ମହନ୍ତବାବାଙ୍କ ଦଳର ସାଧୁସଂଖ୍ୟା ପ୍ରାୟ ପଚିଶ। ସେଥିମଧ୍ୟରୁ ମଧ୍ୟ ସମୟ ସମୟରେ ଆଠ ଦଶଜଣ ନୂଆ ପୁରୁଣା ହୋଇଥାନ୍ତି, ଅର୍ଥାତ୍ ଥୋକେ ସାଧୁ ବାହାରି ଯିବାମାତ୍ରେ ନୂତନ ସାଧୁ ଆସି ସେଇ ସ୍ଥାନ ପୂର୍ଣ୍ଣ କରନ୍ତି। ଆଶ୍ଚର୍ଯ୍ୟର ବିଷୟ, ପ୍ରାୟ ସମସ୍ତ ସାଧୁ ସମାନ ବୟସ୍କ, ଆକାର ତୁଲ୍ୟରୂପେ ବେଶଭୂଷଣ। ସମସ୍ତ ବନ୍ୟ ବରାହବତ୍ ବଳିଷ୍ଠ ଓ ନିରଳସ। ମସ୍ତକ ନିର୍ଜଟ, କ୍ଷୁଦ୍ର ବା ବାବୁରି କେଶମଣ୍ଡିତ। କ୍ଷୁଦ୍ରାକାର ଶ୍ମଶ୍ରୁବିଶିଷ୍ଟ, ସମସ୍ତଙ୍କ ଦେହରେ ଗୈରିକ ଅଙ୍ଗା ଆକଣ୍ଠପଦଲମ୍ବିତ। ସ୍ବଭାବ ଓ କଥୋପକଥନ ନିତାନ୍ତ କର୍କଶ। ଦୃଷ୍ଟି ତୀବ୍ର ଓ ଭୟବିଭ୍ରମବ୍ୟଞ୍ଜକ। ସାଧୁମାନଙ୍କ କଥିତ ଭାଷା ହିନ୍ଦୀ। ୟୁରୋପ ଖଣ୍ଡରେ ଫରାସୀ ଯେପରି ସାର୍ବଭୌମ ଭାଷା, ଭାରତରେ ସେହିପରି ହିନ୍ଦୀ ଭାଷା ସର୍ବସ୍ଥାନବ୍ୟାପୀ। ସାଧୁ ସନ୍ନ୍ୟାସୀମାନେ ଭାରତରେ ସର୍ବସ୍ଥାନରେ ଭ୍ରମଣ କରନ୍ତି, ସୁତରାଂ ବାଧ୍ୟ ହୋଇ ହିନ୍ଦୀ ବୋଲିବାକୁ ହୁଏ। ଯାହାର ମାତୃଭାଷା ହିନ୍ଦୀ, ତାହାକୁ ଅସୁବିଧା ଭୋଗ କରିବାକୁ ହୁଏ ନାହିଁ।
ଆମ୍ଭମାନଙ୍କ ସାଧୁ ଦଳର ଭାଷା ନୀଚ ଶ୍ରେଣୀ କଥିତ ବଙ୍ଗଳା ଅଥବା ବଙ୍ଗ-ହିନ୍ଦୀ ଭାଷାର କଦର୍ଯ୍ୟ ସଂମିଶ୍ରଣ। ଏହି ସାଧୁଦଳ ଭଜନପୂଜନ ବିଷୟରେ ନିଯୁକ୍ତ ଥିବାର କଦାଚିତ୍ ଦେଖାଯାଏ। ଗଞ୍ଜିକା ଟିପ୍ପନି, ସେବନ ଓ ପଙ୍ଗତ ସାମଗ୍ରୀ ଆୟୋଜନରେ ସର୍ବଦା ବ୍ୟସ୍ତ ଥା’ନ୍ତି। ସମସ୍ତ ସାଧୁ ମହନ୍ତବାବାଙ୍କର ନିତାନ୍ତ ଅନୁଗତ।
ହାତୀଗୁମ୍ଫା ସମୀପବର୍ତ୍ତୀ ଆଉ ଗୋଟିଏ କ୍ଷୁଦ୍ର ଗୁମ୍ଫାରେ ଗୋଟିଏ ସାଧୁ ଦମ୍ପତି ଆଶ୍ରମ ସ୍ଥାପନ କରିଥିଲେ। ବାବାଜିଙ୍କ ବୟସ ଆନୁମାନିକ ତିରିଶ ବା ବତ୍ରିଶ। ଦେହ ସୁସ୍ଥ ଓ ସବଳ। ଯେପରି ଗଠିତ ହେଲେ ଲୋକେ ସୁନ୍ଦର ପୁରୁଷ ବୋଲାନ୍ତି, ଏହାଙ୍କ ଦେହ ସେହିପରି। ଦୃଷ୍ଟିପାତ ବ୍ୟାଧ-ଭୀତ ମୃଗବତ୍ ଚକିତ ଓ ଭୀତିବ୍ୟଞ୍ଜକ। ସର୍ବଦା ଲୋକନେତ୍ର ଅନ୍ତରାଳରେ ଗୁମ୍ଫା ମଧ୍ୟରେ ଆସୀନ, ସଯତ୍ନା ଦୃତବସନା ମାତାଟିର ବୟସ ବା ରୂପକାନ୍ତି ନିର୍ଣ୍ଣୟ କରିବା କିଞ୍ଚିତ୍ ଅସାଧ୍ୟ ବ୍ୟାପାର। ମାତ୍ର ତାଙ୍କ ପୃଷ୍ଠବ୍ୟାପୀ ନିତମ୍ବସ୍ପର୍ଶୀ ନବୀନ ନୀରଦ ସଦୃଶ କେଶରାଶି, ସଂକୀର୍ଣ୍ଣ ମଧ୍ୟଭାଗ ଏବଂ ପଦଯୁଗଳର ବର୍ଣ୍ଣ ଓ ଗତିର ଠାଣି ଦେଖିଲେ ଜଣାଯାଏ ମାତାଟି ପରମାସୁନ୍ଦରୀ ଓ ପୂର୍ଣ୍ଣ ଯୌବନା ବିଶିଷ୍ଟା। କା଼ହାରି ସହିତ କିଛି ମାତ୍ର କଥା ବୋଲନ୍ତି ନାହିଁ, ଏଥିସକାଶେ ଲୋକମାନେ ଏହାକୁ ମୌନା ବାବାଜି ଓ ମୌନୀ ମାତା ବୋଲନ୍ତି। ସାଧୁ ଅନ୍ୟ ସାଧୁର ସହାୟ। ଆମ୍ଭମାନଙ୍କର ଉଲ୍ଲିଖିତ ମହନ୍ତବାବା ମୌନାମୌନୀଙ୍କ ଆବଶ୍ୟକ ଦ୍ରବ୍ୟାଦି ସଂଗ୍ରହ କରିଦେବାର ଦେଖାଯାଏ।

ସାଧୁ ଦର୍ଶନାର୍ଥୀ ଯାତ୍ରୀମାନେ ଖଣ୍ଡଗିରିକୁ ଆସି ସେହି ଦିନମାନରେ ଚାଲିଯା’ନ୍ତି, କେହି ରାତ୍ରିବାସ କରେ ନାହିଁ। ମାତ୍ର ଆଜକୁ ମାସାବଧି ଗତ ହେଲା, ଦୁଇଜଣ ବଙ୍ଗଦେଶୀୟ ସାଧୂସେବା ପରାୟଣ ଯାତ୍ରୀ ବାସକରି ରହିଅଛନ୍ତି। ସାଧୁମାନେ କେବଳ ଧୁନିର ବିଭୂତି ଦେଇ ଲୋକମାନଙ୍କର ଅନେକ ଉତ୍କଟ ପୀଡ଼ା ଆରୋଗ୍ୟ କରିଥାଆନ୍ତି। ଆମ୍ଭମାନଙ୍କର ମହନ୍ତବାବା ମଧ୍ୟ ନେତ୍ର ମୁଦ୍ରିତ କରି ଅନେକ ଲୋକଙ୍କୁ ବିଭୂତି ବିତରଣ କରିବାର ଦେଖାଯାଏ। ଆମ୍ଭମାନଙ୍କ ଭକ୍ତଯୁଗଳ ଅନିଶ୍ଚିତ ଉତ୍କଟପୀଡ଼ାରେ ପୀଡ଼ିତ। ଆରୋଗ୍ୟ କାମନାରେ ମହନ୍ତବାବା ଓ ଅନ୍ୟାନ୍ୟ ସାଧୁଙ୍କ ସେବାରେ ପ୍ରାତଃକାଳଠାରୁ ରାତ୍ର ପହରକ ପର୍ଯ୍ୟନ୍ତ ନିଯୁକ୍ତ ଥା’ନ୍ତି। ନିଜ ବ୍ୟୟରେ ଭୁବନେଶ୍ବର ବଜାରରୁ ଭଲ ଭଲ ଗୋଲ ଗୋଲ ଜଟାବାଲା ଗଞ୍ଜେଇ କ୍ରୟ କରି ଆଣି ସାଧୁମାନଙ୍କୁ ସେବନ କରାଇଥା’ନ୍ତି। ଭଲ ଗଞ୍ଜେଇ ସଂଗ୍ରହ କାମନାରେ ସାଧୁମାନଙ୍କୁ କେବେ କେବେ ପୁରୀ ମଧ୍ୟ ଯିବାକୁ ହୁଏ। ମୌନା-ମୌନୀ ସାଧୁଦମ୍ପତି ପ୍ରତି ମଧ୍ୟ ଏମାନଙ୍କର ଅଚଳ ଭକ୍ତି। ସେମାନେ ମୌନାବଲମ୍ବନ କରି ରହିଥିଲେ ମଧ୍ୟ ସେମାନଙ୍କୁ ଗୁମ୍ଫାଦ୍ବାର ନିକଟରେ ଚାହିଁ ବସିଥାନ୍ତି, କଦାଚିତ୍ ବାଳଭୋଗ ସକାଶେ ମିଷ୍ଟାନ୍ନ ବା ଫଳମୂଳ କିଣିଆଣି ଦେଇ ସାଧୁ ଦମ୍ପତିଙ୍କୁ ଦଣ୍ଡବତ କରି ଚାଲିଆସନ୍ତି।
ଅଦ୍ୟ ପ୍ରାତଃକାଳରେ ଖଣ୍ଡଗିରିରେ ଭାରି ହୁଲସ୍ତୁଲ ପଡ଼ିଯାଇଛି। ପୁରୀ ଜିଲ୍ଲାର ସ୍ବୟଂ ମେଜେଷ୍ଟର ସାହେବ ଉପସ୍ଥିତ। ରାତି ନ ପାହୁଣୁ ଖଣ୍ଡଗିରି ସମ୍ମୁଖରେ ଚାରି ପାଞ୍ଚଟା ଡେରା ଟଣା ହୋଇଗଲାଣି। ଗୋଟିଏ ବଡ଼ ଡେରାରେ ମେଢ଼ କୁର୍ଚ୍ଚି ଲଗାଇ ସାହେବ କଚେରି କରି ବସିଅଛନ୍ତି। ସାଙ୍ଗରେ ଚାରିଜଣ ପୋଲିସ ଦାରୋଗା, ଆଠଜଣ ମୁନ୍ସି, ଗୁଡ଼ିଏ ଭଲ ଜମାଦାର, ଶଏ ପର୍ଯ୍ୟନ୍ତ ବରକନ୍ଦାଜ, ଦୁଇ କି ତିନି ଶ’ ଲମ୍ବ ଲମ୍ବ ବାଉଁଶ ଠେଙ୍ଗାଧାରୀ ଚୌକିଦାର। ପୋଲିସ କର୍ମଚାରୀମାନେ ହାତୀଧରା ଜଗତବେଢ଼ ପରି ଖଣ୍ଡଗିରିଟାକୁ ଘେରିଅଛନ୍ତି, ବାହାରିବାର କାହାରି ଅଧିକାର ନାହିଁ। ସାଧୁସନ୍ନ୍ୟାସୀମାନ ଧରାହୋଇ ଆସି ମେଜେଷ୍ଟର ସାହେବଙ୍କ ଡେରା ସମ୍ମୁଖରେ ଖୁଆଡ଼ ହେଲେ।
ଦିନଯାକ ତଦନ୍ତ ହେଲା, ଅପରାହ୍ନ ସମୟରେ ଆମ୍ଭମାନଙ୍କ କଥିତ ଭକ୍ତଯୁଗଳଙ୍କ ସନାକ୍ତ ଦେବା ମୁତାବକ ପୂର୍ବବର୍ଣ୍ଣିତ ମହନ୍ତବାବା ମହାବୀର ଦାସ ଓ ତାଙ୍କ ସଙ୍ଗୀ ପଚିଶ ଜଣ ସନ୍ନ୍ୟାସୀ, ସେମାନଙ୍କୁ ଛାଡ଼ି ଅନ୍ୟ ଦଶ ଜଣ ସାଧୁ ହାତରେ ହାତକଡ଼ି ଦିଆଯାଇ ତୁରଙ୍ଗରେ ଠୁଙ୍କି ଦିଆଗଲା। ଆମ୍ଭମାନଙ୍କ ମୌନା ବାବାଜିଙ୍କର ମଧ୍ୟ ସେହି ଦଶା। ମୌନୀ ମାତା ପୋଲିସ ହେପାଜତରେ ରହିଲେ। ମୌନା ବାବାଜିଙ୍କ ଗୁମ୍ଫା ଓ ହାତୀଗୁମ୍ଫାରୁ ଅନେକ ସୁନା, ରୂପା ଅଳଙ୍କାର ଓ ଜହରତ୍, ଅନେକ ମୂଲ୍ୟବାନ୍ ଲୁଗା, ଶାଲ ପ୍ରଭୃତି ବରାମଦ ହେଲା। ମେଜେଷ୍ଟର ସାହେବଙ୍କ ହୁକୁମ ଅନୁସାରେ ଅନ୍ୟାନ୍ୟ ସାଧୁସନ୍ନ୍ୟାସୀ ଜଡ଼ିତ ହେଲେ। ଉତ୍କଳର ନୈମିଷାରଣ୍ୟ ଖଣ୍ଡଗିରି ସହିଦିନଠାରୁ ସାଧୁଶୂନ୍ୟ ହୋଇଅଛି।
ପରିଦିନ ପ୍ରାତଃକାଳରେ ମେଜେଷ୍ଟ ସାହେବ ବନ୍ଦୀମାନଙ୍କୁ ଉପଯୁକ୍ତ ପୋଲିସ ହେପାଜତରେ କଲିକତା ଚାଲାଣ ଦେଇ ପୁରୀ ରମାନା ହେଲେ।
ପଶ୍ଚାତ୍ ପ୍ରକାଶ ପାଇଲା, ଉଲ୍ଲିଖିତ ମହାବୀର ଦାସ ମହନ୍ତ ବଙ୍ଗଦେଶର ପ୍ରସିଦ୍ଧ ଜଗା ଗୁଆଲା ଡକାଏତ ସର୍ଦ୍ଦାର, ଅନ୍ୟାନ୍ୟ ସାଧୁମାନେ ସଙ୍ଗୀ ଡକାଏତ। ଅନ୍ୟ ଦଶଜଣ ସାଧୁ ଅନ୍ୟାନ୍ୟ ଜିଲ୍ଲାର ଫେରାର ଆସାମୀ। ମୌନା ବାବାଜି କଲିକତାର ଜଣେ ପ୍ରସିଦ୍ଧ ବଡ଼ଲୋକଙ୍କ ଗୁମାସ୍ତା। ମୌନୀ ମାତା ତାହାଙ୍କ ପରିବାରସ୍ଥ ବିଧବା ବଧୂ। ଉକ୍ତ ବଡ଼ଲୋକଙ୍କ ଘରୁ ଚୋରିଯାଇଥିବା ଅନେକ ଅଳଙ୍କାର ଓ ବଙ୍ଗଦେଶର ଅନେକ ସ୍ଥାନର ଡକାଏତି, ଅନେକ ମାଲ ବରାମଦ ହୋଇଅଛି। କଥିତ, ଭକ୍ତଯୁଗଳ ଠଗି କମିଶନରଙ୍କ ଡିଟେକ୍ଟିଭ ପୋଲିସ ଅଫିସର ଅଟନ୍ତି।
-୦-