ଖର ଶନିବାର ତିସିରା ପହର ଅମେଇଶାନିଶା ରାତିଲୋ
ଜୁଳୁଜୁଳା ପୋକ ଜକ ଜକ ଜକ ଚିରିଗୁଣୀ ଜାଳେ ବତୀଲୋ
ବାବନା ଭୁତ ଟା ଗଡ଼ି ଗଡ଼ି ଯାଏ, ହୁଁ ହୁଁ କରେ ହୁଁ ହୁଁ
ମାଟିଘୋଡ଼ା ଚଢ଼ି ଯାଆନ୍ତି ବାସୁଳି ପାଶେ, ଝିଅ ପୁଅ ନାତି ଲୋ
Xxxxxxx
ଗରୀବ ଘରର ଗାଁ ଝିଅ କାନ୍ଦେ, ଲୁହ ତାର ଗୌରବ
ଝରି ଝରି ଯାଏ ମରମ କୁସୁମ, ମରି ଯାଏ ସୌରଭ
ଫୁଲ ଘୁଞ୍ଚି ଘୁଞ୍ଚି ଯାଏ, ଫୁଲ ତୋଳିବାକୁ କର ବଢାଇଲେ ଜଳ ତ ଅଥଳ ହୁଏ
Xxxxx
ବୁଦି ବୁଦି ବନ ବୁଦା ନଈ କୂଳେ କୂଳେ ଝୁମୁରୁ ଝୁମୁରୁ ପାଦେ
ନୂଆ ବୋଉ ଚାଲେରେ ନୂଆ ବୋଉ ଚାଲେ,
କାଇଁଚ କତୁରି ତାଡ଼ ଫୁଲ ନାକ ଚଣା ସଖୀ କଣ୍ଢେଇଟି ପରି ମାନିଛି ଗହଣା
ଆଡ ପାତେଳି ଅଳପ ହସେରେ
ବସନ୍ତେଇ ମଠାଶାଢ଼ୀ ଲୋଟି ଯାଏ ତଳେରେ
ନୂଆ ବୋହୂ ଚାଲେ ରେ।
XXXXX
ସେପାଖେ ହଳଦୀ କ୍ଷେତ ଗହୀର ବିଲରେ କଇଁ
ଉଡ଼ିଯାଏ ଗେଣ୍ଡାଳିଆ କଳାମେଘ ଆସେ ନଇଁ
ପାଣିର ପଞ୍ଜୁରି ଠେଲି ମାଛ ରଙ୍କା ବୁଡ଼ି ଯାଏ
ଝାଉଁ ବଣ ଗୀତ ଗାଏ ମୌସୁମୀ ମହୁ ପିଇ
ସାରୁ ପତର ପେଡ଼ିରେ ବେଙ୍ଗ ନାନୀ ଶୋଇଛି
ପରିହାସ ପବନରେ ଆଖି ବୁଜି ଯାଇଛି
ଢେଉର ପାଲିଙ୍କି ଚଡ଼ି ସେପାରିକି ଯିବା ପାଇଁ
ସେହିଭଳି ତାଙ୍କ ରଚିତ ଅନ୍ୟ କିଛି କବିତା:-
ଭାରି ତ ଟାପରା କରୁଛୁରେ ଟୋକା, ଦେଖାଇ ହଉଛୁ ଛୋପରା
ମୁଁ ରାଉତ ଘରର ରାହାବାଳୀ ଝିଅ, ଚିହ୍ନିଛୁ ନା ମୋତେ ଛତରା
Xxxxxxx
କୋଦାଳରେ କୋଡ଼ିଲା କେ ସରଗର କିଆରି
ଅଧା ଧଳା ଅଧା କଳା ମେଘ କାଟେ ସିଆରି
Xxxxxxx
କଲମ ଫୁଲ ନିଦରେ ଶୁଏ ନରମ ସଞ୍ଜ ଆସେ
କଞ୍ଚା କମଳା ସବୁଜ ଘାସେ ଶିଶିର ବିନ୍ଦୁ ହସେ
Xxxxxxxxx
ଚାଉଳ ଧୋଇ ଯିବୁ ନାହିଁ କି ଲୋ ଆସେ ଅନ୍ଧାର ମାଡ଼ି
ଗାତୁଆ ପେଚା କୁନ୍ଥେଇଲାଣି ପୁଣି ହେଇଛି ନଈ ବଡ଼ି
ମୋ ବୋଉ ଲୋ, ବିଲୁଆ ଦିଏ ରଡ଼ି
ବାଟ ଜଗିବ ଅନ୍ଧାର ଆସି ନଈରେ ଯିବ କଳସୀ ଭାସି
ଡରେଇବଲୋ ଭଜୁଆ ମା’ ବାଟେ ପଡ଼ିଛି ମଡ଼ି
ଭାଷାର ଚମକ ଓ ଭାବର କୁହୁକ ମଣିଷର ହର୍ଷ, ବିଷାଦ, ପ୍ରେମ, ବିରହ, ବିଚ୍ଛେଦ, ହାସ୍ୟରସ, ପ୍ରଭୃତି ବିଭିନ୍ନ ଆବେଗ ସହିତ ଗଭୀର ଜୀବନ ଦର୍ଶନକୁ ଖୁବ ଆଧୁନିକ ଅବବୋଧ ଏବଂ ବ୍ୟଞ୍ଜନାରେ ତାଙ୍କର ଅନେକ ସୁଗମ ସଙ୍ଗୀତରେ ରୂପାୟିତ କରିଛନ୍ତି କୃଷ୍ଣପ୍ରସାଦ।
ଯେପରି ତାଙ୍କର ଅନ୍ୟ କିଛି କବିତା:-
ହସିଦିଏ ଲାଜକୁରୀ କଇଁ ଜହ୍ନର ଓହଳ ନଇଁ ଆସେ
ଫଣା ଟେକି ଚରଇ କୁହୁଡ଼ି ଓଦା ମାଟି ଓଦା ଦୁବ ଘାସେ
କ୍ଳାନ୍ତ ଶିଶୁ ଆକାଶେ ଶୋଇଛି ଅସହ୍ୟ ସୁନ୍ଦର ଉପବନ
ବନ ବୀଥିକାର ଘନ ବାସ ଚୋରି କରେ ଚପଳ ପବନ
ନିଦ୍ରାହୀନ ନକ୍ଷତ୍ରର ସଭା ସ୍ବଚ୍ଛ ଶୁକ୍ଳ ଛାୟାପଥ ପାଶେ।
ହସି ହସି ଖସି ଯାଏ ଶଶି, ଉଚ୍ଚ ଉଚ୍ଚ ପରବତ ଶିରେ
ଚିତାକୁଟା ଶାମୁକା ସୁନ୍ଦର, ତାଳିପକା ନଦୀ ବାଲି ତୀରେ
ପାଣିର ପଞ୍ଜୁରୀ ଠେଲିଦେଇ, ନିଃସଙ୍ଗ ତାରକା ବୁଡ଼ି ମରେ
ମୁକୁଳ ଆକୁଳ ସୁରଭିରେ, ନିଦ ରାଇଜୁ ସପନ ଆସେ।
Xxxxx
ଝରଣା କରୁଣ ଗୀତି ବାଜେନା ପାଷାଣ ବୁକେ
କଳ କଳ ଛଳ ଛଳ ଝର ଝର କାନ୍ଦେ ଦୁଃଖେ,
କଳା ମେଘ କାନି ଝାଡ଼େ ନେଳିଆ ପାହାଡ଼ ପରେ
ରୁପେଲି ବନ ଜୋଛନା ଛାଇ ତଳେ ମିଶେ ଧୀରେ
ସାଥୀ ହରା ବନ ପକ୍ଷୀ ଚକିତେ ଚମକି ଡାକେ।
ବସନ୍ତର ସମାରୋହ ଜାଗିଉଠେ ମାଟି ପରେ
ରାତିର ଖୋଳପା ଚିରି କପୋତର ଗୀତି ଝରେ
ସକାଳର କୁଆଁତାରା ବିଦାୟ କବିତା ଲେଖେ।
Xxxxxxxxx
ପଳାଶର ପର ଝାଡ଼ି ଫଗୁଣ ଯାଇଛି ଫେରି
କୁହୁଡ଼ି ପରିଖା ଡେଇଁ ଫୁଲର ଫରୁଆ ଭରି
ବଳୟିତ ମଳୟର ଅତର ମହକ ଆସେ
ଚାନ୍ଦର ଚାନ୍ଦୁଆ ତଳେ ଚୁନାଚୁନା ମେଘ ଭାସେ।