।
କୁକୁର କିପାଁଇ ଗୋଟେ ବନାଇବ ଘର,
ଚାଟିବୁଲେ ବାରମିଶା ଅଇଁଠା ପତର।
ସମ୍ଭାଳି ପାରିଲ ନାହିଁ କହିଲି ଦି’କଥା,
ବାବୁମାନେ ଭାଙ୍ଗନାହିଁ ଠେଙ୍ଗାରେ ମୋ’ ମଥା।
Learned ବାବୁ ଦେଖି ବିଚାରେଁ ମନରେ;
ଦାରୁଇନ ଆସିଥିଲେ ଏ ଦେଶକୁ ଥରେ।
ଏମାନଙ୍କୁ ଦେଖି ବୋଲିଛନ୍ତି ଅନୁମାନେ,
ମାଙ୍କଡ଼ ବଂଶରୁ ଜନ୍ମିଛନ୍ତି ଲୋକମାନେ!
ଇଂରେଜୀକୁ ହେଉଥାଅ ଦିନରାତି ଘୋଷି,
ନ ଛୁଅଁ ପଛକେ ପାଣି ପଦାଆଡ଼େ ବସି।
ନିର୍ଧୁମ ଖରାରେ ପିନ୍ଧ ବନାତର କୋଟ,
ଫିଙ୍ଗି ଦେଇ ଛେନାବଡ଼ା ଖାଅ ବିସ୍କୋଟ।
ପିନ୍ଧି Waist-Coat କଥା କୁହ ଇଂରେଜୀର,
ଖାଅ ଦରସିଜା ମାଂସ ଦୁର୍ଗନ୍ଧ ପନିର।
ଠିଆ ହୋଇ ମୂତ, ଅବା ଘଷ ନାହିଁ ଦାନ୍ତ,
ଇଂରେଜ ନ ହେବ, ଥିବ ଓଡ଼ିଆ ନିତାନ୍ତ!
ମୟୂର ଲାଞ୍ଜକୁ ଗୁଞ୍ଜି ବୁଲ ନାହିଁ ଆଉ,
ନ ହେବ ମୟୂର, ଥିବ ଯେ କାଉ ସେ କାଉ।
Nature ଯାହାକୁ ଯାହା ଦେଇଅଛି ବାଣ୍ଟି,
ନ ପାରିବ Change କରି ତାହା ଘୁଣ୍ଟିଘାଣ୍ଟି।
ଯାହା କିଛି ବିଚାରିଛ ସବୁ କଥା ଭୁଲ,
ହୋଇ ନ ପାରିବ କେତେବେଳେ Successful।
କର ନିଜ ଦେଶ ପୁଣି ଭାଷାର ଉନ୍ନତି
ଲାଗିପଡ଼, ଘୁଞ୍ଚିଯାଉ ଜାତିର ଦୁର୍ଗତି।
ଆହେ ବାବୁମାନେ କରେ Request excess
ମୋ’ ନାମରେ ନ ଆଣିବ Defamation case,
ନିତାନ୍ତ ରାଗରେ ଯେବେ ହେବ ଗରଗର,
Withdraw କରିନେବି ଲେଖାଟି ମୋହର।
-O-
ବ୍ୟାସ କବିଙ୍କ ଦ୍ୱାରା ଲିଖିତ ଏହି କବିତାଟି ‘ଉତ୍କଳ ଭ୍ରମଣ’ ନାମକ କ୍ଷୁଦ୍ର କାବ୍ୟର ଏକ ଅଂଶ। ଏହି କାବ୍ୟକୁ ସେ ହାତୀ ପିଠିରେ ବସି କିଛି ଅଞ୍ଚଳ ଭ୍ରମଣ କରିଥିବା ସମୟର ଅନୁଭୂତିକୁ ନେଇ ଲେଖିଥିଲେ।

