ଶାସକ ବର୍ଗର ଶୋଷଣ ଓ ଅତ୍ୟାଚାରକୁ କି ଶାଣିତ ଶ୍ଲେଷ କରିଛନ୍ତି କବି:

ତୁମ ହାତେ ଅଛି ଶାସନ ଦଉଡ଼ି, ବେଡ଼ି କୋରଡ଼ାର ମାଡ଼
ତୁମେ ୟେ ଜଗତେ ବଡ଼, ମାଉଁସ ଚିପୁଡ଼ି ରକତ ନିଗାଡ଼ି ଓଜନ କରୁଚ ହାଡ଼ ।

ଯନ୍ତ୍ରଣାର ଶେଜରେ ସବୁଜିମାର ସ୍ଵପ୍ନ
ସମ୍ବେଦନହୀନ ସାମାଜିକ ଜୀବନରେ ଯୁଗଯନ୍ତ୍ରଣାକୁ ନେଇ କବି ଯେତିକି ବ୍ୟଥିତ ତା’ଭିତରେ ସବୁ ଜଞ୍ଜାଳକୁ ଆତ୍ମସାତ କରି ଏକ ସୁନ୍ଦର ଜୀବନଟିଏ ବଞ୍ଚିବାକୁ ସଂଗ୍ରାମ କରୁଥିବା ସାଧାରଣ ମଣିଷର ସବୁଜ ସ୍ଵପ୍ନ ମାନଙ୍କୁ ନେଇ କବି ପ୍ରାଣ ମଧ୍ୟ ସେତିକି ଉଚ୍ଛଳ।

ଦିଶେ ଆଗାମୀ ଯୁଗର ଗାଁ ରେ ଆମ ନୂଆ ଭାରତର ଗାଁ
ପିଚୁ ଢଳା ପ୍ରତି ଗାଁକୁ ସଡ଼କ
ସୁଶୀତଳ ଛାଇ ଫୁଲର ମହକ
ନୀଳ ବସନା ମୋ ମାଟି ମାଆ ରେ
ଦିଶେ ଆଗାମୀ ଯୁଗର ଗାଁ….(.୦)

ବାରମାସୀ କ୍ଷେତ ହସେ ବିଲ ମାଳ ବୁଲୁଛି କଳ ଲଙ୍ଗଳ
ଖରା ଦିନରେ ବି ବେଙ୍ଗ ରଡ଼ି ଦିଏ ବିଜୁଳି ତୋଲୁଚି ଜଳ
ମୋଟର ବୋହୁଛି ଧାନ ମୁଗ ବିରି
ଜଡ଼ା ଜବ ତିଳ କୋଳଥ ଖେସାରି
କାଟେ ଫସଲ ସୁନାର ଦାଆ ରେ
ଆମ ନୂଆ ଭାରତର ଗାଁ

ସମନ୍ଵୟ ଓ ସମ୍ପ୍ରୀତିର ଆହ୍ଵାନ
ପ୍ରତ୍ୟେକ ଦରଦୀ ମଣିଷ ପରି ଧର୍ମ, ଜାତି, ଳିଙ୍ଗ ଭିତ୍ତିରେ ବିଭାଜିତ ସମାଜରେ ହିଂସା, ଦ୍ଵେଷଭରା ମଣିଷ ଜୀବନକୁ ଦେଖି ଦରଦୀ କବି ପ୍ରାଣ ଆର୍ତ୍ତନାଦ କରିଛି ଏବଂ ଏକ ସମନ୍ଵୟୀ ସ୍ଵପ୍ନ ଦେଖି ମଣିଷ ଜାତିକୁ ଦୃପ୍ତ ଆହ୍ଵାନ ଦେଇଛି ସେ ଏହି କବିତାରେ-

କହିଲେ ବୁଦ୍ଧ, ଯୀଶୁ, ଶଙ୍କର, କନଫୁସିଅସ, କହେ କବୀର
ଗୁରୁ ନାନକ, ରାୟ ରାମାନନ୍ଦ, ତୁକାରାମ, ମହମ୍ମଦ
ବିଶ୍ଵବାସୀ ହିଂସା ଦ୍ଵେଷ ହତ୍ୟା କର ବନ୍ଦ
ସତ୍ୟ ଶାନ୍ତି ଦୟା କ୍ଷମା ତ୍ୟାଗ ପଥ ଧର
ପଶୁ ନୋହୁଁ ତୁ ମଣିଷ ଛୁଆ ମଣିଷ କାମ କର
Xxxxxxx
ସରଗ ଯିଏରେ ବେହସ୍ତ ସେଇଠି ଦୁଇଟି ନାଆଁରେ ଗୋଟିଏ ଥାନ
ଗୀତା ଯାରେ କହେ ସରଗ ରାଇଜ ବେହସ୍ତ ତାକୁରେ କହେ କୋରାନ

ଅହିଂସା, ସତ୍ୟ, ଶାନ୍ତି ଓ ସହାବସ୍ଥାନର ଚଳନ୍ତି ପ୍ରତିମା ମହାତ୍ମା ଗାନ୍ଧିଙ୍କୁ ନେଇ କୃଷ୍ଣ ପ୍ରସାଦଙ୍କ ଲେଖନୀରୁ ଏଇ କବିତାରେ ଝରିଛି ଅନ୍ତରାଞ୍ଜଳି:-

ଶାନ୍ତି ମୁକ୍ତି ପ୍ରଗତିର ବାଣୀ କଲ ପ୍ରଚାର
ସାବରମତୀ ସନ୍ଥ ତୁମେ ଗାନ୍ଧୀ ଚିର ସୁନ୍ଦର
ବିଶ୍ଵ ନଭେ ତବ ଶୁଭ ଜ୍ୟୋତି ନାଶେ ଅନ୍ଧାର
ସାବରମତୀ ସନ୍ଥ ତୁମେ……

ସମାଜର ଆଉ ଗୋଟିଏ ଅବହେଳିତ ଏବଂ ଲାଞ୍ଛିତ ବର୍ଗ, ନାରୀ ଜାତି ପାଇଁ କବି ପ୍ରାଣ ବି ବ୍ୟଥିତ। ତାଙ୍କ କବିତା:-

ଏଇ ଆମ ମା’ ଜାତି
ଧରଣୀ ଠାରୁ ଯେ ସହଣୀ ଅଧିକ ଫୁଲଠୁଁ କଅଁଳ ଛାତି।

Xxxxxxxx
ଖସିପଡ଼ୁ ଗ୍ରହ ତାରା, ଛିଡ଼ି ପଡ଼ୁ ଆକାଶ
ଜଳି ଉଠୁ ବାଡ଼ବାଗ୍ନି, ଥମି ଯାଉ ବତାସ
ଫାଳ ଫାଳ ଫାଟି ଯାଉ, ଧରଣୀ ଛାତି
ବିଶ୍ଵକୁ ନଇଁ ଆସୁ ଶେଷ ସଙ୍କ୍ରାନ୍ତି
ନହେଉ ଏଇ ଅନୀତି
ମାତୃ ଜାତିକୁ ଯନ୍ତ୍ରଣା ଦେଇ ନକହୁ କେହି ଅସତୀ

ବିଦ୍ରୋହ ଓ ସମର୍ପଣର ଗୀତାଞ୍ଜଳି
ନବଜାଗରଣୀୟ ମାନବିକ ମର୍ଯ୍ୟାଦା ପ୍ରତି ସେ ଏତେ ସଚେତନ ଯେ, ତାଙ୍କର ଅଧିକାଂଶ ଭକ୍ତିମୂଳକ ଗୀତିକବିତା ଗୁଡିକ କଳ୍ପିତ ଭଗବାନଙ୍କ ପାଖେ ଗୁହାରିଆ ପିଟିସନ କି କୃତାଞ୍ଜଳିପୁଟ କାକୁତିମିନତୀ ନୁହେଁ। ମଣିଷକୁ ସେ କୋଉ ପ୍ରଭୁ ପାଖେ ହାତପତା ମାଗୁଣିଆ କି ଅସହାୟ ବାହୁନିଆ କରି ଠିଆ କରେଇ ନାହାନ୍ତି। ଦେଖନ୍ତୁ ମଣିଷ ପଣିଆର କି ମର୍ଯ୍ୟାଦାବନ୍ତ ବିଦ୍ରୋହ, କି ଅଧିକାର ଜାହିର ଏଇ ସବୁ ଭକ୍ତି କବିତାରେ। ସେଥିରେ ଅଭିଯୋଗ ଅଛି, ସମର୍ପଣ ଅଛି, ଏକାତ୍ମତା ଅଛି, କିନ୍ତୁ ଅଧୀଶ୍ଵର ପାଖରେ ଅଧୀନର ବଶମ୍ବଦତା ନାହିଁ। ଏହି କବିତା-

କୁହ କଳା ମୁହଁ ଜଗା ଠାକୁର, କିଆଁ କଳି ଯୁଗେ ହେଲ ପଥର
ତୁମେ ଦେଉଳରେ ଥାଇ ହସୁଛ, ଏଣେ କାନ୍ଦୁଛନ୍ତି ଦୁଖୀ ଆତୁର
ପ୍ରଭୁ ଛପନ ମଣୋହୀ ଗିଳୁଚ, ଦେଖ ଉପବାସୀ କେତେ ଜନତା
ଏ କି ଅବିଚାର ତୁମେ କରୁଛ, ନିଜେ ହୋଇଣ ଜଗତ କରତା
ତୁମ ସାନ ବଡ଼ ଭେଦ ବିଚାରେ। ଜଳିଯାଏ ତୁମ ଚାରୁ ଜଗତ
ହିଂସା ଅସୂୟା ଡାଆଣୀ ଡେଉଁଛି, ମାଗେ ତତଲା ତଟକା ରକତ

XXXXXXXXXXXXXXXXXXXXXXXXXXXXX
ଭକ୍ତର ଯଦି ଭକ୍ତି ନ ଘେନ ଭକ୍ତର ଭଗବାନ
ସୃଷ୍ଟିର ତୁମେ ସ୍ରଷ୍ଟା କିପରି ହେବ କୁହ ମହୀୟାନ।

Pages: 1 2 3 4 5 6