କଥାରେ ଅଛି, ‘‘ମନ ଫୁଲାଣିଆ ଗୀତ ଗାଏ।’’ ମନ ଖୁସି ଥିଲାବେଳେ ଗୀତ ବୋଲାଯାଏ- ସାହିତ୍ୟ ଲେଖା ହୁଏ। ମନ ଖୁସି ରହେ କେଉଁ ଅବସ୍ଥାରେ? ଯେତେବେଳେ ତାହା ସୁସ୍ଥ ସବଳ ନିର୍ମଳ। ଦେହ ସୁସ୍ଥ ଥିଲାବେଳେ ମନ ସୁସ୍ଥ ରହେ। ଦେହ ସୁସ୍ଥ ରହେ ଯେତେବେଳେ ସମାଜରେ ଅନ୍ନବସ୍ତ୍ରର ଅଭାବ ନ ଥାଏ। ସେତିକିବେଳେ ମନକୁ ଭାବିବାକୁ ଫୁରସତ୍‌ ମିଳେ ଯଥେଷ୍ଟ, ପୁଣି ସେ ଭାବନାକୁ ସାହିତ୍ୟରେ ରୂପରେଖ ଦେବା ପାଇଁ ଦେହ ମଧ୍ୟ ଥାଏ ସବଳ।

ସମାଜରେ ଏହି ଅବସ୍ଥା ଆଣିବା ହେଲା ଉତ୍‌କୃଷ୍ଟ ଶାସନର କାମ। କର୍ମୀ, ଶ୍ରମିକମାନଙ୍କ ମନ ଖୁସିକରିବାକୁ, ବିଶ୍ରାମ ଦେବାକୁ, ଖେଳ କୌତୁକରେ ଦେହ ମନକୁ ତାଜା ରଖିବାକୁ, ଦେଶେ ଦେଶେ ଆଜି କେତେ ପ୍ରକାର ବନ୍ଦୋବସ୍ତ ହେଉଛି ଓ ସ୍ବାସ୍ଥ୍ୟ ନିବାସମାନ ଗଢ଼ା ଯାଉଛି। ତାହା ଫଳରେ ଦେହ ମନର ଫୁର୍ତ୍ତି ବଢ଼ି ଆହୁରି କାମ କରିବାକୁ ଉତ୍ସାହ ମିଳୁଛି।

ସବୁ ଯୁଗରେ ସାହିତ୍ୟ ହେଲା ସମାଜର ଦର୍ପଣ। ସାହିତ୍ୟ ଭିତରେ ଆମେ ସମାଜର ମୁହ ଦେଖୁଁ। ସମାଜ ଉଚ୍ଚ ସ୍ତରରେ ଥିବାବେଳେ, ଉଚ୍ଚ ସାହିତ୍ୟର ସୃଷ୍ଟି ହୁଏ। ଏହିଭଳି ଅବସ୍ଥାରେ ଓଡ଼ିଆ ସାହିତ୍ୟର ଜନ୍ମ ଆଉ ଉନ୍ନତି। ସେତେବେଳେ ଓଡ଼ିଶାରେ ରାଜତ୍ବ କରୁଥାନ୍ତି, ଆଦର୍ଶ ସମ୍ରାଟ କପିଳେନ୍ଦ୍ର ଦେବ। ମହାନ୍‌ ସଂସ୍କୃତ ସାହିତ୍ୟର ଗଣ୍ଡି ଭିତରୁ ଉତୁରି ସେତିକିବେଳେ ଓଡ଼ିଆ ସାହିତ୍ୟ ତାହାର ନିଜ ରୂପ ପ୍ରକଟ କଲା। ଶୂଦ୍ରମୁନି ସାରଳା ଦାସ ବଜାଇଲେ ତାହାର ପ୍ରଥମ ଡିଣ୍ଡିମ; କପିଳେନ୍ଦ୍ରଙ୍କ ସମୟର ଆଦର୍ଶ ସମାଜର ଦର୍ପଣକୁ ସେ ଟେକି ଧରିଲେ। ତାଙ୍କର ‘ଚଣ୍ଡୀପୁରାଣ’ ‘ବିଲଙ୍କା ରାମାୟଣ’ ଭଳି ଆଉ କେତେଗୁଡ଼ିଏ ଗ୍ରନ୍ଥ ଭିତରେ ‘ସାରଳା ମହାଭାରତ’ ଆଜି ବି ସେହି ଦର୍ପଣ ଧରି ଆମ ଆଗରେ ଠିଆ ହୋଇଛି। ତାହାରି ଭିତରେ ଓଡ଼ିଆ ଜାତୀୟତାର ପ୍ରାଣ ପ୍ରତିଷ୍ଠା ହେଲା, ଆଉ ଏହି ‘‘ଜମ୍ବୁଦ୍ବୀପେ ଭ୍ରତଖଣ୍ଡେ ଓଡ଼୍ରାଷ୍ଟ୍ର ମଣ୍ଡଳ’’ ରେ ଗୋଟିଏ ସ୍ବତନ୍ତ୍ର ଭାଷା ପୁଣି ସ୍ବତନ୍ତ୍ର ସାହିତ୍ୟର ହେଲା ଆବିର୍ଭାବ। ଏହା ଭିତରେ କେତେ ବୀର ସୈନିକ ଖଣ୍ଡାଧାରରେ ଗୋଦାବରୀଠାରୁ ଗଙ୍ଗା ପର୍ଯ୍ୟନ୍ତ ଯୁଦ୍ଧ ଜୟ କରି ସାମ୍ରାଜ୍ୟ ବିସ୍ତାର କଲେ। କେତେ ଶିଳ୍ପୀ ନିହାଣ ମୁନରେ ପଥର ଖୋଳି ଅଦ୍‌ଭୁତ ଦେଉଳ ଗଢ଼ିଲେ। ଆଉରି କେତେ କବି ଲେଖନ ମୁନରେ ସାହିତ୍ୟ ରଚନା କରି ଏହି ଭୂମିଖଣ୍ଡର ଜୟ ଜୟ କଲେ।

କିନ୍ତୁ ‘‘ଏହି ଉଡ଼୍ରାଷ୍ଟ୍ର ମଣ୍ଡଳ’’ ଯେ ଜମ୍ବୁଦ୍ବୀପ ଭ୍ରତଖଣ୍ଡଠାରୁ ନିଆରା ନୁହେଁ, ସେ କଥା କବି ପାଶୋରି ନାହାନ୍ତି, ବରଂ ମହାଭାରତର ବୀରମାନେ ଯେ ଓଡ଼ିଶାର ବୀର, ପୁଣ୍ୟ ଭୂମି ଭାରତରେ ଓଡ଼ିଶା ଯେ ଏକ ଶ୍ରେଷ୍ଠ ତୀର୍ଥ, ସେହି ଚିତ୍ର ସେ ଆମ ଆଗରେ ଧରିଛନ୍ତି :-

‘‘କଳିମଳ ବିଧ୍ବଂସିନୀ କୋଟି ଦେବୀପୂଜା
ପ୍ରମାଣ ମାତ୍ରେ ଖଣ୍ଡଇ କପିଳେଶ ରାଜା ।’’

ଓଡ଼ିଶାର ଘରେ ଘରେ ଯେଉଁ ମହାଭାରତର ପୂଜାପାଠ, ତାହାରି ଆରମ୍ଭରେ ଶାରଳା ଠାକୁରାଣୀଙ୍କ ବର୍ଣ୍ଣନା ଭିତରେ କପିଳେନ୍ଦ୍ର ରାଜାଙ୍କ ମଧ୍ୟ ସ୍ଥାନ ଦିଆଯାଇଛି। ଆପଣାକୁ ଜନ୍ମମୂର୍ଖ ବୋଲି ବାରମ୍ବାର ପରିଚୟ କରାଇ କେବଳ ସାରଳାଙ୍କ କୃପାରୁ ସେ ମହାଭାରତ ଲେଖିଥିବା କଥା ପ୍ରକାଶ କରିଛନ୍ତି। କବିଙ୍କର ଏହି ସ୍ବୀକୃତି ଭିତରେ ବହୁତ ନିଗୂଢ଼ କଥା ଅଛି ।

‘‘ଶୁଣ ସୁଜ୍ଞ ଜନେ କରି ଏକ ଚିତ୍ତ
ଜନ୍ମରୁ ମୂରୁଖ ମୁହିଁ ନୁହଇଁ ପଣ୍ଡିତ।
ସୁପ୍ରସନ୍ନେ ଆଜ୍ଞା ମୋତେ ଦେଲେ ଶାକାମ୍ବରୀ
ଲଭ ତୁ ବିଳାସ ମହାଭାରତ ବିସ୍ତାରି।’’

ଆଗରୁ ଭାଷା ଥିଲା ଦେବଭାଷା, ସାହିତ୍ୟ ଥିଲା ସଂସ୍କୃତ, ଆଉ ତାହାର ଚର୍ଚ୍ଚା କରୁଥିଲେ ବ୍ରାହ୍ମଣ ପଣ୍ଡିତମାନେ। ମାତ୍ର ପୈଶାଚିକ ଭାଷା ଓଡ଼ିଆକୁ ଯେବେ ତା’ର ଅବନତି ଘଟିଲା, ତାହାର କବି ଲେଖକ ତେବେ କିଏ? ନିଶ୍ଚୟ ସେ ମୂର୍ଖ ଶୂଦ୍ର-କୁଳର। ଅଳ୍ପ କେତେ ଜଣ ସଂସ୍କୃତ-ପଣ୍ଡିତ-ଗୋଷ୍ଠୀର ବିଳାସ-ଆସନରୁ ଖସି ଆସି ବାଗ୍‌ଦେବୀ ମୂର୍ଖ ନିରକ୍ଷର ଶୂଦ୍ର ଅଛୁଆଁ ସାଧାରଣ ମଣିଷ ସମାଜ ଭିତରେ ଆପଣା ମହିମା ବାଣ୍ଟି ଦେବାକୁ ଇଚ୍ଛାକଲେ। ତେଣୁ ତାଙ୍କର ପୂଜକ ମଧ୍ୟ ସେଇ ଶ୍ରେଣୀରୁ ବାହାରିଲେ। ବ୍ରାହ୍ମଣ ପୁରୋହିତ ଆଉ ଲୋଡ଼ା ହେଲେ ନାହିଁ। ଓଡ଼ିଆ ସାହିତ୍ୟର ଜନ୍ମ ବୃତ୍ତାନ୍ତ ଭିତରେ ଏଇ ତଥ୍ୟଟିକୁ ପାସୋରି ଦେଇ ହେବ ନାହିଁ। କାହିଁକି ନା, ସେତିକି ବେଳୁଁ ସଂସ୍କୃତର ଏକଛତ୍ର ରାଜତନ୍ତ୍ର ଓଡ଼ିଆ ସାହିତ୍ୟର ଗଣତନ୍ତ୍ର ଭିତରେ ଲୁଚିଯିବା ପାଇଁ ଆରମ୍ଭ କଲା। ଯେଉଁ ଭାଷାକୁ ଏ ଅଞ୍ଚଳର ମୂର୍ଖ ପଣ୍ଡିତ, ସ୍ତ୍ରୀ ପୁରୁଷ, ପିଲା ବୁଢ଼ା ସମସ୍ତେ କହନ୍ତି, ସମସ୍ତେ ବୁଝନ୍ତି, ସେ ଭାଷା ହେଲା ସାହିତ୍ୟର ସମ୍ପତ୍ତି। ଆଉ ସେ ସମ୍ପତ୍ତିର ପ୍ରଥମ ମାଲିକ ହେଲେ ଶୂଦ୍ରମୁନି ସାରଳା ଦାସ।

ଆକୁମାରୀ ହିମାଳୟ ଆମର ଏଇ ଅତି ପୂରାଣ-ପବିତ୍ର ଭାରତବର୍ଷ ବିଶ୍ବ ସଭ୍ୟତାର ଆଲୋକଧାରୀ ହୋଇ ସେ ଚିର ବିଦ୍ୟମାନ। ହଜାର ହଜାର ବର୍ଷ ଆଗରୁ ସେଇ ଭାରତୁ କବୀଶ୍ବର ବ୍ୟାସଦେବ ମହାଭାରତ ରୂପରେ ଦେଖିଥିଲେ, ପୁଣି ଦେଖାଇଥିଲେ। ତାଙ୍କଠାରୁ ବଡ଼ ନାମକରଣ ଏ ଦେଶର କେହି କରିନାହିଁ। ସାରଳା ଦାସ ସେଇ ଭାରତକୁ ମହାନ୍‌ କରି ବାଣ୍ଟିଲେ ଓଡ଼ିଶାର ଘରେ ଘରେ। ମହାଭାରତକୁ ପରିଚୟ କରାଇଲେ ଓଡ଼ିଶାର ପୁରପଲ୍ଲୀରେ। ଓଡ଼ିଶା ଭୂଖଣ୍ଡର ସଂଯୋଗ ସ୍ଥାପନ କଲେ, ଋଷିଜନବନ୍ଦିତ ମହାଭାରତ ସହିତ। ଆଜି ଶହ ଶହ ବର୍ଷ ପରେ ସେହି ପ୍ରେରଣା ହିଁ ଆମକୁ ଉଦ୍‌ବୋଧନ ଦିଏ। ଆତ୍ମା ଭିତରେ ପରମାତ୍ମା, ଏକ ଭିତରେ ବହୁ, ପୁଣି ବହୁ ଭିତରେ ଏକର ଦର୍ଶନ, ଓଡ଼ିଶା ଭିତରେ ଭାରତ-ପୁଣି ଭାରତ ଭିତରେ ଓଡ଼ିଶାକୁ ଦେଖିବା ହେଲା ଓଡ଼ିଆ ମହାଭାରତର କବି ଶୂଦ୍ରମୁନି ସାରଳା ଦାସଙ୍କର ସାଧନା। ସେଇ ସାଧନା ହିଁ ଆମର ପୁଣ୍ୟ ପରମ୍ପରା।