ସମ୍ମୁଖରେ ଭୀମକାନ୍ତ ନାୟଗ୍ରା ପ୍ରପାତ ସ୍ବୟଂଭୁ ଶଙ୍କରଙ୍କ ମୌଳି ଉପରେ ଚତୁର୍ଥୀ ଚନ୍ଦ୍ର। ଚତୁର୍ଥୀ ଚନ୍ଦ୍ରର ଆକାର ନାୟାଗ୍ରା ପ୍ରପାତର।
‘‘ପବନଃ ପବତାମସ୍ମି ରାମଃ ଶସ୍ତ୍ରଭୃତାମହମ୍ ଝଷାଣାଂ ମକଶ୍ଚାସ୍ମିଂ ସ୍ରୋତସାମସ୍ମି ଜାହ୍ନବୀ।’’
ଜାହ୍ନବୀ କିଏ? ନାୟଗ୍ରା କିଏ?
ଗୋଟିଏ ସୌନ୍ଦର୍ଯ୍ୟର ଗୋଟିଏ ପ୍ରକାଶ।

ନଚିକେତା ଓ ମୁଁ, ଗଦ୍ଗଦ ଚିତ୍ତରେ ନମସ୍କାର କଲୁ। ଗାଢ଼ ନୀଳ ରଙ୍ଗର ନାୟଗ୍ରା ପ୍ରସ୍ତର ଚଟାଣ ଉପରୁ ପରମ ଉଲ୍ଲାସରେ ଡେଉଁଛି। କେତେ ତଳକୁ? କାହିଁକି? ଅଯଥା ପ୍ରଶ୍ନ। ନଟରାଜର ନୃତ୍ୟରେ ଅର୍ଥ ନାହିଁ, ସୌନ୍ଦର୍ଯ୍ୟ ଅଛି। ପ୍ରତ୍ୟେକ ପଦପାତରେ ତ’ ଲକ୍ଷ ବ୍ରହ୍ମାଣ୍ଡର ସୃଷ୍ଟି। ଡିବିଡିବି ନାଦର ପରମ ସଙ୍ଗୀତ। ହା ହା, ହୋ ହୋ, ହି ହି-ନାୟଗ୍ରାର ହସ, ଧାବବତୀ ନଦୀର ଉଚ୍ଛୃଙ୍ଖଳ ହସ। କୋଟି କୋଟି ଜଳକଣା ମଲ୍ଲୀକଢ଼ ପରି ଶୁଭ୍ର। ଫୁଲର ବାସ୍ନା, ଜଳକଣାର ସ୍ପର୍ଶ, ଅଧରାମୃତ ସ୍ବାଦୁ। ମହାକାଳ ଶ୍ବାସରୁଦ୍ଧ ହୋଇ ଠିଆହୋଇ ଯାଇଛି। ଅତ୍ୟଧିକ ଆନନ୍ଦରେ ପ୍ରମତ୍ତ ଦେବଦେବୀ – ଆକାଶ ବକ୍ଷରେ ଶ୍ବେତ ରଙ୍ଗର ଗୁଡ଼ାଏ ମେଘ। ଗଙ୍ଗା, ନାୟଗ୍ରା ନୀଳ ଶାଢ଼ୀ ପିନ୍ଧି ଶିବ ଦର୍ଶନରେ ସିନା ଆସିଥିଲେ! ସୃଷ୍ଟିବେଳେ, ଲୀଳାମୟର ଲୀଳାବେଳେ ଆନନ୍ଦମୟ ଚେତନାର ବଜ୍ରାଲିଙ୍ଗନ ସମୟରେ-
ନୀଳଶାଢ଼ୀ ଅଙ୍ଗ ଛାଡ଼ି ଆକାଶରେ ବ୍ୟାପିଯାଇଛି,
ଉଲଗ୍ନା ନାୟଗ୍ରାର ଶଙ୍ଖମର୍ମର ପରି ଅବୟବ।
ଅସଂଖ୍ୟ ଜନ୍ମର ଅବରୁଦ୍ଧ ଇଚ୍ଛା, ଆକାଂକ୍ଷା, କଳ୍ପନା, ଆବର୍ତ୍ତିତ ଜଳରାଶି- ନାୟଗ୍ରାର ବକ୍ଷ–ଲମ୍ଫ ପ୍ରଦାନ ପୂର୍ବରୁ ସ୍ଫୀତ ହୋଇଉଠିଛି କୋଣାର୍କର ମୃଦଙ୍ଗବାଦିକାର ସ୍ଫୀତ ବକ୍ଷପରି।
ସୃଷ୍ଟି, ସୃଷ୍ଟି !! ହର ପାର୍ବତୀଙ୍କର ମିଳନ ସ୍ଥାନ। ଓଂ ନମଃ ଶିବାୟଃ !!!
ନଚିକେତା ଓ ମୁଁ ନମସ୍କାର କଲୁ। ପାଖରେ ଠିଆ ହୋଇଥିବା ଟୁରିଷ୍ଟ୍ କେତେଜଣ ଆମ ଆଡ଼କୁ ଆଶ୍ଚର୍ଯ୍ୟ ହୋଇ ଚାହୁଁଥାନ୍ତି। ପଚାରିବାକୁ ଅନେକ ପ୍ରଶ୍ନ ମନରେ। ହୃଦୟରେ ସଙ୍କୋଚ ଓ ଲଜ୍ଜା। କିଛି ସମୟ ଚାହିଁ ସେମାନେ ପୁଣି ନାୟଗ୍ରାର ଫଟୋ ଉଠାଇବେ। ଯୋଷିକା, କନିକା, ଫୁଜିକା, ଆଗଫା – ଆଗରୁ ନିଧାର୍ଯ୍ୟ ସମୟ ଭିତରେ ଫିଲ୍ମ ସାରିବାକୁ ହେବ। ପତ୍ନୀକୁ ତାଗିଦା, ରେଲିଂ ଉପରକୁ ଅଳ୍ପ ଆଉଜ, ବେଶୀ ନୁହେଁ-ଠିକ୍ ଅଛି। ବର୍ତ୍ତମାନ ହସ। ତା’ପରେ ହସ-କ୍ଲିକ୍। ନେକ୍ଷ୍ଟ-ପିଲାଏ ମା’ ପାଖକୁ ଦଉଡ଼, ଜଲଦି ଦଉଡ଼। ଡେରି ହୋଇଯାଉଛି, ବାଙ୍ଗ୍ଲୋ ଫେରିବାକୁ ହେବ। ପିଲାଏ ଦଉଡ଼ୁଛନ୍ତି ହାୱାନି ଉପରେ ଟୁଇଷ୍ଟ୍ ନୃତ୍ୟର ଛବି–ପିଲାଏ ଠିଆହେଲେ। କ୍ଲିକ୍। ସବୁ ଧରାବନ୍ଧା, ପୂର୍ବରୁ ନିଧାର୍ଯ୍ୟ। ନାୟଗ୍ରାରେ ଦୁଇ ଘଣ୍ଟା, ଗୋଟିଏ ଫିଲ୍ମ। ହୋଟେଲ୍ରେ ପଇଁଚାଳିଶ ମିନିଟ୍, ଡ୍ରାଇଭିଂ କରି ଘରେ ପହଁଚିବାକୁ ଦୁଇ ଘଣ୍ଟା। ସ୍ତ୍ରୀକୁ ହନି ବା ଡାର୍ଲିଂ ସମ୍ବୋଧନ କରାଯିବ, ପ୍ରେମିକାକୁ ବେବି ବା ସେହିପରି କିଛି। ସେହିପରି ଗିର୍ଜା ଭିତରେ ପ୍ରଭୁ, ବାହାରେ ସଂସାର। ଈଶ୍ବର ନୁହେଁ। ପ୍ରେମିକା, ପ୍ରେମିକ, ସ୍ତ୍ରୀ, ନାୟଗ୍ରା ନାୟଗ୍ରା; ପ୍ରଭୁ ଯିଶୁ ଯିଶୁ-ସବୁ ଅଲଗା, ଅଲଗା ସବୁରିର ସ୍ବତନ୍ତ୍ର ସ୍ଥାନ ନିଧାର୍ଯ୍ୟ।
ନଚିକେତା ଓ ମୁଁ ରାସ୍ତାଠୁ କିଛି ଦୂରରେ ଯାଇ ବସିଥିଲୁ ଘାସଗୁଡ଼ାକ ଉପରେ। ନଚିକେତା ପଛଆଡ଼େ ଫ୍ଳୋରିଡ଼ା ଟାଇପ୍ ୱାଗେଲିଆ ଫୁଲ ଗଛର ଧାଡ଼ି, ତାକୁ ଲାଗି ପିଙ୍କ୍ ସ୍ଫିରିଆର ବେଦୀ। ସବୁ ଗଛରେ ଫୁଲ।
ନଚିକେତା! ପଛରେ ଫୁଲଗଛଗୁଡ଼ାକ, ଟିକିଏ ଆଗକୁ ଚାଲିଆ। ନଚିକେତା ଆଗକୁ ଘୁଞ୍ଚି ଆସିଲା। କିଛି ପଛରେ ମଟରକାର ପାର୍କିଂ ପାଇଁ ଜାଗା। ମଟରକାର୍ ଗୁଡ଼ାକ ଅସଂଖ୍ୟ-ଧାଡ଼ିଧାଡ଼ି ହୋଇ ପାର୍କିଂ ହୋଇଛି। ସାରା ବାତାମଣ୍ଡଳରେ ଯାତ୍ରା, ଉପଭୋଗର ଚେତନା। ନାୟଗ୍ରାକୁ କ୍ୟାମେରା ଭିତରକୁ ଆଣିସାରିବା ପରେ ପରସ୍ପରର ମୁଖ, ଅବକ୍ଷୟ, ବକ୍ଷ, ବେଶଭୂଷାକୁ ଚାହିଁବା ବା ରେସ୍ତୋରାଁ ଭିତରକୁ ପଶି କଫି ପିଇବା, ନଚେତ୍ କିଛି ଖାଇବା ପାଇଁ ସମସ୍ତଙ୍କର ଉଦ୍ଯୋଗ।
ଦୁଇଜଣ ଆମେ ବ୍ୟତିକ୍ରମ ଥିଲୁ; ମୁଁ ଓ ମୋର ଏକମାତ୍ର ସନ୍ତାନ ନଚିକେତା। ନଚିକେତାକୁ ମୁଁ ବୁଝାଉଥିଲି ଜଣେ ଶିକ୍ଷିତ ଭାରତୀୟର ଜୀବନଦର୍ଶନ। ଆମମାନଙ୍କର ନମସ୍କାର ଏହି ପ୍ରପାତ – ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତାବିଶିଷ୍ଟ ଗୋଟିଏ ପ୍ରପାତ ପ୍ରତି ଉଦ୍ଦିଷ୍ଟ ନୁହେଁ। ପ୍ରପାତରେ ପ୍ରକାଶିତ ଚିରନ୍ତନ ଯେଉଁ ସୌନ୍ଦର୍ଯ୍ୟ ତା’ରି ପ୍ରତି ଆମେ ସମ୍ମାନ, ଶ୍ରଦ୍ଧା ଓ ଭକ୍ତି ଜଣାଉଛୁ। ସକଳ ସୌନ୍ଦର୍ଯ୍ୟର ଆଧାର ଈଶ୍ବର ବହୁ ରୂପରେ-ଉଷାରେ, ସନ୍ଧ୍ୟାରେ, ଅସୀମ ଆକାଶର ନୀଳିମାରେ, ଜ୍ୟୋତିର୍ମୟ ତାରକାପୁଞ୍ଜରେ ପ୍ରକାଶିତ। ମନ୍ଦିର, ମସ୍ଜିଦ୍, ଗିର୍ଜା, ସିନାଗଗ୍ – ଏଗୁଡ଼ାକର ସୃଷ୍ଟିରେ ଈଶ୍ବର ନାହାନ୍ତି। ଏଗୁଡ଼ାକର ସୃଷ୍ଟି ଯେବେଠୁ ଅସୀମକୁ ସସୀମ, ସୁନ୍ଦରକୁ ଅସୁନ୍ଦର କରିବାର ଚେଷ୍ଟା ସେଇଠୁଁ। ଋଷି ପାଇଁ ମନ୍ଦିର ନଥିଲା, ଯିଶୁ ପାଇଁ ଗିର୍ଜା ନଥିଲା କି ମହମ୍ମଦ ପାଇଁ ନଥିଲା ମସ୍ଜିଦ୍।
ନଚିକେତା-ତ୍ରୟୋଦଶ ବର୍ଷର ମୋର ସନ୍ତାନ, ମୋ କଥାକୁ ବୁଝିବାକୁ ଚେଷ୍ଟା କରୁଥିଲା। ତା’ ମୁଖମଣ୍ଡଳରେ ମୁଁ ଦେବଯାନୀର ଆକୃତି ଦେଖୁଥିଲି। ଦେବଯାନୀର ନାକ ପରି ଅବିକଳ, ଦାନ୍ତଗୁଡ଼ାକ ବି’ ତା’ରି ପରି। ଦେବଯାନୀ ମରିଯାଇଚି, କିନ୍ତୁ ସେ ଥିଲାବେଳେ ବି ଠିକ୍ ଏହିପରି ବସି ଜୀବନଦର୍ଶନ ମୋର ଶୁଣୁଥିଲା, ମୁଁ କ୍ଳାନ୍ତ ହୋଇ ବନ୍ଦ କରିଦେଲେ କହୁଥିଲା – ଆଜି ଯେଉଁଠି ବନ୍ଦ କରୁଛ, କାଲି ସେହିଠାରୁ ଆରମ୍ଭ କରିବ। ଆଜି ତୁମେ ଯାହାସବୁ କହିଲ ସେସବୁ ଉପରେ ମୁଁ ଚିନ୍ତା ବି କରିଥିବି, କାଲି ପଚାରିବି। ତୁମର କଥା ଶୁଣିବାକୁ ମୋତେ ଭାରି ଭଲ ଲାଗୁଛି।
ଦେବଯାନୀ ବୁଦ୍ଧିମତୀ ଥିଲା। ତା’ ପ୍ରଶ୍ନର ଉତ୍ତର ଦେବା ପାଇଁ ମୋତେ ବହୁ ସମୟରେ ଭାବିବାକୁ ପଡ଼ୁଥିଲା। ଥରେ ସେ ପଚାରିଥିଲା-ମହୋଦଧିର ସୌନ୍ଦର୍ଯ୍ୟ ଓ ନରନାରୀର ଶରୀର-ସୁଷମା କ’ଣ ଏକ ଜାତୀୟ? ସେ ତର୍କ କରିଥିଲା ସେ ଦୁଇଟିର ସୌନ୍ଦର୍ଯ୍ୟ ଏକ ଜାତୀୟ ନୁହେଁ ବୋଲି।
ଦେବଯାନୀ ମୋର କଥା ଶୁଣୁଥିଲା, ସବୁ ବୁଝୁଥିଲା; କିନ୍ତୁ କଥାଗୁଡ଼ାକୁ ପାଳୁଥିଲା ଖୁବ୍ କମ୍; ଦର୍ଶନକୁ ବ୍ୟବହାର କ୍ଷେତ୍ରକୁ ଆଣିବାକୁ ସେ ଆଦୌ ଯେପରି ଇଚ୍ଛୁକ ନଥିଲା। ବୋଧହୁଏ ସେ ମୋଠୁ ବେଶୀ ଧାର୍ମିକ ଥିଲା ଓ ପ୍ରାକ୍ଟିକାଲ, ମୁଁ ତା’ ତୁଳନାରେ ସମ୍ଭବତଃ ପାପୀ, ଥିଓରେଟିକାଲ ତ ନିଶ୍ଚୟ, ମୁଁ ତାକୁ ବାରମ୍ବାର କହୁଥିଲି-ଯାନୀ! ପର୍ବପର୍ବାଣିରେ ତୁମେ ମନ୍ଦିରକୁ କାହିଁକି ଯାଉଛ? ସେ ଭୟଙ୍କର ଭିଡ଼ରେ, ଯେତେବେଳେ ତୁମ ପାଦର ଭୂମି ସ୍ପର୍ଶ କରିବାର ସମ୍ଭାବନା ରହେନାହିଁ, ସେ ଭିଡ଼ରେ ପଶି ତୁମେ କେଉଁ ଦେବସତ୍ତା ଉପଲବ୍ଧି କରିପାରୁଛ? ମଣିଷ ମନ୍ଦିରକୁ ନ ଯାଇ ପ୍ରାକୃତିକ ସୌନ୍ଦର୍ଯ୍ୟ ଥିବା ଜାଗାକୁ ଯିବା ଉଚିତ୍-ସମୁଦ୍ରକୂଳ, ଗିରିପ୍ରପାତ, ଘୋର ଅରଣ୍ୟ, ନଦୀସଙ୍ଗମ ବା ଉତ୍ତୁଙ୍ଗ ଶିଖର। ଦେବତା ସେହିସବୁ ସ୍ଥାନରେ ଥାଆନ୍ତି ଯାନୀ, ତୁମର ଶିଳା ସିମେଣ୍ଟର ମନ୍ଦିର କି ମସ୍ଜିଦ୍ରେ ନୁହେଁ। ମହୋଦଧି ପାଖରେ ଥାଉ ଥାଉ…
ଦେବଯାନୀ ସବୁ ଶୁଣେ, ସମ୍ମତ ହୁଏ, ହସେ; କିନ୍ତୁ ଠିକ୍ବେଳକୁ ମୋତେ ନକହି ସେ ମନ୍ଦିରକୁ ଚାଲିଯାଇଥାଏ-ସବୁ ପର୍ବରେ ପ୍ରାୟ ଓ ସବୁ ଗୁରୁବାର ଦିନ। ଶ୍ରୀମନ୍ଦିର ପ୍ରତି ତା’ର ମୋହ ଦେଖି ମୁଁ ଆଶ୍ଚର୍ଯ୍ୟ ହୁଏ, କିଛି ବୁଝିପାରେ ନାହିଁ। ଦିନେ ତାକୁ ପଚାରିଲି-ଦେବଯାନୀ, ତୁମେ ମୋତେ କ’ଣ ବୋଲି ଭାବୁଛ।
ଦେବଯାନୀ କହିଲା-ତୁମେ ମୋର ଦେବତା।
ମୁଁ ଦେବଭକ୍ତ ନା ନୁହେଁ? ମୁଁ ଆସ୍ତିକ ନା ନାସ୍ତିକ, ତୁମ ମତରେ?
ଦେବଯାନୀ କିଛି ନ କହି ଚୁପ୍ ହୋଇଗଲେ। ମୁଁ ଉତ୍ତେଜିତ ହୋଇଗଲି। ମୁ କହିଲି-ଦେବଯାନୀ, ମୁଁ ମନ୍ଦିରକୁ ନ ଗଲେ ମଧ୍ୟ ମୁଁ ଆସ୍ତିକ। ମୁଁ ଶିବଭକ୍ତ, କୈଳାସ ଶିଖର ମୋର ଶିବଲିଙ୍ଗ। ମୁଁ ପରମ ବୈଷ୍ଣବ, ଅନନ୍ତ ସାଗର ମୋର ନାରାୟଣ। ମୁଁ ଗାଣପତ୍ୟ, ମୁଁ ବାଲ୍ମିକୀ, ବ୍ୟାସ, କାଳିଦାସ, ଭବଭୂତି, ସେକ୍ସ୍ପିୟରର ଲେଖା ପଢ଼ିଛି। ଦିଗନ୍ତର ବିସ୍ତାରରେ ମୁଁ ଜଗନ୍ନାଥଙ୍କର ଭ୍ରୂଭଙ୍ଗୀ ଦେଖେ, ମୁଁ…
ଦେବଯାନୀର ଚୁମ୍ବନରେ ମୁଁ ଆଉ କିଛି କହିପାରିଲି ନାହିଁ। ସେ ବ୍ୟାକୁଳ ହୋଇ ମୋତେ ଆଲିଙ୍ଗନ କରି ପକାଇ କହୁଥିଲା-ଆଉ କିଛି କହିବାର ଦରକାର ନାହିଁ। ତୁମର ଆସ୍ତିକ କି ନାସ୍ତିକ କିଛି ହେବା ଦରକାର ନାହିଁ। ତୁମେ ନିଜେ ତ ଦେବତା, ଦେବତା ପାଇଁ ପୁଣି ଆଉ ଦେବତା କ’ଣ?
ଦିନେ ଥଟ୍ଟା କରି ତାକୁ ମୁଁ କହିଲି-ତମେ ବୋଧେ ମନ୍ଦିର ଗାତ୍ରରେ କୌଣସି ପିତୁଳା-ମଣିଷ ହୋଇଯାଇଛ କିପରି? ମନ୍ଦିରଭକ୍ତି ତୁମର ଯେପରି ପରଜନ୍ମରେ ଦେବ-ସାନ୍ନିଧ୍ୟ ପାଇବ ସେହିପରି ପିତୁଳା ହୋଇଯାଇଛ। ମୋ କଥାରେ ତୀବ୍ର ବ୍ୟଙ୍ଗ ପ୍ରଚ୍ଛନ୍ନ ଥିଲା, କିନ୍ତୁ ମୋଠୁ ବ୍ୟଙ୍ଗ ଶୁଣିବା ଦେବଯାନୀର ଅଭ୍ୟାସ। ସେ ହସିଦେଇ କହିଲା-ଈଶ୍ବର ଅଣୁ ଅଣୁରେ ବିଦ୍ୟମାନ। ଜଡ଼ ଅଶିବ, ଅସୁନ୍ଦର କ’ଣ ତାଙ୍କଠୁ ଅଲଗା?
ବାସ୍ ସେତିକି। ମୋତେ ସେ ସ୍ଥାଣୁ କରିଦେଇ ଗୃହର ନିତ୍ୟକର୍ମ ସାରିବାକୁ ଚାଲିଗଲା। ତାକୁ ମୁଁ ତ କିଛିଦିନ ତଳେ କହିଥିଲି ଓ ଯାହାକୁ ଶୁଣି ଖୁସିରେ କାନ୍ଦି ପକାଇଲା। ‘‘ଯୋ ମାଂ ପଶ୍ୟତି ସର୍ବତ୍ର, ସର୍ବଞ୍ଚ ମୟି ପଶ୍ୟତି’’, ମୋତେ ଯିଏ ସବୁଠି ଦେଖେ ଏବଂ ମୁଁ ସବୁକୁ ମୋ ଭିତରେ ଦେଖେ!
ନଚିକେତାର ଜନ୍ମ ପରେ ଦେବଯାନୀ ସହିତ ମୋର କଳହ ବଢ଼ିଲା ‘ମନ୍ଦିର ନା ମହୋଦଧିକୂଳ’ର ଅଛିଣ୍ଡା ତର୍କ ନେଇ। ନଚିକେତାର ପ୍ରତି ଜନ୍ମଦିନେ ନିଶ୍ଚୟ, ଆଉ ବାକି ଦିନମାନଙ୍କରେ ସୁବିଧା ଦେଖି, ସେ ଜିଦ୍ କରି ତାକୁ ମନ୍ଦିରକୁ ନେଇଯାଏ ବଡ଼ ହେଲେ ସେ ଧାର୍ମିକ, ସତ୍ଚରିତ୍ର ଓ ନ୍ୟାୟପରାୟଣ ହେବ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ। ମୁଁ ଯୁକ୍ତି କରେ – ଛୋଟ ପିଲାକୁ ମନ୍ଦିରକୁ କାହିଁକି ନେଉଛ, ଚାଲ ତାକୁ ସମୁଦ୍ରକୂଳକୁ ନେବା। ପୂର୍ଣ୍ଣମୀ ତିଥିରେ ଜନ୍ମ ହୋଇଛି, ପୌର୍ଣ୍ଣମାସୀ ସମୁଦ୍ରର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। ସେଇଠି ସେ ସୌନ୍ଦର୍ଯ୍ୟମୟ ଭଗବାନଙ୍କୁ ଦେଖିବ।
ଦେବଯାନୀ ହଁ କରେ। କହେ, ସେ ତ ରାତି କଥା। ବହୁତ ଡେରି ଅଛି ରାତି ହେବାକୁ। ବନ୍ଦାପନା ସାରି ମୁଁ ତାକୁ ଆଗ ମନ୍ଦିରରୁ ବୁଲାଇ ଆଣେ। ଦେବତା ଆଶୀର୍ବାଦ, ବ୍ରାହ୍ମଣ ଆଶୀର୍ବାଦ ତାକୁ ଦୀର୍ଘାୟୁଷ କରିବ। ମୋର ବାରଣ ସତ୍ତ୍ବେ ସେ ତାକୁ ମନ୍ଦିରକୁ ନିଏ। ମନ୍ଦିରରେ କ’ଣ କ’ଣ କରେ କେଜାଣି, ଫେରୁଫେରୁ ଦ୍ବିପ୍ରହର ହୋଇଯାଇଥାଏ। ଲୋକଗହଳି- ରୁଗ୍ଣ, ଦୁଃଖୀ, ଦରିଦ୍ର, ଅଶାଳୀନ ଗୁଡ଼ାଏ ଲୋକଙ୍କ ସମାବେଶ। ମୋତେ କେଶ୍ରେ ଜିତାଅ, ମୋତେ ସ୍ବାସ୍ଥ୍ୟବାନ କର, ମୋର ପ୍ରେମିକାର ସାନ୍ନିଧ୍ୟ ମୁଁ ପାଏ, ପରୀକ୍ଷାରେ ମୁଁ ପାସ୍ କରେ, ହେ ପ୍ରଭୁ, ମୋ ସ୍ବାମୀ ମୋତେ ଯେପରି ଭଲପାଆନ୍ତୁ-ଗୁଡ଼ାଏ କିମ୍ଭୂତକିମାକାର ପ୍ରାର୍ଥନା ଓ ଭକ୍ତଙ୍କ ଜମାଟ, ଅନ୍ଧକାର ହାଉଯାଉ, ସନ୍ତସନ୍ତିଆ ଭୂମିତଳ, ରୁଗ୍ଣ ଅସୁନ୍ଦର ଅଶିକ୍ଷିତ ପଣ୍ଡା ପଢ଼ିହାରୀ – ମୋର ମନ ବିଦ୍ରୋହ କରି ଉଠେ ଦେବଯାନୀର କାର୍ଯ୍ୟରେ। ଛୋଟ ପିଲାଟାର ମନରେ କି ପ୍ରକାର ସଂସ୍କାର ପଡୁଥିବ କେଜାଣି। ଦେବଯାନୀ ସହିତ କଜିଆ ହୁଏ ସେ ଫେରିବା ପରେ। କଳହ ବେଶୀ ବଢ଼ିଲେ ସେ ପୁନଃର୍ବାର ମନ୍ଦିର ଚାଲିଯାଏ ନଚିକେତାକୁ ଶୁଆଇଦେଇ। ନଚିକେତାକୁ ନିଦରୁ ମୁଁ ଉଠାଏ ନାହିଁ, ସମୁଦ୍ର କୂଳ ଯିବା କିପରି ବା ସମ୍ଭବ ହୁଅନ୍ତା?
ନଚିକେତାର ଷଷ୍ଠ ଜନ୍ମୋତ୍ସବ ଦିନ କିନ୍ତୁ ଦେବଯାନୀ ସହିତ ମୋର କଳହ ହୋଇ ନ ଥିଲା। ସକାଳର ବନ୍ଦାପନା ଓ ହୋମ ପରେ ସେ ନଚିକେତାକୁ ଧରି ମନ୍ଦିର ଗଲାନାହିଁ। ମୁଁ ବିସ୍ମିତ ହେଲି, ପଚାରିଲି-ଦେବଯାନୀ, ଆଜି ତୁମର କ’ଣ ହୋଇଛି? ମନ୍ଦିର ଯିବନାହିଁ?
ନା, ମୁଁ ଆଜି ମନ୍ଦିର ଯାଉନାହିଁ। ସ୍ତ୍ରୀ ହୋଇ କ’ଣ ସାରା ଜୀବନଟାଯାକ ସ୍ବାମୀର ଅବାଧ୍ୟ ହେଉଥିବି। ଆଜି ସମସ୍ତେ ମହୋଦଧି ନିକଟକୁ ଯିବା। ମୁଁ ଜଲ୍ଦି ଖିଆପିଆର ବନ୍ଦୋବସ୍ତ କରିଦେଉଛି।
ଦେବଯାନୀର କଥାରେ ମୁଁ ଖୁସିରେ ପାଗଳ ପରି ହୋଇଗଲି। ଦେବଯାନୀକୁ ଆଲିଙ୍ଗନ କରି ବାରମ୍ବାର ଚୁମା ଦେଇ କହିଲି, ଦେଖିବ ଦେବଯାନୀ, ଆଜି ଚନ୍ଦ୍ର, ଆକାଶ, ସାଗର, ଉର୍ମି ସମସ୍ତେ କିପରି ତୁମକୁ ସ୍ବାଗତ କରିବେ। ସାଗରରେ ଜୁଆର କିଛି ବଢ଼ିଯିବ, ଚନ୍ଦ୍ରରେ ଉଜ୍ଜ୍ବଳତା, ତରଙ୍ଗରେ ବିଶାଳତା। ଦେବଯାନୀ ହସି କହିଲା-ତୁମେ ଏବେ ଅଧୀର ହୁଅନାହିଁ। ମୁଁ କିବା ମଣିଷ ଯେ, ସାରା ପ୍ରକୃତି ମୋ ଉପସ୍ଥିତିରେ ଖୁସି ହେବ। ପ୍ରକୃତି ନୁହେଁ ଯାନୀ, ପ୍ରକୃତି ତ ଜଡ଼। ଚେତନାମୟ ଈଶ୍ବର ଖୁସିହେବେ, ପ୍ରକୃତିରେ ପ୍ରକାଶିତ ଈଶ୍ବର ତାଙ୍କର ଭକ୍ତକୁ ଦେଖି ଖୁସିହେବେ।
ନଚିକେତା ବି ସମୁଦ୍ରକୂଳକୁ ଯିବ ବୋଲି ଶୁଣି ଖୁସି ହୋଇଗଲା। ବାଲିରେ ଦଉଡ଼ାଦଉଡ଼ି କରି ଶାମୁକା ସଂଗ୍ରହ କରିବାରେ କ’ଣ କମ୍ ଆନନ୍ଦ ଅଛି? ସେଦିନର ଆନନ୍ଦ, ଆମ ତିନି ପ୍ରାଣୀଙ୍କର ଆହ୍ଲାଦ ବର୍ଣ୍ଣନାତୀତ। ନଚିକେତା ତ ଦଉଡ଼ାଦଉଡ଼ି ପରେ କ୍ଳାନ୍ତ ହୋଇ ଶୋଇଗଲା, କିନ୍ତୁ ଆମେ ଦୁହେଁ କଥାହେଲୁ, ଖୁସିରେ ଦଉଡ଼ିଲୁ, ନାଚିଲୁ, ଶେଷରେ ଅର୍ଦ୍ଧମୂର୍ଚ୍ଛିତ ପ୍ରାୟ ପଡ଼ିଯାଇ ଚନ୍ଦ୍ର, ସମୁଦ୍ରର ଘୋ ଘୋ ଶବ୍ଦ ଓ ସୁ ସୁ ହୋଇ ବହୁଥିବା ପବନ ସହିତ ନିଜକୁ ମିଶାଇବାକୁ ଚେଷ୍ଟା କଲୁ।
ଦେବଯାନୀ ସେହି ବର୍ଷଠୁ ଆଉ କେବେ ମୋର ଅବାଧ୍ୟ ହୋଇନାହିଁ। କାରଣ ସେହି ବର୍ଷ ସେହି ଜନ୍ମଦିନ ପରେ ସେ ମୋତେ ଓ ନଚିକେତାକୁ ଛାଡ଼ି ଚାଲିଯାଇଛି। ବାଧ୍ୟ ଅବାଧ୍ୟରେ ସେ ଅତୀତ ହୋଇଯାଇଛି। ମୁଁ ଯଦି ଜାଣିଥାନ୍ତି ଆମର କଳହ ଶେଷରେ ଏହିପରି ଭାବେ ଶେଷ ହେବ, ତାହାହେଲେ ମୁଁ ଆଗରୁ ସାବଧାନ ହୋଇଥାଆନ୍ତି ନିଶ୍ଚୟ। ହେଲା ନାହିଁ, ଉତ୍ସାହ ଆବେଗରେ ମୁଁ ଭୁଲିଗଲି ଯେ ଦୁଇ ତିନି ଦିନ ହେଲା ଦେବଯାନୀକୁ ଥଣ୍ଡା ହୋଇଛି, କାଶ ବି ହୋଇଛି। ତା’ ସତ୍ତ୍ବେ ସେ ନଚିକେତାର ଜନ୍ମଦିନ ବୋଲି ସକାଳୁ ସକାଳୁ କେଶ ଧୋଇ ଖୁବ୍ ଗୁଡ଼ାଏ ଗାଧୋଇଛି।
ଦେବଯାନୀ ମୋତେ ଛାଡ଼ି ଚାଲିଗଲା। ତେଣୁ ମୁଁ ତା’ର ଦେଶ ଛାଡ଼ି ଦେଇଛି। ତା’ର ମୃତ୍ୟୁ ହିଁ ମୋର ଯାଯାବର ଜୀବନର କାରଣ। ଇମିଗ୍ରାଣ୍ଟର ଜୀବନ ମୋର ସେହିଦିନୁ। ମୋ ସହିତ ନଚିକେତା। ଦେବଯାନୀକୁ ପୂରା ଛାଡ଼ନ୍ତି କିପରି।
ଦେବଯାନୀ ଯିବା ପରେ ନଚିକେତା ପାଇଁ ଆଉ କେହି ମନ୍ଦିର ଖୋଜିନାହାନ୍ତି, ତେଣୁ ନଚିକେତାର ଜନ୍ମଦିନ ପାଳିବାରେ କେବେ ଅସୁବିଧା ହୋଇନାହିଁ। ସ୍ବିଜର୍ଲାଣ୍ଡର ଆଲ୍ପ୍ସ୍ ପର୍ବତମାଳା, ଫ୍ରାନ୍ସର ରାଇନ୍ ନଦୀ, ବିକ୍ଷୁବ୍ଧ ପ୍ରଶାନ୍ତ ମହାସାଗର, ସମୟ ସମୟରେ ମହାଶୂନ୍ୟ ଆକାଶ, ସବୁଠି ଆମେ ଈଶ୍ବରଙ୍କୁ ଦେଖିଛୁ, ନଚିକେତାର ଜନ୍ମଦିନ ଉପଲକ୍ଷେ ଦେବତାର ଅଶିଷ ମାଗିଛୁ। ତାଙ୍କର ବନ୍ଦନା ଗାଇଛୁ।
ଆଜି ପୁଣି ନଚିକେତାର ଜନ୍ମଦିନ ଆସିଛି।
ଟରଣ୍ଟୋଠୁ ନାୟଗ୍ରା ଖୁବ୍ ପାଖ। ନିଜର କାର୍ ଥିଲେ ଜମାରୁ ଘଣ୍ଟାଏ ଦେଢ଼ଘଣ୍ଟାର ଯାତ୍ରା।
ପବନ ତା’ର ଦିଗ ପରିବର୍ତ୍ତନ କରିଛି। ମୁଁ ଜଳକଣାର ସ୍ପର୍ଶ ପାଇ ଶୀତ ଅନୁଭବ କଲି। କେତେବେଳେ ସନ୍ଧ୍ୟା ଆସିଯାଇଛି। ନାୟଗ୍ରା ବନାରସୀ ଶାଢ଼ୀ ପିନ୍ଧିଥିଲା ଯେପରି। ନଚିକେତାକୁ ସମ୍ବୋଧନ କରି ସେ ବସିଥିବା ସ୍ଥାନକୁ ଚାହିଁଲି, ସ୍ଥାନ ତା’ର ଶୂନ୍ୟ ପଡ଼ିଥିଲା। କୁଆଡ଼େ ଗଲା ସେ? ମୋତେ ଭାବନାମଗ୍ନ ଦେଖି କେତେବେଳେ ସେ ଉଠି ଚାଲିଯାଇଛି। ଚିନ୍ତିତ ହୋଇ ଏଣେତେଣେ ଚାହିଁଲି। ଟୁରିଷ୍ଟ୍ମାନଙ୍କ ସଂଖ୍ୟା ବଢ଼ିଯାଇଥିବା ପରି ଲାଗିଲା। ନଚିକେତା କାହିଁ? ଦେଖିଲି, ଦୁଇଜଣ ପାଖ ରେସ୍ତୋରାଁରୁ ମୋ ପାଖକୁ ଦଉଡ଼ି ଆସୁଥିଲେ। ଦଉଡ଼ୁଥିବା ଅବସ୍ଥାରେ ବି ଦୁହିଁଙ୍କ ହାତ ଛନ୍ଦାଛନ୍ଦି ହୋଇଥିଲା। ଆଲୋକରେ ଦେଖିଲି, ନଚିକେତା ଜଣେ ପିଙ୍ଗଳକେଶା ସୁନ୍ଦରୀ ବାଳିକା ସହିତ ମୋ ଆଡ଼କୁ ଦଉଡ଼ି ଆସୁଛି। ଦୁହିଁଙ୍କ ପଦପାତରେ ଜାଗ୍ରତ ହୋଇ ଆସୁଥିବା ଯୌବନର ଶକ୍ତି, ମୁଖମଣ୍ଡଳରେ ଆହ୍ଲାଦ ଓ ପରମ ଲାବଣ୍ୟ। ନଚିକେତା ଉପରେ ବିରକ୍ତ ହେବାକୁ ପ୍ରଥମେ ଇଚ୍ଛା ହୋଇଥିଲା, କିନ୍ତୁ ଦେବଯାନୀର ସ୍ମୃତି ମୋତେ ସଂଯତ କଲା। ବୋଧେ ଅସୀମ ସହିତ ମାନବ ମନର ତୃପ୍ତି ପାଇଁ ସସୀମର ଉପସ୍ଥିତି ମଧ୍ୟ ଆବଶ୍ୟକ ପଡ଼େ। ବୋଧେ କେତେକଙ୍କ ପାଇଁ ଈଶ୍ବର ମନ୍ଦିର ଭିତରେ ଇ ପ୍ରକାଶିତ ହୁଅନ୍ତି।
ମୋ ପାଖରେ ପହଁଚିବା ପରେ ନଚିକେତା କହିଲା, ସେ ମୋର ଗାର୍ଲଫ୍ରେଣ୍ଡ୍ ଡାଡି। ଯାହା କଥା କହୁଥିଲି। ସେମାନେ ଇଂଲଣ୍ଡ୍ରୁ ଆସିଛନ୍ତି।
ବାଳିକାଟି ମୋତେ ଚାହିଁ ମୋର ମନକଥା କିଛି ଜାଣିବାକୁ ଯେପରି ଚେଷ୍ଟା କରୁଥିଲା। ମୋର ପ୍ରଲମ୍ବିତ ଶ୍ମଶ୍ରୁ ଉପରେ ତା’ର ଦୃଷ୍ଟି ନିବଦ୍ଧ ରହିଗଲା। ମୁଁ ହସି ବାଳିକାଟି ସହିତ କରମର୍ଦ୍ଦନ କଲି। କହିଲି- ସୁଜେନ ମେନାଡ଼। ଠିକ୍ ମନେ ରଖିଛି ନା?
ମୋ ଆଡ଼କୁ ପ୍ରଶଂସାମାନ ଦୃଷ୍ଟିରେ ଚାହିଁ ସୁଜେନ କହିଲା-ଆପଣଙ୍କ ପେଣ୍ଟିଂଗୁଡ଼ାକ କାଲିଠୁ ଟରଣ୍ଟୋ ଆର୍ଟ ଗ୍ୟାଲେରିରେ ମାସକ ପାଇଁ ପ୍ରଦର୍ଶନ କରାଯାଉଛି।
ମୁଁ ହସି କହିଲି–ହଁ।
ମୋର ଡାଡ଼ି, ମମି ଓ ମୁଁ ଆପଣଙ୍କ ପେଣ୍ଟିଂରେ ଭାରି ଆଗ୍ରହାନ୍ବିତ। ଆମେ କାଲି ପାଇଁ ଟିକଟ୍ ବି କିଣିସାରିଛୁ। ଡାଡି କହୁଥିଲେ ଆପଣ ଭାରତବର୍ଷର ପୌରାଣିକ ଚରିତ୍ରମାନଙ୍କୁ ପ୍ରାକୃତିକ ଦୃଶ୍ୟ ସହିତ ଅଭିନ୍ନାତ୍ମକ କରି ସେମାନଙ୍କୁ ନୂତନ ରୂପ ଦେଇଛନ୍ତି।
ମୋର ଦୃଷ୍ଟି ନାୟଗ୍ରା ଆଡ଼କୁ ଚାଲିଗଲା। ବନାରସୀ ଶାଢ଼ୀ ଛାଡ଼ି ସେ ଗାଢ଼ ନୀଳରଙ୍ଗର କାଶ୍ମୀରୀ ସିଲ୍କ ଶାଢ଼ୀ ପିନ୍ଧୁଥିଲା। ମୁଁ ସୁଜେନ୍ ପ୍ରଶ୍ନର କ’ଣ ଉତ୍ତର ଦେବି ଠିକ୍ କରି ନ ପାରି ଚୁପ୍ ରହିଗଲି।
 
             
                             
                                                                                                     
                                                                                                    