ନିହାତି ଏ ଗାଁଟାକୁ ନ ଛାଡ଼ିଲେ ନୁହେଁ। ଚାରିଆଡ଼ୁ ଯେମିତି କେଞ୍ଚାକେଞ୍ଚି ଚାଲିଛି, ଶେଷରେ ଏ ପ୍ରାଣଟା ବି ଯିବ। ନ ହେଲେ ଏ ଗାଁ ଲୋକେ ତଣ୍ଟି ଚିପି, ଦଉଡ଼ିରେ ଝୁଲାଇ, ବୋଲିବେ ଆତ୍ମହତ୍ୟା କଲା ବୋଲି, ଗାଁ ଯାକ ଗୋବିନ୍ଦା ପଛରେ ଲାଗିଲେଣି। କଥା କଅଣନା ଗାଁର ଆମ୍ବଗଛ ମୂଳରେ ପାଣସାହିର ଯୁବା କନ୍ୟା ‘ଟୁଲ’ଟା ସବୁ ଯୁବାଙ୍କ ମନଲୋଭା ହେଲାଣି। ତା‘ର ଉନ୍ମତ ଦେହଟା ସବୁକୁ ଆଖିକି କଣ୍ଟା ଗେଞ୍ଜୁଛି। କଥା ହେଲାବେଳେ ଜାତିଟାକୁ ଗାନ୍ଧିବାବାଙ୍କ ତଳରେ ଥୋଇ, ଟୁଲଦେବୀ ସାଙ୍ଗରେ ଦି’ପଦ କଥା ନ ହେଲେ ଭାତ ଜୀର୍ଣ୍ଣ ହେଉନି। ଗୋବିନ୍ଦାକୁ କିନ୍ତୁ ଟୁଲଦେଈ ଦେଖିପାରେ, ଆଉ ଏତକ ଦୋଷ ଗୋବିନ୍ଦାର। ଗୋବିନ୍ଦାର ଘରରେ କେହି ନାହିଁ। ବାପା ମା’, ଭାଇ ବିରାଦର ସବୁ ଯମ ଦୟାରେ ଘର ବାହୁଡ଼ା ହେଲେଣି। ଖାଲି ଗୋବିନ୍ଦା ବଞ୍ଚିଛି। କିନ୍ତୁ ଗାଁ ଲୋକେ, ଅଡ଼ି ବସିଲେଣି। ‘ଗୋବିନ୍ଦା, ସାବଧାନ ନ ହେଲେ ତୋର ଚଉଦ ପୁରୁଷ ନରକକୁ ଯିବେ’। ଗୋବିନ୍ଦା ଆଉ ସହି ପାରିଲାନି, ଗାଁର ମାୟା ଛାଡ଼ି, ଟୁଲର ମମତା ଛାଡ଼ି ସେ ପଳାଇଲା ଗାଁ’ରୁ। ଗାଁ ଛାଡ଼ିଲେ ଗୋବିନ୍ଦାର ଗତି କେଉଁଆଡ଼େ ସେ କଥା ସ୍ବୟଂ ଗୋବିନ୍ଦ ନ ଜାଣନ୍ତି। ଗୋବିନ୍ଦାର ଏଇ ନୂଆ ହୋଇ ଗଜା ଧରୁଥିବା ନଉ (ଲଭ୍‌)ଟା ଏମିତି ଅକାଳରେ ମରିବ, ସେକଥା ଗୋବିନ୍ଦା ବି ଭାବି ନ ଥିଲା। ଗୋବିନ୍ଦା ବୋଇଲା ମନରେ ସହରକୁ ଯିବି, କାମ କରିବି। କିନ୍ତୁ ସହରତ ଆଉ ବେଶ୍ୟାଳୟ ହୋଇନାହିଁ ଯେ, ଯିଏ ଯୁଆଡ଼ୁ ଆସିବ ଠାଆଁ ଦେବ। ମୁଣ୍ଡଗୁଞ୍ଜିବା ପାଇଁ ଆଉ ସହରରେ ବାରଣ୍ଡାଟେ ବି ନାଇଁ, ମ୍ୟୁନିସିପାଲିଟି ସବୁ ଭାଙ୍ଗି ଚୁର୍‌ମାର୍‌ କରିଦେଲାଣି। ଯେଉଁଠି ବାରଣ୍ଡାଟେ ଅଛି, ନାଳପାଣି ସେଇଠି ଜମୁଛି। ଆଉ ଚାକିରି, ବେ, ମୋ ଗୁରାତ ବାରଦୁଆର ତେର ପିଣ୍ଡା ହୋଇ ମୁହଁରେ ତିରଣ ଧରି ମେଁ ମେଁ ହେଉଛନ୍ତି। ଆଉ ଗୋବିନ୍ଦା, ସି ବେଣ୍ଟ ବିବର୍ଜିତା।
ଶେଷରେ ଗୋବିନ୍ଦା ବୋଇଲା ‘ନାଁ, ସେ ନଉ (ଲଭ୍‌) ପାଇଁ ଯୋଗୀ ହେବ।’

ଯୋଗୀ?
‘ଯୋଗୀ ଭୋଗୀ କା ନିଶାନ୍‌
ଆଖିମେ ଜାନ୍‌ ଆଉ ଆର’ ମେ ପଇଚାନ୍‌’
ଯୋଗୀ ହୋଇଗଲା ଗୋବିନ୍ଦା। ମନରେ ରାଧାକୃଷ୍ଣ ଲୀଳାଖେଳା ଗାଏ କିନ୍ତୁ ମନ ବୋଲେ ‘ରାଧାଟା ଟୁଲ କେବେ’?
ଜିଭ କାମୁଡ଼େ ଗୋବିନ୍ଦା।

ତୋର ଚାପ ଥିଲା ଗୋବିନ୍ଦା ଚନ୍ଦ୍ରରେ ଛିଡ଼ା ପଲଙ୍କରେ ଗଲା।

କେନ୍ଦରା ବୋଲା ଗୀତ ଗାଇ ପେଟ ପୋଷେ। ଆଉ ଆଜି ତ’ ଏହି ପଲ୍ଲୀସୁର, ବେତାରରେ ଶୁଭିଲାଣି।
ଗୋବିନ୍ଦା ବୋଇଲା ସେ ଯୋଗୀ ହେବ। କିନ୍ତୁ ଦୀକ୍ଷା ନ ହେଲେ ସେ ଯୋଗୀ ହେବ କେମିତି? ଏଇଟା ଅଡ଼ୁଆ। କିନ୍ତୁ ଗୋବିନ୍ଦା ବୋଇଲା ମନରେ ‘ଟୁଲକୁ ଦେଖି ଅଧା ହସ ହସିବା ବେଳେ କେହି ନ ଥିଲେ ଗୁରୁ’, ତେଣୁ ଯୋଗୀ ହେବ ସିଏ, ଗାଁ ମଶାଣିକୁ ଗଲା ଦିହସାରା ଖାର ବୋଳି ହେଲା ଆଉ କାଉ କା’ କରିବା ଆଗରୁ, ଗୋବିନ୍ଦା ଗାଁରୁ ପଳାଇଲା। କିନ୍ତୁ ଯିବ କାହିଁ। ଯୋଗୀ ହୋଇ ସହରକୁ ଯାଇ ହୁଏନା, କାରଣ ସେଇଠି ‘ସ୍ବାମୀ ଶ୍ରୀ’ ଗୁରା ହାଉ ଯାଉ। ତେଣୁ ସବ୍‌ ସେ ଭଲା ଗାଁ। ସକାଳୁ ସଞ୍ଜ ଯାଏ ସେ ଚାଲିଲା, କେତେ ଧୋବ ଧାଉଳିଆ ବିଲ ଓ ଘର ଡେଇଁ, ମାଛ ଚାଷ ପାଟ ଡେଇଁ, ଜାପାନୀ ଚାଷ ବିଲ ଡେଇଁ, ଗୋବିନ୍ଦା ଧାଇଁଲା।

ଠିକ୍‌ ବେଳବୁଡ଼କୁ ସେ ପହଞ୍ଚିଲା ଗୋଟିଏ ଗାଁରେ ଯେଉଁଠି ଘଣ୍ଟା ବାଜୁଛି, ଶଙ୍ଖ ବାଜୁଛି, ଧୂପ ଧୂଆଁର, ଗନ୍ଧ ବିଛୁରୁଛି। ଗୋବିନ୍ଦା ବୋଇଲା ଏ ମନ୍ଦିରକୁ ଯିବି କି? କିଏ ବୋଇଲା ଯୋଗୀ କି, ଶ୍ରୀକୃଷ୍ଣଙ୍କର କି ମହାଦେବଙ୍କର, ଆଉ ଏତକ କଥା ଗୋବିନ୍ଦାକୁ ମାଲୁମ୍‌ ନାଇଁ, ‘ପେଟ ଜଳିଲାଣି, ଭୋକ?’ ଆଉ ଏତକ ଗାଁ ଗାଁ ପଥରେ ଯାଉ ଯାଉ ଶୁଖୁଆ ପୋଡ଼ାର ଗନ୍ଧ ଆସୁଛି। ଗୋବିନ୍ଦାର ପେଟର ଦ୍ବନ୍ଦ୍ବମାନେ ଯୋଗୀ ହେଲେ, ଶୁଙ୍ଘି ହେବ ସିନା ଖାଇହେବ ନାହିଁ, ଜୟ ଗୁରୁ ଘଣ୍ଟାଲ୍‌, ଜୟ ଗୁରୁ ଘଣ୍ଟାଲ୍‌।

କେଜାଣେ ଏଇ ଘଣ୍ଟାଳ ଗୁରୁଟା କିଏ, ପାଟିରୁ ବାହାରି ପଡ଼ିଲାଣି ଯେତେବେଳେ ସେତେବେଳେ ଏ ପାଟି ଆଉ, ହରିକି ଗୋବିନ୍ଦ ବୋଲିବ ନାଇଁ।

‘ଜୟ ଗୁରୁ ଘଣ୍ଟାଲ୍‌’

ଗାଁ ଲୋକେ ଶୁଣିଲେ ଏଇ ଗୁରୁ ଗୁରୁ ଧ୍ବନି, କିନ୍ତୁ କାହାର କିସ ଯାଏ, ଏ ଯେଉଁ ଆମେରିକାନ୍‌ ରାଇସ୍‌ ଯୁଗ ଯେତେବଳେ, ଅତିଥି ଯେ ଦେବତା ଏକଥା ଆଉ କେଉଁ ଗୃହସ୍ଥ ଭାବେ।

‘ଜୟ ଗୁରୁ ଘଣ୍ଟାଲ୍‌’
ଗୋବିନ୍ଦା ଦେଖିଲା। ତା’ କଥା ଆଉ କାହା କାନରେ ବାଜୁନି, ଶେଷରେ ଯାଇ ପ୍ରବେଶିଲା ମନ୍ଦିରରେ। ମନ୍ଦିରର ସେବାୟତ ସେତେବେଳେ କବାଟ କିଳି ପଳାଇବା ପାଇଁ ଉଦ୍ୟତ, କଥା କ’ଣ କି, ଟିକିଏ ହେଲେ ସେ ଗାଁ ଛୁଏ, ଭୋଗ, ପ୍ରସାଦ ବୋଲି ଧାଇଁବେ ମନ୍ଦିରକୁ କିନ୍ତୁ ଠାକୁର ଜାଣନ୍ତି ବିନା ପର୍‌ମିଟ୍‌ରେ ଚିନି ମିଳୁନି, ଖଇ ପାଇଁ ଗାଁରେ ଧାନ ନାଇଁ, ଖାଲି ତୁଳସୀ ପତର ଆହାର କରି ଠାକୁରେ ପେଟରେ ଓଦାକନା ଦେଇ ଶୋଇଛନ୍ତି। ସକାଳର ଗୋଡ଼ିମିଶା, ହଳଦୀ ଜର ଜର ବଗଡ଼ାଭାତ ଖାଇ ଠାକୁରେ ବୋଲୁଛନ୍ତି। ‘ଠାକୁରଙ୍କ କଅଣ ଅବସର ନେବାର ବୟଷ ବୋଲି କିଛି ନାଇ। ଏଇ ଦଦରା ମନ୍ଦିରରେ ବସିଛୁ ତ ବସିଛୁ। ଛପନ ଭୋଗ ଖିଆ ପୁରୀ ମହାପ୍ରଭୁ କି, ଭୁବନେଶ୍ବରୀଆ ଭୋଳାଙ୍କ ପରି ମୋଟ ହୋଇପାରୁନି। ନିହାତି ପୁଞ୍ଜିବାଦ ପ୍ରଥା ହେଲେ ଠାକୁରଙ୍କ ବୁକୁ ଫାଟେ ମୁଖ ଖୋଲେନା।

‘ଜୟ ଗୁରୁ ଘଣ୍ଟାଲ୍‌’
ଶୁଭିଲା ଏତକ ସେବାୟତଙ୍କ କାନରେ। ସେବାୟତେ ହାତର ପ୍ରଦୀପଟାକୁ ଲିଭାଇ ଦେଇ ତରତରିଆ ହୋଇ ମନ୍ଦିରରୁ ଖସି ପଳାଇବେ। କଥା କଅଣ କି, ମନ୍ଦିରର ଗୋଟିଏ ପ୍ରଥା ଅଛି, ଅତିଥି ଅଭ୍ୟାଗତ ଆସିଲେ, ଦି’ମୁଠା ତାଙ୍କୁ ଦେବା ପାଇଁ।
ଦୀର୍ଘନିଃଶ୍ବାସ ଛାଡ଼ିଲେ ଗୋବିନ୍ଦା ଆଉ ସେଇ ଅନ୍ଧାରରେ ବସି ଗୋବିନ୍ଦା ଆବୃତ୍ତି କଲେ କେତେଗୁରା ଭଜନ।
‘ନା ମାଙ୍ଗେ ସୋନା ଚାନ୍ଦି
ମାଙ୍ଗେ ଦର୍ଶନ ତେରୀ,
ତେରେ ଦ୍ବାରେ ଖଡ଼ା ଏକ ଯୋଗୀ’

ପେଟ ମାରୁଛି କୁହାଟ, ସବୁ ଭକ୍ତି ବାହାରି ଆସୁଛି ଆଖି ଆଡ଼ୁ। ବେଳ ଗଡ଼ୁଛି ତଥାପି ଭକତଙ୍କ ଦେଖା ନାହିଁ। ଗୋବିନ୍ଦାର ଦୋଷ ନାହିଁ, ସେ ବି ପିଲାଦିନେ ଦେଖିଥିଲା ଗାଁକୁ ଜଟିଆ ମୁଣ୍ଡା ଆସିଲେ, ଦୁଧ ଦହି କୁଢ଼ କୁଢ଼ ଜମା ହୋଇଯାଏ, ବାଳ ବିଧବାଏ ବି ମୁଖ ସାଗି ଜମା ହୁଅନ୍ତି, ଜଟିଆ ମୁଣ୍ଡାର କିଛି ଅଭାବ ରହେନାହିଁ। ବୁଦ୍ଧିଥିଲେ, ବାପ ପୁଅ ଅନିନ୍ଦ୍ର ବେଳେ ମୁଗୁରାକୁ ଉଠାଇ ଆଣିଲେ, ରାତି ଦି’ଟାରେ, ଧୂନି ଭିତରେ ଦି ଚାରିଟା ଗଡ଼ିଶା କି ଚେଙ୍ଗ ପୋଡ଼ିଦେଇ ସକାଳର ଦହିମିଶା ପଖାଳର ମଣୋହି ଚଳେ। କିନ୍ତୁ ଏ ଅଲକ୍ଷଣା କଥା କାହିଁକି, କିଏ ଆସୁ ନାହାନ୍ତି।

‘ଜୟ ଗୁରୁ ଘଣ୍ଟାଲ୍‌’

ଗାଁ ଲୋକେ ସବୁଦିନ ଗାଉଁଲିଆ, ଗ୍ରାମସେବକ କି ଗାଁ ଟାଉଟର ଯେତେ ବୋଇଲେବି, ଗାଁକୁ ଗୁରୁଘଣ୍ଟାଲ୍‌ ଆସୁଥିବେ ଯାଉଥିବେ। କେଜାଣେ କି ଅଭିଶାପ ଦେବ। ଚିର ଅଭିଶାପ ଓଡ଼ିଶା ଦେଶ ଅନାବୃଷ୍ଟି କି ଅତିବୃଷ୍ଟି ତ ଲାଗିଛି। ଏ ଭିତରୁ କେଉଁଟା ଗୋଟିଏ ହେଲେ, ମନେ ପଡ଼ିଯାଏ ଗୁରୁଘଣ୍ଟାଲ୍‌ର ଅଭିଶାପ।

ଛୋଟ ଲାଲ୍‌ଟିନ ଧରି କେହି ଗୋଟାଏ ବୁଢ଼ା ଆସିଲେ, ସେ ଥୋଇ ଗଲେ ‘ଲାଲ୍‌ଟିନ’। ତା’ପରେ ହାକୁଟି ମାରି ମାରି ଗାଁ ଯୁବାଏ ଆସିଲେ ଗୋବିନ୍ଦା ପାଖକୁ। ଖାର ଦେହା ଗୋବିନ୍ଦାକୁ ଦେଖି, ଦି’ ଚାରିଟା ଚରଣ ଚୁଟିଆ ଓଳଗି ହେଲେ ଗୋବିନ୍ଦା ଦେଇଛି ସିନା ନେଇନି, ସେ’ବା କି ଆଶୀର୍ବାଦ ଦେବ, ସେ ନୀରବ।
କିଏ ବୋଇଲା ‘ନାଗା’
କିଏ ବୋଇଲା ‘ଅଘୋରୀ’
କିଏ ବୋଇଲା ‘ବରହମଚାରୀ’’
କିନ୍ତୁ ଗୋବିନ୍ଦାର ପେଟ ବୋଲୁଛି
‘ଜୟ ଗୁରୁ ଘଣ୍ଟାଲ୍‌’
‘ମହାରାଜ କଅଣ, ପାରଣ କରିବେ’ କିଏ ପୁଚ୍ଛାକଲା। ଗୋବିନ୍ଦା ତ କିଛି ନବୁଝି ଖାଲି ବୋଇଲା
‘ଜୟ ଗୁରୁ ଘଣ୍ଟାଲ୍‌’

ଗାଁ ଲୋକେ ବୋଇଲେ ‘ଓଃ ଯୋଗୀ ପରା ମଉନା ବାବାଜୀ, ଶହେ କୋଡ଼ିଏ ବରଷ ହେଲା ଏ ବ୍ରତ ପାଳିଛନ୍ତି’।
କିଏ ପୁଣି ବୋଇଲା ‘ଶହେ କୋଡ଼ିଏ ନୁହଁମ, ଚାଳିଶ କୋଡ଼ିଏ ହୋଇଥିବ, ଦେଖୁନ କେମିତି ଭେଣ୍ଡିଆଟାଏ’
ବୁଢ଼ାଟେ ବୋଇଲା, ‘ଦେବତା, ଯୋଗୀଙ୍କ ବୟସ ବୃଦ୍ଧି ହୁଏନି, ଏମାନେ, ଅମର, ଅଜୟ’।

‘ଜୟ ଗୁରୁ ଘଣ୍ଟାଲ୍‌’

ଗାଁ ଲୋକେ ପୁଣି ଜମା ହେଲେଣି, ଖାଲି ଲୋକେ ଜମୁଛନ୍ତି। ସଭିଙ୍କ ହାତ ତୁଚ୍ଛା, ଏଣେ ପେଟ ପୋଡ଼ୁଛି। ଗାଁବାସୀ ବୋଇଲେ ଯୋଗୀ ହିମାଳୟରୁ ଆସିଛନ୍ତି ରୋଟି ଖାଇବେ ପରା।
କେ ବୋଇଲା ‘ଏ କିଛି ଖାଇ ନ ପାରନ୍ତି, କି ଯିଏ ହରି ନାମ ସୁଧା ଥରେ ପାନ
କରିଛି, ତା’ର କ୍ଷୁଧା ତୃଷା ଜନ୍ମ ଜନ୍ମ ଯାଏ ହୁଏନି ପରା’

‘ଜୟ ଗୁରୁ ଘଣ୍ଟାଲ୍‌’।

ତଥାପି କେହି ବୃଦ୍ଧ ଗ୍ରାମବାସୀ ବୋଇଲା ‘ଆଜି ରାତିକ ଯାଇ ଚଳାଇ ଦେବା ତା ପରେ କାଲି ସକାଳେ’।
ଗାଁ ଲୋକେ ଆଣି ଦେଲେ, ‘କିଛି ଅଟା, କିଛି ଗୁଡ଼, ଛଅ ଖଣ୍ଡି କାଠ’। ବେଳ ଗଡ଼ିଲା ଗାଁ ବାସୀଏ ଗଲେଣି। ଆଗରେ ଥୁଆ ହୋଇଛି ଗୁଡ଼ ଅଟା ଆଉ ଛ’ଖଣ୍ଡି କାଠ।

ରାତିରେ ଚଉକିଆ ରଡ଼ିପାରେ ‘ବସ୍ତି ବାଲେ ହୁସିଆର’।
ଆଉ ଶୁଭେ ‘ଜୟ ଗୁରୁ ଘଣ୍ଟାଲ୍‌’

ସକାଳ ପାଇଲା ଗୋବିନ୍ଦ ଦିହରୁ ପାଉଁଶ ଗୁଡ଼ା ସବୁ ଝଡ଼ି ବସିଲାଣି, ରାତିରେ ମଶା ଦାଉରୁ ରକ୍ଷା ପାଇବା ପାଇଁ, ଦିହଯାକ ବାଡ଼େଇ ହୋଇଛି ‘ଅନିଦ୍ରାକୁ ମଶା ସହେ’।

ସକାଳୁ ପୁଣି ଗାଁର ଯେତେକ ବେକାର ଜୁଟିଲେଣି, ଦେଖିଲେ ଶ୍ରୀ ବାବାଜୀ ଓରଫ ଗୋବିନ୍ଦାଙ୍କ ‘ଠା’ ବଢ଼ିନି। କିଏ ବୋଇଲା ‘ମୁଁ କହି ନ ଥିଲି ଇଏ ପରା ହରି ନାମ ସୁଧା ପାନ କରିଛନ୍ତି ଖାଇବେ କଅଣ’?

‘ଜୟ ଗୁରୁ ଘଣ୍ଟାଲ୍‌’

କିଏ ବୋଇଲା ‘ସେଥର ଗେଜେଟ୍‌ର ବାହାରି ନ ଥିଲା ଗୋଟିଏ ବାବା ଛବିଶ ଦିନ ମାଟିତଳେ ଥିଲେ ଆଉ ପଦାକୁ ବାହାରିବା ବେଳେ ହସି ହସି ବାହାରିଲେ’।
ଗୋବିନ୍ଦା ବୋଇଲା ‘ଏଥର ମୁଁ ମଲି, ଗାଁ ଲୋକେ ଯଦି ମୋତେ ଜିଅନ୍ତା ମାଟିରେ ପୋତି ଦିଅନ୍ତି’?

‘ଜୟ ଗୁରୁ ଘଣ୍ଟାଲ୍‌’

ଗାଁର ନାରଦ ସାଉଏ ବୋଇଲେ ‘ଏ ଯୋଗୀ ସେ ଯୋଗୀ ନୁହନ୍ତି, ଇଏ ଆମ ଅନ୍ତରଯାମୀ, ମନବାଞ୍ଛା ପୂର୍ଣ୍ଣ କରନ୍ତି’।

କଥା ପରି କଥାଟିଏ ଶୁଣି ଗୋବିନ୍ଦାର ଅଧରରେ ଉକୁଟୁଥିଲା, ହସ କିନ୍ତୁ ଯୋଗୀ କି ହସନ୍ତି ଖାଲି କହିଲା

‘ଜୟ ଗୁରୁ ଘଣ୍ଟାଲ୍‌’
ନାରଦ ସାଉଏ ଚାଲିଗଲେ ତେଲି ସାଉ ଦୋକାନକୁ, ଆଉ ବୋଇଲେ ‘ତମ ଜିନିଷ ବିକ୍ରୀ ହେଉନି ପରା ମୁଁ ବିକ୍ରୀ କରିଦେବି’।

ତେଲି ସାଉ ଆଉ ନାରଦ ସାଉଙ୍କୁ ନ ଜଣାନ୍ତି କି, ସାପ ଗୋଡ଼ ସାପକୁ ଦିଶେ ପରା। ତେଲି ସାଉଏ ବୋଇଲେ ‘ବାପ କିମିତି ହେବ’ ନାରଦ ସାଉ ବୋଇଲେ ‘ଲାଭୁରୁ କିଛି ଦେବତ ତମ ଘରକୁ ଲକ୍ଷ୍ମୀ ପଶାଇଲି’।

‘ଜୟ ଗୁରୁ ଘଣ୍ଟାଲ୍‌’
ତେଲି ସାଉଏ ବୋଇଲେ ‘ହଉ ଲାଭ ହେଉ, ତମର ଚିକ୍‌କଣ, ଆଉ ମୋର ମୁଣ୍ଡ’।
ନାରଦ ସାଉଏ ବୋଇଲେ ‘କଥା ରହିଲା’।
ତେଲି ସାଉଏ ବୋଇଲେ ‘ବ୍ୟବସାୟଟା ସବୁଦିନ ବ୍ୟବସାୟ’।
ଗାଁ ଟାଉଟର ନାରଦ ସାଉଏ ‘ଗାଁକୁ ଗାଁ ଖବର ପଠାଇଲେ, ଗାଁ ମୁକୁନ୍ଦପୁରରେ ସାଧୁଟେ ଆସିଛନ୍ତି ହିମାଳୟରୁ ସେ ଅନ୍ତରଯାମୀ, କିଛି କୁହନ୍ତିନି ନୀରବ ବାବା, ଯାହାର ଯାହା ଅଳି ଅଛି ଆସି ପୂଜା ଫୁଲ, ପାଦ ଜଳ ନିଅ’।

ଆଉ ଏକଥା ଯିମିତି ଖଣ୍ଡ ମଣ୍ଡଳରେ ବ୍ୟାପିଛି, ପିମ୍ପୁଡ଼ି ଧାଡ଼ି ପରି ଛୁଟି ଆସିଲେ ମଣିଷ। ବାଞ୍ଝ ମାଇକିନିଆ, ପେଟ ବିଥିଆ ମଣିଷ, ଅନ୍ଧ, ବୃଦ୍ଧ, କାଲ ବୃଦ୍ଧା. ଏମିତି କେତେ, କିଏ ନେଉଛି ଫୁଲ ପ୍ରସାଦ, କିଏ ନେଉଛି ପାଦର ଜଳ। ନାରଦ ସାଉଏ ପାଖରେ ବସି ଯୋଗୀଙ୍କ ପାଦ ସେବା କରି ଚାଲିଛନ୍ତି। ଆଉ ବେଳେ ବେଳେ ବୋଲୁଛନ୍ତି ‘ବାବା ଏ ନିରଖ ପ୍ରାଣୀଙ୍କୁ ବଞ୍ଚାଅ, ଏମାନେ ଅବୋଧ, ଏମାନେ କଅଣ କରୁଛନ୍ତି ଏମାନେ ଜାଣନ୍ତି ନାହିଁ’।
‘ଜୟ ଗୁରୁ ଘଣ୍ଟାଲ୍‌’

ପଇସା, ନଡ଼ିଆ, ଧୋତି, ଶାଢ଼ୀ ଆଦି କୁଢ଼ କୁଢ଼ ଜମା ହେଲାଣି, ସକାଳୁ ଜମା ହୁଏ, ସନ୍ଧ୍ୟାରେ ତେଲି ସାଉ ଘରେ ପହଞ୍ଚେ, ସକାଳୁ ପୁଣି ବିକ୍ରୀ ହୁଏ।

ଭଗତ ଅସମ୍ଭାଳ। ଖୁଦ୍‌ ଗୋବିନ୍ଦା ଗାଁର ମଣିଷେ ବି ଆସିଲେଣି, ଚିହ୍ନି ପାରୁନାହାନ୍ତି ଗୋବିନ୍ଦାକୁ। କିଏ ଦୁଧରେ ଗୋବିନ୍ଦାକୁ ଗାଧେଇଲାଣି ତ କିଏ ଚରଣରେ ପଞ୍ଚାମୃତ ଛୁଆଇଁ ଦେଲାଣି। କିଏ ମୁହଁରେ ପେଡ଼ା ଜାକି ଦେଲାଣି ତ କିଏ ଜିଲିପି ‘ଯୋଗୀଙ୍କ ଉଚ୍ଛିଷ୍ଟ ଅମୃତ ସମାନ’।
‘ଜୟ ଗୁରୁ ଘଣ୍ଟାଲ୍‌’
ସନ୍ଧ୍ୟା ରତ ରତ ବେଳେ ଦି’ଟା ନୂଆ କିଣା ହୋଇଥିବା ଗାଡ଼ି ବି ପହଞ୍ଚିଲାଣି। ଗାଡ଼ିର ମାଲିକ ପଚାରୁଛନ୍ତି ‘ଯୋଗୀ ହେ! ପାଞ୍ଚ ବରଷ ମନ୍ତ୍ରଣା ଦେଇ ପାରିବି କି? ମଝିରୁ ଯିବି’, କେହି ଆସି ଏମିତି ପଚାରୁଛି ‘ମୁଁ ଦିଲ୍ଲୀରୁ କଟକକୁ ଆସିପାରିବି ତ’?

ଏ ବଡ଼ ସମସ୍ୟା ଯୋଗୀ ଆଜ୍ଞା ପାଇଛନ୍ତି। ‘ସବୁ ହିଁ କରିବେ, ଆଉ ମୁଣ୍ଡ ଏମିତିକି ହଲାଇବେ ଯେ, ତାହା ହିଁ ବି ହେଉଥିବ, ନା ବି ହେଉଥିବ’। ତେଲି ସାଉର ଘରେ ଆଉ ଜାଗା ନାଇଁ। ତେଣେ ଗାଁ ଟାଉଟର ନାରଦ ବୋଲା ବୋଲି କଲେଣି ‘ଶଳା, ମନ୍ତ୍ରୀଙ୍କ ପଛେ ଗୋଡ଼ାଇ ଲାଭ ନାଇଁ। ଏ ବ୍ୟବସାୟ ଅତି ଭଲ’।

‘ଜୟ ଗୁରୁ ଘଣ୍ଟାଲ୍‌’

ଦିନେ ସନ୍ଧ୍ୟାରେ, ଟାଉଟର ନାରଦ ସାଉଏ ବୋଇଲେ ‘ଗୁରୁଜୀ ଏଥର ଏ ଆସ୍ଥାନ ଉଠାଅ।’
ଗୋବିନ୍ଦ ବୋଇଲା ‘‘ଜୟ ଗୁରୁ ଘଣ୍ଟାଲ୍‌’’
ଟାଉଟରେ ବୋଇଲେ ‘ଆଜି ସନ୍ଧ୍ୟାରେ ତମେ ପଳାଅ।’

ସତକୁ ସତ ସେଦିନ ଗୋବିନ୍ଦା ପଳାଇଲା।
ଆଉ ତା’ ବସିବା ସ୍ଥାନରେ ଗୋଟାଏ ମଣିଷ ଡେଙ୍ଗା ଆକାରରେ ଗୋଟିଏ ମାଟି ସମାଧି ତିଆରି ହୋଇ ତା ଉପରେ ଗୋଟିଏ ସାଲୁକନା ପକା ହୋଇଛି।
ଆଉ ତା’ଉପରେ ଗୋଟିଏ ଦୀପ ଜଳୁଛି।
ଆରଦିନ ଗାଁରେ ପ୍ରଘଟ ହେଲା ‘ଯୋଗୀ ସମାଧି ନେଇଛନ୍ତି।’
ସତକୁ ସତ ଗାଁ ଲୋକେ ମାଟି ଢିପକୁ ଦେଖି ସେଇ ଅନୁମାନ କଲେ। ଲୋକେ ଆସନ୍ତି, ଯାଆନ୍ତି, ମାଟି ଢିପକୁ ଓଳଗି ହୁଅନ୍ତି, ତମ୍ବା ମୁଦ୍ରା ଦେଇଯାଆନ୍ତି।
ଗାଁ ଟାଉଟର ଆଉ କିଛି ନ କରି ଏଇ ମାଟି ସମାଧିକୁ ଜଗି ରହିଲେ, ଆଜି ଜନ୍ମଦିନ, ଆଜି ସମାଧି ସମ୍ବତ୍ସର, ଆଜି ଯୋଗୀଙ୍କ ଅନ୍ନ ତ୍ୟାଗ ଦିବସ ଇତ୍ୟାଦି ତିଥିଗୁରା ପାଳନ କରି ଚାନ୍ଦା ମାଗି ବସିଗଲେଣି। ଭୋଟ ବେଳେ, ଏଇଠି ଗୋଟିଏ ମନ୍ଦିର ହେବା ପାଇଁ ଅଳି ହେଲାଣି। ଖୁଦ୍‌ ମନ୍ତ୍ରୀ ଆସି ମନ୍ଦିର ଦ୍ବାର, ଆଚାଣ୍ଡାଳ ବ୍ରାହ୍ମଣଙ୍କ ପାଇଁ ଖୋଲି ଦେଲେଣି। କିଏ ଏଇ ଗୁରୁ ଘଣ୍ଟାଲ୍‌ଙ୍କ ବରଷ ପାଇଁ ଭୋଗ ଲାଗିବା ପାଇଁ ଜମିଜମା ଖଞ୍ଜିଦେଲାଣି।

ଜୟ ଗୁରୁ ଘଣ୍ଟାଲ୍‌

ଆଜି ଶହେ ବତିଶ ମୌଜାର ଆଦି ଦେବତା, ଆଉ ସେବାୟତ ଶ୍ରୀ ନାରଦ ସାଉ।
ଖୁଦ୍‌ ଗୋବିନ୍ଦା ଯେଉଁଦିନ ଟୁଲଦେଈକୁ ଧରି ପଳାଇଲା, ସେଦିନ ସେ ଏ ମନ୍ଦିରରେ ଆସି ମାଳ ବଦଳ କରି ବାହା ହୋଇ ପଡ଼ିଲା ଟୁଲଦେଈକୁ।

ଦି’ଜଣକୁ ଆଶୀର୍ବାଦ ଦେଲେ ନାରଦ ସାଉ, ଦକ୍ଷିଣା ଦି’ ଟଙ୍କାରୁ, ନୂଆ ପଇସାଟେ ବି ଛାଡ଼ ଦେଲେନି। ଠାକୁର ଦେବତାଙ୍କ ମନ ଊଣା କରିବା ଉଚିତ୍‌ ନୁହେଁ, ଗୁରୁ ଏ ଯାଏ ସମାଧିରେ ଥାଇ ଶୁଣୁଛନ୍ତି।

ଗୋବିନ୍ଦା ଆଉ କହିବ କଅଣ, ଦି’ଟଙ୍କା ଧରାଇଦେଲା ଟାଉଟରଙ୍କ ହାତରେ।
ଟୁଲ ଆଉ ଗୋବିନ୍ଦା ଚାଲିଗଲେ। ଗଲାବେଳେ ଖାଲି ଶୁଭୁଥାଏ, ‘ଜୟ ଗୁରୁ ଘଣ୍ଟାଲ୍‌! ତମେ ହିଁ ଭରସା’।