ପୁରୁଣା କଥା ମନେପଡୁଛି। ରେଭେନ୍ସା କଲେଜ ହଷ୍ଟେଲରେ ରହି ପଢୁଥିଲୁ। ପ୍ରତି ଶନିବାର ଦିନ ମୁଁ ଗାଁକୁ ଆସେ ଆଉ ସୋମବାର ଦିନ ସକାଳୁ ସକାଳୁ ବସ୍ ଧରି କଟକ ଯାଉଥାଏ। ପ୍ରାୟ ସବୁ ସୋମବାର ଦିନ ସକାଳୁ ମୁଁ ଜଳଖିଆ ଖାଇ ବାହାରିଲା ବେଳକୁ ଦେଖେ ମୋ ବ୍ୟାଗଟା ନାହିଁ। ବୁଝିଲାବେଳକୁ କ’ଣ ନା ବାପା ବ୍ୟାଗଟିକୁ ନେଇ ଘର ବାହାରେ ବାରଣ୍ଡାରେ ଥୋଇ ଦେଇଛନ୍ତି। ମୁଁ ଟିକେ ବିରକ୍ତ ହୋଇ ‘କାହିଁକି ମୋ ବ୍ୟାଗଟା ଏତେ ସକାଳୁ ନେଇ ବାହାରେ ରଖି ଦେଇଛ ବୋଲି’ ପଚାରିଲା ବେଳକୁ ସେ କୁହନ୍ତି ‘ଆରେ ପାଞ୍ଜି ଦେଖିଲି ଆଜି ତୋ କୁମ୍ଭରାଶି ପାଇଁ ସାତଟା ପରେ ଘାତଚନ୍ଦ୍ର ଅଛି। ଆଉ ପାଞ୍ଚଟା ପଇଁଚାଳିଶଠୁ ଛଅଟା ପନ୍ଦର ଯାଏଁ ମାହେନ୍ଦ୍ରବେଳା ଅଛି, ତେଣୁ ସେଇ ସମୟ ଭିତରେ ମୁଁ ତୋ ବ୍ୟାଗ୍ଟିକୁ ଆଣି ଘର ବାହାରେ ରଖି ଦେଇଛି। ହଉ, ଶୀଘ୍ର ବାହାର ଡେରି ହୋଇଗଲାଣି, ବସ୍ଷ୍ଟାଣ୍ଡ ଯିବା’। ତା’ପରେ ସେ ମୋ ପଛେ ପଛେ ଚାଲିଥିବେ। ମୁଁ ମନେ ମନେ ବିରକ୍ତ ହେଉଥିବି। ସେ କିନ୍ତୁ ପଛେ ପଛେ ଚାଲିଥିବେ।
ବସ୍ଷ୍ଟାଣ୍ଡରେ ଆରମ୍ଭ ହୋଇଯିବ ତାଙ୍କ ପ୍ରବଚନ। ‘କଟକ ସହର, ଟିକେ ଦେଖିକି ଚଳିବୁ। କାହା ସାଥିରେ ଗଣ୍ଡଗୋଳ କରିବୁ ନାହିଁ। ସିଧା ସିଧା କଲେଜକୁ ଯିବୁ ଆଉ ହଷ୍ଟେଲକୁ ଆସିବୁ। ବେଶୀ ଗୁଡ଼େ ସାଇକେଲ ଚଲେଇ ବୁଲିବୁ ନାହିଁ। ଗାଡ଼ି ମଟର ଦେଖିକି ଯିବୁ। ସଦାବେଳେ ବାଁକୁ କାଟି ଚଲେଇବୁ। ବଜାରରୁ ୟ୍ୟାଡୁ ସ୍ୟାଡୁ ଗୁଡ଼େ କିଣିକି ଖାଇବୁ ନାହିଁ… ଇତ୍ୟାଦି ଇତ୍ୟାଦି ଚାଲିବ ଯେ ଚାଲିବ, ନନ୍ଷ୍ଟପ୍ ବସ୍ ଆସିବା ପର୍ଯ୍ୟନ୍ତ। ଏ କଥାଗୁଡ଼ିକ ବାରମ୍ବାର ଶୁଣି ମୁଁ ସେତେବେଳକୁ ବିରକ୍ତ ହୋଇଯାଇଥିବି। ହଁ, ହଁ, ତମେ ଗଲ’ ମୋ’ର ଏମିତି ବାରମ୍ବାର କହିବା ସତ୍ତ୍ବେ ବି ସେ ରୋଡ଼ ଆରପଟେ ଯାଇ ଛିଡ଼ା ହୋଇଯିବେ। ବସ୍ ଖିଡ଼ିକି ବାଟେ ମୋତେ ଦେଖି ପୁଣି ଆରମ୍ଭ କରିଦେବେ ‘ହଁ, ପହଞ୍ଚି ଗୋଟେ ଫୋନ୍ କରିଦେବୁ। କଲେଜ ଛକରେ ଓହ୍ଲେଇ ପଡ଼ିବୁ। ଦେଖିକି, ବସ୍ ରହିଲା ପରେ ଯାଇ ଓହ୍ଲେଇବୁ। ନହେଲେ ଆଗକୁ ମଙ୍ଗଳାବାଗ ଛକରୁ ରିକ୍ସା କରି ପଳେଇ ଆସିବୁ। ହୋ, କଣ୍ଡକ୍ଟର ବାବୁ, ତୁମର କଲେଜ୍ ଛକରେ ବସ୍ ରହୁଛି କି ନାହିଁ?’ ବାପାଙ୍କ ପ୍ରଶ୍ନକୁ ହେୟଜ୍ଞାନ କରି କଣ୍ଡକ୍ଟର ଘଣ୍ଟି ମାରିଦେବ। ମୁଁ ମନେ ମନେ ଭାବେ ‘ଓହୋ, ମଣିଷ ଏବେ ଟିକେ ଶାନ୍ତିରେ ନିଶ୍ବାସ ମାରିଲା।’ ତାପର ସପ୍ତାହରେ ପୁଣି ଏହାର ପୁନରାବୃତ୍ତି ହୋଇଥାଏ।
ବାପା କେବେଠୁ ଆରପରିକୁ ଗଲେଣି। ମୋତେ ବର୍ତ୍ତମାନ ଷାଠିଏ ପାଖାପାଖି। ମୋ’ର ପୁଅଝିଅ ସବୁ ବଡ଼ ବଡ଼ ହୋଇଗଲେଣି, କିନ୍ତୁ ଏବେ ବି ମୋ ପୁଅଝିଅ ଯେତେବେଳେ ଟ୍ରେନ୍ରେ ବସି ବମ୍ବେ କି କଲିକତା ଯାଉଛନ୍ତି ମୁଁ ଠିକ୍ ସେମିତି ମୋ ବାପାଙ୍କ ଭଳି ବ୍ୟବହାର କରୁଛି। ଘରୁ ଆରମ୍ଭ ହୋଇଯିବ ମୋ ଡ୍ରାମା। ‘ଆରେ ଟିକେଟ୍ ନେଲୁ କି ନାହିଁ? କିଛି ଭୁଲିଲୁ ନାହିଁ ତ? ବଡ଼ ବଡ଼ ନୋଟ୍କୁ ଚୋରା ପାକେଟ୍ ଭିତରେ ରଖିଦେ। କୁଲିଫୁଲିକୁ ଦେବା ପାଇଁ ଛୋଟ ଛୋଟ ନୋଟ୍ କିଛି ସାଇଡ଼ ପକେଟ୍ରେ ରଖ। ବାଟରେ କିଏ କ’ଣ ଯାଚିଲେ ଖାଇବୁ ନାହିଁ। ତଳ ଚେନ୍ରେ ବାକ୍ସକୁ ବାନ୍ଧି ଦେବୁ। ପ୍ଲାଟ୍ଫର୍ମରେ ମିଳୁଥିବା ବରା ପିଆଜିଗୁଡ଼ାକୁ ଖାଇବାକୁ ନାହିଁ। ରାସ୍ତାରେ କାହା ସାଥୀରେ ଭାବଦୋସ୍ତି କରିବା ଦରକାର ନାହିଁ।’ ପୁଅ ମନା କରିବା ସତ୍ତ୍ବେ ବି ମୁଁ ଷ୍ଟେସନ ଯାଇଥାଏ। କ୍ୟାବିନ୍ ଭିତରେ ସେ ବସିଥାଏ। ମୁଁ ପ୍ଲାଟ୍ଫର୍ମ ଉପରେ ଛିଡ଼ା ହୋଇ ଖିଡ଼ିକି ବାଟେ ମୋର ଭାଷଣ ଚଳେଇଥାଏ। ବାରମ୍ବାର ସେଇ କଥା ‘ଟିକେଟ୍ ରଖିଲୁ ତ? ସୁବିଧାରେ ଯିବୁ। ଆଜିକାଲି ବହୁତ ପକେଟ୍ମାର। ଟିକିଏ ହୁସିଆର ରହିବୁ। ଷ୍ଟେସନରୁ ଓହ୍ଲେଇ ଗୋଟେ ଅଟୋ କରି ପଳେଇବୁ। ଅଟୋବାଲାଙ୍କ ସହିତ ବେଶୀ ଝକ୍ ଝକ୍ କରିବୁ ନାହିଁ। ଟ୍ରେନ୍ ଛାଡ଼ିଲା ପରେ ଶୋଇପଡ଼ିବୁ। ମୋ ପୁଅର ବିରକ୍ତି ଭାବ ତା’ ମୁହଁରେ ପ୍ରକାଶ ପାଉଥିଲେ ମଧ୍ୟ ମୁଁ ତାକୁ ଖାତିର ନକରି ସତର୍କତା ସହିତ ମୋ ଉପଦେଶଗୁଡ଼ିକ ବାରମ୍ବାର ଦେଇ ଚାଲିଥାଏ।
ଯେପରି ବାପା ମୋ ପାଇଁ ଦିନେ ବିରକ୍ତିକର ଥିଲେ, ମୁଁ ବାପା ହୋଇଗଲାପରେ ଠିକ୍ ସେହିପରି ମୋ ପୁଅଝିଅଙ୍କ ପାଇଁ ବିରକ୍ତିର ପାତ୍ର ହୋଇଯାଇଛି। ଫରକ୍ ଏତିକି ଯେ, ମୁଁ ସେତେବେଳେ ଚୁପ୍ ହୋଇକି ରହିଯାଉଥିଲି, ଆଉ ଏବେ ପିଲାମାନେ ବିରକ୍ତ ହୋଇ ଉତ୍ତର ଦେଇଦଉଛନ୍ତି। ଦିନେ ମୋର ଜଣେ ବନ୍ଧୁ ମୋ ଝିଅକୁ ବଜାରରେ ଖୁବ୍ ଜୋର୍ରେ ସ୍କୁଟି ଚଳାଉଥିବାର ଦେଖି ମୋତେ ଖବର ଦେବାରୁ ମୁଁ ସେଦିନ ଡାଇନିଂ ହଲ୍ରେ ସମସ୍ତେ ଖାଇବସିଥିବା ବେଳେ ତାକୁ ତାଗିଦ୍ କରିଥିଲି। ଭାଇଭଉଣୀ ଦୁହେଁ ମୋ’ର ଏକଥାକୁ ପସନ୍ଦ ନକରି କହିଥିଲେ ‘ବାପା, ତୁମେ ଏମିତି ଡରିଲେ ଚଳିବ ନାହିଁ। କ’ଣ ହେବ? କିଛି ହେବ ନାହିଁ। ଦିନକୁ ଦିନ ତୁମେ ଏତେ ଡରକୁଳା କାହିଁକି ହୋଇଯାଉଛ?’ ମୁଁ ଅନୁଭବ କଲି ସେମାନେ ମୋ ବିଷୟରେ ଯାହା କହୁଛନ୍ତି ଏକଦମ୍ ଠିକ୍ କହୁଛନ୍ତି। ଆଜିକାଲି ଟିକିଏ ଟିକିଏ କଥାରେ ମୁଁ ଡରିଯାଉଛି। ବଡ଼ିଭୋର୍ରୁ ଫୋନ୍ଟେ ବାଜିଲେ ଡରିଯାଉଛି। ରାତି ଅଧରେ କିଏ ଉଠେଇଦେଲେ ଚମକି ପଡ଼ୁଛି। ବାଥ୍ରୁମ୍ କବାଟ ଠକ୍ ଠକ୍ ହେଲେ ଘାବରେଇ ଯାଉଛି। କ’ଣ ହେଲା କି? କିଛି ଅଘଟଣ ଘଟିଲା କି? ଏ ଅବେଳରେ କିଏ କାହିଁକି ଡାକୁଛି?
ଦିନେ ପୁଅଝିଅଙ୍କୁ ନେଇ ବଜାରକୁ ଯାଇଥିଲି। ସେମାନେ ଗୋଟେ ଇଲେକ୍ଟ୍ରୋନିକ୍ କାର୍ ଗେମ୍ ଖେଳିବାକୁ ଚାହିଁଲେ। ମୁଁ ବି ଦଶଟଙ୍କିଆ କଏନ୍ଟିଏ ନେଇ ଖେଳିବାକୁ ସ୍ଥିର କଲି। ମୁଁ ଭଲଭାବରେ ଜାଣିଛି ଏଗୁଡ଼ାକ ଟିଭି ପର୍ଦ୍ଦା ଉପରେ ହେଉଛି। ମୋ ପାଖରେ ଛୋଟ ଛୋଟ ପିଲାମାନେ ଗାଡ଼ିଗୁଡ଼ିକୁ ଦୁଇଶହରୁ ଅଢ଼େଇଶହ କିଲୋମିଟର ସ୍ପିଡ୍ରେ ଚଲେଇ ଢ଼ୋ ଢ଼ୋ ଆକ୍ସିଡେଣ୍ଟ କରୁଛନ୍ତି ଅଥଚ ମୋର ସ୍ପିଡ୍ ପର୍ଦ୍ଦାରେ ଷାଠିଏ ସତୁରୀରୁ ଅଧିକ ହୋଇଗଲା ପରେ ମୋ ହାତଗୋଡ଼ ଥରୁଛି। ଏଇଥିପାଇଁ ପ୍ରକୃତରେ ମୁଁ ଗାଡ଼ିରେ ବସି କୁଆଡେ ଯାଉଥିବା ବେଳେ ମୋ ପୁଅ କହେ ‘ବାପା, ତୁମେ ପଛରେ ବସ,’ କାରଣ ମୁଁ ଆଗରେ ବସିଥିଲେ ପ୍ରତି ପାଞ୍ଚମିନିଟ୍ରେ ତାକୁ ସତର୍କ କରାଉଥିବି। ‘ଦେଖ, ଆଗରୁ ଟ୍ରକ୍ଟେ ଆସୁଛି। ଆରେ ଇଣ୍ଡିକେଟର ଦେ, ଟିକେ ସ୍ଲୋ କରିଦେ। ପଛପଟ ଗାଡ଼ିଟାକୁ ପାସ୍ ଦେଇଦେ। ଆଗରେ ହମ୍ପ ଅଛି, ବ୍ରେକ୍ ଦେ’….. ଇତ୍ୟାଦି। ମୋ’ର କିନ୍ତୁ ଅଭ୍ୟାସ ଯେ ମୁଁ ପଛରେ ବସିବିନି ଆଉ ଆଗରେ ବସି ଏମିତି ଡାଇରେକ୍ସନ ଦେଉଥିବି।
ବର୍ତ୍ତମାନ ପ୍ରଶ୍ନ ଉଠେ ଏମିତି କାହିଁକି ହେଉଛି? ମୁଁ ଭାବିବାରେ ମୋ’ ଭଳି ଆପଣମାନଙ୍କର ମଧ୍ୟ ଉଣା ଅଧିକେ ଏମିତି ହେଉଥିବ। ଆଧୁନିକ ମନସ୍ତତ୍ତ୍ବବିତ୍ମାନଙ୍କ ମତରେ ଏହା ହେଉଛି ଏକ ଭୟର ଲକ୍ଷଣ, ଯାହା ଆପଣଙ୍କର ପିଲାମାନଙ୍କ ପ୍ରତି ଅଗାଧ ପ୍ରେମରୁ ସୃଷ୍ଟି ହୋଇଥାଏ। ଏଭଳି ପ୍ରେମରୁ ମୋହ ଜାତ ହୋଇଥାଏ ଓ ମୋହରୁ ଭୟ ସୃଷ୍ଟି ହୋଇଥାଏ। ଏହା ଲକ୍ଷ୍ୟ କରାଯାଏ ଯେ, ମା’ ବାପାମାନଙ୍କର ଯେତିକି ମୋହ ପିଲାମାନଙ୍କ ପ୍ରତି ଥାଏ ସେତିକି ମୋହ ପିଲାମାନଙ୍କର ବାପା ମା’ଙ୍କ ପ୍ରତି ନଥାଏ ବରଂ ବେଳେ ବେଳେ ଏହାର ବିପରୀତ ଭାବରେ ପ୍ରତିରୋଧ କଲାଭଳି ଏକ ଉଦାସୀନ ମନୋଭାବ ଥାଏ। ବାପାଟିଏ ଚିନ୍ତା କରୁଛି ଯେ ସେ ଯାହା ଜାଣିଛି ଶିଖିଛି ସବୁ ବାଟିକି ତା ପିଲାକୁ ପିଆଇ ଦେବ। ପିଲାଟି କିନ୍ତୁ ଯାହା ବାପା ମା’ କହୁଛନ୍ତି ତାକୁ ପାଳନ କରିବା ତ ଦୂରର କଥା ବରଂ ଠିକ୍ ଓଲଟା କଥାଟି ମାନ କରି ତା’ର ଏକ ବିଦ୍ରୋହାତ୍ମାକ ଲକ୍ଷଣର ପରିଚୟ ଦେବ। ଆପଣ ଆପଣଙ୍କ ସାଙ୍ଗସାଥୀରେ କଥାବାର୍ତ୍ତା ହେଉଛନ୍ତି “କ’ଣ କରିବି ? ପିଲାଟା ଆଦୌ ବୁଝୁନି।” ପିଲା କିନ୍ତୁ ତା’ ସାଙ୍ଗ ମେଳରେ କ’ଣ କଥାବାର୍ତ୍ତା ହେଉଛନ୍ତି ଜାଣନ୍ତି- “କ’ଣ କରିବି କହିଲୁ? ବାପା ଆଦୌ ବୁଝୁନାହାଁନ୍ତି।”
ବନ୍ଧୁଗଣ, ଏହା ସ୍ବାଭାବିକ। ଏଥିରେ ବ୍ୟସ୍ତ ହେବାର କିଛି ନାହିଁ। ଥରେ ଭାବିଲେ ଆପଣ କ’ଣ ଆପଣଙ୍କ ବାପାଙ୍କ ସବୁ କଥାକୁ ମାନିଥିଲେ? ମୁଁ ତ ମୋ ବାପାଙ୍କ ଅନେକ କଥାକୁ ମାନିନାହିଁ। ବାପାଙ୍କୁ ଲୁଚେଇକି ମୁଁ ଗାଡ଼ି ଚଳେଇବା ଶିଖିଛି। ବାପା ଯଦି କହିବେ ବାଁକୁ ଚାଲେ, ମୁଁ ଡାହାଣକୁ ଚାଲିଛି। ବାପା ଯଦି କହିବେ ଉପରକୁ ଅନା ମୁଁ ତଳକୁ ଅନେଇଛି। ଗାଁ ଛାଡ଼ି ଯେତେବେଳେ ବାହାରକୁ ଆସିଲି ବାପା କହିଲେ ‘ଚାକିରିରେ କ’ଣ ଅଛି, ବେପାର କର।’ ମୁଁ କିନ୍ତୁ ତାଙ୍କ କଥା ନମାନି ଚାକିରି କଲି। ଆଉ ଯେତେବେଳେ ମୁଁ ନିଜେ ସ୍ଥିର କଲି ଯେ ଚାକିରି ଛାଡ଼ି ବେପାର କରିବି ସେତେବେଳେ ବାପା ପୁଣି କହିଲେ ‘ଭୁବନେଶ୍ବରରେ କ’ଣ ଅଛି, କଟକରେ ବେପାର କର।’ ମୁଁ ପୁଣି ତାଙ୍କ କଥାକୁ ବିରୋଧ କରି ଭୁବନେଶ୍ବରରେ ବେପାର କଲି। ଏଇଥିପାଇଁ ଅନେକ ଥର ଆମ ଘରେ ଅଶାନ୍ତି ହୋଇଛି କିନ୍ତୁ ମୁଁ ମୋ’ର ସବୁ ଜିଦ୍ରେ ଅଟଳ ରହିଛି। ୟା ଅର୍ଥ କ’ଣ ଆମ ବାପା ପୁଅର ସମ୍ପର୍କ କଟିଗଲା?
ଜଣେ ଦାର୍ଶନିକ କହିଥିଲେ “ଆପଣ ଯେତେବେଳେ ଅନୁଭବ କରନ୍ତି ଯେ ଆପଣଙ୍କ ବାପା ଯାହା କହୁଥିଲେ ଠିକ୍ କହୁଥିଲେ ଠିକ୍ ସେତିକିବେଳେ ଆପଣଙ୍କ ପୁଅ ଆପଣ ଯାହା କହୁଛନ୍ତି, ଭୁଲ୍ କହୁଛନ୍ତି ବୋଲି କହିବା ଆରମ୍ଭ କରିଦିଏ।” ଏହା ଏକ ଗତାନୁଗତିକ ଧାରା, ଯାହା ବଂଶ ବଂଶ ଧରି ଚାଲିଥାଏ। ଏଥିପାଇଁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। ମୁଁ ଜାଣେନି ଆପଣ ଜଣେ ବାପା କି ପୁଅ? ଯଦି ପୁଅ ହୋଇଥାନ୍ତି ତେବେ ବାପାଙ୍କୁ ଅସମ୍ମାନ କରିବାର କୌଣସି ଆବଶ୍ୟକତା ନାହିଁ। ସେ ଚାହୁଛନ୍ତି ଯେ ସେ ଜିଇଁ ଥାଉ ଥାଉ ଦୁନିଆର ଯେତେ ଭଲ ଭଲ କଥା ଆପଣଙ୍କୁ ବତେଇ ଦେବେ। ଏହା ତାଙ୍କର ଆପଣଙ୍କ ପ୍ରତି ଆସକ୍ତିର ପରିଚୟ। ଯଦି ଆପଣ ବାପଟିଏ ହୋଇଥାନ୍ତି; ତେବେ ପୁଅର ସବୁ ପ୍ରତିରୋଧକୁ ହସି ହସି ଗ୍ରହଣ କରିନେଇ ପଦୁଟିଏ ତାକୁ କୁହନ୍ତୁ “ପୁଅରେ, ମୁଁ କାହିଁକି ଏମିତି କହୁଛି, ତୁ ବାପା ହେଲେ ଜାଣିବୁ।”