କୁଆଁର ପୁନେଇଁ ତିଆସି ଦିନ-ଦୁଇ ଘଡ଼ି ଅନ୍ଧାର।

ଏକୁଟିଆ କଟକ ମଙ୍ଗଳବାଗ ଫାଣ୍ଡିରୁ ଚାଲି ଚାଲି ଆସୁଥିଲି। ରାସ୍ତା ସେତେ ଚହଳ ନ ଥିଲା। ଦଣ୍ଡେ ପହରେ ଛାଡ଼ି ଗୋଟିଏ ଯୋଡ଼ିଏ ମଣିଷ କି ସାଇକେଲ। ଖଣ୍ଡେ ଦୂର ଗଲା ପରେ ଗୋଟିଏ ଦୋ’ଛକି ପାଖରେ ପିଲାଟିଏ ଠିଆ ହୋଇ ରହିଥିବାର ଦେଖିଲି। ଖଣ୍ଡେ ଛୋଟ ଲୁଗା ଆଉ ଖଣ୍ଡେ ଧୂଳିଆ ଗେଞ୍ଜି। ପିଲାଟିର ଉଚ୍ଚ ଅଢ଼େଇ ହାତ ଯାଏ ହେବ।

ମୋ ଆସିବା ପରେ ସେ ବି ଚାଲିବା ପାଇଁ ଆରମ୍ଭ କଲା। ଦୁଇ ହାତ ହଲେଇ ହଲେଇ ଚାଲୁଥାଏ। ଶୀତ ଦିନ-ସକାଳେ ରୁମ ଟାଙ୍କି ଉଠୁଥିଲେ, ଯେମିତି ଲୋକ ଦୁଇ ଡେଣା ଖୁବ୍‌ ଜୋରରେ ହଲେଇ ହଲେଇ ଚାଲେ। ପିଲାଟିର ଖୋଜଗୁଡ଼ିକ ଛୋଟ। ସେଥିପାଇଁ ମଝିରେ ମଝିରେ ଧାଇଁଲା ପରି ଚାଲୁଥାଏ। ଯେ କୌଣସି ପ୍ରକାରରେ ଲାଗି ଲାଗି ରହିବା ପାଇଁ ତାହାର ଚେଷ୍ଟା।

ଟକଳାର ପାଟିକୁ ଭୁଜାଭୁଜି ଦି’ଟା ସବୁବେଳେ ଦରକାର ହେଲା ପରି ପଦେ କ’ଣ ଗପିବା ପାଇଁ ତାହାକୁ ପଚାରିଲି; ‘‘କିରେ ପିଲା କୁଆଡ଼େ ଯାଇଥିଲୁ?’’

‘‘ଆଉ ଯିବି କୁଆଡ଼େ?’’ ସାହସ ପାଇ ସେ ଉତ୍କଣ୍ଠିତ ଗଳାରେ କହିଲା, ‘‘ଆଗରେ ନିମସାଇ ଯାଏ ମୁଁ ଯିବି- ତମେ କ’ଣ ଏଇଠି ରହିବ?’’

ଭାରି ବ୍ୟସ୍ତ ତାହାର ମନର ଭାବ ଆଉ ତୁଣ୍ଡର ସ୍ବର। କହିଲି, ‘‘ଡର ମାଡୁଛି?’’

ଅନ୍ଧାର ଭିତରେ ଏହି ଡର କଥା ଶୁଣି ସେ ଚମକିପଡ଼ିଲା ପରି ହୋଇ ମୋ ପାଖକୁ ଘୁଞ୍ଚିଆସିଲା। ‘‘ହଁ, ଡର ମାଡ଼ୁଛି ।’’ ତାହାର ଛୋଟିଆ ଛୋଟିଆ ଆଖି ଦୁଇଟି ଡରରେ ନରମି ଯାଇଥାଏ।

ତାହାକୁ ସାହାସ ଦେବା ପାଇଁ ତାହା ଆଡ଼କୁ ହାତଟି ବଢ଼େଇ ଦେଲି। ଡରରୁ ନିଜକୁ ରକ୍ଷା କରିବା ପାଇଁ ସେ ହାତଟି ଧରି ଚାଲିଲା-ତଥାପି ଶଙ୍କି ଶଙ୍କି ହେଉଥାଏ। ଦମ୍ଭ ଦେବା ପାଇଁ କହିଲି, ‘‘ତୋର ଘର ଏଇଠି କଟକରେ। ତେବେ ବି ତୋର ଡର!’’

ଭାରି ତ୍ରସ୍ତ ଗଳାରେ କହିଲା, ‘ବାବୁ, ଜାଣ ନାହିଁ? ଏଇ ଯେଉଁ ପଠାଣ କବର ରହିଲା, ସେଠି କିଏ ଗୋଟାଏ ଅଛି଼-ଢେଲାମାରେ। ତାହାର ପିଠି ଥାପୁଡ଼ାଇ କହିଲି, ‘ନାହିଁ, ମୁଁ ଆସେ ଆଉ ଯାଏ, କେବେ କିଛି ଦେଖି ନାହିଁ ତ!’

ସେ ପ୍ରତିବାଦ କରି କହିଲା, ‘ନାହିଁ ବାବୁ, ସାନ ପିଲାଙ୍କୁ ମାରେ। ଥରେ ମୁଁ ଆସୁଥିଲି-ମୋ ଗୋଡ଼ରେ ଗୋଟିଏ ଢେଲା ବାଜିଲା। ସେହି ଦିନୁଁ ମୁଁ ଆଉ ଏକା ଆସେ ନାହିଁ। କିଏ ଆସୁଥିଲେ ତାହାରି ସାଙ୍ଗରେ ଚାଲି ଚାଲି ମୁଁ ସେହି କବରଟା ଟପିଯାଏ।’

ଦେଖିଲି ତାହାରି ମନରୁ ଡରକୁ ବାହାର କରିହେବ ନାହିଁ। କୁସଂସ୍କାର ଲୋକର ରକ୍ତ ସାଙ୍ଗରେ ମିଶି ରହିଲା ପରି, ଡର ତାହାରି ମନରେ ଆସ୍ଥାନ ଜମେଇ ରହିଗଲାଣି। ପିଠି ଥାପୁଡ଼ାଇକରି ପଚାରିଲି, ‘ତୋର ନାଁ?’

‘ମୋ ନା ଲିଙ୍ଗା, ତମେ ଆମ ବାଆକୁ ଚିହ୍ନିଥିବ-ଯୋଗୀ ମହାରଣା।’

ମୋର ମୁହଁରେ ଯେତିକି ଆଶ୍ଚର୍ଯ୍ୟ ହେବାର ଚିହ୍ନ ଦିଶୁଥିଲା, ତାହାର ମନରେ ଠିକ୍‌ ସେତିକି ଉକୁଟି ଉଠିଥିଲା। ସେ ପୁଣି ଆରମ୍ଭ କଲା, ‘ଆମ ବାଆ ଛାନ୍ଦରେ ସରସ। ସେ କିଛି କାମ ଦାମ କରେ ନାହିଁ। ସବୁବେଳେ ସେଇଥିରେ ଲାଗିଥାଏ। ବନା ପହିଲିମାନ ତାହାକୁ ଡକାଏ। ଆମ ବାଆକୁ କେହି ଛାନ୍ଦରେ ପାରନ୍ତି ନାହିଁ। ସେ କପ୍‌ ଆଣିଛି।’

ପଚାରିଲି, ‘କିରେ, ବାଆ ତୋର ଦିନକୁ କେତେ ମଜୁରୀ ପାଏ?’

ଲିଙ୍ଗା କହିଲା, ‘ହେଁ, ମଜୁରୀ! ସେ ମୋଟେ କାମକୁ ଯାଏ ନାହିଁ, ମୁଁ ପରା ଛ’ମାସ ହେଲାଣି କାମ ଶିଖୁଛି। ଏହି ପନ୍ଦର ଦିନ ହେବ ଦିନକୁ ସାତ ପଇସା ମୂଲ ପାଉଛି। ବାଆ ମୋଟେ କାମକୁ ଗଲା ନାହିଁ। ଏ ସାଲ ଘର ଛପର ହୋଇ ନ ଥିଲା ଯେ, କାନ୍ଥ ସବୁ ପଡ଼ିଯାଇଛି।’

ଦେଖିଲି, ସେ ବି ଜଣେ କବି। ବଢ଼େଇ ଘରେ ଯେ କବି କି ଶିଳ୍ପୀ ନ ଥିବେ, ଏହି ଧାରଣା ଦୂର ହେଲା। ଆଉ ବି ଜାଣିଲି, ଏହି ଅଭାବଗ୍ରସ୍ତ ପରିବାରଟି ଯୋଗୀ ମହାରଣାର ଖିଆଲରେ ଚାପି ହୋଇ ରୁନ୍ଧି ହୋଇଯିବ। ପ୍ରତି କବି-ସେ ବଡ଼ ଘରେ ଥାଉ, କି ଗରିବ ଘରେ ଥାଉ, ଏହି ଖିଆଲ ପଛରେ ଅଣନିଶ୍ବାସୀ ହୋଇ ଧାଉଁଥାଏ। ମୁଁ କହିଲି, ‘‘କପ୍‌ଗୁଡ଼ାକ ରଖିଛି କାହିଁକି? ବିକି ଦଉ ନାହିଁ?’’

ଲିଙ୍ଗା କହିଲା, ପହିଲିମାନ ଗାଳିଦେବ। ସେଗୁଡ଼ାକ ରଖିବାପାଇଁ ଦେଇଛି, ହେଲେ ଗୋଟାଏ ଚିଜ ତ? ସେଗୁଡ଼ାକ ଚାନ୍ଦି-କେତେ ପଇସା ହୋଇଥିବ!

ତାହାରି କଥାରେ ଭୋଳ ଥିଲା ପରି କହିଲା, ‘ସେଗୁଡ଼ା ଏବେ ପେଟରା ଭିତରେ ରଖିଛୁଁ। ପଦାରେ ଥିଲା ଯେ, ଉଇ ଲାଗି ତାହାର ବଇଠି ସବୁ ଖାଇଗଲେ- ବାଆ ଆମର ପୁଣି ବଇଠି ତିଆରି କରିଛି ନୂଆ କରି।’

ଏହିସବୁ କଥା-ପ୍ରତିକଥା ତାହାର ଦାରିଦ୍ର୍ୟ ଆଉ ମନର ସରଳତା ଷୋଳ ଅଣାରେ ଦେଖାଉଥିଲେ। ପଚାରିଲି, ‘ଆଜି କେତେବେଳେ ଖାଇଥିଲୁ?’

କହିଲା- ‘ସକାଳେ ତୋରାଣି ପିଇ ଯାଇଥିଲି, ଆଉ କିଛି ଖାଇନାହିଁ। ଘରେ ଗଲେ- ଆଜି କ’ଣ ଥିବ କି ନ ଥିବ କେଜାଣି?’

ଦିନଯାକ ଖାଇନାହିଁ। ଅଣଛପରା ଦଦରା ଘରେ ପହୁଞ୍ଚିଲେ ଭାତ ଅଛି କି ନାହିଁ ସେଥିରେ ସନ୍ଦେହ ଅଛି। ତଥାପି ତାହାର ମନ ଅଚଞ୍ଚଳ। ମୋ’ଠାରୁ ହାତେ ଛୋଟ। ବୟସର ଅଧା ହେବ। ଦୁଇହାତ ଛାତି ଉପରେ ଛକ କରି ପକାଇଛି-ଶୀତରୁ ଟିକିଏ ରିଆତି ପାଇବ ବୋଲି। ତାହାରି ପାଖରେ ଗରମ ପଞ୍ଜାବୀ ପିନ୍ଧା ପୂରା ପେଟରେ ନିଶ୍ଚିନ୍ତ ମନରେ ଯେତେବେଳେ ଚାଲୁଥିଲି, ମନ ଭିତରେ ମତେ କିଏ କେତେ କାଇଲି ଦେଉଥିଲା।

ଏଇ ମନର ଆଶା ଆକାଂକ୍ଷାକୁ ଏତେ ବଡ଼ ଦୁନିଆ ଛୋଟ ଦିଶୁଛି। ତଥାପି ଶାନ୍ତି ନାହିଁ, କିନ୍ତୁ ସେଇଠି ପିଲାଟିଏ ଖାଲି ପେଟରେ ଫୁଙ୍ଗା ଦେହରେ ଦିନଯାକ ହାଡ଼ଭଙ୍ଗା ପରିଶ୍ରମ କରି ଆଠ ଘଣ୍ଟାର ମୂଲ ସାତଟି ପଇସା ନେଇ ଘରକୁ ଫେରୁଛି, ତା’ର ବାପା ବୋଉକୁ ଢୋକ ଦେବ ବୋଲି।

ହାତରେ ଅଧାପୋଡ଼ା ସିଗାରେଟ୍‌ ଟା ଥିଲା। ସେଇଟା ଫୋପାଡ଼ି ଦେଲି-ତାହାରି ମନ ପାଖରେ ଏଇ ଆମର କଲେଜପଢ଼ୁଆ ବାବୁଆନି କେତେ ଛୋଟ କେତେ ହୀନ!

ପକେଟ୍‌ରେ ହାତ ମାଇଲି। ନ’ପଇସା ପଡ଼ିଥିଲା ଆଉ ଗୋଟିଏ ଟଙ୍କା-ଟଙ୍କାଟି ଦେବା ପାଇଁ ଭାବିଲି। ମନ କୁଣ୍ଠିତ ହେଲା। ନଅଟି ପଇସାରୁ ଅଣିଟିଏ କାଡ଼ି ତାହାକୁ ଦେଇ କହିଲି, ନେଇଯା ଭୁଜା ଖାଇବୁ। ସନ୍ଦେହମିଶା ଆଖିରେ ଚାହିଁ ସେ ନେଲା। ଆଗରେ ଖଣ୍ଡେ ଦୂରରେ ନିମସାଇ। ପଠାଣ କବର ବହୁତ ପଛରେ ରହିଲାଣି। ରାସ୍ତା ଏଣିକି ଏଣିକି ଗହଳିଆ ହେଲାଣି। ଲିଙ୍ଗାର ଭୟ ଚାଲିଗଲାଣି। ଏପଟକୁ ସେପଟ କଥାଭାଷା କରି କରି ଚାଲିଛି।

ଭାବିଲି ତାହାର ବାପା ଛାନ୍ଦ ବୋଲିବାରେ ସରସ ହେବ ବୋଲି ମୂଲ ମଜୁରୀ ଛାଡ଼ିଲା। ଆମର କଲେଜ ବାବୁମାନେ ବହି ଭଲକରି ପଢ଼ିବେ ବୋଲି କେତେ ମାଉଁସ ଶୁଖେଇ ଦିଅନ୍ତି।

ଯୋଗୀ ମହାରଣାକୁ ଦେଖିବା ପାଇଁ ଇଚ୍ଛା ହେଲା। ପୁଅ କିନ୍ତୁ ତାହାର ଘରକୁ ମତେ ନବାପାଇଁ ନାରାଜ। ସେ ଭାବୁଥିଲା, କାଳେ ତାହାର ବାପାକୁ ମୁଁ ‘ଲିଙ୍ଗା ପାଖରେ ଚାରି ପଇସା ଅଛି’ ବୋଲି କହିଦେବି। ବାପା ତାହାଠାରୁ ଛଡ଼େଇ ନେଇଯିବ। ସେ ମତେ ଖାସ୍‌ ଭୁଲାଉଥାଏ-‘ଆମ ଘର ଗଳିରେ କେତେ ବାଟ ହେବ। ବାଆ ଘରେ ନ ଥିବ-ମୁଁ ଘରକୁ ଏଇଲାଗେ ଯିବି ନାହିଁ।’

ବାପା ପାଇଁ ପାଞ୍ଚଟା ପଇସା ଦେଇ କହିଲି ଲିଙ୍ଗାକୁ ସେହି କଥା କହିଦେବା ପାଇଁ। ସେ ତରଙ୍ଗ ତରଙ୍ଗ ହୋଇ ଚାହୁଁଥାଏ। କାଳେ କିଏ ଦେଖି ଦେଇଥିବ। ମୁଁ ବୁଝି ପାରୁଥାଏ ଯେ, ସେ ବାପାକୁ ଏହି କଥା କିଛି କହିବି ନାହିଁ।

ତାହାର ଘର ପାଖ ହୋଇଗଲା। ସେ ହଠାତ୍‌ କହିଲା, ’ବାବୁ, ଆମର ଘର ଏଇ ଗଳି ଭିତରେ-ମୁଁ ଯାଉଛି’ କହି, ହରିଆରେ! ଡାକ ମାରି ମାରି ଦଉଡ଼ି ଚାଲିଲା।

ମୁଁ ଆସିଲି-ଏକା ଏକା ରାସ୍ତା ପାଖରେ ଗାଈଟିଏ ଛିଡ଼ା ହୋଇ ଚରୁଥାଏ, ଠାଏ ଠାଏ ଘାସ ଅଛି। କଅଁଳ ଦୁବଘାସ କେତେଥର ଏମିତି ଗୋରୁର ପାକୁଳି ଭିତରେ ନିଶ୍ଚିହ୍ନ ହୋଇ ମିଳେଇ ଯାଇଛି, ତଥାପି ସେ ତ ମରି ନାହିଁ। ବାଟ କରରେ ଥାଇ ସୁଦ୍ଧା ଏତେ ଲୋକର ଯିବାଆସିବାର ଧାସ, ଗାଈଗୋରୁଙ୍କ ପାଟି ତାହାକୁ ପୋଛି ଦେଇ ପାରିନାହିଁ।

ତାହାହେଲେ ମଣିଷ ଜାତି କାହିଁକି ଟଳିବ? ଏହି ଅଭାବ ଭିତରେ ବଢ଼େଇ ପିଲାଟି କାହିଁକି ହଟିଯିବ? ସେ ବି ମନରେ ଆଶା ନେଇ ବାଟ ଚାଲିଛି। ସେଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି? ତଥାପି ମନ ଭିତରେ, କଥାରେ ଏହି ଖିଅ ସବୁ ଅଡ଼ୁଆ ଧରି ରହୁଥିଲା।

ଘାସ ଜୀବନରେ ଯାହା ସତ, ମଣିଷ ଜୀବନରେ କ’ଣ ସେଇଆ ଅବିକଳ ସତ ହୋଇପାରେ?