ନର୍ଦ୍ଦମା ପାଶେ ବାରବୁଲା ଡାକେ ହାଇ ମାରେ ବସି ବଣିକ
ଶକୁନ ଶାସନ ଅବସାନ କର ଯୁଗର ଦାବି ୟେ ଶାସକ
…………..
ଖଣିର ହଣାଳି ଟେକିଛି ନିହାଣ କୃଷକ କୋଦାଳ ଛାଡ଼ିଛି
ପ୍ରଗତିର ଘୋଡ଼ା ଚତକ ଛୁଟେ ଝଡ଼ର ଇଗଲ ମାତିଛି
ମାନିବୁନି ଆମେ ବିଧାତା ଶାସନ ନିୟତିର ହେବୁ ଜନକ
ବେଶ୍ ଆଧୁନିକ ଅବବୋଧରେ ରଚିତ, ଶକୁନ ଶାସନ ଅବସାନ କରିବାକୁ ଏମିତି ଦୃପ୍ତ ଦାବିକରି ନିଜ ନିୟତିର ନିୟାମକ ହେବାକୁ ସ୍ପର୍ଦ୍ଧା କରିପାରୁଥିବା ଓଡ଼ିଶା ମାଟିର ୟେ ଦାମ୍ଭିକ କବିଟିକୁ ଆପଣମାନେ ଜାଣିଛନ୍ତି କି? ବୋଧହୁଏ ନା। ଓଡ଼ିଆ ସାହିତ୍ୟର ଇତିହାସରେ ତାଙ୍କ ନା କୋଉଠି ବି ନଥିଭୁକ୍ତ ହେଇନି। ଏଇଟା ଆମମାନଙ୍କର ଗୋଟେ ଜାତୀୟ ଦୁର୍ଦ୍ଦଶା-ନାକଟେକା ସହରୀ ଶିଷ୍ଟବର୍ଗଙ୍କ ଦ୍ଵାରା ପାହାଚ ତଳର ପ୍ରତିଭାମାନଙ୍କୁ ପାସଙ୍ଗରେ ନ ପକେଇବା। ବୈଷ୍ଣବ ପାଣିଙ୍କ ଗୀତକୁ ଓଡ଼ିଶାର ପ୍ରତିଷ୍ଠିତ ଗାୟକମାନେ ବେତାର କେନ୍ଦ୍ରରେ ଗାଇବାକୁ ମନା କରିଦେଇଥିଲେ। ଅଣଓଡ଼ିଆ କୃଷ୍ଣମୁର୍ତ୍ତି, ବାଳକୃଷ୍ଣ ଦାସ ଓ ଗୋପାଳ ଛୋଟରାୟଙ୍କ ଭଳି ରସଗ୍ରାହୀମାନଙ୍କୁ ପାଇ ନଥିଲେ ବୈଷ୍ଣବ ପାଣି ଗୋବରୀ ନଦୀରେ ପାଣି ହେଇ ବହିଯାଇ ନିଶ୍ଚିହ୍ନ ହେଇ ଯାଇଥାନ୍ତେ। ଉତ୍କଳ ଦୀପିକା ଭଳି ସଂସ୍କୃତି-ସଚେତନ ଖବର କାଗଜ ପ୍ରକାଶନ ହେବା ଆରମ୍ଭ ହେଇ ସାରିଥିଲେ ବି ରାଧାନାଥ, ଫକିର ମୋହନ, ମଧୁସୂଦନ ରାଓଙ୍କ ଭଳି ଓଡ଼ିଆ ସାଂସ୍କୃତିକ ଦେବମଣ୍ଡଳର ଅଧୀଶ୍ଵରମାନେ ଆତଯାତ ହେଉଥିବା ସମୟରେ, ଭୀମ ଭୋଇ ଜଗତ ଉଦ୍ଧାର ପାଇଁ ନର୍କକୁ ଯିବାକୁ ଆଗୁସାର ହେଇସାରିଥିବା ସତ୍ତ୍ୱେ ବି ଏମିତିଆ ଲୋକଟେ ବଞ୍ଚିଛି ବୋଲି କେହି ଜାଣି ନଥିଲେ। କାରଣ, ଏଇ ସହରୀ ଶିଷ୍ଟ ସାଂସ୍କୃତିକ ଦେବ ମଣ୍ଡଳରେ ଲଟରପଟର ହେବାର ସୁଯୋଗ ବା ହୁଏତ, ଆଗ୍ରହ ତାଙ୍କର ନଥିଲା।
ଏହି ଦାମ୍ଭିକ କବି ଜଣକ ଥିଲେ କୃଷ୍ଣ ପ୍ରସାଦ ବେହେରା। ଜନ୍ମ ମାର୍ଚ ୫ ତାରିଖ ୧୯୧୫ ଏବଂ ମୃତ୍ୟୁ ୧୮ ଜୁଲାଇ ୧୯୭୨ ମସିହା। ଜନ୍ମ ଭଦ୍ରକ ପାଖ କପାଳୀ ନଦୀ କୁଳ ମୂଳଗାଁରେ। ଆନୁଷ୍ଠାନିକ ଶିକ୍ଷା ମାତ୍ର ତୃତୀୟ ଶ୍ରେଣୀ। ପେଟ ପୋଷିବା ପାଇଁ ବୃତ୍ତିଗତ ଜୀବନ ଆରମ୍ଭ କଲିକତାର ଗୋଟେ ବଙ୍ଗାଳୀ ବାଡିର ବୋଲକରା ଭାବରେ। ମାତ୍ର ଲୋକଟା ମୂଳରୁ ଓଳିଆରୁ ଗଜା, ପ୍ରକୃତି ଦତ୍ତ ପ୍ରତିଭା। କୃଷ୍ଣପ୍ରସାଦଙ୍କ ପାଖରେ ପିଲାବେଳୁ ସବୁ ପ୍ରକାର ନଟଖଟିଆ କୃଷ୍ଣକଳା ପ୍ରକାଶ ପାଇବାକୁ ଲାଗିଥିଲା-ଯେମିତି ବଂଶୀ ବାଦନକୁ ସେମିତି ଗୋପୀ ମୋହନ। ମୂଳରୁ ଗୋଟେ ଗୁଳାବନ୍ଧା ବିଷୟୀ ଜୀବନରୁ ବିତସ୍ପୃହ ହୋଇ ଏକ ସାବଲୀଳ ମୁକ୍ତଛନ୍ଦ ଜୀବନ ବଞ୍ଚିବାର ଆଗ୍ରହ ତାଙ୍କ ଭିତରେ ଦେଖା ଯାଇଥିଲା।
ପାଠଶାଠ ପଢିବାରେ ଆଗ୍ରହ ନହେବାରୁ ୧୨ ବର୍ଷ ବୟସ ବେଳକୁ ବାପା ନେଇ ତାଙ୍କୁ ଭଣ୍ଡାରୀପୋଖରୀର ଅର୍ଜୁନଚାନ୍ଦ ଅପେରାରେ ଛାଡିଦେଇ ଆସିଥିଲେ। କିଛିଦିନ ପରେ ନିଜ ମା ମରିଯିବା ସାଙ୍ଗକୁ ଅର୍ଜୁନଚାନ୍ଦ ଅପେରା ବି ଭାଙ୍ଗି ଗଲା। ପେଟ ପୋଷିବାକୁ ଜଣେ ପରିଚିତଙ୍କ ସହିତ କଲିକତା ପଳେଇଲେ। ବିଷମ ବରାଳ ନାମକ ଜଣେ ଭଦ୍ରଲୋକଙ୍କ ଘରେ କାମ କରୁଥିବାବେଳେ, ଦିନେ ସନ୍ଧ୍ୟାରେ ବସି ତାଙ୍କ ଲଲିତ କଣ୍ଠରେ ଗୀତତିଏ ଗାଉଥିବା ସମୟରେ ଗୁଣଗ୍ରାହୀ ବିଷମ ବାବୁଙ୍କ ଦୃଷ୍ଟିରେ ପଡ଼ିଲେ। ବିଷମ ବାବୁ ଥିଲେ କଲିକତା ଆକାଶବାଣୀ କେନ୍ଦ୍ରର କଣ୍ଠ ଶିଳ୍ପୀ ଏବଂ କ୍ଲାରିଓନେଟ ବାଦକ। ବିଷମ ବାବୁ କୃଷ୍ଣ ପ୍ରସାଦଙ୍କୁ କଣ୍ଠ ସଙ୍ଗୀତ ଓ କ୍ଲାରିଓନେଟ ବାଦନ ଶିକ୍ଷା ଦେବା ଆରମ୍ଭ କଲେ। ଐଶୀ-ପ୍ରତିଭା ସମ୍ପନ୍ନ କୃଷ୍ଣପ୍ରସାଦ ତିନି ବର୍ଷ ଭିତରେ ଉଭୟ ବିଦ୍ୟାକୁ ଆୟତ୍ତ କରିନେଲେ। ୧୯୩୦ ମସିହା ବେଳକୁ ସୋର ନିକଟବର୍ତ୍ତୀ କୋଚିଆକୋଇଲି ଗାଁର ଜମିଦାର ନୀଳମଣି ଉପାଧ୍ୟାୟଙ୍କଦ୍ଵାରା ଗଠିତ ଆପେରା ପାର୍ଟିରେ ମାଷ୍ଟର ହିସାବରେ ଯୋଗ ଦେବାକୁ ନିମନ୍ତ୍ରଣ ପାଇଲେ କୃଷ୍ଣପ୍ରସାଦ।
ସେଇ ଷୋହଳ ବର୍ଷ ବଯସରୁ ଆରମ୍ଭ ହେଇଥିଲା ତାଙ୍କର ଯାତ୍ରାଦଳ ମାନଙ୍କରେ ଓସ୍ତାଦି କରିବା ଯାହା ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଜାରି ରହିଥିଲା। ଆସ୍ତେଆସ୍ତେ କବିଙ୍କ ପ୍ରତିଭାର ବାସନା ଗାଁକୁ ଗାଁ ବ୍ୟାପିବାରେ ଲାଗିଲା। କେତେ କେତେ ଗାଁ ଯାତରା ଦଳରେ ଓସ୍ତାଦି କରିବାକୁ ଡକରା ଆସିଲା। କିନ୍ତୁ ୧୯୩୫ ମସିହା ବେଳେକୁ ତାଙ୍କ ଓସ୍ତାଦିରେ ଚାଲୁଥିବା ଯାତରା ଦଳମାନେ ସବୁ ଭାଙ୍ଗି ଯାଇଥିଲେ। ତେଣୁ ସେଇ ବର୍ଷ କାଳୀଚରଣ ପଟ୍ଟନାୟକଙ୍କ ଓଡିଶା ଥିଏଟରରେ ଯୋଗ ଦେଇଥିଲେ ସେ। କାଳୀଚରଣଙ୍କ କୁମ୍ଭାର ଚକରେ ମଠାମଠି ହେଇ କୃଷ୍ଣପ୍ରସାଦଙ୍କର ଲେଖନ, ଅଭିନୟ, ଗୀତ, ସଙ୍ଗୀତ ପ୍ରଭୃତି କଳାକାର ଜୀବନର ସବୁ ବିଭାଗ ଗୁଡ଼ିକ ମାର୍ଜିତ ରୂପ ପାଇଥିଲା। ତା’ସଙ୍ଗକୁ ସେଇଠି କୃଷ୍ଣ ପ୍ରସାଦଙ୍କୁ ମିଳିଥିଲା ଏକ ମହାର୍ଗ ଉପହାର-କୃଷ୍ଣଙ୍କ ରାଧା, କଳାକାର ଜୀବନର ମ୍ୟୁଜ; ଓଡିଶା ଥିଏଟରରେ ଗୀତ, ନାଚ, ଅଭିନୟ କରୁଥିବା ସୁବର୍ଣ୍ଣ ଲତା। ଘରେ କୃଷ୍ଣ ପ୍ରସାଦଙ୍କ ବିବାହିତା ଗୃହଲକ୍ଷ୍ମୀ କମଳା ଦେବୀ ଆଉ କଳା ଜଗତରେ ଲୀଲା ସଙ୍ଗିନୀ ସରସ୍ଵତୀ ସୁବର୍ଣ୍ଣ ଲତା। ଉଭୟ ମୃତ୍ୟୁ ପର୍ଯ୍ୟନ୍ତ କୃଷ୍ଣ ପ୍ରସାଦଙ୍କ ଉତ୍ସର୍ଗୀକୃତା ଜୀବନସଙ୍ଗନୀ ହେଇ ରହିଥିଲେ।
୧୯୩୯ ବେଳକୁ ନାନାଦି ଘନଘଟା ଭିତରେ ଓଡିଶା ଥିଏଟର୍ସ ଭାଙ୍ଗିଯିବା ବେଳକୁ କୃଷ୍ଣ ପ୍ରସାଦ ପୁଣି ଥରେ ତାଙ୍କର ପୁରୁଣା ଲୀଳାଭୂମି ଗାଁ, ଯାତରା ଦଳମାନଙ୍କରେ ଓସ୍ତାଦି କରିବାକୁ ଫେରି ଆସିଲେ। ସୋରୋ ନିକଟସ୍ଥ ଅଭଣା, ଅଞ୍ଜି, ମଙ୍ଗଳପୁର, ଗୁଡ଼, ନଳାଙ୍ଗ ଇତ୍ୟାଦି କେତେକେତେ ଯାତ୍ରା ଦଳରେ ତାଙ୍କର ନାଟ ଜୀବନ ସମାହିତ ହେଲା। ସେମାନଙ୍କ ମଧ୍ୟରୁ ତାଙ୍କର ସବୁଠୁ ସୃଜନଶୀଳ ସମୟ କଟିଥିଲା ଅଭଣାରେ ୧୮ ବର୍ଷ ଏବଂ ମଙ୍ଗଳପୁରରେ ୪ ବର୍ଷ।
କୃଷ୍ଣପ୍ରସାଦ ଥିଲେ ବହୁମୂଖୀ ପ୍ରତିଭା;- ଏକାଧାରରେ, ନାଟ୍ୟକାର, ନିର୍ଦ୍ଦେଶକ, ଅଭିନେତା, ଗୀତିକାର, ସ୍ଵରକାର, ଗାୟକ ଏବଂ ବାଦ୍ୟଶିଳ୍ପୀ। ଚାଳିଶ ବର୍ଷର ନାଟ ଜୀବନରେ ସେ ପ୍ରାୟ ୬୮ ଖଣ୍ଡ ନାଟକ, ୮୦୦ ଗୀତିକବିତା, ଅସୁମାରୀ ସୁଆଙ୍ଗ, ତାମସା, ନୃତ୍ୟନାଟିକା ଇତ୍ୟାଦି ଲେଖି ଯାଇଛନ୍ତି। କୃଷ୍ଣ ପ୍ରସାଦଙ୍କ ଗୀତିକବିତା ଓ ନାଟକଗୁଡିକର ନିର୍ଦ୍ଦିଷ୍ଠ ପରିବେଶରେ ଗାୟନ ପାଇଁ ରଚିତ ହୋଇଥିଲା। କିନ୍ତୁ ସେ ଗୁଡିକର ଅଧିକାଂଶଙ୍କର ଭାବଗତ ଆବେଦନ କାଳୋତ୍ତୀର୍ଣ ଏବଂ ଚିରନ୍ତନ। ବିଭିନ୍ନ ପରିବେଶ ପାଇଁ ରଚିତ ହୋଇଥିବାରୁ ଗୀତିକବିତା ଗୁଡିକ ବିବିଧ ରସରେ ରସାଣିତ-ଭକ୍ତି ନୈବେଦ୍ୟ, ପଲ୍ଲୀ ପ୍ରାଣତା, ଉଦ୍ବୋଧନୀ, ବିଦ୍ରୋହାତ୍ମକ କ୍ଷୋଭ, ଜୀବନାନ୍ଵେଷଣ, ରମ୍ୟ ରୋମାଞ୍ଚ, ହାସ୍ୟରସ, କଟାକ୍ଷ , ବିରହ, ବିଚ୍ଛେଦ ଇତ୍ୟାଦି।
ତାଙ୍କର ଗୀତିକବିତା ଗୁଡିକ ଉଭୟ କମନୀୟତା, ଧ୍ୱନି ଲାଳିତ୍ୟ ଏବଂ ଗଭୀର ଭାବ ବ୍ୟଞ୍ଜନାର ଅପୂର୍ବ ସମନ୍ଵୟ। ସମ୍ବେଦନପୂର୍ଣ ଜୀବନ-ସମ୍ପୃକ୍ତି, ମାଟି-ମନସ୍କତା, ମୁକ୍ତିକାମନା, ପ୍ରଗତିଶୀଳତା, ନିଷ୍ପେଷିତର ପକ୍ଷଧର ଆବେଦନ, ଶୋଷଣ କଷଣ ବିରୋଧରେ ବିଦ୍ରୋହ ପ୍ରଭୃତି ନବଜାଗରଣର ସମସ୍ତ ଅନ୍ତଃସ୍ଵର ସହିତ ଗମ୍ଭୀର ନାନ୍ଦନିକତା ତାଙ୍କ ଗୀତିକବିତାରେ ଢେଉ ଭାଙ୍ଗେ।
ଇତର ମଣିଷର ପକ୍ଷଧର କୃଷ୍ଣପ୍ରସାଦ ସୀମାନ୍ତରିତ ମଣିଷର ପକ୍ଷଧର। ନିଷ୍ପେଷିତ ମଣିଷର ଶୋଷଣ, କଷଣ, ବିଭେଦ, ବୈଷମ୍ୟ ବିରୋଧରେ ତାଙ୍କ ଗୀତି କବିତା ସବୁ ବ୍ୟଥାତୁର କବି ପ୍ରାଣର ବିଦ୍ରୋହୀ ବୟାନ। କିନ୍ତୁ ତା’ ସତ୍ତ୍ୱେ ବି ସେ ସବୁ ଟ୍ରେଡ୍ ମାର୍କ ବିଦ୍ରୋହୀ କବିତା ପରି ଉପର ଠାଉରିଆ ସ୍ଲୋଗାନଧର୍ମୀ ବୋମାବାଜି ନୁହେଁ:, ଉଭୟ ଭାଷା ଓ ଭାବରେ ଏସବୁ କବିର ମର୍ମ ଦହନର ମାର୍ମିକ ପରିପ୍ରକାଶ। ଆଧୁନିକ ଭାବମୟ ଚିତ୍ରକଳ୍ପ ମାନଙ୍କର ପ୍ରୟୋଗରେ ଭରପୁର ଏଇ ଗୀତି କବିତା ଗୁଡିକ ଅତ୍ୟନ୍ତ କମନୀୟ ଓ ଲାଲିତ୍ୟମୟ।
ବିଷମତା-ବିଜଡ଼ିତ ସମାଜରେ ଅମାନୁଷିକ ଜୀବନ ଧାରଣର ବର୍ଣ୍ଣନାରେ ଅପୂର୍ବ ଶ୍ଲେଷ ତାଙ୍କର ଏଇ କବିତାଟିରେ-
ଅତି ତାଜା କଞ୍ଚା ଲହୁ ଟଗମଗ ହସ ହସ ମୁଖ ତରୁଣ ଚାହାଁ
ତୋ ଭୋକ ପାଇଁ କି ତାଳଚେର ଖଣି କୋଇଲା କୁଢ଼ରେ ଫୁଟୁଛି ଚାହା.
ତେନ୍ତୁଳି ମଞ୍ଜିର ଉର୍ବର ଅଟା ବାଲି ମିଶା ଡାଲି ଚମଡ଼ା ପରଟା
ବନଫଳ ତେଲ ପବିତ୍ର ଡାଲଡା ଭୋକର କାକରା ହୋଇଛି ଥୁଆ
ପ୍ରାଚୀନ ଏସିଆ ସଭ୍ୟ ଦୁନିଆ ପୁଞ୍ଜିପତି ରଙ୍ଗ ଦେଖିବୁ ଆ ………୧