‘ପୁଅକୁ ପକା, ଝିଅ ଥିଲେ ମୋର ଷାଠିଏ ଟଙ୍କା’- ଏ ପ୍ରବାଦଟି ଆମ୍ଭେ ପିଲାବେଳେ ଗାଁର ଜଣେ ଦି’ ଜଣ ମାଉସୀ ସ୍ଥାନୀୟା ଭଦ୍ରମହିଳା କହିବାର ଶୁଣିଥିଲୁ। ଏହା କହିବାବେଳେ ସେମାନଙ୍କ ମୁହଁର ପ୍ରସନ୍ନତା ଏବେ ବି ମନେପଡ଼ୁଛି। ଅବଶ୍ୟ ସେତେବେଳେ ଏ ପ୍ରକାରର ଢଗଢମାଳି ଭିତରକୁ ଯାଇ ତନ୍ନ ତନ୍ନ କରି ପରୀକ୍ଷା କରିବା ଏବଂ ତା’ର ଅର୍ଥ ଓ ପ୍ରଭାବ ବୁଝିବା ଭଳି ମଗଜ ଆମ୍ଭର ନ ଥିଲା ବୋଲି ଏବେ କହିବାରେ କିଛି ସଙ୍କୋଚ ନାହିଁ। ପରେ ଯେତେବେଳେ ମଗଜରେ ମସଲା ଜାତୀୟ ପଦାର୍ଥ କିଛି ପରିମାଣରେ ପଶିଲା ସେତେବେଳେ ଏହି ଢଗଟିର ଅର୍ଥ ବୁଝିବାକୁ ଚେଷ୍ଟା କରନ୍ତେ ଜଣାପଡ଼ିଲା ଯେ, ପୁଅଠାରୁ ଝିଅକୁ ଅଧିକ ଗୁରୁତ୍ୱ ଦିଆଯାଇ ଏହା ବୋଲାଯାଇଥାଏ। ସାଧାରଣତଃ ପୁଅପିଲାମାନେ ପ୍ୟାଣ୍ଟସାର୍ଟ ପିନ୍ଧିବା ପାଇଁ ଜନ୍ମଗତ ଲାଇସେନ୍ସ ପାଇଥିବାର ଗର୍ବରେ ଉତଫୁଲ୍ଲ ହୋଇ ଏପରି ଅନେକ କାଣ୍ଡ ଘଟାଇଥାନ୍ତି, ଯଦ୍ୱାରାକି ସେମାନେ ଅନାୟାସେ ଅଭିଭାବକଙ୍କର ଜ୍ୱଳନ୍ତ ଦୃଷ୍ଟିର ଶିକାର ହୋଇଥାନ୍ତି। ଅନ୍ୟ ଦିଗରେ ଝିଅପିଲାମାନେ ସ୍ୱାଭାବତଃ ଶାନ୍ତ ଓ ସମୟତକ ମସଲା ବାଟିବା, ବାହାରେ ଗୋବରପାଣି ଦେବା, ସାନ ଭାଇଭଉଣୀମାନଙ୍କୁ ଖେଳାଇବା, ଇତ୍ୟାଦି କର୍ମରେ ବୋଉମାନଙ୍କୁ ଅକୁଣ୍ଠ ସାହାଯ୍ୟ କରିବାରେ ବିତାଉଥିବାରୁ ସେମାନଙ୍କୁ ଯତ୍କିଞ୍ଚିତ୍ ଉତ୍ସାହିତ କରିବାର ମହତ ଉଦ୍ଦେଶ୍ୟରେ ହିଁ ତଥା-ଉପକୃତା ବୋଉମାନେ ଏ ଧରଣର ଢଗମାନ ବୋଲିଥାନ୍ତି।
ଯେଉଁ କାଳରେ ଏ ପ୍ରବାଦ ସୃଷ୍ଟି ହୋଇଥିଲା, ସେ କାଳରେ ଷାଠିଏ ଟଙ୍କା ବୋଇଲେ ବହୁତ କିଛି ବୁଝାଉଥିଲା। ତେଣୁ ଏତେ ପରିମାଣର ଧନ ସହିତ ତୁଳନା କରି ଝିଅକୁ ପରିବାରରେ ଉଚ୍ଚ ମର୍ଯ୍ୟାଦା ଦିଆଯାଉଥିଲା। ବର୍ତ୍ତମାନ ଯୁଗରେ କିନ୍ତୁ ଏହା ଓଲଟା। ଅବଶ୍ୟ କେହି ବାପାବୋଉ ଆଜିକାଲି ଏ ଢଗଟି ଆଉ ବୋଲୁନାହାଁନ୍ତି। ବରଂ କନ୍ୟାଦାୟରେ ସନ୍ତୁଳିତ ହେଉଥିବା ଜଣେ କନ୍ୟାପିତା କହିବାର ଶୁଣାଯାଇଥିଲା ‘ଝିଅକୁ ପକା, ଝିଅଥିଲେ ଖର୍ଚ୍ଚ ଷାଠିଏ ହଜାର ଟଙ୍କା’। ସେ ଜଣେ ମାଷ୍ଟ୍ରିଆ ଲୋକ ହୋଇଥିବାରୁ, ଜଣେ ଶିକ୍ଷାକର୍ମୀ କିମ୍ବା ଅତିବେଶିରେ ପ୍ରାଥମିକ ଶିକ୍ଷଟିଏକୁ ଜୋଇଁ କରିବାର ଆଶା ରଖିଥିବାରୁ ଜୋଇଁର ଦାମ୍ ଷାଠିଏ ହଜାର ଟଙ୍କା ବୋଲି ଆନ୍ଦାଜ କରିଥିଲେ।
ଟିକିଏ ଉଚ୍ଚ ମଧ୍ୟବିତ୍ତ ପରିବାରରେ ଯେଉଁଠି ‘ପେଟେ ଭୋକ ମୁହେଁ ଲାଜ ଥାଏ, ସେଇଠି ଝିଅଟିଏ ବାହାହେଲେ ଷାଠିଏ ହଜାରରୁ ଅଧିକ ଖର୍ଚ୍ଚ ଅବଶ୍ୟ ହୁଏ। ପୁଣି ଠିକ୍ ସମୟରେ ଠିକଣା ପାତ୍ରକୁ ଝିଅଟି ବାହା ହୋଇପାରିବ ବୋଲି ଭରସା ନ ଥାଏ। ଏଥିପାଇଁ କେତେ ଗ୍ରାମ, ଜନପଦ ତଥା ସହରାଦି ଭ୍ରମଣ ପୂର୍ବକ ପକେଟ୍ରୁ କିଛି ରାଶି ଖର୍ଚ୍ଚ କରିବାକୁ ହୁଏ। ଅତଃ ଇଦାନିଂ ଝିଅ ପ୍ରତି ଯେତିକି ସାମାଜିକ ଦରଦ ପୂର୍ବରୁ ଥିଲା, ବହୁଧା କମିଯାଇଛି। ଏ ସମ୍ପର୍କରେ ବହୁତ କିଛି ପ୍ରବନ୍ଧ, ନିବନ୍ଧ, ଆଲୋଚନା ଓ ସମାଲୋଚନା ଖବରକାଗଜ ଓ ପତ୍ରପତ୍ରିକାଦିରୁ ପାଠ କରି ଆମ୍ଭର ଭାବାନ୍ତର ଜାତ ହେଲା। ଝିଅମାନଙ୍କ ପ୍ରତି ହେଉଥିବା ହତାଦର ଓ ଅନାଦର ସମ୍ପର୍କରେ ଜାଣି ଆମ୍ଭ ହୃଦୟ କନ୍ଦରରେ ଅସରପାଟିଏ ପଶିଯାଇ ଖୁଜୁରୁ ବୁଜୁରୁ ହେବା ଭଳି ଲାଗିଲା। ତେଣୁ ବହୁ ସମୟ ଭାବିବା ପରେ ଆମ୍ଭେ ଏହା ଲେଖୁଅଛୁ କି ଝିଅମାନଙ୍କ ପ୍ରତି ଏପରି ଭାବ ପୋଷଣ କରିବା ଆଦୌ ଠିକ୍ ହେଉନାହିଁ।
ଝିଅଟିକୁ ଯେତେ ହତାଦର କରନ୍ତୁ ପଛକେ ତା’ସହିତ ଏପରି କେତେକ ଉପମା ସଂଶ୍ଳିଷ୍ଟ ଯେ, ସେଗୁଡ଼ିକ ଏବେ ବି ବ୍ୟବହୃତ ହେଉଛି। ଝିଅଟିକୁ ବୋଲାଯାଏ ‘କନ୍ୟାରତ୍ନ’ ଓ ‘ସୁନାନାକୀ’। ପୁଅକୁ ଅତିବେଶୀରେ ବୋଉମାନେ ‘ମୋ ଧନରେ’ କହିଥାନ୍ତି। କିନ୍ତୁ ଝିଅକୁ ରତ୍ନ ବୋଲିଥାନ୍ତି। ଫରକ୍ କେତେ ଦେଖନ୍ତୁ। ପୁଅପିଲାମାନେ ଚାକିରି କରିବାଯାଏ ବାପାମାଆଙ୍କ କେବଳ ଅର୍ଥଶ୍ରାଦ୍ଧ କରିଥାନ୍ତି। ଛୋଟବେଳେ ସ୍କୁଲ୍ରେ ଓ ଘରେ ଦୁଷ୍ଟାମି କରନ୍ତି। ହାଇସ୍କୁଲ୍ରେ ପଢିବାବେଳେ ଅସମ୍ଭାଳ ହୁଅନ୍ତି ଏବଂ କଲେଜ୍ ପଢିବାବେଳେ ପାଠ ଅପେକ୍ଷା ଶାଠ ବହୁତ ଅଭ୍ୟାସ କରନ୍ତି। ଏହି ଶାଠ ମିଶା ପାଠ ସରିଯିବା ପରେ ଚାକିରି କରିବାଯାଏ ଦାଢି ଛାଡନ୍ତି, ପାନଦୋକାନ ନିକଟରେ ଠିଆହୋଇ ଗୁଲିଗପ ଜମାନ୍ତି। ଘରୁ ସବୁବେଳେ ମୁକ୍ତି ପାଇବାର ସୁଯୋଗ ଉଣ୍ଡୁଥାନ୍ତି। ଦୈବାତ୍ ବାପାଙ୍କ ସହ ଦେଖା ହୋଇଗଲେ ଗାରଡେଇ କରି ଚାହାନ୍ତି ଓ ବୋଉଠାରୁ ନେହୁରା ହୋଇ ପଇସା ନେଇ ଉଡ଼ାନ୍ତି। ଫଳତଃ ବାପାଙ୍କ ରକ୍ତଚାପ ବଢ଼େ ଓ ପଚାଶ ଛୁଇଁବା ପୁର୍ବରୁ ସମସ୍ତ କେଶ ଧଳା ହୋଇ ସାରିଥାଏ।
କିନ୍ତୁ ପରିବାରରେ ଝିଅଟିର କଥା ଅଲଗା। ପଢ଼ାପଢ଼ି ସହ ବୌଉଙ୍କୁ ଦୈନନ୍ଦିନ କାର୍ଯ୍ୟରେ ସାହାଯ୍ୟ କରିଥାଏ। ଝିଅଟିର ବୟସ ବଢିବା ସହ ବୋଉମାନଙ୍କ କାମ କମି କମି ଯାଉଥାଏ। ଫଳତଃ ଘରେ ଯଦି ବଢ଼ିଲା ଝିଅଟେ ଅଛି, ତେବେ ସ୍ଥଳ ବିଶେଷରେ ଚାକରାଣୀ ଆଉ ରଖିବାକୁ ପଡ଼େନାହିଁ। ଅଧିକାଂଶ କାର୍ଯ୍ୟ ଝିଅମାନଙ୍କ ମୁଣ୍ଡରେ ଲଦିଦେଇ ବୋଉମାନେ ପଡ଼ିଶା ଘରର ସ୍ତ୍ରୀ ସଙ୍ଗରେ ‘ହଇହେ କୁନାବୋଉ…..ଆଜି ଟୁନା ବାପା କହୁଥିଲେ କି…., ଜାତୀୟ ବାର୍ତ୍ତାଳାପରେ ସମୟ ବିତାଇବାକୁ ଭୁଲି ନ ଥାନ୍ତି। ଅତଃ ଝିଅମାନେ ସେମାନଙ୍କ ପାଇଁ ଯାହା ଖର୍ଚ୍ଚ ହୁଏ ତା’ର ବହୁ ଅଂଶ କାମକରି ଶୁଝିଦିଅନ୍ତି। ଏହା ହେଲା ଝିଅମାନଙ୍କଠାରୁ ଲବ୍ଧ ସୁବିଧାର ଅର୍ଥନୈତିକ ଦିଗ। ବାହାହୋଇ ଯିବାପରେ ବି ଝିଅଟିଏ ବାପାବୋଉଙ୍କ ପ୍ରତି ଭକ୍ତି ଓ ପ୍ରେମ ଅତୁଟ ରଖିଥାଏ। ଶାଶୁ ଘରେ ‘ମୋ ବୋଉ ଏମିତି କରେ….ମୋ ବାପା ସେମିତି କହନ୍ତି….’ ଇତ୍ୟାଦି କହି ଫି କଥାରେ ବାପାବୋଉଙ୍କୁ ସ୍ମରଣ କରିବା ଏବଂ ସ୍ୱାମୀ ନିକଟରେ ରାଜଭୋଗ ପାଇ ଚଳୁଥିଲେ ହେଁ, ବାପର କୁଡ଼ିଆ ଘରକୁ ଆସିଲେ ସ୍ୱର୍ଗସୁଖ ଅନୁଭବ କରୁଥିବା ଏହାର ଜ୍ୱଳନ୍ତ ଉଦାହରଣ।
ପ୍ରତ୍ୟେକ ଝିଅ ନିଜର ପୈତୃକ ନାମକୁ ବଢ଼ାଇ କହନ୍ତି। ପ୍ରକାରାନ୍ତରେ ପୁଅଟିଏ ବାହା ହୋଇଯିବା ପରେ ବାପା ବୋଉଙ୍କ ପ୍ରତି ଥିବା ଆଦର ଆସ୍ତେ ଆସ୍ତେ କମିଯାଏ। ବାପାବୋଉଙ୍କ ପ୍ରତି ସେମାନଙ୍କ ଏତାଦୃଶ ଅବହେଳାକୁ ନୈତିକ ରୂପ ଦେବାକୁ ଯାଇ କେତେକ ଯୋଗ୍ୟ ପୁଅ ଏହା କହିବାର ଆମ୍ଭେ ଶୁଣିଅଛୁ ଯେ, “ଆରେ ଭାଇ ବାହା ହୋଇଯିବା ପରେ ମୋର ବି’ତ ଗୋଟେ ପରିବାର ଅଛି, ମୋର ବି’ତ ଗୋଟାଏ ଭବିଷ୍ୟତ ଅଛି, ତାହା ତ’ ପୁଣି ଦେଖିବାକୁ ପଡ଼ିବ”। ଯେମନ୍ତ ବାପାମା’ ସେମାନଙ୍କ ତଥା ବର୍ଣ୍ଣିତ ପରିବାରର ଅଂଶବିଶେଷ ନୁହନ୍ତି କିମ୍ବା ସେମାନଙ୍କ ଭବିଷ୍ୟତର ଅନ୍ତରାୟ ଅଟନ୍ତି। ଏ ଦୃଷ୍ଟିରୁ ଝିଅମାନେ ହିଁ ଢେର୍ ଭଲ ଆମ୍ଭେ କହିବୁ। ଝିଅଟିଏ ଘରେ ଥିଲେ ପ୍ରକୃତରେ ଭଲ। ପରିବାରର ସମସ୍ତଙ୍କ ପାଇଁ ସୁଇଟର୍ଠୁଁ ଘର ସଜାଇବା ଜାତୀୟ ପ୍ରତି କାମ ତା’ ମୁଣ୍ଡରେ ଲଦି ଦେଇହୁଏ।
ଏତଦ୍ଭିନ୍ନ ଆଉ ଏକ ଉପକାର ବି ଅଛି ଝିଅମାନଙ୍କ ଦ୍ୱାରା। ଏ କଥାଟି ଅବଶ୍ୟ ଆମ୍ଭେ ଆମ୍ଭର ଜଣେ ଟାଉଟରଧର୍ମୀ ସୁହୃଦ୍ଙ୍କଠାରୁ ଶୁଣି ଏଠାରେ ବ୍ୟାଖାନ କରୁଅଛୁ। ଆଜିକାଲି ଯୌତୁକ ସମସ୍ୟା ଯେପରି ତୀବ୍ରତର ହୋଇଛି, ତାହାର ନିରାକରଣ ବିବାହିତା ଝିଅମାନଙ୍କଠାରେ ହିଁ ଅଛି ବୋଲି ବନ୍ଧୁଜଣଙ୍କ କହିଲେ। ଏଥିପାଇଁ କନ୍ୟାପିତାଙ୍କ ନିକଟରେ କିଞ୍ଚିତ୍ ପରିମାଣରେ ଟାଉଟରୀ ନାମକ ମହାନ୍ ଗୁଣଟି ଥିବା ଚାହି। ଝିଅଟିକୁ ବାହାଦେବା ବେଳେ ଯୌତୁକର ଯେଉଁ ଅଂଶ ନିକଟ ଭବିଷ୍ୟତରେ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ତାହା ନ ଦେବା ପାଇଁ ଏକ ସୁନ୍ଦର ଉପାୟ କୁଆଡ଼େ ଅଛି। ବାହା ଦେବାର ପ୍ରାୟ ଦୁଇ ମାସ ମଧ୍ୟରେ ଝିଅ ବାପାଙ୍କ ନାଁରେ ଚିଠିଟିଏ ଏମନ୍ତ ଲେଖିବ, ‘‘ବାପା ଏଠାରେ ମୋତେ ଭଲ ଲାଗୁନାହିଁ…… ସଦାବେଳେ କାନ୍ଦ ଲାଗୁଛି। ମୋତେ ଶାଶୁ ଏୟା କହିଛନ୍ତି, ନଣନ୍ଦ ସେୟା କହୁଛନ୍ତି, ଆଉ ତାଙ୍କ କଥା ଛାଡ଼ …. ଇତ୍ୟାଦି ଇତ୍ୟାଦି।” ବାସ୍ ଏଇତକ କାଫି ବାକିଥିବା ଯୌତୁକ ମାଫ୍ କରିବା ପାଇଁ।
କନ୍ୟାପିତାଙ୍କ ଯଦି ଦଶମିକ କିଛି ପରିମାଣରେ ଅକଲ ଥିବ, ତେବେ ସେ ଏ ଚିଠିଟି ନେଇ ନିକଟ ଲଭ୍ୟ ପୁଲିସ୍ ଥାନାରେ ଦେଇଦେବେ ଏବଂ ତଦୁତ୍ତାରେ ମାମୁଁସ୍ଥାନୀୟ ପୁଲିସ ସିଧା ଯାଇ ହାଜର ହେବେ ଜୋଇଁପୁଅ ପାଖରେ। ଅଭିଯୋଗ-ଯୌତୁକ ନ ଆଣିଥିବାରୁ ବୋହୂ ଉପରେ ଅତ୍ୟାଚାର, ଜୀବନ ପ୍ରତି ଆଶଙ୍କା। ଯଦି ଭଦ୍ର ଓ ସାଦାସିଧା ସମୁଦୀ ଘର ହୋଇଥାନ୍ତି ତେବେ ପଚରା ଉଚୁରା ଯଥେଷ୍ଟ। ଯଦି ଟିକିଏ ଅମଣିଆ ହୋଇଥାନ୍ତି ତେବେ ଥରୁଟେ ଥାନାକୁ ନେଇ ନାଲିଆଖି କରିବା ବିଧେୟ। ବାସ୍ ଏତିକିରେ ବାପାଙ୍କ ସମସ୍ୟାର ସମାଧାନ ଓ ଯୌତୁକ ନ ଦେବା ପାଇଁ ଅନ୍ୟ ବରପିତାମାନଙ୍କୁ ସତର୍କବାଣୀ ବି ହୋଇଗଲା। ଏସବୁ ବାଦ୍ ଆହୁରି ଅନେକ ଉପକାର ଅଛି ଝିଅଙ୍କଠୁ। ଏଥିପାଇଁ ‘ଦୁହିତା ଦୁଇ କୁଳକୁ ହିତା’ ବୋଲି ଶାସ୍ତ୍ର ବି କହୁଅଛି। ଅତଃ ଆମ୍ଭର କନ୍ୟା-ବିମୁଖ ଜନତାଙ୍କୁ ପରାମର୍ଶ ଯେ, ଝିଅମାନଙ୍କୁ ଅଯଥା ହତାଦର ନକରି ଅନତି ବିଳମ୍ବେ କନ୍ୟା ରତ୍ନ ତୁଲ୍ୟ ବ୍ୟବହାର ଦେଖାନ୍ତୁ, ତାହେଲେ ବହୁତ ଉପକାର ପାଇବେ। ଏହା ବହୁ ପରୀକ୍ଷିତ। ସୁଜନେ, ତଥାପି ସନ୍ଦେହ ଥିଲେ ପୁନଃ ପରୀକ୍ଷା କରିପାରନ୍ତି।