ଠିକ ଯେମିତି ବିଦ୍ରୋହ, ସେମିତି ବି ଅପୂର୍ବ ସମର୍ପଣ ଆଉ ଚେତନାର ବ୍ୟାପକତା; ଅପୂର୍ବ ମହାଭାବରେ ନିଃଶେଷିତ ହେଇଯିବାର ଆତ୍ମ ନିବେଦନ:-
କୁହୁ କୁହୁ ପିକ ଡାକେ ସନ ସନ ପବନ
ମହ ମହ ଫୁଲ ବାସେ ତାରାଭରା ଗଗନ
ଚିତ୍ତେ ଚିନ୍ତି ଚିନ୍ତାମଣି, ଚିଦାନନ୍ଦ, ଚିନ୍ମୟ
ନିତି ନିତ୍ୟାନନ୍ଦ ଧାମେ ଯାଆରେ
ଅନ୍ତରେ ସେ ଅଛି ନାହିଁ ବାହାରେ
ପୁଣି କି ମଧୁର ଅନ୍ତରଙ୍ଗ ଏକତ୍ମୀୟତା ସେ ଆରାଧ୍ୟ ସତ୍ତା ସହିତ:-
ବଧୁଲି ଅଧର ମାଧୁରୀ ମଧୁର ସୁନ୍ଦର ମୋର ହରି
ନବ ମୁଞ୍ଜରିତ ଅଲି ଗୁଞ୍ଜରିତ ସଜ ନୀଳୋତ୍ପଳ ପରି
ଚନ୍ଦ୍ରରୁ ଚିପୁଡ଼ି ସୁଧାକେ ବୋଳିଛି, କୋମଳ ତମାଳ ଦାମ
ଅସିତ ଆକାଶେ ଅସୀମ ବିକାଶ, ନବ ଦୂର୍ବାଦଳ ଶ୍ୟାମ
ଗୀତିମୟ ଗାଁରେ ମାଟି କାଦୁଅର କବିତା ଗାଁ ଯାତ୍ରା ଦଳମାନଙ୍କ ଦ୍ଵାରା ଅଭିନୀତ ହେଉଥିବା ଗାଁର ଜୀବନକୁ ନେଇ ରଚିତ ତାଙ୍କ ନାଟକମାନଙ୍କରେ କୃଷ୍ଣ ପ୍ରସାଦଙ୍କ କବିତାର ଛବିଳତା ଆଉ ନିବିଡ଼ତା ତାଙ୍କର ପଲ୍ଲୀପ୍ରକୃତିର ଚିତ୍ରଣରେ ଖୁବ ମନୋମୁଗ୍ଧକର। ପଲ୍ଲୀ କବିତା ଲେଖିଥିବା ଅଧିକାଂଶ କବିମାନଙ୍କ ପଲ୍ଲୀଚିତ୍ରଣ ମୁଖ୍ୟତଃ ବର୍ଣ୍ଣନାଧର୍ମୀ; ସେଠି ଶାନ୍ତ, ନୀରିହ ସୁରମ୍ୟ ପଲ୍ଲୀ ପ୍ରକୃତିର ବର୍ଣ୍ଣନା ଅଧିକ। କୃଷ୍ଣ ପ୍ରସାଦ କିନ୍ତୁ ତାଙ୍କ ପଲ୍ଲୀ କବିତାରେ ପଲ୍ଲୀ ପ୍ରକୃତି ଭିତରେ ଜିଇଁଥିବା ଜୀବନ୍ତ ସତ୍ତାମାନଙ୍କର ହସକାନ୍ଦ, ଦୁଖ, ଯନ୍ତ୍ରଣା, ଶ୍ରମ, ଶୋଷଣ, ବୈଷମ୍ୟ, ଟାହି ଟାପରା, ଚପଳତା, ଉଚ୍ଛଳତା ସବୁକୁ ମାର୍ମିକ ଭାବରେ ଚିତ୍ରଣ କରିଛନ୍ତି । ଚାଷ ବେଳ ଆସିଲେ କାନ୍ଧକୂ କାନ୍ଧ ମିଳେଇ ଭାଇ ବନିଯାଉଥିବା ବାପ ପୁଅ, ସଞ୍ଜ ଅନ୍ଧାରରେ ଡକାଡକି ହେଇ ଚାଉଳ ଧୋଇ ବାହାରି ଥିବା ଗାଁ ଭୁଆସୁଣୀ, ମୁଣ୍ଡରେ କାଠ ଆଉ କାଖରେ ଛୁଆର ବୋଝ ବୋହୁଥିବା ଆଦିବାସୀ ମା, ସାନ ଗଉଣୀରେ ଧାନ ମାପି ଠକୁଥିବା ଗାଁ ପଧାନ, ବାହା ହେଇ ନ ପାରି ମନସ୍ତାପରେ ରହିଥିବା ଗରୀବ ଘରର ଝିଅ, ରୁଣୁଝୁଣୁ ଝୁଣ୍ଟିଆ ପାଦରେ ସଖୀ କଣ୍ଢେଇଟି ପରି ଚାଲୁଥିବା ଲାଜୁକି ନୂଆ ବୋହୂ , ନାଆ ବାହି ବାହି ଥକି ପଡ଼ିଥିବା ନାଉରୀ, କିଆ ପେଁ କାଳି ବଜାଉଥିବା ମାମୁଁ ପୁଅ, କୋଉ ନାଗରର ବାଟ ଚାହିଁ ଟେରେଇ ଟେରେଇ ଚାହୁଁ ଥିବା ଚୁଲୁବୁଲି ଚପଳା କିଶୋରୀ, ଗାଁର ଅଶରୀରୀ ଦୁନିଆର ଭୁତ ପ୍ରେତ, ଡାଆଣୀ,ଚିରଗୁଣୀ ଗ୍ରାମ ଦେବତୀ ସମସ୍ତେ ସେଥିରେ ରୂପାୟିତ।
ଏମିତିକି ସେଠି ହଳଦୀ ମାଖି ଛଟକି ଛଣଫୁଲ ଭଅଁର ଟୋକାକୁ ଇସାରାରେ ନିମନ୍ତ୍ରଣ ଦିଏ, ପାଣିର ପଞ୍ଜୁରୀ ଠେଲି ମାଛରଙ୍କା ଡୁବିଯାଏ, ଢେଉର ପାଲିଙ୍କି ଚଡ଼ି ବେଙ୍ଗନାନୀ ବୋହୂ ହେଇ ଯାଏ, ସାଙ୍ଗ ହବା ପାଇଁ ପାଣି କୁଆ ମାଛ ରଙ୍କାକୁ ଡାକେ, ମାଟିଆ ଚିଲର କଅଁଳା ଛୁଆ, କାଣ୍ଟି ବଗ ସଙ୍ଗେ କଜିଆ କରେ, ହେସୁଆତି ବଣରେ ବଗ ବସି ଧ୍ୟାନ କରୁଥାଏ, ଆଉ ନେଳିଆ ପାହାଡ଼ ନିଦରେ ଶୋଇଥାଏ।। ଏଇସବୁ ଅସଚେତନ ନିର୍ବାକ ଚରିତ୍ରମାନେ କୃଷ୍ଣପ୍ରସାଦଙ୍କ ପଲ୍ଲୀ ମଞ୍ଚରେ ସମସ୍ତେ ସବାକ ସକ୍ରିୟ ଅଭିନେତା। କବି ସେଠି ବାହାରୁ ବୁଲି ଆସିଥିବା ଟୁରିଷ୍ଟ ଭଳି ପଲ୍ଲୀ ପ୍ରକୃତିର ଫୋଟୋ ଉଠଉ ନାହାନ୍ତି, ସେ ତା ଭିତରେ ନିବିଡ ହେଇଯାଇଥିବା ଏକ ବିହ୍ଵଳିତ ପ୍ରାଣ। କବିତାର ଶବ୍ଦବି ସବୁ ନିପଟ ଗାଉଁଲି ଲୋକ ମୁଖର କଥିତ ଭାଷା-ଅଖଳ ମଖଳ, ଯୋଡି ଯାଉଁଳି, ଚଙ୍ଗଚଙ୍ଗୀ, ଝୁମୁରୁ ଝୁମୁରୁ, ଟୁସି କଲରା, ପାଟ ଫୁଲି, ମାଈ ସଞ୍ଜ ଇତ୍ୟାଦି।
ଏଇ ପାଟ ଆର ପାରି ବଣବୁଦା ହେଲେ ପାରି ନଈରେ ପଡ଼ିଛି ଟିକି ନାଆରେ
ତହିଁ ମୋର ମାମୁଁ ଘର ଗାଁ ରେ ଦି ଦି ପତୁରିଆ ଧାନ ମିଚି ମିଚି କଳା ଦିଶେ ଝଡେ ଆମ୍ବ ହେଲେ ଝଡ଼ ବାଆରେ:-
ଦି’ ପାଖରେ ଦାଣ୍ଡି ଘର ଗାଁ ଭାରି ସୁନ୍ଦର
ଅଖଳ ମଖଳ ମନ ମାମୁଁ ସାନ ପୁଅର
କିଆ ପେଁ କାଳି ଧରି ଆମ୍ବ ଟାକୁଆର ତୁରୀ
ବଜାଏ ସେ, ରାଗେ ଆଇ ମାଆରେ
ତହିଁ ମୋର ମାମୁଁ ଘର ଗାଁଆଁରେ
Xxxxxx
ମାଟି ମା ଅଙ୍ଗନେ ସୁନା ଧାନ ଲୋଟେ
ଜଳେ ମଣି ଦୀପାଳି ହୀରା ଫୁଲ ଫୁଟେ
Xxxxxxx
କୋଇଲି ବେଙ୍ଗୁଲୀ ଦି ଭଉଣୀ ଲୋ, ଆଗୁଲି ପିଛିଲି ଗଲେ
ଶାଳବଣ ପାଖ ବିଲେ
ଅଳପ ଡେଙ୍ଗୀ ସେ ପାତେଳି କୋଇଲି ଧାର ମୁହିଁ ଚଙ୍ଗଚଙ୍ଗୀ
ତେଲ ହଳଦୀରେ ପଚାଇଛି ଦେହ ଶାଶୁଘର ଯିବା ଲାଗି
ଟେରେଇ ଟେରେଇ ଅନାଏ କୋଇଲି ଦୁରୁ କିଏ ହାତ ଠାରେ