ଏହା ସହିତକୃଷ୍ଣପ୍ରସାଦଙ୍କ ଅଜସ୍ର ସ୍ରାବୀ ଲେଖନୀ ଅନେକ ଓଡ଼ିଶୀ, ବ୍ୟଙ୍ଗ ଗୀତ, ଯୁଗଳ ଗୀତ, ନୃତ୍ୟ ନାଟିକା ରଚନା କରିଛି। ରୀତି ଯୁଗୀୟ ଶୈଳୀରେ କବିଙ୍କ ରଚିତ ଅନେକ ଓଡ଼ିଶୀ ଗୀତ ଭିତରୁ ଗୀତଟିଏ :-

ଶେଯ ତେଜ ବରଜ ରାଜ ତନୁଜ ଆଜ
ଘେନ ମୋର ଅରଜ ନିଶି ଶେଷ
ମଞ୍ଜରିଲାଣି କଞ୍ଜ ହସେ କୁସୁମ ସଞ୍ଜ
ଦେବେ ଲାଜ ସଜନୀ ଦେଖି ବେଶ।

ତାଙ୍କ ନାଟକର ଜଣେ କପଟୀ ଏବଂ ଲୋଭୀ ଚରିତ୍ରକୁ ବ୍ୟଙ୍ଗ କରି କୃଷ୍ଣ ପ୍ରସାଦଙ୍କର ଏକ ପ୍ରସିଦ୍ଧ ବ୍ୟଙ୍ଗ ଗୀତ :-

ଧୁଡ଼ୁକା ଭାଇ ସୁଡ଼ୁକା ଜାଉ ହାମ୍ପୁଡ଼ି ହାମ୍ପୁଡ଼ି ଖାଉଚି
ଖାଲି ଫୁକୁରୁ ଫୁକୁରୁ ଡେଉଁଚି
ନୂଆ ପଲମର ବଡ଼ି ଭଜାକୁ ଏ କଣେଇ କଣେଇ ଚାହୁଁଚି।

କୃଷପ୍ରସାଦଙ୍କର ଗୀତି କବିତା ଭାବ ଗାମ୍ଭୀର୍ଯ୍ୟ ଓ କମନୀୟ ଧ୍ୱନି ଲାଳିତ୍ୟର ସମାହାର। ଚମକଦାର ଆଧୁନିକ ଚିତ୍ରକଳ୍ପ ପ୍ରୟୋଗ କରିବାରେ କୃଷ୍ଣପ୍ରସାଦ ଥିଲେ କୌଣସି ପ୍ରତିଷ୍ଠିତ ଆଧୁନିକ କବିଙ୍କ ଭଳି ସିଦ୍ଧହସ୍ତ।
ତାଙ୍କ ଲିଖିତ କିଛି କବିତା ମଧ୍ୟରେ ଥିବା ପଦ ମଧ୍ୟରେ :-ମୃତ୍ୟୁ ଶୀତଳ ଅଫିମ ରଜନୀ, ମେଘର ବାଗୁଡ଼ି ଖେଳ, ନିଃଶ୍ଵାସ ଝଡ଼ ଉଠେ, କାଠ ଛାତି ତଳୁ ପଥର କଲିଜା, ସଲ୍ଲଜ ମେଘ ମଉଳା ଖରା, ଦାନ୍ତ ନିକୁଟା କୁଡ଼ିଆ ଘର, ତାରାର ସହର, ବାରବୁଲା ମେଘ, ତୁଳାଭିଣା ଧଳା ମେଘ, ମିଳନ ଯମୁନା ତୀରେ, ପାଣିର ପଞ୍ଜୁରି ଠେଲି, ଢେଉର ପାଲିଙ୍କି ଚଡ଼ି, ପରିହାସ ପବନରେ, ଦୁଧ ଦରିଆ କୂଳେ ନିଦ ନଉକା , ରାତିର ଖୋଳପା ଚିରି, ସଲ୍ଲଜ ମେଘ ମଉଳା ଖରା, ଜହ୍ନର ଓହଳ ନଇଁ ଆସେ, ଚିତାକୁଟା ଶାମୁକା ସୁନ୍ଦର ତାଳିପକା ନଦୀ ବାଲି ପରେ, ନିଦ୍ରାହୀନ ନକ୍ଷତ୍ରର ସଭା, ପଳାଶର ପର ଝାଡ଼ି, କଳା ମେଘ କାନି ବାଜେ, ତରୁଣୀ ତାରା ଚାହିଁଛି, ହସ ରାତି ହସିଦିଏ, ସୁନା ପୁଟ ଦିଆ ହୀରା ଝରା ରାତି, କଳାରାତି ଆସେ ଫଣା ଟେକି, ବାଦଲ ଚାଦର ଦିଏ ଢାଙ୍କି, ଗର୍ଭିଣୀ କାଳ ରାତି, ଚନ୍ଦ୍ରରୁ ଚିପୁଡ଼ି ସୁଧା କେ ବୋଲିଛି ଇତ୍ୟାଦି ବେଶ୍‌ ମାର୍ମିକ।

ଆଧୁନିକ କବିମାନେ କେବଳ କବିତାରେ ହୁଏତ ଏଭଳି ଗୁରୁଗମ୍ଭୀର ରୂପକଳ୍ପର ପ୍ରୟୋଗ କରିଛନ୍ତି, କିନ୍ତୁ ଗାୟନଯୋଗ୍ୟ ଲଘୁଧର୍ମୀ ଗୀତିକବିତାରେ, ପୁଣି ଗାଁ ଗହଳିର ଶସ୍ତା ମନୋରଞ୍ଜନ ଧର୍ମୀ ବୋଲି ବିଚାର କରା ଯାଉଥିବା ଗଣନାଟ୍ୟରେ ତାଜୁବ କଲାଭଳି ତାଳମେଳ ରଖି ଏଭଳି ରୂପକଳ୍ପମାନଙ୍କର ସାବଲୀଳ ପ୍ରୟୋଗ କୃଷ୍ଣ ପ୍ରସାଦଙ୍କ ବିଷ୍ମୟକର ପ୍ରତିଭାର ପରିଚୟ। ତାଙ୍କ କବିତାର ଅନ୍ୟ ଏକ ବିଶେଷତ୍ଵ ହେଉଛି କୌଣସି ରାଜନୈତିକ ମତାଦର୍ଶ ବା କାର୍ଯ୍ୟକଳାପ ସହିତ ପ୍ରତ୍ୟକ୍ଷ ସମ୍ପୃକ୍ତି ନଥାଇ ମଧ୍ୟ କେବଳ ନିଜସ୍ଵ ଉନ୍ମୁକ୍ତ ଅନୁଭୂତି ଏବଂ ସଂବେଦନଶୀଳ ଦୃଷ୍ଟି ବିନିଯୋଗରେ ଗଣଜୀବନର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷମତା ସମ୍ପର୍କମାନଙ୍କର ନିଛକ ରୂପାୟନ।

କୃଷ୍ଣ ପ୍ରସାଦ ବେହେରା ଥିଲେ ଜନ୍ମସିଦ୍ଧ ସ୍ଵଭାବ କବି। ତାଙ୍କର ରଚନା ସବୁ ପଡ଼ିଲେ ଲାଗେ କେଉଁ ଅତୀନ୍ଦ୍ରିୟ ଜାଗତରୁ ତାଙ୍କ ପାଖକୁ ଆବେଗ ସବୁ ଉତୁରି ଆସିଛି। ଅସୀମ ଅନ୍ତରୀକ୍ଷରୁ ମହାବାର୍ତ୍ତା ସଂଗ୍ରହ କରିଆଣୁଥିବା କେଉଁ ଉପଗ୍ରହ ସାଙ୍ଗରେ ଯେମିତି ତାଙ୍କ ଚେତନାର ଅଦୃଶ୍ୟ ଆଣ୍ଟେନା ଲାଖି ଯାଇଥିଲା । ଏ ବିଚିତ୍ରବର୍ଣ୍ଣା କବି ପ୍ରତିଭାଙ୍କ ରଚନା ଭିତରେ ଆମେ ରୀତି ଯୁଗର ଆଙ୍ଗିକ ଆଡ଼ମ୍ବର, ପଞ୍ଚସଖା ଯୁଗର ଆଧ୍ୟାତ୍ମିକ ରହସ୍ୟମୟତା, ରାଧାନାଥୀୟ ମାଟିଲଗ୍ନ, କଳ୍ପନାର କାରିଗରୀରେ ସ୍ଥୂଳଭୂମି ସହିତ ଭାବଭୂମିର ଅପୂର୍ବ ଚିତ୍ରାୟନ, ସତ୍ୟବାଦୀ ଯୁଗର ଆଦର୍ଶ ଆଉ ଉତ୍ସର୍ଗପୂର୍ଣ ଭାବମୟତା, ସବୁଜଯୁଗର ରମ୍ୟ ସ୍ଵପ୍ନମୟତା, ସମସାମୟିକ ଯୁଗର ଆଧୁନିକ ବ୍ୟଞ୍ଜନାର ଅପୂର୍ବ ସମାହାର ଲକ୍ଷ୍ୟ କରି ପାରିବା।

କୃଷ୍ଣ ପ୍ରସାଦଙ୍କର ଇହ ଜଗତରେ ରହଣି ମାତ୍ର ସତାବନ ବର୍ଷର। ଜୀବନ କଟିଛି ବହୁ ଝଡ଼ଝଞ୍ଜା ଭିତରେ। କୈଶୋରରୁ ବାପା ମା ଛେଉଣ୍ଡ, ଜୀବନଯାକ ଅଭାବ ଅନଟନ ସଙ୍ଗେ ଅନବରତ କୁସ୍ତି କସରତ। କିନ୍ତୁ ବିଷୟ ସମ୍ପତ୍ତି ପ୍ରତି ବିତସ୍ପୃହ। ବାରବୁଲା ଜୀବନକୁ ବାନ୍ଧିବାକୁ ଫନ୍ଦି କରି ବସ୍‌ ମାଲିକ ଥିବା ସମ୍ପନ୍ନ ଶ୍ଵଶୁର ଘରେ ରହି, ବସ୍‌ ଚଳାଚଳ କଥା ବୁଝିବାକୁ କହିବାରୁ ଆରମ୍ଭ ହେଲା ମନୋମାଳିନ୍ୟ, ତା’ପରେ ରାତାରାତି ଘରୁ ଚମ୍ପଟମରା ଯେ ଘରକୁ ଫେରିଲେ ମୃତ୍ୟୁ ପୂର୍ବରୁ ଅସୁସ୍ଥ ହେଲା ପରେ। ଅକାଳରେ ଛେଉଣ୍ଡ ହେଇଯିବାରୁ ପୈତୃକ ସମ୍ପତ୍ତି ସବୁ କେହି କେହି ହଡ଼ପ କରି ନେଇଥିଲେ। କବିଙ୍କ ପ୍ରତିଭାମୁଗ୍ଧ କେହି ସରକାରୀ ଅଫିସର ସେସବୁକୁ ଉଦ୍ଧାର କରିବାକୁ ତାଙ୍କର ସହଯୋଗ ଚାହିଁବାରୁ ସିଧା ମନା କରିଦେଲେ-ଲକ୍ଷ୍ମୀଙ୍କ ଆଡ଼ିକି ଅଧିକ ଆକୃଷ୍ଟ ହେଲେ କୁଆଡ଼େ ସରସ୍ଵତୀ ଆନମନା ହେଇଯିବେ। ସରସ୍ଵତୀଙ୍କ ବରପୁତ୍ର ମଲେ, ଲକ୍ଷ୍ମୀ-ବିବର୍ଜିତ ହେଇ, କପର୍ଦ୍ଦକ-ଶୂନ୍ୟ ଭାବରେ। ସମାଜର କୌଣସି ନିଷେଧକୁ ନ ମାନି ସେ ବଞ୍ଚିଥିଲେ ଅମାନିଆ ମୁକ୍ତ ଛନ୍ଦ ମଣିଷଟେ ହେଇ। ନା କିଛି ପାଇବାର ଆଶା ଥିଲା, ନା ହରେଇବାର ହତାଶା। ଏଇ ଗଣକବିମାନଙ୍କର ଜନତାର ତାତ୍କାଳିକ ହାତତାଳି ଛଡ଼ା ସାଂସ୍କୃତିକ ଇତିହାସରେ ଅମର ହେଇଯିବାର ବା କୋଉ ଅଭିଳାଷ ଥାଏ!

Pages: 1 2 3 4 5 6