
ଗାଁ ନାଁ କହି ଲାଭ ନାହିଁ।
ଜନବସତିର ପରିମଳ ଓ ସ୍ବାସ୍ଥ୍ୟତାର ବାସନ୍ତୀ ମଳୟ, ଦିନାର୍ଦ୍ଧ ସୂର୍ଯ୍ୟ, ଶ୍ରାବଣର ନୀରଧାରା, କୋଇଲିର କୁହୁବେଣୁ ଗୋଟିଏ ଅପ୍ରତିହତ ନାଗରିକ ନିଷ୍ଠୁରତାରେ କେଉଁକାଳରୁ ଅଚଳ ହୋଇଯାଇଛି। ବୁଲା ଫକୀର କିମ୍ବା ବାରବୁଲା ଯୋଗୀର ଗୀତିରେ ପଲ୍ଲୀର ଶ୍ରୀହୀନତାର କୋହ-ମୂର୍ଚ୍ଛନା ପ୍ରତିଫଳିତ ହୋଇଛି। କିଏ ବା ଶୁଣୁଛି? କିଏ ବା ବୁଝୁଛି?
ସହର -! ସହର-! ବ୍ରଣସ୍ବାଦ ଚାଖିବା ପାଇଁ ମାଛିପଲର ଆନନ୍ଦରୁ ବଳି ଆନନ୍ଦ ପାଇବାକୁ ସେହି ସହରକୁ ଧାଇଁଛି ଧନୀ, ଧାଇଁଛି ମାନୀ। ଜୀବନର କ୍ଷୀରାବ୍ଧି ଉପରେ ଶୋଇ, ମୃତ୍ୟୁର ତପସ୍ୟା କରିବାକୁ ବି ଚାଲିଛି ରୂପସୀ ବାରବନିତା ସେହି ସହରକୁ। ସେଠି ହସୁଛି ହର୍ମ୍ୟଶାଳା, ରହିଛି ପୂର୍ଣ୍ଣ ବିପଣୀ।
ଗହଳିଆ ଆଖୁକ୍ଷେତ, ପୁଣି ଅତି ସୁନ୍ଦର ଗାଁର ଉପାନ୍ତରେ ଦିମାଣ ଜମିରେ ଆଖୁ ଫଳେଇଛି ମକରନ୍ଦ। ମକରନ୍ଦ ଜାତିରେ ଅଛବ; କିନ୍ତୁ ଯେତେବେଳେ ଛାତି ଉପରେ ଦୁଇଟା ବୁଦାଳିଆ ମାଂସପେଶୀ ନଚେଇ, ନାକ ଫୁଲେଇ ଦି’ପୁଡ଼ା ହାବୁକିଆ ପବନଟାଣି ନେଇ ଆଖୁକ୍ଷେତ ମଝିରେ ସେ ଛିଡ଼ା ହୋଇଯାଏ, ସେତେବେଳେ ଆଖୁଛୁଏଁ ମକରନ୍ଦକୁ, ମକରନ୍ଦ ଛୁଏଁ ଆଖୁବୁଦାକୁ। ଏ ମିଳନରେ ବାରଣ କରିବାକୁ ବାଧା ନ ଥାଏ ସମାଜର ସ୍ଥାନାଧିପତି। ମଣିଷ ମକରନ୍ଦକୁ ଛୁଏଁ ନାହିଁ ସତ; କିନ୍ତୁ ଗେଣ୍ଡା କୋଚିଆର ଗାଲିସି ପରାପାକରେ ଯାହାର ରକ୍ତର ବର୍ଣ୍ଣ, ସରପୁଳି ଭୋଜ୍ୟରେ ନିତିନିତି ରସାୟିତ ଭଦ୍ରଲୋକର ରକ୍ତର ବର୍ଣ୍ଣ ସହିତ ସାମ୍ୟ ରଖିପାରିଛି, ତାର ସଂସ୍ରବ ପାଏ ଶ୍ୟାମଳା ପୃଥିବୀ। ସେଇ ତାର ଉପାସକ, ନିତି ପୂଜାରୀ।
ମକରନ୍ଦ ଉପରକୁ ଚାହିଁଲା। ନିରାଟ ଖରା। ତାକୁ ଭୋକ କରୁଛି। ହୁଡ଼ା ଉପରୁ ଡାକିଲା–
‘-ଯମୁନା, ଜାଉ ହେଲା?’
ଗଛଗହଳିରେ ହୁଡାର ଅନ୍ୟପ୍ରାନ୍ତ ଅଦୃଶ୍ୟ ରହିଯାଇଛି। ଦୃଶ୍ୟମାନ ଚକ୍ରବାଳର ଗୋଟାଏ ପ୍ରାନ୍ତରେ ଲାଖି ରହିଛି ଦୁଇ ଶୁଣ୍ଢରେ ଯୁଦ୍ଧ୍ୟମାନ ମତ୍ତକରୀ ରୂପକ ଦୁଇଖଣ୍ଡ ମେଘ।
ଯମୁନା ! ସେ ତ ଅଠରରେ ଅଟକି ରହିଛି। ବୟସ ଯେମିତି ତାକୁ ଛାଡ଼ିବାକୁ ଚାହେଁନା। ଯେଉଁ ତନୁରେ ଲାବଣ୍ୟର କାନ୍ତିପାଟବ ଆହୁରି ଖର ହୋଇ ଉଠିଛି, ସେଠୁ ବୟସ ଖସିଯିବ କିପରି ? ପୁଣି ଅଛି ନାକରେ ଖଣ୍ଡିଗୁଣାଟିଏ। ବାହିରେ ବାହୁଏ ପିତ୍ତଳ ସଜ, ନଖରେ ନଖପଚା ଲାକ୍ଷା, କପାଳରେ ଗୁଞ୍ଜପୋକର ଟିକିଲି।
‘-ମତେ ଏ ପବନ କଣ ରଖେଇ ଥୋଇ ଦଉଛି ? ତମେ ଆସ, ଏଇନାଗେ ହେଇଯିବ ଯେ।’
ଆଜି କ୍ଷେତଜାଉର ପର୍ବ। ନୂଆ ଆଖୁ ଦୋରୁଅରେ ରନ୍ଧା କ୍ଷେତଜାଉ ଖାଇବେ ଦୁହେଁ। ଆଉ ଶୁଭ ମନାସିବେ ଯେମିତି ବରଷ ବରଷ ଧରି ଏଇଭଳି କ୍ଷେତହେଉ। ମା’ ଲକ୍ଷ୍ମୀ ସୁଦୟା କରନ୍ତୁ।
ପ୍ରଥମେ ଶୁଭିଲା ମଇଁଷି ବେକର ଟିପେଇ ଶବ୍ଦଭଳି। ପରେ ଟିକିଏ ନିକଟ ହୋଇ ଆସିବାରୁ ମକରନ୍ଦ ବୁଝି ପାରିଲା ଏ ଟିପେଇ ନୁହେଁ, ବଳଦ ବେକର ଘଣ୍ଟି। ଗାଡ଼ି ପଛେ ଗାଡ଼ି। ଛୋଟରାୟ ଆମ୍ବତୋଟା ଶଗଡଗୁଳା ଉପରେ ବେକ ହଲେଇ ଚାଲିଛନ୍ତି ବଳଦ। ଆଗ ଗାଡ଼ି ଦିଖଣ୍ଡ ତାଟ, ପଛ ଦଶଖଣ୍ଡ ଗାଡ଼ି ଓଦର।
ମକରନ୍ଦ ବଟୁଆରୁ ଗୁଆକାତି ଖଣ୍ଡି ବାହର କରୁ କରୁ କହିଲା –
‘ଯମୁନା ଆଜି ଅଭି ସାଆନ୍ତେ ଅଇଲେ ଲୋ।’
‘ସତେ?’
‘ହଁ ଦେଖୁନୁ ଦଶ ଦଶ ଖଣ୍ଡ ଗାଡ଼ି। ଗାଈ, ବାଛୁରୀ, ହାଣ୍ଡି, ପଥୂଲି, ଗୁଡ ମାଠିଆ, ପାରା ଭାଡି, ମେଜ, ଚଉକି, ଖଟ, ପଲଙ୍କ, ପିଲାଙ୍କ ଠେଲାଗାଡ଼ି ଇମିତି କେତେ କଅଣ।’
ଯମୁନା ଆବାକାବା ହୋଇ କହିଲା – ‘ଇଲୋ ମାଆ, ଇୟେ କଅଣ ଘରଭାଙ୍ଗି ପଳେଇ ଆସିଲେ କି ? ଆମ ଗାଁରେ ଆଉ ପୁଣି କୁନି ମାଉସୀ ଝିଅ, ମୋ ବଉଳ ନାଁ କେମିତି କହିବି ମ, ସେ ଯୋଉ ଗାଁରେ ବାହା ହେଇଚି ସେ ଗାଁରେ ସିନା ବାଡ଼ି-ଠାକୁରାଣୀ ଉଭାହେଲେ ଲୋକେ ଗାଁ ଛାଡ଼ି ପଳେଇ ଯାଆନ୍ତି, ଆଉ ଇଏ କଅଣ ମ ! କଟକ ସହରରେ କଣ ଠାକୁରାଣୀ ହୁଅନ୍ତି?’
ମକରନ୍ଦ ସତକୁ ସତ ଭାବୁଛି କଥାଟା କଣ? ଅଭି ସାଆନ୍ତେ ପନ୍ଦର ବରଷ ହେଲା ଗାଁ ମାଡ଼ି ନଥିଲେ! କହିଲା –
‘ଆଲୋ, ସେ ତ ପନ୍ଦର ବରଷ ହେଲା ଗାଁ ମାଡ଼ି ନାହାନ୍ତି। ଯେତେବେଳେ ମତେ ପନ୍ଦର ଷୋହଳ ବର୍ଷ ହୋଇଥିଲା, ରଥପୁର ପୋଖରୀ ଗୋଳିରେ ମୁଁ ମାଛ ଧରୁଥିଲି, ସେତେବେଳେ ତାଙ୍କୁ ଦେଖିଥିଲି। ସେତିକି ତ ଦେଖା। ନୂଆ ବାହାହେଇ ତ ଯାଇଛନ୍ତି ଯେ, କଟକ, ଆଉ ଫେରି ନଥିଲେ।’
ବିଲ ହୁଡ଼ାତଳ ଚୁଲିରୁ ଜାଉ ଆଟିକା ଖଣ୍ଡିକ ଓହ୍ଲେଇ ଆଣୁ ଆଣୁ ଯମୁନା କହିଲା –
‘ତାଙ୍କ ଭାରିଯା କେମିତି ମ?’
‘ତୁ କଅଣ ବୋହୂ ହେଇ ସେତେବେଳକୁ ଆସିଥିଲୁ ଯେ ଜାଣିବୁ ? ପଠାଣ-ପିଟା ଜାମୁଗଛ ଉପରେ ଚଢ଼ି ପିଲାବେଳେ ତତେ କିଏ କୋଳି ପାରିଦେଉଥିଲା? ପରିହାସରେ ପରା ମତେ ବାହା ହେବୁ କି ନାହିଁ ପଚାରିବାରୁ ମତେ କହିଥିଲୁ – ‘ବାଡ଼ିପଡ଼ା!’
ବୈଦ୍ୟରାଜ ଭଟ୍ଟ ମିଶ୍ରେ ଭଣିତା କରି କହିଲେ-‘ଗାଁକୁ ଆପଣଙ୍କର ଏ ଯାତ୍ରା ଅତି ମଙ୍ଗଳ ହୋଇଛି’
ଯମୁନା ଜିଭ କାଡ଼ି ପକାଇଲା।
‘କିମିତି ଅଲକ୍ଷଣା ମଣିଷ ମ, ମୁଁ ଏଇଆ କହିଥିଲି?’
ସରାଗରେ ମକରନ୍ଦ ଧରି ପକେଇଲା, ଯମୁନାର ହାତଟି।
ଅଭିରାମବାବୁଙ୍କୁ ପ୍ରଦକ୍ଷିଣ କରି ଯେଉଁ କେତୋଟି ପ୍ରାଣୀ ଗାଁ ସହିତ ସବୁ ସଂସର୍ଗ ଛିଣ୍ଡେଇ ସହରରେ ପ୍ରତିପାଳିତ ହୋଇ ଆସୁଥିଲେ, ସେମାନଙ୍କ ଭିତରେ
ଅଭିରାମବାବୁଙ୍କର ସହଧର୍ମିଣୀ କୁନ୍ତୀ ଦେବୀ, ବଡ଼ପୁଅ ପରିତୋଷ, ଝିଅ ନିର୍ମଳା। ପରିତୋଷ ବି.ଏ. ପାଶ୍, ତେଣୁ ବେକାର। କୁନ୍ତୀ ଦେବୀ ଗୋପୀଭାଷାରୁ ଡେଇଁ ବଜାର ସଉଦା ପାଇଁ ଚିଠା ଲେଖିବାରେ ହାତ ପଇଠ କରିଛନ୍ତି; ତେଣୁ ସାହିତ୍ୟ ଓ ଗଣିତ ମଧ୍ୟରେ ଉପଯୁକ୍ତ ଯୋଗାଯୋଗ ସେ ଆଣି ପାରିଛନ୍ତି। ଝିଅ ନିର୍ମଳା ହେଉଛନ୍ତି ସାମାଜିକ ମହିଳା। ତେଣୁ ମହିଳା ସଂଘର ଉନ୍ନତି ତାଙ୍କ ଭାବନାର ବିଷୟବସ୍ତୁ ହୋଇ ପଡ଼ିଛି। କିନ୍ତୁ ଏ ଦୁର୍ଲଭ ଜୀବ ସବୁ ଆଜିସରିକି ଗାଁ ଆଡ଼କୁ ମୁହଁ ଫେରାଇଛନ୍ତି କାହିଁକି ?
ଏଇ ପ୍ରସଙ୍ଗର ଚର୍ଚ୍ଚା ସେଦିନ ଭାଗବତ ଘରେ, ବୈଦରାଜ ଭଟ୍ଟ ମିଶ୍ର, ସଣ୍ଢୁଆସୀ ପ୍ରଧାନ, ବୃଦ୍ଧ ଯୁଗଳ ମିଶ୍ର, ଆଉ ଜଳଧର କମାର ଭିତରେ ଚାଲିଥିଲା।
ଦୂରରୁ ଅଭିରାମ ବାବୁଙ୍କର ପାଟି ଶୁଭିଲା। ଭାଗବତଘର ପିଣ୍ଡା ଉପରକୁ ଚଢ଼ିଯାଇ ସାଆନ୍ତେ କହିଲେ – ‘ପ୍ରଣାମ ଯୁଗଳ ମିଶ୍ରେ। ଗାଁ’ ଖବର ସବୁ ଭଲ ତ?’
ଗାଁ ମାଟିରେ ବୃଦ୍ଧଙ୍କର ଶରୀର ଜନ୍ମ ପାଇଛି, ସେଇଥିରେ ମିଳେଇ ଯିବାକୁ ବସିଲାଣି; ଅଥଚ ସେ ବୁଝିଲେ ନାହିଁ ଅଭିରାମବାବୁଙ୍କର ଗାଁ’ର କୁଶଳ ପଚାରିବା କଥା।
ସେଦିନ ଥିଲା ଧାରା ଶ୍ରାବଣର ରାତ୍ରି। ଶ୍ବାସର ପ୍ରକୋପ କଷ୍ଟ ଦେଉଥିଲା ତାଙ୍କୁ। ସେହି ବର୍ଷାପାତରେ କଟକ ଦଉଡ଼ିଯାଇ ମିଶ୍ରେ ଅଭିରାମ ବାବୁଙ୍କୁ ଜଣେଇଥିଲେ –
‘ବାବୁ, ସାରା ବ୍ରାହ୍ମଣ କୁଳକୁ ଏ ଅପବାଦ ଢାଙ୍କିଦେଉଛି। ରକ୍ଷାକରନ୍ତୁ। କଣ୍ଠ ମିଶ୍ରଙ୍କର ବିଧବା ଝିଅ ଘରୁ ଗୋଡ଼ କାଢ଼ି ଦେଇଛି ଗାଁ ଫାଣ୍ଡି କନେଷ୍ଟବଳ କୁଶିକ୍ଷାରେ। ଆପଣ ଗାଁର ମୁଣ୍ଡ, ପୁଣି ଓକିଲ।’
କିନ୍ତୁ କାହିଁ। ସାହାଯ୍ୟ ପରିବର୍ତ୍ତେ, ବୃଦ୍ଧ ଶୁଣିଲେ-‘ବିଧବାଗୁଡ଼ାଙ୍କୁ ଘରେ ସାଇତି ରଖିଲେ ଏଇଆ ହୁଏ। ଏଥିରେ ନିୟମକାନୁନ କିଛି ଖାଟିବ ନାହିଁ।’
ବୃଦ୍ଧଙ୍କର ଆଖି ଜଳପୂର୍ଣ୍ଣ ହୋଇଗଲା। ଜଳଧର କମାର ସାଆନ୍ତଙ୍କୁ ବସିବାକୁ ଦେଖେଇ ଦେଇ କହିଲା – ‘ସାଆନ୍ତେ, ପନ୍ଦର ବରଷ ହେଲା ଗାଁ’ କୁ ଆସିନଥିଲେ; ଭଲ କଲେ ଆସିଲେ।’
ଅଭିରାମ ବାବୁ ଟିକିଏ ଇତସ୍ତତଃ ହୋଇ କହିଲେ, ‘ହଁ’ ଆଛା ଗାଁରେ ଡାକଘର କରିବା ପ୍ରସ୍ତାବ କଣ ହେଲା? ଡାକଘର ପାଇଁ ମୁଁ ଚେଷ୍ଟା କରିବି। ମୁଁ ଆସିଲାବେଳେ ଦେଖିଲି ମହାଦେବ ପୋଖରୀଟା ବିଲାତୀ ଦଳରେ ଭରି ଯାଇଛି ! ଏଥିରେ କିପରି ସ୍ବାସ୍ଥ୍ୟ ଭଲ ରହିବ? କି ବୈଦ୍ୟରାଜେ, ନୁହେଁ ? ହେଇଟି, ମୁଁ କୋଡ଼ିଏ ଟଙ୍କା ଦେଉଛି। କାଲି ଗାଁ ବାଲା ସବୁ ମିଳିଯିବା, ପୋଖରୀ ସଫାହେବ।’
ଶ୍ରୋତା ଭିତରେ ଏପରି କେହି ନ ଥିଲେ ଯେ, ତାଙ୍କର ବକ୍ତୃତା ଖୁବ୍ ଶୀଘ୍ର ବୁଝି ନେଇ ଗୋଟାଏ ମନ୍ତବ୍ୟ ଦେବେ। କେବଳ ବୃଦ୍ଧ ଅଗାଧୁ ମିଶ୍ରେ ‘ନାରାୟଣ’ କହି ହାତଯୋଡ଼ିଲେ। ଆଉ କହିଲେ – ‘ପ୍ରଭୁ ଏ କି ପରୀକ୍ଷା !’
ଯୋଡ଼ିଏ ଦିନ ବିତି ଯାଇଛି। ଯମୁନା ବେତକୋଳି ବାଉଁଶିଆଏ ଧରି ଫେରି ଆସୁଛି ଗାଁ ଦାଣ୍ଡରେ। ଦିନ ଗୋଟାକଯାକର ଖରା, ଖାଇ ମୁହଁ ତାର କଇଁଥା ପଡ଼ିଯାଇଛି। ବୈଦ୍ୟରାଜେ ପିଣ୍ଡା ଉପରେ ବସିଥିଲେ। କହିଲେ, – ‘କିଲୋ ଯମୁନା ! ଏତେ ଖରାରେ କୁଆଡ଼େ ଯାଇଥିଲୁ? ଟିକିଏ ପାହାଚ ଉପରେ ବସିଯା। ପାଣି ପିଇବୁ?’
ଏମିତି କଥା ଗୋସେଇଁଠୁ ସେ କେବେ ଶୁଣି ନାହିଁ। ପାଣି ଚଳେ ଟେକିଦେବା ତ ଦୂରର କଥା, ଗୋସେଇଁ ଯେ ତାକୁ ପାଟି ଫିଟେଇ ଆଜି କଥା କହିଲେ ସେ ତା ବିଶ୍ବାସ କରି ପାରିଲା ନାହିଁ। ଯମୁନା ଚଳେ ପାଣି ପିଇଛି କି ନାହିଁ ମୁହଁ କାଢ଼ି ଆଣିଲା; କହିଲା – ‘ସାଆନ୍ତେ, ଏ ପାଣି କିଆଁ ଏମିତି ଗନ୍ଧଉଛି ?’ ବୃଦ୍ଧ ମିଶ୍ରେ ହସି ହସି ବୁଝେଇ ଦେଲେ –
‘ଆଲୋ, ଏ ପରା ପରିତୋଷ ବାବୁଙ୍କର ଭିଆଣ। ବ୍ଲିଚିଙ୍ଗ୍ ବୋଲି ଗୋଟାଏ ଓଷଧ ସବୁ ଗାଁ କୂଅରେ ପକାଇ ଦେଇଛନ୍ତି। କୁଆଡେ ପୋକଯୋକ – ରାମ, ରାମ- ମରିଯିବେ।’
ଯମୁନାକୁ ସବୁ ନୂଆ ଲାଗୁଥାଏ। ଓଢ଼ଣାଟି ଟାଣି ଦେଇ ବାଟ କାଟି ସେ ଚାଲିଗଲା।
ଆଉ ଯୋଡିଏ ଦିନ ବିତିଯାଇଛି। ଡାହାଣିଆ ଖରା ମଉଳି ଯାଇନି। ଯମୁନା ମୁଣ୍ଡରେ କାଠ ଗୋଛାଟିଏ ମୁଣ୍ଡେଇ ଦୁଃଖରୁ ଫେରୁଛି। ଭାଇ ଦିଅ ସେ କେନ୍ଦୁ ଦିଇଟା- ସେଇ ଯେ ଉପର ଡାଳରେ ଅଛି।’ ନିର୍ମଳାର ଅଳି, ପରିତୋଷ ଭାଙ୍ଗି ନପାରି ଯୋଡ଼ିକଯାକ ବଢ଼େଇଦେଲା ନିର୍ମଳା ଆଡ଼କୁ। ବେଶୀ ପାକଲାଟିକୁ ନିର୍ମଳା ତୁଣ୍ଡକୁ ପକେଇ ଦେଇଛି, ଯମୁନା ମୁଣ୍ଡରୁ ଭୁସ୍କିନା କାଠ ଗୋଛାଟା ତଳେ କଚାଡ଼ି ଦେଇ ନିଜ ଆଙ୍ଗୁଠିରେ ନିର୍ମଳା ମୁହଁରୁ ଦରଚୋବା ବିଷାକ୍ତ କୋଚିଳା ଫଳ ବାହାର କରି ଆଣିଲା। ନିହାତି ଅପରାଧି ଭଳି ପରିତୋଷ ହାଁ କରି ଗଛ ଉପରେ ଚାହିଁରହିଥାଏ। ଯମୁନା ଦୁଃଖ କରି କହିଲା – ‘ଦେଈ, କଅଣ କରୁଥିଲ ? ଏ ଯେ କୋଚିଲା, ବିଷ। ଜୀବନରେ ଆଉ ଥାଆନ୍ତ?’
ସେହିଦିନଠାରୁ ଯମୁନା ନିର୍ମଳାର ସାଙ୍ଗ। ଗାଁର ମହିଳା ସମିତିର, ହେଲା ଯମୁନା ପ୍ରଧାନ କର୍ମୀ।
ଦୋଳଯାତ୍ରା ପର୍ବରେ ଦୁଇଶ’ କାଙ୍ଗାଳ ଭୋଜନ ତଦାରଖ କରୁ କରୁ, ବୃଦ୍ଧ ଅଗାଧୁ ମିଶ୍ରେ ଅଭିବାବୁଙ୍କ ହାତ ଧରି ପକେଇ କହିଲେ – ‘ଆପଣଙ୍କର ଏଇ ମନ ଯଦି ନିଜ ଜନ୍ମଭୂମି ପ୍ରତି ଦଶବର୍ଷ ଆଗରୁ ଆମେ ଦେଖିଥାଆନ୍ତୁ ତେବେ ଆଜି ଏ ଗାଁ ସୁନା ପାଲଟି ଯାଆନ୍ତାଣି।’
ଅଭିରାମବାବୁ ହସି ହସି କହିଲେ – ‘ମିଶ୍ରେ, ମୋର ବାହାଦୂରୀ ଏଥିରେ କିଛି ନାହିଁ। ଯୁଦ୍ଧ ଆଜି ଗାଁ ଆଡକୁ ସଭିଁଙ୍କର ମୁହଁ ଫେରାଇ ଦେଇଛି।’
ବୈଦ୍ୟରାଜ ଭଟ୍ଟ ମିଶ୍ରେ ଭଣିତା କରି କହିଲେ – ‘ଗାଁକୁ ଆପଣଙ୍କର ଏ ଯାତ୍ରା ଅତି ମଙ୍ଗଳ ହୋଇଛି…’