ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଗାଳ୍ପିକା ଓ ଅନୁବାଦିକା ଅଳକା ଚାନ୍ଦଙ୍କ ସହ ସାକ୍ଷାତକାର

ଲେଖିକା ଅଳକା ଚାନ୍ଦଙ୍କ ସୃଷ୍ଟି ସମ୍ଭାର

ଗଳ୍ପ ସଙ୍କଳନ:ଧୁମାଳ(୧୯୭୭), କହଇ ମନ ଆରେ(୧୯୮୯), ମୁଁ ନୁହେଁ କମଳେଶ୍‌ କହୁଛି(୧୯୮୯), ସେତୁର ନାମ କାଜ୍‌ରୀ(୧୯୯୬), ସ୍ଥିର ନକ୍ଷତ୍ର(୨୦୦୦), ଭାରତ ଫେରୁଛି(୨୦୦୨), ଶାଶୁ ଘର ଗାଁ(୨୦୦୪), ଡାକଘର ଓ ଜହ୍ନ(୨୦୦୮), ନିଃସର୍ତ୍ତ ସମ୍ପର୍କ(୨୦୧୦)

ଉପନ୍ୟାସ:ସାଆନ୍ତେ ଥିଲେ ବୋଲି (୧୯୯୦), ଡାଲିମ୍‌ ବୋଲି ଝିଅଟିଏ(୨୦୦୧)

ଅନୁବାଦ:ମାନବ ଭୂମି -୨୦୦୨ (ଶୀର୍ଷେନ୍ଦୁ ମୁଖୋପାଧ୍ୟାୟଙ୍କ ମାନବ ଜମିନ୍‌), ଅନୁଭବ-୨୦୦୬ (ଦ୍ବିବେନ୍ଦୁ ପାଲିତଙ୍କ ଅନୁଭବ), ମୈମନ ସିଂ ଗୀତିକା, କନକ ଲତା (ସୁନୀଲ ଗଙ୍ଗୋପାଧ୍ୟାୟଙ୍କ ମୂଳ ଲେଖା)

ପ୍ରବନ୍ଧ ସଙ୍କଳନ:ଆରଣ୍ୟକର ଇତିବୃତ(ସମ୍ପାଦନା)
ଏହା ବ୍ୟତୀତ ଲେଖିକା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ବାରା ପ୍ରକାଶିତ ଏବଂ ନିଜର କେତେକ କୃତିକୁ ମଧ୍ୟ ଅନ୍ୟ ଭାଷାରେ ଅନୁବାଦ କରିଛନ୍ତି।

ପୁରସ୍କାର ଓ ସମ୍ମାନ:ଓଡ଼ିଶା ସାହିତ୍ୟ ଏକାଡ଼େମୀ (୨୦୦୨) ଏବଂ ଅନ୍ୟାନ୍ୟ ଅନେକ ପୁରସ୍କାର ଓ ସମ୍ମାନ

୧) ଆପଣଙ୍କ ରଚିତ ପ୍ରଥମ କ୍ଷୁଦ୍ରଗଳ୍ପ କେଉଁଟି? ତାହା ପ୍ରକାଶ ପାଇବା ପରେ କଣ ଆପଣଙ୍କ ଅନୁଭବ ଥିଲା?

ଉ-“ଶବ୍ଦ ତରଙ୍ଗ” ମୋର ପ୍ରଥମ ଗଳ୍ପ। ଏହା ଝଙ୍କାରରେ ୧୯୭୧ ମସିହାରେ ଯେଉଁଦିନ ପ୍ରକାଶ ପାଇଲା ସେହିଦିନ ମୁଁ ଖୁବ୍‌ ଆନନ୍ଦିତ ହୋଇଥିଲି। ପାଠକମାନେ ଯେ ମୋତେ ଗ୍ରହଣ କରିବେ ଏଇ ସ୍ବପ୍ନ ମୋରି ଭିତରେ ତିଆରି ହୋଇଥିଲା। ବିଶେଷ କରି ହରେକୃଷ୍ଣ ମହତାବଙ୍କ ଉପରେ ମୁଁ ବେଶି ଖୁସି ହୋଇ ଯାଇଥିଲି। ପରେ ତାଙ୍କ ସହ ସାକ୍ଷାତ୍‌ ହେବାରୁ ମୁଁ ତାଙ୍କର ଆଶୀର୍ବାଦ ଭିକ୍ଷା କରିଥିଲି।

୨) “ଧୂମାଳ” କ୍ଷୁଦ୍ରଗଳ୍ପ ସଙ୍କଳନରୁ ଆପଣଙ୍କର ଓଡ଼ିଆ ଗଳ୍ପ ସାହିତ୍ୟରେ ପ୍ରବେଶ। “ଧୂମାଳ” କ୍ଷୁଦ୍ରଗଳ୍ପ ସଙ୍କଳନ ସମ୍ପର୍କରେ ଆପଣ ଅଭିମତ ପ୍ରଦାନ କରନ୍ତୁ?

ଉ-ତା”ପରେ ମୋର ଅନେକ ଗଳ୍ପ “ଝଙ୍କାର”, “ନବଲିପି” ଓ ଇତ୍ୟାଦି ବହୁ ପ୍ରତିଷ୍ଠିତ ପତ୍ରିକାର ପ୍ରକାଶ ପାଇଲା। ଫ୍ରେଣ୍ଡସ୍ ପବ୍ଲିଶର୍ସର ମୁଖ୍ୟ ସହଦେବ ପ୍ରଧାନ ସ୍କୁଲମାନଙ୍କୁ ବହି ଯୋଗାଇବା ପାଇଁ ରାଉରକେଲା ଆସିଥାନ୍ତି। ସେତେବେଳେ ମୁଁ ଶିକ୍ଷକତା ପେଶାରେ ଚାକିରି କରୁଥାଏ। ମୋର ସ୍ବାମୀ ଇସ୍ପାତ ଜେନେରାଲ ହସ୍ପିଟାଲ୍‌ରେ ଡାକ୍ତର ଥାଆନ୍ତି। ସେହି ସମୟରେ ମୋର ଭେଟ ହୁଏ ସହଦେବ ପ୍ରଧାନଙ୍କ ସହିତ। ତାଙ୍କୁ ମୁଁ ଅନୁରୋଧ କଲି ଏବଂ ସେ “ଧୁମାଳ”କୁ ପ୍ରକାଶିତ କରିବାର ଦାୟିତ୍ବ ନେଲେ ଓ ପ୍ରକାଶ କଲେ। ତା’ପରେ ଦ୍ବିତୀୟ ସଙ୍କଳନ “କହଇ ମନ ଆରେ” ପ୍ରକାଶ କଲେ। ସହଦେବ ବାବୁ ମୋ ଉପରେ ଟିକିଏ ଆନନ୍ଦିତ ହେବାରୁ ମୁଁ ଅଧିକ ଉତ୍ସାହିତ ହେଲି। କ୍ରମାଗତ ଭାବରେ ସେ ମୋର ୭ ଖଣ୍ଡ କ୍ଷୁଦ୍ରଗଳ୍ପ ସଙ୍କଳନ ଏବଂ “ସାଆନ୍ତେ ଥିଲେ ବୋଲି” ଉପନ୍ୟାସକୁ ୧୯୯୦ ମସିହାରେ ପ୍ରକାଶ କଲେ। ପ୍ରକାଶକ ଭାବେ ମୋର ତାଙ୍କ ପ୍ରତି ଗଭୀର କୃତଜ୍ଞତା ରହିଛି। ସାହିତ୍ୟ କ୍ଷେତ୍ରରେ ବଢ଼ିବା ପାଇଁ ସେ ମୋତେ ପ୍ରୋତ୍ସାହନ ଦେଇଛନ୍ତି। ଏତେ ଦୂରରେ ଥାଇ ମଧ୍ୟ ଆଗକୁ ବଢ଼େଇ ନେବାରେ ତାଙ୍କର ସହଯୋଗ ଭୁଲିବାର ନାହିଁ।

୩) “ଶାଶୂଘର ଗାଁ” କ୍ଷୁଦ୍ରଗଳ୍ପ ସଙ୍କଳନ ସମ୍ପର୍କରେ ଅଭିମତ ପ୍ରକାଶ କରନ୍ତୁ?

ଉ- ଜଣେ ବୁଢ଼ୀ ତା ଶାଶୂଘରକୁ କେତେ ଭଲ ପାଏ ସେହି କଥାବସ୍ତୁ ଉପରେ “ଶାଶୂଘର ଗାଁ” ସଙ୍କଳନ ଆଧାରିତ। ଗାଁ ଛାଡି ଜଣେ ବର୍ଷିୟାନ ବୁଢ଼ୀ ନିଜ ଝିଅ ଘରେ ରହିଛି। ସବୁ ପ୍ରକାର ସ୍ନେହ, ଯତ୍ନ ସତ୍ତ୍ବେବି ତାରି ପରିପୂର୍ଣ୍ଣତା ଆସୁନାହିଁ। ଗାଁରେ ଛାଡ଼ି ଆସିଥିବା ଉଇଖିଆ ଶାଶୂଘରକୁ ସେ ଜମା ଭୁଲିପାରୁନାହିଁ। ଯଥେଷ୍ଟ ଯତ୍ନ ଓ ସହରର ସମସ୍ତ ଆଧୁନିକ ବ୍ୟବସ୍ଥା ତା ମନକୁ ବାନ୍ଧି ପାରୁନାହିଁ। ସେ ଅସୁସ୍ଥତା ହେତୁ ଇସ୍ପାତ ଜେନେରାଲ୍‌ ହସ୍ପିଟାଲରେ ଭର୍ତ୍ତି ହୁଏ। କିନ୍ତୁ ଯେତେବେଳେ ସେ ପଦାକୁ ବାହାରି ଆସେ ସେତେବେଳେ ତା‘ର ମନେ ପଡ଼େ ଗାଁର ପବିତ୍ର ମାଟି, ତା’ ଜୀବନର ଗଙ୍ଗା ତା ବାଡ଼ି ପୋଖରୀ ଓ ଗାଁ ପବନ, ଏ ସମସ୍ତ ତା ପ୍ରାଣରେ ଝଙ୍କୃତ ହୁଏ। ସେ ଅନୁନୟ କରେ ଶାଶୂଘରକୁ ଫେରିଯିବାକୁ। ଏଇ କଥାବସ୍ତୁ ଉପରେ “ଶାଶୂଘର ଗାଁ” ଗଳ୍ପ ଲିଖିତ।

୪) ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି?

ଉ- ଆଜିର କେତେକ ଓଡ଼ିଆ କ୍ଷୁଦ୍ରଗଳ୍ପ ଶକ୍ତିଶାଳୀ। କିନ୍ତୁ ଅଧିକାଂଶ ଗଳ୍ପ ନିଷ୍ପ୍ରାଣ, ଗତିବିହୀନ ବା ଜୀବନ ସହିତ ସମ୍ପର୍କ ନଥିବା ପ୍ଲଟ୍‌ ଉପରେ ଆଧାରିତ ନକାରାତ୍ମକ ଗଳ୍ପ। କହିବାକୁ ଗଲେ ନକାରାତ୍ମକ ଭାବ ପୋଷଣ କରୁଥିବା ଯାହା ଗଳ୍ପ ପାଠକଙ୍କୁ ସ୍ପନ୍ଦିତ କରେ ନାହିଁ। ଯେପରି ଫକୀର ମୋହନ, ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ, ଶାନ୍ତନୁ ଆଚାର୍ଯ୍ୟ, ବୀଣାପାଣି ମହାନ୍ତି ଏଇ ମାନଙ୍କୁ ପଢ଼ିଲେ ମନେ ହୁଏ, ଏ ଚରିତ୍ର ସବୁ ଆମ ଗାଁର, ଆମ ଓଡ଼ିଶାର, ଆମ ମାଟି ପବନର ବା ଆମ ପରିବାରର ସ୍ବାଭାବିକ କଥା। ସେମାନଙ୍କ ସାହିତ୍ୟ କାଳଜୟୀ। ଗଳ୍ପର ମନସ୍ତାତ୍ତ୍ବିକ ଦିଗଟି ଏଇମାନଙ୍କ କଥାରେ ଯଥେଷ୍ଟ ପ୍ରଭାବଶାଳୀ।

୫) ପ୍ରଥମେ ଗଳ୍ପ ରଚନା କରିବା ପାଇଁ ଆପଣ କାହାଠାରୁ ପ୍ରେରଣା ଲାଭ କରିଥିଲେ?

ଉ- ପ୍ରକୃତରେ ମୁଁ ଜଣେ ସଙ୍ଗୀତ ଶିଳ୍ପୀ। ରାଉରକେଲା ଆସିବା ପର୍ଯ୍ୟନ୍ତ ମୁଁ ଗାଉଥିଲି ଓ କବିତା ଲେଖୁଥିଲି। ମୋର ଛୋଟ ଛୋଟ କବିତା ଓ ଗଳ୍ପ “ସମାଜ” ଓ “ପ୍ରଜାତନ୍ତ୍ର”ରେ ପ୍ରକାଶ ପାଉଥିଲା। ରାଉରକେଲାରେ ଶିକ୍ଷକତା କରିବା ପରେ (ଚତୁର୍ଭୁଜ ନନ୍ଦୀ, ଔପନାସିକ ଶଶିଭୁଷଣ ମହାପାତ୍ର, ଏଇ ମାନଙ୍କ ସହ ମୋର ପ୍ରତ୍ୟେକ ଦିନ ସାକ୍ଷାତ୍‌ ହେଲା ଇସ୍ପାତ ବିଦ୍ୟାଳୟ ପରିସରରେ। ସେମାନେ ମଧ୍ୟ ଶିକ୍ଷକତା କରୁଥିଲେ ସେହି ବିଦ୍ୟାଳୟରେ। ସେମାନେ ଉଭୟ ଉଚ୍ଚମାନର ସାହିତ୍ୟିକ ଥିଲେ। ସେମାନଙ୍କ ସହ ଆଲୋଚନା କରିବା, ଆଲୋଚନା ଶୁଣିବା- ଏ ସବୁ ଥିଲା ମୋ ପ୍ରୋତ୍ସାହନର ଆଦ୍ୟ ଓଁକାର। ତା’ପରେ ରାଉରକେଲାର ସବୁଜିମା, ପାହାଡ଼, ପର୍ବତ, ବ୍ରାହ୍ମଣୀର ଉତ୍ପତ୍ତି ସ୍ଥଳ ତ୍ରିବେଣୀ ସଙ୍ଗମ ବେଦବ୍ୟାସ ଆଦି ମୋ କବି ପ୍ରାଣକୁ ଉଦ୍‌ବେଳିତ କରୁଥିଲା। ଏହି ସମୟରେ ସଙ୍ଗୀତ ଶିଳ୍ପୀ ଭାବରେ ମଧ୍ୟ ମୁଁ ସ୍ବୀକୃତି ଲାଭକଲି। ଝଙ୍କାର ପରି ପତ୍ରିକାରେ ମୋର ଗଳ୍ପ ସ୍ଥାନିତ ହେବା ସହିତ “ଧୁମାଳ” ପ୍ରକାଶିତ ହେବା ମୋତେ ସାହିତ୍ୟ ଓ ସଙ୍ଗୀତ ସୃଷ୍ଟି ପାଇଁ ପ୍ରୋତ୍ସାହିତ କଲା। ୧୯୭୬ ରେ ମୁଁ ଆଲାହାବାଦ ବନାରସ୍ ମ୍ୟୁଜିକ୍ ସର୍କଲରେ ସଙ୍ଗୀତ ଦେଖିବା ଓ ଶୁଣିବାର ସୁଯୋଗ ପାଇଥିଲି। ପରେ ଇଂଲଣ୍ଡ ଭ୍ରମଣରେ ଗଲି ଓ ସେଠାରେ LOYAL COLLEGE OF MUSIC ଭ୍ରମଣ କରି ଫେରିବା ପରେ ମୋ ଭିତରେ ନୂଆ ଉଦ୍ଦୀପନା ସଞ୍ଚରିତ ହେଲା। ଇତି ମଧ୍ୟରେ ରାଉରକେଲାଠାରେ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟ ପ୍ରତିଷ୍ଠାର ୩୪ ବର୍ଷ ପୂରଣ ହୋଇଛି। ଓଡ଼ିଶା ସରକାର, କେତେକ ଶିଳ୍ପପତି ଓ ଶିଳ୍ପ ଅନୁଷ୍ଠାନ ସହିତ ବିଧାୟକ ଓ ସାଂସଦ, ମନ୍ତ୍ରୀ ତଥା ଇସ୍ପାତ କାରଖାନାର ସହଯୋଗରେ ଏକ ଆଖିଦୃଷ୍ଟିଆ ସଙ୍ଗୀତ ଅନୁଷ୍ଠାନ “ମ୍ୟୁଜିକ୍ ସର୍କଲ୍” ସ୍ଥାପନା ଓ ପରିଚାଳନା ସମ୍ଭବ ହୋଇପାରିଛି।

୬) ଆପଣଙ୍କ ସାହିତ୍ୟିକ ଜୀବନର ଆଦର୍ଶ କିଏ?

ଉ- ଔପନ୍ୟାସିକ ଶୀର୍ଷେନ୍ଦୁ ମୁଖୋପାଧ୍ୟାୟ। ତାଙ୍କ ସାହିତ୍ୟର ସ୍ବତନ୍ତ୍ରତା ମୋତେ ତାଙ୍କ ସାହିତ୍ୟକୁ ଅନୁବାଦ କରିବା ପାଇଁ ଉଦ୍‌ବୁଦ୍ଧ କଲା। ତାଙ୍କ ସାହିତ୍ୟରେ ଜୀବନର କଥା ଓ ଦରଦୀ ପଣିଆ ଅଛି। ସେଥିପାଇଁ ମୁଁ ତାଙ୍କୁ ମୋ ସାହିତ୍ୟ ଜୀବନର ଆଦର୍ଶ ଭାବେ ଗ୍ରହଣ କରେ।

୭) ସାହିତ୍ୟିକମାନଙ୍କର ସାମାଜିକ ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ନାହିଁ?

ଉ- ନିହାତି ଆବଶ୍ୟକ। ସାହିତ୍ୟିକ ଯଦି ତା କଥା କହିବ ତେବେ ସମାଜଠାରୁ ତା ସାହିତ୍ୟ ଖୁବ୍ ଦୂରରେ ଥିବ। ଯେଉଁ ସାହିତ୍ୟରେ ଖାଲି ଗୁଡ଼ିଏ ନକାରାତ୍ମକ ବା ଆଜେବାଜେ କଥା ଥିବ ପାଠକ ସେହି ସାହିତ୍ୟ ପ୍ରତି ବିମୁଖ ହେବା ସାର ହେବ।

୮) ଅନୁବାଦ “ମାନବଭୂମି ପାଇଁ” ଆପଣ ରାଜ୍ୟ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ। ତେବେ କୁହନ୍ତୁ ଜଣେ ଅନୁବାଦକ କେଉଁ ଦିଗ ପ୍ରତି ଅଧିକ ଯତ୍ନବାନ୍ ହେବା ଉଚିତ୍?

ଉ- ପ୍ରଥମେ ଭାଷା ଓ ଶୈଳୀର ମୌଳିକତା ରକ୍ଷା କରିବା, ମୂଳ ଲେଖକର ମାନସିକତା ପ୍ରତି ଯତ୍ନଶୀଳ ହେବା। ଯେମିତିକି ଅନୁବାଦକୁ ନେଇ ମୂଳ ଲେଖକ କ୍ଷୁବ୍ଧ ନହୁଏ ବା ଦୁଃଖ ନପାଏ। ତା’ର ମୂଳ ଲେଖା ପରିବର୍ତ୍ତିତ ନହେବା ପାଇଁ ଚେଷ୍ଟା କରିବା ଉଚିତ୍। ମୂଳ ଲେଖାରେ ଥିବା ସଂସ୍କୃତି ଓ ସ୍ଥାନର ଭୌଗୋଳିକ ଅବସ୍ଥିତି ସମ୍ପର୍କରେ ଅନୁବାଦକର ଧାରଣା ଥିବା ଦରକାର।

୯) “ମାନବ ଜମିନ୍” ଅନୁବାଦ କରିବା ପାଇଁ କାହିଁକି ନିଷ୍ପତ୍ତି ନେଲେ?

ଉ-କେନ୍ଦ୍ର ସାହିତ୍ୟ ଏକାଡ଼େମୀ କର୍ତ୍ତୃପକ୍ଷଙ୍କ ଅନୁରୋଧରେ ମୁଁ ତାହା କରିଛି। ଏଥିପାଇଁ ମୋତେ ଅଢ଼େଇ ବର୍ଷ ଲାଗିଥିଲା। ଏହି ଅନୁବାଦକୁ ଲେଖିଲା ବେଳେ ମୁଁ ବହୁତ କାନ୍ଦିଛି।

୧୦) ନିକଟରେ ଓଡ଼ିଆ ସାହିତ୍ୟ ଏକାଡ଼େମୀ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ପୁରସ୍କାର ନେଇ ବାଦାନୁବାଦ ପରିସ୍ଥିତି ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଆପଣଙ୍କର ଅଭିମତ ପ୍ରଦାନ କରନ୍ତୁ?

ଉ- ଏ ବାବଦରେ ମୋର କିଛି କହିବାର ନାହିଁ।

୧୧) ଜଗତୀକରଣ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ଭବିଷ୍ୟତ କ’ଣ ବୋଲି ଆପଣ ଭାବୁଛନ୍ତି?

ଉ- ଆମେ ପରିଶ୍ରମକାତର ଅଟୁ। ଆମ ଦେଶରେ ନିଷ୍ଠାର ଅଭାବ। ଅନ୍ୟ ଦେଶ ଯଦି ଆଗେଇ ପାରୁଛି ଆମେ କାହିଁକି ଆଗେଇ ପାରିବାନି। ଭାବପ୍ରବଣତା ଥିଲେ ଓଡ଼ିଆ ସାହିତ୍ୟ ବଢ଼ିବ।

୧୨) ସାହିତ୍ୟିକମାନେ କେଉଁ ଆଦର୍ଶରେ ପରିଚାଳିତ ହେବା ଉଚିତ୍?

ଉ- ବିଭିନ୍ନ ପରିପେକ୍ଷୀରେ ବିଭିନ୍ନ ଆଦର୍ଶ। ଗୋଟିଏ ଆଦର୍ଶରେ ଚଳିବା ଉଚିତ୍ ନୁହେଁ। ମାନବବାଦ ମୂଳ ଆଦର୍ଶ ହେବା ଉଚିତ୍। ଯେପରି ଶୀର୍ଷେନ୍ଦୁ ତାଙ୍କ ଲେଖାରେ ଅପରାଧୀମାନଙ୍କୁ କ୍ଷମା ଦେଇଛନ୍ତି।

୧୩) ଆପଣଙ୍କ ପରବର୍ତ୍ତୀ ସୃଷ୍ଟି କଣ?

ଉ-କ୍ଷୁଦ୍ରଗଳ୍ପ ସଙ୍କଳନ (ଅନୁଚ୍ଚାରିତ ପ୍ରେମର ସିନୋପସିସ୍) ପ୍ରକାଶ ପାଇବା ଅପେକ୍ଷାରେ। ଏହା ବ୍ୟତୀତ “ମା‘ ମୋର ଚାଲିଗଲା” କବିତା ସଙ୍କଳନ ମଧ୍ୟ ପ୍ରକାଶ ପାଇବା ଅପେକ୍ଷାରେ।

୧୪) କେଉଁଥିରେ ଆପଣ ଅଧିକ ଆତ୍ମତୃପ୍ତି ପାଆନ୍ତି? ସାହିତ୍ୟରେ ନା ସଙ୍ଗୀତ ସାଧନାରେ?

ଉ- ଉଭୟ ସାଧନା ମୋର ଅତି ପ୍ରିୟ। ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ପରେ ସାହିତ୍ୟରେ ଆଗେଇଲି। ନାଟକ, ସାହିତ୍ୟ ଓ ସଙ୍ଗୀତ ତ୍ରିବେଣୀ ସଙ୍ଗମ ହେଉଛି ମୁଁ ସ୍ଥାପନା କରିଥିବା ଅନୁଷ୍ଠାନ “ମ୍ୟୁଜିକ୍ ସର୍କଲ୍”।

୧୫) ସଙ୍ଗୀତ ସାଧନା ପାଇଁ ରାଉରକେଲାରେ ଆପଣ ସ୍ଥାପନ କରିଛନ୍ତି ମ୍ୟୁଜିକ୍ ସର୍କଲ୍‌। ଏହି ବୃହତ୍ତର ଅନୁଷ୍ଠାନର ମୂଳ ଲକ୍ଷ୍ୟ କଣ?

ଉ- ଏହା ମାଧ୍ୟମରେ ରାଉରକେଲା ଓ ପାଖାପାଖି ଅଞ୍ଚଳରେ ରହୁଥିବା ଛୋଟ ଛୋଟ ପିଲାମାନଙ୍କର ରୁଚି ଓ ଇଚ୍ଛାକୁ ପ୍ରୋତ୍ସାହନ ଦେବା ସହ ଉତ୍ତମ ପ୍ରଶିକ୍ଷକଙ୍କ ଦ୍ବାରା ସେମାନଙ୍କୁ ଏ ବାବଦରେ ଅଧିକ ପ୍ରଶିକ୍ଷଣ ଦେବା। ଏହା ବ୍ୟତୀତ ବିଭିନ୍ନ ସମୟରେ ଆଞ୍ଚଳିକ ଓ ରାଜ୍ୟସ୍ତରର ନୃତ୍ୟ, ସଙ୍ଗୀତ ଓ ସାହିତ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବା ହେଉଛି ଅନ୍ୟ ଏକ ଉଦ୍ଦେଶ୍ୟ।

୧୬) ଓଡ଼ିଆ ସାହିତ୍ୟ ଡଟ୍ କମ୍ ପାଇଁ ଆପଣଙ୍କ ବାର୍ତ୍ତା?

ଉ- ସାମ୍ପ୍ରତିକ ସମୟରେ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ।

ଓଡ଼ିଆ ସାହିତ୍ୟ ଡଟ୍‌ କମ୍‌ ପକ୍ଷରୁ ଏହାର ସଂଯୋଜକ ଉମାକାନ୍ତ ମିଶ୍ରଙ୍କ ଦ୍ବାରା ‘ମ୍ୟୁଜିକ୍‌ ସର୍କଲ୍‌, ରାଉରକେଲା’ ପରିସରରେ ଫେବୃଆରୀ-୨୦୧୨ ରେ ଉପରୋକ୍ତ ସାକ୍ଷାତକାରଟି ନିଆଯାଇଥିଲା।

ପାଠକୀୟ ଆଦୃତି

୧୦୪ ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

-: ଆଉ କେତୋଟି ସାକ୍ଷାତକାର :-
-: ପାଠକୀୟ ମତାମତ :-

ଆପଣଙ୍କ ମତାମତ କ’ଣ?

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡ଼ିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ପୃଷ୍ଠାର ଶୀର୍ଷ ଭାଗରେ ପ୍ରଦତ୍ତ ଓଡ଼ିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ। ଓଡ଼ିଆରେ ଲେଖିବା ପାଇଁ, ଏହି ବ୍ୟବସ୍ଥା କେବଳ କମ୍ପ୍ୟୁଟର ଓ ଲାପ୍‌ଟପ୍ ରେ ଉପଲବ୍ଧ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP