ଉଚ୍ଚ ଉଚ୍ଚ କାନ୍ଥଦିଆ ଘରେ ବି ଚୋର ଭୟ ଥାଏ। ସେଇ ଉଚ୍ଚ କାନ୍ଥରେ ଭଙ୍ଗାକାଚ ଦେଇ ମାଲିକ ନାକରେ ଶୋରିଷ ତେଲ ପକାଇ ଶୁଏ। ସେଇ କାଚ ଯୋଗାଇ ଥାଏ ଭଙ୍ଗାକାଚ ବ୍ୟବସାୟୀ। ସେ ଯୋଗାଡ଼ କରେ ଏଇ ଭଙ୍ଗାକାଚ, ଏଣୁତେଣୁ କିନ୍ତୁ ବ୍ୟବସାୟୀ କହେ ବାରଦାଣ୍ଡ ଶୁଣ୍ଢିପିଣ୍ଡା ହେବାଠୁଁ ‘ମଦଭକ୍ତା ଯନ୍ତ୍ର ଗାବନ୍ତି’ ସେଇଠି ଏହି କଞ୍ଚାମାଲର ଖଣି ପରା ଥାଏ।

ଏମିତି ଗୋଟିଏ ଭଙ୍ଗାକାଚ ବ୍ୟବସାୟୀର ଘର ସାମ୍ନାରେ ଅନେକ କାଚ ଶିଶି ବୋତଲକୁ ମୁଁ ଏକ ନିଝୁମ ସନ୍ଧ୍ୟାରେ ଦେଖିଥିଲି। ସହକାର ବୃକ୍ଷରେ ସେତେବେଳେ ପେଚକ ସୁମଧୁର ସ୍ୱରରେ ବସନ୍ତ ବିରହ ଗାଉଥିଲେ। ତୁମକୁ ମିଛ ମତେ ସତ, ସେମାନେ କଥାବାର୍ତ୍ତା କରୁଥିଲେ, ମୁଁ ବେତାଳ ସାଧିନି ଯେ, ପଶୁପକ୍ଷୀଙ୍କ କଥା ବୁଝିପାରିବି, କିନ୍ତୁ ତମ ରାଣ ପାଠକେ, ମୁଁ ବୋତଲ ସାଧିଛି ତେଣୁ ତାଙ୍କ କଥା ବୁଝିପାରେଁ।

କହିଲ ପରା ବୋତଲ ଓ ବୋତଲିଆ ଦୁହେଁ ପରା ବନ୍ଧୁତାରେ ଗୋଳିପାଣି ଓ କିମ୍ଭୀର ପରିକା।
ଶୁଣିବ?
ବନ୍ଧୁହେ ଅଭ୍ୟାସ ଯଦି ନାହିଁ ତେବେ ଶୁଣ, ଅଭ୍ୟାସ ଥିଲେ ତୁମକୁ ପାଠକ କିଏ କହିବ।

* * * * * * * *

ଗଭୀର ରାତ୍ରି
ଗୋଟିଏ ପତର କୁଡ଼ିଆ। ତାହାରି ଆଗରେ ଜମା ହୋଇ ରହିଚି ନାନା ପ୍ରକାର, ନାନା ଜାତିର ବୋତଲ, ଠିକ୍‌ ଆମ ରିପବ୍‌ଲିକର ଜନତା ପରି।

ହଠାତ୍‌ ଗୋଟିଏ ଲମ୍ବ ମୁହଁ ନେଳୀରଙ୍ଗର ବୋତଲଟି ଦୀର୍ଘ ନିଃଶ୍ୱାସ ପକାଇ କହିଲା-

‘‘ଭାଇମାନେ କାଲି ସକାଲେ ତ ଆମକୁ ବୋତଲ ନୀଳା ସମ୍ବରଣ କରିବାକୁ ହେବ, ତେବେ ଆପଣମାନେ ଯଦି ଏକମତ ହୁଅନ୍ତି ତାହା ହେଲେ ମୁଁ ମୋର ଜୀବନୀ କହିବି।’’

ଶବ୍ଦ ଦ୍ୱାରା ସମ୍ମତି ଜଣାଇଲେ ଅନ୍ୟାନ୍ୟ ବୋତଲଗଣ। ଲମ୍ବ ବୋତଲ ଆରମ୍ଭ କଲେ…

ମୁଁ ଥିଲି ଗୋଟାଏ ଶୁଣ୍ଢି ଦୋକାନରେ। ଆସନ୍ନ ସନ୍ଧ୍ୟାରେ, ହଠାତ୍‌ ଦିନେ ଗୋଟାଏ ଦିନ ମଜୁରିଆ ଆସି ମୋତେ କିଣି ନେଲା।

ମୋ ଭିତରେ ଥିଲା ମଦ।

ମୋତେ ଲୋକଟା ପିଇ ତା’ର କି ଆନନ୍ଦ, ଏଇ ଗୀତ ଗାଉଛି, ଏଇ ନାଚୁଛି, ଏଇ ତାଳି ମାରୁଛି। ଏଇ ଚାଲୁଛି, ଏଇ ପଡ଼ିଯାଉଛି, ମାଟିରେ ଗୁରୁଣ୍ଡୁଛି। ଥରେ ବଡ଼ ପାଟିରେ କହି ଉଠିଲା, ‘‘ଏ କେ ଅଛ, ଆସ ମୁଁ ଦିଲ୍ଲୀ ବିକି ଦେବି, କିଏ କିଣିବ; ଆସ ଆସ ଅତି ଶସ୍ତା ଦରରେ ବିକୁଛି ଯେ, ଆସ।’’

ପାଟି ଶୁଣି ଗୋଟାଏ ପୋଲିସ ଧାଇଁ ଆସିଲା। ପୋଲିସଟା ପଚାରିଲା-
‘‘ପିଇଛୁ? ଥାନାକୁ ଯିବୁ ନା ଏଇଠି ଫଇସଲା ହେବ।’’

ଲୋକଟି କହିଲା, ‘‘ଆଜ୍ଞା ପିଇଥିଲି କିନ୍ତୁ ଆପଣଙ୍କର ଲାଲ ପଗଡ଼ି ଦେଖିଲା ମାତ୍ରକେ ମୋର ସବୁ ନିଶା ଉଭେଇ ଗଲା। ଆଜ୍ଞା ମୋ କଥାଟା ଏଇଠି ବୁଝି ଦିଅନ୍ତୁ, ଆଠଅଣା ପଇସା ମୋ ପାଖରେ ଅଛି।’’

ପୋଲିସ ବାବୁଟି ଚାଲିଗଲେ।

ଲୋକଟି ପୁଣି ଗାଇବାକୁ ଆରମ୍ଭ କଲା। ସେ ଘରେ ପହଞ୍ଚିଲା। ମଦ ପିଇ ଥିବାର ଜାଣିପାରି ସ୍ତ୍ରୀଟା ଟିକିଏ ଗାଳି ଦେଲା। ମରଦପୁଅ, ପୁଣି ପିଇଛି, ସ୍ତ୍ରୀକୁ ଟାଙ୍କେ ଛେଚିଲା।

* * * * * * * *

ଲମ୍ବାମୁହଁ ଥିବା ବୋତଲଟି ହସିହସି କହିଲା ‘‘ମଦ ଅଳ୍ପ ଯୋଗାଣ ହେତୁ ଶୁଣ୍ଢି ପାଣିରେ ମଦ ମିଶାଇ ବିକେ, କିନ୍ତୁ ଯେତେବେଳେ ଏଇ ଦିନମଜୁରିଆକୁ ଶୁଣ୍ଢି ମଦ ବିକିଲା, ପାଣିରେ ମଦ ମିଶାଇବାକୁ ଭୁଲି ଯାଇଥିଲା।’’

‘ରବିଶ୍‌’ କହି ଉଠିଲେ ଶ୍ରୀଡ୍ରାଇଜିନ୍‌ ବୋତଲ। ମୋର ଏଇ ଦିନମଜୁରିଆଙ୍କ ସାଙ୍ଗରେ କେବେ ଦେଖା ହୁଏ ନାହିଁ। ଯିଏ ମୋତେ କିଣିଲା, ସେ ମଦ ଖାଇବା ଦୂରେ ଥାଉ ମଦ ନାଆଁ ଶୁଣିଲେ ଗାଧୋଇ ଯାଏ।

ମତେ କିଣିଲେ ସହରର ବଡ଼ ଧନୀ କରୋଡ଼ି ମଲ।

ଡାକବଙ୍ଗଳାରେ ଥାଆନ୍ତି ପ୍ରଦେଶର ଶ୍ରେଷ୍ଠ ଇନ୍‌ଜିନିଅର, ଯିଏ ଠିକା ଦେବା ନେବା କରନ୍ତି।

ସନ୍ଧ୍ୟାରେ, ବାହାରେ ଡକ୍‌ ଚେୟାର୍‌ରେ ବସି ହାୱା ଖାଉଥିଲେ ଇନ୍‌ଜିନିଅର ବାବୁ।

କରୋଡ଼ି ମଲ ଦୁଇ ହାତ ରଗଡ଼ିରଗଡ଼ି କହିଲେ, ‘ଆପଣ ଆଇଲା, ଆର ହାମ୍‌କୁ ଖବର ବି ଦେଲେ ନାହିଁ।’ ଇନ୍‌ଜିନିଅର ସାହେବ ହସିହସି କହିଲେ, ‘‘ଏଇତ ପହଞ୍ଚିଲି ଦୂରତାଜନିତ କ୍ଳାନ୍ତିର ଅବସାନ ବି ହୋଇ ନାହିଁ।’’

‘‘ହାଁ ହାଁ ମୁଁ ଦବାଇ ଆଣିଛି ସାହିବ।’’ କରଯୋଡ଼ି ମଥାନତ କରି କରୋଡ଼ି ମଲ କହିଲେ-
ଇନ୍‌ଜିନିଅର ସାହେବଙ୍କ ମୁହଁରେ ହସ ଫୁଟିଉଠିଲା, ପକେଟରୁ ବାହାର କରି ମତେ ଇନ୍‌ଜିନିଅର ସାହେବଙ୍କୁ ପାଣିରେ ଦେଇ ଗ୍ରହଣ କରିବାକୁ କହିଲେ।
ଇନ୍‌ଜିନିଅର ସାହେବ କହିଲେ ‘‘ଆପଣଙ୍କୁ ଠିକାଟା ଦିଆଯିବ ଆଉ…?’’

‘‘ହାଁ ହାଁ ବାବୁ ମୋତେ କି ବେଇମାନ ଭାବିଲେ। ଇମିଲିବାଈ ବି ଆପଣଙ୍କର ଚରଣ ସେବା କରିବାକୁ ଆସିଛି, ଆଉ ଏଇ ରଖନ୍ତୁ ଆପଣଙ୍କର ଜଲପାନି କା ବାସ୍ତେ, ଏକହଜାର ଏକଟଙ୍କା।’’

ଇନ୍‌ଜିନିଅର ସାହେବ ହସିଲେ। କରୋଡ଼ି ମଲ ଚାଲିଗଲେ।
ଇମିଲିବାଈ?
ଇମିଲିବାଈ ବଡ଼ ଲଜ୍ଜାଶୀଳା। ସାହେବଙ୍କୁ ଅନୁରୋଧ କରି କହିଲେ ଘରର ସବୁ ଆଲୁଅ ନ ଲିଭାଇଦେଲେ, ସେ ସାହେବଙ୍କ ଚରଣ ସେବା କରିପାରିବେ ନାହିଁ।
ସବୁ ଆଲୁଅ ଲିଭିଗଲା।

ଡ୍ରାଇଜିନ ବୋତଲ କହିଲେ ‘‘ଧୀରେଧୀରେ ମୁଁ ବି ସରି ଆସିଲି। ମଧ୍ୟରାତ୍ରିରେ ଇମିଲିବାଈ କହିଲେ, ‘ସାହେବ ମୁଁ ବର୍ତ୍ତମାନ ଯିବି, ଆପଣଙ୍କର ଇଜ୍ଜତ ଅଛି।’’
ସାହେବଙ୍କ ନିଶା ଭାଙ୍ଗି ନଥାଏ-
ଇମିଲିବାଈ କହିଲେ ‘‘ମୋର ବକ୍‌ସିସ୍‌।’’

ସାହେବଙ୍କ ଦେହ ଅଳସ ଯୋଗୁଁ ନିଦେ ନ ଉଠି କହିଲେ ‘‘ଡ୍ରୟାରରେ ଅନେକ ଟଙ୍କା ଅଛି ଯେତେ ଇଚ୍ଛା ନେଇଯାଇପାର କ୍ଳିଓପେଟ୍ରା।’’

ଇମିଲିବାଈ ଏତେ ଖୁସିରେ ଏମିତି ହସଟିଏ ହସିଲେ ଯେ, ତାଙ୍କର ମୁହଁ ଉପରେ ଥିବା କୃତ୍ରିମ ଦନ୍ତପଂକ୍ତି ଫିଟି ତଳେ ପଡ଼ିଗଲା।
ଇମିଲିବାଈ ବିନା ବକ୍‌ସିସ୍‌ରେ ଡାକବଙ୍ଗଳା ପରିତ୍ୟାଗ କଲେ।

* * * * * * * *

ହସି ଉଠିଲା ରମ୍‌ ବୋତଲ।
ଡ୍ରାଇଜିନ୍‌ ପ୍ରଶ୍ନ କଲେ ‘‘ହସିଲ ଯେ।’’
ଶ୍ରୀ ରମ୍‌ କହିଲେ ‘‘ମୋର ନିଜ କଥା ମନେପଡ଼ିଲା।’’
ରମ୍‌ ଆରମ୍ଭ କଲେ-‘‘ମୋର ମାଲିକ ମତେ ପ୍ରାୟ ଆଦର କରନ୍ତି, ତେଣୁ ମତେ ଭଲ ଆଖିରେ ଦେଖିପାରନ୍ତି ନାହିଁ ମୋର ମାଲିକାଣୀ; ବହୁତ ଚେଷ୍ଟାକରି ମଧ୍ୟ, ମୋଠୁଁ ମୋର ମାଲିକଙ୍କୁ ଦୂରେଇ ରଖିପାରିଲେ ନାହିଁ।’’

ଦିନକ ଘଟଣା-
ସେ ଦିନ ଟଳିଟଳି ମୋ ମାଲିକ ଘରେ ପହଞ୍ଚିଲେ।
ମାଲିକାଣୀ ଆସି ମୋ ମାଲିକଙ୍କୁ ଘରକୁ ନେଇଗଲେ।
ମୋ ମାଲିକ ଗାଉଥାଆନ୍ତି-
‘‘କି କରିବି ସଜନୀ ନ ଆସିଲେ ବାଲମ।’’ ମାଲିକାଣୀ ରମ୍‌ର ତୀବ୍ର ଗନ୍ଧ ଯୋଗୁଁ ନାକରେ ଲୁଗା ଦେଲେ। ତା’ପରେ ମାଲିକଙ୍କ ଦେହରୁ କୋଟ, କମିଜ, ବନିୟନ ସବୁ ଉତ୍ତାରି ପକାଇଲେ। ଗଳାରେ ନେକ୍‌ ଟାଇଟା ଝୁଲୁଥାଏ।

କୋଟ୍‌ ପକେଟରେ ମୁଁ ଥାଏଁ। ମାଲିକାଣୀ ମୋତେ କୋଟ୍‌ ପକେଟରୁ ଆଣି ଗୋଟିଏ ଛୋଟ ଗିଲାସରେ ବାକିତକ ରମ୍‌ ଢାଳି ମୋ ମାଲିକ ଆଡ଼େ ବଢ଼ାଇ ଦେଲେ।

ମୋ ମାଲିକ କହିଲେ ‘‘ଏକ ପାତ୍ର ସୁରା ଓ ତୁମେ-’’

ମାଲିକାଣୀ ଓଠ କାମୁଡ଼ିଲେ। ମାଲିକାଣୀ ମୋ ମାଲିକଙ୍କୁ ଛିଡ଼ା ହେବାପାଇଁ କହିଲେ।

ମୋ ମାଲିକ ‘‘ଯେ ଆଜ୍ଞା’’ କହି ଛିଡ଼ାହେଲେ। ତା’ପରେ ମାଲିକାଣୀ ଗଳାରେ ଝୁଲୁଥିବା ନେକଟାଇଟାକୁ ଧରି ଯେଉଁ ମାଡ଼, ଯେଉଁ ମାଡ଼, ଯେଉଁ ମାଡ଼ ଦେଲେ ଯେ ମାଲିକଙ୍କ ନିଶା ଫାଟିଯିବା ଉପରେ।

ଠିକ୍‌ ଏଇ ସମୟରେ ପୁଣିଥରେ ମାଲିକାଣୀ ମୋ ମାଲିକଙ୍କୁ ଆଉ ଟିକିଏ ରମ୍‌ ପିଆଇ ଦେଇ ପୁଣି ବାଡ଼ାଇଲେ।

ଆରଦିନ ମୋ ମାଲିକ ସମ୍ବାଦପତ୍ରରେ ‘‘ମଦ ଓ ମାଡ଼’’ ବୋଲି ଗୋଟାଏ ବିବୃତି ଦେଲେ। ବିବୃତିର ସାରାଂଶ ହେଉଛି।

‘ପୁରୁଷମାନେ ମଦ ଖାଇ ମାତାଲ ହୋଇ, ସ୍ତ୍ରୀ ଅବଳାମାନଙ୍କୁ ମାଡ଼ ଦିଅନ୍ତି ତେଣୁ ପାରିବାରିକ ସୁଖରେ ବ୍ୟାଘାତ ଘଟୁଛି।’

* * * * * * * *

ଶ୍ରୀମାନ ହୁଇସ୍‌କି ହସି ଉଠିଲେ।
ତାଙ୍କ ଆଡ଼କୁ ସମସ୍ତଙ୍କ ଦୃଷ୍ଟି ଆକର୍ଷିତ ହେଲା।
ହୁଇସକି କହିଲେ ‘‘ମୋର ବନ୍ଧୁ ଜଣେ ଡାକ୍ତର। ତାଙ୍କର ପ୍ରାୟ ରାତ୍ରି ଡିଉଟି ପଡ଼େ।’’

ଦିନକର ଘଟଣା-
ଡାକ୍ତରଖାନାକୁ ବାପ ପୁଅ ଦି’ଜଣ ଆସିଥାନ୍ତି। ପୁଅ ଥିଲା ରୋଗୀ। ବାପ ପୁଅ ସାଥିରେ ଆସିଥିଲା।
ଡାକ୍ତର ପଚାରିଲେ- ‘‘କଅଣ ହୋଇଛି।’’
ବାପ କହିଲା-‘‘ଆଜ୍ଞା ଏ ରୋଗ ମୋର ଅଜାଙ୍କର ଥିଲା, ମୋର ବାପାଙ୍କର ଥିଲା, ମୋର ଅଛି ଓ ବର୍ତ୍ତମାନ ମୁଁ ଲକ୍ଷ୍ୟ କରୁଛି ମୋର ପୁଅର ବି ସେ ରୋଗ ହେବାର ଆରମ୍ଭ କରୁଛି।’’

ଡାକ୍ତର ଚିନ୍ତାକରି କହିଲେ-‘‘ଓଃ ହେରିଡେଟେରି ରୋଗ।’’
‘‘ରୋଗଟା କଅଣ?’’ ଡାକ୍ତର ପଚାରିଲେ-
‘‘ଆଜ୍ଞା ପାଗଳାମି।’’

ଓଃ ତେବେ ଆପଣଙ୍କ ପୁଅକୁ ଆପଣ ଘରକୁ ପଠାଇ ଦିଅନ୍ତୁ। ମୁଁ ଆଶା କରେଁ, ରୋଗ ଯେତେବେଳେ ହେରିଡିଟେରୀ ଆପଣଙ୍କୁ ଚିକିତ୍ସା କଲେ ଆପଣଙ୍କ ପୁଅ ଭଲ ହୋଇଯିବ।

ପୁଅ ଚାଲିଗଲା।
ସିଭିଲ ସାର୍ଜନ (ଯେ କି ମୋର ଜଣେ ପରିଚିତ ବନ୍ଧୁ) ସେ ରୋଗୀର ସମସ୍ତ ହାଲ ଶୁଣି କହିଲେ ‘‘ବାପକୁ ବି ଡିସଚାର୍ଯ କରଦିଅ, ଆଉ ପୁଅର ଅଜାକୁ ଡାକ୍ତରଖାନାରେ ଭର୍ତ୍ତିକରି ତାକୁ ଚିକିତ୍ସା କର।’’

ବାପ ବି ହାସପାତାଳ ଛାଡ଼ି ଚାଲିଆସିଲେ।
ସୁଖର କଥା, ପୁଅର ଅଜା ଇହଧାମରେ ନାହାନ୍ତି।

* * * * * * * *

ମିଷ୍ଟର ବ୍ରାଣ୍ଡି ହସି ଉଠିଲେ।

ସେ କହିଲେ ମୋର ଜଣେ ପରିଚିତ ବନ୍ଧୁ ଅଛନ୍ତି ଯେ କି ଜଣେ ମନ୍ତ୍ରୀ। ସେ ଯେତେବେଳେ କୌଣସି ଗସ୍ତରେ ଯାଆନ୍ତି ମୋତେ ପ୍ରାୟ ସାଙ୍ଗରେ ନେଇକରି ଯାଆନ୍ତି।

ଦିନକର ଘଟଣା-
କେଉଁ ଏକ ଅଖ୍ୟାତ ପଲ୍ଲୀରେ ଥିବା ସାର୍‌କିଟ୍‌ ହାଉସରେ ମନ୍ତ୍ରୀ ଆପଣେ ବିଜେ ହୋଇଥିଲେ। ମନ୍ତ୍ରୀ ଆସିଥିବା ଜାଣିପାରି ଗାଁର ଓ ଅନ୍ୟ ଦୂରଦୂରାନ୍ତ ଗ୍ରାମରୁ ଅନେକ ପଲ୍ଲୀବାସୀ ଆସି ତାଙ୍କୁ ନିଜର ହାରିଗୁହାରି ଶୁଣାଇବା ପାଇଁ ସାର୍‌କିଟ୍‌ ହାଉସରେ ରୁଣ୍ଡ ହେଲେ।

ମନ୍ତ୍ରୀ ବାହାର ବରଣ୍ଡାକୁ ବିଜେ ହେବା ବେଳକୁ ମୋତେ ଅଧେ ସାରି ଦେଇଥାଆନ୍ତି।

ମନ୍ତ୍ରୀ ନିଜ ଷ୍ଟେନୋକୁ ଡକାଇ ପାଖରେ ବସାଇଲେ।
ଜଣେ ଗ୍ରାମବାସୀ କହିଲେ-‘‘ଆଜ୍ଞା ମୋ ପୁଅ ମେଟ୍ରିକ୍‌ ପାସ କରିଛି। ଖଣ୍ଡିଏ ଚାକିରି…।’’

ମନ୍ତ୍ରୀ କହିଲେ ‘‘ପୁଅକୁ ସବଡେପୁଟି ଚାକିରିଟାଏ ଦିଆଯିବ। ଷ୍ଟେନୋ ନୋଟ କରନ୍ତୁ।’’

ଆଉ ଜଣେ ଗ୍ରାମବାସୀ କହିଲେ- ‘‘ଆଜ୍ଞା ଗାଁରେ ଭୀଷଣ ଜଳ କଷ୍ଟ।’’

ମନ୍ତ୍ରୀ ପଚାରିଲେ- ‘‘ଗାଁରେ କୌଣସି ନଦୀ ଅଛି।’’

ଗ୍ରାମବାସୀ ଉତ୍ତର ଦେଲେ- ‘‘ଆଜ୍ଞା ଗୋଟିଏ ନାଳ ଅଛି ଯାହା ବର୍ଷକେ ଆଠମାସ ଶୁଖିଲା ରହେ।’’

ମନ୍ତ୍ରୀ କହିଲେ- ‘‘ଷାଠିଏ କୋଟି ଟଙ୍କା ମଞ୍ଜୁର କଲୁଁ। ସେଇ ନାଳ ଉପରେ ଗୋଟିଏ ବନ୍ଧ ହେବ, ପାଣି ଓ ବିଜୁଳି ତମ ଗାଁ ଲୋକେ ପାଇବେ।’’

ଆଉ ଜଣେ ଗ୍ରାମବାସୀ କହିଲେ- ‘‘ଆଜ୍ଞା ଗାଁରେ ଡାକ୍ତରଖାନାଟିଏ ହେଉ।’’

ମନ୍ତ୍ରୀ କହିଲେ- ‘‘ଗାଁରେ ଗୋଟିଏ ମେଡ଼ିକେଲ କଲେଜ ହେବାପାଇଁ ଶହେ କୋଟି ଟଙ୍କା ମଞ୍ଜୁର କଲୁଁ।’’

ଆଉ ଜଣେ ଗ୍ରାମବାସୀ କହିଲେ- ‘‘ଆଜ୍ଞା ଘରେ ଅନେକ ପିଲାଛୁଆ, କିଛି ଅର୍ଥ ସାହାଯ୍ୟ କଲେ ଉପକୃତ ହେବି।’’

ମନ୍ତ୍ରୀ କହିଲେ- ‘‘ଗ୍ରାମରେ ଗୋଟାଏ ପରିବାର ନିୟନ୍ତ୍ରଣ କେନ୍ଦ୍ର ଖୋଲା ଯିବାପାଇଁ ଆଦେଶ ଦେଲୁଁ।’’

ଆଉ ଜଣେ ଗ୍ରାମବାସୀ କହିଲେ- ‘‘ଆଜ୍ଞା ଗ୍ରାମ ସାଥିରେ ସହରର ସଂଯୋଗ ସ୍ଥାପନ କରିବା ପାଇଁ ଗ୍ରାମରେ ରାସ୍ତା ତିଆରି ହେଉ।’’

ମନ୍ତ୍ରୀ କହିଲେ- ‘‘ରେଳ ସଡ଼ଖ ଦ୍ୱାରା ତୁମ୍ଭ ଗ୍ରାମକୁ ଯୋଗ କରିବା ପାଇଁ ଶହେ କୋଟି ଟଙ୍କା ମଞ୍ଜୁର କଲୁଁ।’’

ଷ୍ଟେନୋ ସବୁ ନୋଟ କରୁଥାଆନ୍ତି।

* * * * * * * *

ଅନ୍ୟ ଦିନ ଷ୍ଟେନୋ ଯେତେବେଳେ ଉପରୋକ୍ତ ପ୍ରସ୍ତାବମାନ ମନ୍ତ୍ରୀଙ୍କ ଆଗରେ ଉପସ୍ଥାପିତ କଲେ, ମନ୍ତ୍ରୀ ନୋଟ୍‌ ଲେଖିଲେ। ‘‘ମୋର ଷ୍ଟେନୋର ମସ୍ତିଷ୍କ ବିକୃତିର ଲକ୍ଷଣ ସବୁ ଦେଖାଯାଉଅଛି। ଷ୍ଟେନୋକୁ କିଛିଦିନ ରାଞ୍ଚିକୁ ପଠାଇ ତାଙ୍କର ଗତିବିଧି ଲକ୍ଷ୍ୟ କରିବା ପାଇଁ ଅନୁମତି ଦେଲୁଁ ଓ ସେ ଯେତେଦିନ ଯାଏ ସୁସ୍ଥ ହୋଇ ନାହାନ୍ତି ସେତେ ଦିନ ତାଙ୍କୁ ମେଡ଼ିକେଲ ଛୁଟି ମଞ୍ଜୁର କଲୁଁ।’’

ପ୍ରକାଶ ଥାଉକି ଏହି ମନ୍ତ୍ରୀଙ୍କର ଷ୍ଟେନୋ ବର୍ତ୍ତମାନ ସୁଦ୍ଧା ସୁସ୍ଥ ସଶରୀରେ ରାଞ୍ଚିରେ ଅଛନ୍ତି।

* * * * * * * *
ସକାଳ ପାଇଗଲା।
ବୋତଲ ଅଧିବେଶନ ବି ଭାଙ୍ଗିଗଲା।