ଦିନ ଚାଲିଯାଏ, କାହାରି ଲାଗି ଦିନ ବସି ରହେ ନାହିଁ। କାହାର ପାଲିଙ୍କି ଉପରେ ପାଟଛତା, କାହାରି ବେଡ଼ି ଉପରେ କୋରଡ଼ା। ଦିନ ଯାଉଛି ସମସ୍ତଙ୍କର, ଯିବ ସମସ୍ତଙ୍କର। ଦେଖୁଁ ଦେଖୁଁ ତିନିମାସ କାଟିଗଲାଣି। ଶ୍ୟାମବନ୍ଧୁ ଘରେ ଦୁଇଗୋଟି ଗାଈ ଥିଲେ, ତହବିଲ ବାକୀ ଟଙ୍କା ସକାଶେ ଜମିଦାର ଘର ଲୋକେ ଆସି ବାନ୍ଧି ଘେନିଗଲେ। ଆମ୍ଭେମାନେ ଜାଣୁ, ଜମିଦାର ଘର ଟଙ୍କାକୁ ଶ୍ୟାମବନ୍ଧୁ ଶିବ ନିର୍ମାଲ୍ୟ ପରି ଜ୍ଞାନ କରେ, ଟଙ୍କାଟିଏ ଅସୁଲ ହେଲେ ଜମିଦାର କଚେରିରେ ପୈଠ ନ କରିବାଯାଏ ତାହାର ନିଦ ଥାଏ ନାହିଁ। ମାତ୍ର ତାହା ଉପରେ ଟଙ୍କା ଥାଉ ବା ନ ଥାଉ ଗାଈ ଦିଓଟି ବଡ଼ ଦୁଧିଆଳୀ, ଏକଥା ପୂର୍ବରୁ ଜମିଦାରଙ୍କୁ ଜଣାଥିଲା। ଏହା ଛଡ଼ା ଜମିଦାର ଚଷିବାକୁ ଯେ ତିନିମାଣ ଜମି ଦେଇଥିଲେ ତାହା ଛଡ଼ାଇ ନେଲେଣି। ହଳିଆଟା ବା ଘରେ ଆଉ କିଆଁ ରହିବ? ଦୋଳପୂର୍ଣ୍ଣିମା ଦିନ ସେ ଛାଡ଼ିଗଲା। ବଳଦ ଦୁଇଟା ସାଢ଼େ ସତର ଟଙ୍କାରେ ବିକାଯାଇଥିଲା, ଦୁଇଜଣଙ୍କ କ୍ରିୟାରେ ଖରଚ ଯାଇ ଯାହା ବଳିଥିଲା, ସଟାବଟା କରି ମାସେ ଚଳିଲା।

ଆଜି ଢାଳଟା କାଲି ପିତଳଟା, ସଟାବଟା ବନ୍ଧାଛନ୍ଦାରେ ଆଉ ମାସେ ଗଲା। ବାସୁ ଦୁଇ ଓଳି ଦୁଆରକୁ ଆସେ, ରାତି ଘଡ଼ିଏ ଯାଏଁ ଥାଏ, ଆଈ ନାତୁଣୀ ଶୋଇବାକୁ ଗଲେ ବସାକୁ ଯାଏ। ବାସୁ କିଛି ଟଙ୍କାପଇସା ଦେଲେ ଆଈ ବା ନାତୁଣୀ କେହି ନିଅନ୍ତି ନାହିଁ। ବଳେଇ ବଳେଇ କିଛି ଦେଲେ ତାହା ଠଣାରେ ପଡ଼ିଥାଏ। ବାସୁ ଜାଣିପାରି ଆଉ କିଛି ଦିଏ ନାହିଁ। ବୁଢ଼ୀ ପାଖରୁ ଗୋଟାଏ ଦୁଇଟା ପଇସା ନେଇ ସଉଦା କିଣିଦିଏ, ସେହି ଦୁଇ ପଇସାର ସଉଦାରେ ଆଠ ଦଶଦିନ ଚଳିଯାଏ। ଘରର ଚାଳ ଉଡ଼ି ଗଲାଣି, ଛାଉଣି ଦରକାର। ବାସୁ ଦୁଇଟଙ୍କାର ନଡ଼ା କିଣି ବାଡ଼ିରେ ଗଦେଇ ଅଛି, ଶରଣ ହେବାରୁ ଛପରବନ୍ଦି ହୋପାରି ନାହିଁ। ବୁଢ଼ୀ ଏବେ ଆଉ ଦିନ ରାତି ବସି କାନ୍ଦେ ନାହିଁ। କେବଳ ସଞ୍ଜ ହେଲେ ବସି କାନ୍ଦେ। କାନ୍ଦି କାନ୍ଦି ତଳେ ପଡ଼ିଯାଏ, ସେହିଠାରେ ରାତି କାଟେ। ରେବତୀ ଧକେଇ ଧକେଇ ପାଖରେ ପଡ଼ିଯାଏ।

ବୁଢ଼ୀ ଆଖିକି ଏବେ ଭଲ ହୋଇ ଦିଶୁ ନାହିଁ, ବାୟାଣୀ ପରି ହୋଇଗଲାଣି। ଏବେ କାନ୍ଦିବାର ଊଣା କରି ରେବତୀକୁ ଗାଳିଦେବାକୁ ଆରମ୍ଭ କରିଛି। ଏତେ ଯେ ଦୁଃଖ, ଏତେ ଦୁର୍ଦ୍ଦଶା ସବୁର ମୂଳ କାରଣ ରେବତୀ, ଏହା ସେ ମନ ମଧ୍ୟରେ ସ୍ଥିରସିଦ୍ଧାନ୍ତ କରିସାରିଲାଣି। ରେବତୀ ପାଠ ପଢ଼ିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡ଼ିଗଲା, ବଳଦ ବିକାଗଲା, ଜମିଦାର ଘର ଗାଈ ବାନ୍ଧି ଘେନିଗଲା। ରେବତୀ କୁଲକ୍ଷଣୀ, ସେ କୁଢ଼ଙ୍ଗୀ, ସେ ଲକ୍ଷ୍ମୀହୁଡ଼ୀ। ବୁଢ଼ୀ ଆଖିକି ଯେ ଦିଶୁ ନାହିଁ, ତାହାର କାରଣ ରେବତୀର ପାଠପଢ଼ା। ବୁଢ଼ୀ ଗାଳିଦେବା ବେଳେ ରେବତୀ ଆଖିରୁ ଦୁଇଧାର ବହିଯାଉଥାଏ, ଡରେ ବୁଢ଼ୀ ପାଖରେ ସେ ଛିଡ଼ା ହୋଇପାରେ ନାହିଁ। ବାଡ଼ିଦୁଆରେ ନୋହିଲେ ଘର କୋଣରେ ମୁହଁ ଘୋଡ଼ାଇ କାଠଟି ପରି ବସିଥାଏ।

ବାସୁ ମଧ୍ୟ ଦୋଷୀ, କାରଣ ରେବତୀ ତ ଏତେଦିନଯାଏ ପଢ଼ୁ ନଥିଲା, ସେହି ଆସି ସିନା ପଢ଼ାଇଦେଲା। ମାତ୍ର ବୁଢ଼ୀ ବାସୁକୁ କିଛି କହିପାରେ ନାହିଁ, ବାସୁ ନହେଲେ ଘର ଦଣ୍ଡେ ଅଚଳ, ପୁଣି ଜମିଦାର ଘର ଲଟ ଛିଡ଼ି ନାହିଁ। ଜମିଦାର ଘର ଲୋକ ଆସି ଆଜି ଏ ହିସାବଟା, କାଲି ସେ ହିସାବଟା ମାଗେ। ବାସୁ ନ ହେଲେ ପାଞ୍ଜିବିଡ଼ାରୁ ପଢ଼ି ପତର କାଢ଼ିଦେବ କିଏ? ତଥାପି ବାସୁ ନ ଥିଲାବେଳେ ସେ ସହଜ କଥାରେ କେବେ କେବେ ଆପଣା ମନ୍ତବ୍ୟ ପ୍ରକାଶ କରିଥାଏ। ରେବତୀ ଆଉ ଏଣିକି ପିଲା ନୁହେଁ। ତାହା ପାଟି ଆଉ କେହି ଶୁଣି ନାହିଁ।

ବାପା ମାଆ ଗଲାଦିନୁ ତାକୁ ଦାଣ୍ଡଦୁଆରେ ଆଉ କେହି ଦେଖି ନାହିଁ। କେତେଦିନ ଯାଏ ଭୋ-ଭୋ କରି ଡକାପାଡ଼ୁଥିଲା, ଏବେ ଆଉ ପାଟି କରି କାନ୍ଦେ ନାହିଁ, ମାତ୍ର ଦିବାରାତ୍ର ଆଉ ଆଖିରୁ ପାଣି ଶୁଖିବାକୁ ନାହିଁ। ତାହାର କ୍ଷୁଦ୍ରପ୍ରାଣ-ତହିଁରୁ ଅତିକ୍ଷୁଦ୍ର ମନଟି ଏକାବେଳକେ ଭାଙ୍ଗିଯାଏ। ତା’ ପକ୍ଷରେ ବର୍ତ୍ତମାନ ଦିନରାତି ସମାନ। ସୂର୍ଯ୍ୟରେ ଆଲୁ ନାହିଁ, ରାତିରେ ଅନ୍ଧାର ନାହିଁ। ସମସ୍ତ ଜଗତ୍‌ ଶୂନ୍ୟ। କେବଳ ପିତାମାତାଙ୍କ ମୂର୍ତ୍ତି ହୃଦୟ ପୂର୍ଣ୍ଣ କରିଅଛି। ମା’ ଏହିଠାରେ ବସିଅଛନ୍ତି, ବାପା ଚାଲିଯାଉଅଛନ୍ତି, ତାହା ଆଖିରେ କେବଳ ଏହି ଦୁଇଟା ଦିଶୁଅଛି। ବାପାମା’ ମରିଯାଇଛନ୍ତି, ଆଉ ସେମାନେ ଆସିବେ ନାହିଁ, ଏକଥା ସେ ବିଶ୍ବାସ କରିପାରୁ ନାହିଁ।

ପେଟରେ ଭୋକ ନାହିଁ, ଆଖିରେ ନିଦ ନାହିଁ। ଦିବାନିଶି ଅନୁକ୍ଷଣ ପିତାମାତା ଧ୍ୟାନ। ଜେଜୀମା’ ଡରରେ ଖାଇବାକୁ ବସେ। ଭୂଇଁରୁ ପ୍ରାୟ ଉଠେ ନାହିଁ। ଦେହରେ ହାଡ଼ ଚମ ଦୁଇଖଣ୍ଡ ଅଛି। କେବଳ ବାସୁଦେବ ଘରକୁ ଆସିଲେ ଉଠି ବସେ, ବଡ଼ ବଡ଼ ଆଖି ଦୁଇଟାରେ ଜଳଜଳ କରି ବାସୁକୁ ଚାହିଁଥାଏ, ବାସୁ ଅନାଇଲେ ସାନ ନିଃଶ୍ବାସଟାଏ ପକାଇ ମୁଣ୍ଡ ପୋତିଦିଏ। ବାସୁ ପାଖରେ ଥିବାଯାଏ ତାକୁ ଚାହିଁ ରହିଥାଏ। ସେତେବେଳେ ଆଉ କିଛି ଜ୍ଞାନ ନ ଥାଏ-ଆଖିରେ ବାସୁଦେବ, ଚିନ୍ତା ବାସୁଦେବ, ସମସ୍ତ ହୃଦୟଟା ବାସୁଦେବମୟ।

ଶ୍ୟାମବନ୍ଧୁ ମରିବାର ଆଜିକୁ ହାତଗଣତିରେ ପାଞ୍ଚମାସ, ଜ୍ୟେଷ୍ଠମାସିଆ ଦିନ, ଠିକ୍‌ ଦିନ ଦ୍ବିପ୍ରହର ବେଳେ ବାସୁ ଦୁଆରେ ଡାକିଲା। ଏତେବେଳେ ସେ କୌଣସି ଦିନ ଆସେ ନାହିଁ। ବୁଢ଼ୀ କୁନ୍ଥେଇ ଯାଇ ଦୁଆର ଫିଟାଇ ଦେଲା। ବାସୁ କହିଲା- “ଜେଜୀମା (ବାସୁ ବୁଢ଼ୀକୁ ଜେଜୀମା ବୋଲି ବରାବର ଡାକେ), ଦିପୋଟି ଇନ୍ସପେକ୍ଟର ହରିହରପୁର ଥାନାରେ ବସି ପାଠଶାଳା ପିଲାମାନଙ୍କୁ ପାଠ ପଚାରିବେ, ସବୁ ସ୍କୁଲର ପିଲାମାନେ ଯିବେ, ମୋ ପାଖକୁ ଚିଠି ଆସିଛି, ମୁଁ ପିଲାମାନଙ୍କୁ ନେଇ କାଲି ସକାଳେ ଯିବି, ପାଞ୍ଚଦିନ ଲାଗିବ।” ରେବତୀ କବାଟ କଣରେ ଛିଡ଼ାହୋଇ ଶୁଣୁଥିଲା, ଲଥ୍‌କରି ବସିପଡ଼ିଲା, ଭାଗ୍ୟେ କବାଟ ଧରିଥିଲା ନଚେତ୍‌ ବୋଧହୁଏ ପଡ଼ିଯାଇଥାନ୍ତା। ବାସୁ ପାଞ୍ଚଦିନ ସକାଶେ ଚାଉଳ, ଲୁଣ, ତେଲ, ବାଇଗଣ କିଣି ଆଣି ଅଗଣାରେ ଥୋଇଦେଇ ବୁଢ଼ୀକୁ ଜୁହାରଟାଏ ହୋଇ ଶନିବାର ମୁହଁସଞ୍ଜ ବେଳେ ବାହାରିଲା। ବୁଢ଼ୀ କହିଲା, ବାପା, ଖରାରେ ବୁଲିବୁ ନାହିଁ, ଦେହପାଆକୁ ଚାହିଁବୁ, ବେଳରେ ଦି’ଟା ମୁହଁରେ ଦେବୁ। ଏହା କହି ନିଃଶ୍ବାସଟାଏ ପକାଇଲା।

ରେବତୀ ଏକଧ୍ୟାନରେ ବାସୁକୁ ଚାହିଁ ରହିଥାଏ। ଆଜିକା ଚାହାଣି ଅନ୍ୟରକମ। ଆଗେ ବାସୁ ଚାହିଁଲେ ମୁଣ୍ଡ ତଳକୁ ପୋତି ଦେଉଥିଲା, ଆଜି ସେ ଭାବ ନାହିଁ, ଏକା ଧ୍ୟାନରେ ବାସୁକୁ ଚାହିଁ ରହିଅଛି। ବାସୁର ମଧ୍ୟ ଆଜି ଆଗକା ଚାହାଣି ନୁହେଁ। ଆଗେ ବାସୁର ଯେବନ୍ତ ଖୁବ୍ ଇଚ୍ଛା-ରେବତୀକୁ ଭଲକରି ଦେଖିବ, କିନ୍ତୁ ଅନାଇପାରେ ନାହିଁ। ଆଜି ଚାରିଚକ୍ଷୁର ମିଳନ, ଆଖି ଫେରାଇବାକୁ କାହାରି ଆୟତ୍ତ ନାହିଁ। ବାସୁ ଚାଲିଗଲାଣି, ଆଉ ଦିନ ନାହିଁ, ଘର ବାହାର ଅନ୍ଧାର ପୁରିଗଲାଣି। ରେବତୀ ଯେପରି ଚାହିଁଥିଲା, ସେହିପରି ଚାହିଁଅଛି। ବୁଢ଼ୀ ଡାକିବାକୁ ତାହାର ଚେତନା ହେଲା, ଘର ବାହାର ସମସ୍ତ ଅନ୍ଧକାରମୟ।

ରେବତୀ ବସି ଦିନ ଗଣୁଛି, ଆଜି ଛ’ଦିନ। ବାପମା’ ଗଲାଦିନୁ ଦାଣ୍ଡଦୁଆର ଦେଖି ନ ଥିଲା, ଆଜି ସଖାଳୁ ଦାଣ୍ଡଦୁଆର ଆଗରେ ଦୁଇଥର ମୁହଁମାରି ଗଲାଣି। ବେଳ ଅନ୍ଦାଜ ଛ’ଘଡ଼ି, ହରିହରପୁରରୁ ସ୍କୁଲ ପିଲାମାନେ ଫେରି ଆସିବାମାତ୍ରେ ଲୋକେ ବୋଲାବୋଲି ହେଲେ- ହରିହରପୁରରୁ ଫେରି ଆସିବା ସମୟରେ ଗୋପାଳପୁରର ବରଗଛ ମୂଳରେ ପଣ୍ଡିତଙ୍କୁ ବାଡ଼ି ଧଇଲା, ଚାରିଥର ପୋଖରୀପାଣି ହେଲା, ଅଧରାତି ବେଳେ ଚାଲିଗଲେ। ଗ୍ରାମ ଲୋକମାନ ହାୟ ହାୟ କଲେ। ପୁଅ ଝିଅ ମା’ ମାଇକିନିଆମାନେ ପାଟିକରି କାନ୍ଦି ପକାଇଲେ। କେହି କହିଲା-ଆହା କି ରୂପର! କେହି କହିଲା-କି ଧୀରରେ! କେହି କହିଲା-ଆହା ଦାଣ୍ଡରେ ଚାଲିଯାଉଥିବ ଯେ, ମାଛିଟିକି ମର କହିବ ନାହିଁ।

ରେବତୀ ଶୁଣିଲା, ବୁଢ଼ୀ ଶୁଣିଲା। ବୁଢ଼ୀ କାନ୍ଦି କାନ୍ଦି ତାହା କଣ୍ଠ ରୁନ୍ଧି ହୋଇଗଲା, ଆଉ କାନ୍ଦିପାରିଲା ନାହିଁ, ଶେଷରେ ଉଠି କହିଲା-“ଆହା ବାପ, ବିଦେଶକୁ ଆସି ଆପଣା ବୁଦ୍ଧିରେ ପ୍ରାଣ ହରାଇଲୁ ରେ।” ଆର୍ଥତ୍‌ ସେ ଦୁର୍ବୁଦ୍ଧି କରି ରେବତୀକୁ ପାଠ ପଢ଼େଇବାରୁ ମରିଗଲା, ନଚେତ୍‌ କେଭେ ମରି ନ ଥାନ୍ତା। ଶୁଣିଲା ବେଳୁ ରେବତୀ ଘରେ ଯାଇ ପଡ଼ିଛି-ସୋରଶବ୍ଦ ନାହିଁ। ସେ ଦିନଟା ଗଲା, ତହିଁଆର ଦିନ ସକାଳେ ବୁଢ଼ୀ ରେବତୀକୁ ପାଖରେ ନ ଦେଖି ପାଟିକରି ଡାକିଲା, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି!” ବୁଢ଼ୀ ବାୟାଣୀ ପରି ହୋଇଗଲାଣି, କାନ୍ଦବୋବାଳି ନାହିଁ, କେବଳ ରାଗରେ ରେବତୀକୁ ଗାଳି। ପଡ଼ିଶା ଲୋକେ, ଦାଣ୍ଡଗଲା ଲୋକେ ଯେତେବେଳେ ଇଚ୍ଛା ସେତେବେଳେ ଶୁଣୁଅଛନ୍ତି, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି।” ବୁଢ଼ୀ ଆଖିକି ଦିଶୁ ନାହିଁ, ଅଣ୍ଡାଳି ଅଣ୍ଡାଳି ଯାଇ ରେବତୀକୁ ପାଇଲା, ଡାକିଲା, ଜବାବ ନ ପାଇ ତା’ ଦେହରେ ହାତ ବୁଲାଇ ଦେଖିଲା, ଭାରି ଜ୍ବର, ଦେହରୁ ନିଆଁ ବାହାରୁଅଛି, ଜ୍ଞାନ ନାହିଁ। ବୁଢ଼ୀ ଢେର୍‌ ବେଳଯାଏ ବସି କ’ଣ ପାଞ୍ଚିଲା। କ’ଣ କରିବ କାହାକୁ ଡାକିବ, ମନ ମଧ୍ୟରେ ଜଗତ୍‌ ସଂସାର ଖୋଜିଲା, ପାଖରେ କାହାକୁ ଦେଖିଲା ନାହିଁ, କିଛି ସ୍ଥିର କରି ନ ପାରି ଖପା ହୋଇ କହିଲା, “ଯାହା ଆପଣାକିଆ, ତହିଁକି ଇଲାଜ କିଆ?” ଆର୍ଥତ୍‌ ତୁ ପାଠ ପଢ଼ିବାରୁ ଜ୍ବର ହେଲା, ମୁଁ କ’ଣ କରିବି?

Pages: 1 2 3