/  ଅନ୍‌ଲାଇନ୍ ଓଡ଼ିଆ
/  ପ୍ରଶ୍ନୋତ୍ତର
/  

Loading...

ସପନ

ସେ ରିକ୍‌ସା ଟାଣେ। ଲୋକଟା ଦେଖିବାକୁ ବେଶ୍‌ ମଜବୁତିଆ। ଦିହଟି ଗୋଲଗାଲ। ଦାଢ଼ିଗୁଡ଼ାକ ଟିକିଏ ବେଶୀ ବଢ଼ିଯାଇଥିଲା ପରି ମନେ ହୁଏ। କେଉଁ କାଳର ଖଣ୍ଡେ ମସିଆ ଲୁଗା ଦିହରେ ଗୁଡ଼ାଇ ହୋଇ ପଡ଼ିଥାଏ। ଗୋଡ଼ରେ ହଳେ ଛିଣ୍ଡା ତାଳିପକା ଚପଲ। ଖଣ୍ଡେ ଚିରା କନା ମୁଣ୍ଡରେ ଗୁଡ଼ାଇ ଦେଇଥାଏ। ତା ଭିତରୁ ତାର କୁଞ୍ଚୁକୁଞ୍ଚିଆ ନୁଖୁରା ବାଳ ଗୁଡ଼ାକ ବେଶ୍‌ ଦେଖାଯାଏ। ନାଁ ତା’ର ବନ୍ଧୁଆ।

କେବେ ଯଦି କେହି କଲେଜ ପିଲା ସିନେମା ଯିବାକୁ ରିକ୍‌ସା ଖୋଜେ, ବନ୍ଧୁଆ ରିକ୍‌ସାଟାକୁ ଧରି ଆଗ ଠିଆ ହୋଇପଡ଼େ, ବାବୁମାନେ ଦର ବୁଝିବାକୁ ଅଟକି ଯାନ୍ତି। ବନ୍ଧୁଆ ହସି କହେ, ‘‘ଠାକୁର ଆପଣମାନଙ୍କୁ ବଡ଼ଲୋକ କରିଛନ୍ତି-କଅଣ ଗରିବ ପେଟ ବୁଝିବେ ନାହିଁ ଯେ!” ବାବୁ ବସିପଡ଼ନ୍ତି।
ବନ୍ଧୁଆ ଆଗକୁ ଚାଲେ, ଲୋକ ପରେ ଲୋକ କଟେଇ ନେଇ। ରାଣୀହାଟ ଛକ ପାଖେ ବନ୍ଧୁଆ ବାଙ୍କିଯାଏ।

ବାବୁ ପଚାରନ୍ତି, ‘‘କିରେ-ଏପଟେ ଯେ।”

ବନ୍ଧୁଆ ଧଇଁସଇଁ ହୋଇ କହେ, ‘‘ବାବୁ, ସେପଟେ ସଇନ ମଟରର ସବୁବେଳେ ଯିବା ଆସିବା, ଏପଟଟା ଟିକିଏ ନିରୋଳା।
ବନ୍ଧୁଆର ସଇନ ମଟରକୁ ଭାରି ଡର।

ସିନେମା ପାଖେ ଯାଇ ପଇସା ନିଏ। ମୁଣ୍ଡ ଆଉଁସି ଥରେ ଦି ପଇସା ମାଗେ। ଦେଲେ ଖୁସି ନ ଦେଲେ ଖୁସି।

ବନ୍ଧୁଆ ଦିନଯାକ ଦିହ ଲଗେଇ ଗାଡ଼ି ଟାଣେ। ସଞ୍ଜ ହେଲେ ମୁନିସିପାଲଟି ଆଲୁଅ ଲାଗିଲେ ତା’ ଭଙ୍ଗା କୁଡ଼ିଆ କାନ୍ଥରେ ଆଉଜି ପଡ଼େ। ଦିନଯାକ ଗଳିଗଳି ପିଚୁରାସ୍ତା ଉପରେ ବୁଲିବୁଲି ତାର ଗୋଡ଼ ଥକି ଯାଇଥାଏ। ଟିକିଏ ରାତି ବଳି ପଡ଼ିଲେ ସେ ପଶିଯାଏ ପାଖ ଗୋଟାଏ ଗୁଲି ଖଟିକୁ, ସେ ଗୁଲି ଖାଏ, ମନଇଚ୍ଛା ଗୁଲି ଖାଏ। ସାରାଦିନର ଝାଳବୁହା ପଇସାକୁ ସେ ଗୁଲି ଖାଇବାରେ ଉଡ଼ାଇଦେଇ ଫତୁଆ ହୋଇ ଘରକୁ ଫେରେ। ସେହି ଫତୁର ହେବାରେ ସେ ଗୋଟାଏ ଆନନ୍ଦ ପାଏ।

ବନ୍ଧୁଆର କେହି ନାହିଁ। ବାପ ମା’ଙ୍କର ମୁହଁ ତାର ମନେ ନାହିଁ। ସେ ନିହାତି ଏକା। ଯେତେବେଳେ ସେ ଦଶ ବାର ବରଷର ପିଲା, ଗଳି ଗଳି ସେ ମାଗି ବୁଲୁଥିଲା; ଏବେ ଛଅ ବରଷ ହେବ ରିକ୍‌ସା ଟାଣୁଛି।

ତାର ପାଶୋରା ଦିନର କଥାଗୁଡ଼ା ମନେ ପକାଇଲେ ସେ କାହାକୁ ମନେ କରି ପାରେନା ଯେ କି ତା ପାଇଁ ଜୀବନରେ କେବେ ‘‘ଆହା” କରିଚି। ତେବେ ତା’ର ମନେପଡ଼େ ତା ସାଙ୍ଗ କଥା, ତାର ଗୁଲିଖିଆ ସାଙ୍ଗ।

ସେ ତିନି ଚାରି ବରଷ ତଳର କଥା।

ପ୍ରଭାତ ସିନେମା ତଳକୁ ଗଡ଼ି ପଡ଼ିଲେ ଛୋଟ କୁଡ଼ିଆଟିଏ। ବନ୍ଧୁଆ ସେଇଠିକି ବରାବର ଯିବା ଆସିବା କରେ, ସେ କୁଡ଼ିଆର ଲୋକ ଭିତରେ ରାମାବୋଉ, ରାମା ଓ ତାର ଭଉଣୀ-ଚମ୍ପା। ସେଇ ଛୋଟ ସଂସାରଟି ଏଇ ତିନିଟି ପ୍ରାଣୀଙ୍କୁ ନେଇ ଚଳେ। ରାମା, ବନ୍ଧୁଆ ସାଙ୍ଗର କୋଡ଼ିଏ ବର୍ଷର ଭେଣ୍ଡା। ବେକାର ବସିରହିଚି। ରାମାବୋଉ ଚକୁଳି କରେ। ବେଳ ରତରତ ହେଲାବେଳକୁ ଚମ୍ପା ପିଠଉ ବାଟି ଦେଇଥାଏ। ରାତିରେ ବୁଢ଼ୀ ଚୁଲି ଜାଳିଦେଇ ଚକୁଳି ତିଆରି କରିବସେ। ବୁଢ଼ୀ ହୋଇ ଗଲାଣି, ଆଖିକି ଭଲ ଦିଶୁନି-ତେବେ ବି ଘୁସୁରି ଘୁସୁରି କାମ କରେ ପେଟ ଚାଖଣ୍ଡକ ପାଇଁ। ଆଉ ଚମ୍ପା; ଏଇ ମଗୁଶିରକୁ ଷୋହଳ ଯାଇ ସତର ପଶିବ। ଗୋରା ଦିହଟି-ଧୀର ଶାନ୍ତ ଆଖି ଦୁଇଟି। ଗରିବ ହେଲେବି ନାରୀ ସୁଲଭ ସୌନ୍ଦର୍ଯ୍ୟ ଫୁଟିଉଠିଚି। ପାଇଟିପତ୍ରରେ ବୁଢ଼ୀ ମା’କୁ କେତେବେଳେ କିମିତି ଟିକିଏ ଅଣ୍ଟେଇ ଦିଏ। ଛୋଟ କୁଡ଼ିଆର ସଂସାର ଏୟା।

ବେଳ ରତରତ ହେଲେ ବନ୍ଧୁଆ ନୁଆଁଣିଆ ଚାଳିଟି ଭିତରକୁ ପଶିଆସି କହେ ‘‘ମାଉସୀ, କଅଣ ହୋଇଚି ଦବୁଟି।” ତେଣେ ପୁଣି ଗାଡ଼ିବାଲା ଜରିମାନା କରିବ। ବୁଢ଼ୀ ଦିଖଣ୍ଡ ଚକୁଳି କରି ବନ୍ଧୁକୁ ଥୋଇଦିଏ। ବନ୍ଧୁଆ ତାର କଳା ମଚ୍‌ମଚ୍‌ ହାତଟାକୁ ଗୁଡ଼ବଣା ଭିତରକୁ ପୂରାଇ ଦେଇ ବିଶି ଆଙ୍ଗୁଳିରେ ଟିକିଏ ଗୁଡ଼ କାଢ଼ି ଆଣେ।

ବନ୍ଧୁଆ ଧଇଁସଇଁ ହୋଇ ଖାଉ ଖାଉ କହେ, ‘‘ମାଉସୀ ଗୁଡ଼ ତ ଆସି ସରିଲାଣି।” ବୁଢ଼ୀ ଚୁଲ୍ଲୀରେ କାଠ ଦଉ ଦଉ ଥଙ୍ଗେଇ ଥଙ୍ଗେଇ କହେ, ‘‘ଆଜିକି ହେଲା ସଂକ୍ରାନ୍ତିକୁ ସଂକ୍ରାନ୍ତି ମାସେ-ଗରାଖ ତ ଆଜିକାଲି ଟିକିଏ ବେଶି ହେଲେଣି, ଆଉ ଆସନ୍ତା କୁଆଡ଼ୁ। ଗୁଡ଼ ଦର ତ ଆଜିକାଲି ଯାହା ହେଲାଣି। ରାମାକୁ କାନେ କାନେ କହିଲି ଯେ ସେ ଟିକିଏ କାନେଇଲାନି। ତୁମେ ଏତେ ଆଡ଼େ ବୁଲୁଚ, ଟିକିଏ ସୁବିଧା ଦର ଦେଖି କୋ’ଠୁ ବଣାଟାଏ ଆଣି ଦିଅନ୍ତନି?” ବନ୍ଧୁଆ କିଛି କହେନି। ଦି’ ଦଫାରେ ସାରି ଦେଇ ହାତ ଧୋଇବାକୁ ଦଉଡ଼ିଯାଏ। ବୁଢ଼ୀ ବି ଚୁପ୍‌ରହେ। ସେ ଜାଣେ ସେଇତକ ଯଥେଷ୍ଟ, କେତେବେଳେ ହେଲେ ବି ବନ୍ଧୁ ଗୁଡ଼ ବଣାଟାଏ ଦେଇଯିବ। ବନ୍ଧୁଆ ହାତ ଧୋଇବାକୁ ଚମ୍ପା ପାଣି ଢାଳେ ଥୋଇଦିଏ। ବନ୍ଧୁଆ ଚମ୍ପାର ଲଙ୍ଗଳା ହାତକୁ ଅନାଇ କହେ ‘‘ଲୋ ଅଥରପି, କାଚ ଦି’ପଟ ଭାଙ୍ଗିସାରିଲୁଣି।”

-‘‘ହୁଁ, ପିଠଉ ବାଟୁବାଟୁ ଭାଙ୍ଗିଗଲା, ମୁଁ କଅଣ କରିବି ?” ଚମ୍ପା ଅନ୍ୟମନସ୍କ ଭାବରେ ଉତ୍ତର ଦିଏ।
ବନ୍ଧୁଆ ଦଦରା କୁଡ଼ିଆ ଖଣ୍ଡକରୁ ବାହାରିଯାଏ।

ବୁଢ଼ୀକୁ ବନ୍ଧୁଆ ପୁଅ ପରି ଦିଶେ। ନିଜ ପୁଅ ହେଲେ କ’ଣ ହେବ, ରାମାଟା ନିହାତି ବୋକା। ସେ ବନ୍ଧୁଆକୁ ରାମା ଅପେକ୍ଷା ବେଶୀ ପସନ୍ଦ କରେ। ବେଳ ଅବେଳ ପଡ଼ିଲେ ସେ ବନ୍ଧୁଆକୁ ପଚାରେ। ବୁଝେ। ରାମାକୁ କିଛି କହେନି, ସେ ଜାଣେ ରାମାଟା ନିକର୍ମା। – ଲାଗି ଖାଇବନି। ଆଉ କେତେ ବଜର ବଜର ହେବ ସେଇ କଥାକୁ।

ଏମିତି ଦିନ କଟିଯାଏ।

ରାମା ଦିନସାରା ଫୁଙ୍ଗୁଳା ହୋଇ ବଜାରୀଙ୍କ ସାଙ୍ଗେ ବୁଲୁଥାଏ। ରାତି ହେଲେ ଗୁଲି ଖଟିକୁ ପଶିଯାଏ ଗୁଲି ଖାଇବାକୁ। କିଛି ଦିନ ତଳ କଥା। ରାମା ଯେତେବେଳେ ନୁଆ ନୁଆ ଗୁଲି ଖାଏ। ବନ୍ଧୁଆ ତାକୁ ବହୁତ ବୁଝେଇଚି। ତା’ କାନେ କାନେ କହିଛି, ‘‘ରାମା, ଗୁଲି ଖାଇଲେ ଅଣ୍ଟାରେ ପଇସା ରହେନି-ପାଣିପରି କୁଆଡ଼େ ଉଭେଇଯାଏ।” ତା’ର ଛୋଟ ମୁଣ୍ଡରେ ସେ ତା’ ଭିତରେ ଆଉ ରାମା ଭିତରେ ଗୋଟାଏ ତଫାତ୍‌କୁ ସ୍ପଷ୍ଟ କରିଦିଏ। ତାର କେହି ନାହିଁ। ରିକ୍‌ସା ଟାଣୁଟାଣୁ ଦିନେ ସେ ରାସ୍ତା କରରେ କେଉଁଠି ଟଳିପଡ଼ିବ। ରାମାର ମା’ ଅଛି, ଭଉଣୀ ଅଛି। ମା’କୁ ପୋଷିବ, ଭଉଣୀ ହାତକୁ ଦି’ହାତ କରିବ। ରାମାକୁ ଏ କଥାଗୁଡ଼ା ପସନ୍ଦ ଆସେନି-ଏ କାନରେ ପଶି ସେକାନରେ ବାହାରିଯାଏ, ତେବେ ତାର ସାହାସ ହୁଏନି ଏତେଗୁଡ଼ାଏ ନିରାଟ ସତ କଥାକୁ ଫୁତ୍‌କାରରେ ଉଡ଼େଇ ଦବାକୁ। ସେ ବୋକାଙ୍କ ପରି ଗୋଟାଏ ଜାଗାକୁ ଅନେଇରହି କହେ ‘‘ହୁଁ”।

ବନ୍ଧୁଆ ଖୁସି ହୁଏ। ଭଗବାନଙ୍କ ପାଖେ ରାମାପାଇଁ ମୁଣ୍ଡିଆ ମାରେ। କିନ୍ତୁ କାଇଁ ତା’ ପରଦିନ ରାମାର ତ ପରିବର୍ତ୍ତନ ହୁଏନି। ସେ ହତାଶ ହୁଏ। ଦିନ ପରେ ଦିନ ବିତିଚାଲେ। ବନ୍ଧୁଆ ନିତି ବୁଝାଏ। ହତାଶ ହୁଏ। ଦିନେ ବୁଝିଲା, ସେ ଯାହା ଆଶା କରିଚି ଖାଲି ସପନ ସିଏ। ଥରେ ଗୁଲି ଖାଇଲେ ଆଉ କି ଛାଡ଼ି ହୁଏ ?

ଦିନକର କଥା ମନେ ପକାଇ ଏବେ ବି ବନ୍ଧୁଆ ଆଖିରେ ଲୁହ ଆସେ। ସେ ହେଉଛି ଫଗୁଣର ଗୋଟାଏ ରାତି। ରାମା ଆଉ ବନ୍ଧୁଆ ଦୁହେଁ ଖଟିରୁ ଫେରୁଥିଲେ। ରାତି ପ୍ରାୟ ଏଗାରଟା ହେବ। ସଡ଼କଟା ଶୂନ୍‌ଶାନ୍‌ପ୍ରା ୟ। ଦୂରରୁ ସଇନ ମଟରର ଆଲୁଅ ଆଖିକୁ ଜଳକା କରି ଦଉଚି। ମଟର, ପାଖକୁ ଆସୁଚି, ଖୁବ୍‌ ପାଖକୁ। ରାମା ଗୁଲି ନିଶାରେ ଟେର୍‌ହୋଇ ଗୋଟାଏ ଟେକା ଝୁଣ୍ଟି ସଡ଼କ ଉପରକୁ ଫୋପାଡ଼ି ହୋଇ ପଡ଼ିଲା। ବନ୍ଧୁଆ ଚମକି ଅନାଇଲା। ତା’ ଆଖି ଆଗରେ ବିରାଟଯନ୍ତ୍ର ଦାନବଟା ରାମା ଦିହକୁ ମାଡ଼ି ଦେଇ ଆଗେଇ ଚାଲିଗଲା। ବନ୍ଧୁଆ ବହୁ ସମୟ ପରେ ସେ ଅନ୍ଧାରରେ ରାମାକୁ ପାଇଲା।

‘ରାମା, ରାମା’ ବୋଲି ସେ ଦୁଇଥର ଚିତ୍କାର କଲା ସେ ନିଶୂନ ରାତିରେ। ତାର ମନେ ହେଲା ଯେପରି ରାମାର ପ୍ରେତ ତାର ପ୍ରତ୍ୟୁତ୍ତର ଦେଉଚି। ତା’ ମୁଣ୍ଡର ସବୁ ଭାବନା ଗୁଡ଼ାକ ଗୋଳମାଳ ହୋଇଯାଉଥାଏ। ସେ ରାମାକୁ କାନ୍ଧେଇ ଆଗକୁ ଚାଲିଲା ଧୀରେ ଧୀରେ। ଶବଟାକୁ ରିକ୍‌ସାରେ ଥୋଇ, ଥରେ ଆଲୁଅରେ ତା ମୁହଁ ଦେଖିନେଲା ମୁହଁଟା ଚେପ୍‌ଟା ହୋଇଯାଇଛି। ଚିହ୍ନି ହେଉନାହିଁ। ସେଇ ଅନ୍ଧାର ରାତିରେ ବନ୍ଧୁଆ ରିକ୍‌ସା ଟାଣି ଟାଣି ଖାନ୍‌ନଗର ପାଖେ ପହଞ୍ଚିଲା।

ବାତାହତ ଚିତାଟିଏ ଦୁକୁଦୁକୁ ହୋଇ ଲିଭି ଆସୁଥିଲା। ବନ୍ଧୁଆ ତା ଉଦ୍ଦେଶ୍ୟରେ ପ୍ରଣାମ କରି ମଠେଇ ଫେରିଲା ଘରକୁ।

ଆଜିକାଲି ବନ୍ଧୁଆ ସେ ଛୋଟ ପରିବାରର ଜଣେ ନିଜ ମଣିଷ ହୋଇଯାଇଚି। କେତେ ରିକ୍‌ସାବାଲା ଆସନ୍ତି ଯାଆନ୍ତି ଖାଇସାରି, ତେବେ ବନ୍ଧୁଆର ମମତା କାହିଁକି ସେ ଦୁସ୍ଥ ପରିବାର ପ୍ରତି ଟିକିଏ ବେଶୀ। ରାମା ମରିଯିବାପରେ ତାହା ଟିକିଏ ଘନେଇ ଉଠିଛି ଯାହା। ଦିନ କାହାକୁ ଅନେଇ ବସେନି। ଚମ୍ପାର ବୟସ ହୋଇଗଲାଣି। ହାତକୁ ଦି’ହାତ ହେବ। ଚମ୍ପାର ଅଳସ ଅଙ୍ଗଭଙ୍ଗୀରେ, ଘୂମନ୍ତ ଭୃଲତାର ଗମ୍ଭୀର ଚଳନରେ ବନ୍ଧୁଆ ମୁଗ୍‌ଧ ହୁଏ।

ସେ ଅନାଇ ରହେ ଲୋଲୁପ ରୂପ ପିପାସୁ ପରି, କେତେବେଳେକେ ଆଖି ଫେରେଇ ଆଣେ କଅଣ ଭାବି। ବୁଢ଼ୀ କେତେଥର କହିଲାଣି, ‘‘ବନ୍ଧୁ, ଝିଅ ଘିଅ, ଘରେ ରହିଲେ ଗନ୍ଧେଇଯାଏ।” ଚମ୍ପା କପାଳରେ କ’ଣ ଶାଶୁଘର ନାହିଁ?” ଚମ୍ପା ପାଖରେ ଥିଲେ ଦୂରକୁ ଉଠି ପଳାଏ ଲାଜରା ହୋଇ। ବନ୍ଧୁଆ ସପନ ଦେଖିଲା ପରି ଅନେଇ ରହେ।

ଦିନ ଚାଲିଗଲାଣି, କେତେଦିନ ତଳେ ଯେ ଖାନନଗରର କେଉଁ କଣରେ ଦୁକୁଦୁକୁ ଚିତାଟିଏ ନିଭି ଯାଇଥିଲା, ତାର ହିସାବ ରଖିଛି କିଏ ? ଖାଲି ବନ୍ଧୁଆ ଛାତିରେ କେବେ କେବେ କିପରି ଝଟ୍‌କା ଲାଗେ। ତା ଆଖିପତା ଓଦା ହୋଇଆସେ। ସେ ମସିଆ ଗାମୁଚ୍ଛାରେ ସେଗୁଡ଼ାକ ପୋଛିପକାଏ। ଆଜିକାଲି ସେ ବଡ଼ ଗମ୍ଭୀର। ସାଥୀ ଲୋକଙ୍କ ସାଙ୍ଗେ ବେଶୀ କଥାବାର୍ତ୍ତା କରେନି। କେବେ କେହି କିଛି ପଚାରିଲେ ଛୋଟ ‘ହଁ’ ଟିଏ ମାରି ନୀରବ ରହେ।

ସାଙ୍ଗ ମେଳରେ କେହି କେବେ ତାକୁ ଇଙ୍ଗିତ କରି କହିଥିଲା, ‘‘ବନ୍ଧୁଆ ଭାଇକୁ କଅଣ ସେମତି କରି ପାଇଚକି? ସେ ବୁଡ଼ିବୁଡ଼ି ପାଣି ପିଏ। ମୂଳରୁ ପରା ଚମ୍ପାକୁ ସାଇତିଛି।” ବନ୍ଧୁଆ ରାଗିଯାଇ ନାଲି ଆଖି ଦେଖେଇ ଥିଲା। ସେହି ଦିନଠାରୁ କେହି କେବେ ତା’ ସଙ୍ଗେ ଥଟ୍ଟା କରେନି।

ବୁଢ଼ୀମା’ ଏବେ ଆଉ ପାରୁନି। ଚମ୍ପା ସବୁ ନିଜ ହାତରେ କରୁଚି। ବୁଢ଼ୀ କଣରେ ପଡ଼ିରହି ଏଇଟା କର ସେଇଟା କର, ପାଟି କରି ବତେଇ ଦେଉଚି। ଆଜିକାଲି ପାଖ ହମିଦ ମିଆଁ ଦୋକାନରେ ଯେଉଁମାନେ ପକୋଡ଼ି ମାଉଁସ ଖାଉଥିଲେ ସେମାନେ ଏଠି ଆସି ଜୁଟିଲେଣି। କିଏ ନ ଚାହେଁ କଅଁଳ ହାତର ପରଶା ମିଠା କଥା, ବଅସ ଥିଲା ଟୋକାଗୁଡ଼ାକ ନା ଆଉ କଣ?

ବନ୍ଧୁଆ ଆଜିକାଲି ବେଶୀ ସମୟ ସେମାନଙ୍କ ପାଖେ କଟାଏ, ତାଙ୍କରି ଘରେ ଶୋଇପଡ଼େ। ତାର ଭୟହୁଏ, କାଳେ ଚମ୍ପା କାନ୍ଦିବ। ବୁଢ଼ୀ ମା’ ସେ କଣରୁ ସକେଇ ସକେଇ କହେ, ‘‘ବନ୍ଧୁ, ପୋଡ଼ିଗଲା ତିଅଣରେ କଣ ସୁଆଦ ଥାଏ। ମୋର ସବୁ ଯାଇଚି, ଖାଲି ଏଇଟା ଯୋଗୁ ସିନା ପଡ଼ିରହିଚି।” ବୁଢ଼ୀ ଆଉ କହି ପାରେନି। ବନ୍ଧୁଆ ତା’ କୋହ ଚାପିରଖି କହେ,” ହଁ ମାଉସୀ, ସେଗୁଡ଼ାକ ଭାବି ଆଉ କଅଣ ହବ? ଯେ ଯାଇଚି ଆଉ କଅଣ ଫେରିବ?”

ତାପରେ ସବୁ ନୀରବ। ଚୁଲିଟା ସେଁ ସେଁ ହୋଇ ଜଳୁଥାଏ। ଡିବିରିର ଥରିଲା ଆଲୁଅରେ ବନ୍ଧୁଆ ଅନେଇ ରହେ ଚମ୍ପା ମୁହଁକୁ। ତା ମନରେ କେତେ କଣ ଆସେ, ଚମ୍ପା ତା ଭଉଣୀ, ସେ ତାକୁ ହାତକୁ ଦି’ହାତ କରିବ। ସେଥିପାଇଁ କିଛି ପଇସା ବି ଜମେଇଛି। ଭଗବାନଙ୍କ ଉଦ୍ଦେଶ୍ୟରେ ତା’ର ହାତ ଦୁଇଟା ଉପରକୁ ଉଠିଯାଏ।

ଡିବିରିଟାକୁ ସାଙ୍ଗରେ ନେଇ ସେ ଘର କଣର ଖଣ୍ଡେ ମାଙ୍କଡ଼ା ପଥର ଟେକିଦିଏ। ତା’ତଳେ ଅଣି, ଦୋ’ଣି, ସୁକି, ଟଙ୍କା କେତେ କଣ ସେ ସାଇତି ଥାଏ। ସେ ଏତେ ଟଙ୍କା ଜୀବନରେ ଦେଖିବା ପ୍ରଥମ। ସିଏ ଚମ୍ପା ବାହାଘର କରିବ। ଚମ୍ପା ଦଉଡ଼ି ଆସି କହେ, ‘‘ଏଁ, ସତେ କେତେ ପଇସା ବନ୍ଧୁଭାଇ ଜମେଇଲେଣି ଲୋ ମା’।”

ବନ୍ଧୁଆ ହସି ଦେଇ କହେ ତୋ’ ବାହାଘର ହବ କିମିତି।‘‘ଚମ୍ପା ଲାଜରା ହୋଇ କହେ, ‘‘ହେ”, ଝଳକାଏ ଥଣ୍ଡା ପବନ ମୁମୂର୍ଷ ଡିବିରୀଟାକୁ ଲିଭେଇ ଦେଇ ଯାଏ। ବୁଢ଼ୀ ହେଂସଟାକୁ ଉପରକୁ ଟାଣି ନେଇ କହେ, ‘‘ଜଳାକବାଟିଟା ଆଉଜାଇ ଆଣିବୁଟି ଲୋ ଝିଅ”। ସେଇ ଅନ୍ଧାର ଭିତରେ ଦୁଇଟା ରାତି ସପନ ଦେଖେ-ଜଣେ ବାହା ହେବ, ଆଉ ଜଣେ ତା’ ଭଉଣୀକୁ ବାହା ଦେବ।

ସଂଜ ହେଲେ ରିକ୍‌ସାବାଲା ସବୁ ଆସି ଗୋଟି ଗୋଟି କରି ଜୁଟନ୍ତି। ସେମାନେ ବନ୍ଧୁଆର ଚମ୍ପା ସାଙ୍ଗରେ ମିଳାମିଶାଟାକୁ ସହି ପାରନ୍ତିନି। ମଣିଷ ଛାତି ତ’ କେତେ ସହିବ? ବନ୍ଧୁଆ ଫେରେ ବଢ଼ିଲା ଝିଅଟାକୁ ଗେଲ କରିବ। ତାଙ୍କ ଘରେ ଶୋଇବ। ଏ ଦୁହିଁଙ୍କର ଚରିତ୍ର ବିଷୟରେ ଧୀରେ ଧୀରେ ଟୁପ୍‌ଟାପ୍‌ ଚାଲିଲା। ଚମ୍ପା ବାସନା ପାଇ ବନ୍ଧୁଆକୁ ନାହିଁ କରେ ଆସିବାକୁ। ବନ୍ଧୁଆ କହେ, ‘‘ଲୋକେ କହିଲେ ବୋଲି କ’ଣ ଭାଇ ତା’ ଭଉଣୀକୁ ଛାଡ଼ି ପଳେଇବ।” ବନ୍ଧୁଆର ନୈତିକ ସାହାସ ଦେଖି ତା ଆଗରେ ମୁହଁକୁ ମୁହଁ କେହି କଥାବାର୍ତ୍ତା କରିପାରନ୍ତି ନାହିଁ, – ଯାହା କହନ୍ତି ପଛରେ।

ଆଜିକାଲି ବେଳ ଦେଖି କିଏ କେମିତି ଚମ୍ପାକୁ ଟାହୁଲି ଟାପରା କଲେଣି। କିଏ କହେ, ‘‘ହଁ ଲୋ ଚମ୍ପା, ତୋ’ ହାତ ଚକୁଳି କାହିଁକି ମିଠା ନାଗୁଛି ମ?” ଆଉ କିଏ କହେ, ହଇଲୋ, ବୁଢ଼ୀ ଏତେ ଦିନକେ ତୋ ହାତକୁ ରସ ବଟଫଳ ଦିଖଣ୍ଡ କରେଇ ଦେଇଚି-ସେ ତ ବନ୍ଧୁଆ ବନ୍ଧୁଆ ହୋଇ ମଲା, ବନ୍ଧୁଆ କଣ କମ ତରକା କି?”

ଚମ୍ପା ବନ୍ଧୁଆର ନିନ୍ଦା ସହିପାରେ ନି। ମୁହଁ ଛିଞ୍ଚାଡ଼ି କହେ, କାହିଁକି ମ ବନ୍ଧୁଆ କଅଣ ଆମର ଖାଇଗଲା କି?
ଜୋକ ମୁହଁରେ ଲୁଣ ଦେଲାପରି ଏଇ କଥା ପଦକରେ ସମସ୍ତେ ତଳକୁ ମୁହଁ ପୋତି ଖାଇବାରେ ଲାଗିଯାଆନ୍ତି।

ଥରେ ସନିଆ ରିକ୍‌ସାବାଲା ଚାରିଅଣାର ଖାଇ ଚମ୍ପାହାତରେ ଟଙ୍କାଟିଏ ଗୁଞ୍ଜି ଦେଇ କହିଲା, ‘‘ଚମ୍ପା ଲୋ, ରଖିଥା, ବାଲିଯାତରେ ଖରଚ କରିବୁ।” ଚମ୍ପାକୁ ଏଗୁଡ଼ା ପସନ୍ଦ ଆସିଲାନି। ସେ ଜୋର ଦେଇ କହିଲା, ‘‘ନାଇଁ, ମୁଁ କାହିଁକି ତୁମର ଧାରୁଆ ହୋଇ ରହିବି।” ସନିଆ ଚାଲିଯାଇଛି, ଚମ୍ପା ଦୁଆର ମୁହଁରେ ଡାକୁଛି।

ବନ୍ଧୁଆ ଫେରୁଚି ଆସାନ୍‌ସୋଲ ଗାଡ଼ି ସବାର ନେଇ, ଯନ୍ତ୍ର ଚାଳିତ ପରି ସେ ଅଟକି ଗଲା। ସନିଆକୁ ଧରି ପକେଇ କହିଲା, ‘‘କିରେ, ମଗରା ହେଲୁଣିକି, ଅଣ୍ଟାରେ ତ ବଡ଼ ପଇସା ଜୋର ହେଲାଣି,” ସନିଆ ଦବି ଯାଇଥିଲା, ବନ୍ଧୁଆ କହି ଚାଲିଲା ‘‘କିରେ, ଏ ହାତରେ କେତେ ରୋଜଗାର କରିଚି। ତୁ କ’ଣ ଆଜି ବାରଅଣା ପଇସାରେ ମୋ ଭଉଣୀ ଆଗରେ ନାଗର ହଉଚୁ। ଆଉ ଥରେ ସେମିତି କଲେ ଦେଖିଥା।”

ସନିଆ ଚାଲିଗଲା। ମନେମନେ ଗୁଣି ହେଲା, ‘‘ହୋରେ ଭାଇ, ଏକା ମା’ ପେଟର ହେଇତ ଏତେ ସିନିହ ଦେଖା ନାହିଁ।” କେତେକ ଅହନ୍ତା ରଖିଲେ, ‘‘ହଁ, ଦେଖିଲା କାମ କରି ଦବାନି”- ବେଳ ଗଡ଼ିଯିବା ସାଥିରେ ସେଇ ଅହନ୍ତା ରୂପନେଲା।

ଦିନକର କଥା, ରାତି ପ୍ରାୟ ଏଗାରଟା ହେବ, ମେଲ୍‌ରୁ ସବାର ନେଇ ରିକ୍‌ସାବାଲା ସବୁ ଫେରି ନାହାନ୍ତି। ଚମ୍ପା ଦୋକାନ ଖୋଲା ରଖି ବସିଚି। ଗରାଖ ଫେରିଲେ ଖାଇବେ। ଡିବିରିଟା ମିଞ୍ଜିମିଞ୍ଜି ହୋଇ ଜଳୁଛି। ଚମ୍ପା, ଆଉଜି ପଡ଼ିଚି ଛିଣ୍ଡା ହେଂସ ଖଣ୍ଡକ ଉପରେ-ଅନେଇ ସପନ ଦେଖୁଚି। ଚୋରଙ୍କ ପରି ଦୁଇଟା ଲୋକ ଭିତରକୁ ପଶିଆସିଲେ। ଚମ୍ପା ନୀରବରେ ସେମାନଙ୍କ ପାଇଁ ଖାଇବାକୁ ଥୋଇଦେଲା। ସନିଆ କହିଲା, ‘‘ମେ ଖାଇବାକୁ ଆସିନୁ ଲୋ ଚମ୍ପା, ଖାଇବାକୁ ଆସିନୁ।” ଚମ୍ପା ଜଳ ଜଳ କରି ଅନାଇ ରହିଲା। ତା ମନରେ ପାପ ଛୁଇଁଲା। ପାଖରେ ତ କେହି ନାହିଁ, ଡାକିବ କାହାକୁ?

ସନିଆର ପିଶାଚର ଆଖି ଦୁଇଟା ତାକୁ ଭୟ ଦେଲା। ସେ ଅନାଇ ପାରିଲା ନାହିଁ, ରହି ରହି କହିଲା, ‘‘ଉ ମୋ ଠିଁ କଅଣ କାମ?”

ବହୁତ ଅଛିଲୋ ଟୋକି-ବହୁତ ଅଛି, ଆଜିଯାଏ ଠକି ଠକି ଆସିଚୁ, ଆଉ କେତେଦିନ ଠକିବୁ। ସବୁ ଦିନ ତ, ବନ୍ଧୁଆ ପାଖରେ ନଥିବ।” ସନିଆ ଗୁଲି ନିଶାରେ କହିଲା।

ବାହାର କବାଟରେ ଠକ୍‌ଠକ୍‌ ଶୁଣାଗଲା-ଏମାନେ ଟିକିଏ ସଂଯତ ହେଲେ, ଚମ୍ପା ଯାଇ କବାଟ ଖୋଲିଲା। ବନ୍ଧୁଆ । ଚମ୍ପା ପିଣ୍ଡରେ ପ୍ରାଣ ପଶିଲା, ବନ୍ଧୁଆ ଆସିବାରୁ ଚମ୍ପା ବନ୍ଧୁଆ ଆଡ଼କୁ ଆଡ଼ା ହୋଇଗଲା, ‘‘କିବେ ସନିଆ, ଫେର୍‌ତୁ ଏଠି” ବନ୍ଧୁଆ ଆରମ୍ଭ କଲା। ‘‘ମୁଁ କାହାର ବୋପା ପଇସାରେ ଖାଇବାକୁ ଆସିନି” ସନିଆ ଜବାବ ଦେଲା।

ପଛପଟୁ ବନ୍ଧୁଆ ମୁଣ୍ଡ ଉପରେ ଏକ ଶକ୍ତ ପାହାର ବସିଲା। ବନ୍ଧୁଆ ମାଟି ଉପରେ ଢଳି ପଡ଼ିଲା। ତା ସାଙ୍ଗେ ସାଙ୍ଗେ ନଇଁ ଆସିଲା ଚମ୍ପାର ବିରସ ମୁର୍ତ୍ତିଟି ବନ୍ଧୁଆ ମୁଣ୍ଡ ଉପରକୁ। ଚମ୍ପାର ସେତେବେଳକୁ ଆଉ ଜ୍ଞାନ ନ ଥିଲା। କେବଳ ଯାହା ସେ ଦୁଇଟା ଶକ୍ତ ହାତର ସ୍ପର୍ଶ ଅନୁଭବ କଲା ତାକୁ ଯେପରି କିଏ ବଳ ପ୍ରୟୋଗକରି ନେଇଯାଉଚି। ତାର ଶେଷ ଅସ୍ଫୁଟ ଚିତ୍କାର ‘ବନ୍ଧୁ ଭାଇ’ ବାୟୁମଣ୍ଡଳରେ ଯାହା ଟିକିଏ ସ୍ପନ୍ଦନ ଆଣିଲା।

ବନ୍ଧୁଆ ସ୍ବପ୍ନରୁ ଉଠିଲା ପରି ଦେଖିଲା, ସେ ରହିଚି ଗୋଟାଏ ହାସପାତାଳରେ। ନାଲିପଗଡ଼ିଆ ତା’ଠୁ ଜମାନବନ୍ଦୀ ନବାକୁ ଚେଷ୍ଟା କରିଥିଲେ। ସେ ଦେଲା ନାହିଁ, ଖାଲି ବଲବଲ କରି ଅନାଇ ରହିଲା। ତା’ କାନ ପାଖକୁ ଝୁଙ୍କିପଡ଼ି ନାଲିଆ ପଗଡ଼ିଆ ଟିକେ ଜୋରରେ କହିଲା ‘‘ତୋ ମୁଣ୍ଡ ଫାଟି ଯାଇଥିଲା। ଆସିଥିଲୁ ଭଲ ହେବାକୁ।”

ଗୋଧୂଳିର ଅନ୍ଧାରେ ଗୋଟିଏ ଲୋକ ପହଞ୍ଚିଲା ଚମ୍ପା କୁଡ଼ିଆ ପାଖରେ। ଦାଢି ଗୁଡ଼ାକ ବଢି ଯାଇଚି। ମନେ ହୁଏ କ୍ଳାନ୍ତ ଅବସନ୍ନ ଶରୀର, ଫୁଙ୍କି ଦେଲେ ପଡ଼ିଯିବ। ସେ ଘର ଭିତରେ କାହାକୁ ଖୋଜୁଥିଲା।

ଚମ୍ପା ନାହିଁ। ତାର ବୁଢ଼ୀ ମା’ ନାହିଁ, ଘର ଦେଖିଲେ ମନେ ହେଉଚି, ଯେପରି କିଛି ଦିନ ହେଲା କେହି ଏଠାରେ ନାହିଁ। ଠାଏ ଠାଏ ଚାଳ କଣା ହୋଇ ଯାଇଛି ହନୁ ଡ଼େଇଁ। ସଞ୍ଜ ପବନରେ ଦଦରା ବାଉଁଶଗୁଡ଼ାକ ବଇଁଶୀ ବଜାଉଛନ୍ତି। ଦୂରରୁ ଘର୍‌ଘର୍‌ କରି ସଇନ ମଟରଟାଏ ଆସୁଥିଲା। ସେ, ପାଖ ଲାଇଟ ଖୁଣ୍ଟଟାକୁ ଧରି ସଂଧ୍ୟାର ଶିଉଳିରେ ମିଶିଗଲା। ତାର ବୋଧେ ମନେ ପଡୁଥିଲା,” ରାମା ଏଇ ମଟର ତଳେ ଚାପା ପଡ଼ି ମରିଥିଲା-ଆଉ ଚମ୍ପା… ?

‘ସପନ’ ହେଉଛି ଲବ୍ଧପ୍ରତିଷ୍ଠ କଥାଶିଳ୍ପୀ ଅଖିଳମୋହନ ପଟ୍ଟନାୟକଙ୍କ ପ୍ରଥମ ଗଳ୍ପ। ଏହା ୧୯୪୬ ମସିହାରେ ‘ଶଙ୍ଖ’ ପତ୍ରିକାରେ ପ୍ରକାଶ ପାଇଥିଲା।

RATING

13 VIEWS
0 COMMENT

Share To

ଅଖିଳ ମୋହନ ପଟ୍ଟନାୟକ

ଓଡ଼ିଆ କଥା ସାହିତ୍ୟ ଜଗତର ଜଣେ ନିଆରା କଥାକାର ଥିଲେ ଅଖିଳମୋହନ ପଟ୍ଟନାୟକ(୧୯୨୭-୧୯୮୨)। ୧୯୨୭ ମସିହା ଡ଼ିସେମ୍ବର ୧୮ ତାରିଖରେ ଖୋର୍ଦ୍ଧାରେ ଜନ୍ମିତ ଅଖିଳମୋହନ ଥିଲେ ବୃତ୍ତିରେ ଆଇନଜୀବି ଆଉ ପ୍ରବୃତ୍ତିରେ ବିଦଗ୍ଧ ସାହିତ୍ୟ ଶିଳ୍ପୀ। ୧୯୮୧ ମସିହାରେ ତାଙ୍କର କ୍ଷୁଦ୍ରଗଳ୍ପ ସଞ୍ଚୟନ “ଓ ଅନ୍ଧଗଳି” ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼ାମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ୧୯୮୨ ମସିହା ନଭେମ୍ବର ୨୯ ତାରିଖ ଦିନ ଏହି ମହାନ କଥାଶିଳ୍ପୀଙ୍କର ପରଲୋକପ୍ରାପ୍ତି ଘଟିଥିଲା। ତାଙ୍କ ରଚିତ ବିଭିନ୍ନ ଗଳ୍ପ ବେଶ୍‌ ପାଠକୀୟ ଆଦୃତି ପାଇଛି। ବିଶେଷ କରି ବାଘରାଣୀ ଖଇରି ଭଳି ଏକ ନିଚ୍ଛକ ସତ ଘଟଣା ଉପରେ ଲିଖିତ ତାଙ୍କର କ୍ଷୁଦ୍ର ଉପନ୍ୟାସ ମାଧ୍ୟମରେ ମଣିଷ ଓ ହ୍ରିଂସ ପଶୁ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନର କାହାଣୀ ବେଶ୍‌ ଜୀବନ୍ତ ଓ ମାର୍ମିକ।

କ୍ରମେ ସବିଶେଷ →
-: ଆଉ କେତୋଟି ଗଳ୍ପ :-
-: ପାଠକୀୟ ମତାମତ :-

ଆପଣଙ୍କ ମତାମତ କ’ଣ?

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ

ଉପୋରକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ →
ଶୀର୍ଷପୃଷ୍ଠା TOP