
ବଡିଭୋର। କଣ୍ଟା-ନଟିର ସାବଜା ପତ୍ର ପରେ ଜହ୍ନ ଆଲୁଅ ଶେତା ଦେଖାଗଲାଣି। ପଠାଣ ସାହିର ଗୋଟାଏ ଚାଳ ଉପରେ ବସି ତୋମିଜ୍ ମିଆଁର ଗଞ୍ଜାଟା ଚୁଳ ଝାଡ଼ି ଡାକ ଛାଡିଛି – ଚ-କ-ଅ-ଧ-ର-ର-ଖ-ଅ-ଅ…। ଓଦାମାଟିର ସୁରାକ ପାଇ କାନଶିରି ଗଛର ଅରମା ଭିତରୁ ଗୋଟାଏ ଝିଣ୍ଟିକା ବି ଚିଁ ଚିଁ ହୋଇ ଡାକ ପାରିଛି ତା ସାଥିରେ…।
ମାଗୁଣୀ ଖାଁ ବହାରିଲା ହଳକୁ। କାଲି ଅସରାଏ ବର୍ଷା ହୋଇ ଛାଡ଼ି ଯାଇଛି; ନୁଖୁରା ବିଲ ମାଟିରେ ଗାର ଦେବା ପାଇଁ ଉତ୍ତମ ସୁଯୋଗ। ଗାମୁଛାଟାକୁ ଭଲକରି ମୁଣ୍ଡରେ ଗୁଡ଼େଇ ଦେଇ ସେ ବାଡ଼ିପାଖ କନିଅର ଗଛରୁ ହାତ ବଢାଇ ଖଣ୍ଡେ ଡାଳ ଭାଙ୍ଗିଲା। ତା’ପରେ ବଟୁଆରୁ ଗୁଆକାତିଟା କାଢ଼ି ସେଥିରୁ ଗଣ୍ଠିପତ୍ରତକ ଭଲକରି ମାରିଦେଇ ଖଣ୍ଡେ ଦେଢ଼ହାତ ଲମ୍ବର ପାଞ୍ଚଣ ତିଆରି କଲା। ତହିଁଉତ୍ତାରୁ ମାମୁଲି ଅଭ୍ୟାସ ମୁତାବାକ ଗୋଟାଏ ଦରପାଶୋରା ହିନ୍ଦୁଆନୀ ଶଗଡ଼ିଆ ଗୀତରୁ ପଦେ ଗାଇ ଗାଇ ସେ ଜମି ଆଡ଼କୁ ମୁହାଁଇଲା।
“ରାମ ଯେ ଲଇକ୍ଷଣ ହୋ ଗଲେ ମୃଗମାରି।”
ଗାଁ ତୋଟାର ଗଛର ଗହଳ ଭିତରେ କଣ୍ଠର ଆବାଜ୍ ତାର ପ୍ରତିଧ୍ବନିତ ହୋଇ ମରିଗଲା ନିଜଛାଏଁ।
କିଛିଦୂର ଯାଇ ସେ ମୁଣ୍ଡଉପରେ ଆମ୍ବଗଛରୁ ଖଣ୍ଡେ ଡାଳ ଭାଙ୍ଗି ଦାନ୍ତକାଠି ତିଆରି କଲା ଏବଂ ଦାନ୍ତକାଠି ଖଣ୍ଡିକ ଚୋବାଇ ଚୋବାଇ ଆଗକୁ ମାଡ଼ି ଚାଲିଲା।
ଗାଁମୁଣ୍ଡରେ ଗୋଟାଏ ବଡ଼ ଅନ୍ଧାରଗଦାପରି ଯେଉଁ ଝାମ୍ପୁରା ବରଗଛଟା ଛିଡ଼ା ହୋଇଛି, ତାରି ମୂଳରେ ଗ୍ରାମଦେବତୀ ବାଉତୀ ଠାକୁରାଣୀଙ୍କର ଆସ୍ଥାନବେଦୀ। ଅଳ୍ପଦୂରରେ ମଶାଣି। କାଲିରାତିର ଗୋଟାଏ ଦରପୋଡ଼ା ମୁରୁଦାରକୁ ବୁକୁରେ ଧରି ଜୁଇ ନିଆଁ ଦୁକୁଦୁକୁ ହୋଇ ଜଳୁଛି। ହିନ୍ଦୁ ଦିଅଁ ଦେବତାଙ୍କ ଉପରେ ହଜାର ବିଶ୍ବାସ ନଥିଲେ କଣ ହେବ, ସେଇ ଗଛମୂଳରେ ପହଞ୍ଚିଲାକ୍ଷଣି ମାଗୁଣୀ ଖାଁର ଛାତିଟା କେଜାଣି କାହିଁକି ଭାରି ଜୋର୍ରେ ଦକ ଦକ ହୋଇ ପଡ଼ିବାକୁ ଲାଗିଲା। ବାଟରେ ଜନପ୍ରାଣୀର ସୋର-ଶବଦ ନାହିଁ। ଚାରିଆଡ଼େ ନିଛାଟିଆ, ଅଜ୍ଞାତସାରରେ ମାଗୁଣୀ ଖାଁର ହାତ ପାପୁଲିଟା ଡାହାଣ ପଟ ବଳଦ ଲାଙ୍ଗୁଡ଼କୁ ମୁଠେଇ ଧରିଲା।
ହଠାତ୍ ଏପରି ସମୟରେ ଦେଖାଗଲା, ସେଇ ବରଓହଳ ତଳେ ଦୁଇଟି ମଣିଷର ଛାଇ। ମାଗୁଣୀ ଖାଁର ଦିହରୁ ଗୋଟାଏ ଘମାଘୋଟିଆ ଝାଳ ନିଗିଡ଼ି ଗଲା। ପାଟି ତାର ଅଠା ଅଠା ହୋଇ ଆସିଲା। ଠିକ୍ ଏତିକିବେଳେ ତାର ମନେପଡ଼ିଗଲା ଯେ ଆଜି ଶନିବାର।
ଏ ଯାତ୍ରାରୁ ଭଲରେ ଭଲରେ ରକ୍ଷା ପାଇଲେ ଠାକୁରାଣୀଙ୍କୁ ଜାଆଁଳା କୁକୁଡ଼ା ଦେବ ବୋଲି ମନାସିଲା। ହିନ୍ଦୁ-ମୁସଲମାନ ଉଭୟ ଧର୍ମର ଶତାଧିକ ଦିଅଁ ଦେବତାଙ୍କ ନାମ ସେ ମନେ ମନେ ଉଚ୍ଚାରଣ କରିଗଲା ଏବଂ ସମସ୍ତଙ୍କୁ ନାନାରକମର ପ୍ରଲୋଭନ ଦେଖାଇ ଏ ମହାବିପଦରୁ ତାକୁ ରକ୍ଷା କରିବାପାଇଁ ଅନୁରୋଧ କଲା।
କ୍ରମେ ଛାଇ ଦୁଇଟା ଦୂରକୁ ଦୂରକୁ ଘୁଞ୍ଚିଗଲେ। ମାଗୁଣୀ ଖାଁର ବୋଧହୁଏ ଚେତା ବୁଡ଼ିଯାଇଥାନ୍ତା ଆଉ ଟିକିଏ ଯାଇଥିଲେ; କିନ୍ତୁ ଠିକ୍ ଏତିକିବେଳେ, ସେ ସେହି ଛାଇ ଦୁଇଟାର କଥାବାର୍ତ୍ତା ଶୁଣି ପାରିଲା। ଟିକିଏ ଦମ୍ଭ ଆସିଲା ତାର। ଭାବିଲା ସତରେ ମଣିଷ ହେବେ ପରା!! ସେ କାନ ଦୁଇଟାକୁ ଟେକି ଖୁବ୍ ତନ୍ମୟ ହୋଇ ଶୁଣିବାକୁ ଲାଗିଲା। ପ୍ରଥମ ଛାଇ କହୁଛି –
“କାଣି ଆଙ୍ଗୁଠିର ଦାମ୍ କେତେ?”
ଦ୍ବିତୀୟ କଣ୍ଠରୁ ଉତ୍ତର ଆସିଲା – “ଆଜ୍ଞା ଅମୂଲ ମୂଲ ହାଙ୍କୁଛି। କହୁଛି ଦେଢ଼ଶ’ ଟଙ୍କାରୁ ଗୋଟାଏ ପାହୁଲା ଉଣା ହେଲେ ସେ ଦବ ନାହିଁ।”
“ବୁଢ଼ା ଆଙ୍ଗୁଠି କେତେ ନେଲେ ଦବ?”
“ଆଜ୍ଞା, ପାଞ୍ଚଶହ।”
“ଧେତ୍!”
“ଆଜ୍ଞା, ହଁ , ହଜୁର ମା’ ବାପ, ମୁଁ କଣ ମିଛ କହୁଛି?”
“ବଡ଼ ଚଢ଼ା ଦାମ୍ ! ଦବାନବା କଥା କହ।”
“ନାଇଁ ଆଜ୍ଞା ସେ ଏକା ରେଣ୍ଟି ଧରିଛି – ଦେଢ଼ଶ’ ଟଙ୍କା ନଗଦ ନ ହେଲେ ସେ କାଣି ଆଙ୍ଗୁଠିଟି ଦବ ନାହିଁ, ମୁଣ୍ଡ ଛିଡ଼ିଗଲେ ବି ନୁହେଁ।”
ନିସ୍ତବ୍ଧତା – ଛାଇ ଦୁଇଟା ଚୁପ୍ଚାପ୍। କିଛିକ୍ଷଣ ପରେ ପ୍ରଥମ କଣ୍ଠରୁ ଉତ୍ତର ଆସିଲା –
“ଆଚ୍ଛା, ଦିଆଯିବ। ଏଇ ଆଗତୁରା କୋଡ଼ିଏ ଟଙ୍କା ନିଅ। ଗଣ, ଧର, ବାନ୍ଧ। ହଁ ସବୁକଥା ଯିମିତି ମନେ ରହେ। ବୁଝିଲୁ? ହୁସିଆର୍ !!!
ମାଗୁଣୀ ଖାଁ ଟଙ୍କା ଝଣ ଝଣ ଶବ୍ଦ ଶୁଣି ପାରିଲା। ତାପରେ ସେ ଦେଖିଲା, ଛାଇ ଦୁଇଟି ବିପରୀତ ଦିଗରେ ଅନ୍ତର୍ନିହିତ ହୋଇଗଲେ। ମାଗୁଣୀ ଖାଁ ଦଣ୍ଡେ ଥକ୍କା ହୋଇ ଛିଡ଼ା ହୋଇଗଲା। ସେ ଭାବିଲା ନିଶ୍ଚୟ ଭୂତପ୍ରେତ ହେବେ ପରା। ନୋହିଲେ କାଣି ଅନ୍ଧାରରୁ ମଣିଷ ଆଙ୍ଗୁଠି କିଣାବିକା ଲାଗନ୍ତା କିଆଁ? ବୋଧହୁଏ ମଣିଷ ଆଙ୍ଗୁଠିରେ କୂର୍ମା ତିଆରି କରି ସଇତାନ ସବୁ ଆଜି ସାଓଗାତ୍ କରିବେ ନା କଣ ? କିନ୍ତୁ ପରକ୍ଷଣରେ ତାର ମନେ ପଡ଼ିଲା – ସେ ପ୍ରଥମ ବ୍ୟକ୍ତିର କଣ୍ଠସ୍ବର ଏଥିପୂର୍ବରୁ କୋଉଠି ଯେମିତି ଶୁଣିଛି। ସେ ସ୍ଥିର ହୋଇ ଟିକିଏ ହେଜିଲା। ଅନେକ ସମୟ ପରେ ତାହାର ମନେ ପଡ଼ିଲା ଯେ, ସେ କଣ୍ଠସ୍ବର ତାଙ୍କ ଗାଁ ଜମିଦାର ବାବୁଙ୍କର। ଥରେ ଖଜଣା ଦେବାକୁ ଦୁଇଦିନ ଡେରି ହୋଇଯାଇଥିଲା ବୋଲି ଯେଉଁ କଣ୍ଠର ଆଦଶରେ ତାକୁ ଗୋଟାଏ ଅନ୍ଧାରଘରେ ବନ୍ଦ କରିଦେଇ ଲଙ୍କାମରିଚ ଧୂଆଁ ଦିଆଯାଇଥିଲା, ସେ କଣ୍ଠ କଣ ତାକୁ ଏତେ ଜଲ୍ଦି ପ୍ରତାରିତ କରିପାରେ? କିନ୍ତୁ ବ୍ୟାପାର କଣ, ସେ ଜମା କିଛି ଠଉରାଇ ପାରିଲା ନାହିଁ। ତା ମୁଣ୍ଡ ଭିତରେ ସବୁ ଗୋଳମାଳ ହୋଇଗଲା। ସେଇଠୁ ହଳ ଲେଉଟାଇ ସେ ଘରକୁ ବାହୁଡ଼ି ଅଇଲା। ତାର ଭୟ ସଂପୂର୍ଣ୍ଣରୂପେ ଛାଡ଼ି ନ ଥିଲା; ସେ ସଙ୍ଗେ ସଙ୍ଗେ ଘରେ ପହଞ୍ଚି ଜଣେ ଭଲ ଓଝାଙ୍କଠାରୁ ନିଜକୁ ଅଧିକତର ନିରାପଦ ରଖିବା ଉଦ୍ଦେଶ୍ୟରେ ଗୋଡ଼ଠୁ ମୁଣ୍ଡ ପର୍ଯ୍ୟନ୍ତ ଝଡ଼ାଇ ଆଣିଲା ଏବଂ ଗୋଟାଏ ଭଲ ଡେଉଁରିଆ ଆଣି ମଝି ହାତରେ ସେଇଦିନ ଘୋଡ଼ାବାଳରେ ବାନ୍ଧିପକାଇଲା।
ଆଜି ଗାଁରେ ଖୁବ୍ ବଡ଼ ସଭା। ଆଗରୁ ଧେଣ୍ଡୁରା ଦିଆଯାଇଥିଲା। ବକ୍ତୃତା ଦେବାପାଇଁ କଟକରୁ କେତଜଣ ସ୍ବନାମଧନ୍ୟ ଦେଶକର୍ମୀ ଆସିଛନ୍ତି। ସଭାସ୍ଥଳ ଲୋକାରଣ୍ୟ। ସଞ୍ଜ ନ ବୁଡ଼ୁଣୁ ମାଗୁଣୀ ଖାଁ ସଭାରେ ଆସି ଉପସ୍ଥିତ ହେଲା। ସମସ୍ତଙ୍କ ପଛରେ, ସେ ଯାଇ ବସିଲା ଚୁପ୍ଚାପ୍ ହୋଇ। ମୁହଁରେ ତାର ଆଗ୍ରହ ଫୁଟିଉଠୁଥିଲା।
ଗାଁରେ ଥରକୁ ଥର ବନ୍ଦୋବସ୍ତ କରି ଖଜଣା ବଢ଼ାଇବା ଫଳରେ ଗାଁ’ର ରୟତ ଓ ଚାଷୀକୂଳ କିପରି ସର୍ବସ୍ବାନ୍ତ ହେଉଛନ୍ତି ଏବଂ ନିରନ୍ନ ଜନସାଧାରଣଙ୍କର ଝାଳବୁହା ଖଟଣୀର ସୁଯୋଗନେଇ ଦଳେ ମୁଷ୍ଟିମେୟ ଜମିଦାର କିପରି ପୁଞ୍ଜି ମୁଠି ମୁଠି କରୁଛନ୍ତି, ତାର ସବିଶେଷ ବର୍ଣ୍ଣନା କରି ସରକାରଙ୍କଠାରେ ପ୍ରଜାକୂଳଙ୍କ ଆପତ୍ତି ଜଣାଇବା ହିଁ ଆଜି ଏ ସଭାର ମୁଖ୍ୟ ଉଦ୍ଦେଶ୍ୟ। ଗାଁ ଜମିଦାରଙ୍କର ଅମାନୁଷିକ ଅତ୍ୟାଚାର ଓ ଶୋଷଣ ନୀତିର ପ୍ରତିବାଦ କରିବାପାଇଁ ଏ ବିରାଟ ଜନସଭା ଆହୂତ ହୋଇଛି।
ଘନ ଘନ କରତାଳି ମଧ୍ୟରେ ସଭାକାର୍ଯ୍ୟ ଆରମ୍ଭ ହେଲା। ଚାରିଆଡ଼େ ସୁତୀବ୍ର ଉତ୍ତେଜନା। ଜନତା ଆଖିରେ ଆଜି ଶ୍ରେଣୀ-ଚୈତନ୍ୟର ପ୍ରଥମ ସୂଚନା ପ୍ରତିଭାତ ହେଉଛି। ଆଲୋକର ଆଜି ନୂତନ ସଙ୍କେତ।
“ଶୁଣ ଭାଇମାନେ, ଶୁଣ ନିରନ୍ନ, ନିଃଶୋଷିତ କୃଷକକୂଳ, ଆଜି ଆମର ସର୍ବସ୍ବ ଲେହନ କରି ପୁଞ୍ଜିବାଦର ନିଷ୍ଠୁର ଜିହ୍ବା ଅଗ୍ରସର ହେଉଛି। ନିଜ ଦେହରେ ହାଡ଼ ଓ ମାଉଁଶ ଛଡ଼ା ଆଜି ଆମର ନିଜର ବୋଲି ଦାବୀ କରିବାର ଜିନିଷ ସାରା ପୃଥିବୀରେ କିଛି ନାହିଁ। ଆମର ସବୁ ଯାଇଛି, ଅଛି କେବଳ ଭଙ୍ଗା – ଦଦରା ଜୀବନ। ଆହୁରି ଅଛି ଗୋଟାଏ ରୁଗ୍ଣ, ମୁମୂର୍ଷୁ ଏବଂ ଜୀଣ୍ଣ ଦଳିତ ଅସ୍ତିତ୍ବ। ଭାଇ ସର୍ବହରା, ଏକଜୁଟ ହୁଅ; ଏହି ଅମାନୁଷିକ ଶୋଷଣର ପ୍ରତିଶୋଧ ନିଅ – ”
ବକ୍ତୃତା ଚାଲିଲା, ଠିକ୍ ଯେପରି ଝଡ଼ର ଶିଙ୍ଗା। ଜନତାର ସମୁଦ୍ର, ବିହ୍ବଳିତ ହୋଇ ଉଠିଲା। ସ୍ପନ୍ଦନ ! “ଜାଗ, ଜାଗ ମଣିଷ ଭାଇ, ତମର ସମସ୍ତ ହତିଆର ଏକତ୍ର କର, ଏକତ୍ର ହୁଅ। ମନେରଖ ନିଜକୁ ଶୋଷିତ ହେବାକୁ ଦେବା ସବୁଠାରୁ ବଡ଼ ପାପ। ସେ ପାପର ଅଭିଶାପରେ ମଣିଷ ଜାତି ପଙ୍ଗୁ ହୋଇଯିବ।”…
ଜନତା ପ୍ରତ୍ୟୁତ୍ତର ଦେଲା – “ଶୋଷଣବାଦ ଲୋପ ହେଉ, ପୁଞ୍ଜିବାଦ ଲୋପ ପାଉ।”
ପୁଣି ବକ୍ତୃତା ଚାଲିଲା – “ଉଠ ରୟତ ଭାଇ, ତମର ହାଡ଼ଭଙ୍ଗା ପରିଶ୍ରମ ଫଳରେ ଯେଉଁ ପଡ଼ିଆ ଭୂଇଁ ଶସ୍ୟଶ୍ୟାମଳା ଭୂମିରେ ପରିଣତ ହେଲା, ତାର ସ୍ବତ୍ବ ଆଜି ଜମିଦାର ତମଠାରୁ ହରଣ କରିନେଇଛି। ତମେ ତମର ହକ୍ ଦାବି ବୁଝ। ତାକୁ ଆଦାୟ କରିବା ପାଇଁ ପ୍ରାଣପଣ କରି ଚେଇଁ ଉଠ। ଅଗ୍ରସର ହୁଅ। ଗାଁରେ ରୟତ ସଙ୍ଘ ଗଢ଼।”
ଜନତାର ବିରାଟ ସାଗର ମଝିରୁ ପ୍ରତିଧ୍ବନୀ ଶୁଣାଗଲା – “ଜମିଦାରୀ ପ୍ରଥା ଧ୍ବଂସ ହେଉ, ରୟତ ଜାତିର ଜୟ ହେଉ।”
ଠିକ୍ ଏହିପରି ସମୟରେ ସଭା ମଝିରେ ଜଣେ ଶୀର୍ଣ୍ଣକାୟ ଲୋକ ଛିଡ଼ା ହେବାର ଦେଖାଗଲା। ସେ ସମସ୍ତଙ୍କୁ ନମସ୍କାର କରି ଜଣାଇଲା –
“ଭାଇମାନେ, ଆମ୍ଭେମାନେ ସମସ୍ତେ ମୂର୍ଖ। ଟିକିଏ ଗରମ କଥାରେ ଭାସିଯିବା ଆମ ପକ୍ଷରେ ସ୍ବାଭାବିକ, କିନ୍ତୁ ଭାଇ ଅନ୍ୟଦ୍ବାରା ନିଜକୁ ପ୍ରତାରିତ ହେବାକୁ ଦେବା ଉଚିତ ନୁହେଁ। ଆମର ପୂର୍ବପୁରୁଷମାନଙ୍କର ଚିନ୍ତନ ପଥରୁ ବିଚ୍ୟୁତ ହୁଅ ନାହିଁ। ‘ମହାଜନୋ ଯେନ ଗତ୍ବା ସଃ ପନ୍ଥା।’ ଭାଇ ଏ କଅଁଳ କୁହାଙ୍କ କଥାରେ ନିଜର ବାଟଭୂଲ ନାହିଁ। ଭାଇ, ରାଜା, ଜମିଦାର ଏମାନେ ଭଗବାନଙ୍କ ଭିଆଣ। ତାଙ୍କୁ ଦୂର କରିଦେବା ମଣିଷ ହାତର କଥା ନୁହେଁ। ତାଙ୍କୁ ସମ୍ମାନ ଦେଖାଇବା ହିଁ ମଣିଷଜାତିର କର୍ତ୍ତବ୍ୟ। ଏମାନେ ଯେଉଁ ରୟତ ସଙ୍ଘ ଗଢ଼ିବା କଥା ଇଲାଗେ କହିଲେ, ତାର ଭିତିରି ଉଦ୍ଦେଶ୍ୟ କ’ଣ ଜାଣ ? ତାର ଉଦ୍ଦେଶ୍ୟ ହେଉଛି ତୁମଠାରୁ ଚାନ୍ଦା ଅସୁଲ କରି ଆତ୍ମସାତ୍ କରିବା…।”
ଜନତା ଆଖିରେ ସନ୍ଦେହ ଦେଖାଗଲା। ସେମାନେ ଜିଜ୍ଞାସୁ ଦୃଷ୍ଟିରେ ପରସ୍ପର ଆଡକୁ ଅନାଇଲେ। ଜଣେ ଦୁଇଜଣ ମଧ୍ୟ ବକ୍ତୃତାକାରୀଙ୍କୁ ସମର୍ଥନ ସୂଚକ ଶବ୍ଦ ପ୍ରକାଶ କରି ଉତ୍ସାହିତ କଲେ – “ହଁ ଠିକ୍ ଠିକ୍ ।”
ବକ୍ତୃତାକାରୀ ପୂର୍ବାପେକ୍ଷା ଅଧିକତର ଉଚ୍ଚସ୍ବରରେ ଏଥର ଆରମ୍ଭ କଲା – “ଭାଇମାନେ, କମିଦାର ନ ଥିଲେ ଆଜି ଆମର ମାନ୍ ଇଜ୍ଜତ, ଧନ ସମ୍ପତ୍ତି ସବୁ ଚୋରତସ୍କରଙ୍କ ଦ୍ବାରା ଅବଲୁଣ୍ଠିତ ହେଉଥାନ୍ତା। ଭାଇ, ସେ ଆମର ପ୍ରକୃତ ରକ୍ଷକ। ତାଙ୍କର ସୁଶାସନର ପ୍ରତିଦାନ ସ୍ବରୂପ ଆମେ ଯେଉଁ ଯତ୍କିଞ୍ଚିତ ଖଜଣା ଦେଉଥାଇଁ ତାହା ଆମର ସାମାନ୍ୟ କୃତଜ୍ଞତାର ଚିହ୍ନ ସିନା !”
ଜନତା ଅନୁମୋଦନ ସ୍ବରରେ କହି ଉଠିଲା -“ଠିକ୍ କଥା ! ଠିକ୍ କଥା !”
ବକ୍ତୃତାକାରୀ ଆନନ୍ଦିତ ହୋଇ ପୁଣି କହିଲେ – “ ଭାଇ, ଏହି କଅଁଳ କୁହା ରୟତସଙ୍ଘବାଲାଙ୍କୁ ବିଶ୍ବାସ କଲେ ମହାବିପଦରେ ପଡିବ। ମୁଁ ଏମାନଙ୍କ ସହିତ ଅନେକ ଦିନ ଏକତ୍ର କାମ କରିଥିଲି, ମାତ୍ର ଏମାନଙ୍କ ସଦୁଦ୍ଦେଶ୍ୟରେ ସନ୍ଦିହାନ ହୋଇ ମୁଁ ଅଗତ୍ୟା ସେମାନଙ୍କର ସଂସର୍ଗ ତ୍ୟାଗ କରିବାକୁ ବାଧ୍ୟ ହେଲି। ତମେ ଯଦି ଏମାନଙ୍କ କଥା ଶୁଣିବ ତେବେ ଭଗବାନଙ୍କଠାରେ ଦ୍ରୋହୀ ହେବ। କାରଣ ଭଗବାନଙ୍କ ଅଂଶରୁ ରାଜାଙ୍କର ଜନ୍ମ। ଆମ ଗ୍ରାମ ଦେବତୀ ବାଉତୀ ଠାକୁରାଣୀ ମଧ୍ୟ ଆମ୍ଭମାନଙ୍କୁ ଅଭିଶାପ ଦେବେ। ଗାଁରେ ନାନା ବିତ୍ପାତ୍ ପଡ଼ିବ। ତମମାନଙ୍କର ବୋଧହୁଏ ସ୍ମରଣ ଥିବ, ଏମାନେ ଠାକୁରାଣୀଙ୍କ ଠାରେ ଗଲାବର୍ଷ ବୋଦା ପକାଇଲା ବେଳେ ନାନା ବିଘ୍ନ ଘଟାଇଥିଲେ; ପିକେଟିଂ କରିଥିଲେ…। ଏମାନଙ୍କର ଭୂତପୂର୍ବ ସହକର୍ମୀ ଭାବରେ ମୁଁ ପୂର୍ବେ ଯେଉଁ ପାପ କରିଛି, ତାର ପ୍ରାୟଶ୍ଚିତ ମୁଁ ବର୍ତ୍ତମାନ ଆପଣମାନଙ୍କ ସମ୍ମୁଖରେ କରିବି, ଅପେକ୍ଷା କରନ୍ତୁ।”
ଆବାଳବୃଦ୍ଧବନିତା ସମସ୍ତେ ସମସ୍ବରରେ କହିଉଠିଲେ – “ଠାକୁରାଣୀ ଏ ଧର୍ମଛଡ଼ାଗୁଡାଙ୍କୁ ଖାଇଯିବେ, ଖାଇଯିବେ…”
ବକ୍ତୃତା ପୁଣି ହେଲା – “ଏମାନେ ଠାକୁରାଣୀଙ୍କ ଶତ୍ରୁ। କାଲି ମୋତେ ବାଉତୀ ଠାକୁରାଣୀ ସ୍ବପ୍ନରେ କହିଲ, ଗାଁବାଲାଙ୍କୁ ହୁସିଆର୍ କରିଦିଅ, ଏମାନଙ୍କୁ ଦୂର୍ ଦୂର୍ ମାର୍ ମାର୍ କରନ୍ତୁ। ନୋହିଲେ ଏ ବର୍ଷ ଘରପୋଡ଼ି ହେବ…..ଝାଡାବାନ୍ତି ହେବ। ମୋ ସାନଭଉଣୀ ବସନ୍ତେଇ ମଧ୍ୟ ବ୍ୟାପିଯିବ। ମୋ ମଝିଆ ଭଉଣୀ ହାଡ଼ଫୁଟି ମଧ୍ୟ ଆସିବ….।’
ସଭାଲୋକେ ଭୟରେ କମ୍ପି ଉଠିଲେ। ସମସ୍ତଙ୍କ ପାଟିରୁ ଶବ୍ଦ ହେଲା – ‘‘ତଡ଼; ତଡ଼; ଏମାନଙ୍କୁ ଏଠାରୁ ତଡ଼-’’
ବକ୍ତୃତାକାରୀ ପକେଟରୁ ଗୋଟାଏ ଲମ୍ବା ଛୁରି ବାହାର କଲେ। ଲଂଠନ ଆଲୁଅରେ ଛୁରିର ତୀକ୍ଷ୍ଣ ଧାର ଚକ୍ ଚକ୍ ହୋଇ ଉଠିଲା। ସେ ସମସ୍ତଙ୍କୁ ଛୁରିଟା ଦେଖାଇ କହିଲେ –
‘‘ତମେମାନେ ମୋତେ ଅବିଶ୍ୱାସ କରିପାର; କିନ୍ତୁ ଭାଇ; ଦେଖ ମୋ କଥାର ସତ୍ୟତା ପ୍ରମାଣ କରିବା ପାଇଁ ମୁଁ ବର୍ତ୍ତମାନ ତମ ସାମନାରେ ମୋ କାଣି ଆଙ୍ଗୁଠିଟା ମୂଳରୁ କାଟି ଦେବି। ମୋ ରକ୍ତ ହିଁ ମୋ କଥାର ଏକମାତ୍ର ସାକ୍ଷୀ।’’
ସେ ଛୁରିର ଧାରକୁ ଟିକିଏ ପରୀକ୍ଷା କଲେ; ତାପରେ ବାଉତୀ ଠାକୁରାଣୀଙ୍କୁ ପ୍ରଣିପାତ କରି ନିଜର କାଣି ଆଙ୍ଗୁଠିଟା ଦୁଇଫାଳ କରି କାଟି ପକାଇଲେ। ଆଙ୍ଗୁଠିର ଅଗ୍ରଭାଗ ଛିଣ୍ଡିଯାଇ ଠାକୁରାଣୀଙ୍କ ବେଦୀ ମୂଳରେ ପଡ଼ିଲା। ରକ୍ତ ଛିଟିକି ଚାରିଆଡ଼େ ନାଲ ହୋଇଗଲା। ସଭା ଲୋକେ ବିସ୍ମିତ ହୋଇଗଲେ। ସମସ୍ତଙ୍କ ଦେହ ଶୀତେଇ ଉଠିଲା। ସ୍ତ୍ରୀଲୋକମାନେ ଆଖିରୁ ଲୁହ ଗଡ଼ାଇ ପକାଇଲେ। ପିଲାମାନେ ଭୟରେ କାନ୍ଦି ଉଠିଲେ। ସମସ୍ତେ ଭାବିଲେ – ଲୋକଟା ପ୍ରକୃତରେ ସଚ୍ଚା। ତାର ଆତ୍ମବଳି ହିଁ ତାର ଅନ୍ତରର ନିର୍ମଳତା ପ୍ରମାଣ କରୁଚି।
ସମସ୍ତଙ୍କ ରାଗ ଯାଇ ପଡ଼ିଲା ସେଇ କେତେଜଣ କୃଷକ କର୍ମୀମାନଙ୍କ ଉପରେ। ଏଇମାନେ ହିଁ ସବୁ ଅନିଷ୍ଟର ମୂଳ। କ୍ରୁଦ୍ଧ ଜନତା ସେହି ଅସହାୟ କର୍ମୀମାନଙ୍କୁ ଆକ୍ରମଣ କଲା – ‘‘ ଧର୍ମଦ୍ରୋହୀ, ରାଜଦ୍ରୋହୀ, ଦେଶଦ୍ରୋହୀଗଣ-’’
ଏହି ସମୟରେ ଦୂରରେ ଜମିଦାରଙ୍କ ସୌମ୍ୟମୂର୍ତ୍ତି ଦେଖାଗଲା। ତାଙ୍କ ମୁହଁରେ କୁତ୍ରିମ ହାସ୍ୟ। ସେ ସମସ୍ତଙ୍କୁ ନିରସ୍ତ କରି କହିଲେ –
‘‘ମୋର ପ୍ରିୟ ପ୍ରଜାବୃନ୍ଦ, କ୍ଷମାହିଁ ମନୁଷ୍ୟର ପ୍ରଧାନ ଧର୍ମ। ଶତ୍ରୁକୁ ମଧ୍ୟ କାୟମନୋବାକ୍ୟରେ କ୍ଷମା କରିବା ପାଇଁ ଭଗବାନ ବୁଦ୍ଧଦେବ ଓ ଯିଶୁଖ୍ରୀଷ୍ଠ ପ୍ରଭୃତି ମୁକ୍ତ କଣ୍ଠରେ ଉପଦେଶ ଦେଇ ଯାଇଛନ୍ତି। ଭାଇମାନେ ଏମାନଙ୍କୁ ଛାଡ଼ି ଦିଅ, ଏମାନେ ଆମର ଅତିଥି – ଏମାନଙ୍କୁ ପ୍ରହାର ନ କର – ’’
କ୍ରୁଦ୍ଧ ଜନତା ଜମିଦାରଙ୍କ ଉଦାରତା ଓ ମହାନୁଭର ପରିଚୟ ପାଇ ଆଚମ୍ବିତ ହୋଇଗଲା।
ତତ୍ପରେ ଜମିଦାର ସାଆନ୍ତେ ସମସ୍ତଙ୍କୁ ସମ୍ବୋଧନ କରି ଶାନ୍ତ କଣ୍ଠରେ କହିଲେ –
‘‘ଭାଇମାନେ ବାଉତୀ ଠାକୁରାଣୀଙ୍କ ଦୟାକୁ ଶତ ଶତ ଧନ୍ୟବାଦ। ସେ ଆମ୍ଭମାନଙ୍କର ମଧ୍ୟକୁ ଶୁଭବୁଦ୍ଧି ପ୍ରେରଣ କରିଅଛନ୍ତି। ଚାଲ ଆମ୍ଭେମାନେ ସମସ୍ତେ ତାଙ୍କ ନିକଟରେ ଜାନୁପାତପୂର୍ବକ କୃତଜ୍ଞତା ଜଣାଇବା।’’
ସେ ଆଣ୍ଠୁମାଡ଼ି ଅଶ୍ରୁ ବିଗଳିତ ନୟନରେ ଠାକୁରାଣୀଙ୍କ ବିଜେ – ପ୍ରତିମା ଉଦ୍ଦେଶ୍ୟରେ ନମସ୍କାର କଲେ। ଉପସ୍ଥିତ ସମସ୍ତେ ତାଙ୍କୁ ଧନ୍ୟବାଦ ଦେଇ ତାଙ୍କର ଅନୁକରଣ କଲେ।
ତା’ ପରେ ଜମିଦାର ସାଆନ୍ତେ ସମସ୍ତଙ୍କୁ ଆଶ୍ୱାସନ ଦେଉ ଦେଉ କହିଲେ, ‘‘ ଏହି ରାଜଦ୍ରୋହୀମାନଙ୍କ ଉପରେ କୌଣସି ପ୍ରକାର ଅତ୍ୟାଚାର କରିବାର ଅଧିକାର ଆମ୍ଭମାନଙ୍କର ନାହିଁ। ସେଥିପାଇଁ ଉପରେ ଭଗବାନ ଓ ତଳେ ସରକାର ବାହାଦୂରଙ୍କ ନ୍ୟାୟାଧିକରଣ ରହିଛି। ମୁଁ ସେମାନଙ୍କୁ ସସମ୍ମାନେ ପୁଲିସ ଦ୍ୱାରା ସହରରେ ଥିବା ମାଜିଷ୍ଟ୍ରେଟ୍ ସାହେବଙ୍କ ଇଜଲାସକୁ ପ୍ରେରଣ କରିବାର ବନ୍ଦୋବସ୍ତ କରୁଛି। ବ୍ୟକ୍ତିଗତ ଭାବରେ ସେମାନେ ଆମର ଅତିଥି। ସେଥିପାଇଁ ଭଦ୍ରୋଚିତ ବ୍ୟବହାର ପାଇବାର ଯୋଗ୍ୟ। ହଁ; ଆଉ ଗୋଟିଏ କଥା – ମୁଁ ଏ ବର୍ଷ ଗ୍ରାମର ମଙ୍ଗଳ ପାଇଁ ଖଜଣାର ଏକ ଚତୁର୍ଥାଂଶ ବ୍ୟୟ କରି ମା’ ବାଉତୀଙ୍କ ଆସ୍ଥାନ ଉପରେ ଏକ ବିରାଟ ମନ୍ଦିର ତୋଳାଇବାକୁ ଆପଣମାନଙ୍କ ସମ୍ମୁଖରେ ପ୍ରତିଶ୍ରୁତି ଦେଉଛି। ଆଶାକରେ; ଆପଣଙ୍କ ସାହାଯ୍ୟ ଓ ସହାନୁଭୂତି ପାଇଲେ ମୋର ଏହି ଅଭିଳାଷ ଅପୂର୍ଣ୍ଣ ରହିବ ନାହିଁ ।- ’’
ସେ ସମସ୍ତଙ୍କୁ ନମସ୍କାର କରି ନିଜ ମଟରରେ ଚଢ଼ି ବାହାରିଗଲେ। ସଭାର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଉଦାରତା; ସରଳତା ଏବଂ ଦୟାଶୀଳତା ପ୍ରଭୃତି ଦେବଦୂର୍ଲଭ ସଦ୍ଗୁଣମାନଙ୍କର ଭୂୟସୀ ପ୍ରଶଂସା କରିବାକୁ ଲାଗିଲେ। ଚାରିଆଡ଼େ ଧନ୍ୟଧନ୍ୟ ପଡ଼ିଲା। ମାଗୁଣି ଖାଁ ସଭାରେ ସମସ୍ତଙ୍କ ପଛରେ ବସି ସବୁକଥା ଦେଖୁଥିଲା। ସକାଳର କଥା ମନେ ପକାଇ ତାର ସମୁଦାୟ ଅନ୍ତରଟା ଜମିଦାରଙ୍କ ବିରୁଦ୍ଧରେ ବିଦ୍ରୋହୀ ହୋଇ ଉଠିଲା। ସେ ବହୁ କଷ୍ଟରେ ଆତ୍ମସମ୍ବରଣ କରି କାହାକୁ କିଛି ନ କହି ସେଠାରୁ ବାହାରିଗଲା।