
ଫଗୁବାବୁ ଯେ ଦିନେ କ୍ଷମତାବାନ୍ ହୋଇଯିବେ ତାହା କେହି କେବେ ଅନୁମାନ କରି ନ ଥିବ। ଇତିହାସ ଏହିପରି କାହାକୁ ଉପରକୁ ଉଠାଏ, କାହାକୁ ବା ଅତଳାନ୍ତ ଖାତକୁ ଠେଲି ଫୋପାଡ଼ିଦିଏ। ହଠାତ୍ କେଉଁ ଏକ ଅଖ୍ୟାତ ଅଞ୍ଚଳରୁ ଠିଆ ହୋଇ ସେ ନିର୍ବାଚିତ ହେଲେ ଏବଂ ଦଳ ଭିତରେ ଷଣ୍ଢା ଷଣ୍ଢା ନେତାଙ୍କ କନ୍ଦଳ ହେତୁ ତାଙ୍କ କପାଳରେ ଶିକା ଛିଣ୍ଡିଗଲା। ଫଳରେ ‘ମିଡିଅମ୍ ଧୋତି ଆଉ ଇସ୍ତ୍ରିକରା ଅଧା କାମିଜ୍ର’ (ରମାକାନ୍ତ ରଥଙ୍କ ଲଣ୍ଡନ ଶୀର୍ଷକ କବିତା ଦ୍ରଷ୍ଟବ୍ୟ) ସେହି ଅତି ସାଧାରଣ ବ୍ୟକ୍ତିଙ୍କ ଉପରେ ଆଜି ମାଳମାଳ କୃପାପ୍ରାର୍ଥୀ କରଯୋଡ଼ି ଛିଡ଼ା ହୋଇଛନ୍ତି।
ତାଙ୍କ ସଙ୍ଗେ ଅଚାନକ ଅନ୍ୟ ଏକ ସହରରେ ଭେଟ ହୋଇଗଲା ଯେଉଁଠି ସେ କିଛି ଗୋଟାଏ ଉଦ୍ଘାଟନ କରିବାକୁ ଆସିଥିଲେ। ଇଏ ବି ବଡ଼ପଣର ଗୋଟିଏ ବଡ଼ ଲକ୍ଷଣ ଜାଣିବ, କାରଣ ଖୁବ୍ ବଡ଼ ନ ହେଲେ କେହି ଉଦ୍ଘାଟନ କରିବାକୁ ଡକା ହୋଇ ଆସନ୍ତି ନାହିଁ। ମୋର ବି ସେଠାରେ ଉପସ୍ଥିତ ହେବାର ନ ଥିଲା। ସେ ଗୋଟାଏ ଯୋଗ।
ସଭାରେ ସେ ଗୋଟିଏ ସଂକ୍ଷିପ୍ତ ଭାଷଣ ଦେଇ ତତ୍ପରେ କତୁରୀ ସାହାଯ୍ୟରେ ଗୋଟିଏ ନାଲିଫିତା କାଟିଥିଲେ। ଆଜିକାଲି ସଂକ୍ଷିପ୍ତ ଭାଷଣ ବେଶି ଶୁଣିବାକୁ ମିଳେ ନାହିଁ। ତେଣୁ କରତାଳି ଦ୍ୱାରା ଗୃହଟି ଅଚିରେ ମୁଖରିତ ହୋଇଥିଲା। ସଭାଗୃହ ବାହାରେ ମୁଁ ଯାହାଙ୍କ ସଙ୍ଗେ ଫେରିବାର ଥିଲା, ତାଙ୍କ ଲାଗି ଅପେକ୍ଷା କରୁଥିଲି, ଏତିକି ବେଳେ ବାଇଶଜଣ ଗୋଡ଼ାଣିଆଙ୍କ ସମେତ ଫଗୁବାବୁ ବଡ଼ ଦରଜା ଦେଇ ବାହାରି ଆସୁଥିଲେ। ମୋତେ ଦେଖି ସେ ଖାଲି କହିଲେ, ‘ଆରେ ଆରେ!’ ଏବଂ ମୋ ହାତକୁ ମୁଠାଇ ଧରିଲେ। ମୁଁ ମଧ୍ୟ ତାଙ୍କ ସଙ୍ଗରେ ସେହି ଜନପ୍ରବାହରେ ସାମିଲ୍ ହୋଇଗଲି।
କ୍ଷମତା ଯେ ଫଗୁବାବୁଙ୍କର ମୁଣ୍ଡ ବିଗାଡ଼ି ଦେଇ ନାହିଁ, ଏଯାକେ ନିଜର ପରିଚିତିମାନଙ୍କୁ ସେ ଚିହ୍ନି ପାରୁଛନ୍ତି, ପଦେ ଦୁଃଖସୁଖ ବି ହେଉଛନ୍ତି, ଏତିକି ଦେଖି ମୁଁ ମୁଗ୍ଧ ହୋଇଗଲି। କ୍ଷମତାସଂପନ୍ନ ଲୋକଙ୍କ ଭିତରେ ଏସବୁ ମାନବିକ ଗୁଣ ଆଜିକାଲି କୋଉଠି ଦେଖିବାକୁ ମିଳୁଛି? ତାଙ୍କର ସରକାରୀ ବାହନରେ ଆରୋହଣ କରୁ କରୁ ଫଗୁବାବୁ ମୋତେ ବାରମ୍ବାର କହିଲାଗିଲେ, ମୁଁ ଯେପରି ସମୟ କରି ତାଙ୍କର ରାଜଧାନୀର ବସାକୁ ଆସେ ଓ ତାଙ୍କ ସାଙ୍ଗେ ଦି’ପଦ ଗପସପ ହୁଏ। ମୋ ସଙ୍ଗେ ଫଗୁବାବୁଙ୍କର ସେମିତି କିଛି ଅନ୍ତରଙ୍ଗତା ନ ଥିଲା, ଏଣେ ମୁଁ ମଧ୍ୟ ଏମିତି କିଛି ଧର୍ତ୍ତବ୍ୟ ମନୁଷ୍ୟ ନୁହେଁ, ତାହା ସତ୍ତ୍ୱେ ସେ ମୋତେ ଏତେ ସ୍ନେହରେ ଆମନ୍ତ୍ରଣ କରିଥିଲେ, ଏତେ ସୁନ୍ଦର ବ୍ୟବହାର କରିଥିଲେ, ଏହା ଦେଖି ମୁଁ କିଣି ହୋଇଯାଇଥିଲି।
ତାଙ୍କର ମୋ ସଙ୍ଗେ ସୁମିଷ୍ଟ ବ୍ୟବହାର ଦେଖି ତାଙ୍କର ପାଖଲୋକ ମଧ୍ୟ ମୋତେ ସାର୍ ସାର୍ ଡାକିଲେ। ମୋର କେହି କେହି ସହକର୍ମୀ ମଧ୍ୟ ଦୂରରୁ ଏହି ଆଲୌକିକ ଦୃଶ୍ୟଟି ଦେଖୁଥିଲେ। ପରେ ତାଙ୍କଠାରୁ ଶୁଣିଲି, ମୁଁ କୁଆଡ଼େ ଗୋଟେ ‘ଛୁପେ ରୁସ୍ତମ୍’। ସଦାବେଳେ ମୋ ସଙ୍ଗେ ଫାଇଲୀୟ ଖଗଡ଼ା ଲଗାଉଥିବା ମୋର ଅଳ୍ପ କନିଷ୍ଠ ସହକର୍ମୀ ମୁଥୁସ୍ୱାମୀ ମୋତେ ଶୁଣାଇ ଶୁଣାଇ କହୁଥିବାର ଶୁଣାଗଲା, ରାଜନୀତିକ ପୃଷ୍ଠପୋଷକତା ହିଁ ମୋର ସକଳ ଔଦ୍ଧତ୍ୟର ମୁଳସୂତ୍ର।
ଏହି ଘଟଣର ଦୁଇମାସ ପରେ ମୋତେ ଫଗୁବାବୁଙ୍କ ସହରକୁ ଯିବାର ସୁଯୋଗ ମିଳିଗଲା। ମୁଁ ତାଙ୍କ ପାଖକୁ ଯିବାକୁ ଢେର୍ ଇତସ୍ତତଃ ହେଲି। ଶେଷରେ ତାଙ୍କର ସେହି ଅମାୟିକ ଓ ସସ୍ନେହ ବ୍ୟବହାର ତଥା ମଦୀୟ ଦପ୍ତରର କେତେକ ଅବିଚାର କଥା ସ୍ମରଣ କରି ତାଙ୍କର ବଙ୍ଗଳା ଆଡ଼କୁ ଚାଲିଲି। ମୋର ଯେଉଁ ଆତ୍ମୀୟ ମୋ ପାଖକୁ ଦେଖା କରିବାକୁ ଆସିଥିଲେ, ସେ ମୋର ଗନ୍ତବ୍ୟସ୍ଥଳ କଥା ଶୁଣି ବେଶ୍ ଆଖିଦୃଶିଆ ଭାବେ ପ୍ରଭାବିତ ଜଣାଗଲେ। ଯେବେ ମୁଁ ସୁଯୋଗ ପାଏ, ତାଙ୍କର ପୁଅଟି ବିଜ୍ଞାନରେ ଯୋଗ୍ୟତା ହାସଲ କରି ବେକାର ବସିରହିଛି, ସେ କଥାଟି ଯେପରି ଫଗୁବାବୁଙ୍କ କାନରେ ପକାଇଦିଏ, ସେହି ପ୍ରତିଶ୍ରୁତି ଦେଲି। ମୋର ଆତ୍ମୀୟ ଆକଟ କରି କହିଲେ, ଖାଲି ହାତରେ ବଡ଼ ବଡ଼ ଲୋକଙ୍କ ସାଙ୍ଗରେ ଦେଖା କରିବା ଠିକ୍ ନୁହେଁ ଏବଂ ସେ ତତ୍କ୍ଷଣାତ୍ ଅଧକିଲୋ ଛେନାପୋଡ଼ ବନ୍ଧାଇ ଗୋଟିଏ ଭୋଗେଇରେ ମୋ ହାତରେ ଧରାଇଦେଲେ। ସେ କହିଲେ, ଫଗୁବାବୁଙ୍କୁ ନିଜ ହାତରେ ଯେପରି ମୁଁ ମିଠାଟା ଦିଏ, କିଏ କେତେ ଚିଜ ଦେଇଥାନ୍ତି, ସେଇ ଗଦା ଭିତରୁ ମୁଁ କ’ଣ ଦେଲି, ସେଇଟା ଆଖିରେ ପଡ଼ିବ ନାହିଁ।
ଆମ ଗାଁର ଭଜିଆ ଗୁଡ଼ିଆ କୁଆଡ଼େ ତା’ ଜୋଇଁର ଟ୍ରାନ୍ସଫର୍ ରୋକାଇବାକୁ ଦୁଇଟା କିଲିକିଆ ଛେନା ପୋଡ଼ପିଠା ତିଆରି କରି ସମ୍ପୃକ୍ତ ବିଭାଗର କୌଣସି ବଡ଼ ଅଫିସରଙ୍କୁ ଦେଇଥିଲା। ତେଣୁ ମିଠାର ଆଦର ସବୁଠାରେ ଅଛି ବୋଲି ଏକ ବଦ୍ଧମୂଳ ଧାରଣା ସମସ୍ତଙ୍କର ଅଛି। ତଥାପି ସୁଦାମାଙ୍କର ଖୁଦ ଚାଉଳ ଭଳି ଭୋଗେଇଟି ଧରି ଫଗୁବାବୁଙ୍କ ବଙ୍ଗଳାରେ ଓହ୍ଲାଇବା ବେଳକୁ ଲାଜ ଯେ ଲାଗୁ ନ ଥିଲା ତାହା ନୁହେଁ।
ବିରାଟ ହତା। କେଉଁପଟେ ଦର୍ଶନାର୍ଥୀମାନେ ଯାଆନ୍ତି ପଚାରି ପଚାରି ଗୋଟିଏ ପ୍ରବେଶଦ୍ୱାର ପାଇଗଲି। ସେଠାରେ ଗୋଟିଏ ପୁରୁଣା ଟେବୁଲ୍ ସାମ୍ନାରେ ଟେଲିଫୋନ୍ ଧରି ତାଙ୍କର ବ୍ୟକ୍ତିଗତ ସହାୟକ ମହୋଦୟ ବସିଥିଲେ। ସେ ଲୋକମାନଙ୍କୁ କାଗଜରେ କ’ଣ ଲେଖାଉଥାନ୍ତି ଆଉ ସେମାନଙ୍କୁ ଆଉ ଗୋଟିଏ ଘର ଭିତରକୁ ପଠାଉଥାନ୍ତି। ସକାଳ ଆଠଟା ବାଜିଯାଇଥିଲା, କିନ୍ତୁ ବହୁତ ଭିଡ଼ ହୋଇଥାଏ। ଜଣାଗଲା, ଫଗୁବାବୁ ବାଥ୍ରୁମ୍ରେ ଅଛନ୍ତି। ମୋତେ ଗୋଡ଼ଠାରୁ ମୁଣ୍ଡ ଦିପଟା ଅନାଇନେଇ ସହାୟକ ବାବୁ ଖଣ୍ଡିଏ କାଗଜ ବଢ଼ାଇଦେଲେ। ତହିଁରେ ମୁଁ ନାମ ଲେଖିଲି, କିନ୍ତୁ ‘ଉଦ୍ଦେଶ୍ୟ’ ସ୍ଥାନରେ କିଛି ଲେଖିବାକୁ ନ ଥିଲା। ମୋର ଇତସ୍ତତଃ କରୁଥିବା ଭାବ ଦେଖି ସହାୟକ କହିଲେ ‘ବ୍ୟକ୍ତିଗତ ସାକ୍ଷାତ୍କାର’ ଲେଖିବାକୁ।
ଆର ଘରଟିରେ ନାନା ରକମର ଲୋକ ବସିଥାନ୍ତି। ତିଳାର୍ଦ୍ଧ ଧାରଣର ସ୍ଥାନ ନାହିଁ। ଜଣେ ତରୁଣୀ ବଡ଼ ବ୍ୟସ୍ତ ଭାବରେ ଗୋଟିଏ ଦରଖାସ୍ତ ଲେଖୁଥାନ୍ତି, ସମ୍ଭବତଃ ତାଙ୍କର ସ୍ୱାମୀଙ୍କ ବଦଳି ସମ୍ବନ୍ଧରେ। ପଞ୍ଝାଏ ମଫସଲିଆ ଲୋକ ତାଙ୍କୁ ଅଣିଥିବା ମାମଲତକାରଙ୍କଠାରୁ କ’ଣ କ’ଣ କଥା କହିବେ, ତାହାର ଅଭ୍ୟାସ କରୁଥାନ୍ତି। ସେ ଘରର ଆରପଟେ ଗୋଟିଏ ଦରଜା ସାମ୍ନାରେ ଜଣେ ଚପ୍ରାସୀ ଗୋଟିଏ ଟୁଲ୍ ଉପରେ ବସି ଢୁଳାଉଥାଏ, ତାହାର ହୁକୁମ ହେଲେ ଲୋକେ ଆରପଟକୁ ଯିବେ। ଜଣେ ଖଦଡ଼ ପିନ୍ଧା ହୃଷ୍ଟପୁଷ୍ଟ ବ୍ୟକ୍ତି ତା’ର କାନରେ କ’ଣ କହୁଥାନ୍ତି। କାହାରି ହାତରେ ଛେନା ପୋଡ଼ପିଠା ନାହିଁ, କେବଳ ମୋହରି ପାଖରେ ମାଛି ଭଣଭଣ ହେଉଛନ୍ତି ବୋଧକରି ମୁଁ ପଦାକୁ ଚାଲିଆସିଲି। ସହାୟକ ବାବୁ ଆଉ ଜଣକୁ ବୁଝାଉଥିଲେ, ଆଜି ଅନ୍ୟ ଏକ ସହରକୁ ଯିବାକୁ ଥିବାରୁ ଫଗୁବାବୁଙ୍କ ଭେଟ ମିଳିବ ନାହିଁ। ତଥାପି ସେ ଚେଷ୍ଟା କରି ଦେଖିପାରନ୍ତି। ଆଉ ଜଣେ ଖୁବ୍ କାକୁସ୍ଥ ହୋଇ କହିଲେ, ଆଜି ଗାଡ଼ି ଧରିବାକୁ ଅଛି, ଦୁଇମିନିଟ୍ରୁ ବେଶି ଲାଗିବ ନାହିଁ, ଖାଲି ପଦେ କଥା କହି ସେ ବାହାରିଯିବେ। ସହାୟକ ବାବୁ କହିଲେ ଫଗୁବାବୁ ବାଥରୁମ୍ରୁ ବାହାରି ନାହାଁନ୍ତି, ସେ ନିରୁପାୟ। ମୋର ଏକାନ୍ତ ଅନୁରୋଧ ଯୋଗୁଁ ମୋର ଉପସ୍ଥିତି ମଧ୍ୟ ଫୋନ୍ ଯୋଗେ ଜଣାଇ ଦିଆଗଲା।
ଘଣ୍ଟାଏ ବିତିଗଲାଣି। ନିଶ୍ଚୟ ଫଗୁବାବୁଙ୍କ କୋଷ୍ଠବଦ୍ଧତା ରହିଛି। ଭେଟ ହେଲେ ତ୍ରିଫଳା ଚୂର୍ଣ୍ଣ ଖାଇବାକୁ ପରାମର୍ଶ ଦେବି ସ୍ଥିର କଲି। ସମସ୍ତଙ୍କୁ କିଛି କିଛି ସୁବଚନ କହିବା ମୋର ବଦ୍ଖୋଇ। ଏତିକିବେଳେ ବଜର୍ ବାଜିଲା ଓ ଫଗୁବାବୁ ଦୂର ସହରର କୌଣସି କଲେକ୍ଟରଙ୍କ ସଙ୍ଗେ କଥା ହେବାକୁ ଚାହିଁଲେ। ତାଙ୍କର ବାଥ୍ରୁମ୍ ମଧ୍ୟରେ ଟେଲିଫୋନ୍ ଆଦିର ବ୍ୟବସ୍ଥା ଥିବ। ଏହିପରି ଆମ୍ଭେମାନେ ଏକବିଂଶ ଶତାବ୍ଦୀକୁ ଚାଲିଯିବାକୁ ପ୍ରସ୍ତୁତ ହେଉଛୁ ଜାଣି ଉଲ୍ଲସିତ ହେଲି।
ଅଧଘଣ୍ଟା ମଧ୍ୟରେ ଗୋଟିଏ ଗାଡ଼ି ଆସି ପହଞ୍ଚିଲା। ବ୍ୟସ୍ତ ଭାବରେ ତହିଁରୁ ଦୁଇ ଚାରିଜଣ ବାହାରି ଆସିଲେ। ଫଗୁବାବୁଙ୍କ ବାହନଟି ଆସି ସେହି ଗାଡ଼ି ପଛରେ ଠିଆହେଲା। ଭିତରୁ ଭିଡ଼ ଠେଲି, ଚତୁର୍ଦ୍ଦିଗରେ ପ୍ରତି ନମସ୍କାର ଓ ଚିହ୍ନା ଚିହ୍ନା ହାସ୍ୟ ବିତରଣ କରୁ କରୁ ଫଗୁବାବୁ ତାଙ୍କ ବାହନରେ ଆରୋହଣ କଲେ। ମୁଁ ସହାୟକ ବାବୁଙ୍କୁ ନେହୁରା ହୋଇ ବାରମ୍ବାର ଅନୁରୋଧ କଲି, ସେ ମୋତେ ଫଗୁବାବୁଙ୍କ ଗାଡ଼ିପାଖକୁ ଯିବାକୁ ଅନୁମତି ଦେବା ସଙ୍ଗେସଙ୍ଗେ ତାଙ୍କୁ ଦଣ୍ଡେ ରହିଯିବାକୁ ଇଙ୍ଗିତ କରନ୍ତୁ, ମୁଁ କେବଳ ଭୋଗେଇଟି ତାଙ୍କୁ ଦେଇଦିଏ। ସେ ହାତେ ଲମ୍ବର ଜିଭ କାଢ଼ି ଏହା କିପରି ଅସମ୍ଭବ, ତାହା ଜଣାଇଲେ। ଫଗୁବାବୁଙ୍କ ବାହନଟି ଚାଲିଗଲା ପରେ ଅନ୍ୟ ସମସ୍ତଙ୍କ ପରି ମୁଁ ମଧ୍ୟ ଫାଟକ ବାହାରକୁ ଆସିଲି।
ଏହି ଗଳ୍ପଟି ଅନେକ ବର୍ଷ ପୂର୍ବେ ଲେଖାଯାଇଥିଲେ ମଧ୍ୟ ଏହାର ପ୍ରାସଙ୍ଗିକତା ସାମ୍ପ୍ରତିକ ସମୟରେ ରହିଛି।