ଆଖି ଲୁହକୁ ହାତ ପାପୁଲିରେ ପୋଛୁପୋଛୁ ବୁଦ୍ଧୁରାମ କହିଲା, ଦି,ଦି’ଟା ପିଲା ମ’ର ଖରାପ ହେଇଗଲେ ଏଇ ଛଅମାସ ଭିତରେ। ବେଜୁଣୀ କହୁଚି, ଝିଅଟାକୁ ଦୁଷ୍ଟ ଡୁମା ନୁହେଁ, ଡାହାଣୀଟେ ଗୁଣି କରି ଦେଇଛି। ପୂଜା ଠିକ୍‌ଠାକ୍‌ ହେଇଥିଲା, ବଳି ବି ଦିଆଯାଇଥିଲା, ଝଡ଼ାଫୁଙ୍କା ହେଇଥିଲା, ଚେରମୂଳି ଇଲାଜ ବି ହେଇଥିଲା। ଠିକ୍‌ ନ ହେଲା କାହିଁକି? ପୁଅଟାକୁ ବି ସେଇ ଡାହାଣୀ ଗୁଣିକରି ଦେଇଥିଲା ଯେ ଶୁଖିଶୁଖି ଖରାପ ହେଇଥିଲା। ଝାଡ଼ା ବନ୍ଦ ହେଲା ନାହିଁ, ବାନ୍ତି ବନ୍ଦ ହେଲା ନାହିଁ। ତୁ ତ ଦେଖିଚୁ କାଲା, କେମିତି ରାଗିଲା ଭଳି ତଳଓଠକୁ କାମୁଡ଼ି ବଡ଼ବଡ଼ ଆଖିରେ ଚାହୁଁଥିଲା?”

କାଲା ସେଇଠୁ କହିଲା, ବେଜୁଣୀକି କହିଲୁ ନି। ଏମିତି ମନ, କରିଥାଆନ୍ତା ଯେ, ଡାହାଣୀଟା ପେଟକୁ ଧରି ଛଟପଟ ହେଇଥାଆନ୍ତା। ବେଜୁଣୀ ପା’ ଡଙ୍ଗରଡୁମାର ପୂଜକ। ଡାହାଣୀଟା ତାକୁ ବଳିଯିବ?

ଡାକିଥିଲି, ଡାକିଥିଲି, ସବୁ ଦେଖିଲା, କିଛି କରିପାରିଲା ନାହିଁ ”- କହୁକହୁ ବୁଦ୍ଧୁରାମ କାନ୍ଦିବାକୁ ଲାଗିଲା।

କାନ୍ଦନା, କାନ୍ଦନା”, କହି କାଲା ପିପାଁରୁ ଆଉ ଗିଲାସେ ମହୁଲି ଢାଳି ତା ହାତକୁ ବଢ଼େଇ ଦେଲା। ଏକାଥରକରେ ଗ୍ଲାସ୍‌ଟାକୁ ଖାଲି କରିଦେଇ ବୁଦ୍ଧୁରାମ ପୁଣି କାନ୍ଦିଲା “ଡାହାଣୀଟା ଶକ୍ତ ଗୁଣି କରି ଦେଇଛି। ମ’ ବଅଁଶ ବୁଡ଼ି ଗଲାରେ କାଲା–”

“ଆଉ କାନ୍ଦନା, କାନ୍ଦନା, ଆମ ଗାଁର ଆହୁରି କେତେ ପିଲାଙ୍କୁ ଗୁଣିକରି ଡାହାଣୀଟା ମାରି ପକେଇ ସାରିଲାଣି। ମ’ ସ୍ତ୍ରୀଟାକୁ ଗୁଣି କରିଦେଲା ଯେ, ସେ ଶୁଖିଶୁଖି ମଲା। ଦେବାଦେବୀ, ଡୁମା ଦେବତା, ପିତୃପୁରୁଷ ସମସ୍ତଙ୍କୁ ପୂଜାକରି ସନ୍ତୁଷ୍ଟ କଲି। ହେଲେ ଡାହାଣୀର ଗୁଣିକୁ କେହି ଅଟକାଇ ପାରିଲେ ନାହିଁ। ତୁ ଦେଖିଲୁ ପା, ଶାଲାପେନୁଙ୍କୁ ସନ୍ତୁଷ୍ଟ କଲି, କିଛି ହେଲା?

ବୁଦ୍ଧୁରାମ କହିଲା, “କିଛି ହବନି, ଯେ ଯାଏ ଏ ଗାଁରେ ସେ ଡାହାଣୀଟା ଅଛି, କେହି ବଞ୍ଚିବେନି।” ସମସ୍ତଙ୍କର ରକ୍ତ ଶୋଷି ନେଇ ମାରିଦବ। ତାକୁ ଖତମ ନ କଲେ ଏ ଗାଁ ପଦା ହୋଇଯିବ। ତମର ସମସ୍ତଙ୍କର ଗୋଟେ ସ୍ତ୍ରୀ, କି ଗୋଟେ ପିଲାକୁ ଖାଇଲା, ମ’ର ତ ଦି,ଦି’ଟା ପିଲାଙ୍କୁ ମାରିଲା। ଆଉ ତାକୁ ଛାଡ଼ିବିନି, ଆଜି ତାକୁ ଖତମ କରିବି।”

କାଲା କହିଲା, “ଠିକ୍‌, ଠିକ୍‌। ମୁଁ ବି କହୁଛି, ଆଜି ତାକୁ ଖତମ କରିବା। କିନ୍ତୁ କରିବା କ’ଣ? ଶୀତ ରାତିଟା, ଶୀତ ଲାଗିବ-”

“ଶୀତକୁ ଡରୁଛୁ। ନେ, ନେ ଆଉ ଦି’ଗିଲାସ ମାରି ଦେ। ଦେଖିବୁ ଶୀତଟା ଡରିମରି ତତେ ଛାଡ଼ି ପଳେଇବ।”

କାଲା ଘରେ ବସି ବୁଦ୍ଧୁ ସହିତ ମହୁଲି ପିଉଥାଏ। ଡଙ୍ଗର ପୂଜା ବେଳୁ ଗୋଟାଏ ପିପାଁରେ କିଛି ମହୁଲି ସହିତ ଟିକିଏ ସଲଫେଟ ମିଶାଇ କାଲା ଘରେ ରଖିଥିଲା। ନିଶାଟା ଯେମିତି ବଢ଼ିବ। କେଇଦିନ ଆଗରୁ ତା ସ୍ତ୍ରୀଟାକୁ ଡାହାଣୀ ଗୁଣିକରି ମାରି ଦେଇଥିଲା। ସେ ଏବେ ଏକା। ଶଲପ୍‌ଟୋଲିର ଝିଅ ନୁର୍‌ସିକୁ ସେ ରାସ-କାପଡ଼ା (ଟଣାଝିଙ୍କା ବିବାହ) କରିଥିଲା। ନୁର୍‌ସିଟା ଥିଲା ବହୁତ ସୁନ୍ଦର। ରାସ-କାପଡ଼ା ବାହାଘର ଯୋଗୁଁ ଖର୍ଚ୍ଚ ବି କମ୍‌ ହେଇଥିଲା। ନ ହେଲେ କାଲା ପାଖରେ ଟଙ୍କା କଉଠି ଥିଲା ଯେ ସେ ଫୁଲବାହା କରିଥାଆନ୍ତା ? ଅବଶ୍ୟ ରାସ-କାପଡ଼ାରେ ବୁଦ୍ଧୁରାମ ତାକୁ ସାହାଯ୍ୟ କରିଥିଲା। ଧରା ପଡ଼ିଯାଇଥିଲେ ସେମାନେ ମାଡ଼ ମାରି ତା ଜୀବନ ନେଇ ଯାଇଥାଆନ୍ତେ।

ଆଗେ ତାରାକୁ ସମସ୍ତେ ଖୋଜାଲୋଡ଼ା କରୁଥିଲେ। ରୋଗ ହେଲେ, ହଇଜା, ବସନ୍ତ, ପେଟବଥା, ଜ୍ବର ଇତ୍ୟାଦି ବ୍ୟାପିଲେ ଗୁଣି କରି ଚେରମୂଳି ଦେଇ ସେ ଭଲ କରି ଦଉଥିଲା। ଦୁଷ୍ଟ ଡୁମାକୁ ତଡ଼ି ଦଉଥିଲା। ଡଙ୍ଗର ପୂଜା ବେଳେ ତା’ ଗେରସ୍ତ ସଙ୍ଗୁରୁ ସାଙ୍ଗରେ ମିଶି ଢେର କାମ କରୁଥିଲା।

କିନ୍ତୁ ଯେଉଁଦିନ ସଙ୍ଗୁରୁଟା ଖରାପ ହେଇଗଲା, ଗାଁ ଲୋକେ ସନ୍ଦେହ କଲେ। ଭଲ ଲୋକଟା, ଖରାପ ହେଇଗଲା କାହିଁକି ? ଡଙ୍ଗର ତଳ ଜମି ଖଣ୍ଡକରେ ମାଣ୍ଡିଆ ବୁଣି ଫେରିଲା ପରେ କଣ ହେଲା କେଜାଣି, ଖାଇ ସାରିଲା ପରେ ଯନ୍ତ୍ରଣାରେ ଛଟପଟ ହେଲା। ବେଜୁଣୀ ଆସିଲା, ଡୁମା ପୂଜା କଲା, ଶାଲାପେନୁ, ପିତୃ-ପୁରୁଷଙ୍କୁ ପୂଜା କଲା। ସଙ୍ଗୁରୁ ବଞ୍ଚିଲା ନାହିଁ। ସେଇଠୁ ଗାଁ ଲୋକେ ଧରି ନେଲେ, ତାରାଟା ଡାହାଣୀ। ନିଜ ସ୍ବାମୀ ସଙ୍ଗୁରୁକୁ ସେ ମାରିଛି।

କାହିଁକି ନା ସଙ୍ଗୁରୁ ପାଖରୁ ତା’ର ପିଲାପିଲି କିଛି ହଉ ନଥିଲେ। ସ୍ବାମୀ ମଲା ପରେ ତାରା ପର ପିଲାଙ୍କ ଉପରେ ଦୃଷ୍ଟି ପକେଇଲା। ଗାଁର ଯଉ ପିଲାଙ୍କ ଦେହରେ ହାତ ମାରି ଦଉଥିଲା, କାଖେଇ ପକାଉଥିଲା, ଏମିତି କି ଚାହିଁ ଦେଉଥିଲା ସେମାନେ ଝାଡ଼ା କି ଜ୍ବର ରୋଗରେ ପଡୁଥିଲେ ବୋଲି ଗାଁ ଲୋକଙ୍କର ଗୋଟାଏ ଅନ୍ଧବିଶ୍ବାସ ହୋଇଗଲା। କେବଳ ତା’ ନୁହେଁ, ଗାଁରେ ତିନି, ଚାରି ଜଣ ଲୋକଙ୍କୁ ସେ ଗୁଣିକରି ମାରି ପକେଇଲା ବୋଲି ବୁଦ୍ଧୁରାମ ଓ ଆଉ କେତେକ ତାରା ନାମରେ ଅପପ୍ରଚାର କଲେ। କାହିଁକି ନା ବେଜୁଣୀ ଯେତେ ପୂଜାପାଠ କରୁଥିଲା, ଯେତେ ପୋଢ଼ ବଳି ଦଉଥିଲା, ଯେତେ ଚେରମୂଳି ଔଷଧ ଦେଉଥିଲା, କିଛି କାମ କରୁ ନଥିଲା। ବେଜୁଣୀ ବି କହିଥିଲା, “ଏଇ ତାରା ହିଁ ଗୁଣି କରି ସମସ୍ତଙ୍କୁ ମାରୁଛି। ତାକୁ ଖରାପ ନକଲେ, ସାରା ଗାଁଟାକୁ ପଦା କରି ପକେଇବ-”

ସେଇଠୁ ସେମାନେ ତାରାକୁ ଏକଘରକିଆ କରିଦେଲେ। ନିଆଁପାଣି ବନ୍ଦ। ତାରା ତା’ଘର ଭିତରୁ ପଦାକୁ ଗୋଡ଼ କାଢ଼ିଲା ମାତ୍ରେ ସ୍ତ୍ରୀ ଲୋକମାନେ ନିଜନିଜର ଛୁଆମାନଙ୍କୁ ଧରି ଘର ଭିତରେ ଲୁଚି ଯାଉଥିଲେ। ଦୂରରୁ ତା ଉପରକୁ ଏମିତି ଢେଲା ଫିଙ୍ଗୁଥିଲେ ଯେ ସେ ଦଉଡ଼ି ଦଉଡ଼ି ଯାଇ ତା’ଘର ଭିତରେ ପଶି କବାଟ ବନ୍ଦ କରି ଦେଉଥିଲା। ଦିନ ବେଳେ ଘରୁ ବାହାରିବାକୁ ସାହସ କରୁ ନଥିଲା।

ବୁଦ୍ଧୁରାମ ଓ କାଲାରାମ ଉଭୟ ମହୁଲି ଦ୍ବାରା କବଳିତ ହୋଇ ସାରିଥିଲେ। ସେମାନଙ୍କ ଭିତରେ ଥିବା ମଣିଷ ଦି’ଟା ବାହାରି ପଳେଇ ଯାଇଥିଲେ।

ଥରଥର ଗଳାରେ ଏବଂ ଭଙ୍ଗାଭଙ୍ଗା ବାକ୍ୟରେ ବୁଦ୍ଧୁରାମ କହୁଥିଲା, “ମ’ ଖୁଡ଼ି ହେଲେ କଣ ହେଲା ଶାଳୀ ଡାହାଣୀଟାଏ। ମ’ ପୁଅକୁ ଗୁଣି କରି ମାରିଦେଲା ଯେ, ଏଇ ହାତରେ ଗାତ ଖୋଳି ତାକୁ ପୋତିଲି, ଦେଖ ଏଇ ହାତ, ଆଜି ତାକୁ ଛାଡ଼ିବି ନାହିଁ। ଏବେ ତା’ ନଜର ପଡ଼ିବ ମ’ ସ୍ତ୍ରୀ ଉପରେ। ତା’କୁ ବି ଖାଇଯିବ। ତା’ଘରକୁ ଲାଗି, ମ’ ଘର ତ।”

ତା’ପରେ ହଠାତ୍‌ ବସିଥିବା ସ୍ଥାନରୁ ଉଠି ପଡ଼ିଲା ଏବଂ କାଲାର ଘର କୋଣରେ ଥୁଆ ହୋଇଥିବା ଟାଙ୍ଗିଆଟାକୁ ଉଠାଇ ଆଣିଲା, “ଚାଲ୍‌ କାଲା, ଆଜି ସେ ଡାହାଣୀଟାକୁ ଶେଷ କରିଦେବା।”

ମଦ ନିଶାରେ ପାଦ ଏପାଖ, ସେପାଖ ପଡ଼ୁଥାଏ, ଆଖି ଲାଲ୍‌ ଲାଲ୍‌। କ୍ରୋଧରେ ଗର୍ଜନ କରୁଥାଏ- ଆଜି ତାକୁ ଛାଡ଼ିବି ନାହିଁ।

କାଲାର ଘର ସାମ୍ନା ରାସ୍ତାରେ ଆସି ସେ ଛିଡ଼ା ହେଲା। ମାଘ ମାସର ଶୀତରାତି। ଘନ ଅନ୍ଧକାର ଭିତରେ ଡଙ୍ଗରିଆ-କନ୍ଧ ବସ୍ତିର ଘରଗୁଡ଼ା ଲୁଚି ଯାଇଛି। ବଡ଼ ବଡ଼ ଗଛଗୁଡ଼ା ରାକ୍ଷସମାନଙ୍କ ଭଳି ଗାଁ ଚାରିପଟେ ଜଗି ରହିଛନ୍ତି। ଆକାଶରେ ତାରା, ତଳେ ଜୁଳୁଜୁଳିଆ ପୋକମାନଙ୍କର ଆଲୋକ ବ୍ୟତୀତ ଆଉ କେଉଁଠି ଆଲୋକର ରେଖାଟିଏ ମଧ୍ୟ ନାହିଁ। ମଝିରେ ମଝିରେ କୁକୁର, ପେଚା ଆଉ ବଣ ଆଡୁ ଶିଆଳ, ହେଟାମାନଙ୍କର ଚିତ୍କାର ଭାସି ଆସୁଥାଏ। ଗାଁ ଭିତରେ ପାଖକୁ ପାଖ ଲାଗି ନୁଆଣିଆ ଚାଳଘର। ସେଗୁଡ଼ିକ ସାମ୍ନାରେ ସରୁ ପାଦଚଲା ରାସ୍ତା। ଚାରିଆଡ଼େ ନିରବତା, ନିସ୍ତବ୍ଧତା। ରାତି କେତେ ହେବ କେଜାଣି ? ଗାଁ ଯାକର ଲୋକ ନିଦ୍ରାରେ ଅଚେତ୍‌।

ଟାଙ୍ଗିଆଟାକୁ ହାତରେ ଧରି ଆଗରେ ବୁଦ୍ଧୁରାମ ଓ ତା’ପଛରେ କାଲାରାମ। ବୁଦ୍ଧୁରାମର ଖପୁରି ଭିତରେ ନିଆଁ ଲାଗିଛି। ସେ ନିଆଁର ଧାସ ତା’ ହାତରେ, ଗୋଡ଼ରେ, ଦେହରେ, କିଛି ଭାବିବା ବା କିଛି ଚିନ୍ତାକରିବା ଅବସ୍ଥାରେ ସେ ନ ଥାଏ, ଚାରିଆଡ଼େ କେବଳ ତାକୁ ଝାପ୍‌ସା ଝାପ୍‌ସା ଦେଖାଯାଉଥାଏ। ଗୋଟିଏ ଘର ପାଖରେ ସେମାନେ ଅଟକି ଗଲେ ଏବଂ ବାଉଁଶ ଫାଳିଆରେ ତିଆରି କବାଟଟାକୁ ଧକ୍କାଟାଏ ମାରି ଖୋଲି ଦେଲେ। ସେହି ଅନ୍ଧାର ଭିତରେ କେହି ଜଣେ ଘୋଡ଼ିଘାଡ଼ି ହେଇ ଚଟାଣରେ ଶୋଇଥିବାର ବୁଦ୍ଧୁରାମ ଅନୁମାନ କଲା। ନିଘୋଡ଼ ନିଦରେ ବୋଧେ ଡାହାଣୀଟା ଶୋଇଛି। କବାଟ ଖୋଲିବାର ଶବ୍ଦରେ ମଧ୍ୟ ତା’ ନିଦ ଭାଙ୍ଗିଲା ନାହିଁ।

ବୁଦ୍ଧୁରାମ ମନରେ ହଠାତ୍‌ ଭାବନାଟାଏ ପଶିଗଲା। ଏଇ ତାରା ଡାହାଣୀ, ତା ଖୁଡ଼ି। ଘରକୁ ଘର ଲାଗିଛି। ସଙ୍ଗୁରୁ କେତେ ଭଲ ପାଉଥିଲା ବୁଦ୍ଧୁରାମକୁ, ତା’ ପୁଅ, ଝିଅ ଦି ଜଣଙ୍କୁ। ଖୁଡ଼ି ହେଇ ବି ତା’ ପିଲା ଦି’ଟାଙ୍କୁ ଗୁଣିକରି ମାରିଲା ? ଏବେ ତା’ ସ୍ତ୍ରୀ ଉପରେ ଦୃଷ୍ଟି ପକାଇଚି ?

ଚଟାଣରେ ଶୋଇଥିବା ଏବଂ ଅଖା ଘୋଡ଼ି ହୋଇଥିବା ସ୍ତ୍ରୀ ଲୋକଟା ପାଖକୁ ସେ ଝପଟି ଗଲା ଏବଂ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରିବାରେ ଲାଗିଲା। ତା’ଭିତରୁ ଏକ ନାରୀ କଣ୍ଠର ବିକଟ ଚିତ୍କାର ନିସ୍ତବ୍ଧତାକୁ ବିକ୍ଷୁବ୍ଧ କରି, ଅନ୍ଧାରକୁ ଚିରି ବାହାରି ଆସିଲା, ତା’ପରେ ବନ୍ଦ ହୋଇଗଲା, କେହି ଶୁଣିଲେ ନାହିଁ, କେହି ଜାଣିଲେ ନାହିଁ।

ତା’ପରେ ବୁଦ୍ଧୁରାମ ଓ କାଲାରାମ ବାହାରକୁ ଆସି ଦଉଡ଼ିବାକୁ ଲାଗିଲେ। ପାଖ ଗଡ଼ିଆଟା ଭିତରକୁ ଟାଙ୍ଗିଆଟାକୁ ଫିଙ୍ଗି ଦେଇ ଉଭୟ କାଲା ଘର ଭିତରକୁ ଟାଣି କବାଟ କିଳି ଦେଲେ। ସକାଳ କେତେବେଳେ ହେଲା, କେତେବେଳେ ସୂର୍ଯ୍ୟ ଉପରକୁ ଉଠିଲେ ଏବଂ କେତେବେଳେ ଗାଁ ଭିତରଟା କୋଳାହଳରେ ଭରିଗଲା, ସେମାନେ ଜାଣି ପାରିନାହାଁନ୍ତି। ଗାଁର ଦୁଇଜଣ ଯୁବକ ଯେତେବେଳେ କାଲାରାମର ଦାଣ୍ଡ କବାଟ ଭାଙ୍ଗି ଘର ଭିତରେ ପଶି ଦୁଇଜଣଙ୍କୁ କେଞ୍ଚାକେଞ୍ଚି କଲେ, ସେତେବେଳେ ଉଭୟ ଉଠିବସିଲେ।

ଜଣେ କହିଲା, “ଆବେ ବୁଦ୍ଧୁ! କାଲି ରାତିରେ ତ ସ୍ତ୍ରୀକୁ ଘରେ ଏକୁଟିଆ ଛାଡ଼ିଦେଇ ଏଠି ଆସି ଶୋଇଛୁ ? ରାତିଯାକ ମଦ ପିଇଚୁ ? ଦେଖିବୁ ଯା, ରାତିରେ ଏକୁଟିଆ ପାଇ ତାକୁ କିଏ କାତିରେ କାଟି ଟୁକ୍‌ଟୁକ୍‌ କରି ଦେଇଛି।”

ବୁଦ୍ଧୁରାମ କିଛି ବୁଝି ପାରୁ ନଥିଲା। ମହୁଲିଗୁଡ଼ା ତା’ ମୁଣ୍ଡକୁ ସେତେବେଳ ଯାଏ କବ୍‌ଜାରେ ରଖିଥାଏ। ସେ ଡବଡବ କରି ଯୁବକଟିକୁ ଚାହିଁଲା। ଯୁବକଟି କହିଲା, “ଆବେ ଚାହିଁଚୁ କଣ, ଜଲଦି ଯା, ତ ସ୍ତ୍ରୀକୁ କାଲି ରାତିରେ, କିଏ ହାଣି ପକେଇଚି, ପୋଲିସ୍‌ରେ ରିପୋର୍ଟ ଲେଖେଇବୁ-”

ଶିକାରୀର ଗୁଳିବାଜି ତଳକୁ ଖସି ପଡୁଥିବା ପକ୍ଷୀଟି ଭଳି ବୁଦ୍ଧୁରାମ ଆକାଶରୁ ଖସି ମାଟି ଉପରେ ଦୁଲ୍‌ଦାଲ୍‌ ହୋଇ କଚାଡ଼ି ହୋଇ ପଡ଼ିଲା।