ମୃଣାଳିନୀ କହିଲା-‘ଆପଣ ବଡ଼ ନିଷ୍ଠୁରଭାବେ ସରସୀକୁ ଆଘାତ କରୁଛନ୍ତି।’

ମୁଁ କହି ଚାଲିଲି-‘କ୍ଷମାଭିକ୍ଷା କରୁଛି। କିନ୍ତୁ ଉମା ଥିଲା ସୁନ୍ଦରୀ। ଗରିବ ଘରର ଝିଏ ସେ, ଛିଣ୍ଡା ଖଦି ହିଁ ତାର ସମ୍ବଳ। ମୁଣ୍ଡରେ ମାସକରେ ଥରେ ତେଲ ପଡ଼େ କି ନା ସନ୍ଦେହ। ତାର ସୌନ୍ଦର୍ଯ୍ୟ ତରଳ ସୁନାପରି ପ୍ରାକୃତିକ ଆଉ ନିଷ୍କଳଙ୍କ।’

‘ଗାଆଁ ପାଖରେ ସାନ ନଈଟିଏ। ତା କୂଳରେ ତୋଟା। ସେଇ ତୋଟାରେ ବସି ସମୟ କଟାଇଦେବା ମୋର ଅଭ୍ୟାସ।’

‘ଉମା କାଖରେ ମାଠିଆଟିଏ ଧରି ଆସେ ପାଣି ନେବାକୁ, ଫେରିଯାଏ। ମୁଁ ଗାଆଁରେ ବଡ଼ଲୋକ ପିଲା କି ନା, ମୋତେ କୌଣସି ଦିନ ମୁହଁ ଟେକି ପଦେ କଥା କହିବା ସାହସ ସେ ସଂଗ୍ରହ କରିପାରି ନାହିଁ।

ଦିନେ ସକାଳୁ ଉଠି ଦେଖେଁ, ଉମା ଆମ ଦ୍ୱାରାପାଖେ ଛିଡ଼ା ହୋଇଛି ଅତି ସନ୍ତର୍ପଣରେ।
ପଚାରିଲି ‘କୁଆଡ଼େ ଆସିଚୁ, ଉମା?’

ସେ ତଳକୁ ଅନାଇ କହିଲା – ‘ବାପାକୁ ପାଞ୍ଚ ଦିନ ହେଲାଣି ଜର। ସେ ବକାବକି କରୁଛନ୍ତି।’

ବୁଝିଲି ଔଷଧ ପାଇଁ ଆସିଛି। ଭଗିଆ ବୁଢାଟା ପ୍ରତି ପିଲାଦିନୁ ମୋର ଗୋଟାଏ ସମ୍ମ୍ନାନ ଥାଏ। ସେ ଖାଣ୍ଟି ଆଉ ସାଧା ମଣିଷ। ଭାବିଲି, ଡାକ୍ତର ତ ନୁହେଁ ଯେ ଔଷଧ ପକାଇଦେଇ ନିଶ୍ଚିନ୍ତ ରହିବି!

କହିଲି – ‘ତୁ ଯା, ମୁଁ ଯାଇ ଦେଖିବି।’

ଭଗିଆ ବୁଢ଼ା ବଞ୍ଚିଗଲା। ସେହି ଦିନୁ ଉମା ନିକଟରେ ବୋଧହୁଏ ମୁଁ ଗୋଟାଏ ବିଶିଷ୍ଟ ରୂପ ଧରି ଛିଡ଼ା ହେଲି।
ଉମା ଆଗପରି ଯାଏ ପାଣି ଆଣିବାକୁ। ମତେ ବି ଦେଖେ, ଆଗପରି କିଛି କହେ ନାହିଁ, କିନ୍ତୁ ମୋର ମନେ ହୁଏ ଫେରିଲାବେଳେ ତା ମୁଣ୍ଡଟି ବେଶୀ ଝୁଙ୍କିପଡ଼େ ଆଗଠୁ।

କୌଣସି ଦିନ ମୁହଁ ଖୋଲି ସେ ମତେ ପଦେ କଥା କହିନାହିଁ। ବାଟରେ ଦେଖାହେଲେ ସେ ଲାଜରେ ନଇଁପଡ଼ି ବାଡ଼ମୂଳେ ଛିଡ଼ା ହୁଏ, କିନ୍ତୁ ବେଳେ ବେଳେ ମୋର କାହିଁକି ମନେ ହୁଏ, ତାର ସ୍ନେହପୂର୍ଣ୍ନ ଦୃଷ୍ଟି ମୋ ପଛେ ପଛେ ଧାଇଁଆସେ।

ସେ ବର୍ଷ ଗାଆଁରେ ଲାଗିଲା ଭୀଷଣ ବସନ୍ତ। ପୁଞ୍ଜା ପୁଞ୍ଜା ହୋଇ ମଣିଷ ଝଡ଼ିପଡ଼ିଲେ ।
ମେଲା ଘରେ ବସି ଖବରକାଗଜ ଖଣ୍ଡେ ପଢ଼ୁଥିଲି, ଧନିଆ ଭଣ୍ଡାରୀ ଆସି ପିଣ୍ଡାତଳେ ଛିଡ଼ା ହେଲା।
ଡାକିଲି-‘ଉପରକୁ ଆ।’
ସେ କହିଲା – ‘ନାହିଁ ବାବୁ। ଭଗି ପଧାନ ଝିଅକୁ ମାଆ ବିଜେ ହୋଇଛନ୍ତି।’
‘କେତେ ଦିନ ହେଲା ରେ? ’
‘ଆଜିକୁ ସାତ ଦିନ ହେଲା। ଭାରି ମାଆ ବିଜେ ହୋଇଛନ୍ତି। ପିଲାଟା ପାଟିରୁ ରକ୍ତ ବାହାରୁଛି। କାଲିଠୁ ମାଆ ଆପଣଙ୍କୁ ଦେଖିବେ ବୋଲି ବ୍ୟସ୍ତ ହେଉଛନ୍ତି।’
ଔଷଧ ପାଇଁ ହୋଇଥିବ। କି ଔଷଧ ଅଛି ଏ ରୋଗକୁ? ହୁଏତ ବା ପ୍ରଳାପ।
କହିଲି – ‘ଚାଲ’
ଘରେ ଯାଇ ଦେଖେଁ, ଅତି ସାଂଘାତିକ ରକମର ବସନ୍ତ ତାକୁ। ବଞ୍ଚିବା ଅସମ୍ଭବ।
ପ୍ରଳାପ କରୁଚି ଉମା, ତା’ ମୁଣ୍ଡ ଉପରେ ଠାକୁରାଣୀ ସ୍ଥାପନା ହୋଇଛି।
କିଛି ଦୂରରେ ବସିଲି, ଘର ଭିତରେ।
ସାନ ଘରଟାର ବାୟୁମଣ୍ଡଳ ଭିତରେ ଥାଏ ଗୋଟାଏ ଉତ୍କଟ ଭୀଷଣତା।
ମନୁଷ୍ୟର ଏ ଯନ୍ତ୍ରଣା ଦେଖି ତୁନି ହୋଇ ବସି ରହିବାଭଳି ଅକ୍ଷମତା ମନୁଷ୍ୟ ପକ୍ଷରେ ଅଭିଶାପ ବୋଲି ମନେ ହୁଏ।
କିଛି ସମୟ ପରେ ଉମା ଆଖି ଫିଟାଇ ଚାହିଁଲା ମୋ ଆଡ଼କୁ। ତା ଦୃଷ୍ଟିରେ କି ବିହ୍ୱଳତା! ଏତେ ବର୍ଷ ପରେ ମଧ୍ୟ ଆଜି ତାହା ଭୁଲି ପାରିନାହିଁ।
ତା ପାଖକୁ ଗଲି । କହିଲି –‘ଉମା କଅଣ କହୁଚୁ?’
ସେ ମୋ ଆଡ଼କୁ ବିହ୍ୱଳ ଦୃଷ୍ଟିରେ ଚାହିଁଲା। ଧିରେ ଧିରେ କହିଲା-‘ଏ ଜୀବନରେ ହୋଇ ପାରିଲା ନାହିଁ।’
ତାର ଦମ୍‌ ବନ୍ଦ ହୋଇ ଆସୁଥାଏ। ଆସ୍ତେ ଆସ୍ତେ କହିଲା-’ ତୁମ ଗୋଡ଼…।
ଧନି ବାରିକ ପାଟି କରିଉଠିଲା- ‘ହାଁ, ହାଁ , ବାବୁଙ୍କୁ ଛୁଅଁ ନାହିଁ ।’
ମୋର କୋଳରେ ମୁଣ୍ଡ ରଖି ସେ ନିଶ୍ଚିନ୍ତ ହୋଇଗଲା।

ଚାହିଁ ଦେଖେ, ସରସୀ ଲୁଗା କାନିରେ ଆଖି ପୋଛୁଛି।

Pages: 1 2