ସେମାନେ ଜାଣି ଥାଆନ୍ତି ଅଭିଜାତ ସାଂସ୍କୃତିକ କ୍ଷମତାକେନ୍ଦ୍ର ସେମାନଙ୍କୁ ସହଜରେ ପଂକ୍ତିଭୂକ୍ତ କରେଇବ ନାହିଁ। ଫାଙ୍କା ଆସିଥିଲେ, ଫାଙ୍କା ଚାଲିଗଲେ। ସେଇଥିପାଇଁ ବୋଧହୁଏ ତାଙ୍କ ଲେଖାରେ ଏତେ ଦାମ୍ଭିକତା, ଉଚ୍ଛଳତା ଏବଂ ମାନବିକ ମର୍ଯ୍ୟାଦାର ଜୟଗାନ। ଜୀବନ କାଳ ଭିତରେ କେହି କେହି ବୁଝିପାରୁଥିବା ଶୁଭେଚ୍ଛୁ ୧୯୪୦ ମସିହାରେ ମଞ୍ଜୁଳା ନାମରେ ଛୋଟ କବିତା ସଂକଳନଟିଏ ଛପେଇଥିଲେ। ଆଉ ଖଣ୍ଡେ ଦି ଖଣ୍ଡ ନାଟକ କଳିକାତାରୁ ଛପା ଯାଇଥିଲା ୧୯୬୫ ମସିହା ବେଳକୁ। ନିଜ ଲେଖା ପ୍ରତି ବି ସେ ଏତେ ନିର୍ଲିପ୍ତ ଥିଲେ ଯେ, ଯେଉଁ ଯାତ୍ରାଦଳ ପାଇଁ ଯାହା ଲେଖୁଥିଲେ ସବୁ ସେଇଠି ଛାଡ଼ି ଚାଲି ଆସୁଥିଲେ; ନା ଭୌତିକ ସମ୍ପତ୍ତି ନା ବୌଦ୍ଧିକ ସମ୍ପତ୍ତି କାହା ଉପରେ କେବେ ବି ସ୍ଵତ୍ତ୍ଵାଧିକାର ଜାହିର କରି ନାହାନ୍ତି ସେ ନିରାସକ୍ତ ରସିକ କବି।

୧୯୮୦ ମସିହାରେ ତାଙ୍କର ୧୩୩ଟି କବିତାକୁ ସଂଗ୍ରହ କରି “କୃଷ୍ଣ ପ୍ରସାଦ ଚୟନିକା ନାମରେ ପ୍ରକାଶିତ କରେଇଥିଲେ ଅଧ୍ୟାପକ ଭାଗିରଥି ନାୟକ ଏବଂ ଭାସ୍କର ଚନ୍ଦ୍ର ଗସ୍ତି। ପରେ ପରେ ସୋରୋ ଠାରେ “କେଶବ କବି କୃଷ୍ଣ ପ୍ରସାଦ ସ୍ମୃତି ପରିଷଦ” ଗଠିତ ହୋଇ କିଛି ଗୁଣମୁଗ୍ଧ ସାରସ୍ଵତ ଦାୟାଦମାନଙ୍କ ଉଦ୍ୟମରେ ତାଙ୍କର ୮୦୦ ଗୀତି କବିତାର ସଞ୍ଚୟନ ଏବଂ ଅନେକଗୁଡ଼ିଏ ନାଟକ ସଂକଳିତ ହୋଇ ଗ୍ରନ୍ଥାବଳୀ ଆକାରରେ ପ୍ରକାଶିତ ହୋଇଛି । କାହିଁକି କେଜାଣି ନିଜକୁ କୃଷ୍ଣଙ୍କର ଅନ୍ୟ ନାମ “କେଶବ” ଭାବରେ ପରିଚିତ କରେଇବାକୁ କବିଙ୍କର ଏକ ଆବେଗିକ ଆଗ୍ରହ ଥିଲା। ଏବେ ତାଙ୍କର ଗୀତର ସ୍ଵର ଗୁଡିକୁ ସଂଗ୍ରହ କରି ପରିବେଷଣ କରିବାକୁ ସଂଗଠିତ ଉଦ୍ୟମ ଆରମ୍ଭ କରାଯାଉଛି।

ନିର୍ଲିପ୍ତ ମଣିଷ କେଶବ କବି କୃଷ୍ଣପ୍ରସାଦ ସବୁବେଳେ ବଞ୍ଚିଥିଲେ ମାଟି ଆଉ ମଣିଷ ସହିତ ଯୋଡ଼ି ହେଇ, ଆଉ ମୁଣ୍ଡରେ ମେଞ୍ଚାଏ ଆକାଶୀ କଳ୍ପନା ନେଇ। ଚାଲି ଯାଉଥିଲା ବେଳେ ଚହଳ ପଡୁଥିଲା ବେହେରା ମାଷ୍ଟ୍ରେ ଯାଉଛନ୍ତି ବୋଲି। “ନିଜ ପ୍ରାଣ , ଅପରର ପ୍ରାଣ ଓ ପ୍ରକୃତିର ପ୍ରାଣରେ ପ୍ରବେଶ କରିବା ହିଁ କବିତ୍ଵ” ବୋଲି କବି ତାଙ୍କ ନିଜର ଗୋଟେ ନାଟକରେ ଲେଖିଛନ୍ତି। ପ୍ରକୃତରେ କବି ଗଣପ୍ରାଣର ସ୍ପନ୍ଦନକୁ ଏମିତି ଛୁଇଁ ଯାଇଥିଲେ ଯେ, ଯାଜପୁରରୁ ଜଳେଶ୍ଵର ପର୍ଯ୍ୟନ୍ତ, କୃଷ୍ଣ ପ୍ରସାଦଙ୍କ ସଂସ୍କୃତିକ ଚାରଣ ଭୂମିରେ ତାଙ୍କ ଗୀତ “ଚଷା, ଜୋଷା, ପଣ୍ଡିତ, ପାନ୍ଥ ଆଉ ବାରାଙ୍ଗନା” ପ୍ରାୟ ସମସ୍ତେ ଗାଉଥିଲେ।

ଜୀବନ ପ୍ରତି ଉନ୍ମୁଖ କୃଷ୍ଣ ପ୍ରସାଦ ଜୀବନକୁ କବିତା-କାଦମ୍ବରୀ ସହିତ ପ୍ରାଣ ଭରି ପିଇଥିଲେ। ଏ ଅପାଂକ୍ତେୟ କବିଟି କାବ୍ୟ ସୋମରସ ପିଇ ଆମକୁ ଦେଇ ଯାଇଛି ଅପୂର୍ବ ସାଂସ୍କୃତିକ ରସାୟନ। ଆମ ହୃଦୟରେ ସେସବୁ ପାଇଁ ପାନ ଆଉ ପାଚନ ଶକ୍ତି ଅଛି କି ନା ଆସନ୍ତୁ ଆମେ ଟିକେ ପରୀକ୍ଷା କରି ଦେଖିନେବା।

Pages: 1 2 3 4 5 6