ଗାଁ ମଝିରେ ରାଧାର ଛୋଟ କୁଡ଼ିଆଟି। ଦୂରେଇ ଦୂରେଇ ଗୋଟି ଗୋଟିକା ଅନେକ ଘର। ତେଣିକି ଗାଁ ଦାଣ୍ଡ। ଛୋଟ ଗାଁଟିର ନାମ ବିକ୍ରମପୁର। ବାହୁଦା ନଈର କୂଳରେ। ଗାଁ ମଝିରେ ମାନ୍ଦ୍ରାଜ ଓ ଓଡ଼ିଶାର ସୀମା। ଇଚ୍ଛାପୁରକୁ ବାଟ ତିନି କୋଶ ହେବ କି ନାହିଁ?
ରାଜନୀତି ସେ ବୁଝେ ନାହିଁ। ଇଚ୍ଛାପୁର କି ବିଜୟନଗର ଓଡ଼ିଶାରେ ମିଶିବା ଉଚିତ୍ କି ନୁହେଁ, ବ୍ରହ୍ମପୁର କି କଟକ ଆନ୍ଧ୍ର ପ୍ରଦେଶରେ ମିଶିବି କି ନାହିଁ ସେ କଥା ସେ କେବେ ବିଚାର କରି ନାହିଁ। ସେ ଜାଣେ, ସେ ଇଚ୍ଛାପୁରର ଝିଅ, ବିକ୍ରମପୁରର ବୋହୂ। ଇଚ୍ଛାପୁର ତା’ର ଜନ୍ମଭୂମି। ବିକ୍ରମପୁର ତା’ର କର୍ମଭୂମି। ପୂରା ପଚିଶଟି ବର୍ଷ କଟିଗଲା। ଘର ଆଗରେ ରାସ୍ତା କଡ଼ରେ ଯେଉଁ ମୁଣ୍ଡି ସାହାଡ଼ା ଗଛ, ସେଇ ତା’ର ସାକ୍ଷୀ। ବାହୁଦା ନଈର ବାଲି, ନଈ ସେପାରି ପାହାଡ଼ ଧାଡ଼ି, ଆଉ ଶେଷକୁ ତା’ର ଆଖି ଦୁଇଟା-ଏମାନେ ବି ତା’ର ସାକ୍ଷୀ।
ଚଷାଘରର ଝିଅ। ବୋହୂ ହୋଇ ଯେତେବେଳେ ପନ୍ଦର ବର୍ଷର ଝିଅ ବିକ୍ରମପୁରରେ ଗୋଡ଼ ଦେଲା, ସେତେବେଳେ ଗାଁ ମଝିରେ ତା’ର ଦରଭଙ୍ଗା କୁଡ଼ିଆ ନ ଥିଲା। ଶାଶୁ ଶଶୁର, ଗେରସ୍ତ ଦିଅର ନଣନ୍ଦ ସମସ୍ତେ ଥିଲେ। ହଳ, ବଳଦ, ଗାଈ ମଇଁଷି, ଛେଳି, କୁକୁର ସମସ୍ତେ ସେ ଘରେ ଆଶ୍ରା ନେଇଥିଲେ। ଜମି ବାଡ଼ି ଧାନ ଅମାର।
ରାଧାକୁ ଦେଖି ସମସ୍ତେ ଭାରି ଖୁସି ହୋଇଥିଲେ। ତା’ର ରୂପରେ କିଛି ବିଶେଷତ୍ବ ନ ଥିଲା, ଢଙ୍ଗରେ ବି। ଶ୍ୟାମଳ ବର୍ଣ୍ଣ-ପୁରପଲ୍ଲୀର ଶହ ଶହ ଝିଅ ବୋହୂଙ୍କ ପରି ସ୍ବାସ୍ଥ୍ୟଟି ଭଲ। ଘରକାମ କରିବାରେ ନିପୁଣ। କ୍ଲାନ୍ତି ଜାଣେ ନାହିଁ। ଖିଆ ପିଆରେ ଆପତ୍ତି ଓଜର ନ ଥାଏ। ଘରର ବୋହୂ, ପେଜ ପାଣି ଯାହା ମିଳେ ଖାଇଦେଇ ସମସ୍ତଙ୍କ ସଙ୍ଗେ ଯୋଗ ଦେଇ କାମ କରେ-ଘରର ମଙ୍ଗଳ ପାଇଁ।
ଘର ଆଗରେ ସେ ଯେଉଁ ମୁଣ୍ଡି ସାହାଡ଼ା- ବଢ଼େ ନାହିଁ କି ଛିଡ଼େ ନାହିଁ। ପୁରୁଷେ ଉଞ୍ଚା ଝଙ୍କାଳିଆ। ଟିକି ଟିକି ପତର। ତା’ରି ଗଣ୍ଡିର ଗୋଟିଏ ଜାଗାରେ ସିନ୍ଦୂର ଲାଗିଛି। ସେଇ ଗଛରେ ଠାକୁରାଣୀ ଆଶ୍ରା କରିଛନ୍ତି। ଗଛ ପଛକୁ ତିନି ଶାଖିଆ ହୁଙ୍କା। ଛଅ ମାସ ସେ ବଢ଼ି ବଢ଼ି ଉପରକୁ ଉଠେ। ମୁଣ୍ଡି-ସାହାଡ଼ାର ମଥା ଛୁଏଁ। ବର୍ଷା କାଳରେ ପୁଣି ଛିଡ଼ି ଛିଡ଼ି ଯାଏ। ମୁଣ୍ଡି ସାହାଡ଼ର ଅଧାଯାଏ ଖସି ଆସେ। ହୁଙ୍କା ମୂଳରେ ଗାଡ଼। ବେଳେ ବେଳେ ନାଗସାପ ବାହାରି ଠାକୁରାଣୀଙ୍କୁ ପ୍ରଦକ୍ଷିଣ କରେ। ପୁଣି ଗାଡ଼ରେ ପଶେ।
ବାସୁକିର ପ୍ର-ପଣ-ନାତି ସେ। ଶିବଙ୍କର ପଇତା। ମୁଣ୍ଡିସାହାଡ଼ାରେ ହରପ୍ରିୟା ଠାକୁରାଣୀ କି ତାଙ୍କର କେଉଁ ପୋଇଲି-ପରିବାରର ଅଂଶ ବିରାଜମାନ। ତାଙ୍କର ଦେହ-ରକ୍ଷୀ ରୂପେ ଶିବଙ୍କ ନାଗର ଚାକର ବାକର କେଉଁ ହରିଜନ-ନାଗ ପିଲାର ନାତି-ପଣନାତି ନାଗ ବଚ୍ଚା ଠାକୁରାଣୀଙ୍କୁ ଜଗି ରହିଛି। ପଛରେ ପୁଣି କୈଳାସ ପର୍ବତର ନମୂନା।
ରାଧା ଯେଉଁଦିନ ବୋହୂ ହୋଇ ଆସିଥିଲା, ମୁଣ୍ଡି-ସାହାଡ଼ାକୁ ପ୍ରଣାମ କରିଥିଲା। ଠାକୁରାଣୀଙ୍କ ପାଖରେ ପୂଜା, ବାଜା, ଭୋଗରାଗ ମଧ୍ୟ ହୋଇଥିଲା। ପଚିଶ ବର୍ଷ କାଳ ସେ ଏଇଆ ଦେଖି ଆସିଛି। ଭଲ ମନ୍ଦ ସବୁ କାମରେ। ହିସାବ କଲେ ଜଣା ପଡ଼ିବ-କେତେ ଛେଳି, ମେଣ୍ଢା, କୁକୁଡ଼ାର ରକ୍ତ ମୁଣ୍ଡି-ସାହାଡ଼ା ତଳେ ଢଳା ହୋଇଛି। ଠାକୁରାଣୀଙ୍କୁ ସନ୍ତୋଷ କରା ହୋଇଚି। ଗଛରେ ଯେତେ ପତର, ସେତିକି ଆତ୍ମା ସେଥିରେ ଆଶ୍ରା ନେଇଛନ୍ତି। ସମସ୍ତେ କଲ୍ୟାଣ କରୁଛନ୍ତି-ବିକ୍ରମପୁରର ମଙ୍ଗଳ ହେଉ।
କାହାର କ’ଣ ମଙ୍ଗଳ ହୋଇଛି କି ନାହିଁ; ରାଧିର ମଙ୍ଗଳ ତା’ର ଖଣ୍ଡିଆ କୁଡ଼ିଆରୁ ଜଣାଯାଏ। ମୁଣ୍ଡରେ କେରା କେରା ବାଳ ପାଚିଲାଣି। ଦାନ୍ତ କେତୋଟି ହଲିଲାଣି। ଦେହ ହେଲାଣି ପଥୁରିଆ। ମନ ହେଲାଣି ଟାଣ-ଠିକ୍ ଯେମିତି ନଈ ସେପାରୀ ପାହାଡ଼ ଉପରର ପଥର। ଜୀବନଟା ଏଇ ବାହୁଦା ନଈର ରୁକ୍ଷ ବାଲି ପନ୍ତାର ପରି ନିରସ, ଅନୁର୍ବର, ଅନାବଶ୍ୟକ।
ପଚିଶି ବର୍ଷର ଇତିହାସ-ଆଜି ରାଧିକୁ କରିଛି ମୂଲିଆଣୀ। ସେ ବି ହୋଇଛି ଠିକ୍ ଏଇ ମୁଣ୍ଡି-ସାହାଡ଼ା ପରି। ଦୁଇ କୂଳରେ ତା’ର ଆଉ କେହି ନାହିଁ। ସବୁ ସେ ସହିଛି। ତଥାପି ସେ ବଞ୍ଚିଛି। ବଞ୍ଚିବା ପାଇଁ ମୁଲ ଲାଗୁଛି। ଭବିଷ୍ୟତ ପାଇଁ ପୁଣି ସଞ୍ଚି ରଖୁଛି। ଭବିଷ୍ୟତ। ଆହୁରି ତହିଁରେ ଆସ୍ଥା।
ପଚିଶ ବର୍ଷର କରୁଣ ଇତିହାସ। ସମସ୍ତେ ତା’ର ମରି ହଜିଗଲେ। ଗୋଟିକ ପରେ ଗୋଟିଏ। ଠାକୁରାଣୀଙ୍କୁ ସନ୍ତୋଷ କରିବାକୁ ଜଣକର ମରଣ ପରେ ସେଇ ମୁଣ୍ଡି-ସାହାଡ଼ା ତଳେ ବୋଦା ରକ୍ତ ଢାଳିଛି। କାକୁତି ମିନତି ହୋଇ ଆଖିର ଲୁହ ନିଗାଡ଼ିଛି। ତଥାପି ଦେବତା ଶୁଣିନାହିଁ। କିଏ ଆଗରେ ଗଲା। କିଏ କାହା ପଛରେ। କ’ଣ ହୋଇଥିଲା, କାହିଁରେ ଗଲେ, ଏସବୁ ବର୍ଣ୍ଣନା କରି ଲାଭ ନାହିଁ। ସମସ୍ତେ ଗଲେ। ଦଶବର୍ଷ ତଳେ ସେଇ ଅଲକ୍ଷଣୀ। ଘରେ ରହିଗଲେ ଦିଓଟି ବିଧବା-ରାଧା ଓ ତା’ର ଜା’ ମୋତି, ସତର ବର୍ଷର ଟୋକୀ।
ସେଇ ବର୍ଷ ବିକ୍ରମପୁରରେ ଲାଗିଲା ନିଆଁ। ଅନେକ ଘର ପୋଡ଼ି ଜଳି ପାଉଁଶ ହେଲା। ରାଧିର ଘର ବି। ସମସ୍ତେ ଭଲ ଘର ତୋଳିଲେ। ରାଧି ତୋଳିଲା ଦୁଇବଖରା କୁଡ଼ିଆ। ବଡ଼ଘର ତା’ର ହେବ କ’ଣ? କିଏ ଭୋଗ କରିବେ? ଶଶୁର ଇପାରି କୃଷ୍ଣମୂର୍ତ୍ତ କୁମୁଟିଠାରୁ କରଜ ଆଣି ଦୁଇ ପୁଅଙ୍କର ବାହାଘର କରିଥିଲେ। ଗେରସ୍ତ ଓ ଦିଅର ବିଶି ପାତ୍ରଠାରୁ କରଜ ଆଣି ବାପ ମା’ଙ୍କର ଶୁଦ୍ଧି ଓ ଭଉଣୀର ବାହାଘର କଲେ। ସ୍ବାମୀ ଓ ଦିଅରଙ୍କର ଚିକିତ୍ସା ପାଇଁ ଓ ପୁଣି ପ୍ରେତ କ୍ରିୟା ପାଇଁ ରାମ ପଟ୍ଟନାୟକ ଘରେ କାଗଜ ସନ୍ତକ କରି ରାଧି ଓ ମୋତି ଟଙ୍କା ଆଣିଥିଲେ।
କୁମୁଟି, ବ୍ରାହ୍ମଣ ଓ କରଣ ତିନିହେଁ ବିଚାର କରି ରାଧି ମୋତିଙ୍କର ସମ୍ପତ୍ତି ବାଡ଼ି ବଣ୍ଟାବଣ୍ଟି କରି ନେଲେ। ଖାଲି ଘର ଡିହ ଓ ଏଇ ଦରଭଙ୍ଗା କୁଡ଼ିଆ ଖଣ୍ଡ ଛାଡ଼ି ଦେଲେ। ଭବିଷ୍ୟତରେ ନେବେ ବୋଲି ଆଶା ଥାଏ। ଏସବୁ ଦଶବରଷ ତଳର ଘଟଣା।
ଦିନେ ରାତିରେ-
ସେଇ କୁଡ଼ିଆ ଘରେ। ମୋତିର ମୁଣ୍ଡକୁ କୋଳରେ ପୁରେଇ ରାଧା ଶୋଇ ସପନ ଦେଖୁଛି। ସବୁ ଦୁଃଖର ସପନ। ଅଙ୍ଗେ ନିଭେଇଲା କଥା। ନିଦ ଭାଙ୍ଗିଲା। ଆଖିରୁ ଗଡ଼ି ଆସୁଥିବା ଲୁହ ପୋଛିଲା। ଅନ୍ଧାରରେ ମୋତିର ମୁଣ୍ଡ ଆଉଁଷିଲା।
ମୋତିର ନିଦ ଭାଙ୍ଗିଲା। ପଚାରିଲା, କ’ଣ ଅପା?
ରାଧା ତା’ର ହାତଧରି ଥଙ୍ଗେଇ ଥଙ୍ଗେଇ କହିଲା, ମୋତି ଲୋ, ଅବିଗୁଣ ପାଇବୁ ନାହିଁ। ତୋ’ରି କଥା ଭାବୁଥିଲି। ସବୁତ ଗଲା। ସାହା ସମ୍ବଳ କିଛି ନାହିଁ। ଟୋକୀ ବୟସ ତୋ’ର। ତୁ ଦୁତିଆ ହୋଇ ଯା।
ମୋତି ଚମକି ଉଠିଲା। ରାଧା ହାତରୁ ହାତ ଟାଣି ନେଲା।
ରାଧା ତା’ମନ କଥା ବୁଝିଲା। କହିଲା ରାଗିଲୁ କି? ରାଗନା ମୋତି। ତୋର ଭଲକୁ କହୁଛି। ଲୋକେ ପଙ୍କକୁ ସିନା ଠେଲି ଦେବେ, ବୁଡ଼ିଗଲା ମଣିଷକୁ ଉଧାରିବାକୁ କେହି ହାତ ବଢ଼େଇବେ ନାହିଁ। କୃଷ୍ଣମୂର୍ତ୍ତି ଅନ୍ଧାରରେ ଆସି ଅନ୍ଧାରରେ ଯାଉଛି ସିନା, ହିନୀମାନିଆଁ କପାଳକୁ କିଛି ଅଛପା ରହିବ ନାହିଁ।
ସାପ ପରି ଫଁ ଫଁ ହେଲା ମୋତି। ତିହିଁକା ଛାତିରେ ହାତ ଚାପି କହିଲା, ଭାରି ସତୀ ସୁଲକ୍ଷଣୀଟା ତ!
ତା’ପାଟିରେ ହାତଦେଇ ରାଧା କହିଲା, ପାଟି କରନାଁ। ଚିଡ଼ି ମାଡ଼ୁଛି ଯଦି ମୋ’ ପିଠିରେ ଦି’ପୁଞ୍ଜା ବସେଇ ଦେ। ତୋର ଦୋଷ ମୁଁ ଦଉ ନାହିଁ। ନିଜକୁ ସତୀ ସୁଲକ୍ଷଣୀ ବୋଲି କହୁନାହିଁ, ଅଙ୍ଗେ ଯାହା ନିଭେଇଛି, ସେଇ କଥା ତତେ କହୁଛି। ମୋ’ ସାନ କୁହା ମାନ। ମୋ କଥାରେ ହଁ ଭର। ମା’ ହେବାକୁ ସମସ୍ତଙ୍କ ମନ ହୁଏ। ମା’ ହେବାକୁ ଦଶଦିଗ ଅନ୍ଧାର ଦିଶେ ଲୋ ମୋତି। ତୋ’ ଦୋଷ ଦଉ ନାହିଁ କି ମୋର ଚହଲା ମନ ପାଇଁ ମୋ’ ଦୋଷ ମୁଁ ଦେଉ ନାହିଁ। ତୋ’ର ବୟସ ଅଛି। ତୋ’ ପାଇଁ ମୁଁ ଅଛି। ଦୂରରେ ଥାଇ ହେଲେ, ତୋରି ସୁଖ ଟିକେ ଦେଖେଁ।
ମୋତି ଲୋ-
ରାଧା ତୁନି ହେଲା।
ମୋତି ଥକ୍କା ହୋଇ ଭାବିଲା।
ଖରାଦିନ, ବାହାରେ ଉଜ୍ଜ୍ବଳ ଜହ୍ନ ଆଲୁଅ। ନିଶବଦ ରାତି। କୁଡ଼ିଆ କଡ଼ ଆମ୍ବ ଗଛ ଛାଇ ଆଡୁ ଖଣ୍ଡିକାଶ ଶୁଭିଲା।
ମୋତି ଚମକି ଉଠିଲା। ରାଧାର ବେକ କୁଣ୍ଢେଇ ଧରି କାନ୍ଧ ଉପରେ ମୁଣ୍ଡ ନଦି ଦେଲା। ଗୋଟା ଛାଏଁ ଥରୁ ଥାଏ।
ଆମ୍ବଗଛ ଛାଇ ତଳୁ ତାଳି ଶବ୍ଦ।
ମୋତି କିଟିମିଟି କରି କୁଣ୍ଢେଇ ଧରିଲା ରାଧାକୁ। ଥରିଲା ଗଲାରେ କହିଲା, ତୋ ଇଚ୍ଛା-
ମୋତି ଦୁତିଆ ହୋଇଗଲା ନୂଆପଡ଼ା। ରାଧା ଘର ଢିଅ ବନ୍ଧା ପକେଇଲା। ମୋତିର ହେଲା ପୁଅ। ସାତ ବର୍ଷ ତାକୁ ପୁରିଲା।
ରାଧା କେବେ ମୋତି ଘରକୁ ଯାଇ ନାହିଁ। ସେ ଜାଣେ, ତା’ର ଖର ନିଶ୍ବାସରେ ସବୁ ଜଳି ଯାଇଛି। ମୋତି ପୁଅ ଗେରସ୍ତ ନେଇ ସୁଖରେ ରହୁ। ଆଇଷ ପାଇ ସଂସାରରେ ବଞ୍ଚି ରହନ୍ତୁ। ମୋତି ଖବର ପଠାଏ। ରାଧା ମନା କରେ।
ରାଧା ଯାଇଥିଲା ନୂଆପଡ଼ା। ଆଠ ବର୍ଷ ପରେ ମୋତି ସଙ୍ଗେ ଦେଖା। ଦୁଇ ଜା’ଙ୍କର ଆଖିରୁ ଝରିଲା ଲୁହ। ସାତ ବର୍ଷର ପୁଅ ଜଟିଆ ମୁଣ୍ଡରେ ହାତ ବୁଲେଇଲା ରାଧା। ଆଠ ବର୍ଷର ସଞ୍ଚିତ ଧନ ଟଙ୍କା କେଇଟି ମୋତି ହାତରେ ଦେଇ ଆସିଲା।
ପନ୍ଦର ଦିନ ପରେ-
ସଞ୍ଜବେଳେ ମୋତି ଘରୁ ଲୋକ ଖବର ନେଇ ଆସିଲା ଜଟିଆର ଦେହ ବଡ଼ ଖରାପ। ଜର। ଆଖି ଫିଟୁନାହିଁ। ହତଜ୍ଞାନ ହୋଇ ପଡ଼ିଛି। ମୋତି ତାକୁ ଥରେ ଯିବାକୁ ଖବର ପଠେଇଛି।
ରାଧା ମନା କରି ପଠେଇଲା। ଖବର ଦେଲା, କୋଉ ଠାକୁର ନାମରେ ପାଣି ଛଡ଼େଇ ଦେ। ମୁଁ ଯିବିନାହିଁ।
ଲୋକଟି ଫେରିଗଲା ରାତିରେ।
ସେଇ ଅନ୍ଧାର ରାତିରେ-
ରାତି ଅଧ। ଆକାଶ ମେଘାଚ୍ଛନ୍ନ। ଗୋଟିଏ ହୋଇ ନକ୍ଷତ୍ର ଦିଶୁନାହି। ନିଥର ପ୍ରକୃତି। ପବନର ହିଲ୍ଲୋଳ ନାହିଁ। ନିଶବ୍ଦ।
ରାଧାର ଆଖିକୁ ନିଦ ନାହିଁ| ଯନ୍ତ୍ରଣାରେ ଛଟପଟ ମନ।କେଡ଼େ ଭୁଲ୍ ସେ ନ କଲା ସତେ। ମନ ମାରି ଏତେ ଦିନ ତ ସେ ରହିଥିଲା। କାହିଁକି ବାଆଁରେଇ ହୋଇ ଗଲା ସେ ମୋତି ଘରକୁ।କାହିଁକି ତା’ର ପୁଅ ଜଟିଆର ମୁଣ୍ଡରେ ହାତ ବୁଲେଇଲା? ଦୁନିଆରେ ଜନ୍ମ ହୋଇ କାହାରିକୁ ସ୍ନେହ କରିବାର ଅଧିକାର ତା’ର ନାହିଁ। ଯାହାକୁ ସେ ସ୍ନେହ କରିଛି ତା’ର ହୋଇଛି ଅମଙ୍ଗଳ।
ସତେ କ’ଣ ଜଟିଆ ବଞ୍ଚିବ? ଜଟିଆକୁ ସେ ସ୍ନେହ ଭରା ଆଖିରେ ଚାହିଁଥିଲା। ତାକୁ ସେ ଆଦର କରିଥିଲା। ପେଟ ତାର ପୁରି ଉଠିଥିଲା। ଦଇବ କ’ଣ ସହିବ? ଠାକୁର ଠାକୁରାଣୀଙ୍କୁ ସେ ଆଉ ଡାକିବ ନାହିଁ।କେତେ ତ ଡାକିଛି। କେହି କେବେତ ଶୁଣି ନାହାଁନ୍ତି। ମୁଣ୍ଡି ସାହାଡ଼ା ତଳେ ଉପାଧିଆ ପଡ଼ି ରାତି ରାତି କଟେଇଛି। ତଳେ ମୁଣ୍ଡ କୋଡ଼ି ରକ୍ତ ବାହାର କରିଛି। ତଥାପି ଠାକୁରାଣୀ ଶୁଣି ନାହାଁନ୍ତି।
ରାତି ପାହିଲେ ଅଶୁଭ ଖବର ଆସିବ। କେତେ ଅଶୁଭ ଖବର ତ ତା’ ମନରେ ଭେଦିଛି। ଜଟିଆର ମରଣ ଖବର ବି ସେମିତି ତା’ କାନରେ ବାଜିବ। ମନରେ ପଶିବ। ହୁଏତ ଥକ୍କା ହୋଇ ଘଣ୍ଟାଏ ବସିବ। ଆଖିରୁ ଲୁହ ଗଡ଼େଇବ। ପେଟ ତାତିଲେ ସବୁ ଦୁଃଖ ଛାତି ତଳେ ଛପେଇ ଗଲା କଥା ପଛକୁ ପକାଇ ପୁଣି ବାହାରି ପଡ଼ିବ ସେ ମୂଲ ଲାଗିବାକୁ।
ମନର କୋହ ରାଧା ସହି ପାରିଲା ନାହିଁ। ଦେବତାକୁ ସେ ଆଉ ପୂଜା କରିବ ନାହିଁ। ଦେବତା କେବେ ମଣିଷର କଥା ଭାବେ ନାହିଁ। ଏଇ ଯେଉଁ ମୁଣ୍ଡି-ସାହାଡ଼ା, ଯାହାର ମୂଳରେ ମଣିଷ ତା’ର ଭକ୍ତି ଅଜାଡ଼ି ଦେଇ ଗୁହାରି କରିଛି। ତାହାରି ଦେହରେ ଠାକୁରାଣୀ ବିଜେ କରିଛନ୍ତି, ଜୁଳୁଜୁଳୁ କରି ସବୁ ଦେଖୁଛି। କାହିଁକି ସେ ରହିବ? ପୂଜା ପାଣି ପାଇବ?
ସବୁ ତ ଗଲା। ସେ ବି ଯାଉ। ଠାକୁରାଣୀ ତା’ର ସର୍ବନାଶ କରିଛି। ସେ ତା’କୁ ଛାଡ଼ିବ କାହିଁକି? ରାଧା ମନ ଉଲ୍ଲାସରେ ହସିଲା। ସେ ଦୁର୍ବଳ ମଣିଷ ଉପରେ ଦାଉ ସାଧି ପାରିବ ନାହିଁ। ଦେବତାକୁ ନିଜର କରାମତି ଦେଖାଇବ। ଲୋକେ ତା’ର ଯାହା କରିବାର କରନ୍ତୁ।
ରାଧା ଉଠିଲା। ଅନ୍ଧାରରେ ଦରାଣ୍ଡି ଦରାଣ୍ଡି କ’ଣ ଖୋଜିଲା।
ରାତି ପହିଲା। ମୁଣ୍ଡି ସାହାଡ଼ା ମୂଳରେ ଲୋକ ଜମା ହୋଇଛନ୍ତି। ରାଧା ଜିଭ କାମୁଡ଼ି ପଡ଼ିଛି। ଦୂରରେ ଛିରିକି ପଡ଼ିଛି ଟାଙ୍ଗିଆ ଖଣ୍ଡେ। ମୁଣ୍ଡି ସାହାଡ଼ା ମୂଳରେ ଦି’ ଚାରି ଚୋଟ କୁରାଢ଼ି ଦାଗ, କ୍ଷୀର ନିଗିଡ଼ି ପଡୁଛି।
ରାଧାର ପାଦ ଉପରେ ନାଗ ଦଂଶନର ଚିହ୍ନ। ଛୋଟ ଛୋଟ ଦିଓଟି ଦାଗ।
ଠାକୁରାଣୀର ପ୍ରତାପ!