‘ଖାଲି ଦୁଃଖ, ଦୁଃଖ। ଖାଲି ଭୋକିଲା ପେଟ, ଛିଣ୍ଡା ଲୁଗା। ଏମିତି ଲୁହବୁହା କଥା ଶୁଣି ଶୁଣି ହାଲିଆ ଲାଗିଲାଣି।’
‘ତେବେ?’
‘ତେବେ- ଦୁନିଆରେ କ’ଣ ଆମୋଦ ଆହ୍ଲାଦ ନାହିଁ? ହସ ଖେଳ ନାହିଁ?
ମଉଜ ମଜଲିସ୍ ନାହିଁ?’
‘ଅଛି।’
‘ତେବେ ସେହି ଗପ କହୁନା! ଖାଲି ଦୁଃଖୀ ରଙ୍କୀଙ୍କ କଥା?’
‘କହିବି- କିନ୍ତୁ ତୁମେ ବୁଝି ପାରିବ ନାହିଁ।’
‘ଅର୍ଥାତ୍?’
‘ଅର୍ଥାତ୍ ଯେଉଁମାନଙ୍କ ଆମୋଦ ଆହ୍ଲାଦ, ହସ-ଖେଳ, ମଉଜ-ମଜ୍ଲିସ୍ ଭିତରେ ତୁମେ ବଢ଼ି ଆସିଛ, ତାକୁ ତୁମେ ବୁଝି ପାରିବ; କିନ୍ତୁ ସେ ଆମୋଦ ଯେ କେତେ ଅସହାୟ ଛାତି ରକ୍ତରେ ତିଆରି, ସେ ହସ ପଛରେ ଯେ କେତେ ଶହ ଦୁଃଖୀତ ତତଲା ଲୁହ ଜମିରହିଛି, ସେ ମଜ୍ଲିସ୍ ଯେ କେତେ ଜୀଅନ୍ତା ମଣିଷର ଚର୍ବି ଭଳି ଆଲୋକିତ ହୁଏ, ତାହା ତୁମେ ବୁଝିପାରନା। ସେଥିପାଇଁ ତୁମେ ସୁଖୀ। ଆଉ ମୁଁ – ମୋ ଆଖିରେ ପଡ଼େ ବଡ଼ଲୋକର ଆମୋଦ ପ୍ରମୋଦ ପଛରେ ମନୁଷ୍ୟତାର ମହାଶ୍ମଶାନର ଦୃଶ୍ୟ। ତାରି ଭିତରେ ନାଚୁଥାଆନ୍ତି ବୁଭୁକ୍ଷିତର ପ୍ରେତ ସହିତ ଆର୍ତ୍ତର ହାହାକାର। କଥା ଫୁଟେ ନା, ସରସୀ-ମୁହଁରୁ କଥା ଫୁଟେ ନା’
‘ ଆଉ ଏ ତୁମର ଗରିବମାନେ- ତାଙ୍କର କଅଣ ହସଖୁସି ନାହିଁ? ସେ କଥା କହୁ ନା?
‘କହିବି କିନ୍ତୁ ତୁମେ ବୁଝି ପାରିବ ନାହିଁ। ତାଙ୍କ ହସକୁ ତୁମେ ଘୃଣାଚକ୍ଷୁରେ ଦେଖ। ତାଙ୍କ ମଉଜ ତ ତମର ତାଛଲ୍ୟର ବିଷୟ। ନୁଖୁରା ମୁଣ୍ଡ, ଦେହରେ ମଳି ବସି ଫାଟିଯାଇଛି, ଦେହରେ ଛିଣ୍ଡା ଲୁଗା, ହାତରେ ପଟେ ଲେଖାଏଁ ଭଙ୍ଗା କାଚ- ବୟସ ତାର ଧର ସତର ବର୍ଷ। ଆଉ ଜଣେ ମଣିଷ-ପୁରୁଷ, ତେଇଶି ବର୍ଷ ପୂର୍ବେ ତାର ଜନ୍ମ। ଖାଦ୍ୟ ଅଭାବରେ ଛାତିର ହାଡ଼, ହାତର ଶିରା ଦେଖା ଦେଉଛି। ଖଣ୍ଡେ ଛିଣ୍ଡା କନାଦ୍ୱାରା ନଗ୍ନତା ଆବରଣ କରିଛି। ଏ ଦୁହିଁଙ୍କୁ ତୁମେ ଯୁବତୀ ଯୁବକ କହିବ? ନା ଆଚ୍ଛା, ଆଉ ଗୋଟାଏ କଥା ମନେ କର। ଚୈତ୍ରମାସର ଦିପହର ଖରା ଚଡ଼କ ମାରୁଛି। ଦୁହେଁ ଚାରିଆଡ଼ୁ ଆସି ବାଟ ପାଖରେ ଗୋଟାଏ ବରଗଛମୂଳେ ଆଶ୍ରୟ ନେଲେ। ଦୁହିଁଙ୍କ ପେଟରେ କାଲି ଦିପହରୁ ଦାନା ମୁଠାଏ ପଡ଼ିନାହିଁ। ବସନ୍ତର ସ୍ପର୍ଶ ଲାଗି ବରଗଛର ପତ୍ର ଝଡ଼ିଯାଇଛି। ଫୁଟିଆସୁଛି କଅଁଳ ପତ୍ର। ତେଣୁ ଏମାନେ ବସିଛନ୍ତି ସେ ଗଛଛାଇରେ ନୁହେଁ- ଡାଳଛାଇରେ। ପୁରୁଷଟି କହିଲା-ସୁଲି କୁଆଡ଼େ ଯାଇଥିଲୁ?
ସ୍ତ୍ରୀଟି ହାତ ଠାରି କହିଳା- ସେ ଗାଆଁ ଆଡ଼େ।
ପୁରୁଷଟି କହିଲା- କିଛି ମିଳିଲା?
ସ୍ତ୍ରୀଟି କହିଲା-ଦି’ପୋଷ ଖଣ୍ଡେ।
ପୁରୁଷ କହିଲା-ପଟ୍ଟନାୟକଙ୍କ ସ୍ତ୍ରୀକୁ ଦେଖିଛୁ?
ସ୍ତ୍ରୀ – ହଁ ।
ପୁରୁଷ – କେମିତି?
ସ୍ତ୍ରୀ-ସିମିତି ନୁହେଁ ତ, ଜୀଅନ୍ତା ଧାନଓଳିଆ। ସତେ ଯେମିତି ହାତୀ! ତୁ ଦେଖିଛୁ ପରା- କିମିତି ସେ କହିଲୁ?
ପୁରୁଷ-ପଟ୍ଟନାୟଙ୍କ ସ୍ତ୍ରୀର ଆକାର ସତେ ଯେମମିତି ତିନି ଶହ ବର୍ଷ ତଳର ସେ ଗଛଟାର ଗଣ୍ଡି।
ଦୁହେଁ ହସିପକାଇଲେ ଦୁହିଁଙ୍କୁ ଚାହିଁ। ଉଦାହରଣଟା ଏଇଠି ଥାଉ। ଏଥିରେ କଅଣ ଖୁସି କଥା ନାହିଁ? ପୁରା ପେଟରେ ହସିବା, ଖୁସି ହେବା ସହଜ; କିନ୍ତୁ ଭୋକିଲା ପେଟ ଯେଉଁ ହସକୁ ଦବାଇଦେଇ ପାରିଲା ନାହିଁ, ସାଧାରଣ ହସଖୁସିଠାରୁ ତାହା କେତେ ଶକ୍ତିଶାଳୀ, କେତେ ଉଚ୍ଚରେ ଅବସ୍ଥିତ, ଏ କଥା ତୁମେ ବୁଝି ପାରିବ ନାହିଁ।
ସରସୀ କିଛି କହିଲା ନାହିଁ: ମନେ ମନେ କ୍ଷୁବ୍ଧ ହେଲା।
ରବିବାରିଆ ଦିପ୍ରହର। ବସି ବସି ଗଳ୍ପ ହେଉଥିଲା ସରସୀଙ୍କ ଘରେ। ସେ ମୋଠୁଁ ଗଳ୍ପ ଶୁଣିବାକୁ ଭଲ ପାଏ। ସେ ତାର ସମାଲୋଚନା କରେ, ସେଥିପାଇଁ ତା ମତ ଅନୁସାରେ ଗଳ୍ପ ଶୁଣିବା ପାଇଁ ତାର ଦାବି। ବଡ଼ ଲୋକର ବୈଠକଖାନା ଭିତରେ ପ୍ରକୃତରେ ଦୁଃଖୀର ହା-ହାକାର ବଡ଼ ବେଖାପ ଜିନିଷ। ବୈଠକଖାନା ଦୁଆରବନ୍ଧ ଆରପାଖରେ ଦୁଃଖୀର ସ୍ଥାନ, ଦୁଃଖର ଛବି ମଧ୍ୟ। ସେଥିପାଇଁ ସରସୀ ପକ୍ଷରେ ମଦିର ଜ୍ୟୋତ୍ସ୍ନା, ଉଚ୍ଛନ୍ନ ମଳୟ, ଗୋଲାପୀ ଅଞ୍ଚଳ ପଛେ ପଛେ ହାଲୁକା ପ୍ରେମର ଗୋଟାଏ ବିକୃତ ସମାବେଶ, ସତ୍ୟର ନିରାଡମ୍ବର ସରଳ ମୂର୍ତ୍ତିଠାରୁ ଆଦରଣୀୟ। ଦୁନିଆର ଶତକଡ଼ା ଅନେଶୋତ ଭାଗଟା ପ୍ରତି ଆଖି ବୁଜିଦେଇ ଅବଶିଷ୍ଟ ଗୋଟାକାର ଅପ୍ରାକୃତିକ ଅସ୍ତିତ୍ୱକୁ ଉପଭୋଗ କରିବାକୁ ସର୍ବଦା ଅଭ୍ୟସ୍ତ। ତେଣୁ ସେମାନଙ୍କ ରୁଚିରେ ବୈକୃତ୍ୟ ଉପସ୍ଥିତ ହେବା ହିଁ ସ୍ୱାଭାବିକ।
ମୃଣାଳିନୀ ଦେଖିଲା ଆଜିର ରବିବାରିଆ ଦିପ୍ରହରଟା ମାଟି ହେବାକୁ ବସିଛି। ପକ୍କା ଓକିଲର ପକ୍କା ଗୃହିଣୀ ସେ। କଥାର ଗତି ଫେରାଇଦେବା ପାଇଁ କହିଲା, ଆପଣଙ୍କ ନିଜର କଅଣ କିଛି ଅନୁଭୂତି ନାହିଁ? ସେ କଥା କହୁ ନାହାଁନ୍ତି।’
କହିଲି, ‘ହୁଏତ ଅଛି। ଜୀବନର ଖାତାକୁ କୌନସି ଦିନ ଓଲଟାଇ ଦେଖିନାହିଁ- ଦେଖିବାର ଆବଶ୍ୟକତା ପଡ଼ିନାହିଁ। ମୋ ପକ୍ଷରେ ବର୍ତ୍ତମାନ ଗୋଟାଏ ନିଷ୍ଠୁର ସତ୍ୟ। ତାକୁ ସମ୍ଭାଳିବା କଷ୍ଟକର-କାରଣ ଅନାଗତ ସହିତ ତାର ସମ୍ପର୍କ ଅତି ଘନିଷ୍ଠ। ବିରାଟ ବର୍ତ୍ତମାନ ଓ ବିରାଟତର ଭବିଷ୍ୟତ ହିଁ ମୋର ଚିନ୍ତାଧାରାର କ୍ରୀଡ଼ାକ୍ଷେତ୍ର। ଅତୀତର ଇତିହାସ-ପେଡ଼ି ଘାଣ୍ଟି ଦେଖିବାର ଅବସର ହୋଇନାହିଁ। କିନ୍ତୁ ଅତୀତର ଗୋଟାଏ ଘଟଣା ବେଳେ ବେଳେ ଛାତି ଭିତରେ ଗଭୀର ରେଖାପାତ କରିଯାଏ। ସେଇ କଥାଟି ଆଜି କହୁଛି।’
‘ଉମା ସୁନ୍ଦରୀ’
ସରସୀ ଉତ୍ସାହିତ କହିଲା, ‘ସମାଲୋଚନାର ଚାବୁକ ନ ନାଜିଲେ କି ଚଳେ? ଏଥର ଠିକ୍ ବାଟକୁ ଆସିଲେ।
‘ଆମ ଗାଁ ଭଗି ପଧାନର ସେ ଗୋଟିଏ ମାତ୍ର ଝିଏ। ଭଗିଆ ବୁଢ଼ାର ଦୁନିଆରେ ସେ ଗୋଟିକ ମାତ୍ର ଅବଶିଷ୍ଟ ରହିଥାଏ। ବୁଢ଼ାର ଘର ଘୁ ଘୁ ଡକୁଥିଲା। ବୁଢ଼ୀ ଥିଲା, ଚାରି ଚାରି ପୁଅ ଥିଲେ, ଜମିବାଡ଼ି ଥିଲା, ହଳହଡ଼ା ଥିଲା। ବର୍ଷେ ଗାଆଁରେ ସଂକ୍ରାମକରୂପେ ହଇଜା ଲାଗିଲା। ବୁଢ଼ା ଘରୁ, ବୁଢ଼ୀ ଆଉ ତାର ଚାରି ଚାରିଟା ଭେଣ୍ଡିଆ ପୁଅ ମଶାଣିକୁ ଗଲେ। କର୍ପୂର ଯେପରି କ୍ରମେ କ୍ରମେ ଉଡ଼ିଯାଏ, ଭଗି ପଧାନର ସମ୍ପତ୍ତିବାଡ଼ି କ୍ରମେ କ୍ରମେ ସେହିପରି ଉଡ଼ିଗଲା। ଦୁନିଆରେ ରହିଲେ ବୁଢ଼ା ଆଉ ତା’ ଝିଅ ଉମା।’
ସରସୀ ବ୍ୟଙ୍ଗରେ କହିଲା- ‘ଆଉ ସେମାନେ ଖାଇବାକୁ ପାଇଲେ ନାହିଁ।’
ଲୁହଝରା ଜିନିଷ – Rotten sole stuff.
‘ଉମା ସୁନ୍ଦରୀ। ତା ମାନେ ତୁମେମାନେ ଜଦି ତାକୁ ସୁନ୍ଦରୀ ବୋଲି ମନେ କର-କୁହ। ଗରିବ ଚଷାର ଝିଏ ଯଦି ସୁନ୍ଦରୀ ହୋଇପାରେ ବୋଲି ତୁମର ଧାରଣା ହୋଇପାରେ-କହିପାର। ତାର ନୀଳଭୂଜଙ୍ଗୀନୀ ବେଣୀ ଆନ୍ଦୋଳିତ ହେବାର ସୁବିଧା ନ ଥିଲା, ହେୟାର୍ ଅୟଲ୍ ନଥିଲା, ସାମ୍ପୁ ପାଉଡର ନ ଥିଲା, ହେୟାର ଫିକ୍ସ ନ ଥିଲା, ଆଉ ବେଣୀ ବାନ୍ଧିବା ପାଇଁ ପୁରୁଷେ ଉଚ୍ଚ ଆଇନା ନା ଡ୍ରେସିଂ ଟେବୁଲ୍ ରହିବା ପାଇଁ ଭଗି ପଧାନ ଘରେ ସ୍ଥାନ ଆସିବ କୁଆଡ଼ୁ? ପୋମେଣ୍ଟମ୍, ପାଉଡର୍ ସ୍ନୋ, ଲିପ୍ଷ୍ଟିକ୍ର ସ୍ୱପ୍ନ ସେ କୌଣସି ଦିନ ଦେଖିପାରି ନ ଥିଲା, ଆଉ ରଙ୍ଗବେରଙ୍ଗର ଶାଢ଼ୀ, ବଡିସ୍, ବ୍ଲାଉସ, ସାୟା, ସେମିଜ୍ ସେ କୌଣସି ଦିନ ଦେଖିନାହିଁ। ତରଳ ଅଳତା ଓ ସୁନେଲି ଚପଲ ତାର ଶ୍ରୀଚରଣର ଶୋଭା ବର୍ଦ୍ଧନ କରିବାର ସୁବିଧା ପାଇନାହିଁ କିମ୍ବା ଫ୍ରେଞ୍ଚ୍ ପର୍ଫ୍ୟୁମ୍ କୋଣସି ଦିନ ମନୁଷ୍ୟଠାରେ କସ୍ତୂରୀମୃଗତ୍ୱ ପ୍ରତିପାଦନ କରିବାର ସୁବିଧା ପାଇନାହିଁ ତା’ଠାରେ।
ମୃଣାଳିନୀ କହିଲା-‘ଆପଣ ବଡ଼ ନିଷ୍ଠୁରଭାବେ ସରସୀକୁ ଆଘାତ କରୁଛନ୍ତି।’
ମୁଁ କହି ଚାଲିଲି-‘କ୍ଷମାଭିକ୍ଷା କରୁଛି। କିନ୍ତୁ ଉମା ଥିଲା ସୁନ୍ଦରୀ। ଗରିବ ଘରର ଝିଏ ସେ, ଛିଣ୍ଡା ଖଦି ହିଁ ତାର ସମ୍ବଳ। ମୁଣ୍ଡରେ ମାସକରେ ଥରେ ତେଲ ପଡ଼େ କି ନା ସନ୍ଦେହ। ତାର ସୌନ୍ଦର୍ଯ୍ୟ ତରଳ ସୁନାପରି ପ୍ରାକୃତିକ ଆଉ ନିଷ୍କଳଙ୍କ।’
‘ଗାଆଁ ପାଖରେ ସାନ ନଈଟିଏ। ତା କୂଳରେ ତୋଟା। ସେଇ ତୋଟାରେ ବସି ସମୟ କଟାଇଦେବା ମୋର ଅଭ୍ୟାସ।’
‘ଉମା କାଖରେ ମାଠିଆଟିଏ ଧରି ଆସେ ପାଣି ନେବାକୁ, ଫେରିଯାଏ। ମୁଁ ଗାଆଁରେ ବଡ଼ଲୋକ ପିଲା କି ନା, ମୋତେ କୌଣସି ଦିନ ମୁହଁ ଟେକି ପଦେ କଥା କହିବା ସାହସ ସେ ସଂଗ୍ରହ କରିପାରି ନାହିଁ।
ଦିନେ ସକାଳୁ ଉଠି ଦେଖେଁ, ଉମା ଆମ ଦ୍ୱାରାପାଖେ ଛିଡ଼ା ହୋଇଛି ଅତି ସନ୍ତର୍ପଣରେ।
ପଚାରିଲି ‘କୁଆଡ଼େ ଆସିଚୁ, ଉମା?’
ସେ ତଳକୁ ଅନାଇ କହିଲା – ‘ବାପାକୁ ପାଞ୍ଚ ଦିନ ହେଲାଣି ଜର। ସେ ବକାବକି କରୁଛନ୍ତି।’
ବୁଝିଲି ଔଷଧ ପାଇଁ ଆସିଛି। ଭଗିଆ ବୁଢାଟା ପ୍ରତି ପିଲାଦିନୁ ମୋର ଗୋଟାଏ ସମ୍ମ୍ନାନ ଥାଏ। ସେ ଖାଣ୍ଟି ଆଉ ସାଧା ମଣିଷ। ଭାବିଲି, ଡାକ୍ତର ତ ନୁହେଁ ଯେ ଔଷଧ ପକାଇଦେଇ ନିଶ୍ଚିନ୍ତ ରହିବି!
କହିଲି – ‘ତୁ ଯା, ମୁଁ ଯାଇ ଦେଖିବି।’
ଭଗିଆ ବୁଢ଼ା ବଞ୍ଚିଗଲା। ସେହି ଦିନୁ ଉମା ନିକଟରେ ବୋଧହୁଏ ମୁଁ ଗୋଟାଏ ବିଶିଷ୍ଟ ରୂପ ଧରି ଛିଡ଼ା ହେଲି।
ଉମା ଆଗପରି ଯାଏ ପାଣି ଆଣିବାକୁ। ମତେ ବି ଦେଖେ, ଆଗପରି କିଛି କହେ ନାହିଁ, କିନ୍ତୁ ମୋର ମନେ ହୁଏ ଫେରିଲାବେଳେ ତା ମୁଣ୍ଡଟି ବେଶୀ ଝୁଙ୍କିପଡ଼େ ଆଗଠୁ।
କୌଣସି ଦିନ ମୁହଁ ଖୋଲି ସେ ମତେ ପଦେ କଥା କହିନାହିଁ। ବାଟରେ ଦେଖାହେଲେ ସେ ଲାଜରେ ନଇଁପଡ଼ି ବାଡ଼ମୂଳେ ଛିଡ଼ା ହୁଏ, କିନ୍ତୁ ବେଳେ ବେଳେ ମୋର କାହିଁକି ମନେ ହୁଏ, ତାର ସ୍ନେହପୂର୍ଣ୍ନ ଦୃଷ୍ଟି ମୋ ପଛେ ପଛେ ଧାଇଁଆସେ।
ସେ ବର୍ଷ ଗାଆଁରେ ଲାଗିଲା ଭୀଷଣ ବସନ୍ତ। ପୁଞ୍ଜା ପୁଞ୍ଜା ହୋଇ ମଣିଷ ଝଡ଼ିପଡ଼ିଲେ ।
ମେଲା ଘରେ ବସି ଖବରକାଗଜ ଖଣ୍ଡେ ପଢ଼ୁଥିଲି, ଧନିଆ ଭଣ୍ଡାରୀ ଆସି ପିଣ୍ଡାତଳେ ଛିଡ଼ା ହେଲା।
ଡାକିଲି-‘ଉପରକୁ ଆ।’
ସେ କହିଲା – ‘ନାହିଁ ବାବୁ। ଭଗି ପଧାନ ଝିଅକୁ ମାଆ ବିଜେ ହୋଇଛନ୍ତି।’
‘କେତେ ଦିନ ହେଲା ରେ? ’
‘ଆଜିକୁ ସାତ ଦିନ ହେଲା। ଭାରି ମାଆ ବିଜେ ହୋଇଛନ୍ତି। ପିଲାଟା ପାଟିରୁ ରକ୍ତ ବାହାରୁଛି। କାଲିଠୁ ମାଆ ଆପଣଙ୍କୁ ଦେଖିବେ ବୋଲି ବ୍ୟସ୍ତ ହେଉଛନ୍ତି।’
ଔଷଧ ପାଇଁ ହୋଇଥିବ। କି ଔଷଧ ଅଛି ଏ ରୋଗକୁ? ହୁଏତ ବା ପ୍ରଳାପ।
କହିଲି – ‘ଚାଲ’
ଘରେ ଯାଇ ଦେଖେଁ, ଅତି ସାଂଘାତିକ ରକମର ବସନ୍ତ ତାକୁ। ବଞ୍ଚିବା ଅସମ୍ଭବ।
ପ୍ରଳାପ କରୁଚି ଉମା, ତା’ ମୁଣ୍ଡ ଉପରେ ଠାକୁରାଣୀ ସ୍ଥାପନା ହୋଇଛି।
କିଛି ଦୂରରେ ବସିଲି, ଘର ଭିତରେ।
ସାନ ଘରଟାର ବାୟୁମଣ୍ଡଳ ଭିତରେ ଥାଏ ଗୋଟାଏ ଉତ୍କଟ ଭୀଷଣତା।
ମନୁଷ୍ୟର ଏ ଯନ୍ତ୍ରଣା ଦେଖି ତୁନି ହୋଇ ବସି ରହିବାଭଳି ଅକ୍ଷମତା ମନୁଷ୍ୟ ପକ୍ଷରେ ଅଭିଶାପ ବୋଲି ମନେ ହୁଏ।
କିଛି ସମୟ ପରେ ଉମା ଆଖି ଫିଟାଇ ଚାହିଁଲା ମୋ ଆଡ଼କୁ। ତା ଦୃଷ୍ଟିରେ କି ବିହ୍ୱଳତା! ଏତେ ବର୍ଷ ପରେ ମଧ୍ୟ ଆଜି ତାହା ଭୁଲି ପାରିନାହିଁ।
ତା ପାଖକୁ ଗଲି । କହିଲି –‘ଉମା କଅଣ କହୁଚୁ?’
ସେ ମୋ ଆଡ଼କୁ ବିହ୍ୱଳ ଦୃଷ୍ଟିରେ ଚାହିଁଲା। ଧିରେ ଧିରେ କହିଲା-‘ଏ ଜୀବନରେ ହୋଇ ପାରିଲା ନାହିଁ।’
ତାର ଦମ୍ ବନ୍ଦ ହୋଇ ଆସୁଥାଏ। ଆସ୍ତେ ଆସ୍ତେ କହିଲା-’ ତୁମ ଗୋଡ଼…।
ଧନି ବାରିକ ପାଟି କରିଉଠିଲା- ‘ହାଁ, ହାଁ , ବାବୁଙ୍କୁ ଛୁଅଁ ନାହିଁ ।’
ମୋର କୋଳରେ ମୁଣ୍ଡ ରଖି ସେ ନିଶ୍ଚିନ୍ତ ହୋଇଗଲା।
ଚାହିଁ ଦେଖେ, ସରସୀ ଲୁଗା କାନିରେ ଆଖି ପୋଛୁଛି।