
ଦିନେ ଗଲା, ଦୁଇଦିନ ଗଲା, ତିନିଦିନ ଗଲା, ଚାରିଦିନ ଗଲା, ପାଞ୍ଚଦିନ ମଧ୍ୟ ଗଲା, ରେବତୀ ମାଟିରେ ଲାଗିଯାଇ ପଡ଼ିଅଛି, ଆଖି ଫିଟାଉ ନାହିଁ, ଡାକିଲେ ଉତ୍ତର ନାହିଁ, ଉଁ-ଚୁଁ ହେବାକୁ ମଧ୍ୟ ନାହିଁ। ଆଜି ଛ’ଦିନ ରେବତୀ ସଖାଳୁ ଦୁଇ ଚାରି ଥର ପାଟି କଲାଣି। ବୁଢ଼ୀ ପାଟି ଶୁଣି ପାଖକୁ ଗଲା, ଦେହରେ ହାତ ବୁଲାଇ ଦେଖିଲା, ଗୋଡ଼ ହାତ ଶୀତଳ, ଡାକିଲେ ହୁଁ ହୁଁ ଜବାବ ଦେଲା, କଟମଟ କରି ମୁହଁକୁ ଚାହୁଁଅଛି, କିଛି ନ ପଚାରିଲେ ମଧ୍ୟ କେତେ କଥା କହିପକାଉଅଛି। କୌଣସି କବିରାଜ ଦେଖିଲେ ‘ତୃଷ୍ଣା ଦାହଃ ପ୍ରଳାପଶ୍ଚ’ ଇତ୍ୟାଦି ଶ୍ଳୋକ ପଢ଼ି କହନ୍ତେ, ‘ସନ୍ନିପାତସ୍ୟ ଲକ୍ଷଣଂ’। ମାତ୍ର ବୁଢ଼ୀ କିଛି ଖୁସି ହେଲା। ଦେହରେ ତାତି ନାହିଁ, କଥା କହୁ ନ ଥିଲା, ପାଟି ଫିଟାଇଲାଣି, ଚାହୁଁ ନ ଥିଲା, ଆଖି ଫିଟିଲାଣି, ପାଣି ପିଇବାକୁ ମାଗିଲାଣି, ଛ’ଦିନ ହେଲା ଜିଭରେ ପାଣି ଟୋପାଏ ବାଜି ନାହିଁ। ଚାରିଟା ପଥି ପେଟରେ ପଡ଼ିଲେ ଝିଅଟା ଉଠି ବସିବ। “ତୁ ଶୋଇଥା, ମୁଁ ଚାରିଟା ପଥି ରାନ୍ଧି ଆଣେ” ଏହା କହି ବୁଢ଼ୀ ବାହାରକୁ ବାହାରି ଆସିଲା। ପଥି ରାନ୍ଧିବ କ’ଣ? ଘରେ ପାଛିଆ, କୁଣ୍ଢେଇ ହାଣ୍ଡି ଆଟିକା ସବୁ ଖୋଜିଲା, ମୁଠାଏ ଚାଉଳ ନାହିଁ। ନିଃଶ୍ବାସଟାଏ ପକାଇ ବସିଲା। ବାସୁ ପାଞ୍ଚ ଦିନକୁ ଚାଉଳ ଡାଲି କିଣି ଦେଇ ଯାଇଥଲା, ସେଥିରେ ଦଶଦିନ କିଆଁ ଚଳିଗଲା, ବୁଢ଼ୀର ଦୃଷ୍ଟିଶକ୍ତି ଥିଲେ ବୁଝିପାରିଥାନ୍ତା। ବସି ବିଚାର କଲେ ବୁଦ୍ଧି ଦିଶେ।
ଘରେ କଂସାବାସନ କିଛି ନାହିଁ, ହାତରେ ଗୋଟାଏ କଣା ଢାଳ ପଡ଼ିଲା, ସେଇଟା ଧରି ହରି ସା ଦୋକାନକୁ ବାହରିଲା। ହରି ସା ଘର ଗ୍ରାମ ମଝିରେ, ତାହାର ରୀତିମତ ଦୋକାନ ନାହିଁ, ଚାଉଳ ଡାଲି, ଲୁଣ ତେଲ ରଖିଥାଏ, କୌଣସି ଦିନ ବିଦେଶୀ ଲୋକ ପହଞ୍ଚିଗଲେ କିଣନ୍ତି-କେବେ ହେଲେ ଗ୍ରାମଲୋକଙ୍କର କିଛି ଦରକାର ହେଲେ କିଣନ୍ତି। ବୁଢ଼ୀ ଢାଳଟି ଧରି ହରି ସା ଦୁଆରେ ପହଞ୍ଚିଲା। ହରି ସା ବୁଢ଼ୀ ହାତରେ ଢାଳଟା ଦେଖି ଅର୍ଥଟା ବେଶ୍ ବୁଝିଗଲା। ବୁଢ଼ୀ ଆପଣାର ଅଭିପ୍ରାୟ ଜଣାଇବାରୁ ହରି ଢାଳଟା ହାତରେ ଧରି ଚାରିପାଖ ଦେଖି କହିଲା, “ନାହିଁ ନାହିଁ, ମୋ ଘରେ ଚାଉଳ ନାହିଁ, ଆଉ ଏହି କଣା ଢାଳଟା ରଖି କିଏ ଚାଉଳ ଦେବ।” ହରି ଘରେ ଯେ ଚାଉଳ ନ ଥିଲା ତା ନୁହେଁ, ଦେବାକୁ ମଧ୍ୟ ଇଚ୍ଛା, ତେବେ ଶସ୍ତାରେ ନେବାର କଥା।
ଚାଉଳ ନ ଥିବାର ଶୁଣି ବୁଢ଼ୀ ମୁଣ୍ଡରେ ତ ବଜ୍ର ପଡ଼ିଲା। କ’ଣ କରିବି, ଝିଅଟା ଜରରୁ ଉଠିଛି, ତା’ ମୁହଁରେ କ’ଣ ଦେବି? ଘଡ଼ିଏ ବସିଗଲା, ବେଳ ବୁଡ଼ିଗଲାଣି, ହରିକୁ ଦୁଇଥର ଅନାଇଲା। ଯାଏଁ ଝିଅଟା କ’ଣ କରୁଛି ଦେଖେଁ। ଢାଳଟି ଧରି ଉଠୁଛି, ହରି କହିଲା, “ଦିଅ ଦିଅ, ଢାଳଟା ଦିଅ, ଦେଖେ ଘରେ କ’ଣ ଅଛି।” ହରି ଢାଳଟା ରଖି ଚାରିମାଣ ଚାଉଳ, ଅଧମାଣ ଜାଇ କିଛି ଲୁଣ ଦେଲା। ବୁଢ଼ୀ ଚାରି ଛ’ ଜାଗା ବସି ଉଠି ଘରେ ପହଞ୍ଚିଲା। ଏ ପର୍ଯ୍ୟନ୍ତ ବୁଢ଼ୀ ଦାନ୍ତରେ ଦାନ୍ତକାଠି ବାଜି ନାହିଁ, ଦେହ ମନର କଷ୍ଟ କଥା କ’ଣ କହିବୁଁ? ଘରେ ପହଞ୍ଚି ରେବତୀକୁ ଡାକିଲା। ତାହାର ବିଶ୍ବାସ, ରେବତୀ ଭଲ ହୋଇଗଲାଣି, ପାଣି କାଢ଼ିଦେବ, ସେ ଭାତ ରାନ୍ଧିବ। ରେବତୀ ଜବାବ ନ ଦେବାରୁ ସେ ଭାରି ଖପା ହୋଇଯାଇ ଡାକିଲା, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି।” ଜବାବ ନାହିଁ।
ଏଣେ ରେବତୀର ସନ୍ନିପାତ ରୋଗ କ୍ରମଶଃ ବଢ଼ୁଅଛି, ଭୟାନକ ଯନ୍ତ୍ରଣା, ଦେହ କ୍ରମଶଃ ଶୀତଳ ହେଉଛି, ଜିଭ ଶୁଖିଲାଣି, ଭୟଙ୍କର ପିପାସା, ଜିଭଟା ଯେମନ୍ତ ଭିତରକୁ ଚାଲିଯାଉଅଛି। ଥଣ୍ଡା ଜାଗାକୁ ଯିବାର ଇଚ୍ଛା, ଘରଯାକ ଗଡ଼ିଗଡ଼ି ବାହାରକୁ ଆସିଲା, ସୁଖ ଲାଗିଲା ନାହିଁ। ବାଡ଼ି ଦୁଆରକୁ ଯାଇ ପିଣ୍ଡାରେ ବସିଲା। ଦିନ ଶେଷ ହୋଇ ଆସିଲାଣି। ଖୁବ୍ ପବନ ବହୁଅଛି, ବାଡ଼କୁ ଆଉଜି ବସିଲା। ବାଡ଼ିଯାକ ଅନାଇଲା। ବାପା ଗଲା ବରଷ ଏହି କଦଳୀଗଛ ଲଗାଇଥିଲେ, ଭଣ୍ଡା ବାହାରିଲାଣି, ଦୁଇ ବରଷ ତଳେ ମା’ ଗୋଟିଏ ପିଜୁଳି’ ଗଛ ବାଡ଼ିରେ ରୋଇଥିଲେ, ରେବତୀ ଧାଇଁ ଧାଇଁ କୂଅରୁ ଢାଳେ ପାଣି ସେ ଗଛରେ ଦେଇଥିଲା, ସେ ଗଛ କେଡ଼େଟିଏ ହେଲାଣି, ଫୁଲ ଧରିଲାଣି। ସେ ଗଛ ଦେଖି ମା’ ମନରେ ପଡ଼ିଲେ। ବୁଦ୍ଧି ସ୍ଥିର ନାହିଁ, ମନ ଚଞ୍ଚଳ, ଲଗାଲଗି କିଛି କଥା ମନରେ ପଡ଼ୁନାହିଁ, ମାତ୍ର ମାତାର ଆନନ୍ଦମୟୀ ମୂର୍ତ୍ତି ଆଉ ମନକୁ ଛାଡ଼ୁ ନାହିଁ।
ସଞ୍ଜ ଗଡ଼ିଗଲାଣି, ଗଛ ମୂଳରୁ ଡାଳ ଉଢ଼ାଳରୁ ଅନ୍ଧକାରଗୁଡ଼ାକ ବାହାରି ବାଡ଼ି ପୂରିଗଲାଣି, ଆଉ କିଛି ଦିଶୁ ନାହିଁ। ଆକାଶକୁ ଚାହିଁଲା, ପହରକିଆ ତାରାଟିରୁ ଧକଧକ ହୋଇ କିରଣ ବାହାରୁଅଛି। ଏକ ଧ୍ୟାନରେ ରେବତୀ ସେହି ତାରାକୁ ଚାହିଁଅଛି, ଆଖିରେ ଆଉ ପଲକ ପଡ଼ୁ ନାହିଁ। ତାରାର ଆକାର କ୍ରମଶଃ ବଢ଼ିଯାଇଛି, ଚକ୍ର ପରି ଆକାର ହୋଇଗଲାଣି, ଆହୁରି ବୃଦ୍ଧି, କ୍ରମଶଃ ବୃଦ୍ଧି, କ୍ରମଶଃ ଉଜ୍ଜ୍ୱଳ। ଆହା! ଏ କି ମୂର୍ତ୍ତି ତାରା ମଧ୍ୟରେ? ଶାନ୍ତିଦାୟିନୀ, ପ୍ରେମମୟୀ, ଆନନ୍ଦମୟୀ ମାତାଙ୍କର ଅଭୟ ମୂର୍ତ୍ତି ବସି ସ୍ନେହରେ କୋଳକୁ ନେବା ସକାଶେ ଡାକୁଅଛନ୍ତି। ମା’ ଦୁଇଗୋଟି କିରଣ ହସ୍ତ ବଢ଼ାଇଦେଲେ। ସେହି କିରଣ ଦିଟଓ ଆସି ଦୁଇ ଚକ୍ଷୁ ସ୍ପର୍ଶ କରି ହୃଦୟରେ ପ୍ରବେଶ କଲା। ସେହି ଅନ୍ଧକାର ମଧ୍ୟରେ ଆଉ କୌଣସି ଶବ୍ଦ ନାହିଁ। କେବଳ ନିଃଶ୍ବାସ ଶବ୍ଦ। ସେ ଶବ୍ଦ କ୍ରମଶଃ ପ୍ରବଳ, ଖୁବ୍ ଦୀର୍ଘଶ୍ବାସ, ଶେଷରେ ମା-ମା’ ଦୁଇଥର ଅସ୍ପଷ୍ଟ ଶବ୍ଦ ଶୁଭିଲା। ବାଡ଼ି ନିସ୍ତବ୍ଧ, ନୀରବ।
ଏଣେ ବୁଢ଼ୀ ଘୁଷୁରି ଘୁଷୁରି ଯାଇ ରେବତୀ ଶୋଇବା ଜାଗା ଦେଖିଲା, କେହି ନାହିଁ। ଘରଯାକ, ବାହାର ଅଗଣା, ଢେଙ୍କିଲାଞ୍ଜି କାହିଁ ନାହିଁ। ମନେକଲା, ଜ୍ବର ଭଲ ହୋଇଗଲାଣି, ବାଡ଼ିରେ ବୁଲୁଥିବ। ସେହି ଡାକ, ‘ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି।’ ବାଡ଼ି ଦୁଆରକୁ ଗଲା, ଅଣ୍ଡାଳି ଅଣ୍ଡାଳି ପିଣ୍ଡାକୁ ଉଠିଲା। ପିଣ୍ଡାଟା ଭୂମିଠାରୁ ଦୁଇହାତ ଉଚ୍ଚ, ହାତେ ଚଉଡ଼ା।
‘ମଲା ତୁ ଏଇଠି ବସିଛୁ?’ ଦେହରେ ହାତ ଦେଇ ବୁଢ଼ୀ ପ୍ରଥମେ ଚମକି ପଡ଼ିଲା, ଆଉ ଥରେ ଭଲକରି ଗୋଡ଼ଠାରୁ ମୁଣ୍ଡଯାଏ ହାତ ବୁଲାଇଲା, ନାକରେ ହାତ ଦେଇ ଗୋଟାଏ ଉତ୍କଟ ଶବ୍ଦ କଲା, ସଙ୍ଗେ ସଙ୍ଗେ ପିଣ୍ଡା ତଳେ ଦୁଲଦାଲ ଶବ୍ଦ!
ଶ୍ୟାମବନ୍ଧୁ ମହାନ୍ତି ଘରର କୌଣସି ପ୍ରାଣୀକୁ ଜଗତ୍ରେ ଆଉ କେହି ଦେଖିନାହାନ୍ତି। ପଡ଼ୋଶୀମାନେ ରାତି ପହରକ ସମୟରେ ଶେଷ ଶବ୍ଦ ଶୁଣିଥିଲେ-
‘ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି।’
-୦- -୦-
ଓଡ଼ିଆ ସାହିତ୍ୟ ଜଗତରେ କ୍ଷୁଦ୍ରଗଳ୍ପ ଭାବେ ‘ରେବତୀ’ ହେଉଛି ସର୍ବପ୍ରଥମ ସୃଷ୍ଟି।