ପ୍ରାୟ ଅର୍ଦ୍ଧଶତ ବର୍ଷପୂର୍ବେ ଖଣ୍ଡଗିରି ଓ ତତ୍‌ ଚତୁର୍ଦ୍ଦିଗସ୍ଥ ଉପତ୍ୟକା ଭୂମି ବିବିଧ ଜାତୀୟ ବୃକ୍ଷ ଓ ଲତା, ଜାଲରେ ବେଷ୍ଟିତ ଥିଲା। କେବଳ ଗୁମ୍ଫା ଓ ସମୀପବର୍ତ୍ତ ସ୍ଥାନ ଉଦ୍ଭିଦଶୂନ୍ୟ, ପରିଷ୍କୃତ ଓ ପରିଚ୍ଛନ୍ନ, ସାଧୁ ସନ୍ନ୍ୟାସୀମାନଙ୍କ ଆଶ୍ରମରେ ପରିପୂର୍ଣ୍ଣ। ବିଭୂତିଭୂଷଣ କୌପୀନଧାରୀ ସାଧୁମାନେ ଧୁନି ଲଗାଇ ବସିଥାନ୍ତି, ବସ୍ତ୍ରଧାରୀ ସାଧୁମାନେ ନିର୍ଧୁନିକ। ସାଧୁ ନାନା ଶ୍ରେଣୀର-ସନ୍ନ୍ୟାସୀ, ନାଗା, ରାମାଉତ କେହି ବା ଉପାଧି ରହିତ। ପ୍ରାୟ ପ୍ରତିଦିନ ସାଧୁମାନଙ୍କ ଗତାୟାତ ଲାଗିଥାଏ। ଥୋକେ ଚାଲିଯିବା ମାତ୍ରେ ନବାଗତ ସାଧୁମାନେ ଶୂନ୍ୟସ୍ଥାନ ଅଧିକାର କରି ବସୁଥାନ୍ତି। ମୁଦ୍ରିତ ନେତ୍ର ଥୋକେ ସାଧୁ ଧ୍ୟାନ ନିମଗ୍ନ। ତୁଳସୀ ବା ରୁଦ୍ରାକ୍ଷମାଳା ହସ୍ତ ଥୋକେ ଭଜନରେ ନିଯୁକ୍ତ। କେହି ଗ୍ରନ୍ଥପାଠ, କେହି ବା ଗ୍ରନ୍ଥ ଶ୍ରବଣ କରୁଅଛନ୍ତି। କେହି ଗଞ୍ଜିକା ଟିପ୍ପନ ସେବନରେ ନିଯୁକ୍ତ। କେହି କେହି ସାଧୁ ଖଟୁଲିରେ ପୁଷ୍କମଣ୍ଡିତ ଦେବତା ବିଜେ କରାଇ ଦେଇ ତୀର୍ଥଯାତ୍ରୀମାନଙ୍କଠାରୁ ଅର୍ଥ ସଂଗ୍ରହରେ ମନୋଯୋଗୀ। ବାସ୍ତବରେ ଏହା ଗୋଟିଏ ବିଚିତ୍ର ଦୃଶ୍ୟ। ଏହି ପବିତ୍ର ସ୍ଥାନ ଦର୍ଶନ କଲେ ନିତାନ୍ତ ପାଷାଣ ହୃଦୟ ମଧ୍ୟ ଭକ୍ତିରସରେ ଆପ୍ଲୁତ ହୋଇଯାଏ।

କେବେ କେବେ ଜମାଉତ ଦଳର ମଧ୍ୟ ଏ ସ୍ଥାନକୁ ଶୁଭାଗମନ ହୋଇଥାଏ। ଏମାନ କିନ୍ତୁ ଗୁମ୍ଫା ନିକଟକୁ ଯା’ନ୍ତି ନାହିଁ। ଖଣ୍ଡଗିରି ପାଦ ଦେଶରେ ଦୁଇ ଚାରି ଦିନ ଧୁନି ସ୍ଥାପନ କରି ଅନ୍ୟତ୍ର ଚାଲିଯାନ୍ତି। ଜମାଉତ ଦଳର ସନ୍ନ୍ୟାସୀ ସଂଖ୍ୟା ଚାଳିଶ ପଞ୍ଚାଶଠାରୁ ହଜାରେ ବାରଶ ପର୍ଯ୍ୟନ୍ତ। ସନ୍ନ୍ୟାସୀମାନଙ୍କ ସାମାନ ବହିବା ନିମନ୍ତେ ଓଟ ଓ ଘୋଡ଼ା ଥା’ନ୍ତି। କଦାଚିତ୍‌ ହାତୀର ମଧ୍ୟ ଅଭାବ ନ ଥାଏ। ଗାଭୀ, ବୃଷଭ ମଧ୍ୟ କାହାରି କାହାରି ଦଳରେ ଥିବାର ଦେଖାଯାଏ। ଜମାଉତ ଅଧିକାରୀଙ୍କ ଉପାଧି, ମହନ୍ତବାବା।

ଏହି ମହନ୍ତବାବାଙ୍କ ଆଜ୍ଞାରେ ଜମାଉତ ଚାଳିତ। ଜଣେ କୋଠିଆ ଓ ଜଣେ ଭଣ୍ଡାରୀ ଥାଏ। କୋଡିଆ ଧନରକ୍ଷକ, ଭଣ୍ଡାରୀ ଜିମାରେ ଖାଦ୍ୟ ଓ ଅନ୍ୟାନ୍ୟ ଦ୍ରବ୍ୟ ଥାଏ। ଅଧିକାଂଶ ଜମାଉତ ନିତ୍ୟ ଯାଯାବର, ଭାରତର ସର୍ବତ୍ର ଭ୍ରମଣ କରି ରାଜା, ଜମିଦାର ଓ ଧନବନ୍ତ ଲୋକମାନଙ୍କଠାରୁ ଅର୍ଥ ସଂଗ୍ରହରେ ନିଯୁକ୍ତ ଥା’ନ୍ତି। ସଞ୍ଚିତ ଅର୍ଥ ଚାରି ଛ’ ମାସକୁ ଥରେ ସନ୍ନ୍ୟାସୀମାନଙ୍କ ମଧ୍ୟରେ ବଣ୍ଟନ କରାଯାଏ। ଅବଶ୍ୟ ମହନ୍ତବାବାଙ୍କ ଭାଗରେ ଅଧିକାଂଶ ସନ୍ନ୍ୟାସୀମାନଙ୍କୁ ଏକତ୍ର ଆବଦ୍ଧ କରି ରଖିବାର ଏହାର ଗୋଟିଏ ଉପାୟ ଅଟେ। ଅନେକ ଜମାଉତର ସ୍ଥାନେ ସ୍ଥାନେ ମଠ ଓ ବିପୁଳ ଭୂସମ୍ପତ୍ତି ଅଛି, କେହି କେହି ମହାଜନୀ ମଧ୍ୟ କରିଥାନ୍ତି। ମଫସଲ ଗ୍ରାମମାନଙ୍କରେ ଏମାନଙ୍କର ଭୟଙ୍କର ଜୁଲମ ଥିଲା। ଜମାଉତର ଶୁଭାଗମନ ହେଲେ ଗ୍ରାମବାସୀମାନେ ବ୍ୟତିବ୍ୟସ୍ତ ହୋଇପଡ଼ନ୍ତି। ଭେଦାଦ୍ବାରା ସାଧୁମାନଙ୍କର ଟହଲ ଚଳାଇବାକୁ ହୁଏ। ଜମାଉତଙ୍କ ସାଧୁ ସେବା ରାଜବିଜେ ବିଶେଷ। ଧୁନି ସକାଶେ ଉପଯୁକ୍ତ ଗଡ଼ିକାଠ ସଂଗୃହୀତ ନ ହେଲେ ଗରିବ ପ୍ରଜାମାନଙ୍କ ଘରର ଖୁମ୍ବ, ଶେଣି ଲୁଣ୍ଠିତ ହେଉଥିଲା।

ଗ୍ରାମରେ ଜମାଉତ ବିଜେ ହେବା ମାତ୍ରକେ ପ୍ରଥମେ ବାଳଭୋଗ, ସାଧୁଙ୍କ ଗଞ୍ଜେଇ ଖର୍ଚ୍ଚ ଓ ଦେବତା ଦର୍ଶନୀ ଦେବାର ନିୟମ। କେହି ବଡ଼ଲୋକ ବା ରାଜା ପ୍ରଥମେ ଉପଯୁକ୍ତ ରୂପେ ଦେବତାଙ୍କଠାରେ ଭେଟି ଦାଖଲ ନ କଲେ, ସାଧୁମାନେ ଦୁଇ ତିନି ଦିବସ ପର୍ଯ୍ୟନ୍ତ ଉପବାସରେ ପଡ଼ିରହନ୍ତି। ପ୍ରକୃତରେ ଉପବାସରେ ରହନ୍ତି କି ନାହିଁ ଲୋକନେତ୍ରରେ ଅଗୋଚର। ସାଙ୍ଗର ଜମା ଥିବା ମଇଦା ରାତ୍ରି ଯୋଗେ ଧୁନିରେ ପଡ଼ି ପୋଡ଼ିପିଠାରେ ପରିଣତ ହୁଏ। ଧର୍ମପ୍ରାଣ ନିରୀହ ଗ୍ରାମବାସୀ, ହିନ୍ଦୁ ପ୍ରଜାମାନେ ନୀରବରେ ସମସ୍ତ ସହ୍ୟ କରୁଥିଲେ। ପ୍ରକୃତ ସାଧୁ ଜମାଉତର ମଧ୍ୟ ଅଭାବ ନ ଥିଲା, ମାତ୍ର ବ୍ୟବସାୟୀ ଅଧିକାଂଶ। ବଙ୍ଗଳାରେ ଉକାଇତ, ପୂର୍ବ ସମୁଦ୍ରଠାରୁ ଦିଲ୍ଲୀ ପ୍ରାଚୀର ପର୍ଯ୍ୟନ୍ତ ସମସ୍ତ ଆର୍ଯ୍ୟବର୍ତ୍ତରେ ଲୁଣ୍ଠନକାରୀ ପିଣ୍ଡାରି ଏବଂ ସମସ୍ତ ଭାରତବ୍ୟାପୀ ନାନା ଜମାଉତଙ୍କ ଉତ୍ପାତରେ ପ୍ରଜାମଣ୍ଡଳୀ ନିତାନ୍ତ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଧନ୍ୟ ଇଂରେଜ ଗଭର୍ଣ୍ଣମେଣ୍ଟ! ସେମାନଙ୍କ ହସ୍ତରୁ ରକ୍ଷା କରିଅଛନ୍ତି।

ଖଣ୍ଡଗିରିବାସୀ ସାଧୁମାନେ ପ୍ରାତଃସ୍ନାୟୀ। ପ୍ରାତଃକାଳରେ ଦେବତାଙ୍କଠାରେ ଯେଉଁ ବାଳଭୋଗ ଲାଗେ, ତାହା ସେବା କରି ଭଜନ ପୂଜନରେ ନିଯୁକ୍ତ ହୁଅନ୍ତି। ଅପରାହ୍ନ ସମୟରେ ଥରେ ମାତ୍ର ପଙ୍ଗତ ହୁଏ। ସନ୍ଧ୍ୟା ଆଳତି ସମୟ ଘଣ୍ଟା, ଭେରୀ, ତୁରୀ ଶବ୍ଦରେ ଖଣ୍ଡଗିରି କମ୍ପିତ ହୋଇଉଠେ। ଆଳତି ଉତ୍ତାରେ ରାତ୍ରି ପ୍ରହରକ ପର୍ଯ୍ୟନ୍ତ ଭଜନ, କାହିଁ ବା ଖଞ୍ଜଣି ବାଦନ, ଗଞ୍ଜିକା ସେବନ ଇତ୍ୟାଦି। ତଦନନ୍ତର ଗିରି ନିସ୍ତବ୍ଧ।

ବର୍ଣ୍ଣିତ ସମୟରେ ଖଣ୍ଡଗିରିରେ ଯେଉଁ ସମସ୍ତ ସାଧୁ ସନ୍ନ୍ୟାସୀ ବାସ କରୁଥିଲେ, ସେଥିମଧ୍ୟରୁ ଗୋଟିଏ ଦଳର ବିଷୟ ଉଲ୍ଲେଖଯୋଗ୍ୟ। ହାତୀଗୁମ୍ଫା ସମ୍ମୁଖରେ ଏହି ଦଳର ମହନ୍ତ ମହାରାଜ ଧୁନି ଥାପି ବସିଛନ୍ତି। ଧୁନିର ବିପରୀତ ଦିଗରେ କିଞ୍ଚିତ୍‌ ଦୂରରେ ଗୋଟିଏ କ୍ଷୁଦ୍ର ସିଂହାସନରେ ମହନ୍ତଙ୍କ ସମ୍ମୁଖରେ ମହାବୀରଜୀ ଦେବତା ବିରାଜିତ। ଦେବତାଙ୍କ ଅଳଙ୍କାର ତୈଜସପତ୍ରାଦି ଆଡ଼ମ୍ବରଯୁକ୍ତ। ପ୍ରତିଦିନ ପ୍ରାତଃକାଳରେ ଦେବତାଙ୍କଠାରେ ମୋହନଭୋଗ, ବାଳଭୋଗ ଓ ସାୟାହ୍ନ ସମୟରେ ପକକିମାଲ ଅର୍ଥାତ୍‌ ପୁରି, କତୁରି, କ୍ଷୀରୀ, ଖେଚଡ଼ି ଭୋଗ ଲାଗେ। ଦେବତାଙ୍କ ସେବାରେ ଏତେ ବ୍ୟୟ, ମାତ୍ର କାହାରିକୁ କିଛି ଯାଚଞ୍ଜା ନାହିଁ, ମହାବୀର ମହାପ୍ରଭୁଙ୍କ ମହାମହିମା ବଳରେ ସବୁ ଚଳିଯାଏ। ମହନ୍ତ ମହାରାଜ ନିତାନ୍ତ ନିର୍ଲୋଭ, କେହି ଭକ୍ତ ଦେବତାଙ୍କ କିଛି ପ୍ରଣାମି ଦେଲେ ଟଙ୍କାପଇସା ସେହିଠାରେ ପଡ଼ିରହିଥାଏ, ମହନ୍ତ ମହାରାଜ ଥରେ ସୁଦ୍ଧା ଚାହାଁନ୍ତି ନାହିଁ।

ସାଧାରଣରେ ପ୍ରକାଶ ଯେ, ଦୈନିକ ଦେବ ସେବାରେ ଉପଯୁକ୍ତ ବ୍ୟୟ ସକାଶେ ମହନ୍ତଙ୍କ ଧୁନିରୁ ସୁନା ବା ରୂପା ବାହାରିଥାଏ। ବାହାରର ବିଶ୍ବାସୀ କେହି ଭକ୍ତ ଏହା ପ୍ରତ୍ୟକ୍ଷ ଦେଖିଅଛନ୍ତି। ଭୁବନେଶ୍ବର ପ୍ରଭୃତି ସ୍ଥାନରୁ ବଣିଆମାନେ ଯାଇ ତାହା କିଣିଆଣନ୍ତି। କିଣାବିକା ବେଳେ ଦରଦାମ୍‌ ନାହିଁ। ସାଧୁଲୋକ, କି କଷାକଷି ଦରଦାମ୍‌ କରିବେ? କେବଳ ମହନ୍ତବାବା ଏତିକି କଥା ବୋଲି ତୁନି ହୁଅନ୍ତି, “ଦେଓକା ମାଲ, ଦେଓ ଦିଆ। ଦେଓତକା ସେବା, ତୁମାରି ଧରମ୍‌।” ବଣିଆର ଯାହା ଇଚ୍ଛା ଦେଇ ସୁନା, ରୂପା ଘେନିଯାଏ। ଏକଥା ମଧ୍ୟ ଶୁଣାଅଛି, ପ୍ରତିଦିନ ଧୁନିରୁ ଯାହା ବାହାରିବ, ପ୍ରତିଦିନ ବ୍ୟୟ କରିବାକୁ ହେବ, ବାସି ରହିଲେ ଆଉ ବାହାରିବ ନାହିଁ। ମହାବୀରକା ଏସା ହୁକୁମ। ବ୍ୟୟ ଉଣା ନୁହେଁ-କେବଳ ଗଞ୍ଜେଇ ପ୍ରତିଦିନ ଅଧସେର ଆଉ ସେଥିର ଉପଯୁକ୍ତ ଧୂଆଁପତ୍ର। ପ୍ରସାଦସେବା ନିମନ୍ତେ ଅନେକ ଗାଉଁଲି ରୁଣ୍ଡ ହୁଅନ୍ତି। ମହନ୍ତବାବାଙ୍କ ଆସନ ପାଖରେ କଦାଚିତ୍ ରାତ୍ରିରେ ବୋତଲ (କାଚକୁମ୍ଫି) ଦେଖାଯାଏ। ସେଥିରେ ଗଙ୍ଗାଜଳ ସେବା କରନ୍ତି। ଗୋଟାଏ ଗୁମ୍ଫାରେ ସାଧୁମାନଙ୍କ ସାମାନ ପୂର୍ଣ୍ଣ ଥାଏ। ସ୍ବୟଂ ମହନ୍ତ ଓ ତାହାଙ୍କ ବିଶ୍ବାସୀ ଦୁଇଜଣ ଚେଲା ଛଡ଼ା ସେ ଗୁମ୍ଫା ଧମ୍ୟକୁ ଯିବାର ଅନ୍ୟ କାହାର ଅଧିକାର ନାହିଁ।

ମହନ୍ତବାବାଙ୍କ ନାମ ମହାବୀର ଦାସ, ଦୀର୍ଘାକୃତି, ବ୍ୟାୟାମସାଧିତ ପ୍ରାୟ ମାଂସପେଶୀ ସୁଦୃଢ଼, ବଳବର୍ଦ୍ଦବତ୍‌ ବଳିଷ୍ଠ। ମସ୍ତକରେ ଦୀର୍ଘାକାର ଜଟାଭାର ଅହିରାଜ ଶିଶୁବତ୍‌ କୁଣ୍ଡଳୀକୃତ ଓ ଦେଣୀଦ୍ବାରା ସୁଦୃଢ଼ରୂପେ ଆବଦ୍ଧ। ଶ୍ମଶ୍ରୁ ଓ ନିଶ ମାତ୍ରା ଅନୁପାତରେ ଦୀର୍ଘାକାର ନୁହେଁ। ଦେହର ବର୍ଣ୍ଣ ବୋଲାଯାଇ ନ ପାରେ, କାରଣ ସ୍ଥୂଳରୂପେ ବିଭୂତିମଣ୍ଡିତ ନେତ୍ର। ଗଞ୍ଜିକା ଧୂମରେ ଜବାକୁସୁମସଙ୍କାଶ ରକ୍ତବର୍ଣ୍ଣ ଏବଂ ଚଞ୍ଚଳ। ଦୃଷ୍ଟି ନିତାନ୍ତ ତୀବ୍ର ଓ ଭୟପ୍ରଦ। କେହି ନବାଗତ ଯାତ୍ରୀ ବା ଭକ୍ତ ଉପସ୍ଥିତ ହେଲେ, ତାହାକୁ ତୀବ୍ର ଦୃଷ୍ଟିରେ ଆପାଦମସ୍ତକ ନିରୀକ୍ଷଣ କରିଥା’ନ୍ତି। ସର୍ପବେଷ୍ଟିତ ଅର୍ଦ୍ଧହସ୍ତ ପରିମିତ ଗଞ୍ଜେଇ ଚିଲମଟାଏ ମହନ୍ତଙ୍କ ହସ୍ତରେ ସର୍ବଦା ଶୋଭା ପାଉଥାଏ। ମହନ୍ତବାବାଙ୍କ ବୟସ ଅନୁମାନରେ ପଞ୍ଚାଶ ଲଗାଲଗି, ମାତ୍ର ତପସ୍ୟାରେ ସିଦ୍ଧ ସାଧୁମାନଙ୍କ ବୟସ କଳିହୁଏ ନାହିଁ। ଚେଲାମାନଙ୍କର ମୁଖରୁ ଶୁଣାଯାଏ, ବୟଃକ୍ରମ ଅଢ଼େଇଶ ବରଷ। ମହନ୍ତବାବା ମଧ୍ୟ ଭକ୍ତମାନଙ୍କଠାରେ ସେହି ଭାବରେ କଥାବାର୍ତ୍ତା କରିଥାନ୍ତି। ହଜାରେ ବରଷ ବୟସର ସାଧୁ ଦର୍ଶନ କରିବାକୁ ଯଦି କାହାର ଇଚ୍ଛା ଥାଏ, ତେବେ ବାଲେଶ୍ବର ସହର ମଧ୍ୟରେ ଦୁଧପିଆ ବାବାଜିଙ୍କୁ ଦେଖିବାକୁ ଯାଆନ୍ତୁ।

ଏହି ବାବାଜୀ ସ୍ବୟଂ ସର୍ବଦା ଲୋକମାନଙ୍କଠାରେ ପ୍ରକାଶ କରିଥାନ୍ତି, ସେ ପୁରୀ ମନ୍ଦିର ପ୍ରତିଷ୍ଠାରେ ଭୋଜି ଖାଇଥିଲେ। ମୁଗଲିଆ ଅମଳରେ ସେ ବି ଲଙ୍କାରେ ଥିଲେ। ମାତ୍ର ଦେଖିଲେ ବୟସ ଷାଠିକରୁ ଊର୍ଦ୍ଧ୍ବ ବୋଧହୁଏ ନାହିଁ। ଏହି ବାବାଜିଙ୍କର ଭାରି ମହିମା ଥିଲା, ଦିବାନିଶି ଗଞ୍ଜେଇ ଆଉ ଦୁଧ ଛଡ଼ା ଅନ୍ୟ ଦ୍ରବ୍ୟ ସେବା କରୁ ନ ଥିଲେ। ସହର ମଧ୍ୟରେ ବିଶ୍ବାସୀ ଭକ୍ତବୃନ୍ଦଙ୍କର ଅଭାବ ନାହିଁ। ଦଳ ଦଳ ଅମଲା, ମୁକ୍ତାର ମହାଜନ, ଜମିଦାର ବାବାଜିଙ୍କ ପଦତଳେ ଲୁଣ୍ଠିତ ହେଉଥିଲେ। ରାଜଭୋଗରେ ମଠର ସେବା ଚଳୁଥିଲା, ମାତ୍ର ଆଜକୁ କେତେକ ବରଷ ହେଲା ଶକ୍ତି ପ୍ରଭାବରେ ବାବାଜି ବାଳଗୋପାଳ ଘେନି ଗୃହସ୍ଥାଶ୍ରମ ଅବଲମ୍ବନ କରିଛନ୍ତି। ଭକ୍ତବୃନ୍ଦ ଅନ୍ତର୍ଦ୍ଧାନ। କଥିତ ଅଛି, ସନ୍ନ୍ୟାସୀ ଓ ମୋଗଲମାନଙ୍କ ବୟସ ଜାଣିବା ନିତାନ୍ତ କଠିନ। ଏମାନେ ନିଶ୍ଚୟ ବୟସ ସଂଖ୍ୟାରେ ଯୋଗ ବିୟୋଗ କରିଥାନ୍ତି। ଯେଉଁ ସାଧୁର ବୟସ ପଞ୍ଚାଶ, ସେ ଆଉ ଏକଶତ ସଂଖ୍ୟା ଯୋଗ କରି ଦେଢ଼ଶହ କରିବେ।

ମୋଗଲଙ୍କ ବୟସ ବିୟୋଗ। ଯାହା ବୟସ ପଞ୍ଚାଶ, ପଚାରିଲେ, ସେ ପଚିଶ ବିଯୋଗ କରି ବାକି ପଚିଶ ରଖିବେ। ଗୋଟାଏ ପୁରୁଣା କଥା ମନରେ ପଡ଼ିଲା, ପାଠକ ମହାଶୟ ବିରକ୍ତ ହୁଅନାହିଁ, ସେ କଥାଟା କିନ୍ତୁ ନ ବୋଲି ରହିପାରୁ ନାହିଁ। “କୌଣସି ସ୍ଥାନରେ ଦୁଇଜଣ ବୃଦ୍ଧ ଓ ଜଣେ ବିଂଶତି ବର୍ଷ ବୟସ୍କ ଯୁବା ମୋଗଲ ବସିଥିଲେ। କଥା ପ୍ରସଙ୍ଗରେ ପରସ୍ପର ବୟସ ବିଷୟରେ ପ୍ରଶ୍ନ ହେଲା। ଯାହାର ସତୁରି ବୟସ, ସେ କହିଲେ, ତାଙ୍କର ବୟସ ତିରିଶ।” ଦ୍ବିତୀୟ ବୃଦ୍ଧର ବୟସ ଷାଠିକରୁ ଊର୍ଦ୍ଧ୍ବ, ମାତ୍ର ପ୍ରଶ୍ନର ଉତ୍ତର ଦେଲେ- “ସାହେବ, ମେରା ଉମର ମୁଜକୁ ମାଲୁମ ନେହିଁ ହୈ, ଲେକିନ ମେରା ବଡ଼ ଭାଇକା ଉମର ତିଶକି ନଜିକ୍‌।” ଯୁବ ମୋଗଲକୁ ବୟସ ବିଷୟରେ ପ୍ରଶ୍ନ ହେବାରୁ ସେ ଉତ୍ତର ଦେଲା-“ହଜୁର, ଲୋଗ୍‌ ଉମରକା ଯୋ ହିସାବ ଲଗାଏଁ ହେଁ, ମେରା ପୟଦା ବି ହୁଆ ନେହିଁ।” ଆର୍ଥାତ୍‌ ତାହା ବୟସ ସଂଖ୍ୟାରୁ କୋଡ଼ିଏ ବାଦ୍‌ ଦେଲେ ବାକି କିଛି ରହୁ ନାହିଁ।” ଯାଉ ସେ ଅଲଣା କଥାଗୁଡ଼ାକ ଛାଡ଼, ଏବେ ପ୍ରକୃତ କଥା ଧରାଯାଉ।

Pages: 1 2