ମଦନ ଯେତେବେଳେ ଧୀରେ ଧୀରେ ଆଖି ଖୋଲି ଯନ୍ତ୍ରଣାରେ ଦୀର୍ଘ ‘ଉଃ’ ଶବ୍ଦ କଲା, ସେ ଜାଣିପାରିଲା ନାହିଁ ସେ କେଉଁଠି ଅଛି। ଡେବିରି ଆଣ୍ଠୁ ତଳକୁ ଗୋଡ଼ରେ ତା’ର ଜଳନ୍ତା ନିଆଁ ରଖାଗଲା ପରି ଦାରୁଣ ଯନ୍ତ୍ରଣା ବୋଧ ହେଉଥାଏ। ମୁଣ୍ଡ ପର୍ବତ ପ୍ରମାଣ ବୋଝ ଲାଗୁଥାଏ। ଅଜଣା ଔଷଧର ତୀବ୍ର ଗନ୍ଧ ତାକୁ ଅନୁଭୂତ ହେଉଥାଏ। ଅର୍ଧଚେତନ ଅବସ୍ଥାରେ ଭାବୁଥାଏ କେଉଁଠି ଅଛି ସେ? ଆଖିପତା ଖୁବ୍ ଭାରି ଲାଗୁଥାଏ। କାହିଁକି ଏତେ ଯନ୍ତ୍ରଣା? ଅସ୍ଫୁଟ, ଧୀର ଆର୍ତ୍ତନାଦ ତା’ର କଣ୍ଠରୁ ବାହାରିଲା ବେଳେ ତା’ର ମନେହେଲା ପାଟି କରିବାର ଶକ୍ତି ମଧ୍ୟ ତା’ର ନାହିଁ। ସେ ନିଜର ଯନ୍ତ୍ରଣାକୁ ଯେପରି ଉଚ୍ଚ ସ୍ବରରେ ପ୍ରକାଶ କରିବାକୁ ଚାହୁଁଥିଲା, ସେହିପରି ବିକଟ ସ୍ବରରେ ଆର୍ତ୍ତନାଦ ତା’ର ପାଟିରୁ ଶୁଣାଯାଉଥିଲା, ‘ଓଃ ମରିଗଲି’ ବୋଲି କହି ସେ ମୁହଁ ବିକୃତ କରି ପାଟି ବନ୍ଦ କଲା। ‘‘ମୁଁ କେଉଁଠି?’’ ଏହି କଥା ସେ କହିବାକୁ ଚାହୁଁଥିଲା। କିନ୍ତୁ ମୁଣ୍ଡ ଭିତରେ ବୋଝ ପରି ଲାଗୁଥିବାରୁ ସେ କଥାରେ ତାହା ପ୍ରକାଶ କରିପାରୁ ନ ଥାଏ।
ମନେହେଲା ତା’ର ହାତକୁ କିଏ ଧରି ଉଠାଉଛି। ମଦନ ପୁଣିଥରେ ଆଖି ଖୋଲିଲା। ଚୁଡ଼ିର ଝଣଝଣ ଶବ୍ଦ ତା’ର କାନରେ ଆସି ପଶିଲା। ନାରୀ କଣ୍ଠର କୋହ ତାକୁ ଶୁଣାଗଲା ଗୋଟିଏ ପ୍ରଶ୍ନ- ‘‘କେନ୍ତା (କେମିତି) ଲାଗୁଛେ?’’ ସେ ଚିହ୍ନିବାକୁ ଚେଷ୍ଟା କଲା। ସାମ୍ନାରେ ନାରୀ ମୂର୍ତ୍ତି। ‘‘କିଏ?’’ ବୋଲି ପଚାରିଲା ମଦନ। ଓଃ, ଏ ଯେ ସୀତା। ତା’ର ନିଜର ସ୍ତ୍ରୀ। ‘‘ମୁଁ ହିଁ ସୀତା’’ ବୋଲି ଉତ୍ତର ହେଲା, ଆଉ ତା’ ସଙ୍ଗେ ଶୁଣାଗଲା ଅସ୍ଫୁଟ ରୋଦନ।
ସେ ଦେଖିଲା ତା’ର ହାତ ହାତରେ ଧରି ସୀତା କାନ୍ଦୁଛି, ଡରି ଡରି, କାଳେ ପାଟିକରି କାନ୍ଦିଲେ କେହି ଗାଳି ଦେବେ। ଆଉ ପାଖରେ ତା’ର ଖଟିଆକୁ ଧରି ଠିଆ ହୋଇଛି ବାବୁ- ଦେଢ଼ ବର୍ଷର ପୁଅ, ଅମର।
‘‘ମୁଇଁ କେନେ (କେଉଁଠି) ଅଛେଁ?’’ ବୋଲି ପଚାରିଲା ମଦନ।
‘‘ଇଟା (ଏଇଟା) ବୁର୍ଲା ଆସ୍ପାତାଲ।’’ ସୀତା କହିଲା।
ମଦନ ବାସ୍ତବ ଜଗତକୁ ଫେରି ଆସୁଥାଏ। ଉପରେ ପଙ୍ଖା ବୁଲୁଥାଏ ଓ ବିଜୁଳିବତି ଜଳୁଥାଏ। ତା’ରି ପରି କେତେ ରୋଗୀ ତା’ର ବାମ, ଡାହାଣ ଦୁଇଆଡ଼େ ଖଟରେ ପଡ଼ି ଯନ୍ତ୍ରଣାରେ ଆର୍ତ୍ତନାଦ କରୁଛନ୍ତି।
‘‘ଓଃ ଶୋଷ।’’ କ୍ଷୀଣ କଣ୍ଠରେ କହିଲା ମଦନ। ସୀତା ଉଠିଗଲା ପାଣି ପାଇଁ। କିଛି ସମୟ ପରେ ଜଣେ ନର୍ସ ଫିଡ଼ିଂ କପ୍ରେ ପାଣି ଟିକିଏ ଆଣି ପିଇବାକୁ ଦେଇ ପଚାରିଲା, ‘‘କିମିତି ଲାଗୁଛି?’’
‘‘ଓଃ, ମରିଗଲି’’ ବୋଲି କହିଲା ମଦନ।
‘‘କେନ୍ତା (କେମିତି) ହେବା ଗୋ?’’ ବୋଲି କହି ନର୍ସ ଆଡ଼କୁ ଜିଜ୍ଞାସୁ ଦୃଷ୍ଟିରେ ଚାହିଁଲା ସୀତା। ଆଖିରୁ ତା’ର ଝରିପଡ଼ୁଥାଏ ଲୁହ। ‘‘କିଛି ନାଇଁ ହୁଏ। କିଛି ଚିନ୍ତା ନାଇଁ କର। ତୁମର ଭାଗ୍ୟ ଭଲ। ଆଉ ଡରବାର୍ (ଡରିବାର) କିଛି ନାଇଁ।’’ ଆଶ୍ବାସନାର ବାଣୀ ଶୁଣାଇଲା ନର୍ସ।
ମଦନ ଦେଖିଲା ଦୁଇ ଗୋଡ଼ରେ, ମୁଣ୍ଡରେ ତା’ର ପଟି ବନ୍ଧା ହୋଇଛି। ହଲ୍ଚଲ୍ ହେବାର ମଧ୍ୟ ଉପାୟ ନାହିଁ। ଯନ୍ତ୍ରଣାରେ ଗୋଡ଼ ଦୁଇଟି ପୋଡ଼ିଯାଉଛି। ଛଟପଟ ହେବାକୁ ମନ କହୁଛି। କିନ୍ତୁ ଗୋଡ଼ ଦୁଇଟି ଅବଶ ଓ ନିର୍ଜୀବ।
ଗୋଟିଏ ଭୟାନକ କଥା ତା’ର ମନେପଡ଼ିଲା। ସେ ଯାଇଥିଲା କାମକୁ। ହୀରାକୁଦ ବନ୍ଧରେ ପର୍ବତ ପ୍ରମାଣ ଉଚ୍ଚ ଶିଡ଼ି ଉପରେ ଉଠିଥିଲା ସେ, କୁଲିମାନଙ୍କର କାମ ଦେଖିବାକୁ। କାନରେ ତା’ର ଭାସି ଆସିଥିଲା ଦକ୍ଷିଣୀ ରେଜା କୁଲିମାନଙ୍କର ନିରର୍ଥକ ଓ ଶ୍ରୁତିକଟୁ ଐକ୍ୟତାନ ସଙ୍ଗୀତ। ମନେପଡ଼ିଲା ତା’ର ଗୋଟିଏ ଆକସ୍ମିକ ଚିତ୍କାର, ଦୌଡ଼ାଦୌଡ଼ି। ଆଉ ହଠାତ୍ ଶିଡ଼ି ଭାଙ୍ଗି କଟ୍କଟ୍ ଶବ୍ଦ ହେବାରୁ ଓ ବହୁତଗୁଡ଼ିଏ ରେଜା କୁଲିଙ୍କ ସଙ୍ଗେ ସେ ନିଜେ ମଧ୍ୟ ପଡ଼ିଯାଉଥିବାର ମନେପଡ଼ିଲା। ତଳେ, ବହୁତ ପଥର ଓ ବାଲିରେ ନିଜେ ପଡ଼ୁଥିବାର ଦେଖି ସେ ଚିତ୍କାର କରି ଉଠିଥିଲା ଓ ସେଇଠି ତା’ର ଚେତା ହଜିଯାଇଥିଲା। ସେଇ ମୁହୂର୍ତ୍ତକ ମଧ୍ୟରେ ତା’ର ସବୁ ଶେଷ ହୋଇଯିବ ବୋଲି ଭାବୁଥିଲା। ମାତ୍ର ଏବେ ସୁଦ୍ଧା ସେ ବଞ୍ଚିଛି।
‘ବଞ୍ଚିଛି? ସତେ?’ ସନ୍ଦେହରେ ସେ ପୁଣି ହାତ ବଢ଼ାଇଲା ସୀତାର ହାତ ଆଡ଼କୁ। ସୀତାର ହାତରେ ହାତ ଦେଇ ଦେଖିଲା, କେଡ଼େ ଦୁର୍ବଳ; କେଡ଼େ ପାତଳ ହାତଟି। ହାତରେ ତିନିପଟ ଝଲକି ଚୁଡ଼ି। ପୁଅର ମୁଣ୍ଡରେ ହାତ ବୁଲାଇଲା। କଅଁଳିଆ ରୁଖାଶୁଖା ବାଳ। ଆଖି ଦୁଇଟି ତା’ର ଲୁହରେ ଭରି ଉଠିଲା। ସୀତା ତା’ର ଗାଲରେ ବହିଯାଉଥିବା ଲୁହଧାର ଦୁଇଟି ପୋଛିଦେଲା।
‘‘କାଣା (କ’ଣ) ବଲୁଛ?’’ ପଚାରିଲା ସୀତା।
ମଦନର ମୁଣ୍ଡ ଭିତରେ ଯେପରି କିଏ ହାତୁଡ଼ିରେ ପିଟୁଛି। ସେ ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁଥିଲା; କିନ୍ତୁ ଯନ୍ତ୍ରଣାରେ ପୁଣି ଓଃ ଶବ୍ଦ କରି ଆଖି ବୁଜିଲା। ସୀତାର ହାତଟିକୁ ଚିପି ଧରିଲା।
‘‘ମୁଁ ଯଦି ମରିଯାଏଁ?’’ ମନେ ମନେ ଭାବୁଥାଏ ମଦନ। ଆଉ ଭାବିପାରେ ନାହିଁ। ହୀରାକୁଦରେ କାମ କରୁଥିଲାବେଳେ ଶୂନ୍ୟରେ ଖସିପଡ଼ିଥିଲା ପରି, ପୁଣି ତା’ର ମନରେ ଗୋଟିଏ ଆତଙ୍କ ସୃଷ୍ଟି ହେଲା, ଯନ୍ତ୍ରଣାରେ ତା’ର ମୁହଁଟା ଖୁବ୍ ବିକୃତ ହୋଇଗଲା। ତାକୁ ଶୁଣାଗଲା, ସୀତା ହଠାତ୍ ପାଟିକରି କାନ୍ଦି ପକାଉଛି। ସେ ନିଦେଇଲା ପରି ଅଚେତ୍ ହୋଇଗଲା।
ସେପ୍ଟେମ୍ବର ୧୯ ତାରିଖ ଦୁଇପ୍ରହର। ବୁର୍ଲା ହାସ୍ପାତାଳରେ ମାଧ୍ୟାହ୍ନ ବିଶ୍ରାମରୁ ଆଖିଖୋଲି ଦେଖିଲା ମଦନ। ତା’ର ଜୀବନ ଓ ମୃତ୍ୟୁର ସଂଗ୍ରାମରେ ଜୟୀ ହୋଇଛି ଜୀବନ। କିନ୍ତୁ ଏ ଜୟ ପାଇଁ ତାକୁ ବହୁତ ମୂଲ୍ୟ ଦେବାକୁ ପଡ଼ିଛି। ରକ୍ଷାହେଲା ତା’ର ମୁଣ୍ଡର ବେଦନା ଆଉ ନାହିଁ। ମୁଣ୍ଡର ପଟି ଖୋଲା ହେଲାଣି। ଡାହାଣ ଗୋଡ଼ଟି ପ୍ଲାଷ୍ଟର୍ରେ ବନ୍ଧା ହୋଇଥିଲେ ମଧ୍ୟ ବେଦନା ବାରଅଣା କମିଗଲାଣି। କିନ୍ତୁ ବାଆଁ ଗୋଡ଼ର ଆଣ୍ଠୁ ତଳକୁ ବାକି ଅଂଶ ପୂରାପୂରି କାଟି ଦିଆଯାଇଛି। ବାଁ ଜଙ୍ଘରେ ଇଞ୍ଜେକ୍ସନ୍ ଦେବା ସତ୍ତ୍ବେ ଏବେ ସୁଦ୍ଧା ଭୀଷଣ ବେଦନା ଜଣାପଡ଼ୁଛି। ଜୀବନକୁ ରକ୍ଷା କରିବା ପାଇଁ ଗୋଟିଏ ଗୋଡ଼ର ମାୟା ଛାଡ଼ିବାକୁ ପଡ଼ିଛି ତାକୁ।
ହସ୍ପିଟାଲ୍ ନିଃଶବ୍ଦ ପ୍ରାୟ। ରୋଗୀମାନଙ୍କ ମଧ୍ୟରୁ କିଏ ଶୋଇ ଘୁଙ୍ଗୁଡ଼ି ମାରୁଛି ତ କିଏ ଛାତରେ ଝୁଲୁଥିବା ବିଜୁଳି ପଙ୍ଖାକୁ ଶୂନ୍ୟ ଦୃଷ୍ଟିରେ ଚାହିଁଛି। ହସ୍ପିଟାଲ୍ର ଚାରିଆଡ଼େ ଆଖି ବୁଲାଇ ଆଣିଲା ମଦନ। ତାହାରି ପରି କେତେ ହତଭାଗ୍ୟ ରୋଗୀ ଯନ୍ତ୍ରଣାମୟ ଜୀବନରେ ଟିକିଏ ସ୍ବସ୍ତିର ନିଦ ଭୋଗୁଛନ୍ତି। କେହି କେହି ହୁଏତ ସୁଖର ସ୍ବପ୍ନ ଦେଖୁଥିବେ। ତା’ର ଡାହାଣ ପାଖ ଖଟରେ ଶୋଇ ଘୁଙ୍ଗୁଡ଼ି ମାରୁଛି ରାମଚନ୍ଦ୍ରନ୍। ତାହାରି ପରି ଜଣେ ସୁପର୍ଭାଇଜର୍। ଭଙ୍ଗା ଭଙ୍ଗା ହିନ୍ଦୀରେ କେତେଥର ସୁଦୂର ତାମିଲ ଦେଶରେ ଥିବା ନିଜର ସ୍ତ୍ରୀ ଛନ୍ଦ୍ରାମ୍ମାର କଥା କହୁଛି। ଏବେ ହୁଏତ ରାମଚନ୍ଦ୍ରନ୍ ସ୍ବପ୍ନରେ ମାନ୍ଦ୍ରାଜ ପାଖରେ କେଉଁ ପଲ୍ଲୀରେ ସ୍ତ୍ରୀ ପାଖକୁ ଯାଇଥିବ। ମଦନ ଦେଖିଲା ତା’ର ଖଟ ପାଖରେ ତଳେ ଗୋଟିଏ ମସିଣାରେ ଶୋଇପଡ଼ିଛନ୍ତି, ସୀତା ଓ ପୁଅ ଅମର। ଜାଲିଚଟୁ ପରି ବସନ୍ତଚିହ୍ନ ଭରା ସୀତାର ମୁହଁଟି ନିଦରେ ଉଜ୍ଜ୍ବଳ ଓ ଚିତ୍ତାକର୍ଷକ ଦେଖାଯାଉଛି। ଗାଲରେ ଏବେ ସୁଦ୍ଧା ଲୁହଧାର ଶୁଖିଥିବାର ଚିହ୍ନ ଦେଖାଯାଉଛି। ତା’ର ଉନ୍ନତ ଛାତି ପାଖରେ ମୁହଁ ଗୁଞ୍ଜି ମଦନ ଆଡ଼କୁ ପଛକରି ଶୋଇଛି ଅମର। ସୀତା ପିନ୍ଧିଥିବା ଶସ୍ତା ସମ୍ବଲପୁରୀ ଶାଢ଼ୀଟି ଗୋଟିଏ ଦୁଇଟି ଜାଗାରେ ଚିରିଗଲାଣି। ଦେହଟି ପ୍ରାୟ ନିରାଭରଣ ପାଦ ଆଙ୍ଗୁଠିରେ ଝୁଣ୍ଟିଆ ଛଡ଼ା। ମଦନର ମନରେ କରୁଣା ଓ କାମନା ଏକ ସଙ୍ଗରେ ଜାତ ହେଲା। ଅତୀତର କେତେ ସ୍ମୃତି ଆଜି ତା’ର ପୁରୁଷକାରକୁ ଧିକ୍କାର କଲା।
ତା’ର ମନେପଡ଼ିଲା ପ୍ରାୟ ଦୁଇବର୍ଷ ତଳର କଥା, ଯେତେବେଳେ କି, ସୀତା ବସନ୍ତ ରୋଗରେ ପୀଡ଼ିତ ହୋଇ ପଡ଼ିଲା। ସେହିଦିନୁ ଆରମ୍ଭ ହେଲା ସୀତାର ଦୁର୍ଭାଗ୍ୟର ଦିନ। ସୀତାର ରୋଗ ସମୟରେ ସେ ବରାବର ତା’ଠାରୁ ଦୂରରେ ରହିଥିଲା ଏବଂ ତା’ର ଦେହ ଓ ମୁହଁର ବିକୃତି ଯୋଗୁଁ ସୀତକୁ ଘୃଣା ଚକ୍ଷୁରେ ଦେଖିବାକୁ ଆରମ୍ଭ କଲା। ସେତେବେଳେ ମଦନ ଜାଣିଥିଲା ସୀତା ଆହୁରି ଭବିଷ୍ୟତରେ ତା’ର ଭାବି ସନ୍ତାନର ମାତା ହେବ। ତଥାପି ସେ ତାକୁ ଅବଜ୍ଞା ଓ ତିରସ୍କାର କରିବାକୁ ଆରମ୍ଭ କରିଥିଲା ସେଇଦିନରୁ। ସେଇଦିନରୁ ତା’ର ପତ୍ନୀ ପ୍ରେମ କମିଗଲା। ସେଇଦିନଠାରୁ ଆରୋଗ୍ୟ ହେଲା ପରେ ସୁଦ୍ଧା ସୀତା କେତେ ତିରସ୍କାର, କେତେ ଅପମାନ ନିରବରେ ସହିବାକୁ ବାଧ୍ୟ ହେଲା। ‘ହଁ, ଜାଲିଚଟୁ ମୁହିଁ’ ବୋଲି ତିକ୍ତ ସମ୍ଭାଷଣ ସେହିଦିନଠାରୁ ଶୁଣି ସୀତା ବ୍ୟଥିତା ହୋଇଥିଲା। ସେ ସମୟରେ ବସନ୍ତ ରୋଗ ଯଦି ସୀତାକୁ ନ ହୋଇ ମଦନକୁ ହୋଇଥା’ନ୍ତା ତେବେ ସୀତା ହୁଏତ କେତେ ଆଦର ସହିତ ତାକୁ ସେବା ଶୁଶ୍ରୂଷା କରିଥା’ନ୍ତା। ଏମିତି ସବୁବେଳେ ଛାଇ ପରି ହୁଏତ ତାକୁ ଜଗିଥା’ନ୍ତା। କିନ୍ତୁ ସୀତା ସେ ସମୟରେ ନିଜର ଦୁର୍ଭାଗ୍ୟ ଯୋଗୁଁ ମଦନଠାରୁ କେତେ ଅନାଦର ପାଇଛି।
ତା’ପରେ ମଦନର ମନେପଡ଼ିଲା, ସୀତା ଆରୋଗ୍ୟ ଲାଭ କଲା ପରେ କେତେ ଦୁର୍ବଳ ହୋଇପଡ଼ିଥିଲା, କେତେ ଅସହାୟ ହୋଇପଡ଼ିଥିଲା। ଆଉ ସେହି ଦୁର୍ବଳ, ଅସହାୟ ଅବସ୍ଥାରେ କିପରି ମଦନ ତାକୁ ଘରୁ ତଡ଼ି ଦେଇଥିଲା କହିଲେ ଚଳେ। ମନେପଡ଼ିଲା, ସେହି ସମୟର ଗୋଟିଏ ରାତିର କଥା ଯେତେବେଳେ ମଦନ ତାକୁ କହିଥିଲା, ‘‘ତୋର ଦିହ ତ ଇନେ (ଏଠାରେ) ବଡ଼ା ଅସୁଖ୍ ହେଉଛେ। କିଛିଦିନ, ବାପଘରେ ଯାଇ ରହିଆସ୍ ତୁ (ଆସନ୍ତୁ) ବଏଲେ (ବୋଇଲେ) ଭଲ ହେତା (ହୁଅନ୍ତା)। ହାୱାପାନି ବଦଲି ହେଲେ ତୋର୍ ଦିହ ଭଲ୍ ହୋଇଯିବା।’’
ସେତେବେଳେ ସୀତା କହିଥିଲା, ‘‘ମୁହିଁ ବାପ୍ ଘର୍କେ ଗଲେ ତୁମ୍କେ ରାନ୍ଧିବାଢ଼ି ପରଷିବା କିଏ? ତୁମର କେତେ ଅସୁବିଧା ହେବା?’’
ମଦନ କହିଥିଲା, ‘‘କିଛି ଅସୁବିଧା ନାଇଁ ହୁଏ। ଘରେ ମାଆ ଅଛନ୍। ତୁଇ ଯାଆ, ମାଆଘରେ ଚାର୍ ଛ ମାସ୍ ରହିକରି ଆସ୍ବୁ। ସେନ୍କେ ଗଲେ ଏତେ ଦହଶତ୍ (ପରିଶ୍ରମ) ହେବାକେ ନାଇଁ ପଡ଼େ, ଆଉ ତୋର୍ ଦିହ ଭି ଭଲ୍ ହୋଇଯିବା।’’
ସୀତା ଅଭିମାନ ସ୍ବରରେ କହିଥିଲା, ‘‘କଥା ଅଛେ ‘ନୂଆଁ ନୂଆଁ ସୀତା କଏଁ ତା, ଜୁହ୍ନା ହେଲେ ପିତା’’, ନୂଆଁ ହେଇ କରି ଯେତେବେଳେ ତୁମର୍ ଘର୍କେ ଆସିଥିଲି, ସେତେବେଳେ କେତେ ଆଦର୍ କେତେ ଗେଲ୍ କରୁଥିଲ। ଏଭେ ସୀତାକେ ବନ୍ବାସ୍ ପଠାବାକେ ମନ୍ ହେଉଛେ ତୁମର୍?’’
‘‘ବାପ୍ ଘର୍ଟା କାଣା ବନ୍ବାସ୍ ତୁମର୍ ବିନା ଯାହିଁ ଗଲେ ମୋର୍ ଲେଖେଁ (ମୋ ପକ୍ଷରେ) ବନ୍ବାସ୍; ହଉ, ସୀତା-ଠାକୁରାଣୀ ସେତେବେଳେ ବନ୍ବାସ୍ ଗଲେ, ସେ ତ ବାପ୍ ଘରକେ ଯାଇଥିଲେ।’’
ସୀତାର ଅନିଚ୍ଛା ସତ୍ତ୍ବେ କିପରି ମଦନ ତାକୁ ବାପଘରକୁ ପଠାଇ ଦେଇଥିଲା, ଆଜି ସେହିକଥା ଶତ ଶତ ବୃଶ୍ଚିକ ଦଂଶନର ଜ୍ବାଳା ପରି ତା’ର ମର୍ମେ ମର୍ମେ ଜ୍ବାଳା ଲଗାଇ ଦେଉଥାଏ, ପୁଅଜନ୍ମ ହେଲା ପରେ ମଧ୍ୟ ସେ ଆଉ ଶ୍ବଶୁର ଘରକୁ ଯାଇନାହିଁ ପୁଅକୁ ଦେଖିବାକୁ। ଏଠି ହାସ୍ପାତାଳ୍ରେ ଜନ୍ମର ଦେଢ଼ବର୍ଷ ପରେ ସେ ପୁଅର ମୁହଁ ପ୍ରଥମ କରି ଦେଖିଛି। ଅଥଚ ଶିଶୁର କେଉଁ ଅପରାଧ? ସୀତାର କେତେ ମିନତିଭରା ଚିଠି ପାଇଛି ସେ ପୁଅକୁ ଦେଖି ଯିବାକୁ, ପୁଅ ଓ ସୀତାଙ୍କୁ ବୁର୍ଲାକୁ ଫେରାଇ ଆଣି ନିଜ ପାଖରେ ରଖିବାକୁ; କିନ୍ତୁ ସେ ଶ୍ବଶୁର ଘରକୁ ଯିବା ତ ଦୂରର କଥା, ସୀତା ଚିଠିର କୌଣସି ଜବାବ ସୁଦ୍ଧା ଦେଇ ନାହିଁ। ସୀତାର କେଉଁ ଅପରାଧ ଯୋଗୁଁ ସେ ଏପରି ଅମାନୁଷିକ ବ୍ୟବହାର କରିଛି? ଭାର୍ଯ୍ୟା ପ୍ରତି ସ୍ବାମୀର ଯେଉଁ କର୍ତ୍ତବ୍ୟ, ପ୍ରେମ, ଅଦର କରିବା ଦୂରେ ଥାଉ ପ୍ରାଥମିକ କର୍ତ୍ତବ୍ୟ ଭରଣପୋଷଣ କରିବା ଦୂରେ ଥାଉ, ମୁହଁ ଚାହିଁବାକୁ ସୁଦ୍ଧା ସେ କୁଣ୍ଠାବୋଧ କରିଛି। କେଉଁ କାରଣରୁ? ବସନ୍ତ ରୋଗରେ ସୀତାର ମୁହଁର ସୌନ୍ଦର୍ଯ୍ୟ କମିଯିବାଟା କ’ଣ ତା’ ପକ୍ଷରେ ଗୁରୁତର ଅପରାଧ? ଏହି ପ୍ରଶ୍ନ ଆଜି ମଦନର ବିବେକ ମଦନକୁ ପଚାରୁଥିଲା।
ମଦନ ସୀତାର ମୁହଁକୁ ନିର୍ନିମେଷ ଦୃଷ୍ଟିରେ ଚାହିଁଥାଏ। ଦିନଥିଲା ଯେତେବେଳେ ଏହି ମୁହଁ ତାକୁ ପ୍ରଲୁବ୍ଧ, ପିପାସାର୍ତ୍ତ କରୁଥିଲା। ଆଜି ସୁଦ୍ଧା ସେହି ଗୋଲ, ଡଉଲ ମୁହଁ, ସେହି ଧାର ନାକ, ସେହି ଛୋଟ କପାଳ ଅତୀତର ସୁନେଲି ଦିନମାନଙ୍କୁ ମନେ ପକାଇ ଦେଉଛି। ପ୍ରସାଧନ ଅଭାବରୁ ମୁଣ୍ଡର ବାଳ ଅଯତ୍ନ ବିନ୍ୟସ୍ତ କପାଳରେ ସିନ୍ଦୂର ଟିକା ଅନୁଜ୍ଜ୍ବଳ ହେଲେ ମଧ୍ୟ, ଆଜି ବହୁ ଦିନର ବ୍ୟବଧାନ ଓ ବିରହ ପରେ ସୀତା ମୁହଁ, ଦେହ ଯେପରି ଅଜ୍ଞାତରେ ମଦନକୁ ଆକର୍ଷଣ କରୁଛି। ସମୁଦ୍ର ବେଳାର ନିୟମିତ ମୃଦୁ ଆଲୋଡ଼ନ ପରି ସୁଷୁପ୍ତା ସୀତାର ନିୟମିତ ନିଃଶ୍ବାସ ପ୍ରଶ୍ବାସ ତା’ର ମୁହଁ ଦେହରେ ଏକ ଅନବଦ୍ୟ ତାଳଭରା ବିଧୂନନ ଜଗାଇ ମଦନକୁ ଭାଷାହୀନ ପ୍ରେମ ସମ୍ଭାଷଣ ପରି ଜଣାଯାଉଥାଏ। ମଦନର ଆଖି ଦୁଇଟିର ରସାୟନ ଶକ୍ତି ଯେପରି ସୀତା ପ୍ରତି ଗଲା ଦୁଇ ବର୍ଷର ଘୃଣା ଓ ଉପେକ୍ଷାକୁ ହଠାତ୍ କରୁଣା ଓ ବାସନାରେ ପରିଣତ କରିଛି। ମଦନ ଚାହୁଁଥିଲା ତା’ର ଯଦି ଶକ୍ତି ଥାଆନ୍ତା ତେବେ ସେ ଏହିକ୍ଷଣି ରୋଗଶଯ୍ୟାରୁ ଉଠି, ସୀତାକୁ ଓ ଅମରକୁ ନିଦରୁ ଉଠାଇ, ବାସ୍ତବତା ଓ ଦୁଃଖଭରା ଜନଗହଳି ହାସ୍ପାତାଳ୍ଠାରୁ ବହୁ ଦୂରକୁ କଳ୍ପନାର ଜହ୍ନରାତିଭରା ବସନ୍ତ ରାତିକୁ, ନନ୍ଦନକାନନକୁ ନେଇଯା’ନ୍ତା। କିନ୍ତୁ ଆଜି ସେ ଅସହାୟ, ଅକର୍ମଣ୍ୟ, ଚଳଶକ୍ତିରହିତ।
ମଦନର ଦୈହିକ ଯନ୍ତ୍ରଣାଠାରୁ ମାନସିକ ଗ୍ଲାନି ଓ ବେଦନା ହୋଇ ଉଠିଲା ଆହୁରି ତୀବ୍ରତର।
କିଛି ସମୟ ପରେ ସୀତା ଉଠି ବସିଲା। ମଦନର ବିଷାଦଭରା ମୁହଁ ଦେଖି ସୀତା ପଚାରିଲା, ‘‘କେନ୍ତା (କିମିତି) ଲାଗୁଛେ?’’
ମଦନ କହିଲା, ‘‘ପାଶ୍କେ ଟିକେ ଆ’ତ?’’
ସୀତା ଖଟ ପାଖକୁ ଆସିଲାରୁ ମଦନ ତା’ର ହାତ ଚାପିଧରି ନିରବରେ ଅନାଇଥାଏ।
ସୀତା ପୁଣି ପଚାରିଲା ‘‘କେନ୍ତା ଲାଗୁଛେ?’’
ମଦନ କହିଲା, ‘‘ତୁଇ ମୋର୍ ଦୁଖ୍ କମ୍ତି କରିପାର୍ବୁ?’’
କହିଲା, ‘‘ତୁମେ ଯାହା ବଲ୍ବ ମୁଇଁ ତାହା କର୍ବାକେ ତିଆରି ଅଛେଁ, କାଣା (କ’ଣ) ବଲୁଛ କହ।’’
ମଦନ ବାଷ୍ପଭରା କଣ୍ଠରେ କହିଲା, ‘‘ମୁଇଁ ଯାହା ଦୋଷ କରିଛେଁ, ମାଫ୍ କର୍।’’
ସୀତା କହିଲା, ‘‘ଛି, କାଏଁ କଥା କହୁଛ? ତୁମେ ପରା ମୋର୍ ଦେବ୍ତା। ତୁମର୍ ସୁଖ୍ ମୋର୍ ସୁଖ୍, ତୁମର୍ ଦୁଃଖେ ମୋର୍ ଦୁଃଖ୍। ତୁମର୍ ଲାଗି ମୋର୍ ଜୀବନ୍। କାଏଁ ଦୋଷ୍ କରିଛ ତୁମେ?’’
ମଦନ କହିଲା, ‘‘ତୋତେ ବିନା ଦୁଷେଁ ମୁଇଁ ଘରୁ ଖେଦିଦେଲି। ତୁଇ ବାପଘର୍କେ ଗଲା ଉତ୍ତାରୁ ତୋର ମୁହଁ ଭି ନାଇଁ ଦେଖିଲି। ପଇସା କଉଡ଼ି ତ ଦେବାର୍ ଦୂରର୍ କଥା, ତୋର୍ ଚିଠିର୍ ଜବାବ୍ ଖଣ୍ଡେ ଭି ନାଇଁ ଦେଲି। ଏଡ଼େ ପୁଅର୍ ମୁହଁକେ ନାଇଁ ଭି ଦେଖ୍ଲି। ଇଥ୍ରୁ ବଢ଼ି କରି ଆଉ କାଏଁ ଅପରାଧ୍ ଅଛେ? କହ, ମୋର୍ ଦୋଷ୍ ମାଫ୍ କରି ପାର୍ବୁ? ମୋ ଦିହେ ଯେତିକି ଦୁଃଖ୍ ଅଛେ, ଗୋଡ଼ କଟାହେଲା ବଲି ମନଟା ଯେତ୍କି ଖରାପ୍ ଅଛେ, ଆହୁରି ବେଶି ମନ୍ ଖରାପ୍ ହେଉଛେ, ତୋତେ ବିନା ଦୁଷେ ଛାଡ଼ି ଦେଲିବଲି। ତୁଇ ମତେ ମାଫ୍ କରିଲେ ସେ ଦୁଃଖଟା କମ୍ ହେତା (ହୁଅନ୍ତା)।’’
ସୀତା କହିଲା, ‘‘ଇଥିର୍ ଲାଗି ଚିନ୍ତା କାଇଁ କରୁଛ? ମୋର୍ କର୍ମେ ସୁଖ୍ ନାଇଁ ଲେଖି ବଲି ସିନା ଏତେ ଦିନ୍ ତୁମର୍ଠାରୁ ଅଲଗା ରହିଲି, ଇଥିରେ କାଏଁ ଦୋଷ୍। ତୁମେ ମୋର୍ ଦେବ୍ତା ସମାନ୍। ମୁଇଁ ଜବର୍ଦସ୍ତି ତୁମର୍ ଘର୍କେ ଫିରି ନାଇଁ ଯାଇ କରି ବାପଘରେ ରହିଗଲି, ଇଟା (ଏଇଟା) ତ ମୋର୍ ଦୋଷ୍ ହେଇଛେ। ବାପଘରେ ଥାଇ କରି ମୁଇଁ ସବୁଦିନେ ଭାବୁଥାଏଁ ଖାଇବାର୍ ପିଇବାରେ ତୁମ୍କୁ କେତେ ଅସୁବିଧା ହେଉଥିବା। ତୁମ୍କୁ ମୁଇଁ ଦୁଃଖ୍ ଦେଇଛେଁ। ମୋର ଅପ୍ରାଧ ମାଫ୍ କର।’’
ମଦନ କହିଲା, ‘ତୁଇ କିଛି ଦୋଷ୍ ନାଇଁ କରି। ମତେ ଲାଗୁଛେ ମୁଇଁ ତତେ ବିନା ଦୁଷେ ଛାଡ଼ିଦେଲି ବଲି ଭଗବାନ୍ ମତେ ଶାସ୍ତି ଦେଇଛନ୍, କହ, ମତେ ମାଫ୍ କଲୁ ତ?’
ସୀତା ଆଉ କିଛି କହି ପାରିଲା ନାହିଁ। ଶୋକରେ ତା’ର କଣ୍ଠରୁଦ୍ଧ ହୋଇ ଉଠିଲା। ଶେଷକୁ ସେ ନିଜକୁ ସମ୍ଭାଳି କହିଲା, ‘‘ତୁମେ ଭଲ୍ ହେଇଗଲ, ମୁଇଁ ସବୁଭରି ପାଇଲି। ଭଗବାନ୍ ମୋର୍ ତରଫ୍ରୁ ତୁମ୍କୁ ମାଫ୍ କରିଛନ୍। ଭଗବାନ୍ ମୋତେ ଯେନ୍ ସଂକଟ୍ରୁ ପାର୍ କଲେ ସେ ମୋର୍ ଦୋଷ୍, ତୁମର୍ ହେଇ କରି ମାଫ୍ କରିଛନ୍ ଗଲା କଥା ଯାଇ ଦିଅ। ଆଉର୍ ସେ କଥା ଭାବି କରି ନିଜର ଦୁଃଖ୍କେ କାଇଁ ବଢ଼ାଅ।’’
ମଦନ କହିଲା, ‘‘ଆଚ୍ଛା ହେଉ, ଗଲା କଥା ଯାଉ। ଆଗତ କଥା ଭାବ୍ଲେ ଆଖି ଅନ୍ଧାର୍ ଦିଶି ଯାଉଛେ। ଗୋଡ଼୍ ଗୁଟେ କଟା ହୋଇଗଲା। ଚାଲ୍ବୁଲ୍ କର୍ବାର୍ ଶକ୍ତି ନାଇଁ ରହିଲା। ନୌକରି କରି ଯାହା ଦୁଇପଇସା କମଉଥିଲି ସେ ଦୁଇ ପଇସାର୍ ଆଶା ଭି ଆଉ ନାଇଁ ରହିଲା। ଇଥର୍ (ଏଥର) କେନ୍ତେଇ ଚଲ୍ମିଁ (ଚଳିବି) ସେ କଥା ଭାବ୍ଲା ବେଲ୍କେ ବୁଦ୍ଧିବାଟ୍ ନାଇଁ ଦିଶିବାର୍ (ଦିଶୁନାହିଁ)। ତୋତେ ପୁଷ୍ବାର (ପୋଷିବା) ଘରେ ରଖ୍ବାର୍ (ରଖିବା) ମୋର ଯାହା କାମ୍, ସେଟା ନାଇଁ କଲି। ଏଭେ ଏକ୍ଲା ମୋର୍, ନିଜର୍ ପେଟ୍ ପୁଷ୍ବାର୍ ଶକ୍ତି ଭି ଗଲା। କାଣା କର୍ମି?’’
ସୀତା କହିଲା, ‘‘ସେ କଥା ତୁମେ କାଇଁ ଭାବୁଛ? ଯେନ୍ ଭଗବାନ୍ ଜନମ୍ ଦେଇଛେ, ସେ ଭଗବାନ୍ କରମ୍ଟେ ଭି ଦେଇଛେ। ସେ ଆମର୍ ସବୁ ବନ୍ଦୋବସ୍ତ କର୍ବା। ଦୁନିଆ ଥି କେତେ ଲୋକ୍ କଣା, କୁଜା, ଛୁଟା (ଛୋଟା) ଲେଙ୍ଗ୍ଡ଼ା ହେଇ ଯାଉଛନ୍? ତୁମେ ଚିନ୍ତା ନାଇଁ କର। ମୁଇଁ କାର୍ ଘରେ ରାନ୍ଧ୍ନୀ ରହି କରି ଆମର୍ ତିନ୍କର୍ (ତିନି ଜଣଙ୍କର) ପେଟ୍ ପୁଷ୍ମି। ତୁମେ ସମ୍ବଲ୍ପୁର୍ ସହରେ ପାନ ଦୋକାନ କଲେ ମାସ୍କେ ପଚାଶ ଷାଠିଏ ଟଙ୍କା କମାଇ ପାରିବ। ଟିକେ ଭଲ୍ ହୁଅ। ତୁମର୍ ଦିହେ ଟିକେ ବଲ୍ (ବଳ) ଆସୁ। ଛୁଟା (ଛୋଟା) ହେଲ ବଲି ନିଜ୍କେ ହୀନ୍ମାନ୍ ନାଇଁ ଭାବ। ମୁଇଁ ତୁମର୍ ବାଡ଼ି ହେଇ କରି ତୁମ୍କୁ ସାହା ହେମି, ତୁମର୍ ଆସ୍ରା ହେମି।’’
ମଦନ କହିଲା, ‘‘ତୋର୍ ଉପ୍ରେ ମୁଁ ବୁଝ୍ (ବୋଝ) ହେଇ ରହିମି? ରାମ୍, ରାମ୍। ତୁଇ ଫେର୍ ବାପ ଘର୍କେ ବାହାରି ଯା’। ମୋର୍ ଦୁଃଖ ମୁଇଁ ଏକ୍ଲା ଭୁଗ୍ମିଁ। ମୋର୍ ଘର୍କେ ଆସ୍ଲା ଦିନୁଁ ତ ତୁଇ ଦୁଃଖୀ। ଫେର୍ ତୋର୍ ଉପ୍ରେ ବୁଝ୍ (ବୋଝ) ହେଇଗଲେ ମୋର୍ ମନେ ବହୁତ୍ ବୁଃଖ ହେବା।’’
ସୀତା କହିଲା, ‘‘ନାଇଁ ଗୋ ନାଇଁ, ତୁମେ ମୋର୍ ବୁଝ୍ କାଇଁକି ହେବ, ତୁମେ ମୋର୍ ଅଳଙ୍କାର। ମତେ ଯଦି ଫେର୍ ବାପ କର୍କେ ଖେଦି ଦେବାକେ ଚାହୁଁଛ, ମୁଇଁ ଆଉ ନାଇଁ ଯାଏଁ। ତୁମେ ଯାହିଁ ଯିବ, ମୁଇଁ ଛାଇ ବାଗିର୍ (ଛାଇପରି) ଥିମି। ଇଟା (ଏଇଟା) ମୋର୍ ଭାଗ୍ୟ, ମୋର୍ ଶିରୀ।’’
ମଦନ କହିଲା, ‘‘ସତେ, ତୁଇ ସୀତା ନୁହୁଁ, ତୁଇ ସୀତା ଦେବୀ।’’
ସୀତା ହସି କହିଲା, ‘‘ଆଉ ତୁମେ ମୋର୍ ରାମଚନ୍ଦ୍ର ମହାପ୍ରଭୁ।’’
ମଦନ କହିଲା, ‘‘ଆଜିଯାଏଁ ମୁଇଁ ରାବଣ ହେଇକରି ଥିଲି। ଇଥର୍ (ଏଣୁ ବା ଏଣିକି) ରାମଚନ୍ଦ୍ର ହେବାକେ ଚେଷ୍ଟା କର୍ମି।’’
ସୀତା ପୁଣି ହସି କହିଲା, ‘‘ମନେ ଅଛେ କାଏଁ; ରାମଚନ୍ଦ୍ରଙ୍କର ଅଶ୍ବମେଧ ଯଜ୍ଞ ଉତ୍ତାରୁ ସୀତା ଠାକୁରାଣୀ ଯେତେବେଳେ ଫେର୍ ରାମଚନ୍ଦ୍ରଙ୍କର ଆଗ୍କେ ଆସ୍ଲେ, ରାମଚନ୍ଦ୍ର ତଥାପି ତାଙ୍କୁ ନାଇଁ ରଖ୍ଲେ।’’
ମଦନ କହିଲା, ‘‘ନାଇଁ ଗୋ ନାଇଁ। ତତେ ଆଉ ମୁଇଁ ନାଇଁ ଛାଡ଼େ।’’
ମଦନ ସେଦିନ ବୁଝିଲା, ଆମ ଦେଶରେ ନାରୀମାନଙ୍କୁ ଦେବୀ ବୋଲି ଡାକିବା ତୋଷାମଦ ନୁହେଁ।