‘ଲୋ ରେବତୀ-ଲୋ ରେବି-ଲୋ ନିଆଁ, ଲୋ ଚୁଲି’
କଟକ ଜିଲ୍ଲାର ହରିହରପୁର ପ୍ରଗନା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ, ନାମ ପାଟପୁର। ଗ୍ରାମ ମୁଣ୍ଡାମୁଣ୍ଡିରେ ଗୋଟିଏ ଘର। ଆଗିଲି ପିଛିଲି ଚାରିବଖରା, ଖଞ୍ଜା ପାଚିରି ଚାଳିଆରେ ଢେଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡଦୁଆର, ପଛକୁ ବାଡ଼ିଦୁଆର। ଦାଣ୍ଡଦୁଆର ମେଲାଘରେ ଦାଣ୍ଡଲୋକେ ବସାଉଠା କରନ୍ତି, ପ୍ରଜାମାନେ ଖଜଣା ଦେବାକୁ ଆସି ଏହିଠାରେ ବସନ୍ତି। ଶ୍ୟାମବନ୍ଧୁ ମହାନ୍ତି, ଜମିଦାରଙ୍କ ତରଫରୁ ଗ୍ରାମର କରଣ, ମାସକୁ ଦରମା ଦୁଇଟଙ୍କା, ଦରମା ଛାଡ଼ି ପାଉତି ବିଶୋଧନୀ, ବାହାଲହଣା ଇତ୍ୟାଦିରୁ ଦୁଇପଇସା ହାତପୈଠ ହୁଏ। ସବୁ ମିଶାଇଲେ ମାସକୁ ଚାରିଟଙ୍କାରୁ ଊଣା ହେବ ନାହିଁ, ସଂସାର ଏକରକମ ଚେଳ। ଏକରକମ କିଆଁ? ବୋଇଲେ ଭଲ ଚଳେ। ଏଇଟା ହେଲା ନାହିଁ, ସେଇଟା ଘରେ ନାହିଁ, ଏପରି କଥା ଘରର କାହାରି ମୁହଁରୁ ଶୁଣାଯାଏ ନାହିଁ। ବାଡ଼ିରେ ଶାଗମୁଗ ଛାଡ଼ି ସଜନା ଦୁଇଗଛ। ଘରେ ଲଗାପଡ଼ିଅ ବରଷ ବିଆଣୀ ଗାଈ ଦୁଇଟା ବନ୍ଧା, ଦୁଧ ଟିକିଏ, ଚହ୍ଲା ମନ୍ଦାଏ ହାଣ୍ଡିତଳେ ଲାଗିଥାଏ। ବୁଢ଼ୀ ଚଷୁ ମିଶାଇ ଘଷି ପାରିଦିଏ, କାଠ କିଣା ବାଧେ ନାହିଁ। ଜମିଦାର ସାଢ଼େ ତିନିମାଣ ଜମି ଚଷିବାକୁ ଦେଇଛନ୍ତି, ଧାନ ବଳେ ନାହିଁ କି କମେ ନାହିଁ।
ଶ୍ୟାମବନ୍ଧୁଟି ବଡ଼ ସିଧାସଳଖ ଲୋକ, ପ୍ରଜାମାନେ ମାନନ୍ତି, ସୁଖ ପାଆନ୍ତି। ବାପରେ ଧନରେ କହି ଦୁଆର ଦୁଆର ବୁଲି ଖଜଣା ଅସୁଲ କରେ, କାହାରିଠାରୁ ଅନ୍ୟାୟରେ ପଇସାଟିଏ ନିଏ ନାହିଁ। ପ୍ରଜାମାନେ ଖଜଣା ଦେଇ ପାଉତି ମାଗନ୍ତି ନାହିଁ, ସେ ଚାରିଆଙ୍ଗୁଳି ତାଳପତ୍ରରେ ଖଣ୍ଡେ ପାଉତି ଲେଖି ବଳେ ବଳେ ଚାଳରେ ଗୁଞ୍ଜି ଦେଇଯାଏ। ଜମିଦାର ପିଆଦା ଆସିଲେ ଗାଁ’କୁ ଛାଡ଼େ ନାହିଁ, ଆପେ ହାତ ଓଠ ଧରି ଧୂଆଁଖିଆଁ ଦୁଇ ପଇସା ଅଣ୍ଟାରେ ଗୁଞ୍ଜି ଦେଇ ବିଦା କରେ। ଶ୍ୟାମବନ୍ଧୁଙ୍କ ଘରେ ଖାଇବାର କୁଟୁମ୍ବ ଚାରିଜଣ, ଆପେ ଦୁଇ ପରାଣୀ, ମା’ ବୁଢ଼ୀ, ଦଶ ବରଷର ଗୋଟିଏ ଝିଅ। ଝିଅଟିର ନାମ ରେବତୀ। ଶ୍ୟାମବନ୍ଧୁ ସଞ୍ଜବେଳେ ପିଣ୍ଡାରେ ବସି ‘କୃପାସିନ୍ଧୁ ବଦନ’ ଗାଏ, ଆଉ ଆଉ ଭଜନ ଗାଏ, କେବେ କେବେ କାଠ ଦୀପରୁ ଖାଟି ଉପରେ ବଇଠାଟିଏ ଥୋଇ ଭାଗବତ ପଢ଼େ, ରେବତୀ ବସି ଶୁଣୁଥାଏ। ସେ ମୁହେଁ ମୁହେଁ ଢେର୍ ଭଜନ ଶିଖିଗଲାଣି, ତା’ ପିଲା ମୁହଁକୁ ଭଜନଗୁଡ଼ିକ ଖୁବ୍ ମାନେ। ସଞ୍ଜବେଳେ ବାପା ପାଖରେ ବସି ଭଜନ ଗାଇଲେ, ଗାଁ’ର କୌଣସି ଲୋକ ଆସି ଶୁଣନ୍ତି। ରେବତୀ ବାପା ପାଖରୁ ଗୋଟିଏ ଭଜନ ଶିଖିଥିଲା, ସେଇଟି ଗାଇଲେ ଶ୍ୟାମବନ୍ଧୁ ବଡ଼ ଖୁସି ହୁଏ। ପ୍ରତିଦିନ ଝିଅକୁ ଗାଇବାକୁ କହେ, ରେବତୀ ଗାଏ-
“କା’ ଆଗେ କରିବି ଗୁହାରି?
ତୁମେ ନ ଚାହିଁଲେ ନା ଗରିବ ଯିବ ସରି।
କର ବା ନ କର ତ୍ରାଣ ପାଦେ ସମର୍ପିଛି ପ୍ରାଣ
ହୃଦେ ଅଛି ତମ ନାମ ଧରି।
ତୁମ୍ଭ ବିନା ତ୍ରିଜଗତ ଶୂନ୍ୟ ହେ ହରି।
ଶୀତଳ କର ଜୀବନ ପ୍ରେମାମୃତ ଦାନ କରି।”
ଦୁଇ ବରଷ ତଳେ ସ୍କୁଲ ଡେପୁଟି ଇନ୍ସପେକ୍ଟର ମଫସଲ ଗସ୍ତକୁ ଯିବା ସମୟରେ ପାଟପୁରରେ ରାତିଏ ରହିଯାଇଥିଲେ। ଗ୍ରାମର ମୁଖିଆ ଚାରିପାଞ୍ଚଜଣ ଲୋକ କୁହାପୋଛା କରିବାରୁ ଦିପୋଟିବାକୁ ଓଡ଼ିଶା ବିଭାଗର ଇନ୍ସପେକ୍ଟରଙ୍କଠାରୁ ରିପୋର୍ଟ କରି ଗୋଟିଏ ଅପର ପ୍ରାଇମେରୀ ସ୍କୁଲ ବସାଇ ଦେଇଅଛନ୍ତି। ଶିକ୍ଷକ ବେତନ ମାସକୁ ଚାରିଟଙ୍କା। ଏହି ଚାରି ଟଙ୍କା ସରକାରରୁ ମିଳେ। ଏହାଛଡ଼ା ପ୍ରତି ପିଲା ମାସକୁ ଅଣାଏ ଲେଖାଏଁ ଦିଅନ୍ତି। ଶିକ୍ଷକଟି କଟକ ନର୍ମାଲ ସ୍କୁଲର ଅବଧାନ ବିଭାଗର ଉତ୍ତୀର୍ଣ୍ଣ ଛାତ୍ର, ନାମ ବାସୁଦେବ। ନାମଟି ଯେପରି ବାସୁଦେବ, ଲୋକଟା ମଧ୍ୟ ସେହିପରି ବାସୁଦେବ। ଟୋକାଟାର ଭିତର ବାହାର ସୁନ୍ଦର। ଗାଁ’ ମଝିରେ ଚାଲିଯିବା ବେଳେ ମୁଣ୍ଡ ଟେକି କାହାକୁ ଚାହେଁ ନାହିଁ। ବୟସ ଅନ୍ଦାଜ କୋଡ଼ିଏ। ସୁନ୍ଦର ରୂପ, ଯେମନ୍ତ ଗୋଟିଏ ଚାଉଳରେ ଗଢ଼ା।
ପିଲାଦିନେ ପିହୁଳା ରୋଗ ହୋଇଥଲା। ତା’ ମାଆ ମୁଣ୍ଡରେ ତତଲା ବୋତଲ ମୁହଁ ଚିହ୍ନି ଦେଇଥିଲା। ସେ ଚିହ୍ନି ଆଜିଯାଏ ଅଛି। ବରଂ ସେ ଚିହ୍ନ ତାକୁ ମାନେ। ବାସୁଦେବ ପିଲାକାଳରୁ ମା’ ବାପ ଛେଉଣ୍ଡ, ମାମୁଁଘରେ ରହି ମଣିଷ ହୋଇଛି। ବାସୁଦେବ ଜାତିରେ କରଣ, ଶ୍ୟାମବନ୍ଧୁ ମଧ୍ୟ କରଣ। କେବେ ପୁନେଇଁ, ଗୁରୁବାରରେ ଘରେ ପିଠାଟା ପଣାଟା ହେଲେ ଶ୍ୟାମବନ୍ଧୁ ପାଠଶାଳାକୁ ଯାଇ କହିଆସେ, “ବାପା ବାସୁ! ସଞ୍ଜବେଳେ ଟିକେ ଆମ ଘରକୁ ଯିବ, ତୁମ ମାଉସୀ ଡାକିଅଛନ୍ତି।” ଏହିପରି ଯିବାଆସିବାରେ ସେମାନଙ୍କ ମଧ୍ୟରେ ଗୋଟାଏ ମାୟା ଲାଗିଗଲାଣି।
ରେବତୀ ମା’ ବାସୁକୁ ଦେଖିଲେ କହେ, “ଆହା, ମା’ ଛେଉଣ୍ଡଟି କ’ଣ ଖାଏ, କିଏ ତା’ ଖାଇବା ଦେଖୁଛି।” ବାସୁ ପ୍ରତିଦିନ ସଞ୍ଜବେଳେ ଯାଇ ଶ୍ୟାମବନ୍ଧୁ ପାଖରେ ଘଡ଼ିଏ ଅଧେ ବସି ଆସେ। ବାସୁକୁ ଦୂରରୁ ଦେଖିଲେ “ବାସଭାଇ ଅଇଲେ, ବାସୁଭାଇ ଅଇଲେ” ବୋଲି ରେବତୀ ପାଟି କରି ବାପକୁ କହେ। ରେବତୀ ସଞ୍ଜବେଳେ ବାପ ପାଖରେ ବସୁ ପ୍ରତିଦିନ ପଠିତ ପୁରୁଣା ଭଜନଗୁଡ଼ିକ ବାସୁକୁ ଶୁଣାଏ। ବାସୁକୁ ସେହି ଗୀତ ନୂଆ ନୂଆ ପରି ଲାଗେ। ଦିନେ ଏକଥା ସେକଥା ପଡ଼ୁ ପଡ଼ୁ ଶ୍ୟାମବନ୍ଧୁ ଶୁଣିଲେ, କଟକରେ ଗୋଟିଏ ଝିଅ ସ୍କୁଲ ଅଛି, ସେଠାରେ ଝିଅମାନେ ପଢ଼ନ୍ତି, ଲୁଗାସିଆଁ ଶିଖନ୍ତି।
ସେହିଦିନଠାରୁ ରେବତୀକୁ ପାଠ ପଢ଼ାଇବାକୁ ଶ୍ୟାମବନ୍ଧୁଙ୍କର ମନ ହେଲା ଏବଂ ଆପଣା ମନର କଥା ବାସୁଦେବକୁ କହିଲା। ବାସୁ ଶ୍ୟାମବନ୍ଧୁଙ୍କୁ ପିତୃତୁଲ୍ୟ ମାନେ, କହିଲା, “ଆଜ୍ଞା, ମୁଁ ସେହି କଥାଟା କହିବି କହିବି ହେଉଥିଲି।” ଦୁଇଜଣଙ୍କ ପରାମର୍ଶରେ ରେବତୀକୁ ପାଠ ପଢ଼ାଇବାର ସ୍ଥିର ହେଲା। ରେବତୀ ପାଖରେ ବସି ଶୁଣୁଥିଲା, ଦୁଇ ଚିଲାରେ ଘର ଭିତାରକୁ ଯାଇ ମା’କୁ ଆଉ ଜେଜୀଙ୍କୁ, “ମୁଁ ପାଠ ପଢ଼ିବି, ମୁଁ ପାଠ ପଢ଼ିବି” ଖବର ଦେଲା। ମା’ କହିଲେ, “ହଉ ହଉ ପଢ଼ିବୁ।” ଜେଜୀ କହିଲେ, “ପାଠ କ’ଣ ଲୋ! ମାଇକିନିଆ ଝିଅଟା ପାଠ କ’ଣ? ରନ୍ଧାବଢ଼ା ଶିଖ, ପିଠାପଣା କରିବାକୁ ଶିଖ, ଝୋଟିଦିଆ ଶିଖ, ଦହିମୁହାଁ ଶିଖ, ପାଠ କ’ଣ?”
ରାତିରେ ଶ୍ୟାମବନ୍ଧୁ ପିଣ୍ଡାରେ ଖଣ୍ଡେ ଆମ୍ବକାଠ ପିଢ଼ା ଉପରେ ବସି ଭାତ ଖାଉଅଛନ୍ତି, ରେବତୀ ସାଙ୍ଗରେ ବସି ଖାଉଅଛି। ବୁଢ଼ୀ ଆଗରେ ବସି ଭାତପୁଞ୍ଜାଏ ଆଣ, ଡାଲିପାଣି ଟିକିଏ ପକେଇ ଯା’, ଲୁଣ ଟିକିଏ ଦେ’ ଇତ୍ୟାଦି କଥା ବୋହୂ ପ୍ରତି ଆଦେଶ କରୁଛନ୍ତି। କଥାରେ କଥାରେ ବୁଢ଼ୀ କହି ବସିଲେ, “ହଁରେ ଶ୍ୟାମ! ରେବୀ ପାଠ ପଢ଼ିବ-ପାଠ କ’ଣରେ, ତିରିଲା ଝିଅର ପାଠପଢ଼ା କ’ଣ?” ଶ୍ୟାମବନ୍ଧୁ କହିଲେ, “ହେଉ, କହୁଛି ତ ପଢ଼ୁ। ଝଙ୍କଡ଼ ପଟ୍ଟନାୟକ ଘର ଝିଅମାନେ ଯେ ଭାଗବତ ବୋଲିପାରନ୍ତି, ବୈଦେହୀଶ ବିଳାସ ଛାନ୍ଦ ଗାଆନ୍ତି।” ରେବତୀ ଭାରି ଖପା ହୋଇଯାଇ ଜେଜୀଙ୍କୁ ଗାଳି ଦେଇ କହିଲା, “ଯା ଲୋ ବୁଢ଼ୀ ଡୁଗୁରୀଟା।” ତାହା ବାଦ୍ ଅଳି କରି ବାପାକୁ କହିଲା, “ନାଁ ବାଁପାଁ, “ନାଁ ବାଁପାଁ, ମୁଁ ପାଠଁ ପଁଢ଼ିଁବିଁ।” ଶ୍ୟାମବନ୍ଧୁ କହିଲେ, “ହଁ-ହଁ-ତୁ ପଢ଼ିବୁ।” ସେଦିନ କଥା ଏତିକି।

ତହିଁ ଆରଦିନ ଉପରଓଳି ବାସୁଦେବ ସୀତାନାଥବାବୁଙ୍କ ପ୍ରଥମପାଠ ଖଣ୍ଡିଏ ନେଇ ରେବତୀକୁ ଦେବା ସେ ବଡ଼ ଖୁସି ହୋଇ ବାପା ପାଖରେ ବସି କିତାପର ମୂଳ ପୁଡ଼ାଠାରୁ ଶେଷପୁଡ଼ାଯାଏ ଓଲଟାଇ ଓଲଟାଇ ଦେଖିଲା। ସେଥିରେ ହାତୀ, ଘୋଡ଼ା, ଗୋରୁ ଇତ୍ୟାଦିର ଛବି ଦେଖି ଭାରି ଖୁସି ହୋଇଗଲା। ରଜାମାନେ ହାତୀ, ଘୋଡ଼ା ବାନ୍ଧି ଖୁସି ହୁଅନ୍ତି, କେହି ହାତୀ, ଘୋଡ଼ା ଚଢ଼ି ଖୁସି ହୁଏ, ଆମ୍ଭ ରେବୀ ଛବିଟା ଦେଖି ଖୁସି। ରେବୀ ଧାଇଁଯାଇ ମା’କୁ କିତାପର ଛବି ସବୁ ଦେଖେଇଲା, ତାହା ବାଦ୍ ଜେଜୀକୁ ଦେଖେଇଲା। ଜେଜୀ କିଞ୍ଚିତ୍ ବିରକ୍ତି ହୋଇ କହିଲା, “ହଁ ଯା ଯା।” ରେବୀ ତାହାକୁ ‘ଦୂର ଦୂର’ ଗାଳି ଦେଇ ଫେରି ଆସିଲା।
ଆଜି ଦିନଟି ଭଲ-ଶ୍ରୀପଞ୍ଚମୀ। ରେବତୀ ସଖାଳୁ ବୁଡ଼ ପାରି ଗାଧୋଇ ନୂଆ ଲୁଗା ଖଣ୍ଡିଏ ପିନ୍ଧି ଘର ବାହାର ହେଉଅଛି; ବାସୁଭାଇ ଆସିଲେ କିତାପ ପଢ଼ାଇ ଦେବ। ବୁଢ଼ୀ ଭୟରେ ବିଦ୍ୟାରମ୍ଭର ଆୟୋଜନ କିଛି ହୋଇ ନାହିଁ। ବେଳ ଛ’ ଘଡ଼ି ସମୟରେ ବାସୁ ଯାଇ ପଢ଼ାଇଦେଲା, ସ୍ବରେ-ଅ, ସ୍ବରେ-ଆ, ହ୍ରସ୍ବ-ଇ, ଦୀର୍ଘ-ଈ, ହ୍ରସ୍ବ-ଉ, ଦୀର୍ଘ-ଊ, ଇତ୍ୟାଦି। ପ୍ରତିଦିନ ପଢ଼ାଚାଲିଲା, ପ୍ରତିଦିନ ସଞ୍ଜବେଳେ ବାସୁ ଯାଇ ପଢ଼େଇ ଦିଏ। ଦୁଇ ବରଷ ମଧ୍ୟରେ ରେବତୀ ଢେର୍ ପଢ଼ିଗଲାଣି। ମଧୁରାଓଙ୍କ ଛାନ୍ଦମାଳା ପଢ଼ିଯିବାବେଳେ ତୁଣ୍ଡରେ ବାଟୁଳି ବାଜେ ନାହିଁ।
ଦିନେ ରାତିରେ ଶ୍ୟାମବନ୍ଧୁ ବସି ଭାତ ଖାଇବା ବେଳେ, ମା’ପୁଅ ଦୁଇଜଣ କଥାବାର୍ତ୍ତା ହେଲେ। ପୂର୍ବେ ବୋଧକରୁଁ କିଛି କଥା ହୋଇଥିଲା, ଆଜି ସେହି କଥାର ଉପସଂହାର।
ଶ୍ୟାମବନ୍ଧୁ-କି ମା, ଭଲ ହେବ ନାହିଁ କି?
ବୁଢ଼ୀ–ହଁ, ଭଲ ତ ହେବ, ଜାତି କଥାଟା ବୁଝିଛୁ ନା?
ଶ୍ୟାମବନ୍ଧୁ-ମୁଁ ଆଜିଯାଏ ଆଉ କ’ଣ ବୁଝୁଥିଲି? ଭଲ କରଣ, ଗରିବ ପୁଅ, ହେଲେ କ’ଣ ହେବ, ଜାତି ଭଲ।
ବୁଢ଼ୀ-“ଧନ ଦଉଲତ ନାହିଁ ବିଚାର,
ଜାତି କଥାଟା ଆଗେ ପଚାର।”
ଘରେ ରହିବ ତ?
ଶ୍ୟାମବନ୍ଧୁ-ଘରେ ନ ରହି କୁଆଡ଼େ ଯିବ? ହଜାର ହେଲେ ମାମୁ ମାଈଁ ନା, ଆଉ କ’ଣ?
ରେବତୀ ପାଖରେ ବସି ଭାତ ଖାଉଥିଲା, ଏହି କଥାର ମର୍ମ ସେ କ’ଣ ବୁଝିଲା, ସେ ଜାଣେ, ମାତ୍ର ସେହିଦିନଠାରୁ ତାହାର ଭାବଭଙ୍ଗୀ ଅନ୍ୟ ରକମ ଦେଖୁଅଛୁ। ତାକୁ ବାପା ଆଗରେ ବାସୁଭାଇ ପଢ଼ାଇଦେଲେ କିପରି ଗୋଟାଏ ଲାଜ ମାଡ଼େ, ଅକାରଣ ସକାରଣ ସବୁବେଳେ ହସ ମାଡ଼େ, ମୁଣ୍ଡ ତଳକୁ ପୋତିଦେଇ ଦୁଇ ଓଠ ବୁଜି ହସ ଲୁଚାଏ। ଏଣିକି ବାସୁ ପଢ଼ାଇଦେଲେ, କେତେବେଳେ ତୁନି ତୁନି ପଢ଼େ, କେତେବେଳେ ଖାଲି ହୁଁ ହଁ କରେ, ପଢ଼ା ସରିଲେ ପାଟି ବୁଜି ହସି ହସି ଘରକୁ ପଳାଇଯାଏ। ପ୍ରତିଦିନ ସଞ୍ଜବେଳେ ଦାଣ୍ଡଦୁଆର କବାଟକୁ ଧରି କାହାକୁ ଚାହିଁଥାଏ, ବାସୁ ଆସିଲେ ଘରକୁ ପଳାଏ, ପାଞ୍ଚ ଡାକରେ ବାହାରେ ନାହିଁ। ଏଣିକି ରେବତୀ ଦାଣ୍ଡକୁ କେବେ ବାହାରିଲେ ବୁଢ଼ୀ ଖପା ହୁଏ।
ଦେଖୁ ଦେଖୁ ପଞ୍ଚମୀକୁ ପଞ୍ଚମୀ ଦୁଇ ବରଷ ହୋଇଗଲାଣି। ବିଧାତାଙ୍କର ବିଧାନ, କାହାର ଦିନ ସମାନ ଭାବରେ ଯିବ ନାହିଁ। ଫଗୁଣମାସିଆ ଦିନ, କାହିଁ କିଛି ନାହିଁ, ଅଚାନକ କାହୁଁ ବାଡ଼ି ଆସିଲା, ସଖାଳେ ଗ୍ରାମରେ ଶୁଣାଇଲା, ଗୁମାସ୍ତା ଶ୍ୟାମବନ୍ଧୁ ମହାନ୍ତିଙ୍କୁ ବାଡ଼ି ଧରିଛି। ମଫସଲ ଗାଁ’ରେ ବାଡ଼ି ପଡ଼ିଲେ ତାଟି କବାଟ ପଡ଼ିଯାଏ। ବାଡ଼ି ବୁଢ଼ୀ ସତେ ପରା ଟୋକେଇଟିଏ କାଖେଇ ଦାଣ୍ଡରେ ମନୁଷ୍ୟ ଗୋଟାଉ ଅଛି, ଏପରି ସମସ୍ତେ ମଣନ୍ତି। ଦୁଆରକୁ କାହାରି ଆସିବାର ନାହିଁ। ମାଇକିନିଆ ଦୁଇଟା କ’ଣ କରିବେ? ପିଲାଟା ଡାକ ପାଡ଼ି ଘର ବାହାର ହେଉଅଛି। ବାସୁଦେବ ଶୁଣି ସ୍କୁଲ ଛାଡ଼ି ଧାଇଁଲା। ଡର ନାହିଁ, ଭୟ ନାହିଁ, ଆପଣା ଶରୀର ପ୍ରତି ଭାବନା ନାହିଁ, ଶ୍ୟାମବନ୍ଧୁ ପାଖରେ ବସି ଗୋଡ଼ରେ ହାତ ବୁଲାଉଥାଏ, ପାଣି ଟୋପାଏ ଟୋପାଏ ମୁହଁରେ ଦେଉଥାଏ।
ବେଳ ତିନି ପ୍ରହର ସମୟରେ, ଶ୍ୟାମବନ୍ଧୁ ବାସୁ ମୁହଁକୁ ଚାହିଁ ଖନେଇଁ ଖନେଇଁ କହିଲା, “ବାଁ-ସୁଁ- ଏଁ-ବଁ ଆଁ-ଗିଁ-ଲା।” ବାସୁକୁ ଭୋ ଭୋ କରି ଡକା ପଡ଼ିଲା। ଘରେ ଚହଳ ପଡ଼ିଗଲା। ରେବତୀ ଭୂଇଁରେ ପଡ଼ି ଗଡ଼ୁଥାଏ, ଗ୍ରାମର ଲୋକେ ଶୁଣି କହିଲେ, ହୋଇଗଲା ପରା। ଦେଖ-ଦେଖ-ଦେଖ, ସଞ୍ଜବେଳକୁ କିଛି ନାହିଁ। କ’ଣ କରିବେ-ବାସୁଟା କାଲିକା ପିଲା, ଆଉ ଦୁଇଟା ଭୁଆସୁଣୀ। ଗ୍ରାମର ବନା ସେଠୀ ଧୋବା ଜଣେ ଜାଣିବା ଶୁଣିବା ଲୋକ, ତା’ ଦେହକରେ ପଞ୍ଚାଶ କି ଷାଠିଏ ପାର କଲାଣି। କାଲି ହେଲେ ଯିବାକୁ ହେବ, ଆଜି ହେଲେ ଯିବାକୁ ହେବ, ଲୁଗାପଟା ଦି’ଖଣ୍ଡ ମଧ୍ୟ ମିଳିବାର ଭରସା। ଗାମୁଛାଟାଏ ଅଣ୍ଟାରେ ଭିଡ଼ିଦେଇ କୁରାଢ଼ିଟାଏ କାନ୍ଧରେ ପକାଇ ହାଜର ହୋଇଗଲା। ଗ୍ରାମରେ କରଣ ସେହି ଘରକ, ଶାଶୁ, ବୋହୂ, ବାସୁଦେବ ତିନ ଜଣ ଧରାଧରି କରି କର୍ମ ଚଳାଇଲେ। ସେ ସମୟର କଥାଗୁଡ଼ାକ ଲେଖିବାକୁ ଆମ୍ଭେମାନେ ନିତାନ୍ତ ଅକ୍ଷମ। ଶ୍ମଶାନରୁ ଫେରିଆସିବାକୁ କୁଆଁତାରା ଉଇଁଲାଣି। ଘରେ ପଶିବା ମାତ୍ରକେ ରେବତୀ ମା’ ପୋଖରୀ ପାଣି ଗଲା, ଦେଖ-ଦେଖ ଦିନ ଦ୍ବିପ୍ରହର ବେଳେ ଗ୍ରାମରେ ହାଟ ହେଲା ରେବତୀ ମା’ ନାହିଁ।