ଘରେ ଶାଶୂବୁଢ଼ୀ, ପୁଅ ଆଉ ବୋହୂ, ଘର ଗୋଟାକର କାମରୁ ଗୁରାଏ ଗୁରାଏ କାମ ବୋହୂ କରେ, ଅଳ୍ପ କାମ ଶାଶୂବୁଢ଼ୀ କରେ। ଶାଶୂବୁଢ଼ୀର ହାତ କାମ ବନ୍ଦ ହେଲେ, ମୁହଁ କାମ କରେ, ଅର୍ଥାତ୍‌ ବକରବକର ହେଉଥାଏ, ପାଟି ବନ୍ଦ ହୁଏନା।

ପୁଅ ବଜାରରେ ଥାଏ, ତା’ର ପାନ ଦୋକାନ, ଲୁଚା ଚୋରାରେ ଦେଶୀ ମଦ ବିକ୍ରି କରେ। ପୁଅ କିଛି ଘରକଥା ବୁଝେ ନାହିଁ, ଘରକୁ ଆସିଲେ ଖାଏ, ପିଏ, ଚାଲିଯାଏ। ରାତି ହେଲେ ଘରକୁ ଆସେ।

ଦିନେ ପୁଅ ଦିଗମ୍ବର ପାନ ଦୋକାନରେ ବସି, ପାନ ବିକୁଛି। ହଠାତ୍‌ ଜଣେ ଲୋକ ଆସି ଖବର ଦେଲା-ଦୌଡ଼ିଯା ତୋର ମା’ର କ’ଣ ହୋଇଛି, ସାହି ମାଇପିଏ ଘରେ ପଶି କାନ୍ଦୁଛନ୍ତି।

ଦିଗା ଦୋକାନ ଛାଡ଼ି ଘରକୁ ଦୌଡ଼ିଲା, ଘରେ ଯାଇ ଦେଖେ, ମା ବୁଢ଼ୀ ପଡ଼ିଯାଇଛି। କିଏ କହୁଛି- ବାଁ ହାତଟି ଭାଙ୍ଗିଯାଇଛି, କିଏ କହୁଛି-ନା ହାତ ଭାଙ୍ଗି ନାହିଁ, ଜଖମ ହେଇଯାଇଛି…।

ବୁଢ଼ୀକୁ ପଡ଼ିବା ଜାଗାରୁ ଟେକି ଆଣି ଗୋଟାଏ ଜାଗାରେ ବସେଇଛନ୍ତି, ବୁଢ଼ୀ ନିଜର ମନ୍ଦଭାଗ୍ୟ, ପୁଅ, ବୋହୂର ତା’ ପ୍ରତି ଅବହେଳା, ତା’ ବାପଘରେ ସେ କେମିତି ସୁଖରେ ଥିଲା, ଶାଶୂଘରକୁ ଆସିଲା ଦିନୁ, ତା’ ବୋହୂ ଅମଳରୁ ଆଜିଯାଏ, ସେ କେତେ କଷ୍ଟ କଲାଣି, ଆଉ କଷ୍ଟ ସହିପାରୁନି। ଏଣିକି ମାଟିରେ କେମିତି ମିଶିବ, ମିଶିଲେ ସେ କେମିତି ଶାନ୍ତି ପାଇବ ଇତ୍ୟାଦି ଇତ୍ୟାଦି କରି ନାତିଦୀର୍ଘ ସ୍ୱରରେ ବାହୁନୁଛି।

ସାହି ମାଇପେ ବୁଢ଼ୀର ବାହୁନାକୁ ସମର୍ଥନ ଜଣେଇ କିଏ ବୁଝଉଛି, କିଏ ସାନ୍ତ୍ୱନା ଦଉଛି, କିଏ ଔଷଧି ବତଉଛି, କିଏ ଔଷଧି ଯୋଗାଡ଼ କରୁଛି। ସମସ୍ତଙ୍କ ମୁହଁରେ ବୁଢ଼ୀ ପ୍ରତି ସହାନୁଭୂତି ସୂଚକ ସେହି ଗୋଟାଏ କଥା-ଆହା! ବୁଢ଼ୀ ମଣିଷ, ଖୁବ୍‌ ଜୋର୍‌ରେ ବାଜିଯାଇଛି। ବୁଢ଼ୀ ଶରୀରରେ ଆଉ କ’ଣ ବଳ ଅଛି… ?

ଆଉ କେତେକଙ୍କ ମୁହଁରେ ସେହି ଗୋଟାଏ କଥା- କ’ଣ ହେଲା ? ବୁଢ଼ୀ କେମିତି ପଡ଼ିଗଲା, କୋଉଠି ବାଜିଛି ? ଭାରି କଷ୍ଟ ହେଉଥିବ, ବୃଦ୍ଧ ଶରୀର….

ସିନେମାର ଫାଷ୍ଟ ସୋ’ର ଦର୍ଶକଦଳ ବାହାରି ଗଲା ପରେ, ସେକେଣ୍ଡ ସୋ’ର ଦର୍ଶକଦଳ ପ୍ରବେଶ କଲା ପରି, ଦଳେ ଯାଇ ପୁଣି ନୁଆ ଦଳେ ଦେଖଣାହାରି ପ୍ରବେଶ କଲା ପରେ, ସେଇ ଗୋଟାଏ ଧରଣର ପ୍ରଶ୍ନ। ତା’ର ସେମିତି ଗୋଟାଏ ଧରଣର ଉତ୍ତର- ଦାସେ ଆଇଲେ ମୂଳରୁ ଗା’….

ବୁଢ଼ୀକୁ ଡାକ୍ତରଖାନାକୁ ନିଆ ହେଲା ନାହିଁ, ଡାକ୍ତରଙ୍କୁ ଡକା ହେଲା ନାହିଁ। ସାହି ମାଇପଙ୍କର ପ୍ରେସ୍‌କ୍ରିପ୍‌ସନ୍‌ମତେ କେତେକ ଗାଉଁଲି ଔଷଧି ବୁଢ଼ୀ ହାତରେ ବନ୍ଧା ହେଲା, ବୁଢ଼ୀ ବିଛଣା ଧଇଲେ। ବୁଢ଼ୀକୁ କେନ୍ଦ୍ର କରି, ଆଉଁଶା, ଘଷା ଗପ, ସାହି ମାଇପଙ୍କର ଗୋଟାଏ ଆଲୋଚନା ଚକ୍ର ବସିଲା।

ଗାଁ ନିକଟରେ ସରକାରୀ ଡାକ୍ତରଖାନା। ଡାକ୍ତର ଥା’ନ୍ତି ସାହି ମଝିରେ, ଘରଭଡ଼ା ନେଇ। ସରକାରୀ ଘର ତାଙ୍କୁ ମିଳି ନ ଥିବାରୁ ଡାକ୍ତର ଭଡ଼ା ଘରେ ଥା’ନ୍ତି। ଏକା, କତିରେ କେହି ନାହିଁ, ଦିନେ ସକାଳୁ ଦାଣ୍ଡ ଆଡ଼ୁ କରୁଣ କଣ୍ଠରେ ଶୁଣାଗଲା-ଆଉ ବଞ୍ଚିବି ନାହିଁଲୋ, ମୋ ପ୍ରାଣ କି କଲବଲ ହେଉଛି ଲୋ, ମୋତେ କି ଦଶା ପଇଲା ଲୋ….?

କାନ୍ଦଣାର ଶବ୍ଦ ସଙ୍ଗେସଙ୍ଗେ ମୃଦୁ ପଦଧ୍ୱନି, ତା’ ପରେପରେ ଡାକ୍ତରବାବୁଙ୍କ ଶୋଇବା ଘର ସାମ୍ନାରେ ଠେଙ୍ଗାଟିଏ ହାତରେ ଧରି, ଗୋଟିଏ ବୁଢ଼ୀ ଆସି ଉଭା ହେଲେ, ବୁଢ଼ୀର ବାଁ ହାତର ପାପୁଲିଟି ଫୁଲିଛି, ସେଥିରେ ପୁଣି କନା ଖଣ୍ଡେ ବନ୍ଧା ହୋଇଛି।

ବୁଢ଼ୀ ଡକ୍ତରବାବୁଙ୍କୁ ଦେଖି କାନ୍ଦ କାନ୍ଦ ହୋଇ ଆରମ୍ଭ କଲା- ଏ ଡାକ୍ତର ବାବୁ, ମୋତେ ଦୟାକର। ମୁଁ ବୁଢ଼ୀ ମଣିଷ…..

ବୁଢ଼ୀ ଠେଙ୍ଗାଟି ତଳେ ଥୋଇ ଦେଇ ଡାହାଣ ହାତରେ ବାଁ ହାତ ପାପୁଲିକି ଧରି ଗୋଟିଏ ଖୁଣ୍ଟକୁ ଆଉଜି ବସିଲେ।

ଡାକ୍ତରବାବୁ ପଚାରିଲେ- ବୁଢ଼ୀ କ’ଣ ହେଲା? ବୁଢ଼ୀ ବାହୁନା ସ୍ୱରରେ ଆରମ୍ଭ କଲେ-କ’ଣ କହିବି ବାପ, ପାଣି ମାଠିଆଏ ଆଣୁଥିଲି। ଗୋଡ଼ ଖସିଗଲା, ପଡ଼ିଗଲି, ଏ ବାଁ ହାତରେ ମାଡ଼ ହୋଇଗଲା।

ବୁଢ଼ୀ ପୁଣି ସେହି ବାହୁନା ସ୍ୱରରେ ଉପସଂହାରରେ ଆରମ୍ଭ କଲେ-ମରିଗଲି ଲୋ, କି କଲବଲ ହଉଛି ଲୋ…….।

ଡାକ୍ତରବାବୁ ପଚାରିଲେ-ତୁମେ ଏ ବୁଢ଼ା ବୟସରେ ପାଣି କାହିଁକି ଆଣୁଥିଲ, ବୋହୂ କି ଝିଅ କେହି ନ ଥିଲେ?

ବୁଢ଼ୀ ବାହୁନା ସ୍ୱରରେ-ମୋର ଗୋଟିଏ ପୁଅ, ତାକୁ ବାହାଦେଇ ଗୋଟିଏ ବୋହୂ ଆଣିଥିଲି ଯେ, ତା’ ଗୁଣ କହିଲେ ସରିବ ନାହିଁ।

ଡାକ୍ତର-ବୋହୂ କ’ଣ କାମ କରେ ନା ?
ବୁଢ଼ୀ-ସେ ବୋହୂକୁ ମରଣ ହୁଅନ୍ତା କି, ମୋ ପୁଅକୁ ପଛେ ଆଉ ଗୋଟାଏ ବାହା ଦିଅନ୍ତି, ଗୋଟିଏ ଭଲ ବୋହୂ ଆଣନ୍ତି….
ଡାକ୍ତର-ବୋହୂ କ’ଣ ଭଲ ନୁହେଁ ?
ବୁଢ଼ୀ-ତା’ ନାଁ ଧର ନାହିଁ ବାପ, ଅଲକ୍ଷଣୀ ମୋ ପୁଅକୁ କାଳସର୍ପ ଯୁଟିଛି, ମୁଁ କ’ଣ ଜାଣିଥିଲି, ଏତେ ଦୁଷ୍ଟ ପଡ଼ିବ ସେ। କୁଟା ଖଣ୍ଡକ ଦି’ଖଣ୍ଡ କରିବନି, ଅଳସେଇ ବୋଲି ସରିଛି….
ଡାକ୍ତର ପୁଣି ପ୍ରଶ୍ନ କଲେ- ତୁମ ପୁଅ ନାଁ କ’ଣ ?
ବୁଢ଼ୀ-ମୁଁ ପରା ଦିଗା ମା’, ଦିଗାକୁ କଣ ଚିହ୍ନିନା ?
ପୁଅ ଭାରି ଭଲ ଥିଲା, ଏ ବୋହୂ ଶିକ୍ଷାରେ ପଡ଼ି ଏବେ ଖରାପ ହୋଇଗଲା, ଏ ଯୋଉ ଅଲକ୍ଷଣୀ ବୋହୂ, ତାକୁ ସବୁ ମନ୍ଦ କଥା କାନେ କାନେ ଶିଖେଇଲା…..।

ବୁଢ଼ୀ ଏତେବେଳେ ଜଖମ ଥିବା ହାତ ଆଉ ଭଲ ହାତ ଉଭୟଙ୍କୁ କୌଣସିମତେ ଏକାଠି ଯୋଡ଼ି ସୂର୍ଯ୍ୟଙ୍କ ଆଡ଼କୁ ଅନେଇ ପ୍ରାର୍ଥନା କଲା ଭଙ୍ଗୀରେ କହିଲା-ହେ ସୂର୍ଯ୍ୟ ଦେବତା, ତୁ ଦିନରାତି କରୁଛୁ, ତୁ ଯଦି ସତେ ଏ ଦୁନିଆ ପାଳୁଥିବୁ, ମୋ ବୋହୂକୁ ଯଦି ମରଣ ହବ, ତା’ହେଲେ ଜାଣିବି, ତୁ ଠିକ୍‌ ଦେବତା, ନ ହେଲେ ତୁ ପଥର…।

ଡାକ୍ତରବାବୁ କହିଲେ- ବୁଢ଼ୀ, ଦେଖେ ତୁମର ହାତ କ’ଣ ହେଇଛି ?
ବୁଢ଼ୀ ବହୁ କଷ୍ଟରେ ହାତ ଦେଖେଇଲେ, ଡାକ୍ତରବାବୁ ହାତ ପରୀକ୍ଷା କରି ଦେଖିଲେ, ହାତ ହାଡ଼ ଭାଙ୍ଗି ନାହିଁ, ମକଚି ଯାଇଛି।

ଡାକ୍ତରବାବୁ କହିଲେ-ବୁଢ଼ୀ ତୁମେ ଯାଅ, ତୁମ ପୁଅ ଦିଗାକୁ କହିବ, ଡାକ୍ତରଖାନା ଖୋଲିଲେ, ମୋ ସହିତରେ ଦେଖା କରିବ, ମୁଁ ଓଷଧି ଲେଖିଦେବି, ହାତରେ ଲଗେଇବ, ଭଲ ହୋଇଯିବ, ତୁମେ ଯାଅ, ଆଉ ବସିବ କାହିଁକି ?

ବୁଢ଼ୀ ଏଥର ପୁଣି ସେହି ବାହୁନା ସ୍ୱରରେ ଆରମ୍ଭ କଲେ-ଯା’ର ସାରାର୍ଥ ହେଉଛି-ସେ ସଂସାର-ସାଗର କେମିତି ପାରି ହେବେ, ସଂସାରର ଲୀଳାଖେଳା ତାଙ୍କର ସରି ଆସିଲା, ସେ ଯେଉଁ ମାୟାରୂପକ ନାବ-ଖଣ୍ଡକରେ ବସିଛନ୍ତି, ତାଙ୍କୁ ପୁଅ କି ବୋହୂ, ସାହାଯ୍ୟ, ସହାନୁଭୂତି ରୂପକ ଆହୁଲ ପକେଇ ଏ ଯନ୍ତ୍ରଣାରୂପକ ଝଡ଼, ଝଞ୍ଜାରୁ ଉଦ୍ଧାର କରି ପାରି କରିବାକୁ ଅନିଚ୍ଛୁକ, ଅସମର୍ଥ…।

ଡାକ୍ତରବାବୁ ଲକ୍ଷ କଲେ-ଯେମିତି ବୋହୂ ବିରୋଧରେ ଅଭିଯୋଗ କରିବା ବନ୍ଦ ହେଉଛି।
ବୁଢ଼ୀ ହାତର ଯନ୍ତ୍ରଣା ଅନୁଭବ କରୁଛି, ଏଇ କଥା ଭାବି, ଡକ୍ତରବାବୁ ପୁଣି ବୋହୂ କଥା ପଚାରିଲେ-ବୁଢ଼ୀ, ବୋହୂ କ’ଣ ତୁମର କିଛି ଯତ୍ନ ନିଏନା ?

ବୁଢ଼ୀ ଏତେବେଳେ ବାହୁନା ସ୍ୱରରୁ ନିବୃତ୍ତ ହୋଇ ସ୍ୱରବିହୀନ ବିରାଟ ଗଦ୍ୟରେ ଆରମ୍ଭ କଲେ-ବାବୁ, ସେ ଅଲକ୍ଷଣୀ ପୁଣି ମୋ ଯତ୍ନ ନେବ? କେବେ କହିବ ସେ, ଶାଶୂ ବୁଢ଼ୀ ଶୋଇଛି। ଟିକିଏ ଗୋଡ଼ ଦି’ଟାରେ ହତ ବୁଲେଇ ଦିଏ, ଅଣ୍ଟା ଚିପିଦିଏ କି ମୁଣ୍ଡ ଚିପିଦିଏ, କାହିଁକି ସେ ଅନେଇ ଯିବ?
ଡାକ୍ତରବାବୁ ବୁଝିପାରିଲେ-ବର୍ତ୍ତମାନ ବୋହୂ ବିରୋଧରେ କହିଲାବେଳେ ବୁଢ଼ୀର ଆଉ ହାତ ଯନ୍ତ୍ରଣା ନାହିଁ।

ପରୀକ୍ଷାସ୍ୱରୂପ ପୁଣି କହିଲେ- ହଉ ବୁଢ଼ୀ ତମେ ଯାଅ, ମୁଁ ଔଷଧି ଠିକ୍‌ କରିଦେବି…।
ବୁଢ଼ୀ ଏଥର ପୁଣି ସ୍ୱରହୀନ ଗଦ୍ୟ ଛାଡ଼ି ବାହୁନା ସ୍ୱର ଧରିଲେ, ଯାହା ବର୍ଣ୍ଣନା କଲେ ତା’ର ସାରମର୍ମ ହେଉଛି-ସେ ଆଉ କେତେକାଳ ଏ ଉତ୍ତାଳ ତରଙ୍ଗ ସଂକୁଳ ସଂସାର-ବାରିଧିରେ ଆଘାତ ସହ୍ୟ କରୁଥିବେ, ତାଙ୍କର ଜ୍ୟେଷ୍ଠ ପୁତ୍ର ଆନନ୍ଦଚନ୍ଦ୍ର ଯେ କି ସସ୍ତ୍ରୀକ ଶ୍ୱଶୁରାଳୟରେ ଗୃହପାଳିତ ଜାମାତା ରୂପେ ବିବାହର ଅଳ୍ପଦିନଠାରୁ ଏ ପର୍ଯ୍ୟନ୍ତ ଅବସ୍ଥାନ କରୁଛନ୍ତି, ଯେ କି ବୁଢ଼ୀର ନାମକରଣ ସୁଦ୍ଧା କରନ୍ତି ନାହିଁ। ବୁଢ଼ୀଙ୍କ ମତରେ ସେହି ପୁତ୍ର, ସେହି ବଧୂ କେବଳ ହେଉଛନ୍ତି ଏ ସଂସାର ବାରିଧିରୁ ତାଙ୍କୁ ପାରି କରିବାରେ ସୁଯୋଗ୍ୟ, ସୁଦକ୍ଷ କର୍ଣ୍ଣାଧାର…।

ଡାକ୍ତରବାବୁ ଏଥର ପୁଣି ପରୀକ୍ଷାସ୍ୱରୂପ ବୁଢ଼ୀକୁ ପଚାରିଲେ-ବୁଢ଼ୀ, ବୋହୂ ରାନ୍ଧେ କେମିତି ? ତୁମକୁ ଭଲ ଭାବରେ ଯତ୍ନ ନେଇ ଖାଇବାକୁ ଦିଏ ?

ବୁଢ଼ୀ ଏଥର ଡାକ୍ତରବାବୁଙ୍କ ଏତାଦୃଶ ସହଜ ପ୍ରଶ୍ନର ଉତ୍ତର ଦବା ପାଇଁ ଆଗ୍ରହ ସହକାରେ ବାହୁନା ସ୍ୱର ଛାଡ଼ି, ଗଦ୍ୟ ଛନ୍ଦରେ ଆରମ୍ଭ କଲେ-ଯା’କୁ ସଂକ୍ଷେପରେ କହିବାକୁ ଗଲେ-ଭାତ ଗୋଡ଼ି ସହିତ ତୁଳନା କରାଯାଇପାରେ, ଡାଲି ଯାହା କରେ, ସେଥିରେ ଗୋଟିଏ ସବ୍‌ମ୍ୟାରିନ୍‌ ଅକ୍ଳେଶରେ ଆତ୍ମଗୋପନ କରି ଜଳକ୍ରୀଡ଼ା କରିପାରେ। ତରକରୀ ଯା’ କରେ ତାହା ଘୁଷୁରିର ଅସ୍ପୃଶ୍ୟ, ସେଥିରେ ଯେଉଁ ପନିପରିବା, ମାଛ ଇତ୍ୟାଦି ପଡ଼ିଥାଏ, ସେଗୁଡ଼ିକ ପ୍ରତ୍ୟେକ ଖଣ୍ଡବିଖଣ୍ଡ ଅବସ୍ଥାରେ ଗୋଟିଏ ଲବଣାକ୍ତ ହ୍ରଦରେ ପଡ଼ି କି ଦୁର୍ଦ୍ଦଶା ଭୋଗ କରନ୍ତି, ଖାଦକର ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଜକୁ ଦେଖେଇବାରେ ପରସ୍ପର ସହିତ ପ୍ରତିଯୋଗିତା କରନ୍ତି, ଆଉ ରନ୍ଧନଶାଳାର ଅବସ୍ଥା ଗୋଟିଏ ମସାଣି ଭୁଇଁ ସହିତ ତୁଳନୀୟ, ଶେଷରେ ବୁଢ଼ୀ ବୋହୂର ଆଶୁ ନରକ ଗତିର କାମନା କରି ମନ୍ତବ୍ୟ ପ୍ରକାଶ କଲେ-ଯେ କେହି ଖାଉ କି ନ ଖାଉ, ସେ ନିଜେ ଆକଣ୍ଠ ଭୋଜନ କରି ଆଗେ ଖଟ ଉପରେ କାୟା ବିସ୍ତାର କରିଦିଏ, ବୁଢ଼ୀକୁ ସବୁ ନିଜେ କରିବାକୁ ପଡ଼େ-

ଡାକ୍ତରବାବୁ କହିଲେ- ହଉ, ତମେ ଯାଅ, ତୁମ ପୁଅକୁ ଡାକି ଦେବ…
ବୁଢ଼ୀ ଡାକ୍ତରବାବୁଙ୍କ ଏକଥା ଶୁଣି, ଡାହାଣ ହାତରେ ବାଁ ହାତକୁ ଧରି ପୁଣି ବାହୁନା ସ୍ୱରରେ ଆରମ୍ଭ କଲେ-ସେଥିରୁ ବୁଝାଗଲା- ତାଙ୍କର ଆଦୌ ଇଚ୍ଛା ନ ଥିଲା ଡାକ୍ତରବାବୁଙ୍କ ପାଖକୁ ଆସିବା ପାଇଁ, ଗାଁର ପ୍ରତିବେଶିନୀ ସମବୟସ୍କା ମାଇପିଙ୍କ ଉପଦେଶ ଏବଂ ଅନୁରୋଧ କ୍ରମେ, ସେ ଡାକ୍ତରବାବୁଙ୍କ ଦ୍ୱାରସ୍ଥ ହେଲେ। ତାଙ୍କୁ ବର୍ତ୍ତମାନ ସେହି ଯନ୍ତ୍ରଣାରେ ପୂର୍ଣ୍ଣକୁମ୍ଭ ସ୍ୱରୂପ ହାତଖଣ୍ଡିକ ନେଇ ଡାକ୍ତରଙ୍କ କତିରୁ ବାହୁଡ଼ିବାକୁ ହେଲା, ତାଙ୍କର ଯନ୍ତ୍ରଣା ଅପରିସୀମ, ଅକଥନୀୟ, ଅସହନୀୟ…।

ଡାକ୍ତରବାବୁ ପୁଣି ଥରେ ବୁଢ଼ୀକୁ ଆଉ ଗୋଟିଏ ଶେଷ ପ୍ରଶ୍ନ ଏବଂ ନୁଆ ପ୍ରଶ୍ନ ପଚାରିଲେ। ବୁଢ଼ୀ ସେ ପ୍ରଶ୍ନକୁ ଅତି ସହଜ, ସରଳ ଭାବି ପରୀକ୍ଷାବେଳେ ଜଣେ ଛାତ୍ର ଯେପରି ତା’ର ପ୍ରଶ୍ନ ମଧ୍ୟରେ ଯଦି ଗୋଟିଏ ସହଜ ପ୍ରଶ୍ନ ଦେଖେ, ତାକୁ ସେ ଯେପରି ଆଗ୍ରହ ସହକାରେ ଅନ୍ୟ ପ୍ରଶ୍ନକୁ ଛାଡ଼ି ଆଗେ ତା’ର ଉତ୍ତର ଲେଖିବା ପାଇଁ ଆରମ୍ଭ କରିଦିଏ, ବୁଢୀ ଏତେବେଳେ ଡାକ୍ତରବାବୁଙ୍କ ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ସବୁ ଯନ୍ତ୍ରଣା ପାସୋରି ପକେଇ ଆରମ୍ଭ କଲେ-ଯାହାକୁ ଅଳ୍ପରେ ଲେଖିଲେ ଜାଣିହେବ ଯେ ତାଙ୍କର ବୋହୂକୁ ଗୋଟିଏ ଖଜୁରିଗଛ ସହିତ ତୁଳନା କଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କର ଦୈହିକ ଗଠନ ହେଲା-ତାଡ଼କା, ହିଡ଼ମ୍ବା କିମ୍ବା ସୂପର୍ଣ୍ଣଖା ଶ୍ରେଣୀୟ। ତା’ର ରୂପରୁ ଆସନ୍ନ ବୈଧବ୍ୟ ଯନ୍ତ୍ରଣା ଭୋଗ ସୂଚିତ ହୁଏ, ଅର୍ଥାତ୍‌ ଉନ୍ନତ ଦଶନରାଶିକୁ ଲାଉମଞ୍ଜି ସହିତ, ଉନ୍ନତ ଢାଲୁ କପାଳକୁ ଗୋଟିଏ ଉନ୍ନତ ପାହାଡ଼ ସହିତ ତୁଳନା କରାଯାଇପାରେ। ତା’ପରେ ଦୁଇଟା ଉଜ୍ଜ୍ୱଳ କୃଷ୍ଣ ମୋଟା ଭୁରୁକୁ ପୁଣି ବାୟସ ନିନ୍ଦିତ କଣ୍ଠସ୍ୱର ତ ଅଛି। ତା’ଛଡ଼ା ପାଦ ଦୁଇଟିର ଗଠଣ, ହଳେ କଠଉ ସହିତରେ ତୁଳନୀୟ। ସେ ଇମିତି ଅଲକ୍ଷଣୀ ବୋହୂ କେବେ ଆଣି ନ ଥାନ୍ତେ, କେବଳ ଜଣେ ତାଙ୍କର ଦୂର ସମ୍ପର୍କୀୟ ଦେବର, ଯା’ର ଆୟୁଷ ଅଳ୍ପ ବୋଲି ବୁଢ଼ୀର ଦୃଢ଼ ବିଶ୍ୱାସ। ସେଇ ରଘୁଆ ବୁଢ଼ୀକୁ ଧନଲୋଭ ଦେଖେଇ ଭୁଲେଇ ଦେଲା। ଶେଷରେ ବୁଢ଼ୀ ଆକ୍ଷେପ କରି କହିଲେ-ଯେ ସେ ଧନ ଲୋଭରେ ଭୁଲିବାର ଲୋକ ନୁହଁନ୍ତି। ରଘୁଆ ତାଙ୍କୁ କ’ଣ କିମିଆ କରିଦେଲା…।

ଏତେବେଳେ ବୁଢ଼ୀର ହାତର ଯନ୍ତ୍ରଣା ପୂରାପୂରି ବିସ୍ମୃତ। ଡାକ୍ତରବାବୁ ଏଥର ବୁଢ଼ୀକୁ କହିଲେ-ହଉ ତୁମେ ଯାଅ, ମୁଁ ଗାଧୋଇବି, ଆଉ ଡେରି କଲେ ହବ ନାହିଁ, ଯାଅ, ଦିଗାକୁ କହିବ, ସେ ଯେମିତି ଅବିକା ଆସି ଡାକ୍ତରଖାନାରେ ମୋ ସହିତ ଦେଖା କରିବ…।

ବୁଢ଼ୀ ଏଥର ଠେଙ୍ଗାଟି ଧରି ନିଜ ଜାଗାରୁ ଉଠି ବାହୁନା ସ୍ୱରରେ ଆବୃତ୍ତି କରୁ କରୁ ବାହାରିଲେ, ଯା’ର ସାରାଂଶ ହେଉଛି-ତାଙ୍କର ହାତର ଯନ୍ତ୍ରଣା ସହସ୍ର ବୃଶ୍ଚିକ ଦଂଶନ ସମ, ମରଣରେ ତାଙ୍କର ଶାନ୍ତି ସୁନିଶ୍ଚିତ, ଏ ସଂସାରରେ କେହି କାହାରି ନୁହନ୍ତି। ନିଜର ପୁଅ ତ ଏ ଯନ୍ତ୍ରଣା ବୁଝିଲା ନାହିଁ, ଆଉ ଏ ଡାକ୍ତର ବାପୁଡ଼ା, ସେତ ପର ପୁଅ, ସେ କୁଆଡ଼ୁ ଏ ଯନ୍ତ୍ରଣା ବୁଝିବ ?

ଡାକ୍ତରବାବୁ ଗାଧୋଇବାକୁ ବାହାରି ବୁଢ଼ୀର ବିଦାୟ ବେଳର ବାହୁନିବା ଶୁଣି ମନେମନେ ଭାବିଲେ-ରୋଗଗ୍ରସ୍ତ ଶାଶୂମାନଙ୍କ ପକ୍ଷରେ ବୋହୂର କୁତ୍ସାରଟନା କରିବା ଗୋଟିଏ ଭଲ ସାମୟିକ ବେଦନା ନାଶକ ଔଷଧି ପରି କାମ ଦିଏ।