(୧)
ଶିଳାଗୃହ ଅନ୍ଧକାରବାସୀ ମୁଁ, ଜନନୀ
ଧରଣୀ, ନଥିଲି ଜାଣି, ଅଛି ଲୋ ତୋ ପୂରେ
ଏମନ୍ତ ରୂପର ଲୀଳା; ନ ବାହୁଁ ତରଣୀ
ଆଜି ଏ ଜ୍ୟୋତ୍ସ୍ନାରେ ନୀଳ ମହାନଦୀ-ପୂରେ।
ଆହା କି ବିପୁଳ ଶୋଭା ଭାସେ ଆଖି ଆଗେ,
କେମନ୍ତେ ବର୍ଣ୍ଣିବି ମୋର ମୁଗ୍ଧ ଅନୁଭବ,
ଚକ୍ଷୁ ମୋର ଅନ୍ଧ ହୁଏ ଜ୍ୟୋଛନା-ପରାଗେ,
ବାଣୀ ମୋର ନାହିଁ ପୁଟେ, ମାନି ପରାଭବ।
ଧବଳ ଉତ୍ତରୀ ସମ ରଜନୀ-ବଧୂର
ଜ୍ୟୋଛନା ବ୍ୟାପିଛି ଦୂର ଦିଗଚକ୍ର ଲାଗି,
ତଳେ ତାର ଏ ଧରଣୀ, ପ୍ରକୃତି-ମଧୁର
ହୋଇଛି ମଧୁରତର ତା’ ପରଶେ ଜାଗି।
ଆକାଶର ଖଣ୍ଡ ସମ ମହାନଦୀ ବାରି
ଚନ୍ଦ୍ରିକା ଚୁମ୍ବନ ପାଇ ଧବଳ-ଚପଳ,
ତରଳ ମୁକୁର ଅବା ଦେଇଛି କେ ପାରି,
ଦେଖିବେ ବଦନ ନଭ-ସିମନ୍ତିନୀଦଳ।
ଦୁଇକୂଳେ ବୃକ୍ଷରେଖା ଜ୍ୟୋଛନା-ଧଉତ,
ପାଣ୍ଡୁର ଆଲୋକେ ଧରି ତନ୍ଦ୍ରାଳସ ଶିରୀ
ସ୍ୱପ୍ନ-ପୁରୀ କରେ ସୃଷ୍ଟି! ଅଳସ ମରୁତ
ଜ୍ୟୋଛନା-ମଦିରାମତ୍ତ, ବହେ ଥିରି ଥିରି।
ଦୂରବାହୀ ନାଉରିର ସରଳ ସଙ୍ଗୀତ
ପବନେ ଆସଇ ଭାସି ନଦୀବକ୍ଷ ପରେ,
କ୍ଷେପଣୀ ଆଘାତେ ଦେଖ ଚନ୍ଦ୍ରିକା-ରଞ୍ଚିତ
ନଦୀ-ବାରି, ଲଷ ରୌପ୍ୟ ପୁଷ୍ପ ସୃଷ୍ଟି କରେ।
ପଶ୍ଚାତେ ପ୍ରସାର-ଶୀଳ ଶୁଭ୍ର ବାରିରାଶି
ମିଶଇଅ ଆକାଶ ତଳେ; ସମ୍ମୁଖେ ମୋହର
ଗମ୍ଭୀର ସୁନ୍ଦର ଗିରିମାଳା ଉଠେ ଭାସି
ଚନ୍ଦ୍ରିକା ଚନ୍ଦନେ ଚର୍ଚ୍ଚା ନୀଳ କଳେବର।
ଉଠିଛି ଶିଖରିମାଳା-ପଶ୍ଚାତୁଁ ଆକାଶ
ସନ୍ନ୍ୟାସିନୀ-ମୁଖ ସମ ପ୍ରଶାନ୍ତ ଧବଳ,
ତା ତଳେ ରଜନୀବଧୂ ଚନ୍ଦ୍ରିକାର ବାସ
ଉଡ଼ାଇ ଧରଣୀ କରେ ପରଶେ ଉତ୍ଥଳ।
(୨)
ହାୟ ଲୋ ଉତ୍କଳ-ଭୂମି! ପ୍ରକୃତି-ସୁନ୍ଦର;
ମନ୍ଦାକିନୀ ସମ ନଦୀ, ଶିବ ସମ ଗିରି,
କାନନେ, କେଦାରେ ଲକ୍ଷ ଶୋଭାର ବିହାର
ଥାଉଁ ତୋର, କହ କିପାଁ ଏତେ ହତଶିରୀ?
ଏ ସ୍ୱର୍ଗ ସୁଷମା ଯାର, କରିବି ବିଶ୍ୱାସ
କେମନ୍ତେ କହ ଲୋ! ତାର ଅନ୍ନର ଅଭାବ?
ସୁରାସମ ମୁଗ୍ଧ କରେ ମୋରେ ଯା ନିଶ୍ୱାସ,
ତା ଦେହେ ସମ୍ଭବେ କାହୁଁ ଦୁର୍ଦ୍ଦିନ-ପ୍ରଭାବ?
କାନନ-ଶ୍ୟାମଳ-ବାସ, ଶିଖରୀ-ମୁକୁଟ
ଚରଣ ଚୁମ୍ବଇ ମହାସାଗର-ଲହରୀ,
ଏ ବେଶେ ହୁଅଇ ଯାର ମହିମା ପ୍ରକଟ,
କେମନ୍ତେ ଭାବିବି ତାରେ ଅଭିଶପ୍ତା କରି?
ଆଜି ତୋର ଇତିହାସ-ସାକ୍ଷୀ ଏ ତଟିନୀ-
ଜଳେ ମୋ ତରଣୀ ଯେବେ ଭାସିଯାଏ ଧୀରେ
ଜନନୀ! ଗୌରବ ତୋର କଳ୍ପନା ସଙ୍ଗିନୀ
ଗୋଟି ଗୋଟି ଦ୍ରୁତେ କାଢ଼ିଦିଏ ମୋ ସ୍ମୃତିରେ।
ସେ ଦିନ ତୋ ଗିରି ସଙ୍ଗେ, ତୋର ଗଜପତି
ତୋଳିଲା ସ୍ପର୍ଦ୍ଧାରେ ତାର ଦୁର୍ଗ ଅଭ୍ରଙ୍କଷ,
ତୋହର ଏ ନଦୀ ସମ ମହା ନରପତି
ହୃଦୟେ ଉଦାର କରି ଜିଣି ନେଲା ଯଶ।
ସେ ରାଜା ଯାଇଛି ଚାଲି ଦୁର୍ଗ ତାର ନାହିଁ
ତା ସଙ୍ଗେ ଯାଇଛି ପୁଣି ସେ ବୀର ହୃଦୟ,
ତୋହରି ଅତୀତ ମା ଗୋ! ଆଜି ଥାଇ ଥାଇ
କରେ କ୍ରୁର ପରିହାସ, ଘୋର ବ୍ୟଥାମୟ।
– O –
ମାୟାଧର ମାନସିଂହଙ୍କ ଲିଖିତ ସମ୍ପୂର୍ଣ୍ଣ କବିତା-‘ମହାନଦୀର ଜ୍ୟୋତ୍ସା ବିହାର’ର ଉପରୋକ୍ତ କବିତାଟି ଏକ ଆଂଶିକ ସଂଗ୍ରହ।

